Siddhartha Tripathy

Tragedy Crime Thriller

4  

Siddhartha Tripathy

Tragedy Crime Thriller

ଉତ୍କୋଚ........

ଉତ୍କୋଚ........

3 mins
391



ମଦନା, ଏ.... ମଦନା

ଲୁଗାଗୁଡାକ ନେଇ ଭଲରେ ଧୋଇକି ନେଇ ଆସିବୁ। ହଁ କାଲିର ଲୁଗାର ପଇସା ନେଇଯାଆ କହିଲେ ସୁରେଶ ବାବୁ। ପଇସା ଧରୁ ଧରୁ ମଦନା କହିଲା ବାବୁ ଲୁଗା ସଫାର ବତିଶଟଙ୍କା ହେଉଛି, ତମେ ପଚାଶ ଟଙ୍କା ଦେଇଛ। ହଁ, ରଖିନେ କହିଲେ ସୁରେଶବାବୁ। ସଂକ୍ଷିପ୍ତ ଉତ୍ତର ଥିଲା ମଦନାର। ବାବୁ! ଦିପାବଳୀ ନାହଁ କି ଦଶହରା ନାହଁ ଆପଣଙ୍କ ଠାରୁ ଅଠର ଟଙ୍କା ଅଧିକ କାହିଁକି ନେବି। ଏହା ତ ଲାଞ୍ଚ ନା। ଏପରି କଲେ ମୋର ଏକମାତ୍ର ପୁତ୍ର ପ୍ରଦୀପ ଉପରେ ଖରାପ ପ୍ରଭାବ ପଡିବ। ମୁଁ ତାକୁ ଭଲମଣିଷଟିଏ କରି ଗଢି ତୋଳିବାର ପ୍ରୟାସରେ ପରିଶ୍ରମ କରୁଛି, ତାଛଡା ସେ ବହୁତ ଭଲ ପଢୁଛି।


      ଠୋ ଠୋ ହସିଉଠିଲେ ସୁରେଶବାବୁ। ଆରେ ବୋକା ମୁଁ ଗୋଟିଏ ବେସରକାରୀ ବିଦ୍ୟାଳୟର ଶିକ୍ଷକ ଥିଲି। ନିଜର ବୁଦ୍ଧି ବଳରେ ଆଜି କୋଟିପତି। ଯଦି ସଚ୍ଚୋଟତାର ଆବରଣ ଭିତରେ ରହିଥାନ୍ତି ଏ ବଙ୍ଗଳା ନଥାନ୍ତା, ମୋ ଝିଅ ବିଦେଶରେ ପାଠପଢି ବିଦେଶୀକୁ ବାହା ହୋଇ ସୁନ୍ଦର ଜୀବନଯାପନ କରିବା ପରିବର୍ତ୍ତେ କାହା ଘରେ ବାସନ ମାଜୁଥାଆନ୍ତା। ଆଉ ମୁଁ.......!


କୁଡିଆଘରେ ବିନା ପେନସନରେ ବାରିପଟେ ଶାଗପଟାଳି କରି ଶାଗ ଖୋସୁଥାଆନ୍ତି। ଅସତଉପାୟରେ କିଛି ଉପାର୍ଜନ କରିଥିବାରୁ ସରକାରୀ ଖଜାନାକୁ ପାଞ୍ଚ ଲକ୍ଷ ଉତ୍କୋଚ ଦେଇ ଜୀବନସାରା ପେନସନ ପାଇବାର ଯୋଗ୍ଯତା ହାସଲ କଲି।


      ତୋର ସ୍ୱପ୍ନ ତୋ ପୁଅକୁ ଯନ୍ତ୍ରୀ କରି ଗଢିତୋଳିବୁ, ତା ପୁଣି ସଚ୍ଚୋଟ? ହଁ କହୁଥିଲା ମଦନା ପାଖରେ ଠିଆ ହୋଇ ସବୁ ଶୁଣୁଥିବା ମଦନାର ପୁଅ ପ୍ରଦୀପ। ସୁରେଶବାବୁ କହି ଉଠିଲେ ଜାଣିଛୁ ମଦନା ଏହି ସୁନ୍ଦର ଅଟ୍ଟାଳିକାର ନିର୍ମାତା ବି ଜଣେ ଯନ୍ତ୍ରୀ। କିନ୍ତୁ ପାଇଲା କଣ? ମୁଣ୍ଡର ଝାଳ ତୁଣ୍ଡରେ ମାରିବାର କିଛିଟା ପାରିଶ୍ରମିକ। ଶୁଣୁଥିଲି କିଛିଦିନ ପୁର୍ବରୁ ପୋଲ ଭୁଷୁଡିବା ଅପରାଧରେ ଚାକିରୀରୁ ନିଲମ୍ବିତ, ସ୍ତ୍ରୀ, ପିଲାଛୁଆ ତାକୁ ଛାଡି ବାପଘରେ। ଚାକିରୀରେ ଅଯୋଗ୍ୟ, ପାରିବାରିକ ସନ୍ତୁଳନ ଅବ୍ୟବସ୍ଥିତ, ଅବୟସରେ ରୋଗର ଶିକାର, ଏହା ହିଁ ସଚ୍ଚୋଟତାର ଉପହାର।


          ମୁହଁ ଖୋଲିଲା ମଦନା, ହୋଇପାରେ ବାବୁ, ହେଲେ ଏମିତି କେତେଟା ଉଦାହରଣ। କମ ପାଠ ମୋର କିନ୍ତୁ ଏତିକି ଶିଖିଛି, "ସଚ୍ଚୋଟତାକୁ କିଆଁ ଡରିବି, ସଚ୍ଚୋଟ ହୋଇ ମଲେ ପଛେ ମରିବି"। ବୋକାଟା ବାପା ବି ପୁଅ ବି କହି ଉଠିଲେ ସୁରେଶ ବାବୁ। ଚାଲ ପୁଅ କହି ମଦନା ପୁଅ ସହ ଚାଲିଗଲା ସୁରେଶ ବାବୁଙ୍କ ଅଟ୍ଟାଳିକା ବାହାରକୁ।


      ମାଆ ଛେଉଣ୍ଡ ପ୍ରଦୀପକୁ ଶାଗପଖାଳ ଖାଇବାକୁ ଦେଲାବେଳେ ମଦନା ବୁଝୋଉଥିଲା ବାବୁରେ ! ଏ ଦୁନିଆରେ ଉତ୍କୋଚଖୋର ସୁରେଶ ଅଛନ୍ତି ହାତଗଣତି। କେଉଁ ନିଷ୍ଠୁର ନିୟତିର ଅଦ୍ରୁଶ୍ୟ ଇଙ୍ଗିତରେ ଏମାନେ ଗୋଟିଏ ଗୋଟିଏ କକ୍ଷଚ୍ୟୁତ ନକ୍ଷତ୍ର। ବିରାଟ ଅଟ୍ଟାଳିକା ଭିତରେ ଖୁସିର ସମାଧି। ଖାଇବା ପୁର୍ବରୁ ପାଞ୍ଚ ପ୍ରକାର ଔଷଧ ଖାଏ ଏମାନଙ୍କୁ। ପ୍ରକ୍ରୁତିର ଦର୍ଶନ, ପ୍ରକ୍ରୁତିର ଜୀବନ, ବର୍ଷାରେ ଭିଜି ଆନନ୍ଦ ନେବା ଏମାନଙ୍କ ପାଇଁ ବନ୍ଦ ପୁସ୍ତକର ପ୍ରୁଷ୍ଠା। ଆଉ ଆମେ......! ନୂତନ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଉପଭୋଗ କରୁଥିବା ପ୍ରେମୀଯୁଗଳ ପରି ସଦା ହସହସ। ଏୟା ହିଁ ଫରକ ଧନୀ ଗରୀବର, ସତ ଅସତର। ହସୁଥିଲା ପ୍ରଦୀପ ବାପାଙ୍କ କଥା ଶୁଣି ଓ ମନେ ମନେ ପ୍ରତିଜ୍ଞା କରୁଥିଲା ସଚ୍ଚୋଟତାର ରାସ୍ତାରେ ଚାଲିବାର।


       ପାଠପଢା ସାରି ଯନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଗଲା ପ୍ରଦୀପ। ଗାଆଁ ସାରା ଗର୍ବରେ ଛାତି ଫୁଲେଇ ପ୍ରଦୀପକୁ ବୁଲୋଉଥିଲା ମଦନା। ବୟସାଧିକ୍ୟ କାରଣରୁ ଲୁଗାସଫା କାମ ଛାଡିସାରିଥିଲା ସେ। ବହୁତ ଦିନ ହେଲା ସୁରେଶବାବୁଙ୍କ ଘର ଆଡେ ଯାଇନଥିଲା ମଦନା। ଏତିକି ଶୁଣିଥିଲା ବାବୁ ଶଯ୍ୟାଶାୟୀ । ପୁଅକୁ ନେଇ ପହଞ୍ଚିଗଲା ସୁରେଶବାବୁଙ୍କ ଘରେ। ମଳିନ ଚେହେରା। ରୋଗଗ୍ରସ୍ତ ମନୁଷ୍ଯ। କଷ୍ଟରେ ଆଶୀର୍ବାଦ କଲେ ପ୍ରଦୀପକୁ। ଆଖିରେ ଆଖିଏ ଲୁହ। କହି ଉଠିଲେ ମଦନା, ଉତ୍କୋଚ ମହାମାରୀ ସଦ୍ରୁଶ। ସବୁ ସରିଗଲା। ଘରେ ଛାପା ପଡିଲା, ଅସତ ଉପାୟରେ ଅର୍ଜିତ ସମସ୍ତ ସମ୍ପତ୍ତି ଜବତ ହେଲା। ସେପଟେ ବିଦେଶୀ ସ୍ୱାମୀ ଝିଅକୁ ଛାଡିଦେଇ ଆଉଗୋଟେ ବାହାହୋଇଗଲା। ଝିଅର ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଅନୁମତି ବି ମିଳିଲା ନାହଁ। ପରଘରେ କାମକରି ବଞ୍ଚୁଛି ବିଦେଶରେ। ପ୍ରଦୀପକୁ କହିଲେ, ବାବୁରେ! ଜୀବନସାରା ସତ୍ ରହିବୁ। ସତ୍ ର ରାସ୍ତା କଣ୍ଟକିତ, କଠିନ କିନ୍ତୁ ଆନନ୍ଦଦାୟୀ, ଏହି ଗୁରୁବଚନ ମନେ ରଖିଥିବୁ ।ସୁରେଶବାବୁଙ୍କ ଘରୁ ବିଦାୟ ନେଲେ ଦୁହେଁ।


       ପ୍ରଦୀପର ବାହାଘର ବୟସ ଉପନୀତ। ବହୁତ ବଡବଡିଆଙ୍କ ପ୍ରସ୍ତାବ ଆସିବାରେ ଲାଗିଲା, କିନ୍ତୁ ମଦନା ବାପମାଆ ଛେଉଣ୍ଡ ସ୍ୱଳ୍ପଶିକ୍ଷିତା ସେବକୁ ବୋହୁ କରିଆଣିଲା।


କିଛିଦିନ ପରେ ଆରପାରିକୁ ଚାଲିଗଲା ମଦନା। ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଠ ଥିଲା ପ୍ରଦୀପ। ତାର ପ୍ରତିଦାନ ଥିଲା ଛଅ ମାସରେ ଥରେ ସ୍ଥାନାନ୍ତର। ସ୍ଥାନାନ୍ତର କରୁଥିଲେ ସଚ୍ଚୋଟତାର ଡିଣ୍ଡିମ ପିଟୁଥିବା, ଦୁର୍ନୀତିର ମୂଳୋତ୍ପାଟନ ନାରା ଦେଉଥିବା ଧୋବଧାଉଳିଆ ନେତା ଓ କିଛି ଅସାଧୁ ଅଧିକାରୀ। ବିଭ୍ରାନ୍ତ ହେଉଥିଲା ମନ, ଦୋହଲିଯାଉଥିଲା ସଂସାର। ହଠାତ ଦିନେ କୌଣସି କାର୍ଯ୍ୟର ଅନିୟମିତତାର କାରଣ ଦର୍ଶାଇ ନିଲମ୍ବନର ଆଦେଶ ପାଇଲା ପ୍ରଦୀପ। ଛୋଟବେଳେ ଖାଉଥିବା ଶାଗପଖାଳ ବି ଦିନେ ଦିନେ ଜୁଟୁନଥିଲା। ଏପଟେ ସ୍ତ୍ରୀ ରୋଗଗ୍ରସ୍ତ। ବୋଝ ଉପରେ ନଳିତାବିଡା। ଭାଙ୍ଗି ପଡିନଥିଲା ପ୍ରଦୀପ କିମ୍ୱା ଛାଡିନଥିଲା ସଚ୍ଚୋଟତାର ପଣତକାନି।


      ସ୍ୱପ୍ନରେ ବି ତାକୁ ଲାଗୁଥିଲା ସଚ୍ଚୋଟତା ତାକୁ କହୁଛି;

ଏ..... ପ୍ରଦୀପ, ଚିରଦିନ ମୋ ବନ୍ଧନ ଚାହିଁବନି ତମେ କେବେ ଯଦି ମୁଁ ତେବେ ପଡିବିଝରି ଥରି ଥରି ଦୁର୍ନୀତିର ବେଦନା ବିଧୁରେ; ତୁମେ ଯଦି କ୍ଷୁବ୍ଧ ହେବ ତୁମେ ଯଦି ହେବ ଅସହିଷ୍ଣୁ ଅବହେଳା କରିବି ମୁଁ ସେ କଜ୍ୱଳ ସଜଳ ମେଘରେ।


    ହଠାତ ନିଦ୍ରାଭଙ୍ଗ ହେଲା ପ୍ରଦୀପର। ପ୍ରକଳ୍ପର ରୁପରେଖ ସମ୍ପୁର୍ଣ୍ଣ କରି ପରଦିନ ଭାଗନେଲା ପ୍ରତିଯୋଗିତାର। ଅନ୍ତର୍ଜାତିକ ସ୍ତରରେ ଖ୍ଯାତି ସହ ପୁନଃ ଥଇଥାନ ହେଲା ଚାକିରୀରେ। ସାମୟିକ ଦୁଃଖର କଳାବାଦଲ ହଟିଯାଇଥିଲା। ହସୁଥିଲା ଜୀବନ, ହସୁଥିଲା ସଚ୍ଚୋଟତା ଆଉ........

ମୁହଁ ଲୁଚାଇ କାନ୍ଦୁଥିଲା *ଉତ୍କୋଚ*।।

କହୁଥିଲା ଉତ୍କୋଚ, ଆରେ ହୁଏତ ଏମିତି ସ୍ଵାଭିମାନୀ, ସଚ୍ଚୋଟ ମଣିଷ ଗୁଡାକ ପାଇଁ ମୁଁ କେବଳ ଗୋଟିଏ ପରଦା ପଛର ଚେହେରା !!



Rate this content
Log in

Similar oriya story from Tragedy