Nityananda Nandi

Inspirational

4.4  

Nityananda Nandi

Inspirational

ଉପେକ୍ଷା

ଉପେକ୍ଷା

6 mins
313



ବାପାଙ୍କ ହାତରେ ନଈ ଇଲିସି ଦେଖି ମୋ ମନରେ ପ୍ରଥମେ ସନ୍ଦେହ ହେଲା , ତା ପରେ ମନରେ କଷ୍ଟ ହେଲା ବାପାଙ୍କୁ କାହିଁକି ସନ୍ଦେହ କଲି...

ସରି କହିଲି, ବାପା ହସିଦେଲେ।

ବାପା ପୋଲିସ ସବଇନ୍ସପେକ୍ଟର। ଥରେ ମାତ୍ର ପଦୋନ୍ନତି ହୋଇଛି କୋଡିଏ ବର୍ଷ ଭିତରେ। ବିଶ୍ୱଜିତ୍ ସାହାଣୀ କହିଲେ କେହି ଚିହ୍ନନ୍ତି ନାହିଁ ମୋ ବାପାଙ୍କୁ । ଏଇ କେତେଦିନ ହେଲା ବଦଳି ହୋଇ ଆସିଛନ୍ତି ଏଇ ନକ୍ସଲି ଜାଗାକୁ। ନୂଆ ଥାନାବାବୁ ଭାବେ ବେଶ ପରିଚିତ ମୋ ବାପା, ଏଇ ନୂଆ ଫାଣ୍ଡିରେ। 

ଲୋକେ କହନ୍ତି, ଥାନାବାବୁ ବଡ ସଚ୍ଚୋଟ। ସଚ୍ଚୋଟତା ଶବ୍ଦର ସଂଜ୍ଞା କଣ ? ପ୍ରଥମେ କିଛି ବୁଝି ନ ଥିଲି। ଏବେ ବୁଝିବାର ବୟସ ହେଲା ବେଳକୁ କଷ୍ଟ ଲାଗେ। ଯାବତୀୟ ପ୍ରଶ୍ନ ଆସି ମନ ଭିତରେ ଜମା ହୁଏ, ବାପା ଯଦି ଏତେ ସଚ୍ଚୋଟ, ତେବେ 

ପଦୋନ୍ନତି ହୁଏନି କାହିଁକି ??? ଉତ୍ତର ପାଏନି, ହୁଏତ ଏ ସବୁ ମୋ ବୁଝିବାର ବାହାରେ...

ପଞ୍ଚମ ଶ୍ରେଣୀରେ ପଢୁଥାଏ, ଅନ୍ୟ ପିଲାଙ୍କ ଥଟ୍ଟା ଟାପରା କେତେ ଥର ଶୁଣିଛି

ମାଛ ଖାଇବୁ ଇଲିସି, ଚାକିରୀ କରିବୁ ପୁଲିସି,!!!

କଥାର ଅର୍ଥ ବୁଝି ନ ପାରି ବାପାଙ୍କୁ ପଚାରି ଥିଲି, ବାପା କହିଲେ ତୁ ବଡ ହେଲେ ବୁଝିବୁ।  

ଚାକିରୀ କାଳ ଭିତରେ ଆଜି ପର୍ଯ୍ୟନ୍ତ ମୋ ଜାଣନ୍ତରେ ବାପା କେବେ ଇଲିସି ଆଣି ନାହାନ୍ତି। ନଈ କୂଳିଆ ମାମୁଁ ଘରେ କେତେ ଥର ନଈ ଇଲିସି ଖାଇଛି। ଇଲିସି ମାଛ ଖାଇବାକୁ ଭଲ ଲାଗେ, କିନ୍ତୁ ଏତେ ଦାମିକା ଯେ ବାପା କେବେ କିଣିବାକୁ ସାହାସ କରି ନାହାନ୍ତି। ଆଜି ହଠାତ୍ ଇଲିସି କିଣିଥିବା ଦେଖି ଅଚାନକ ମୋ ସାଙ୍ଗ ମାନଙ୍କ ଥଟ୍ଟା, ଟାପରା କଥା ମନେ ପଡିଗଲା। ବାପା କାହାକୁ ଧମକେଇ ଚମକେଇ ମାଛଟି ଆଣି ନାହାନ୍ତି ତ ! କିଛି ମୁହୂର୍ତ୍ତ ପାଇଁ ସନ୍ଦେହ ଜାଲରେ ଘେରି ହୋଇଗଲେ ସେ। ସତ ଜାଣିବା ପରେ ମୁଁ ନିଜକୁ ଧିକାରିଲି। ତୁଳସୀ ଦୁଇ ପତ୍ରରୁ ବାସେ, ମରିବା ପର୍ଯ୍ୟନ୍ତ ବାସେ, ଠିକ୍ ମୋ ବାପାଙ୍କ ପରି। କୁମ୍ଭୀର କିନ୍ତୁ ମଝି ନଈରେ ସବୁ ସର୍ତ୍ତ ଭାଙ୍ଗି ହିଂସ୍ର ହୋଇଯାଏ। ମାଙ୍କଡ ପରି ଅତି ଚତୁର ନ ହେଲେ କୂଳକୁ ଫେରିବା ଆଉ ସମ୍ଭବ ହୁଏନି। କୁମ୍ଭୀର ମାଙ୍କଡ ଙ୍କ ସମ୍ପର୍କ ଠାରୁ ବହୁ ଉର୍ଦ୍ଧରେ ମୋ ବାପା... ଅତି ସରଳ ମଣିଷ।


ମୁଁ ସବୁଦିନ ସନ୍ଧ୍ୟା ସାତଟାରେ ନିଉଜ୍ ଟ୍ୱେଣ୍ଟି ଫର୍ ଚେନାଲ ଅନ୍ କରି ସନ୍ଦୀପ ଚୌଧୁରୀଙ୍କ ନିଉଜ ଦେଖେ। କେବେ କେବେ ଉତ୍ତର ପ୍ରଦେଶର ଏକ୍ସ ଡିଜିପି ଶ୍ରୀ ବିକ୍ରମ ସିଂହ, ସନ୍ଦୀପଙ୍କ ତର୍କ ବିତର୍କ କାର୍ଯ୍ୟ କ୍ରମରେ ଭାଗ ନେଇଥାନ୍ତି। ଶ୍ରୀ ବିକ୍ରମ ସିଂହଙ୍କ ପରିଚୟ ଦେବାକୁ ଯାଇ ସନ୍ଦୀପ ଯେତେବେଳେ କହନ୍ତି ୱାନ ଅଫ ଦା ଫାଇନେଷ୍ଟ ପୋଲିସ ଅଫିସର ଇଣ୍ଡିଆ ହେଜ୍..

ସେତେବେଳେ ମୁଁ ମୋ ବାପାଙ୍କୁ ନେଇ ଫୁଲି ଉଠେ, ଗର୍ବ କରେ।

ମୋ ବାପା ଠିକ୍ ସେମିତି ଜଣେ ସଚ୍ଚୋଟ ପୋଲିସ ଅଫିସର। ଠିକ୍ ବଣ ମଲ୍ଲି ପରି। ବଣ ମଲ୍ଲି ବଣରେ ଫୁଟି ବଣରେ ହିଁ ଝଡିଯାଏ। ସହର ପର୍ଯ୍ୟନ୍ତ ବାସ୍ନା ଆସେନି।


ମୋ ରଙ୍ଗ ବାପାଙ୍କ ପରି ଶ୍ୟାମଳ ବୋଲି ମୋତେ କେହି ବାହା ହେଲେ ନାହିଁ। ବୋଉର ରଙ୍ଗ ନେଇଛି ସାନ ଭଉଣୀ। ଗୋରୀ , ସୁନ୍ଦରୀ। ଗୋଟାଏ ଚାଉଳରେ ଗଢା। ପୋଲିସର ଝିଅ ବୋଲି ମନ ଇଚ୍ଛା ଯୌତୁକ ହାଙ୍କିଲେ। ଯୌତୁକ ଖେଳରେ ହାରିଗଲେ ମୋ ବାପା। ସେଭିଂ, ଜିପିଏଫ୍ ସବୁ ମିଶାଇ ବି ଯୌତୁକ କୁ ନିଅଣ୍ଟ ହେଲା। ପୁଣି ଅନ୍ୟାନ୍ୟ ଖର୍ଚ୍ଚ ଅଛି। ଗୋଟାଏ ମର୍ଡର କେସ ରେ ପଚିଶ ଲକ୍ଷ ର ଅଫର ଆସିଲା। କେସଟାକୁ ନଷ୍ଟ କରି ଦେବାକୁ ହେବ। ପ୍ରଥମରୁ ଶେଷ ଯାଏ ଅଡି ବସିଲେ ଗୋଟାଏ ଜିଦ୍ ରେ। ରୋକ ଠୋକ ମନା କରିଦେଲେ, ସତ କୁ ଲିପା ପୋଛା କରିହେବନି। ଅନେକ ଗାଳି ଖାଇଲେ ମୋ ବାପା, ତଥାପି ଜିଦ୍ ରେ ଅଟଳ ରହିଲେ। ସେତେବେଳେ ବୁଝିଲି ମୋ ବାପାଙ୍କ ପ୍ରମୋସନ କାହିଁକି ହୁଏନି ବୋଲି। ତଥାପି ବାପା ଖୁସି ଥାଆନ୍ତି। ଚଲା ପଥରେ ଛୋଟ ଘାସ ଫୁଲ ହିଁ ମହକେ, ଦଳି ଚକଟି ଯାଏ ସମସ୍ତଙ୍କ ପାଦ ଭିତରେ, କିଛି ଫରକ ପଡେନି। ନାଲି ସୁନ୍ଦରୀ ଶେଫାଳୀ ତାର ନଗ୍ନ ସୌନ୍ଦର୍ଯ୍ୟ ଭିତରେ ସମସ୍ତଙ୍କୁ ଛନ୍ଦି ଧରେ ସିନା ମନକୁ କିନ୍ତୁ ଛୁଇଁ ପାରେନି। ନା ଗନ୍ଧ ନା ସୁଗନ୍ଧ...


ଜଣେ ସ୍କୁଲ ଶିକ୍ଷକ ସହିତ ମୋ ସାନ ଭଉଣୀ ର ବାହାଘର ହେଲା। ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ପାଖରୁ ଆରମ୍ଭ କରି ଆଖ ପାଖ ସବୁ ଥାନାରେ ନିମନ୍ତ୍ରଣ ପତ୍ର ବାଣ୍ଟିଲେ। ବାପା ଭାବିଥିଲେ ତାଙ୍କ ବିଭାଗରୁ ଅତିକମ ରେ ଶହେ ଜଣ ଆସିବେ। ଦୁର୍ଭାଗ୍ୟ, ମାତ୍ର ତିନି ଜଣ କନେଷ୍ଟବଳ ଆସିଥିଲେ ମୋ ଭଉଣୀ ର ବାହାଘରକୁ। ଅହଙ୍କାର ଶୀତ କୁହୁଡି ପରି, ସୂର୍ଯ୍ୟ ଉଇଁଲେ ଅସ୍ତିତ୍ଵ ହରାଇ ବସେ। କିଛି ଧରାଶାୟୀ ହୁଏ, ଆଉ କିଛି ବାଷ୍ପ ହୋଇ ଉଡିଯାଏ। ସରଳତା ବଂଶୀର ସ୍ୱର ପରି, ବିନମ୍ର ହୃଦୟକୁ ଆମନ୍ତ୍ରିତ କରେ। ପଦ୍ମ ପୋଖରୀରେ ଖାଲି ପଦ୍ମ ହିଁ ଫୁଟେ। ମୋ ବାପାଙ୍କ ପ୍ରକୃତ ସାଙ୍ଗ ମାନେ ଠିକ ମୋ ବାପାଙ୍କ ପରି। ସେଇମାନେ ହିଁ ବାହାଘରକୁ ଆସି ସାନ ଭଉଣି କୁ ଆଶୀର୍ବାଦ କରିଥିଲେ।  


ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ସବୁବେଳେ ଦୁର୍ବଳ ଅନୁଭବ କରୁଥିଲେ ମୋ ବୋଉ। ଥାନା ଭିତରେ ହିଁ ଆମ କ୍ୱାର୍ଟର। ଭାତ ଆଉ କିଛି ଗୋଟାଏ ତରକାରୀ ରାନ୍ଧି ବିଶ୍ରାମ କରୁଥିଲେ ଯାଇ ବିଛଣା ଉପରେ। ରୋଷେଇ ଘରେ, ବେଶି ସମୟ ଛିଡା ହୋଇ ରହି ପାରନ୍ତି ନାହିଁ ସେ।  ମଝିରେ ଦଶ ପନ୍ଦର ମିନିଟ ପାଇଁ ଘରକୁ ଆସି ବାପା ଡାଲି ବସେଇ ଦିଅନ୍ତି, ପ୍ରେସର କୁକରରେ। ଆମେ ଦୁଇ ଭଉଣୀ କଲେଜ ଯାଇଥାଉ। ଆମଲେଟ ଖାଇବାକୁ ଭଲ ପାଉ ବୋଲି ବାପା ପ୍ରତିଦିନ ଦୁଇଟି ଆମଲେଟ ବନେଇ ଦିଅନ୍ତି ଆମ ପାଇଁ। ଗୋଟାଏ ଜିନିଷ ମୁଁ ସବୁଦିନ ଲକ୍ଷ୍ୟ କରେ। ଦୁଇଟି ଆମଲେଟ ର କୋଣରୁ ଅଳ୍ପ ଅଳ୍ପ ଖଣ୍ଡିଆ ହୋଇଥାଏ। ବୋଉକୁ ଦିନେ ଏହାର ରହସ୍ୟ ପଚାରିଲି। ବୋଉ ହସି ଦେଇ କହିଲେ ଆମଲେଟ ପାଇଁ ମୋର ଟିକିଏ ଦୁର୍ବଳତା ଥାଏ ବୋଲି ତୋ ବାପା ମୋ ମୁହଁ ରେ ଅଳ୍ପ ଟିକିଏ ଖୁଏଇ ଦେଇ ଯାଆନ୍ତି। ଆଖିରୁ ଦୁଇ ଟୋପା ଲୁହ ଝରି ଆସିଲା। ବୋଉ ଆମକୁ ଛାଡି ଚାଲି ଗଲେଣି ସ୍ୱର୍ଗକୁ। ଅତି ବିଚିତ୍ର ଏ ହିସାବ ନିକାଶ, ଜୀବନ ର ପ୍ରତିଟି ମୋଡରେ କିଛି ରହସ୍ୟ ଲୁଚି ରହିଥାଏ। ଏକ ଛକା ପଂଝା ର ବଜେଟ ଭିତରେ କେତେ ଅସହଜ ଏଇ ଜୀବନଟା। ମୋ ବୋଉ ପାଇଁ ଅଧିକ ଗୋଟାଏ ଆମଲେଟ କଥା ଭାବି ପାରନ୍ତିନି ମୋ ବାପା। ଆମ ଦୁହିଁଙ୍କ ପାଠ ପଢା, ବାହାଘର ଅନେକ କଥା ଥିଲା ବୋଧେ ଆଗକୁ...


ପାଞ୍ଚୋଟି ଥାନାକୁ ବଦଳି ହୋଇଛି ମୋ ବାପାଙ୍କର, ଏଇ କୋଡିଏ ବର୍ଷ ଭିତରେ। ତାଙ୍କ ବିଚାର କରିବାର ଉପାୟ ନିଆରା। ଦୁଇ ପକ୍ଷକୁ ବସେଇ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସମାଧାନ କରି ଦିଅନ୍ତି ଅତି ସହଜରେ। କୋର୍ଟ କଚେରୀ କୁ ପ୍ରାୟ ଯିବାକୁ ହୁଏନି। ଗୋଟାଏ ମିଠା ଡବା ବି ଆଶା କରନ୍ତି ନାହିଁ ମୋ ବାପା ସେମାନଙ୍କଠୁ। ପିଠି ଥାପୁଡେଇ ଦେଇ ଦୁଇ ପକ୍ଷକୁ ଆଶ୍ଵାସନା ଦିଅନ୍ତି ସେ। ସମସ୍ତେ ବାଃ ବାଃ କରନ୍ତି ମୋ ବାପାଙ୍କୁ। କିନ୍ତୁ ବୁଝି ପାରେନି, ତାଙ୍କ ସାଙ୍ଗ ମାନେ ଏ ସି ପି ପର୍ଯ୍ୟନ୍ତ ଗଲେଣି, ବାପା ଯୋଉଠି ଥିଲେ ସେଇଠି। ଉତ୍ତପ୍ତ ମରୁ ବାଲିରେ ଓଟ ଧୀରେ ଧୀରେ ଚାଲେ ସିନା। ମୁଣ୍ଡ କିନ୍ତୁ ସମସ୍ତଙ୍କଠୁ ଉପରେ। ସତ୍ୟବାଦୀ ହରିଶ୍ଚନ୍ଦ୍ର ଙ୍କ ପରି ଏକ ସହଜ, ସରଳ ମଣିଷ ମୋ ବାପା। କେବେ ବି ଅବକ୍ଷୟ ହେବାକୁ ଦିଅନ୍ତି ନାହିଁ ମାନବିକ ମୂଲ୍ୟବୋଧକୁ...


ସେ ଅଫିସରେ ଥିଲା ବେଳେ ତାଙ୍କ ଡାଇରୀ ପଢ଼ୁଥିଲି। ଗୋଟାଏ ପୃଷ୍ଠା ମୋ ମନକୁ ଛୁଇଁଲା। ବାପା ଲେଖିଥିଲେ.. 

"ସବୁବେଳେ ଗୋଟାଏ ରିପୋର୍ଟ, ମୁଁ ପଦୋନ୍ନତି ପାଇଁ ଅଯୋଗ୍ୟ..

ଗୋଟାଏ କେସ ବି କୋର୍ଟ କଚେରୀ ଯିବାକୁ ଦିଏନି। ସବୁ ଥାନାରେ ହିଁ ସମାଧାନ ହୁଏ। ତେବେ ସମସ୍ତଙ୍କ ନଜରରେ ମୁଁ ଅଯୋଗ୍ୟ କାହିଁକି ? ବୁଝି ପାରେନି.. ମୋ ବେଚ ର ସାଙ୍ଗ ମାନେ କିଏ କୁଆଡେ ଯାଇ ସାରିଲେଣି। ମୁଁ ହିଁ ପଡି ରହିଛି ଗୋଟାଏ ପଦବୀରେ। ମୋ ସ୍ତ୍ରୀ କିଛି ବୁଝେନି, ଭାରି ସରଳ, ଥରେ ଥରେ ପଚାରିଦିଏ, ବିଶ୍ୱଜିତ୍ ! ବହୁତ ବର୍ଷ ଚାକିରୀ କଲଣି, ତମର ପ୍ରମୋସନ୍ ହୁଏନି କାହିଁକି, ଅତି ସାଧାରଣ ଭାବେ ପଚାରେ ଓ ସଙ୍ଗେ ସଙ୍ଗେ ଭୁଲିଯାଏ। ତା ପ୍ରଶ୍ନକୁ ମୁଁ କିନ୍ତୁ ଭୁଲି ପାରେନି। କିଛି ଉତ୍ତର ନ ଦେଇ ତକିଆରେ ମୁହଁ ମାଡି ଶୋଇଯାଏ, ତକିଆ ଭିଜି ଯାଇ ଶୁଖି ବି ଯାଇଥାଏ ମୋ ଅଜାଣତରେ" 

ଲୁହ ଆଖିରେ ଭରିଗଲା, ମୋତେ ଝାପସା ଦେଖାଗଲା ସବୁକିଛି। ଆଗକୁ ଆଉ ପଢିବାକୁ ସାହାସ ହେଲା ନାହିଁ।


ଦେଶର ସର୍ବଶ୍ରେଷ୍ଠ ଥାନାବାବୁ ଚୟନ ପାଇଁ ରାଷ୍ଟ୍ରପତିଙ୍କ ଭବନରେ ସଭା ଚାଲିଥାଏ। ସବୁ ଥାନାବାବୁ ପରିବାର ସହିତ ନିମନ୍ତ୍ରିତ ଥିଲେ। ବାପାଙ୍କ ସାଥିରେ ଆମେ ଦୁଇ ଭଉଣୀ ଆସିଥିଲୁ ରାଷ୍ଟ୍ରପତି ଭବନକୁ। ଯିବା ଆସିବା ଖର୍ଚ୍ଚ ସରକାର ବହନ କରିଥିଲେ।

ଭଦ୍ରମହିଳା ଜଣଙ୍କ ମଞ୍ଚ ଉପରୁ କହିଲେ ଜଣେ ଥାନାବାବୁ ଆମ ଗହଣରେ ଅଛନ୍ତି ତାଙ୍କ ନାଁ କହିବା ପୂର୍ବରୁ ତାଙ୍କ ସମ୍ବନ୍ଧରେ କିଛି ନ କହିଲେ ଅନ୍ୟାୟ ହେବ। ଗୋଟାଏ ଦିନର ଘଟଣା। ଦୁଇ ଗୋଷ୍ଠୀ ଭିତରେ ଦଙ୍ଗା ହେଲା। ଗୋଟାଏ ଗୋଷ୍ଠୀ ଗ୍ରାମରକ୍ଷୀ ଓ ତାଙ୍କ ସ୍ତ୍ରୀ କୁ ନୃଶଂସ ଭାବେ ହତ୍ୟା କଲେ। ଦଙ୍ଗା ସମୟରେ ଗାଆଁରେ ପହଞ୍ଚିଲେ ସେଇ ଥାନାବାବୁ। ମୃତ ଗ୍ରାମରକ୍ଷୀ ର ଏକ ମାତ୍ର ଶିଶୁ କନ୍ୟାକୁ ଥାନାବାବୁ କୋଳେଇ ନେଲେ। ସଙ୍ଗେ ସଙ୍ଗେ ଗୋଟାଏ ଦୂର ସ୍ଥାନକୁ ବଦଳି ହୋଇଗଲା। କେହି ଜାଣି ପାରିଲେ ନାହିଁ କଣ ସବୁ ଘଟିଗଲା ତାଙ୍କ ଜୀବନରେ। ତା ପୂର୍ବରୁ ଥାନାବାବୁଙ୍କ ନିଜର ବର୍ଷକର ଝିଅଟିଏ ଥିଲା। ଦୁଇ ଝିଅର ବାପା ଆଜି ସୋସିଆଲ ମିଡିଆର ଭୋଟିଂ ଦ୍ଵାରା ଦେଶର ସର୍ବଶ୍ରେଷ୍ଠ ସଚ୍ଚୋଟ ଥାନାବାବୁ ବୋଲି ବିବେଚିତ ହେବାକୁ ଯାଉଛନ୍ତି। ତାଙ୍କ ନାଁ.... ବଳରାମପୁର ଥାନାର ଥାନାବାବୁ ବିଶ୍ୱଜିତ ସାହାଣୀ। ସେ ମଞ୍ଚ ଉପରକୁ ଆସି ରାଷ୍ଟ୍ରପତିଙ୍କ ପାଖରୁ ପୁରସ୍କାର ଓ ମାନ ପତ୍ର ନେଇ ଯାଆନ୍ତୁ।

ମୁଁ ଜାବୁଡ଼ି ଧରିଲି ବାପାଙ୍କୁ, ସାନ ଭଉଣୀ ମଧ୍ୟ ଜାବୁଡ଼ି ଧରିଲା ଆମ ଦୁହିଁଙ୍କୁ।

ରିନା ବାବଦରେ ସବୁ କଥା ଲୁଚେଇ ରଖିଛ କାହିଁକି ? ପଚାରିଲି ବାପାଙ୍କୁ !!!!

ଏଇଥି ପାଇଁ ଯେ, ସେ ତୋ ସାନ ଭଉଣୀ ଆଉ ମୋ ସାନ ଝିଅ ବୋଲି, ବାସ୍... ବାପା କହିଲେ।

ବାପା ମଞ୍ଚ ଉପରକୁ ଗଲେ ପୁରସ୍କାର ଗ୍ରହଣ କରିବେ ରାଷ୍ଟ୍ରପତିଙ୍କ ପାଖରୁ। ସାନ ଭଉଣୀ କାନ୍ଦୁଥିଲା ମୋତେ ଭିଡ଼ି ଧରିକି। 

ଆନନ୍ଦାଶ୍ରୁ ଛୁଟୁଥିଲା ଆମ ଦୁହିଁଙ୍କ ଆଖିରୁ। କରତାଳିରେ ଭରିଗଲା ରାଷ୍ଟ୍ରପତି ଭବନଟି....

ପୁଲିସ ବିଭାଗ ତରଫରୁ ମୋ ବାପାଙ୍କୁ କରାଯାଇଥିବା ଉପେକ୍ଷା ଭୁଲିଗଲି, ବାପା ଆଜି ଯାହା ପାଇଲେ ରାଷ୍ଟ୍ରପତିଙ୍କ ପାଖରୁ କେହି କେବେ ପାଇ ନ ଥିବେ !!!!

ସେଦିନ କେତେ ସନ୍ଦେହ କଲି ମୋ ବାପାଙ୍କୁ, ନିଜ ପଇସାରେ ଜୀବନରେ ପ୍ରଥମ ଥର ପାଇଁ ନଈ ଇଲିସି କିଣିଥିଲେ ସେ ମୋ ପାଇଁ। 

ସାନ ଭଉଣୀ କହିଲା ଦିଦି ! ତୋ ବାହାଘର ପାଇଁ କେତେ ପ୍ରସ୍ତାବ ଆସିବ ଦେଖ୍ କାଲି ଠୁ, ମୁଁ କିଛି ନ ଶୁଣି ଅନ୍ୟ ମନସ୍କ ଭାବେ ବାପାଙ୍କୁ ଦେଖୁଥିଲି ମଞ୍ଚ ଉପରେ...

ଭାବୁଥିଲି, ସ୍ବପ୍ନ ସତ ନ ହେବା ଯାଏ ସବୁବେଳେ ମିଛ ..ଆଜି କିନ୍ତୁ ମୋ ସ୍ବପ୍ନ ମିଛ ନୁହେଁ......

(କାଳ୍ପନିକ)


এই বিষয়বস্তু রেট
প্রবেশ করুন

Similar oriya story from Inspirational