ଉଡ଼ାଜାହାଜ଼ର ସନ୍ଦେଶ
ଉଡ଼ାଜାହାଜ଼ର ସନ୍ଦେଶ


"ସମସ୍ତଙ୍କୁ ବୁଝେଇ ହେବ କିନ୍ତୁ ଛୁଆଟିକୁ ବୁଝେଇବା ମହା କଷ୍ଟ," ନିଖିଳ କହିଲା I ସବୁ ଆଡେ ଲକଡାଉନ, ତେଣୁ ଅଧିକ ଅଝଟ ହଉଛି I ଏମିତି ଅସମୟରେ କଣ ଆଉ କରା ଯାଇ ପାରିବ ? ନିଜେ ଯେତିକି ଦୁଃଖିତ, ଛୋଟ ଛୁଆଟିର ମୁଖକୁ ଚାହିଁଲେ ଆହୁରି ଦୁଃଖ ବଢି ଯାଉଛି I ଦୁଃଖ ଯେତେବେଳେ ଆସେ ତାହାର ବନ୍ଧୁ ବାନ୍ଧବ ସାଙ୍ଗ ସାଥି ସମସ୍ତକୁ ସାଥିରେ ନେଇ ଆସେ I " ନିଖିଳ ମାଆର ପ୍ରଶ୍ନ ଭରା ଆଖିକୁ ଦେଖି କହିଲା I ସାଥିରେ ତାହାର ପଡିଶା ଘରର ପିଙ୍କୁ I ଏହି ସମୟରେ ପ୍ରାୟ ପିଙ୍କୁ ଆସେନି ତାଙ୍କ ଘରକୁ I ଆଜି କିନ୍ତୁ ପରିସ୍ଥିତି ଜଟିଳ ହୋଇ ଯାଇଛି I
ଗାଆଁରେ, ସମସ୍ତେ ମର୍ମାହତI ଆଉ ଶଶାଙ୍କର ପରିବାର ସାରା ଶୋକର ଛାୟା I ମନରେ ଗର୍ବ ଯେତିକି ସେତିକି ବେଦନା I ସୀମାନ୍ତରେ ଶହୀଦ ହୋଇଛନ୍ତି ବୀରପୁତ୍ର ଜଣେ ଶତ୍ରୁ ସହ ଲଢ଼ି ଏହା I ନିଶ୍ଚିତ ପରିବାର ଗର୍ବର ବିଷୟ I ନିଜ ଗାଆଁରୁ ଜଣେ ଦେଶ ପାଇଁ ପ୍ରାଣ ଦେବା କଥା ସମସ୍ତଙ୍କୁ ଆତ୍ମବିଭୋର କରିଛି ଯେତିକି, ଜଣେ ଭଲ ମଣିଷ ହିସାବରେ ସମସ୍ତଙ୍କୁ ନିଜର କରି ପାରୁଥିବାରୁ ଶଶାଙ୍କର ବିୟୋଗରେ ସମସ୍ତେ ଭାବ ବିଭୋର ହୋଇ ପଡିଛନ୍ତି ସେତିକି I ଶଶାଙ୍କର ତିନି ବର୍ଷର ଛୋଟ ପୁଅ ପିଙ୍କୁ ଖବର ଶୁଣିକି ସକାଳୁ କାନ୍ଦିବାରେ ଲାଗିଛି I କେତେ ବୁଝୁଛି ଜୀବନର ସତ୍ୟତା କିଏ ଜାଣେ ? କିନ୍ତୁ ଏତିକି ତ ବୁଝି ପାରିଛି ତାହାର ବାପା ଆଉ କେବେ ଫେରିବେନି !
ଅନେକ ଥର ପ୍ରଶ୍ନ ପଚାରି ସାରିଲାଣି ତାହାର ମାଆକୁ ବାପା କାହିଁକି ଆଉ ଆସିବେନି ? କେହି ଜଣେ ତାକୁ କହି ଦେଇଛି, ତା ବାପା ବହୁତ ଦୂରକୁ ଚାଲି ଯାଇଛନ୍ତି ଆଉ କେବେ ଫେରିବେନି I ସେହି ସମୟରୁ ତାହାର ପ୍ରଶ୍ନ ରହିଛି ଅନବିରତ I
ପଡ଼ିଶା ଘରର ନିଖିଳ ବହୁତ ଅନ୍ତରଙ୍ଗ ବନ୍ଧୁଟିଏ ପରିବାରର I ଖବର ଶୁଣି ଆସିଥିଲା I ପିଙ୍କୁ ସହ ଭଲ ଜମେ ତାହାର ତେଣୁ ତାକୁ ବୁଝେଇବା ଲାଗି କୁହା ଯାଇଥିଲା I ହାଟ ବଜାର କିଛି ଖୋଲା ନାହିଁ I କୁଆଡେ ମଧ୍ୟ ନେଇ ହେବନି ଲକଡାଉନ ଯୋଗୁଁ ତାହାର ମନକୁ ଭୁଲେଇବା ଲାଗି I କଣ କରିବ ବୁଝି ପାରିଲାନି ନିଖିଳ I ଘର ଭିତରେ ଯେତେ ପ୍ରକାର ଖେଳ ସମ୍ଭବ ସବୁ ସାରିଦେଇଥିଲା I ଛୋଟ ଛୁଆଟି କେତେ ସମୟ ଧୈର୍ର୍ଯ୍ୟ ଧରିବ?
ସନ୍ଧ୍ୟା ସାତଟା ଯାଏଁ ସମ୍ଭାଳିବା କଥା, ତା ପରେ ପିଙ୍କୁ ଖାଇକି ଶୋଇଯିବ I କିଛି ଭାବି ନିଖିଳ ଚାଲିଗଲା ପିଙ୍କୁକୁ ନେଇକି ନିଜ ଘରକୁ I ଘରେ ମାଆଙ୍କୁ କହିଲା ସବୁ କଥା I
"ପିଲାଟିକୁ ଭୁଲ ଭାବରେ ବୁଝେଇ ଦିଆ ଯାଇଛି I ତୁ ତାକୁ ଅନ୍ୟ ରକମର ଭୁଲେଇବାକୁ ଚେଷ୍ଠା କରେ I ଧୀରେ ଧୀରେ ବୁଝେଇବାକୁ ପଡିବ ଛୁଆଟିକୁ ," ନିଖିଳର ମାଆ କହିଲେ ଆଉ କିଛି ପରାମର୍ଶ ଦେଲେ I
"ବାପା କାହିଁକି ଆସିବେନି କେହି କହିଲେକି?" ନିଖିଳ ପଚାରିଲା ପିଙ୍କକୁ I ମୁଣ୍ଡ ହଲାଇ ମନା କଲା ପିଙ୍କୁ I
"ତାହା ହେଲେ ଆମେ କାହିଁକି ବ୍ୟସ୍ତ ହେବା ? ବୋଧେ ଏବେ ଟ୍ରେନ ବସ କିଛି ଚାଲୁ ନାହିଁ ତେଣୁ ଆସି ପାରିବେନିI ଚାଲ ଆମେ ବହୁତ ଗୁଡ଼ାଏ ଉଡ଼ାଜାହାଜ ତିଆରି କରିବା ଏବଂ ଉଡେଇବା ତାଙ୍କ ପାଇଁ, " ନିଖିଳ କହିଲା I
"କିନ୍ତୁ ଆମେ କେମିତି ତିଆରି କରିବା ଯେ?" ପିଙ୍କୁ ପଚାରିଲା I
"ଆମେ ଖାଲି କାଗଜର ତିଆରି କରିବା I ଆମେ ସେଥିରେ ଭଗବାନଙ୍କୁ ସନ୍ଦେଶ ଦେବା, ଭଗବାନ ଯେତେବେଳେ ଖୁସି ହେବେ ସିଏ ବଡ଼ ଉଡ଼ା ଜାହାଜ ଯୋଗାଡ଼ କରିଦେବେ !" ନିଖିଳ କହିଲା I
ମୁରୁକି ହସିଲା ପିଙ୍କୁ ଆଉ ଲାଗି ଗଲା କାଗଜର ଉଡ଼ା ଜାହଜ ତିଆରିରେ I କିଛି ସମୟ ପରେ ସନ୍ଧ୍ୟାର ଆଲୋକରେ ଅଗଣାରେ ଉଡିବାକୁ ଲାଗିଥିଲା କାଗଜର ଉଡା ଜାହାଜ, ଗୋଟିଏ ପରେ ଗୋଟିଏ I କିଛିଟା ବ୍ୟସ୍ତ ରହି ଶାନ୍ତ ହୋଇ ସାରିଥିଲା ପିଙ୍କୁ I କିନ୍ତୁ ନିଖିଳ ମନରେ ଆରମ୍ଭ ହୋଇଥିଲା ନୂଆ ସମସ୍ୟା I କାଲି କଣ କହି ବୁଝେଇବ ପିଙ୍କୁକୁ ଯେତେ ବେଳେ ପିଙ୍କୁ ସକାଳୁ ଉଠିବ ଆଉ ପୁଣି ଥରେ ସାମ୍ନା କରିବ ତାହାର ଜୀବନର ସତ୍ୟତାକୁ ?"