Nityananda Nandi

Inspirational

4.1  

Nityananda Nandi

Inspirational

ଟୁ ଲେଟ

ଟୁ ଲେଟ

4 mins
391



ଖଟରୁ ପାଦ ଓହ୍ଲେଇ ଭୂଇଁରେ ରଖିବା ପୂର୍ବରୁ ଆଖି ପକେଇଲି ମୋବାଇଲ ଉପରେ, ବାପାଙ୍କ ମେସେଜ !


ରବି ଓ ମୀରା !

ଆମ ତୀର୍ଥ ଯାତ୍ରା ବସଟା ରାତି ତିନିଟାରେ ଆସି ପହଁଚିଲା। ଏତେ ସଅଳ ଆସିଲା ଯେ ତୁମ ଦୁହିଁଙ୍କୁ ଦେଖା କରିବା ଆଉ ସମ୍ଭବ ହେଲାନି। ଏମିତି ବି କାର୍ଯ୍ୟକ୍ରମ ଅନୁଯାୟୀ ବସ ସକାଳ ସାତଟାରେ ଆମ ସୋସାଇଟି ଛାଡିବାର ଥିଲା। ସକାଳେ କୁଆଡେ ବହୁତ କୁହୁଡି ହୁଏ ଘାଟି ଉପରେ। କୁହୁଡି ଆସିବା ଆଗରୁ ପାହାଡିଆ ରାସ୍ତା ଅତିକ୍ରମ କରିଗଲେ ଭଲ ହେବ ବୋଲି ଟୁର୍ ପରିଚାଳକ ଗାଡି ଛାଡିବାର ସମୟକୁ ବଦଳେଇ ଦେଲେ। ଧାଁ ଧପଡ କରି ପ୍ରସ୍ତୁତ ହୋଇ ଲିଫ୍ଟ ପାଖକୁ ଦୌଡିଲୁ। ଆପାତତଃ ଦେଖା ହୋଇ ଯାଇଥା'ନ୍ତା ତମ ମାନଙ୍କ ସାଥିରେ। ଦେଖିଲା ବେଳକୁ ଲିଫ୍ଟ ବନ୍ଦ ଅଛି। ଏଇ ବୟସରେ ପାଞ୍ଚ ତାଲାକୁ ଉଠିବା ଆମ ଦୁହିଁଙ୍କ ପକ୍ଷେ ସମ୍ଭବ ନ ଥିଲା। ଫୋନ ନଟ୍ ରିଚେବଲ୍ ଆସିଲା। ମୀରାର ଫୋନ ସୁଇଚ ଅଫ ଥିଲା। କିଛି ଉପାୟ ନ ପାଇ ଚାବି ଆମ ସାମ୍ନା ଫ୍ଲାଟରେ ରହୁଥିବା ବାସନ୍ତୀକୁ ଦେଇଛି। ଚାବି ରଖି ନେବ। ଆମ ଫ୍ଲାଟ୍ ଭିତରକୁ ଯାଇ ପାଣି ପାଇପ, ଗ୍ୟାସ ଚୁଲା ସବୁ ବନ୍ଦ୍ ଅଛି କି ନାହିଁ ଆଉ ଥରେ ଦେଖିବ। କାଲି ରାତିରେ ବୋଉର ଆଣ୍ଠୁ ରେ ଆର୍ଥରାଇଟିସ ଯନ୍ତ୍ରଣା ଆସିଲା। କିଛି ଉପାୟ ନ ପାଇ ଅମୃତାଞ୍ଜନ ମାଲିସ କରିଦେଲି। ଟିକିଏ ଆରାମ ଲାଗିଲା ତୋ ବୋଉକୁ। ଅମୃତାଞ୍ଜନ ଡବାର ଠିପିଟା ହାତରୁ ପଡି ଯାଇ ଆଲମୀରା ତଳକୁ ଚାଲିଗଲା ଯେ ତା ଭିତରୁ ଆଣିବା ଆଉ ସମ୍ଭବ ହେଲାନି। ଠିପିଟାକୁ ଉଠେଇ ଆଣି ଡବାରେ ଟାଇଟ୍ କରି ଲଗେଇ ଦେବ। ନ ହେଲେ ଅମୃତାଞ୍ଜନ ଡବାରୁ ଗନ୍ଧ ଉଡ଼ିଯାଇପାରେ।


ରବି ! କାଲି ରାତିରେ ବାଲକୋନୀ ଗ୍ରିଲ ଦେଇ ଛୋଟ ଚା ଚାମୁଚଟା ତଳେ ପଡି ଗଲା ଯେ ତଳକୁ ଯାଇ ଅନ୍ଧାରରେ ଖୋଜିବା ଆଉ ସମ୍ଭବ ହେଲା ନାହିଁ। ଭାବିଥିଲୁ ସକାଳେ ବସ ଆସିବା ଆଗରୁ ତଳକୁ ଯାଇ ନେଇ ଆସିବି। ବସ ରାତିରେ ଆସିଗଲା ଯେ ତଳକୁ ଯିବା ପାଇଁ ଆଉ ସମୟ ହେଲାନାହିଁ। ତଳକୁ ଯାଇ ଚାମୁଚଟାକୁ ଉଠେଇ ଆଣିବ। ବେଶି ଲେଟ୍ କଲେ କିଏ କୁଆଡେ ଉଠେଇ ନେବ। ଜିଣିଛ ତ ଛୁଞ୍ଚିଟିଏ ହଜିଗଲେ ବୋଉ ଦୁଇ ଦିନ ଶୋଏନି ବୋଲି। 

କିଚେନ ରୁମରେ ଅସରପା ଭରି ଯାଇଛି। ବ୍ଲାକ ହିଟ ସ୍ପ୍ରେ ମୁଢି ଡବା ପଛରେ ଅଛି। ମଝିରେ ମଝିରେ ଟିକେ ଭଲ କରି ସ୍ପ୍ରେ କରିବାକୁ ଜମାରୁ ଭୁଲିବ ନାହିଁ । ବୋଉ ଷ୍ଟୁଲ ଉପରେ ଛିଡା ହୋଇ ସ୍ପ୍ରେ କରିବାକୁ ଚେଷ୍ଟା କରୁଥିଲା ହରବରିରେ। ପଡିଯାଇ ଥାଆନ୍ତା ମୁଁ ଧରି ପକେଇଲି। ସିଆଡେ ପୁଣି ବସ ହର୍ଣ୍ଣ୍ ମାରୁଥିଲା। ବାକି ରହିଗଲା ଟୁକ୍ ଟାକ କାମ ସବୁ।

ଅଟା ଚକଟା ବଳିଗଲା। ଫ୍ରିଜ ଭିତରେ ବୋଉ ରଖିଛି, ନେଇ ଯିବ। ଚଗଲା ପାଇଁ କୋଉଠୁ କଣ ଆଣିବି, ତାକୁ କହିବ ୱାଟ ସପ୍ ମେସେଜ କରିବ। ଲେଖୁ ବା ନ ଲେଖୁ ହରିଦ୍ଵାରରୁ ପ୍ରସିଦ୍ଧ ପେଡା ଆଣିବି।

ବାପା


ମନଟା ବିଷର୍ଣ୍ଣ ହୋଇଗଲା। ତୀର୍ଥ ଯାତ୍ରାରେ ବାହାରି ଗଲେ ବାପା, ବୋଉ। ମାସେ ରହିବେ ବାହାରେ। ସାରା ଭାରତ ଦର୍ଶନ କରି ଫେରିବେ। ଦେଖା ହେଲାନି


ରାତିରେ ସବୁ କଥା କହିଲି ମୀରାଙ୍କୁ। ମୀରା ମୋ ସ୍ତ୍ରୀ। ଗୋଟାଏ ଆପାର୍ଟମେଣ୍ଟରେ ବାପା ବୋଉଙ୍କ ପାଇଁ ଅଲଗା ଫ୍ଲାଟ୍ କିଣିବାଟା ମୋ'ରି ନିଷ୍ପତ୍ତି ଥିଲା। ସେଇଥି ପାଇଁ ମୀରାଙ୍କ ଉପରେ ରାଗି ପାରୁ ନ ଥିଲି। ସାଧାରଣତଃ ବୋହୂମାନେ ଏମିତି ନିଷ୍ପତ୍ତି ନିଅନ୍ତି ବୋଲି ଲୋକମାନେ ଭାବନ୍ତି। ଆମ ମୀରା କିନ୍ତୁ ସେମିତି ନୁହେଁ। ଆମଠୁ ଟିକିଏ ଦୂରରେ ବାପା ବୋଉ ୱାନ୍ ବେଡ ରୁମ ଫ୍ଲାଟରେ ଖୁସିରେ ରହିବେ ବୋଲି ମୋର ଚିନ୍ତାଧାରା ଭୁଲ ବୋଲି ସାବ୍ୟସ୍ତ ହେଇ ଯାଉଥାଏ ଧୀରେ ଧୀରେ। ତଳେ ପଡି ଯାଇଥିବା ଛୋଟିଆ ଚାମୁଚ ପାଇଁ ବି ଅସ୍ତବ୍ୟସ୍ତ ହୋଇ ପଡନ୍ତି ମୋ ବାପା ବୋଉ। ବୋଉ ଆଣ୍ଠୁରେ ଆର୍ଥରାଇଟିସ ଯନ୍ତ୍ରଣା ହୁଏ, ସେ ମୋତେ କେବେ କହିନାହିଁ କିମ୍ବା ମୁଁ ଜାଣିବାକୁ ଚେଷ୍ଟା କରିନି। ବାପା ତା ଆଣ୍ଠୁରେ ଅମୃତାଞ୍ଜନ ମାଲିସ କରି ଦେଇଛନ୍ତି, ଦୁଇ ଟୋପା ଲୁହ ବୋହି ଆସିଲା ମୋ ଗାଲ ଦେଇ... 

ସେମାନେ ଯଦି ଆମ ସହିତ ରହୁଥା'ନ୍ତେ ଏମିତି ପରିସ୍ଥିତି ସୃଷ୍ଟି ହେଇ ନ ଥାଆନ୍ତା। ଏଇ ବୟସରେ ଅଟା ଚକଟିବାଠୁ ଆରମ୍ଭ କରି ବ୍ଲାକ ହିଟ ସ୍ପ୍ରେ କରିବା ପର୍ଯ୍ୟନ୍ତ ସବୁ ଦାୟିତ୍ଵ ତାଙ୍କରି ହାତରେ। ଏଇ ବୟସରେ ସବୁ କାମ କରୁଛନ୍ତି ସେମାନେ। କେବେ ହେଲେ ମୁହଁ ଖୋଲି କହି ନାହାନ୍ତି ଏ କାମ ସବୁ ଆମ ଦ୍ଵାରା ହେବନି। କେବେ ହେଲେ କହି ନାହାନ୍ତି ଆମେ ପୁଅ ଜନ୍ମ କରିଥିଲୁ, କଣ ଏମିତି ଅଲଗା ରହିବା ପାଇଁ। ଭାରି ସ୍ଵାଭିମାନୀ ଆମ ବାବା, ମା। ଏମିତି ଅନେକ କଥା, କାହିଁକି କେଜାଣି ମନ ଭିତରେ ଆସି ବସା ବାନ୍ଧିଲା।


ମୋର ସ୍ପଷ୍ଟ ମନେ ଅଛି, ବୋଉ ଥରେ କହୁଥିଲା ମରିବି ତ ରବି କୋଳ ଉପରେ ମଥା ରଖି ମରିବି। ବାପା ହସି ହସି କହିଲେ ସମସ୍ତେ ସାଥିରେ ରହିବାରେ ଯୋଉ ମଜା ଥାଏ, ଆଉ କୋଉଠି ବି ମିଳିବ ନି ସେଇ ମଜା ଟିକକ। ଜୀବନ ତ ଥରେ ମିଳେ। ମୃତ୍ୟୁ ପରେ କଣ ହୁଏ କିଏ ଜାଣିଛି। ମୁଁ ଚାହେଁନି ପୁଅ ବିଦେଶରେ ରହି ଖୁବ୍ ରୋଜଗାର କରୁ, ମୁଁ ଚାହେଁ ସମସ୍ତେ ଚାକିରୀ କରନ୍ତୁ ଆମ ଆଖ ପାଖରେ। କାର୍ଯ୍ୟ ଜଞ୍ଜାଳ ଭିତରେ ଥାଇ କି ବି ସମସ୍ତେ ଆମେ ସନ୍ଧ୍ୟା ହେଲେ ଏକତ୍ରିତ ହୋଇ ରାତ୍ରି ଭୋଜନ କରିବାରେ ଯୋଉ ମଜା ଅଛି, ଆଉ କୋଉଠୁ ବି ସେଇ ମଜା ମିଳିବ ନାହିଁ। ସମସ୍ତେ ସାଥିରେ ଥିଲେ ସମ୍ପର୍କଟା ମଧୁମୟ ହୋଇଉଠେ, ଉତ୍ସବ ମୁଖରିତ ହୁଏ ଘରଟି। ଫୁଲଟିଏ ଝଡି ଯିବା ପର୍ଯ୍ୟନ୍ତ ଲାଖି ରହିଥାଏ ଡାଳ ସହିତ। ଝଡ଼ିବା ପରେ ବି ସେ ଚିର ନିଦ୍ରା ନିଏ ମାଆ ଗଛର ଛାଇରେ। ମନେ ମନେ ସେତେବେଳେ ଭାବୁଥିଲି ବାପାଙ୍କ ବୟସ ହେଲାଣି, ଇଆଡୁ ସିଆଡୁ ଗପୁଛନ୍ତି।


ମାସେ ବିତିଯାଇଥାଏ ଏହା ଭିତରେ। ବାପା ବୋଉଙ୍କ ବସ ଆଉ ପାଞ୍ଚ ମିନିଟ୍ ଭିତରେ ଆସିବ ବୋଲି ବାଲ୍କୋନିରେ ଯାଇ ଛିଡା ହୋଇଥିଲୁ । ଗେଟରେ ଟୁ ଲେଟ୍ ବୋର୍ଡ ଲାଗିଛି ଫ୍ଲାଟ୍ ୫୦୭, ଭଡାରେ ଦିଆଯିବ। ଏଁ, ୫୦୭, ରବିର ଫ୍ଲାଟ୍। ବାପା ଆଶ୍ଚର୍ଯ୍ୟ ହୋଇ ବାଲକୋନୀକୁ ଅନେଇଲେ ମୋ ଆଡକୁ। ରବି କଣ ଆପା ଆର୍ଟମେଣ୍ଟ ଛାଡି ଦେଉଛି। ଭାବୁଥିଲେ ଯେମିତି ସେ କଣ ଆହୁରି ଦୂରକୁ ଚାଲିଯିବ !! ଅସହାୟ ଜଣେ ପିତା ଭିତରେ ଯନ୍ତ୍ରଣା କୁ ଅନୁଭବ କରୁଥିଲି ମୁଁ। ସାଥିରେ ନ ରହି ବରଂ ଏମିତି ପାଖରେ ରହନ୍ତୁ, ସେଥିରେ ଆମେ ଖୁସି। ହେ ଭଗବାନ ! ଆଉ ଦୂରକୁ ନ ଯାଆନ୍ତୁ ସେମାନେ। ବରଡା ଖସି ପଡ଼ିବାର ଇଙ୍ଗିତ ପାଇଲେ ତାଳ ଗଛଟା ନିଃଶବ୍ଦ ହୋଇଯାଏ କିଛି ମୁହୂର୍ତ୍ତ ପାଇଁ। କଲିଜାଟା ଜଳିପୋଡି ଛାରଖାର ହେବାକୁ କେତେ ସମୟ ଆଉ ଲାଗେ ଯେ... । ଅସହାୟ ଜଣେ ବୃଦ୍ଧ ବାପାଙ୍କ ଆହୁରି ଅସହାୟ ହେଇ ପଡୁଥିଲେ ଟୁ ଲେଟ ବୋର୍ଡଟାକୁ ଦେଖିବା ପରେ। ଭାବୁଥିଲେ ଯେମିତି ସେମାନଙ୍କ ଅନୁପସ୍ଥିତିରେ ପୁଅ ବୋହୂଙ୍କୁ ଏତେ କାମ ଦେଇ ଭୁଲ କରି ନାହାନ୍ତି ତ ?? 


କଲିଙ୍ଗ ବେଲ ବାଜିଲା। ମୁଁ କବାଟ ଖୋଲିଲି। ବାପା ବୋଉ ଆଶ୍ଚର୍ଯ୍ୟ ହୋଇଗଲେ ତାଙ୍କ ଘରକୁ ଦେଖି। ସୋଫା, ଖଟ, ଫ୍ରିଜ୍, ଆଲମୀରା ସବୁ ସ୍ଥାନାନ୍ତରିତ କରି ଆଣିଛି ଆମ ଫ୍ଲାଟରୁ ବାପା ବୋଉଙ୍କ ଘରକୁ।

ବାପା କିଛି କହିବା ଆଗରୁ ମୁଁ କହି ପକେଇଲି, ଆଜିଠୁ ଆମେ ସାଥିରେ ରହିବା ଏଇ ଘରେ। ତମେ ଥରେ କହିଥିଲ ନା..ଅଣନିଃଶ୍ୱାସୀ ହୋଇ ଯାଏ ମଣିଷଟା ଏଇ ଅସ୍ତବ୍ୟସ୍ତ ପୃଥିବୀରେ, ଅତି ପାଖରେ ଅତି ଆପଣାର ଯଦି କେହି ସାଥିରେ ନ ରହେ... 

ବାପା ବୋଉଙ୍କ ଆଖିରୁ ଲୁହ ଦୁଇ ଟୋପା ଅମାନିଆ ହୋଇ ବହି ଆସିଲା। ଅନ୍ୟମନସ୍କ ହୋଇ ବାବା କହିଲେ ହରିଦ୍ଵାରରୁ ପେଡ଼ା ଆଣିଛି ଚଗଲା ପାଇଁ।



Rate this content
Log in

Similar oriya story from Inspirational