ରାକ୍ଷି ଏକ କୁହୁଡିର ସଂପର୍କ
ରାକ୍ଷି ଏକ କୁହୁଡିର ସଂପର୍କ
ସେଦିନ ବି ଥିଲା ରାକ୍ଷୀପୂର୍ଣ୍ଣିମା । ଏଇ କାଲିଭଳି ତ ଲାଗୁଛି । ସେଦିନ ଇଶ୍ୱରଦତ୍ତ ମଣିଷଟିଏ ହଠାତ୍ ମୋ ଜୀବନରେ ଆସି, ମୋ ଚରିତ୍ରର ପୂର୍ଣ୍ଣିମାରେ କଳଙ୍କ ଲାଗି କଳଙ୍କିନୀ ସାଜିବା ଆଗରୁ ସେ ଏକ ଭାଇର କର୍ତ୍ତବ୍ୟ କରି ରାକ୍ଷୀ ବାନ୍ଧିବା ଆଗରୁ ମୋତେ ସବୁ ଦିନ ପାଇଁ ଋଣି କରିଦେଲା ।
ମୋର କାଲି ଭଳି ମନେପଡୁଛି ସେଦିନ ଅଫିସରୁ ଶୀଘ୍ର ଛୁଟିନେଇ ତରତର ହୋଇ ଗାଆଁକୁ ଯିବା ପାଇଁ ମୁଁ ବସକୁ ଅପେକ୍ଷା କରିଥାଏ । ସେଦିନ ବହୁତ ଡେରିରେ ଗାଡି ଆସିଲା । ଯଦିଓ ସନ୍ଧ୍ୟା ହୋଇ ଆସୁଥାଏ ତଥାପି କ୍ଲିନରକୁ କିଛି ହାତଗୁଞ୍ଜା ଦେଇ ସିଟ୍ ଗୋଟେ ଯୋଗାଡ କଲି ।
ପ୍ରଥମ ଥର ପାଇଁ ମୁଁ ସେଥର ଘରକୁ ଏକାକୀ ପୁଣି ଡେରିରେ ଫେରୁଥାଏ । ମନରେ ଥାଏ ଭୟ ଏକଲା ଝିଅଟିଏ ଘରେ କେମିତି ସୁରକ୍ଷିତ ପହଞ୍ଚିବି? ତା ସାଥେ ଥାଏ ଘରକୁ ଫେରିବାର ଅନେକ ଖୁସିର ସମ୍ଭାର ଯାହା ବିଷାଦରେ ବି ଖୁସି ଭରୁଥାଏ । ଭାଇମାନଙ୍କୁ ଭେଟିବାର ଆଉ ରାକ୍ଷୀ ବାନ୍ଧିବାର ଖୁସିରେ ମୁଁ ଥାଏ ଅଧିର । ସେଦିନ ବସରେ ଅନ୍ୟଦିନ ଅପେକ୍ଷା ଅଧିକ ଗହଳି ଥାଏ ଏଣେ ପୁଣି ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବହୁତ କମ୍, ଏଇ ହାତଗଣତି କେତେଜଣ ପ୍ରାୟ ଥାନ୍ତି । ବସ ଆଗେଇ ଚାଲିଥାଏ ଦ୍ରୁତ ଗତିରେ ଲଖ୍ୟସ୍ଥଳକୁ ଛୁଇଁବାପାଇଁ ଧିରେ ଧିରେ ସଂଧ୍ୟାର ଆଗମନରେ ପକ୍ଷୀର କାକଳି ସାଥେ ଗୋଧୂଳିରେ ରଙ୍ଗ ଅଧିକ ଘନୁଘନତର ହେଉଥାଏ ।
ସୂର୍ଯ୍ୟ ଏବେ ପଶ୍ଚିମ ଦିଗାଭିମୁଖି ହୋଇ ଆଗେଇ ଯାଉଥାନ୍ତି ନିଜ ବିଶ୍ରାମ ପଥରେ । ଧୂସର ରଙ୍ଗରେ ଧିରେଧିରେ ସଜେଇ ହେଉଥାଏ ଧରଣୀ । ପୂର୍ବାପେକ୍ଷା ଲାଗୁଥାଏ ଆହୁରି ଆକର୍ଷଣୀୟ ।
କଣ୍ଡକ୍ଟର ଜଣଜଣ କରି ଲୋକଙ୍କ ଠାରୁ ଭଡା ଆଦାୟରେ ବ୍ୟସ୍ତ । ପୁଣି ଏପାଖରେ କ୍ଲିନର ଡୋର ପାଖରେ ଠିଆହୋଇ ଲୋକଙ୍କୁ ଓହ୍ଲାଇ ଦେବା ବେଳେ ନିଜର ୩୬ଟି ପାନଖିଆ ଦାନ୍ତକୁ ନିକିଟେଇ ରାକ୍ଷୀ ପାଇଁ କାହାଠୁ ୨/୪ ଖର୍ଚ୍ଚ ଆଦାୟରେ ଲାଗିଥାଏ । କାହାର କିଛି ଅବ୍ଜେକ୍ସନ ନଥାଏ ସମସ୍ତେ ଦେଉଥାନ୍ତି । କିଏ ଖୁସିରେ ତ ପୁଣି କିଏ ଯୁକ୍ତି କରୁଥାନ୍ତି ତା ସାଥିରେ । ହେଲେ ତାର ସେଥିରେ କିଛି ପରବାୟ ନଥାଏ । ସେ ତା କାମରେ ପୂର୍ବ ପରି ଲାଗିଥାଏ ।
ମୁଁ ସେମାନଙ୍କର ଏ ଭଳି କାର୍ଯ୍ୟରେ ଅଭ୍ୟସ୍ତ କାରଣ ଏଇଟା ହିଁ ମୋର ଗୋଟିଏ ବସ୍ ଯାହା ମୋ ଗାଆଁ ପାଖ ଦେଇଯାଏ । ହଠାତ୍ ଡ୍ରାଇଭର ବ୍ରେକ ଦେବାରୁ ଗାଡି ଗୋଟାଏ ଝଟକା ଦେଲା, ଏହି ସମୟରେ ମୋ ପାଖରେ ଛିଡା ହୋଇଥିବା ଜଣେ ଯୁବକ (ବୟସ ଏଇ ପାଖାପାଖି ୧୮/୨୦ ହେବ) ମୋ ଉପରେ ପଡିଗଲା । ଭାରି ବିରକ୍ତ ହୋଇ ମନଇଛା ଗାଳି କଲି ପିଲାଟି ନିରବ ହୋଇ ସବୁ ଶୁଣୁଥାଏ । ଶେଷରେ ମୁହଁ ହାଣିକରି ପଦେ କହିଲା "ଦିଦି ସରି ଅଜାଣତରେ ମୋର ହାତ ରେଲିଂରୁ ଖସିଗଲା" କିନ୍ତୁ ମୁଁ ତାକୁ ଛାଡିବାକୁ ପ୍ରସ୍ତୁତ ନଥିଲି ଜାଣେ ଏ ବୟସର ଟୋକାମାନଙ୍କର ଗୁଣ ସୁନ୍ଦରୀ ଝିଅଟିଏ ଦେଖିଲେ ବୟସ ଦେଖିବେନି ଲାଇନ ମାରିବାରେ ଲାଗିଯିବ ।
ଯୁବକ ଜଣକ ମୋ ପାଖରୁ ଟିକେ ଦୂରେଇ ଗଲା । ଦୂରରୁ ଛିଡାହୋଇ କଣେଇ କଣେଇ ଚାହୁଁଥାଏ ତା ଆଖିରେ ଆଖି ମିଳିଥିବାରୁ ଏକ ଅଜଣା ଭୟରେ ମୋ ଦେହ ଶିତେଇ ଉଠିଲା ।
ଗାଡି ଗଡୁଥାଏ ଆଗକୁ ବସରେ କିଛି ଯାତ୍ରୀ ଘୁମେଇ ପଡିଥାନ୍ତି ଆଉ କିଛି ଗୁଲି ଗପରେ ବ୍ୟାସ୍ତ କିନ୍ତୁ ହଠାତ୍ ଗୋଟେ ଜୋରକରି ଆୱାଜ ଶୁଣାଗଲା ଗାଡି ବହୁତ ଜୋରରେ ଝଟକା ଦେଲା ସମସ୍ତେ ତଳେପଡିଗଲେ ।
କେହିକିଛି ବୁଝିବା ଆଗରୁ କଣ୍ଡକ୍ଟର ଆସି ସଫେଇ ହୋଇ କହିଲା । ଆଜ୍ଞାମାନେ ଗାଡି ବ୍ରେକଡାଉନ ହୋଇଗଲା ସମୟ ଲାଗିପାରେ । ପଛରେ ଗୋଟେ ବସ୍ ଆସୁଛି ମୁଁ କଥା ହୋଇଯିବି ସେ ଆଗ ଛକ ଯାଏ ଯିବ । ସେଠୁ ଆପଣମାନେ ସମସ୍ତେ ନିଜ ଚେଷ୍ଟାରେ ଯିବାକୁ ଟିକେ ଚେଷ୍ଟା କରିବେ ।
ଗୋଟେ ଅଜଣା ଭୟରେ ଦେହ ଶୀତେଇ ଉଠି ଛାତି ଥରି ଉଠିଲା ଏବେ କଣ କରିବି?
କଷ୍ଟେମଷ୍ଟେ ଛକଯାଏ ଅନ୍ୟଏକ ଗାଡିରେ ସମସ୍ତେ ଆସିଲେ କିନ୍ତୁ ବଡ ଚିନ୍ତା ଆଗକୁ କେମିତି ଯିବି? ଆଖିରୁ ବୁନ୍ଦା ବୁନ୍ଦା ଲୁହ ଝରିପଡୁଥାଏ ।
ଏଇ ଛକରୁ ଆମ ଗାଆଁର ଦୂରତା ପାଖାପାଖି ୨୫ରୁ ୩୦କିମି ହେବ । ଏତେ ରାତିରେ ଏକାକୀ ଝିଅଟା ଯିବା କେମିତି ସମ୍ଭବ ।
ଲୋକମାନେ ଧିରେଧିରେ କୌଣସି ନା କୌଣସି ବ୍ୟବସ୍ଥା କରି ନିଜର ଗନ୍ତବ୍ୟ ସ୍ଥଳ ଅଭିମୁଖେ ବଢିଲେ । ଧିରେଧିରେ ଭିଡ କମିବାରେ ଲାଗିଲା । ମୁଁ ଚେଷ୍ଟା କଲି ଗୋଟେ ଦିଟା ଗାଡି ରୋକିବାକୁ କିନ୍ତୁ ମୋ ଶ୍ରମ ବୃଥା ।
ଭୟ ଅସ୍ଥିର ମନରେ ଆସିଲା ମୋର ତିନି ଭାଇଙ୍କ କଥା । ଭାବିଲି କାଲି ରାକ୍ଷୀ ଆଜି ପାଉଣା ଅସୁଲ କରିବାର ସମୟ । ଭୟ କଣ । ଭଉଣୀ ଆସିବାର ଖୁସିରେ ସେମାନେ ଧାଇଁ ଆସିବେ ମୋତେ ସୁରକ୍ଷା ଦେବାକୁ !
ପର୍ସରୁ ମୋବାଇଲ ବାହାର କଲି ପ୍ରଥମ କଲ ବଡଭାଇକୁ (ସେ ବଡଭାଇ ଭାଇ ନୁହେଁ ତ ବାପା ସେ ମୋତେ ଝିଅ ଭଳି ସ୍ନେହ କରନ୍ତି । ବାପାଙ୍କ ପରେ ସେ ତ ଜଣେ ଯିଏ ମୋତେ ଛୋଟରୁ ବଡ ହେବା ପର୍ଯ୍ୟନ୍ତ ମୋର ସବୁ ଦାୟିତ୍ୱ ମୁଣ୍ଡାଇଛନ୍ତି)
ଭାଇ ଫୋନ ଉଠାଇଲେ କହିଲେ "ଆରେ ମା ତୁ ଆସିବୁ ବୋଲି କହିଲୁନି କଣ କରିବି ମୁଁ ଏବେ ଘରେ ନାହିଁ ତୋ ଭାଉଜକୁ ନେଇ ତା ବାପଘରକୁ ଆସିଛି କାଲି ଫେରିବି, ତୁ ଟିକେ ମଝିଆକୁ କହ ସେ ତତେ ନେଇ ଆସିବ" କହୁକହୁ ଫୋନ କଟିଗଲା । ମନକୁ ବୁଝାଇଦେଲି ହଁ ସେ ଜାଣି ନାହାନ୍ତି, କେମିତି ଆସିଥାନ୍ତେ ।
ମଝିଆ ଭାଇକୁ ଫୋନ କଲି ଭାଉଜ ଫୋନ ଉଠାଇଲେ କହିଲେ "ସୀମା ବଡଭାଇ ଫୋନ କରିଥିଲେ ଯେ ହେଲେ ତୁମ ଭାଇଙ୍କର ଗାଡି ଖରାପ । କେମିତି ଯିବେ । ତୁମେ ଟିକେ ସାନକୁ କୁହନ୍ତନି । ସେ କଣ ଆମେ କହିଲେ ଶୁଣିବେ । ମୋର ଉତ୍ତର କିଛି ଶୁଣିବା ଆଗରୁ ତାଙ୍କର ଫୋନ କଟିଯାଇଥିଲା ।
ଏବେ ଶେଷ ସାହା ଭରସା ଥିଲା ମୋ କୁନିଭାଇ । ତାର ମୋର ପିଲାଟିବେଳୁ ଭାରି କ୍ଲୋଜ୍ । ପ୍ରାୟତଃ ସାଙ୍ଗ ଭଳି ମିଶୁ ଗତ ବର୍ଷ ତାର ବାହାଘର ହୋଇଯାଇଛି । ଏଇ ତ ଶେଷଥର ଯାହା ତା ବାହାଘରକୁ ଗାଆଁକୁ ଯାଇଥିଲି ସେଥର ସାମାନ୍ୟ କଥାରୁ ତା ସାଥେ ମୋର ମନୋମାଳିନ୍ୟ ଟିକେ ହୋଇଥିଲା । ସେଦିନୁ ମୁଁ ଆଉ ଅଭିମାନରେ ଗାଆଁକୁ ଫେରିନି କିନ୍ତୁ ରାକ୍ଷୀରେ କଣ ଅଭିମାନ ଧରା ହୁଏ । ଭାଇଭଉଣୀର ସଂପର୍କରେ ଅଭିମାନ କଣ ? କୁନି ଭାଇକୁ କଲ କଲି ରିଂ ଅନେକ ସମୟ ଧରି ହେଲା କିନ୍ତୁ ଫୋନ କେହି ଉଠାଇଲେ ନାହିଁ ।
ଏଣେ ଛକରୁ ପ୍ରାୟ ସମସ୍ତେ ଯାଇ ସାରିଥାନ୍ତି । ପାନ ଦୋକାନି ମଉଷା ଦୋକାନ ବନ୍ଦ କରୁକରୁ କହିଲେ, ମାଆ ତୁମେ ଏକାକୀ । ଶିଘ୍ର ପଳା ଏ ଜାଗା ଭଲ ନୁହେଁ ।
ଭୟ ସାଙ୍ଗକୁ ମଉଷାଙ୍କର ସତର୍କ ବାଣୀ ଛାତିରେ ଛନକା ଭରିଗଲା କଣ କରିବି ଏବେ?
ଦୂରରୁ ଦେଖିଲି ଦୁଇ/ତିନିଜଣ ଯୁବକ ବେପରୁଆ ଭାବେ ମୋ ଆଡକୁ ଚାଲିଚାଲି ଆସୁଛନ୍ତି । ଭାବିଲି ସାହାଯ୍ୟ ମାଗିବି କିନ୍ତୁ ମନ ମଧ୍ୟରେ ଭୟ ଯଦି ସାହାଯ୍ୟ ଆଳରେ ସେମାନେ ତାର ଫାଇଦା ଉଠାନ୍ତି ତେବେ ରାତି ପାହିଲା ବେଳକୁ ମୁଁ ବଞ୍ଚିଥିବିତ? ଯଦି ବଞ୍ଚିଯାଏ ତେବେ ମୋର ଉଜ୍ଜତ ଲୁଟା ସରିଥିବ ସେଇ ରାକ୍ଷସମାନଙ୍କ ହାତରେ । ଧିରେଧିରେ ସେମାନେ ଆସି ମୋ ପାଖରେ ସେଇ ବସଷ୍ଟପର ଛିଡା ହେଲେ ।
ଚାରିଆଡେ ଶୁନଶାନ୍ । ରାତି ସଂପୂର୍ଣ୍ଣ ନିସ୍ତବ୍ଧ । ମନେ ପଡିଗଲା ଏଇ କିଛି ଦିନ ତଳେ ପେପରରେ ପଢିଥିବା ଧର୍ଷଣ କାହାଣୀ । ବିଚରା ନିରୀହ ଝିଅଟିକୁ ରକ୍ତମାଂସ ଲୋଭୀ ସଇତାନଗୁଡା ଲୁଟି ଖାଇଗଲେ । ଆଉ ସେତିକିରେ ତାଙ୍କ ମନ ବୁଝିଲାନି ଯେ ବିଚାରି ତା ଉପରେ ମାଟିତେଲ ଢାଳି ନିଆଁ ଲଗାଇ ଦେଲେ ଓଃ... (ଚିତ୍କାର କରି)
ସେଇ ଯୁବକମାନଙ୍କ ଭିତରୁ କେହିଜଣେ ଖଣ୍ଡିକାଶ ମାରିବାର ଶୁଣାଗଲା । "ଜୋସ୍ନା ବୁଣା ରାତି ଲୋଡା ଜଣେ ସାଥି" କିଏ ଗୁଣଗୁଣାଉ ଥାଏ । ଏଇଟା ତ ମୋର ପ୍ରିୟ ଗୀତ ରମେଶ ମୋ ପାଇଁ ଗାଇଥିଲେ ।
କିନ୍ତୁ ଏ ଗୀତରେ ଆଜି ମୋର ଭୟ କମିବା ବଦଳେ ଆହୁରି ବଢିଚାଲେ କାହିଁକି ।
ଝାଳରେ ଗୋଟାପଣେ ମୋ ଶରୀର ଭିଜି ଜାଇଛି । ଆଖିର ଲୁହ ଝାଳ ସହ ମିଶି ଭ୍ରମ ସୃଷ୍ଟି କରୁଛନ୍ତି । ଈଶ୍ୱରଙ୍କୁ ବହୁତ କାକୁତି ମିନତି ହେଲି ଏଇ ଛିଟା ମୋତେ ବଞ୍ଚାଇଦିଅ । ମନେପଡ଼ିଲା ଗତଥର ମାନସିକ ଫାଙ୍କିଦେଇଥିଲି ।
ଦୂରରୁ ଦେଖିଲି କେହି ଜଣେ ସାଇକେଲରେ ବେଲ ମାରିମାରି ଆସୁଛି । ମନରେ ଅଦମ୍ୟ ସାହସ ଆସିଲା । ଇଶ୍ୱର ମୋ ପାଇଁ ଦେବଦୁତ ପଠାଇଛନ୍ତି କି? କିନ୍ତୁ ଏ ସାଇକେଲ ଆରୋହୀ ଏ.... ତ..... !
ହେ ଇଶ୍ୱର,,,, ଏ ତ ସେହି ପିଲା ଯାହାକୁ ମୁଁ ବସରେ ଗାଳି କରିଥିଲି । (ସମୟ ମୋ ପାଇଁ ବଳବାନ ଥିଲା ମୋର ସବୁ ଅହଂକାର ଭାଙ୍ଗିରୁଜି ଚୁରମାର ହୋଇ ସାରିଥିଲା) ଆଉ ତାପରେ ...... ତା ଓଠରେ ମୋ ପାଇଁ ଥିଲା ସ୍ନେହ ବୋଳା କେଇ ପଦ.......
ଦିଦି, ତୁ ଏଇଠି ଓହ୍ଲାଇଲୁ । ମୁଁ ତତେ ଆଗ ଛକରେ ଅପେକ୍ଷା କରିଛି । ହଉ ଶୀଘ୍ର ଆସି ମୋ ପଛରେ ବସ ତତେ ଦାଦା, ବଡବା, ସବୁ ଗାଆଁ ଲୋକଙ୍କୁ ନେଇ ଖୋଜିଖୋଜି ଏଣେ ଆସୁଛନ୍ତି ।
ମୋ ପାଖରେ ଭାବିବାକୁ ସମୟ ନଥିଲା । ମୁଁ ଏଠାରୁ ବର୍ତ୍ତିବାକୁ ଚାହୁଁଥିଲି । ଭାବିଲି ଯାହାହେବ ଦେଖାଯିବ । ଏ ରାକ୍ଷସଗୁଡାଙ୍କ କବଳରୁ ତ ଖସିଯିବି । ସାଇକେଲ ଗଡିଲା । ଦୂରରୁ ଶୁଣାଯାଉଥିଲା ଚାପାଗଳାରେ ହେ କି ମାଲଟା ବେ ହାତରୁ ଖସିଗଲା! ଆଉ କେହି ଜଣେ କହିଲା ଶିଘ୍ର ଚାଲ ଏଠୁ ନହେଲେ ଗାଆଁ ଲୋକ ଆସିଲେ ନିର୍ଧୁମ ଛେଚିବେ ।
ମୋର ହୋସ ନଥିଲା, କେମିତି ପହଞ୍ଚିଲି ଜାଣିପାରିଲିନି, ଇଶ୍ୱରଙ୍କୁ ଧନ୍ୟବାଦ ଦେଉଥାଏ । ସାଇକେଲ ପହଞ୍ଚିଲା ଗୋଟେ କୁଡିଆ ପାଖରେ ଜଣେ ସ୍ତ୍ରୀ ଲୋକ ମୋତେ ପାଛୋଟି ନେଲେ ସେଇ କୁଡିଆକୁ । ଭୟରେ ମୁଁ ଥରୁଥାଏ ଯୁବକ ଜଣକ ମୋ ପାଖକୁ ଆସି କହିଲେ ଦିଦି ଭୟ କରନି । ଏଇଟା ଆମ ଘର । ମୁଁ ତୁମକୁ ବସଷ୍ଟପରେ ଖୋଜିଲି ଗାଡି ଚଢାଇବାକୁ । କିନ୍ତୁ ପାଇଲିନି । ପାନଦୋକାନି ମଉଷା କହିଲେ ତୁମେ ଚାଲିଗଲଣି । ମନ ବୁଝିଲାନି ମାଆକୁ ଆସି ସବୁ କହିଲି । ସେ ମତେ ତୁରନ୍ତ ପଠାଇଲା ତୁମକୁ ଖୋଜି ଆଣିବା ପାଇଁ ଆଉ ତା ପରେ......
ମୋର ସେଇକ୍ଷଣି ଇଛା ହେଉଥିଲା ମୋ ଭୁଲପାଇଁ ତାର ପାଦଧରି ଭୁଲ ମାଗିବାକୁ । ଜାଣିଲି ତା ନାଁ ଜଗନ । ସେ କହିଲା ପୁଣି ଦିଦି ତୁମେ ବସର କଥା ଭାବି ମନଦୁଃଖ କରନି । ପ୍ରକୃତରେ ଏଇ ମୋ ବଡ ଭଉଣୀ (ଗୋଟାଏ ଫଟୋକୁ ଇସାରା କରି) କିଛିଦିନ ପୂର୍ବରୁ ଏମିତି ଗୋଟିଏ ରାତିରେ କିଛି ଦୁବୃତ ତାର ଦୁଷ୍କର୍ମ କରି ଜୀବନ ନେଇଗଲେ ।
ବସରେ ତୁମ ହାତରେ କିଛି ରାକ୍ଷୀ ଦେଖିଲି ତ ମନେ ପଡିଗଲା ମୋ ବଡ ଭଉଣୀର କଥା କିନ୍ତୁ ତୁମେ ମୋତେ ଅଜାଣତରେ ଭୁଲ ବୁଝିଲ ।
ଛାଡ ତୁମେ ଯାଅ ଶୋଇପଡ କାଲି ସକାଳୁ ବସଷ୍ଟପରେ ଛାଡିଦେଇ ଆସିବି ତୁମେ ଶୀଘ୍ର ଘରେ ପହଞ୍ଚିଯିବ । କାଲି ରାକ୍ଷୀ ପୂର୍ଣ୍ଣିମା ତୁମ ହାତରୁ ରାକ୍ଷୀ ବାନ୍ଧିବାକୁ ତୁମ ଭାଇମାନେ ଚାହିଁ ବସିଥିବେ ।
ମୋବାଇଲ ବାହାର କରି ଦେଖିଲି ମୋର ୩ ଜଣ ରକ୍ତସଂପର୍କର ଭାଇ ମାନଙ୍କର କିଛି ମେସେଜ କି ମିସକଲ କାଳେ ଥିବ ତନ୍ନତନ୍ନ କରି ଧନ୍ଦାଳିଲି ହେଲେ କାହାର କିଛି ନଥିଲା । ସେମାନଙ୍କ ପାଖରେ ବୋଧେ ମୋ ରାକ୍ଷୀର କିଛି ମୂଲ୍ୟ ନଥିଲା ।
ପରଦିନ ସକାଳୁ ସେ ସକାଳୁ ଗାଧୋଇ ପାଧୋଇ ରେଡିହୋଇ ମୋ ପାଖକୁ ଆସି ହସିଦେଇ କହିଲା ଦିଦି ଜିଲା । ତା ମୁହଁକୁ ଚାହିଁଲି କେଡେ ନିରୀହ ସେ । କଣ ତା ସହ ମୋ ସଂପର୍କ? କାହିଁକି ମୋତେ ଋଣୀ କରିଦେଲା?
ବ୍ୟାଗରେ ହାତବୁଲାଇ ଅଣ୍ଡାଳି ପକାଇଲି କିଛି ଆର୍ଥିକ ସାହାଯ୍ୟ ପାଇଁ । ଟଙ୍କା ସହିତ ରାକ୍ଷୀ ବାହାରି ତଳେ ପଡିଗଲା । ତାକୁ ହାତଠାରି ପାଖକୁ ଡାକିଲି କିଛିଟଙ୍କା ଦେବାପାଇଁ ହେଲେ ସେ ତ ଚାହୁଁଥିଲା ଭଉଣୀର ଆଦର । ମୋ ଆଖିରୁ ଧାରଧାର ଲୁହ ବହିଯାଉଥାଏ । ସେ କହିଲା ମୋର ଟଙ୍କା ନୁହେଁ ଯଦି ପାଉଣା ଦେବାକୁ ଚାହୁଁଛ ତେବେ ମୋର ଏଇ ରାକ୍ଷୀ ଦରକାର ।
ଆଖିରୁ ଲୁହ ଖସି ପଡୁପଡୁ, ଜଗନ ଆସି ଲୁହପୋଛି କହିଲା ଦିଦି କଣ ଭାବି ଅଭିମାନରେ ଏତେ କାନ୍ଦୁଛୁ । ଭାବୁଥିଲି ମୁଁ ଆସିଲିନି ବୋଲି ଜଗୁ କେବେ ତା ଦିଦି ହାତରୁ ରାକ୍ଷୀବାନ୍ଧିବା ଭୁଲିପାରିବ । ସରି ଦିଦି ଏଥର ବି ମୋର ଭୁଲ ହୋଇଗଲା ।
ମୋ ଓଠରେ ଭାଷା ନ ଥିଲା । ଦେଖୁଥିଲି ରକ୍ତର ସଂପର୍କ ଆଉ ମନର ସଂପର୍କ ଭିତରର ଫରକକୁ ଏକ ସରଳ ରେଖାରେ ।
