Suchismita Sahoo

Drama Romance

3  

Suchismita Sahoo

Drama Romance

ତୁମକୁ ପାରୁନି ତ ଭୁଲି (ଭାଗ-୪)

ତୁମକୁ ପାରୁନି ତ ଭୁଲି (ଭାଗ-୪)

4 mins
159



ସମୀରଙ୍କୁ ବାହା ହେଇ ଏ ଘରକୁ ଆସିବାର ପ୍ରଥମ ରାତିରେ ହିଁ ପ୍ରିୟା ବିଷୟରେ ଜାଣିବାକୁ ପାଇଲି। ସେବେଠୁ ପ୍ରିୟା ମୋ ଦୁନିଆ ପାଲଟି ଯାଇଥିଲା। ମୋ ଦିନର ଆରମ୍ଭ ପ୍ରିୟା ପାଖରୁ ଆଉ ଶେଷ ବି ତା ପାଖେ ହେଉଥିଲା। ଦିନରାତି ପ୍ରାଣପଣେ ଚେଷ୍ଟା କରି ପ୍ରିୟା କୁ ଭଲ କରିବାରେ କେତେବେଳେ ୬-୭ ମାସ ବିତିଗଲା, ମୁଁ ଜାଣି ପାରିଲିନି। ହେଲେ ୬-୭ ମାସ ଭିତରେ ମୋ ଘରୁ କେହି ବି ଥରେ ମତେ ଦେଖି ବାକୁ ଆସିନାହାନ୍ତି। ଆସିବା କଥା ତ ଦୁରେ ଥାଉ, ମୋ ଭଲ ମନ୍ଦ କଥା ଟିକେ ବି ଖବର ନେଇ ନାହାନ୍ତି। କିଏ ବା ନେବ, କାହିଁକି ଆଶା ବାନ୍ଧୁଛି ମୁଁ। ଝିଅଟିଏ ବୋଲି ବାପା କେବେ ବି ମତେ ତାଙ୍କ ନିଜ ପିଲା ବୋଲି ଭାବି ନାହାନ୍ତି। ସେ ଝିଅ ଜାତିଙ୍କୁ ପ୍ରବଳ ଘୃଣା କରନ୍ତି। ବାପା କାଳେ ତାଙ୍କ କଲେଜ ସମୟରେ ଜଣକୁ (ସୁରଭି) ଗଭୀର ଭାବେ ଭଲ ପାଉଥିଲେ, ତାଙ୍କ ଦୁହିଁଙ୍କ ସମ୍ପର୍କ ବହୁତ ଦିନ ଧରି ଚାଲିଥିଲା। ବାପା ସୁରଭି ମାଉସୀଙ୍କ ସବୁ ଜିଦି ଓ ଅଳି ପୁରା କରିବାକୁ ଚେଷ୍ଟା କରୁଥିଲେ। ତାଙ୍କ ପାଇଁ ବହୁତ କିଛି ତ୍ୟାଗ କରିଥିଲେ ବାପା। ଜେଜେବାପା ଓ ଜେଜେମା ଙ୍କ ସହ ସୁରଭି ମାଉସୀ ଙ୍କ କଥା ନେଇ ବହୁତ ଝଗଡା ହୁଏ, ଏମିତି କି ଜେଜେବାପା, ବାପାଙ୍କୁ ତେଜପୁତ୍ର କରିବାକୁ ବସିଥିଲେ କାରଣ ସୁରଭି ମାଉସୀ ଜମା ବି ଭଲ ପ୍ରକୃତିର ଝିଅ ନଥିଲେ, ପୁଅଙ୍କୁ ଫସେଇ କାମ ଆଉ ପଇସା ଆଦାୟ କରିବା ହିଁ କେବଳ ତାଙ୍କ ଲକ୍ଷ୍ୟ । ଜେଜେବାପା, ବାପାଙ୍କୁ ତେଜପୁତ୍ର କରିବାକୁ ଯାଉଛନ୍ତି ବୋଲି ଯେବେଠୁ ସୁରଭି ମାଉସୀ ଜାଣିବାକୁ ପାଇଲେ, ସେବେଠୁ ବାପଙ୍କ ପାଖରୁ ଦୁରେଇବା ଆରମ୍ଭ କଲେ। ବାପାଙ୍କୁ କହିଲେ, ମୁଁ ବ୍ରାହ୍ମଣ ଆଉ ତମେ ନିଚ୍ଚ ଜାତିର, ଘରେ କେବେବି ତମକୁ ଗ୍ରହଣ କରିବେନି ଆଉ ମୁଁ ଘର ବିପକ୍ଷରେ ଯାଇ ତମକୁ ବିବାହ କରିପାରିବିନି। ତେଣୁ ଭଲ ହେବ, ତମେ ମତେ ଭୁଲିଯାଅ, ଆମେ ପରସ୍ପରଠୁ ଅଲଗା ହେଇଯିବା। ବାପା ସୁରଭି ମାଉସୀଙ୍କ ଏ ନିଷ୍ପତିରେ ବହୁତ ଭାଙ୍ଗି ପଡ଼ିଥିଲେ। ପରେ କିନ୍ତୁ ବାପା ସୁରଭି ମାଉସୀଙ୍କୁ, ଆଉ ଜଣେ ଧନୀଘର ପୁଅ ସହ ମିଳାମିଶା କରୁଥିବାର ଦେଖିବାକୁ ପାଇଲେ। ସୁରଭି ମାଉସୀଙ୍କ ଏତେ ବଡ ଧୋକାକୁ ବାପା ଜମା ସହିପାରିଲେନି। ସେଇ ଧୋକା ପରଠୁ, ବାପା ଖାଲି ଜେଜେମାଙ୍କୁ ଛାଡି ଅନ୍ୟ ସବୁ ନାରୀଙ୍କୁ (ସମ୍ପୂର୍ଣ ଝିଅ ଜାତିଙ୍କୁ) ଘୃଣା କରିବା ଆରମ୍ଭ କରିଦେଲେ। ବିବାହ ପାଇଁ ବି ସେ ଜମା ରାଜି ହେଉନଥିଲେ। ବହୁ କଷ୍ଟରେ ଜେଜେ ମା ରାଣ ନିୟମ ଦେଇ ବାପାଙ୍କୁ ବିବାହ ବନ୍ଧନରେ ବାନ୍ଧିଲେ। ବିବାହ ସିନା କରିଦେଲେ, ହେଲେ ବାପା ବୋଉକୁ ସ୍ତ୍ରୀ ଭାବେ ଗ୍ରହଣ କରିପାରୁନଥିଲେ। କିଛି ବର୍ଷ ପରେ ମୁଁ ଜନ୍ମ ହେଲି। ନିଜର ଝିଅ ଟିଏ ହେଇଛି ଶୁଣି ବାପାଙ୍କ ରାଗ ପଞ୍ଚମ ହେଇଗଲା, ରାଗରେ ମତେ ଚାହିଁଲେନି କି କୋଳକୁ ନେଲେନି। କାହିଁ ଝିଅ ଟିଏ ଜନ୍ମ କଲୁ କହି, ଅନ୍ତୁରି ଘରେ କାଳେ ବୋଉକୁ ବହୁତ ବାଡେଇଲେ। ମୋ ଜନ୍ମ ପରଠୁ, ପ୍ରତିଦିନ ସେ ବୋଉକୁ ବାଡ଼ାନ୍ତି। ମୋ ମୁହଁକୁ ଚାହିଁ ବୋଉ ସବୁ ସହିଯାଏ। ବାପାଙ୍କ ଏମିତି ମୂର୍ଖ ରୂପ ଦେଖି, ଜେଜେବାପା ଓ ଜେଜେମା ବହୁତ ଶୀଘ୍ର ଆର ପାରିକୁ ଚାଲିଗଲେ। ମତେ ସାମ୍ନାରେ ଦେଖିଲେ ବାପାଙ୍କ ରକ୍ତ ତାତି ଉଠୁଥିଲା, ତେଣୁ ଅତି ଛୋଟବେଳୁ ମତେ ବୋଡିଙ୍ଗ ସ୍କୁଲ ପଠେଇଦେଲେ, ଯଦ୍ୱାରା ତାଙ୍କୁ ପ୍ରତିଦିନ ମୋ ଚେହେରା ଦେଖିବାକୁ ମିଳିବନି। ମା ଏତେ ଦୁର୍ବଳ ହେଇ ଯାଇଥିଲା ଯେ ଦ୍ୱିତୀୟ ସନ୍ତାନ କଲେ, ମା ମରିଯାଇ ପରେ ବୋଲି ଡାକ୍ତର କହିଲେ। ହେଲେ ବାପାଙ୍କୁ ପୁଅ ଦରକାର ଥିଲା, ଯାହାକୁ ସେ ନିଜ ଛୁଆ ବୋଲି ସମାଜ ଆଗରେ ପରିଚୟ ଦେବେ। ତେଣୁ କାହାକୁ କିଛି ନ ଜଣେଇ ସେ ଦ୍ୱିତୀୟ ବିବାହ କରିଦେଲେ। ହେଲେ ସାନ ବୋଉ (ସାବତ ବୋଉ) ବହୁତ ଉଦ୍ଧତ, ଚଣ୍ଡି ସ୍ୱଭାବର ଥିଲେ। ବୋଉକୁ ସେ ବହୁତ ହଇରାଣ କରୁଥିଲେ। ମୁଁ ଵୋଡିଙ୍ଗ ସ୍କୁଲ ରେ ଥାଇ ଏସବୁ କିଛି ଜାଣିପାରୁନଥିଲି। ମତେ ଦେଖା କରିବାକୁ ବାପା କି ବୋଉ କେହି କେବେ ବି ଆସୁନଥିଲେ। ବାପା ଖାଲି ମୋ ସ୍କୁଲ ଖର୍ଚ୍ଚ ବାବଦକୁ ପଇସା ମାସକୁ ମାସକୁ ପଠେଇ ଦେଉଥିଲେ। ପୁଅକୁ ଅନେଇ ସାନବୋଉଙ୍କ ଔରସରୁ ଦୁଇଟି ଝିଅ ଜନ୍ମ ନେଲେ। ଯେହେତୁ ମୋ ବୋଉ ପରି ସାନବୋଉ ଜମା ନିରୀହ ନଥିଲେ, ତେଣୁ ମୋ ସହ ହେଇଥିବା ଅନ୍ୟାୟ ମୋ ଦୁଇ ସାନ ଭଉଣୀଙ୍କ ସହ ହେଲାନି। ଆମ ଘରେ ସାନବୋଉଙ୍କ ଶାସନ ଚାଲୁଥିଲା, ତାଙ୍କୁ ଡରି ବାପା ପୁରା ଚୁପ ହେଇଯାଇଥିଲେ। ସେ କାଳେ ବୋଉକୁ ଆଉ ନ ବାଡେଇ, ସ୍ତ୍ରୀ ରୂପେ ସମ୍ମାନ ଦେବା ଆରମ୍ଭ କରିଦେଇଥିଲେ। ତଥାପି ମତେ ସେ ଆପଣେଇ ପାରୁନଥିଲେ। ନ ହେଲେ, ସେଦିନ ମୁଁ ଓଡିଶା ଛାଡିବା କଥା କୁହନ୍ତେ, ବାପା ସଙ୍ଗେ ସଙ୍ଗେ ମତେ ଦିଲ୍ଲୀ ଯିବାକୁ କାହିଁକି ବାଧ୍ୟ କରିଥାନ୍ତେ। ଦିଲ୍ଲୀ ଯିବାଦିନ, ଥରୁଟିଏ ମତେ ବାଟେଇ ଦେବାକୁ ଷ୍ଟେସନ ପାଖକୁ କାହିଁକି ଆସିନଥାନ୍ତେ। ଛାଡ। ଝିଅର ବୟସ ହେଲା ପରେ ବାହାଘର କରିବାରେ ଡେରି ହେଲେ, ସମାଜ ଅନେକ କଥା କୁହେ, ସମାଜକୁ ଡରି ବୋଧେ, ବାପା ଜିଦ କରି ମୋ ବାହାଘର ସମୀର ସାଥେ କରିଦେଇ ବାପାର କର୍ତ୍ତବ୍ୟ ଓ ଦାୟିତ୍ବରୁ ନିଜକୁ ମୁକ୍ତ କରିଦେଲେ। ହେଲେ ବିଦାୟ ବେଳେ, ସେଦିନ ବାପାଙ୍କ ଆଖିରେ ଲୁହ ଦେଖୀ ମତେ ବହୁତ ଖୁସି ଲାଗିଥିଲା, ଏତେ ଖୁସି ଯେ ମୁଁ ଭାଷାରେ ପ୍ରକାଶ କରିପାରିବିନି। ଛାଡ, ଅତୀତ କଥା ମନେ ପକେଇ କି ଲାଭ ମିଳିବ, ଖାଲି ମିଳିବ କେଇ ବୁନ୍ଦା ଲୁହ। ଏବେ ତ ମୋର ଗୋଟିଏ ଲକ୍ଷ୍ୟ, ଆକାଶଙ୍କ ଦେହାନ୍ତ ଦିନ ପ୍ରିୟା ସହିତ କଣ ଘଟିଥିଲା, କିଏ ଘଟେଇଥିଲା, ସେ ସବୁ ଯେତେ ଶୀଘ୍ର ଜାଣିବା। ଏତକ କହି ଆଖିର ଲୁହ ପୋଛୁଛି, ମା (ଶାଶୁ) ସୀମା ସୀମା ( ପୁଅ ଘରେ ଚତୁର୍ଥୀ ପୂଜା ଦିନ, ଶାଶୁ ଆଉ ସମୀର ଙ୍କ ନାଁ ସହ ମେଳ ଖୁଆଇ, ମୋ ଶାଶୁ ମୋ ନାଁ ସୀମା ରଖିଥିଲେ) ଡାକ ଛାଡି ରୁମକୁ ପଶି ଆସିଲେ। ଆଲୋ ବାୟାଣୀ, ତୁ ଏଇଠି କଣ ଛିଡା ହେଇଛୁ? ମୁଁ ପରା ତତେ କେତେ ଡାକିଲିଣି। ରୁମ ବାହାରକୁ ଆସେ, ଦେଖ କିଏ ଆସିଛି ତତେ ଦେଖା କରିବାକୁ। ମୁଁ ଆଶ୍ଚର୍ଯ୍ୟ ହେଇ ପଚାରିଲି, ମତେ ଦେଖା କରିବାକୁ! କିଏ ଆସିଛନ୍ତି ମା (ଶାଶୁ)? ଆଲୋ ମତେ କଣ ପଚାରୁଛୁ, ବାହାରକୁ ଆସେ ନିଜେ ଦେଖିବୁ କହି ଶାଶୁ ଚାଲିଗଲେ ଆଉ ମୁଁ ତାଙ୍କ ପଛେ ପଛେ।



Rate this content
Log in

Similar oriya story from Drama