ତୁମର ଅଭିମାନିନୀ
ତୁମର ଅଭିମାନିନୀ
ପ୍ରିୟ ବିକାଶ
ଜାଣେ ତୁମେ ଭଲରେ ଅଛ ।ଆଉ ଚିରଦିନ ତୁମ ମଙ୍ଗଳ କାମନା କରୁଥିବି ଏମିତି ।କିନ୍ତୁ ମନର ଦହନ ଅସହ୍ୟ ହେବା ପରେ ଲେଖୁଛି ଏ ଚିଠି ।ଅଭିମାନରେ ମାଗୁଛି ଉତ୍ତର ।ଆଶା କରୁଛି ଥରୁଟିଏ ନିଶ୍ଚିତ ଦେବ ଉତ୍ତର ।
ସେଦିନର ସନ୍ଧ୍ୟା ତୁମର କ'ଣ ସତରେ ମନେ ନାହିଁ ବିକାଶ ।ତୁମେ କଣ ସତରେ ଭୁଲିଯାଇଛ ତୁମର
ପ୍ରତିଶୃତି ?ଯେଉଁଦିନ ତୁମେ ଆମର ବନ୍ଧୁତାକୁ ଦେଇଥିଲ ନୂଆ ଏକ ପରିଚୟ ।ମୁଁ କିନ୍ତୁ ସବୁ ହୃଦୟରେ ସାଇତି ରଖିଛି ବିକାଶ ।
ପ୍ରେମ ।ଏକ ଶାଶ୍ୱତ ,ପବିତ୍ର ଅନୁଭୂତି ।ହୃଦୟ ସହ ହୃଦୟ ମିଳନ ।ମନ ସହ ମନର ଭାବ ବିନିମୟ ।ଜୀବନରେ ଅନେକ ଫଗୁଣ ଆସି ଚାଲିଯାଇଥିଲେ ମଧ୍ୟ ଏ ମନରେ ପଡିନଥିଲା ପ୍ରେମର ଛାପ ।ରଙ୍ଗୀନ ହୋଇନଥିଲା ହୃଦୟ ।ପରିବାର ଲୋକଙ୍କ ଆଶା ଆଉ ସ୍ୱପ୍ନକୁ ନେଇ
ମୋ ଦୁନିଆ ଥିଲା ଭାରି ସରସ ଆଉ ସୁନ୍ଦର ।ଯେଉଁ ଦୁନିଆରେ ଥିଲା ଖାଲି ଖୁସି ଆଉ ଖୁସି ।
କେମିତି କେଜାଣି ସେ ଜୀବନ ପରିଧିକୁ ଧସେଇ ପଶିଆସିଥିଲ ତୁମେ ।ବୁଣି ଦେଇଥିଲ ପ୍ରେମର ଆଲୋକ ।ମହ ମହ ବାସୁଥିଲା ମୋ ମନଅଗଣା ତୁମ ପ୍ରୀତିର ମହକରେ ।ନୂଆ ନୂଆ ଡେଣା ଲାଗିଥିଲା ମୋ ଜୀବନରେ ।ଉଡିବାକୁ ଚେଷ୍ଟା କରୁଥିଲି ତୁମରି ସାଥିରେ ।ତୁମେ ଥିଲ ନିରବ ଆଉ ମୁଁ ବି ।ହୃଦୟର କଥା ଓଠ ଯାଏଁ ତୁମେ ଆଣିଥିଲ ।କିନ୍ତୁ ମୁଁ କରିଥିଲି ପ୍ରତ୍ୟାଖ୍ୟାନ ।ମନରେ ଥିଲା ଡର ଆଉ ସନ୍ଦେହ ।ବନ୍ଧୁ
ଭାବି ଅନେକ ଆଳାପ ଅନେକ ଅନୁଭବ ଭିତରେ ମୋ ଅଜାଣତରେ ହୋଇଗଲି ବନ୍ଦୀ ତୁମ ପ୍ରୀତିରେ ।ତୁମେ
ପଢ଼ିନେଇଥିଲ ମୋ' ହୃଦୟର ଆବେଗକୁ ,ମୋ' ମନର ଭାବନାକୁ ।କଥାରେ କଥାରେ ଭରିଦେଇଥିଲ
ବିଶ୍ୱାସ ଆଉ ଭରଷାର ଆଶାଟିଏ ।ସମର୍ପି ଦେଇଥିଲି ହୃଦୟ,ମନ ତୁମ ନିକଟରେ ।
ସେଦିନ ଥାଏ ପ୍ରେମ ଦିବସ ।ପ୍ରେମୀ ଯୁଗଳଙ୍କ ମନ ଉଡୁଥାଏ ଆକାଶରେ ।ପରସ୍ପର ସହ କିଛି ସମୟ ବିତାଇ ଦେଖୁଥିଲେ ଆଗାମୀ ଦିନର ସ୍ୱପ୍ନ ।ଉପହାର ଦିଆନିଆ ଆଉ ସାରା ଜୀବନ ପ୍ରେମକୁ ସାଇତି ରଖିବାର ପ୍ରତିଶୃତି ।ମୁଁ କିନ୍ତୁ ଥିଲି ଦୁଃଖୀ ।କେବେ ତ ଓଠ ଖୋଲି କହିନି ତୁମକୁ ଭଲ ପାଏ ବୋଲି ।କେବେ ତ ଦେଖିନି ତୁମ ସହ ସ୍ୱପ୍ନଟିଏ ।କିନ୍ତୁ ମନରେ ଭାରି ଅଭିମାନ ।ତୁମେ ସତରେ କଣ ଏତେ ବୋକା ।ପଢିପାରୁନ ହୃଦୟର ଭାଷା ।ପ୍ରେମର ଦିବସରେ ମାଗିନିଅନ୍ତନି ପ୍ରେମର ପ୍ରତିଶୃତିଟିଏ ।ଅନ୍ୟାୟାସରେ ଅଜାଡି ଦିଅନ୍ତି ତୁମ ଜୀବନରେ ମୋ' ହୃଦୟରେ ଜମାଟ ବାନ୍ଧିଥିବା ପ୍ରୀତିର ପୀୟୂଷକୁ ।
ମୋ କୋଠରୀ ଥିଲା ଶୂନଶାନ ।ନିରବ ବାତାବରଣ ଭିତରେ ମୁଁ ଆଉ ମୋ ଭାବନା ।ହଟାତ
ଦୂରଭାଷର ଶବ୍ଦ ମୋ ଭାବନାକୁ ଅଟକାଇଲା ।
ଦୌଡ଼ି ଆସି ଖୁବ ଖୁସିରେ କହିପକାଇଲି
....ହାଲୋ
.......କେମିତି ଅଛ କିରେ ?ତୁମେ ପ୍ରଶ୍ନ କରିଥିଲ ।
.......ବହୁତ ଭଲ ଅଛି ।ତୁମ ଖବର କଣ ?ପଚାରିଦେଲି ତତ୍କ୍ଷଣ ।
......ଭଲ ସବୁ ।କହିଥିଲ ତୁମେ ।
କିଛି ସମୟର ବର୍ତ୍ତାଳାପ ପରେ ତୁମେ ଟିକିଏ ଗମ୍ଭୀର ଜଣାପଡ଼ୁଥିଲ ଆଉ ମୁଁ ବି ତୁମ ଠାରୁ ପ୍ରୀତି ନିବେଦନ ନ ପାଇ ଦୁଃଖୀ ହୋଇଯାଇଥିଲି ।ତୁମେ ଟିକିଏ ନୀରବ ରହି ପ୍ରଶ୍ନ କରିଥିଲ
...Do you marry me ?
କିଛି ନଭାବି ନଭାବି ସ୍ୱତଃ ମୋ ତୁଣ୍ଡରୁ ବାହାରିଯାଇଥିଲା
....yes କିନ୍ତୁ ମୋର କିଛି ଜଣାଇବାର ଅଛି ।
ତୁମେ ବୁଝିନେଇଥିଲ ମୋ ମନର ଦ୍ବନ୍ଦ୍ୱ ।
....ହଁ କୁହ ।
ବଖାଣି ବସିଥିଲି ମୋ ମନରେ ଥିବା ଭାବନାର ପୃଷ୍ଠାଗୁଡିକରେ ଲିପିବଦ୍ଧ ଅକ୍ଷର ସବୁକୁ ।ଦେଖ ମୁଁ ଅସୁନ୍ଦର ।ମୋର ଘରପରିବାର ଦାୟିତ୍ୱ ଅଛି ,ମୋ କର୍ତ୍ତବ୍ୟ ଆଗରେ ଆମ ସଂପର୍କ ବାଧକ ସାଜିବ ନାହିଁ ତ ?ମୁଁ ଧନ ସମ୍ପଦ ଚାହେଁନା ।ଚାହେଁ ଟିକିଏ ବିଶ୍ୱାସ ଆଉ ପ୍ରୀତିର ପରଶ ।ଜ୍ୱାଇଁ ନୁହେଁ ମୋ ପରିବାରର ପୁଅ ହେଇପାରିବ ତ ?
ହସିଥିଲ ତୁମେ ।କହିଥିଲ....
ତୁମ ହୃଦୟ କିନ୍ତୁ ବହୁତ ସୁନ୍ଦର ।ପ୍ରତିଶୃତି ଦେଉଛି
ମୋ କର୍ତ୍ତବ୍ୟ ମୁଁ ନିଶ୍ଚିତ କରିବି ।
ଆଶ୍ୱସ୍ତ ହୋଇଥିଲି ମୁଁ ।ମନେ ମନେ ସ୍ୱପ୍ନର ଦୁନିଆରେ ତୋଳିନେଇଥିଲି ପ୍ରୀତିର ମହଲଟିଏ ।ଯେଉଁଘରେ ତୁମେ ଆଉ ମୁଁ ରହିଥିବା ।ସୁଖଦୁଃଖ ବହି ଚାଲୁଥିବା ଏକାଠି ।
ମନ କହୁଥିଲା ଦାବି କରିନେବ ଅଧିକାର ।କିନ୍ତୁ ହୃଦୟ ଦେଇସାରିଥିଲା ଅଧିକାର ତୁମକୁ ।ବିନା ପ୍ରତିବାଦରେ ସମର୍ପି ଦେଇଥିଲି ନିଜକୁ ।ଅଭିମାନ ବସା ବାନ୍ଧିଦେଇଥିଲା ମନରେ ।ତୁମେ କଥା ନହେଲେ
ଜମାଟ ଅଭିମାନ ସବୁ ଲୁହ ରୂପରେ ନିଗିଡି ପଡୁଥିଲା ଅନ୍ଧାର ରାତିରେ ।ନିଜ ଭିତରେ ନିଜକୁ ହଜାଇ ସାରିଥିଲି ମୁଁ ।ତୁମେ ମୋ ଅଭିମାନର ଉତ୍ତର ନ ଦେଇ ନିରବ ରହୁଥିଲ ।ପୁଣି ନିଜକୁ ବୁଝିନେଉଥିଲି ମୁଁ ଅଧିକ ଭାବପ୍ରବଣ ହେବା ଉଚିତ ନୁହେଁ ।ସମୟ ହାତରେ ଛାଡ଼ିଦେଇଥିଲି ସବୁକିଛି ।
ଦିନ ପରେ ଦିନ,ମାସ ପରେ ମାସ ବିତିଯାଉଥିଲା ତୁମେ ଅନେକ ବାହାନା ଦେଖାଉଥିଲ ପ୍ରତିଶୃତି ପୁରଣ ପାଇଁ ।ମୁଁ କିନ୍ତୁ ଅଭିମାନରେ ନିରବ ରହୁଥିଲି ।ବିଶ୍ୱାସକୁ ପୁଞ୍ଜି କରି ଅପେକ୍ଷା କରୁଥିଲି ।ପ୍ରୀତିର ଆବେଗଗୁଡିକ କିନ୍ତୁ ମୋତେ କରିନେଉଥିଲେ ଅଣାୟତ୍ତ ।ଆଶା କରୁଥିଲି ତୁମଠାରୁ ପ୍ରତିଦିନ କେଇ ମୁହୂର୍ତ୍ତ ଗପସପ ,ଅଧିକାର ଅର୍ଥରେ ମିଠା ଗାଳି,ଭଲମନ୍ଦ ବୁଝିବା ଆଉ ବୁଝେଇବାର କେତୋଟି ମିଠା କଥା ,ମିଛ ରାଗରୁଷା ମାନ ଅଭିମାନର ମାନଭଞ୍ଜନ ।
ବ୍ୟାକୁଳତା ଭିତରେ ପ୍ରିୟକୁ ପାଇବାର ଆଶା ଆଉ ହରାଇଦେବାର ଭୟ ହିଁ ତ ପ୍ରେମର ଲକ୍ଷଣ ।ଅନୁଭବ କରିସାରିଥିଲି ।କିନ୍ତୁ ତୁମେ ବୋଧହୁଏ ବସାଇପାରିନଥିଲ ହୃଦୟରେ ମୋତେ ।ନାହିଁସେ ବ୍ୟାକୁଳତା ,ନାହିଁ ପାଇବାର ଆଶା ଆଉ ହରାଇବାର ଭୟ ।କଟିଯାଉଛି ଏମିତି ଦିନ ।ତୁମର ନାହିଁ ସେ ଆନ୍ତରିକତା ।ବିଶ୍ୱାସର ବନ୍ଧ ଡେଇଁ ଏବେ ସନ୍ଦେହ ଛୁଇଁସାରିଲାଣି ମନକୁ ।ଅନେକ ପ୍ରଶ୍ନ ଭିତରେ ହୋଇଗଲାଣି ଅଣନିଃଶ୍ଵାସୀ ।କିନ୍ତୁ ଉତ୍ତର ଦେଇନ ତୁମେ ଦେଇଛ ଖାଲି ଯନ୍ତ୍ରଣା ।କୁହ ତେବେ କଣ ବୁଝିବି ମୁଁ ।ତୁମର ନାହିଁ ଆଗପରି ଦୁଇପଦ ସୁଖଦୁଃଖ ବାଣ୍ଟିବାର ସ୍ପୃହା ।ନାହିଁ ମୋ ସହ ସ୍ୱପ୍ନ ଦେଖିବାର ଇଚ୍ଛା ।ମୋ ତରଫରୁ ସମସ୍ତ ଚେଷ୍ଟା ସତ୍ତ୍ୱେ ତୁମର ଅନିଚ୍ଛାକୃତ ମନ ଜାଳିଦେଉଛି ମୋର ହୃଦୟକୁ ।ମୁଁ ସାଜିଛି ପାଗଳିନୀ ।ନାଁ ବଞ୍ଚିପାରୁଛି ନାଁ ମରିପାରୁଛି ।
ଏମିତି ଜାଳି ଜାଳି ତୁମେ ପାଉଥାଅ ଖୁସି ଆଉ ମୁଁ ଏମିତି ଜଳି ଜଳି ବିତାଉଥିବି ମୋ ଜୀବନ ।
କେବେଯଦି ମନେ ପଡିଯିବ ତୁମକୁ ସ୍ୱାଗତ କରିବି ସାଥି ।ଆସି ସାଉଁଟି ନେବ ଜଳିସାରି ପାଉଁଶହୋଇଯାଇଥିବା ଅବଶେଷ ଗୁଡିକୁ ।ଆଉ ଯଦି
ଭୁଲିଯାଇଥିବ ତେବେ କହିବ କି ସାଥି କାହିଁକି ମୋତେ ପ୍ରସ୍ତରରୁ ସଜାଇଦେଲ ମଣିଷଟିଏ ?କାହିଁକି ଭରିଦେଲ ମୋ ଶରୀରରେ ଆବେଗ ?କାହିଁକି ଦେଖାଇଲ ସ୍ୱପ୍ନ ?ଟିକିଏ ସ୍ୱପ୍ନ ଦେଖିବା କଣ ମୋର ଭୁଲ ? ଟିକିଏ ସ୍ନେହଶ୍ରଦ୍ଧା ଆଶା କରିବା କଣ ମୋର ଭୁଲ ?ତୁମ ମନର ପରିଧି ଭିତରକୁ ନବାଗତାର ଆଗତ ନେଇ ସନ୍ଦେହ କରିବା କଣ ଦୋଷ ମୋର ?ସ୍ୱାର୍ଥର ଶିକୁଳି ଭିତରେ ବନ୍ଦୀ କରିବା କଣ ତୁମର ଦୋଷ ନୁହେଁ ।
?ନୂଆ ଆଶା ସ୍ୱପ୍ନକୁ ଧୋଇଦେଇ ଖୁସିରେ ଅଛି ବୋଲି ଭାବିନେବା କଣ ମୂର୍ଖାମୀ ନୁହେଁ ତୁମର ?ଅଧିକାର ଆଉ ଅଭିମାନକୁ ମୂଲ୍ୟହୀନ କହିବା କଣ ପ୍ରେମର ପରିପନ୍ଥୀ ନୁହେଁ ?Do you marry me ?ତୁମ ପାଇଁ କେତୋଟି ଇଂରାଜୀ ଶବ୍ଦ ହୋଇପାରେ କିନ୍ତୁ ମୋ ପାଇଁ ବିଶ୍ୱାସର ରାହାଟିଏ । ମୋ ନାରୀ ଜୀବନର ସାର୍ଥକତା କୁ ପ୍ରମାଣିତ କରିବାର ପ୍ରୟାସଟିଏ ।ନିଜକୁ ଦୁହିତାର ପରିଭାଷା ପ୍ରକାଶ କରିବାର ଉତ୍ତମ ମାଧ୍ୟମଟିଏ ।ତେବେ ସେଇ ଶବ୍ଦ କେତୋଟିକୁ ନେଇ ଆଶାୟୀ ହେବା କଣ ମୋର ଅଧିକାର ନାହିଁ ?ଯଦି ନାହିଁ ତେବେ ଜଣାଇବ ତୁମ ସ୍ୱାର୍ଥର ଦୃଷ୍ଟି କାହିଁକି ଭସାଇଦେଲା ମୋତେ ଅସମାପ୍ତ
ସମ୍ପର୍କରେ ?କାହିଁକି ଲୁଟିନେଲ ମୋ ଖୁସି ।କାହିଁକି
ନିରବ ତୁମର ଓଠ ?କାହିଁକି ହରିନେଲ ଖୁସିର ମୁହୂର୍ତ୍ତକୁ ?ସମୟକୁ ଅପେକ୍ଷା କରିବାକୁ କହିବା କଣ ତୁମର ବାହାନା ନୁହେଁ କି ?ପ୍ରତିଶ୍ରୁତିର ପୃଷ୍ଠାଗୁଡିକ ସ୍ମୃତିରେ ଆଙ୍କି ଅଭିମାନ ,ରାଗରୁଷାକୁ ଆପଣାର କରି
ଟିକିଏ ଖୁସି ଭରିଦେବା କଣ ତୁମର କର୍ତ୍ତବ୍ୟ ନୁହେଁ କି ? ମୁଁ ତ ତୁମ ସ୍ୱାର୍ଥ ପାଇଁ ନିଜକୁ ଜାଳି ସାରିଥିଲି ।ତଥାପି କଣ ତୁମ ସ୍ୱାର୍ଥ ଅପୂର୍ଣ୍ଣ ରହିଗଲା କି ?ତୁମର ଏ ପରିବର୍ତ୍ତନର ଦିଗ ମୋତେ ଦିଗହରା କରିଦେଉଛି କାହିଁକି ?କାହିଁକି ମୁଁ ଶାନ୍ତିରେ ବଞ୍ଚିପାରୁନି ?
ଥରୁଟିଏ ତୁମ ହୃଦୟକୁ ନିରୋଳାରେ ପଚାରିଲେ ବୋଧ ହୁଏ ଉତ୍ତର ପାଇଯିବ ବୋଲି ଭାବୁଛି ।
ନୀରବତାର ପ୍ରାଚୀରକୁ ଡେଇଁ ଉତ୍ତରର ଗଣ୍ଠିଲି ଧରି ଚାଲିଆସିବ ମୋ ପାଖକୁ ଏତିକି ହିଁ ଆଶା ।
ଇତି
ତୁମର ଅଭିମାନିନୀ ।
