ଉମ୍ମିଦ୍ କା ଫରିସ୍ତା
ଉମ୍ମିଦ୍ କା ଫରିସ୍ତା
ଦାଦାବାବୁ, ଦାଦାବାବୁ .....
ଡାକି ଦଉଡି ଆସିଲା କିଶୋରକୃଷ୍ଣ । ମୁଁ ତାକୁ ଖାଲି କୃଷ୍ଣ ବୋଲି ଡାକେ ।
କ'ଣ ହେଲା କିରେ .....ହାଉଳୁଛୁ କାଇଁ, କହ କ'ଣ କହୁଛୁ । ଫାଇଲ୍ କାମ କରୁ କରୁ ଦସ୍ତାବିଜରୁ ଚଷମା ତଳୁ ଆଖି ଟେକି ଚାହିଁଲି ତାକୁ ।
ଆଣ୍ଠୁକୁ ଦି ହାତରେ ଭରା ଦେଇ ନଇଁ ପଡି ମୁଣ୍ଡ ଝୁଙ୍କେଇ ଆଗେ ବହେ ନିଃଶ୍ୱାସ ନେଲା ଆଉ କହିଲା, ଦାଦାବାବୁ ଆମ ଗେଟ୍ ପାଖରେ ଜଣେ କିଏ ଆସିଛନ୍ତି, ଠିଆ ହେଇଛନ୍ତି । ବଗିଚାରେ ଘାସ ବାଛୁଥିଲି, ଦେଖିଲି କହିବାକୁ ଆସିଲି ।
ଆଚ୍ଛା ! ଦେଖିଲୁ ଯଦି ପଚାରିଲୁନି କିଏ ବୋଲି । କାହାକୁ ଖୋଜୁଛନ୍ତି ? ହାଁ ।
ଏଁ, ତମେ ଆସୁନ ଟିକେ । କିଏ ହେଇଥିବେ .....ମୁଁ କେମିତି ଜାଣିବି ଯେ ।
ହଉ ଚାଲ୍ । କଲମରେ ଖୋଳି ମଡେଇ କାଗଜ ଚାଷ ସେଇଠି ସ୍ଥଗିତ ରଖି ଚେୟାରଟା ପଛକୁ ପେଲି ଆସିଲି । ମତେ ବି ଚାଳିଶିଆ ଧରିଲାଣି ଯେ ଦୂରଦୃଷ୍ଟି ଦୋଷ ଟିକେ ହେଲାଣି କି କଣ ।
କୃଷ୍ଣର ମୋର ଆସି ଦେଖିଲୁ ଜଣେ ଭଦ୍ର ବୟସ୍କ ବ୍ୟକ୍ତି ଆମ ଦ୍ବାରସ୍ଥ ।
ସୌଜନ୍ୟତା ସହ ମୁଁ ପଚାରିଲି, ନମସ୍କାର ଆଜ୍ଞା, କାହାକୁ ଖୋଜୁଥିଲେ କି ?
ଆଜିକାଲି ତ ଗେଟ୍ ଖୋଲି କାହାକୁ ଭିତରକୁ ଡାକି ବସେଇବାକୁ ଭୟ ,କାଳେ କରୋନା .....
ସେ ନିଜ ଆଡୁ କହିଲେ, ମୁଁ ଭିତରକୁ ଆସି ପାରେ କି ,ବସିକି ଟିକେ କଥା ହେଇପାରିବା ? ମୁଁ ଆପଣଙ୍କର ବେଶୀ ସମୟ ନେବନି ।
ବର୍ତ୍ତମାନ ଆଉ ଉପାୟ ନଥିଲା ତ ସାମ୍ନା ବଗିଚାରେ ହି ଦୁଇଟି ଚେୟାର ପକେଇବାକୁ କୃଷ୍ଣକୁ କହିଲି, ଆଉ କହିଲି ...ଆସନ୍ତୁ ଆଜ୍ଞା । ବସନ୍ତୁ ।
ବଡ ଶୂନ୍ୟ ଶୂନ୍ୟ ଲାଗୁଥାଏ ତାଙ୍କ ଆଖି, ଅନେକ କିଛି କହିବାର ସଙ୍କେତ । ନିଜେ ଯେମିତି ଜଣେ ଶୂନ୍ୟତାର ମୂର୍ତ୍ତି । କିନ୍ତୁ ମାର୍ଜିତ ଓ ଭଦ୍ରବ୍ୟକ୍ତି ।
ତାଙ୍କ ପକେଟରେ ସାଇତା ପାର୍କର କଲମଟି ଆଭିଜାତ୍ୟର ଝଲକ ପେଶ୍ କରୁଥାଏ ।
ଚା' କପେ ପାଇଁ ବରାଦ କଲି, ଆମ ରୋଷେଇଆ ମଧୁଭାଇ ଚା ସାଙ୍ଗେ ବିସ୍କୁଟ ଦିଟା ବି ଆଣି ମଝି ଟି_ପୟରେ ରଖିଦେଲେ ।
ନିଅନ୍ତୁ ଆଜ୍ଞା । ଚା' ବଢେଇଲି ।
ନେଲେ । ଆଉ ବେକ ସିଧା କରି କହିଲେ, ମୁଁ ଗୋଟିଏ ପିଲା ଆଡପ୍ଟ କରିବାକୁ ଆସିଥିଲି, କଣ ପ୍ରୋସେସ୍ ତାର ?? ଆଉ କଣ ସବୁ କରିବାକୁ ହେବ???
ମୁଁ ପ୍ରଶ୍ନରେ ଗୁଡେଇ ଛନ୍ଦି ହେଇଗଲି, ବୁଝିନ ପାରି ପଚାରିଲି, ଆପଣ ??? ବୁଝିପାରିଲିନି ଆଜ୍ଞା ।
ସେ ମୋ ସନ୍ଦେହ, ଶଙ୍କାକୁ ହୃଦୟଙ୍ଗମ କରି କହିଲେ, ହଁ, ଟିକେ ବଡ ପିଲାଟିଏ, ଅର୍ଥାତ୍ ପନ୍ଦର, ଅଠର ବର୍ଷର ପିଲାଟିଏ ହେଲେ ଭଲ ହବ । ଆଡପ୍ଟ କରିନେବି ମୋର ପୁଅ କି ଝିଅ ଭାବରେ । ଭଲ ପିଲାଟିଏ ହେଲେ ଭଲ ।
କିନ୍ତୁ,....???
ନା , ପିଲାମାନେ ବିଦେଶରେ । ଏବେ ତ ଫେରିବାର ଉପାୟ ନାହିଁ କୌଣସି ଅବସ୍ଥାରେ । ଆଉ ସେ ସବୁ ବି ଝିନ୍ଝଟ । ଆସିବା ଯଦି ହେଲା ବି ଡେରୀ ହେଇଯିବ । ଆଉ ମୂଳ କଥା ହେଲା ଆମେ ବା
ସିମଢା ହେବାକୁ ଚାହୁନା, ତେଣୁ......କିଏ ତ ଜଣେ ପାଖରେ ଥିଲେ ......।
କିନ୍ତୁ .. ??
ଆରେ ବାବୁ ତୁମେ ବୁଝୁନ,.....ଆମର ଆବଶ୍ୟକତା ନିହାତି ଅଛି ବୋଲି .....
ବୟସ, ବାର୍ଦ୍ଧକ୍ୟ,ଏକାପଣ ମନ ଓ ଶରୀରକୁ ବିରକ୍ତି ଆଣେ ,ହେଇପାରେ ସ୍ୱଭାବ ବିରୋଧୀ କିନ୍ତୁ ସବୁର ସାଚୁରେସନ୍ ବୋଲି କିଛି ତ ଥାଏ ।
ହଉ,ଦେଖନ୍ତୁ । ମତେ ଟିକେ ଏଇ ଠିକଣାରେ ଜଣେଇବେ କଣ କରିହେବ । ଅପେକ୍ଷାରେ ରହିଲୁ, ନିରାଶ କରିବେନି । ଆସୁଛି । ଏଇ ନମ୍ବରଟି ବି ରଖନ୍ତୁ ।
ପକେଟରୁ କାଗଜଟିଏ ବଢେଇଲେ ।
ଉଠି ଠିଆ ହେଲେ ଆଉ ପୁଣି କହିଲେ କିଛି ମନେକରିବେନି, ମୁଁ ତାକୁ ମୋର ଅର୍ଦ୍ଧେକ ସମ୍ପତ୍ତି ହିଁ ଦେଇପାରିବି କାରଣ ଦିନେ ନା ଦିନେ ତ ମୂଳ ଭାଗୀଦାର ଜାଗିରୀଦାରମାନେ ଫେରିବେ ହିଁ । କିଛି ଅଡୁଆ ରଖିବାକୁ ଚାହୁଁନି ,ସବୁ କାଗଜ ପତ୍ର ବି ତିଆରି ସାରିଛି ।
ଶୀଘ୍ର ଜଣେଇଲେ ଉପକୃତ ହେବି ।
ଚାଲିଗଲେ ।
କୃଷ୍ଣକୁ କହିଲି ବାଟେଇ ଆସେ ।
ମନ ବୁଝିଲାନି ,ଖସପସ ଲାଗିଲା । ନିଜେ ଗଲି ଦେଇଥିବା ଠିକଣାରେ ଦି ଦିନ ପରେ । କୃଷ୍ଣକୁ ନେଇ ।
ଗେଟ୍ କବାଟ ସବୁ ଭିତରୁ ଚାବି ଦିଆ ହେଇଥିଲା, ଖଟ୍ ଖଟ୍ କଲି କେହି ଖୋଲିବାକୁ ଆସିଲେନି । ଝରକାରେ ଡୁଙ୍ଗି ଦେଖ୍ ବୋଲି କୃଷ୍ଣକୁ କହିଲି । ସେ ପାଚିରୀ ଡେଇଁ ଗଲା ଆଉ ସେଇଠୁ କହିଲା, ଦାଦାବାବୁ ସେ ବୁଢା ଆଉ ଜଣେ ବୁଢୀ ମଣିଷ ଏକାଠି ହାତଧରା ଧରି ହେଇ ତଳେ ପଡିଛନ୍ତି । କାଇଁ ହଲ୍ ଚଲ୍ ବି ଦିଶୁନି ।
ଡରରେ ପକେଟ୍ ଅଣ୍ଡାଳି ପକେଇଲି ଆଉ ସେ ଦେଇଥିବା ନମ୍ବରଟିକୁ ଫୋନ୍ ଲଗେଇଲି । ବିଜି ବିଜି ......ଟୁଉଁ ଟୁଉଁ ଟୁଉଁ...... କଟ୍ ।
ଚାରିଥର ଚେଷ୍ଟା ପରେ ହାରଶ୍ ହେଇ ପୋଲିସକୁ ଖବର ଦେଲି । ଡକ୍ଟରଙ୍କ ଗୋଡହାତ ଧରାଧରି କରି ଆଣିଲି । ସମସ୍ତେ ତ ଏବେ ଡରୁଛନ୍ତି କରୋନା କରୋନା ହେଇ ।
ଠିକ୍ ସମୟକୁ ତାଲା ଭାଙ୍ଗି ଆମବୁଲାନ୍ସରେ ମେଡିକାଲ ନେଲୁ । ଆଜି ଡିସ୍ଚାର୍ଜ ହେଇ ଫେରିଲେ ଦୁହେଁ । ଯାହା ବୁଝିଲି ଖାଇବା ପିଇବା ଚାଲିବା ବୁଲିବାକୁ ଆଉ ପାରୁ ନାହାନ୍ତି, କାମ କରିବା ମେଡଠୁ ମାଳି ଯାଏ କେହି ଆସୁ ନାହାନ୍ତି । ବଡ ଜଟିଳ ପରିସ୍ଥିତି ।
ୟା ଭିତରେ ସେ ନମ୍ବରରୁ କଲ୍ ଫେରିଛି, କାକୁତି ମିନତି ହେଇଛନ୍ତି ପିଲେ ତାଙ୍କର .... ତାଙ୍କରି ଯତ୍ନ ପାଇଁ, ଶବ୍ଦର କୃତଜ୍ଞତା ଢାଳିଛନ୍ତି ।
ଏବେ ମୋ ହାତ ଧରି ଅନୁନୟ ହେଲେ, କହିଲେ ମୋ କଥା କଣ ବୁଝିଲେ ।
କୃଷ୍ଣର ହାତ ତାଙ୍କ ହାତରେ ଦେଇ କହିଲି, ଭରସା ରଖନ୍ତୁ ସବୁ ଠିକ୍ ହବ ।
*****************
ଏବେ କୃଷ୍ଣ ଆମର ଆମ ଆଶ୍ରମ ପିଲା ପାଇଁ ଅନେକ ଜିନିଷ ଦିଏ । ରବିବାରିଆ ଆସେ ତା ଖୁସିବାସିଆ ମାଆ ବାପାଙ୍କୁ ନେଇ ।
ଆଉ ସେ ମୋ ମୁଣ୍ଡରେ ପ୍ରତି ଥର ହାତ ରଖନ୍ତି ।
●●●●●●●●●●●●●●●●●●●●●●