STORYMIRROR

Suchismita Sahoo

Drama Romance

3  

Suchismita Sahoo

Drama Romance

ତୁମକୁ ପାରୁନି ତ ଭୁଲି (ଭାଗ-୧୪)

ତୁମକୁ ପାରୁନି ତ ଭୁଲି (ଭାଗ-୧୪)

5 mins
214


‌ବାପାଙ୍କଠାରୁ ଅଟୋବାଲା ନାଁ ଶୁଣି ମୁଁ ପୁରା ସ୍ତବ୍ଧ ହୋଇଗଲି। ତା ମାନେ, ଏ ଚାରି ଜଣଙ୍କ ମଧ୍ୟରେ ଅଟୋବାଲା ବି ଅଛି! , ହେଲେ ତାକୁ କାହିଁକି ଆରେଷ୍ଟ କରାହେଲା ? ଆକାଶଙ୍କ ଶବ ଜାଳିବା ଅପରାଧରେ, ନା ଆଉ କିଛି ? ଯଦି ସତରେ ଆକାଶଙ୍କ ଶବ ଜାଳିବା ପାଇଁ ତାକୁ ଦଣ୍ଡ ମିଳିଛି, ତେବେ ତ ବାପା ମଧ୍ୟ ଫସିଯିବେ। ମୁଁ ଏ କଣ କଲି ? ଏ ବୟସରେ କ'ଣ ବାପାଙ୍କୁ କାରାଗାର ଦଣ୍ଡ ଭୋଗିବାକୁ ହେବ ? ସେ ତ ବଞ୍ଚାଇଥିଲେ ପ୍ରିୟାକୁ, ଅଟୋବାଲା ହିଁ ତାଙ୍କୁ ଡରାଇ ଏମିତି ଭୁଲ କରାଇଦେଲା ତାଙ୍କ ଦ୍ୱାରା। ନା ନା, ମୋ ବାପାଙ୍କର କିଛି ଭୁଲ୍ ନାହିଁ। ପ୍ରିୟାର ତ ଯାହା ହେବା କଥା ହୋଇସାରିଲାଣି, ମୁଁ ଚଣ୍ଡାଳୁଣୀ କ'ଣ ପାଇଁ ଏ ପୋଲିସ କେସ୍ କରିବାକୁ ବାପାଙ୍କୁ ବାଧ୍ୟ କଲି ? ସବୁ ଦୋଷ ମୋର। ସେ ସମୟରେ ମୁଁ ସ୍ୱାର୍ଥପର ଭାବେ କେବଳ ବାପାଙ୍କ କଥା ଭାବୁଥାଏ। ଠିକ୍ ସେତିକିବେଳେ ଅଟୋବାଲା ଦୌଡ଼ି ଆସି ବାପାଙ୍କ ଗୋଡ଼ ତଳେ ପଡିଯାଇ କହିଲା, ମତେ ବଞ୍ଚାନ୍ତୁ ମଉସା, ମତେ ବଞ୍ଚାନ୍ତୁ। ମୁଁ ମାନୁଛି ମୋ ଦ୍ୱାରା ଭୁଲ୍ ହୋଇଛି। ସେଦିନ ଏ ବାବୁ (ମାମୁଁଙ୍କ ଆଡ଼କୁ ହାତ ଠାରି) ଆଉ ୪ ଜଣ ଲୋକ, ମତେ ବହୁତ ପଇସା ଦେଇ କହିଲେ, ଏ ଝିଅ ରମାଦେବୀ କଲେଜ ପହଞ୍ଚିବା ପୂର୍ବରୁ ତାକୁ ଉଠାଇ ନେଇ ଖଣ୍ଡଗିରି ଆଡେ ନେଇଯିବୁ। ମୁଁ ଜମା ବି ରାଜି ହେଉନଥିଲି, ହେଲେ ଭଉଣୀ ବାହାଘର ପାଇଁ ପଇସା ଦରକାର ଥିଲା। ତେଣୁ ମୁଁ ଲୋଭରେ ପଡି ଏମାନଙ୍କ କଥାରେ ରାଜି ହୋଇଗଲି। ଯୋଜନା ମୁତାବକ, ଅଟୋରେ ମୋ ସହ ଦୁଇଜଣ ବସିଲେ ଆଉ ବାକି ତିନି ଜଣ ଆଗେ ଆଗେ ଖଣ୍ଡଗିରି ଆଡେ ମୁହାଁଇଲେ। ହେଲେ ସେ ଝିଅକୁ କିଡନାପ୍ କରିବା ପୂର୍ବରୁ, ଜଣେ ଆସି ତାଙ୍କୁ ବାଇକ୍ ରେ ବସାଇ ନେଇଗଲା। ଆମ ଯୋଜନା ଭଣ୍ଡୁର ହୋଇଗଲା। ଏମାନେ ମତେ ଟଙ୍କାଟିଏ ବି ଦେଲେନି। ତାର କିଛି ସମୟ ପରେ ଆପଣ ବରମୁଣ୍ଡା ଆଡେ ଯିବାକୁ କହିଲେ। ଆଉ ରାସ୍ତାରେ ନାରୀର କରୁଣ ସ୍ୱର ଶୁଣି ମୁଁ ନିଶ୍ଚିତ ହେଇଗଲି ଯେ, ଏମାନଙ୍କୁ ସେ ଝିଅ ମିଳିଯାଇଛି ଆଉ ଏମାନେ କୁକୁର ଭଳି ତା ଦେହକୁ ଝୁଣି ଖାଇଦେଇଛନ୍ତି। ତେଣୁ ଆପଣଙ୍କୁ ସେଠିକି ଯିବାକୁ ମନା କରୁଥିଲି। ହେଲେ ଆପଣ ଶୁଣିଲେନି। ଆକାଶ କିଏ ମୁଁ ଜାଣିନି, ଆକାଶର ଶବ ସେଠାକୁ କେମିତି ଆସିଲା ତାହା ବି ମୁଁ ଜାଣେନି। ମୁଁ ଜେଲ୍ ଗଲେ ମୋ ମା' ଆଉ ଭଉଣୀଙ୍କ ଅବସ୍ଥା କଣ ହେବ ଭାବି ମୁଁ ବହୁତ ଡରି ଯାଇଥିଲି। ମୋତେ କ୍ଷମା କରିଦିଅ ମଉସା, ସତ କହୁଛି, ମୁଁ ସେ ଝିଅକୁ ରେପ୍ କରିନି। ମତେ ବଞ୍ଚେଇଦିଅ, ବଞ୍ଚେଇଦିଅ ମଉସା। ଆଉ ଜଣେ ମଧ୍ୟ ଆସି ବାପାଙ୍କ ଗୋଡ଼ ଧରି କାନ୍ଦିବାକୁ ଲାଗିଲା, ଭାଇନା ମତେ ବଞ୍ଚେଇଦିଅ, ମୋର ଭୁଲ୍ ହୋଇଗଲା। ଘରେ ଆପଣଙ୍କ ବଡ଼ ଝିଅ (ସୀମା/ମୁଁ ନିଜେ) ସହ ଏ ଝିଅର ଫୋଟୋ ଦେଖି ମୁଁ କାମନାର ବଶବର୍ତ୍ତୀ ହୋଇ ଭୁଲ୍ କରିବାକୁ ଯୋଜନା କରିଥିଲି ସତ, ହେଲେ ମୁଁ କିଛି କରିନି, ମୁଁ ସେ ଝିଅକୁ ସେଦିନ ବଳାତ୍କାର କରିନି। ଯୋଜନା ମୁତାବକ, ସେ ଝିଅକୁ ଧରି ଅଟୋବାଲା ଖଣ୍ଡଗିରି ଆସିଲାନି, ମୁଁ ରାଗରେ ବହୁତ ସାରା ମଦ ପିଇ ସେଦିନ ମଦଭାଟିରେ ପଡ଼ିଥିଲି। ମତେ ବିଶ୍ୱାସ କର, ମୁଁ ଏ ବଳାତ୍କାର କରିନି। ସେ ଲୋକର ବାପାଙ୍କୁ ଭାଇନା ଡାକିବାର ଶୁଣି ମୁଁ ବୁଝିଗଲି, ଏ ଲୋକ ହିଁ ମୋ କଂସ ମାମୁଁ। ନା ନା, ମାମୁଁ ଖୋଳପା ତଳେ ରକ୍ତ ମାଂସ ଖିଆ ନର ରାକ୍ଷସ। ପୋଲିସ ଷ୍ଟେସନ୍ ରେ ପହଞ୍ଚିବା ପରେ, ପ୍ରିୟାର ଗୋଟେ ଗୁରୁତ୍ୱପୂର୍ଣ୍ଣ କଲ୍ ଆସିବାରୁ ସେ ବାହାରେ ଥାଇ କଥା ହେଉଥିଲା। ଠିକ୍ ଏଇ ସମୟରେ ସେ ଷ୍ଟେସନ ଭିତରକୁ ଆସିଲା। ତାକୁ ଦେଖିବା ମାତ୍ରେ, ମାମୁଁ ଆଉ ଅଟୋବଲା ପ୍ରିୟାର ଗୋଡ଼ ଧରି କାନ୍ଦିବାକୁ ଲାଗିଲେ। କହିଲେ, ମ୍ୟାଡାମ୍, ଦୟାକରି ପୋଲିସ୍ ବାବୁ ଆଉ ସମସ୍ତଙ୍କୁ କହିଦିଅ ଯେ, ମୁଁ ଆପଣଙ୍କର କିଛି ବି କ୍ଷତି କରିନି, ମୁଁ ବଳତ୍କାର କରିନି ଆପଣଙ୍କୁ। ପ୍ରିୟାର ଗୋଡ଼ ଧରି ବଳତ୍କାର ପ୍ରସଙ୍ଗ ଶୁଣି, ସମୀର ପୁରା ଆଶ୍ଚର୍ଯ୍ୟ କାରଣ ସେଦିନ ପୋଲିସ୍ କେସ କଥା ଯଦିଓ କହିଥିଲି, ହେଲେ କେସ୍ ର କାରଣ ବିଷୟରେ କିଛି ବି କହି ନଥିଲି। ସମୀର ବହୁତ ଥର ପଚାରିଥିଲେ, ମୁଁ ନ କହି ସମୟ ସୁବିଧା ଦେଖି କହିବି ବୋଲି ତାଙ୍କୁ କଥା ଦେଇଥିଲି। ସମୀର ରାଗି ଯାଇ, ମାମୁଁଙ୍କୁ ଜୋରରେ ଗୋଟେ ଚଟକଣା ଦେଇ କହିଲେ, କିଏ ତୁ? କାହାକୁ କ'ଣ କହୁଛୁ ଜାଣିପାରୁଛୁ ତ? ଏ ଝିଅ ଆଗରେ ବଳତ୍କାର କଥା କାହିଁକି କହୁଛୁ? ତୁ ବଳତ୍କାର କରିନୁ ଅର୍ଥ କ'ଣ? ଇଆଡୁ ସିଆଡୁ ଗପିବାକୁ ତୋର ସାହସ କେମିତି ହେଲା ? ମୁଁ ସମୀରଙ୍କୁ ଅଟକାଇବାକୁ ଯାଉଥିଲି, ହେଲେ ସମୀରଙ୍କ କ୍ରୋଧ ଦେଖି ପଛଘୁଞ୍ଚା ଦେଇଦେଲି। ତାଙ୍କ ଆଖିରେ ଥିଲା ନିଜ ଅଲିଅଳି ଭଉଣୀ ପାଇଁ ସ୍ନେହ, ଭଲପାଇବା ଆଉ କର୍ତ୍ତବ୍ୟର କ୍ରୋଧ। ସେଦିନ ବୁଝିଲି ରାକ୍ଷୀର ମହତ୍ତ୍ୱ, ଜଣେ ବଡ଼ ଭାଇର ଆବଶ୍ୟକତା। ପୋଲିସ୍, ପ୍ରିୟାକୁ ପଚାରିଲେ, ମ୍ୟାଡାମ୍, ଏମାନେ କ'ଣ ସେଦିନ ଆପଣଙ୍କୁ..? ଏଇ ୪ ଜଣ ଥିଲେ ନା ଆଉ କିଏ ଥିଲେ ? କିଛି ଠିକ୍ ସେ ମନେ ପଡୁଛି ? ଟିକେ ମନେ ପକାଇ ସବୁ ସତ କଥା କୁହନ୍ତୁ। ଏମାନଙ୍କୁ କଠିନରୁ କଠିନ ଦଣ୍ଡ ମିଳିବା ଦରକାର। ମ୍ୟାଡାମ୍, ଆପଣ ଏତେ ଚୁପ କାହିଁକି ? କୁହନ୍ତୁ ନା ସେଦିନ କ'ଣ ହୋଇଥିଲା ଆପଣଙ୍କ ସହ ? ପ୍ରିୟାର ଆଖିରେ ଲୁହର ଧାର ଦେଖି ବୁଝିଗଲି ଯେ ପୋଲିସ୍ ବାବୁଙ୍କ ପ୍ରଶ୍ନବାଣ ପ୍ରିୟାକୁ ବହୁତ ଆଘାତ ଦେଉଛି। ପ୍ରିୟା କାନ୍ଦୁ କାନ୍ଦୁ ଚିତ୍କାର କରି ଉଠିଲା, ବନ୍ଦ୍ କର, ବନ୍ଦ୍ କର ସବୁ, ମୋର ବଳତ୍କାର ହୋଇନି। ମତେ ସେଦିନ କେହି ବଳତ୍କାର କରିନାହାନ୍ତି। ସମସ୍ତେ ଏଠି ମିଛ କହୁଛନ୍ତି। ଏ ୪ ଜଣଙ୍କୁ ମୁଁ ଜାଣିନି, ଏ କେସ୍ ଦୟାକରି ଉଠେଇ ନେ ସୁ (ମୋର ଭଲ ନାମ ସୁକନ୍ୟା, ପ୍ରିୟା ମତେ ସୁ ବୋଲି ଡାକେ)। ଏତିକି କହି କାନ୍ଦି କାନ୍ଦି ପୋଲିସ ଷ୍ଟେସନ ବାହାରକୁ ଦୌଡ଼ି ପଳେଇଲା, ଆଉ ଆମେ ତିନି ଜଣ ତା ପଛେ ପଛେ। ପ୍ରିୟା ପାଖକୁ ଆସି ତାକୁ କହିଲି, ଜାଣିଛି ତତେ ବହୁତ କଷ୍ଟ ହେଉଛି, ହେଲେ ମୁଁ ଏ ବିଷୟରେ ତୋ ସହ କଥା ହେବାକୁ ଚାହୁଁଛି। ପ୍ରିୟା ସମ୍ପୂର୍ଣ୍ଣ ନୀରବ ରହିଲା। ହେଲେ ମୁଁ ତ ନ ଛୋଡ଼ ବନ୍ଧା। ପୁଣି କହିଲି, ପ୍ରିୟା ତୋ ନୀରବତା ର ଅର୍ଥ ମୁଁ କଣ ବୁଝିବି, ହଁ/ନା? ସେଇ ସମୟରେ ସମୀର ମୋ କାନ୍ଧ ଉପରେ ହାତ ରଖିଲେ। ମୁଁ ବୁଝିଗଲି, ସେ ମତେ ଇସାରାରେ ଚୁପ୍ ହେବାକୁ କହୁଛନ୍ତି। ମୁଁ ଗୋଟେ ଅଟୋ ରୋକିଲି ଆଉ ପାଖ ପାର୍କ ଆଡେ ଯିବାକୁ କହିଲି। ସମୀର ଆଉ ପ୍ରିୟା କିନ୍ତୁ ପାର୍କ ଯିବାକୁ ଜମା ରାଜି ହେଉନଥିଲେ। ବହୁତ କଷ୍ଟରେ ତାଙ୍କୁ ରାଜି କରାଇଦେଲି। ସେଠି ପହଞ୍ଚୁ ପହଞ୍ଚୁ, ମୁଁ ମୋ ପ୍ରଶ୍ନବାଣ ପୁଣି ଆରମ୍ଭ କରିଦେଲି। ତୁ ପୋଲିସ ଷ୍ଟେସନରେ ମିଛ କାହିଁକି କହିଲୁ? ବଳତ୍କାର ହେଇନି ବୋଲି କାହିଁକି କହିଲୁ? ତୁ ଜାଣିଛୁ କି ନାହିଁ ଜାଣିନି, ହେଲେ ସେଦିନ ତତେ ମୋ ବାପା ବଞ୍ଚେଇ ହସ୍ପିଟାଲ ନେଇଥିଲେ, ସେ ହିଁ ତୁମ ଘର ଲୋକଙ୍କୁ ଫୋନ କରି ଜଣେଇଥିଲେ। ବାପା କେବେବି ମିଛ କୁହନ୍ତିନି। ତେବେ, ତୁ ଏ ମିଛ କାହିଁକି କହୁଛୁ ? ଯଦି ଏମାନେ (ଯୋଉ ୪ ଜଣ ଆରେଷ୍ଟ ହୋଇଥିଲେ) କିଛି କରିନାହାନ୍ତି, ତେବେ କିଏ କରିଛି ? ପ୍ରିୟା ଆଉ ଚୁପ୍ ରହନି, ଦୟାକରି ମୋତେ କୁହ, କିଛି ତ କୁହ। ସମୀର ଏ ସବୁ ଦେଖି ପୁରା ଆଶ୍ଚର୍ଯ୍ୟ ଆଉ ରାଗରେ ନିଆଁ ବାଣ ହୋଇ କହିଲେ, ଚୁପ୍ କର, କ'ଣ ସବୁ କହିଚାଲିଛ? ପ୍ରିୟା, ଚାଲ୍, ଆମେ ଏଠୁ ପଳେଇବା। ସମୀରଙ୍କ ରାଗିବା ଟା ସ୍ୱାଭାବିକ। ମୁଁ ସଙ୍ଗେ ସଙ୍ଗେ ପ୍ରିୟା ର ହାତ ଧରି କହିଲି, କହ ପ୍ରିୟା ସେମାନଙ୍କୁ ଦଣ୍ଡ ମିଳିବା ଦରକାର ନ ହେଲେ ସେମାନେ ଆହୁରି ଏମିତି ଭୁଲ୍ କରିବସିବେ। ପ୍ରିୟା ନୀରବତା ଭାଙ୍ଗି ରାଗ ମିଶା ସ୍ୱରରେ ଚିଲେଇ କହିଲା, ହଁ, ସେଦିନ ମୋତେ ବଳତ୍କାର କରାହୋଇଥିଲା, ହେଲେ ବହୁତ ଜଣ ମିଶି ନୁହେଁ, କେବଳ ଜଣେ ପୁରୁଷ ବାରମ୍ବାର କରିଥିଲା। ଆଛା, ସେମାନଙ୍କୁ ଦଣ୍ଡ ଦେବା କଥା କହୁଛୁ, କିଏ ଦେବ? ତୁ? ପୋଲିସ ? ସମାଜ ? ନା ମୋ ପରିବାର ? ଯଦି ତାର ନାଁ କହିବି, ତେବେ ତୁ ପୁରା ଚୁପ୍ ହୋଇଯିବୁ। ତୋର ଏଇ ନାରୀନେତ୍ରୀ ରୂପ ବି ଗୋଟିଏ ଉପହାସ ପାଲଟିଯିବ। ଆସିଲେ, ମତେ ନ୍ୟାୟ ଦେବାକୁ। ଏତିକି କହି ସମୀରଙ୍କୁ କୁଣ୍ଢାଇ କାନ୍ଦି ଉଠିଲା ପ୍ରିୟା ଆଉ ମୁଁ ଆଶ୍ଚର୍ଯ୍ୟ ରେ ଖାଲି ତାକୁ ଚାହିଁ ରହିଥିଲି।


କ୍ରମଶଃ...


Rate this content
Log in

Similar oriya story from Drama