ଉନ୍ମେଷ :
ଉନ୍ମେଷ :
ଅଙ୍କିତ ବୁଝାଇ ବୁଝାଇ ଥକି ଗଲେ ବି ରଶ୍ମି ର ସେଇ ଏକା ଜିଦ ଯେ ସେ ଦୁର୍ଲଭ ବାବୁଙ୍କ ପାଖରେ ଆଣ୍ଠୁ ବଥା ଦେଖାଇବ ନାହିଁ l ଯାହା ହେଲେ ହୋଇଯାଉ ପଛକେ l ଦୁର୍ଲଭ ବାବୁ ସହର ର ନାମୀ ଦାମୀ ଅସ୍ଥି ଶଲ୍ୟ ବିଶେଷଜ୍ଞ ମାନଙ୍କ ଭିତରେ ଗଣା l ଥରେ ହାତ ଟା ବହୁତ ଦିନ ଧରି କାଟିବାରୁ ଯାଇଥିଲା ଯେ ଚେଙ୍କା ପାଇଛି ଆଉ ଯିବ ନାହିଁ l କିନ୍ତୁ ପରିସ୍ଥିତି ଜଟିଳରୁ ଜଟିଳତର ହେବାରେ ଲାଗିଛି l ଆଣ୍ଠୁ ପଛକୁ କ୍ରମଶଃ ଅଣ୍ଟାରେ ବି ପେନ ଆସୁଛି l ସୁତରାଂ ଅନ୍ୟ ଉପାୟ ନାହିଁ l ଯିବାକୁ ହେବ l ଆଉ କାହା ପାଖକୁ ଯିବା କଥା କହିବାରୁ ଅଙ୍କିତ ର ମୁଖ ଭଙ୍ଗୀ ଦେଖି ଅଧିକା ଯୁକ୍ତି ତର୍କ କରି ନଥିଲା l
ଓଷଦ ଖାଇ ଖାଇ ପଇସା ଉଡ଼ାଇବ ହେଲେ ଭଲ ହେବନାହିଁ l ଯଦି ଚାହୁଁଛ ତେବେ ଚାଲ କାହା ପାଖକୁ ଗୋଟେ ନେଇଯିବି l କିନ୍ତୁ ପରେ ମୋତେ ଦୋଷ ଦେବ ନାହିଁ l
ବାଧ୍ୟ ହୋଇ ରଶ୍ମି କୁ ତାଙ୍କ ପାଖକୁ ହିଁ ଯିବାକୁ ହୋଇଥିଲା ଯୋଉଟା ତାକୁ ଯମପୁର ପରି ଲାଗେ l ସବୁ ଟେଷ୍ଟ ଓ ଏକ୍ସରେ ରିପୋର୍ଟ ଦେଖି ସାରିବା ପରେ ଡକ୍ଟର କହିଥିଲେ ଯେ ବୟସ ହେଲେ ଏମିତି ସବୁ ହୁଏ l ହାଡ଼ ଗୁଡିକ ଦୁର୍ବଳ ହୋଇ ଦେହ ର ଭାର ନେବାକୁ ଅସମର୍ଥ ହୋଇ ଯାଆନ୍ତି l
ସାର ! ମୋତେ ଏବେ କେତେ ବା ବୟସ ହେଲା ଯେ l ଯମା ଏକାବନ l ଗୋଟେ ବୋଲି ପୁଅ ସେ ବି ବାହା ହୋଇନାହିଁ l ଏବେଠୁ ଯଦି ଶେଜ ରେ ପଡ଼ି ରହିବି ତେବେ ନାତି ନାତୁଣୀଙ୍କୁ ଖେଳାଇ ପାରିବି ନାହିଁ ସାର l ଯାହା କରନ୍ତୁ ପଛେ ମୋତେ ଭଲ କରି ଦିଅନ୍ତୁ l
ଦେଖନ୍ତୁ ମାଡାମ ! କାଲି ଆପଣଙ୍କ ର ଯେତେ ଦିନ ଆୟୁଷ ଥିଲା ଆଜି ଅଛିକି ? ଗୋଟିଏ ଦିନ କମିଛି l ନିଶ୍ୱାସ ପ୍ରଶ୍ୱାସ ବି ଗୋଟି ଗଣତି l ତଦନୁଯାୟୀ ହାଡ଼ କଣ ମୁଣ୍ଡ ଛାତି ଗୋଡ଼ ହାତ ସବୁ ଦିନେ ଅଚଳାବସ୍ଥା କୁ ଆସିଯିବ l ଏହା କହି ଓଷଦ କେତୋଟି ଲେଖି ଦେଇଥିଲେ l
ଫେରିଲା ବେଳକୁ ରଶ୍ମି ର କାନ୍ଦ କାନ୍ଦ ଅବସ୍ଥା l ସେଇଥି ପାଇଁ ସେ କେତେ ମନା କରୁଥିଲା ଏଠିକି ଆସିବା ପାଇଁ l ଖାଲି ଅଙ୍କିତ ର ନାଲି ଆଖି ଦେଖି l ଘରେ ଆସି କଥା ନାହିଁ ବାର୍ତ୍ତା ନାହିଁ ଗୁମସୁମ l ଆଖି ଦୁଇଟି ଛଳ ଛଳ l ଓଷଦ ପତ୍ର ଖାଇବା ସିନା ଆରମ୍ଭ ହୋଇଗଲା ହେଲେ ମନ ରେ ଶାନ୍ତି ନଥାଏ l ଅଙ୍କିତ ବୁଝାଇଲା l
ପ୍ଲିଜ ନିଜକୁ ଏତେ କଷ୍ଟ ଦିଅନାହିଁ l ଜଗତ ରେ ଯାହା ସତ୍ୟ ଡକ୍ଟର ସେଇ କଥା ହିଁ କହିଛନ୍ତି l ନୂଆ ଆଉ କିଛି ନାହିଁ l ସମସ୍ତେ ସେଇ ଅବସ୍ଥା ଦେଇ ଯିବା l ତୁମେ ଯିବ ମୁଁ ଯିବି ଆମ ପିଲାଛୁଆ ବି ଯିବେ ପୁଣି ତାଙ୍କ ଛୁଆ ମାନେ l
ବନ୍ଦ କର ତୁମ ଭାଷଣ l ତୁମେ ଜାଣ ମୁଁ କେବେ କୌଣସି ଜ୍ୟୋତିଷ କୁ ହାତ କାହିଁକି ଦେଖାଏ ନାହିଁ ? କାହିଁକି ନା ସେ ଯଦି ଭବିଷ୍ୟତ କଥା କିଛି ଇଆଡୁ ସିଆଡୁ କହିଦିଏ ତେବେ ମୋ ଅବସ୍ଥା ଖରାପ ହୋଇଯିବ l ଅଥଚ ଏ ଡାକ୍ତର କୁ ଦେଖ l ଆଉ ଦୁଇ ଦିନ ବଞ୍ଚିବାକୁ ଥିଲେ ଆଜିଠୁ କହି କହିକି ମାରିଦେବ l ଜାଣିଛି ମୁଁ ସେଥିପାଇଁ ମନା କରୁଥିଲି l
କିନ୍ତୁ ସେ ତ କିଛି ମିଛ କହିନାହାନ୍ତି l ତାଙ୍କ କଥା ସେମିତି l ସମସ୍ତଙ୍କୁ ସେ ସେଭଳି କହନ୍ତି l
ଆହାରେ ମୋର ସତ୍ୟବାଦୀ l ସେତିକି ଥାଉ l ଡାକ୍ତର ଙ୍କ ସପକ୍ଷ ରେ ଆଉ ଓକିଲାତି କରିବା ଦରକାର ନାହିଁ l
ରଶ୍ମି ବହୁତ ସେଣ୍ଟିମେଣ୍ଟାଲ ବୋଲି ଅଙ୍କିତ ଜାଣିଛି l ସେଣ୍ଟିମେଣ୍ଟ କଣ ଡରୁଆ ନମ୍ବର ୱାନ l କିଏ କଣ କହିଦେଲେ ମୁଣ୍ଡ କୁ ନେଇ ଅଯଥା ଭାବି ଭାବି ନିଜେ ରାତି ଅନିଦ୍ରା ହେବ ଏବଂ ଅଙ୍କିତ କୁ ଟେନସନ କରିବ l କିନ୍ତୁ ଉପାୟ କଣ l କିଏ କେତେବେଳେ କଣ କହିଦେବ ତାକୁ ଧରି ବସିଲେ ଚଳି ହେବ କି ? ଦୁର୍ଲଭ ବାବୁଙ୍କ ସହ ଥରେ କଥା ହେଲେ ରୋଗୀ ର ବଞ୍ଚିବାର ମାୟା ମୋହ କମିଯିବ ସତ କିନ୍ତୁ ତାଙ୍କ ହାତ ଭଲ l ରୋଗୀ ଥରକରେ ଭଲ ହୋଇ ଯାଏ l
ଆର ସପ୍ତାହ ରେ ପୁଅ ଆସିବ l ତେଣୁ ଘର ସଜଡା ଚାଲିଛି l ଅଙ୍କିତ ର ବାରମ୍ବାର ମନା କରିବା ସତ୍ତ୍ୱେ ରଶ୍ମି ଘର ଝଡା ଝଡି କରିବାରେ ଲାଗିଛି କଣ ନା ଆଣ୍ଠୁ ରେ ସିନା ପେନ ହେଉଛି ମୁଁ କଣ ଗୋଡ଼ରେ ଝାଡ଼ୁଚି କି ହାତରେ ଝାଡ଼ୁଛି ନା l ପୁଅ ଆସିବାର ଥିଲେ ରଶ୍ମି କୁ ସତେ ଯେପରି ଡେଣା ଲାଗିଯାଏ l ଦିନଯାକ ଘୁରି ବୁଲୁଥାଏ ଏ ରୁମ ସେ ରୁମ l ହଠାତ କିଚେନ ର ଛାତଟା ଝାଡୁ ଝାଡୁ ଆଖିରେ ପଡିଲା ସାମ୍ବାଳୁଆ ର ଜାଲ ପରି କିଛି ଗୋଟେ l ଡ଼ାକ ଛାଡିଲା ଆସ ଆସ ଦେଖିବ ଆସ ବଢ଼ିଆ ଜିନିଷ l
କଅଣ ହେଲା ? ଏଡ଼େ ଜୋର ରେ କାହିଁକି ରଡି ଛାଡ଼ୁଛ କହିଲ ? ମଣିଷ ର ହାର୍ଟ ଫେଲ ହୋଇଯିବ l
ଆରେ ଦେଖ ନା ଏଥିରୁ ପ୍ରଜାପତି ବାହାରିବ l
ଆଲୋ ମୋର ଧନମଣି ! ଏଥିରୁ ପ୍ରଜାପତି ବାହାରି ସାରି ଚାଲିଗଲାଣି l ଏଇଟା ଖାଲି ବସାଟା l ସଫା କରିଦିଅ l
--ନାହିଁ ମୁଁ କହିଲି ପରା ପ୍ରଜାପତି ଥିବ ୟା ଭିତରେ l
ହଁ ପରା ତୁମକୁ ଅପେକ୍ଷା କରି ବସିଥିବ l ତୁମର ଦର୍ଶନ କରି ସାରିଲା ପରେ ଯାଇ ଉଡ଼ିବ l ସାମ୍ବାଳୁଆରୁ ପ୍ରଜାପତି ହେବା କେତେ କଷ୍ଟ ଦେଖୁଛ ଟି ? ସାମ୍ବାଳୁଆ ଟି ଯେତେବେଳେ ଭାବେ ଯେ ତା ପାଇଁ ସବୁକିଛି ସରି ସରି ଯାଉଛି ପ୍ରକୃତ ରେ କିଛି ବି ସରି ନଥାଏ ବରଂ ସବୁ କିଛି ନୂଆ ରେ ଆରମ୍ଭ ହୁଏ ତା ପାଇଁ l ପ୍ରଜାପତି ରେ ପରିଣତ ହୁଏ ସେ l
ମୁଁ ହେଲି ସାହିତ୍ୟ ଛାତ୍ରୀ l ମୋତେ ସେ ଜୀବଜନ୍ତୁ ପାଠ ରେ ଆଗ୍ରହ ନାହିଁ l
ମୁଁ ତୁମକୁ ଜୀବ ବିଜ୍ଞାନ ପଢାଉ ନାହିଁ l ମୁଁ କହିବାକୁ ଚାହୁଁଛି ଯେ ମଣିଷ ଜୀବନ ର ବି ଏଥି ସହିତ ସାମଞ୍ଜସ୍ୟ ରହିଛି l ଆଉ ଗୋଟିଏ ଉଦାହରଣ ହେଉଛି ଇଗଲ l ସବୁଠାରୁ ଶକ୍ତିଶାଳୀ ପକ୍ଷୀ l ପାଖାପାଖି ସତୁରି ବର୍ଷ ଆୟୁଷ ତାର l ସେ କେମିତି ଏତେ ଶକ୍ତିଶାଳୀ ହେଲା ଜାଣ ? ନିଜକୁ କଷ୍ଟ ଦେଇ ଦେଇ ଶେଷରେ ସେ ମୁକ୍ତି ପାଏ l
ମୁକ୍ତି ପାଏ ? ମାନେ ମରିଯାଏ ?
ନା l ସେ ଆଜ୍ଞାତ ବାସ ପରି ଏକ ନିକାଞ୍ଚନ ସ୍ଥାନରେ କେତେ ମାସ ରହେ l ପ୍ରାୟ ଚାଳିଶ ବର୍ଷ ହେଲା ବେଳକୁ ତାର ପଞ୍ଝା ଡେଣା ଆଦି ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକ କ୍ରମଶଃ ଦୁର୍ବଳ ହୋଇ ଯାଆନ୍ତି l ତା ପାଖରେ ମାତ୍ର ଦୁଇଟି ବିକଳ୍ପ ଥାଏ l ମରିଯିବ ନଚେତ ପରିବର୍ତ୍ତନ ର ଗୋଟିଏ କଷ୍ଟସାଧ୍ୟ ପର୍ଯ୍ୟାୟ ଦେଇ ଗତି କରିବ l ସେ ପରିବର୍ତ୍ତନ କୁ ଆପଣାଇ ଥାଏ l ତାର ସେହି ଦୁର୍ବଳ ହୋଇ ଆସୁଥିବା ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକୁ ନିଜେ ମୋଡ଼ି ମକଚି ନଷ୍ଟ କରି ସାରି ପୁନର୍ବାର ବିକଶିତ ହେବାଯାଏଁ ଅପେକ୍ଷା କରେ l ସେ ଯେଉଁ କେତେ ମାସ କଷ୍ଟ ସହେ ତା ପରେ ନୂଆ ଅଙ୍ଗ ବିକଶିତ ହୁଏ l ତାଆରି ଯୋଗୁଁ ସେ ଆହୁରି ତିରିଶ ବର୍ଷ ଅଧିକା ବଞ୍ଚି ରହେ l
ଆରେ ବା ! ଏତେ କଥା ଅଛି ?
ତୁମେ କାନ ରେ ଏ ଯେଉଁ ଷ୍ଟୋନ ର ଟପ୍ସ ହଳେ ପିନ୍ଧିଛ କେତେ ଘଷି ମାଜି ତାକୁ ଏମିତି ଚକାଚକ ଏବଂ ପଲିସଡ଼ କରା ଯାଏ ଜାଣ ? ଜୀବନ ଟା ବି ସେମିତି l ଯେତେ ବନ୍ଧୁର ପଥ ସେତେ ଅଭିଜ୍ଞତା ସେତେ ଅନୁଭୂତି ଓ ସେତେ ଆମେ ଶକ୍ତ ହେବା l ଶକ୍ତ ଓ ସାହସୀ ଲୋକ କେବେ ବି ଜୀବନ ଯୁଦ୍ଧ ରେ ହାରନ୍ତି ନାହିଁ l ବୟସ ଜରା ବ୍ୟାଧି ଏଗୁଡିକ ଆସିବ ଓ ଆବଶ୍ୟମ୍ଭାବି l ମଣିଷର ଜିଇଁବାର ଦୃଢ଼ ଇଛା ଶକ୍ତି କୁ ଏମାନେ ପଥଚ୍ୟୁତ କରି ପାରିବେ ନାହିଁ l
ବୁଢ଼ା ବୁଢ଼ୀ ହେବାକୁ କିଏ ଚାହେଁ କହିଲ ? ସମସ୍ତେ ଚାହାଁନ୍ତି ଚିର ଯୌବନ l
ହେଲା ମାନିଲି l ତୁମେ ବୁଢ଼ୀ ହୋଇଗଲେ ନାତି ନାତୁଣୀଙ୍କୁ ଖେଳାଇ ପାରିବନି ଏବଂ ପୁଅ ବୋହୁଙ୍କ ପାଇଁ ଦଶ ପ୍ରକାର ରୋଷେଇ କରି ପାରିବ ନାହିଁ l କିନ୍ତୁ ସେମାନଙ୍କର ବନ୍ଧୁ ତ ହୋଇ ପାରିବ ନା ? ସେମାନଙ୍କୁ ଦିଗ ଦର୍ଶନ ଦେଇ ପାରିବ ନା ? କାରଣ ତୁମ ପାଖରେ ଥିବ ବର୍ଷ ବର୍ଷ ର ଅଭିଜ୍ଞତା ଯାହା ସେମାନଙ୍କ ପାଇଁ ବହୁତ ଉପଯୋଗୀ ହେବ l ନାତି ନାତୁଣୀଙ୍କୁ ଉଠାଇ ନପାରିଲେ ବି ସେମାନଙ୍କୁ କୋଳରେ ବସାଇ କାହାଣୀ ଶୁଣାଇ ପାରିବ l ତୁମ ସ୍ପର୍ଶ ରେ ସେମାନେ ଉତଫୁଲିତ ହେବେ l ଅପର ପକ୍ଷରେ ତୁମେ ଯଦି ରୋଷେଇ ଘରେ ଚବିଶ ଘଣ୍ଟା ରହିବ ବୋଲି ଭାବୁଛ ଭଳିକି ଭଳି ଖାଦ୍ୟ ତିଆରି କରି ଦେଇ ପାରିବ ସିନା ସେମାନଙ୍କ ବନ୍ଧୁ ହୋଇ ପାରିବ ନାହିଁ l ରଶ୍ମି ମନ୍ତ୍ର ମୁଗ୍ଧ ହୋଇ ଶୁଣୁଥିଲା l କହିଲା
ଆଜି ପର୍ଯ୍ୟନ୍ତ ଆମେ ଖାଲି ଦୌଡ଼ି ଚାଲିଲେ l କେତେବେଳେ କାହା ଆଗରେ ତ କେତେବେଳେ କାହା ପଛରେ ରହିଲେ l କିନ୍ତୁ ଏମିତି ଗୋଟିଏ ବୟସ ଆସିବ ଯେତେବେଳେ ସମୟ ଅଟକି ଯିବ ଆମ ପାଖରେ ଓ ଆମେ ଅନ୍ୟ ମାନଙ୍କୁ ଦୌଡିବାର ଦେଖୁଥିବା ଓ ଅନ୍ୟକୁ ମାର୍ଗ ଦର୍ଶନ କରାଉଥିବା l
ତୁମକୁ ସାନ୍ତ୍ୱନା ଦେବା ପାଇଁ ଏହା କହୁନି ରଶ୍ମି l ଏହାହିଁ ବାସ୍ତବ ରେ ଘଟିବ l ରୋଗ କୁ ଡରି ବୟସ କୁ ଡରି ତୁମେ ମର୍ଣ୍ଣିଙ୍ଗ ୱାକ ଆରମ୍ଭ କରିଛ ଏବଂ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖୁଛ l ଦେଖ ତୁମର ଜନ୍ମରୁ ଥିବା ଗ୍ୟାଷ୍ଟ୍ରିକ ପ୍ରୋବ୍ଲେମ ଏବେ ଆଉ ନାହିଁ l ଓଜନ ବି ସମାନ ଅଛି l ଯେଉଁ ପରିବର୍ତ୍ତନ କଥା ଡକ୍ଟର କହିଲେ ବୋଲି ତୁମେ ଡରି ଯାଉଛ ଓ ରାଗୁଛ ତାଙ୍କ ଉପରେ ସେଇ ପରିବର୍ତ୍ତନରୁ ହିଁ ନବ ଜୀବନ ର ଉନ୍ମେଷ ହେବ l ଭରସା ରଖ ମୋ ଉପରେ l ଏବେ ହିଁ ସମୟ ଆସିଛି ନିଜର ଯାହା ବି ହବି ଥିଲା ଯାହାକୁ ତୁମେ ସମୟ ଦେଇ ପାରି ନଥିଲ ଏବେ ତାହା କରିବ l
ହଁ ଥିଲା କିଛି ହବି l ପିଆନୋ ଶିଖିବାର ଇଚ୍ଛା ଥିଲା l ପାଠ ପଢ଼ ବାହା ହୁଅ ପିଲାଙ୍କୁ ବଡ଼ କର ତାକୁ ହିଁ ହବି ବୋଲି ଭାବିବାକୁ ହେଲା ଶେଷ ରେ l ଏବେ କିନ୍ତୁ ମୁଁ ଚାହିଁଲେ l
ନିଶ୍ଚୟ କରି ପାରିବ l ମୋର ବି ହବି ଥିଲା ପେଣ୍ଟିଙ୍ଗ କରିବା l ସେଇ ପାଠ ଚାକିରୀ ଘର ର ଦାୟିତ୍ୱ ଗୋଟେ ପୁରୁଷ ର ନିଜ ପରିବାର ପ୍ରତି ଯାହା ଥାଏ ସେଇ ସବୁ ଭିତରେ ମୋ ସ୍ବପ୍ନ ର ରଙ୍ଗ ସବୁ ନେସି ହୋଇ ଗଲା l ଏବେ ମୁଁ ଭାବୁଛି ସେଇ କଥା l
ଅଙ୍କିତ ଓ ରଶ୍ମି ଦୁହେଁ ଗୋଟେ ନୂଆ ସକାଳ ରେ ପଦାର୍ପଣ କରିଥିଲେ ଯାହା ସେମାନଙ୍କୁ ଅନେକ ବର୍ଷ ପରେ ନିଜ ସହ ପରିଚିତ କରାଇ ଥିଲା l
