ତ୍ୟାଗ ର ସମ୍ମାନ
ତ୍ୟାଗ ର ସମ୍ମାନ
କେବେ ଭାବିନଥିଲି ଜୀବନର ଦୋଛକି ରାସ୍ତାରେ ଏଭଳି ଦୁର୍ଦିନ ପରିସ୍ଥିତିରେ ବାପା ଏଭଳି ପଥରେ ଆରପାରି ଚାଲିଯିବ ବୋଲି। କେବେ ସ୍ୱପ୍ନରେ ସୁଧା କଳ୍ପନା କରିନଥିଲି। ବାପା ଚାଲିଯାଇଥିଲେ ସେଦିନ ମହାବାତ୍ୟାରେ ଆମପାଇଁ ଚୁଡା ଚାଉଳ ଯୋଗାଡ କରିବାକୁ ଯାଇ ପବନ, ପାଣି କୁ ଖାତିର ନ କରି, ଆଜିବି ମନେଅଛି ବୋଉର ଶତ ବାରଣ ସତ୍ୱେବି ଏକାକି ପାଦ କାଢିଲେ କାହା କଥା ଶୁଣିଲେନି, କହିଲେ "ମୋ ମୁଣ୍ଡର ବୋଝ ମୋତେ ବହିବାକୁ ଦେ ମୁଁ ଆସେ" ସେତେବେଳକୁ ମୁଁ ଥାଏ ୮ ବର୍ଷର ବାଳକ କୁନି,ମୁନା ଜାଆଁଳା ଭାଇ ଭଉଣୀ ମୋର ସେମାନେ ୨ ବର୍ଷର ହୋଇଥାନ୍ତି। ବୋଉ କହେ ସେଦିନ ମୁଁ ବାପାଙ୍କ ହାତ ଭିଡିଧରି ରୋକିବାକୁ ବହୁତ ଚେଷ୍ଟା କରିଥିଲି କିନ୍ତୁ ବାପା ଥିଲେ ଅଟଳ ଶେଷରେ ବାପା ମୋତେ ବୁଝାଇ ମୋ ହାତ ଛଡେଇ ନେଇ ମୋ ଗାଲରେ ଚୁମାଟେ ଦେଇ କହିଲେ "ଧନରେ ମୁଁ ତୋତେ ଛାଡି କୁଆଡେ ଯାଉନି ଏଇ ଆସୁଛି ମୁଁ ଫେରିବା ଯାଏ ସମସ୍ତଙ୍କର ଦାୟିତ୍ୱ ନେଉଥିବୁ" କହି ଚାଲିଗଲେ,.....।
ଦୁଇ ତିନିଦିନ ବିତିଗଲା ବାପା ଫେଲିଲେନି ହେଲେ ତହିଁ ଆରଦିନ ସକାଳୁ ସକାଳୁ ବଡବଡ ବାବୁ ଦି ଜଣ ହାତରେ ମୋ ବାପାଙ୍କର ଲୁଗା ପଟା ନେଇ ଫେରିଲେ କହିଲେ ସୁରଜ ବାବୁ ବାତ୍ୟା ସମୟରେ ଯାଉଥିବା ବେଳେ ବିଦ୍ୟୁତ ଖୁଣ୍ଟ ପଡି ତାଙ୍କର ତାଙ୍କର ଦେହାନ୍ତ ହୋଇଯାଇଛି। ବୋଉ ଖୁବଜୋରରେ କାନ୍ଦୁଥାଏ ଗାଁ ସାରା ଘର ଦୁଆର ମୁହଁରେ ଭିଡ ଜମେଇଥାନ୍ତି ମୁଁ ନିର୍ବିକାର ଚିତ୍ତରେ ଦେଖୁଥାଏ। ମୋ ବୋଉର ସେଇ ଶୁଖିଲା ମୁହଁକୁ......ବାପାଙ୍କର କ୍ରିୟା,କର୍ମ ସରିଲା ଗାଁ ସାହିଭାଇଙ୍କ ସହାୟତାରେ କିଛିଦିନ ଆମ ସଂସାର ରଥ ଗଡିଗଲା ହସରେ ଖୁସିରେ ହେଲେ ବିପଦର କୋରଡାପାହାର ତ ବୋଝଉପରେ ନଳିତାବିଡା ସଦୃଶ, କିଏ ଅବା କେତେଦିନ ନିରାଶ୍ରୟ ପରିବାରକୁ ବିନା ସ୍ୱାର୍ଥରେ ସାହାଯ୍ୟ କରିବ ଏଣୁ ଧିରେ ଧିରେ ସମସ୍ତେ ଦୁରେଇଗଲେ, ସାଇଭାଇ କାଳେ ଦବାକୁ ପଡିବବୋଲି ଦେଖିବାମାତ୍ରେ ମୁହଁ ବୁଲାଇଦେଲେ ଶେଷରେ ବୋଝ ପଡିଲା ବୋଉ ମୁଣ୍ଡରେ। ବୋଉ ବହୁତ ଚେଷ୍ଟାକରିଛି ସେତେବେଳେ ପରଘରେ ପାଇଟି କରି ଆମକୁ ପୋଶିବାପାଇଁ କିନ୍ତୁ ତାକୁ ଏ ଗାଁରେ କାମ ଦେବ କିଏ? ଏପଟେ ସମାଜର ଲୋଭି ଆଖିଗୁଡାକ ସାହାଯ୍ୟ କରିବା ଆଳରେ ଆମଘର ଚାରିପାଖରେ ବୁଲିବାକୁ ଲାଗିଲେ ନିଃସହାୟ ଜୌବନ ଭରା ନାରୀର ରକ୍ତ-ମିଶା-ମାଂସ ଶରୀରକୁ ଝୁଣି ଖାଇବାପାଇଁ। ଧିରେ ଧିରେ ଲୋକଙ୍କ ସାହାଯ୍ୟର ସ୍ୱାର୍ଥ ଜଣାପଡିଲା, ଆଉ ଆମଉପରେ କୁପ୍ରଭାବ ନପଡୁ ଏଇ କଥା ଚିନ୍ତା କରି ବୋଉ ଆମକୁ ପଠାଇଦେଲା ହଷ୍ଟେଲ। ନିଜକୁ ଅଗ୍ନିରେ ଜାଳିବା ପାଇଁ ସେ ପ୍ରସ୍ତୁତ ହେଉଥିଲା, ଅସହାୟ ନିଆଁଶିନି ବିଧବା ଏକାକି ସ୍ତ୍ରୀ ଲୋକଟିଏ, ଶେଷରେ କଣ କରିପାରିଥାନ୍ତା, ସ୍ୱାମିବିନା କେତେଦିନ ନିଜର ସତିତ୍ୱକୁ ସାଇତି ରଖିପାରିଥାନ୍ତା ଏ ସମାଜ ଦାଉରୁ ଶେଷରେ ନିଜକୁ ସମର୍ପି ଦେଲା ସେଇ ରାକ୍ଷାସ ମାନଙ୍କ ହାତରେ ଆମ ଭାଇଭଉଣୀ ତିନିଜଣଙ୍କର ପେଟ ଚାଖଣ୍ଡ ପାଇଁ।
ମୋର ଆଜିବି ମନେଅଛି ହଷ୍ଟେଲ ଯିବା ଆଗରୁ ମୁଁ ଦେଖିଛି ଅନେକ ସମୟରେ କୋଟ୍ ବୁଟ୍ ପିନ୍ଧା ବାବୁଙ୍କର ବଡବଡ କାର ଲାଗୁଥିଲା ଆମଦୁଆର ମୁହଁରେ ମୁଁ ସିନା ସେବେ ଥିଲି ଅବୁଝା ହେଲେ ଆମ ଗାଁ ସାଇପଡିଶାରେ ଏଇ କଥା ଥିଲା ଏକ ବିରାଟ ଚର୍ଚାର ବିଷୟ, ଯେତେବେଳେ ବୁଝିଲି ସେତେବେଳେ ବୋଉପ୍ରତି ମୋ ମନରେ ଘୃଣା ଭରିଯାଇଥିଲା। ବହୁତ କାନ୍ଦିଥିଲି (ଆମେ ସମସ୍ତେ ସେତେବେଳେ ହଷ୍ଟେଲରେ ରହି ପଢୁଥିଲୁ) ହଷ୍ଟେଲରେ ମୋ ବିଛଣା ପ୍ରାୟ ସବୁଦିନେ ଲୁହରେ ଭିଜି ଯାଉଥିଲା। ଏଣେ ଏସବୁ ଚିନ୍ତାକରି ଖାଇବା ପିଇବା ମଧ୍ୟ ଭୁଲିଗଲି, ଭାବିଲି ମୋ ବାପାଙ୍କ ପ୍ରତି ମୋ ବୋଉ ବହୁତ ବଡ ଅନ୍ୟାୟ କରିଛି ଏସବୁ କଥାକୁ ଘୁଣି ହୋଇହୋଇ ମୋ ସ୍ୱାସ୍ଥ୍ୟବସ୍ତାରେ ଧିରେଧିରେ ଅବନ୍ନତି ଘଟିଚାଲିଲା ଦିନେ ଚାଲିଯାଉଯାଉ ବେହୋସହୋଇ ରାସ୍ତାରେ ପଡିଗଲା, ମେଡିକାଲରେ ୩ଦିନ ରହିଲି ସାଲାଇନ ଚାଲିଲା । ଶେଷରେ ବାଧ୍ୟହୋଇ ହେଡସାର ବୋଉକୁ ସ୍କୁଲକୁ ଡକାଇ ପଠାଇଲେ, କହିଲେ "ମାଡାମ ରବିର ଦେହ ସବୁବେଳେ ଅସୁସ୍ଥ ଆପଣ ତାକୁ ଘରକୁନେଇ ଯାଇ ତାର ଚିକିତ୍ସା କରାନ୍ତୁ ପରିବାର ଭିତରେ ରହିଲେ ତାର ଶରୀର ମନ ଆପଣା ଛାଏଁ ଭଲହୋଇଯିବ" କିନ୍ତୁ ବୋଉ ଥିଲା ଚୁପ୍ ବୋଧହୁଏ ସେ ବୁଝିସାରିଥିଲା ମୋ ଅସୁସ୍ଥତାର କାରଣ କଣ ? କିନ୍ତୁ ସେ ବି କଣ କରିବ ଏପଟେ ପୁଅର ଜୀବନ ଆରପାଖେ ଭବିଷ୍ୟତ ସତରେ ସେ ଥିଲା ନିରୁପାୟ କେତେ ଅସହାୟ।
ଘରକୁ ଆସିବା ପରେ ବି ମୋର ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଆସିଲାନାହିଁ। ବୋଉ ବହୁ ବଇଦ ଚେରମୁଳି, ତାନ୍ତ୍ରିକ କବଚ ଦେଲା ତଥାପି ଫଳ ସୂନ୍ୟ ଦିନେ ସଂଧ୍ୟାବେଳେ ମୁଁ ବିରକ୍ତି ହୋଇ ହଷ୍ଟେଲକୁ ବାହାରିଲି ବୋଉ ମୋତେ ଅନେକ ବୁଝାଇ ମୋ ବ୍ୟାଗ ଛଡେଇରଖିଲା କିନ୍ତୁ ସେ ବି ଅନୁଭବ କରୁଥାଏ ଏ ଘରେ ମୋର ରହିବାକୁ କାହିଁକି ଆତ୍ମା ଡାକୁନଥାଏ । ଘରେ ବସିବସି ଭାରି ଅଣ ନିଶ୍ୱାସ ଲାଗୁଥାଏ। ବାହାରକୁ ଗଲେ ଗାଁଲୋକ ଭାରି ଦେଖେଇ ସିଖେଇ କୁହାକୁହି ହୁଅନ୍ତି ଟାହିଟାପରା କରନ୍ତି "ପୁଅ ମରିବାକୁ ବସିଲାଣି ମାର ସୁଆଙ୍ଗ ସରୁନି" ବୋଉ ବୋଧେ ବୁଝିପାରିଲୁଥିଲା ମୋ ଅସୁସ୍ଥତାର କାରଣ କଣ?
ଧିରେ ଧିରେ ମୋ ଅସୁସ୍ଥତା କାରଣରୁ ବାହାର ଲୋକଙ୍କୁ ବୋଉ ଆମ ଘରକୁ ନଆସିବା ପାଇଁ ବାରଣକଲା ବୋଉକୁ ମୋର ଆଉ କିଛି କହିବାକୁ ପଡିଲାନି, ଏପଟେ ସାଇଭାଇଙ୍କର ଟୁପୁରୁ ଟାପୁରୁ ଦିନକୁ ଦିନ ବଢିଚାଲିଲା ସେମାନଙ୍କ କଥାଶୁଣି ମୋ ଆଖି ଆଗରେ ତାକୁ ଭାରି ଲଜ୍ଜାବୋଧ ହେଉଥିଲା ବୋଧେ ଦିନେ ମଧ୍ୟ ରାତ୍ରିରେ କାହାକୁ କିଛି ନକହି ସେ ମୋତେ ଧରି ଗାଁରୁ ସହର ଚାଲି ଆସିଲା, ସହରରେ ହେବ ସାରଙ୍କ ସହାୟତାରେ ଗୋଟେ ଘର ଭଡାନେଇ ରହିଲୁ , ସମସ୍ୟା ଥିଲା ଏବେ ଅର୍ଥ କୋଉଠୁ ଆସିବ, ଦିନପରେ ଦିନ ଗଡିଚାଲିଲା ସଞ୍ଚିତ ଧନ ଖର୍ଚ ହେଇ ଚାଲିଥିଲା, ରୋଜଗାର ପାଇଁ ବୋଉ ପାଖରେ ଉପାୟ ନଥିଲା କଣ କରିବ। ଦିନେ ସଞପହରେ ମୁଣ୍ଡରେ ହାତ ଭରାଦେଇ ବସି ଭାବୁଥାଏ ବୋଉ କଣ କରିବ କିଛି କାମ ମିଳୁନି କେମିତି ଆମ ଭାଇଭଉଣୀଙ୍କ ଭବିଷ୍ୟତ ନାଆ କୁଳରେ ଲଗେଇବ ଆମ ମୁହଁରେ କୋଉଠୁ ଆଣି ଦାନାଦେବ। ଏହି ସମୟରେ ବୋଉହାତରେ ନେଇ ମୁଁ ଧରେଇଦେଲି ୨୦୦୦ ଟଙ୍କିଆ ୩ଖଣ୍ଡ ନୋଟ। ବୋଉ ମୋ ମୁହଁକୁ ଚାହିଁଲା ଭାବିଲା ବୋଧେ ଅସତ ଉପାୟରେ ଏହା ମୋର ଉପାର୍ଜନ ଖୁବ୍ ଜୋରରେ ରାଗିଗଲା ମୋତେ ଚାପୁଡା ପରେ ଚାପୁଡା ମାରି ନିଜେ କାନ୍ଦିବାକୁ ଲାଗିଲା କହିଲା
"ନିଜକୁ ବିକ୍ରି କରି ତୁମ ଭବିଷ୍ୟତ ଗଢୁଥିଲି ଆଜି କଣ ଏଇଦିନ ଦେଖିବାପାଇଁ 'କହ ଏ ଟଙ୍କା କୋଉଠୁ ଚୋରି କରି ଆଣିଲୁ କାଲି ସକାଳେ ବନ୍ଧା ହୋଇ ଜେଲ ଯିବୁ ମୁଁ ଏତେ ଦୁଃଖକଷ୍ଟ ସହି ତତେ ମଣିଷ କରିଥିଲି କଣ ଏଇଦିନ ଦେଖିବାପାଇଁ" ଆଖିରୁ ତାର ଲୁହ ଧାରଧାର ହୋଇ ବହୁଥାଏ। ମୁଣ୍ଡରେ ଦିହାତଦେଇ ଦୁମକରି ତଳେ ବସିଗଲା। ମୋଆଖିରେ ଲୁହ ଆସିଗଲା ତାର ମାଡରେ ନୁହେଁ ମୁଁ ବୁଝିପାରୁଥିଲି ବୋଉକୁ ସେ ନିଜଖୁସିରେ ନୁହେଁ ଆମ ଭାଇଭଉଣୀ ତିନିଜଣଙ୍କର ପେଟ ଚାଖଣ୍ଡ ପାଇଁ ନିଜକୁ ପ୍ରତି ମୁହୂର୍ତରେ ସମର୍ପି ଦେଉଥିଲା ସ୍ୱାର୍ଥ ସମାଜର ଦଲାଲ ମାନଙ୍କ ହାତରେ ଯେଉଁମାନେ ଡାହାଳ କୁକୁର ପରି ପ୍ରତି ମୁହୂର୍ତରେ ତାର ରକ୍ତମାଂସ ଶରୀରକୁ ଖିନଭିନ୍ କରି ପକାଉଥିଲେ କେହି କେବେ ବୁଝିଥିଲେ ତାର ମାନସିକତା ତାର ତ୍ୟାଗ, ପ୍ରେମର ବଳିଦାନକୁ କାରଣ ଏଇଟା ଥିଲା ସ୍ୱାର୍ଥର ସଂସାର.......
ବୋଉ ଅଧରର ଭାଷା ମୋ ସନ୍ଦେହର କାଳିମାକୁ ଧୋଇ ସାରିଥିଲା ମୁଁ ଅନୁତପ୍ତ ଥିଲି ମୋର ମାତୃଗର୍ଭ ପ୍ରତିଥିବା ସଂଦେହକୁ ,ଶବ୍ଦ ନୀରବତା ଡେଇଁ ଚାଲିଯିବା ଆଗରୁ ବୋଉ ପାଦତଳେ ପଡିଗଲି ତା ପାଦକୁ ଜାବୁଡି ଧରି କହିଲି ବୋଉ ଇଏ ତୋର ମୋ ପ୍ରତିଥିବା ଆଶୀର୍ବାଦର ଫଳ ଏଇଟା ମୋର ପ୍ରଥମ ମାସର ଟିଉସନର ଦରମା ମୁଁ ସତ ଉପାୟରେ ସାମାଜିକ ନ୍ୟାୟ ବୋଧରେ ତୁ ଚାଲି ଶିଖାଇଥିବା ସତପଥରେ ମୋର ପ୍ରଥମ ରୋଜଗାର ବୋଉ ମୁଁ ସତ କହୁଛି! ଏତକ ସାହାଯ୍ୟ ମୋତେ ହେଡସାର କରଛନ୍ତି କହିଛନ୍ତି ମୁଁ ରୋଜଗାର କରିବା ସହ ପାଠ ମଧ୍ୟ ପଢିପାରିବି କୁନା,ମୁନିର ଦାୟିତ୍ୱ ବି ନେଇପାରିବି ଆମର ଆଉ ଦୁଃଖ ରହିବନିଲୋ ଖାଲି ତୁ ଥରୁଟିଏ କହିଦେ ଆମେ ଆଉ ସେଇ ଗାଁକୁ କେବେବି ଫେରିବାନି ଯୋଉ ଗାଁରେ ସଂପର୍କ ଆଳରେ ଆଗ ସ୍ୱାର୍ଥ ଦେଖନ୍ତି, ଆଶ୍ରା ଖୋଜୁଥିବା ନିଆଁଶିନି ଲୋକଟିର ଶରୀର ବନ୍ଧା ରଖନ୍ତି, କାମାଗ୍ନିରେ ପାଗଳ ସାଜି ଯେଉଁମାନେ ଭୁଲିଯାଇଥିଲେ ଯୌନତୃପ୍ତି କରୁଥିବା ଶରୀରଟି ଦିନେ ତାଙ୍କର ଝିଅ, ବୋହୁ, ମା ଥିଲା ବୋଲି ସେଠି କଣ ଆମେ ଯେତେ ଖୋଜିଲେବି ଆମର ଆଉ ଆପଣାର ଲୋକ ପାଇପାରିବା? ଆମର ହଜିଯାଇଥିବା ସେ ସମ୍ମାନ ଖୋଜିପାରିବା? ନା ଆଉ ସେଠି ଆପଣାର ଲୋକ କେହି ମିଳିପାରିବେ?
ବୋଉ ମୋ ମୁହଁକୁ ଚାହିଁରହିଥିଲା ଏକ ଲୟରେ ମୋ ମୁଣ୍ଡରେ ହାତମାରି କହିଲା "ରବି ତୁ କେବେଠାରୁ ଏତେ ବଡ ହୋଇଗଲୁଣି ମୁଁ ଜାଣିପାରିଲିନି"। ମୋତେ ତା କୋଳକୁ ଭିଡିନେଇ କହିଲା ସତରେ ଧନ ତୁ ଆଜି ମତେ ବଞ୍ଚିବାର ରାହା ଦେଖାଇଦେଲୁ ଆଉ ଶିଖେଇଦେଇଗଲୁ ସମାଜରେ ମର୍ଯ୍ୟଦା ସହ ବଞ୍ଚିବାର ଅଧିକାର କଣ? ସମ୍ମାନ ସହ ମୁଣ୍ଡ ଉଠେଇ ଚାଲିବାର ରାସ୍ତା କୋଉଟା।
ତା ପରଠାରୁ ଅଭାବ ବୋଧେ କେହି ଦେଖିନାହାଁନ୍ତି ସେ ପରିବାରରେ ତଥା ଆମ ସମାଜର ଅନେକ ଅବହେଳିତ ପରିବାରରେ। କାରଣ କାଲିର ରବି ଆଜୁ ଜଣେ ସରକାରୀ ଶିକ୍ଷକ ଓ ସମାଜସେବୀ ତାଙ୍କ ମା ଜଣେ ଟ୍ରେନର ଜିଏ କୁନା, ମୁନିଙ୍କ ସହାୟତାରେ ନିଜର ଗୋଟେ ଏନ.ଜି.ଓ ପ୍ରତିଷ୍ଠା କରି ତାହାରି ମାଧ୍ୟମରେ ସମାଜର ଅବହେଳିତ ମହିଳା ମାନଙ୍କୁ ସନ୍ଧାନ କରି ପ୍ରତୋକ ଗାଁରେ ସ୍ୱୟଂ ସହାୟକ ଗୋଷ୍ଠି ଗଢିବାରେ ସାହାଯ୍ୟ କରି ଅନେକଙ୍କୁ ରୋଜଗାରକ୍ଷମ କରିବା ସହ ଅନେକ ଅବହେଳିତଙ୍କୁ କର୍ମ ନିଯୁକ୍ତି ମଧ୍ୟ ଦେଉଛନ୍ତି ତଥା ପରିଶ୍ରମ ଆଉ ସମ୍ମାନର ସହ ବଞ୍ଚିବାର ରାସ୍ତା ଦେଖାଉଛନ୍ତି।

