STORYMIRROR

Satyajit Swain

Inspirational

3  

Satyajit Swain

Inspirational

ଟ୍ରାଫିକ ସିଗନାଲ

ଟ୍ରାଫିକ ସିଗନାଲ

3 mins
443



ପ୍ରତିଦିନ ଅଫିସ ଗଲାବେଳେ ଟ୍ରାଫିକ ସିଗନାଲ ପାଖରେ କାରଟି ଅଟକିଯାଏ, କେବେକେବେ ଦୁଇ ମିନିଟ ପୁଣି କେବେକେବେ ପାଞ୍ଚ ମିନିଟ । କାରର ଗ୍ଲାସ ଖୋଲି ବାହାରକୁ ଚାହାନ୍ତି ଅଭିଳାଷ । ପ୍ରତିଦିନ କିଛି ଛୋଟ ପିଲାଙ୍କୁ ହାତରେ ଥାଳି ଧରି ଭିକ ମାଗିବାର ଦେଖନ୍ତି ଅଭିଳାଷ । ଯେଉଁ ବୟସରେ ହାତରେ ପେନସିଲ ଓ ପେନ ଧରିବା କଥା ସେଇ ବୟସରେ ହାତରେ ଥାଳି ଧରି ଭିକ ମାଗୁଥିବା ପିଲାଙ୍କୁ ଦେଖି ବ୍ୟତିବସ୍ତ ହୋଇ ପଡନ୍ତି ଅଭିଳାଷ ।ଆଜିକାଲି ତାଙ୍କର ଆଉ କମ୍ପାନୀ କାମରେ ମନ ଲାଗୁନି ।ସବୁବେଳେ ଆଖି ଆଗରେ ନାଚିଉଠୁଛି ଚିରା ପୋଷାକ ପିନ୍ଧି ଚାଖେଣ୍ଡେ ପେଟର ଭୋକ ମେଣ୍ଟାଇବାକୁ ଭିକ ମାଗୁଥିବା ପିଲାଙ୍କ ଦୟନୀୟ ଛବି ।


  ପିଲାଦିନୁ ସୁନା ଥାଳିଆରେ ଖାଇ, ମଖମଲି ବିଛଣାରେ ଶୋଇ ବଡ଼ ହୋଇଛନ୍ତି ଅଭିଳାଷ । ବାପା, ଶ୍ରୀଯୁକ୍ତ ମହାପାତ୍ର ସହରର ପ୍ରତିଷ୍ଠିତ ଶିଳ୍ପପତି । ରାଜମହଲ ପରି ଘର, କାମ କରିବାକୁ ଚାକର ବାକାର, ବୁଲି ବାକୁ ଦାମୀ ଗାଡ଼ି ଅଛି, ହେଲେ ଏସବୁ ଅଭିଳାଷଙ୍କୁ ନିଜ ବନ୍ଧନରେ ବାନ୍ଧି ପାରିନାହିଁ । ଦରଦୀ ହୃଦୟ ତାଙ୍କର, କାହା ଦୁଃଖ ସହିପାରନ୍ତିନି ।ସେଇ ପିଲାମାନଙ୍କ ବିଷୟରେ ଜାଣିବା ପାଇଁ ଦିନେ ତାଙ୍କ ବସ୍ତିରେ ପହଁଞ୍ଚିଛନ୍ତି ଅଭିଳାଷ ।

"ଏଇ ସହରରେ ଏପରି ବସ୍ତି ଅଛି !", ଦେଖି ହତବାକ ହୋଇ ପଡିଛନ୍ତି ଅଭିଳାଷ । ପାଲଟଣା ଘର, ଖାଇବାକୁ ଖାଦ୍ୟ ପିଇବାକୁ ପାଣି ନାହିଁ ।ସହରର ସୁବିଧା ସୁଯୋଗ ଏଠି ସ୍ବପ୍ନ ପରି । ଜୀବନ ଏଠି ଯେମିତି ହାର ମାନି ଯାଇଛି ସମୟ ଆଗରେ । ସରକାରଙ୍କର ସବୁ ଯୋଜନା କେବଳ ପାଣିରେ ଗାର ଟାଣିବା ପରି ହୋଇଛି । ଏଇ ମଳି ମୁଣ୍ଡିଆ ଲୋକମାନେ ଆଜି ସତେ ଅବା ଏଲିୟନ, ଗରିବ ସତେ ଅବା ଅଭିଶପ୍ତ ।


ଘରକୁ ଫେରି ବାପାଙ୍କୁ ଅପେକ୍ଷା କରିଛନ୍ତି ଅଭିଳାଷ । ବାପା ଆସି ପଚାରିଲେ," ଆରେ ଆଜି ଦିନ ସାରା କେଉଁଠି ଥିଲୁ? ", "ସେ' ଫରେନ କମ୍ପାନୀ ସହ ତୋର ମିଟିଙ୍ଗ ଥିଲା, ବାଧ୍ୟ ହୋଇ ଭାଇକୁ ଆଟେଣ୍ଡ କରିବାକୁ ପଡିଲା"। ଅଭିଳାଷ ବାପାଙ୍କୁ ସବୁ କଥା କହି ସେଇ ବସ୍ତି ବାସୀଙ୍କ ପାଇଁ କିଛି କରିବାକୁ ଅନୁରୋଧ କରିଛନ୍ତି । ତାଙ୍କ ବାପା କିଛି ସମୟ ତାଙ୍କ ମୁହଁକୁ ଅନେଇ କହିଲେ "ମୁଁ' ଯେତେବେଳେ ଏ' ସହରକୁ ଆସିଲି ମୋ' ପାଖରେ କିଛି ନଥିଲା,ନିଜର 25 ବର୍ଷର ମେହେନତ ବଳରେ ଏ' କମ୍ପାନୀ ଛିଡା କରିଛି, ତୁମ ମାନଙ୍କୁ ମଣିଷ କରିଛି ।" ମୋ ଟଙ୍କା କାହା ପାଇଁ ଉଡ଼େଇ ପାରିବିନି । ବାପାଙ୍କ କଥା ଶୁଣି ଅଭିଳାଷ କହିଛନ୍ତି, "ଯଦି ଏ' ଟଙ୍କା କାହା ସେବାରେ ନଲାଗିବ, ତେବେ ଆକୁ ରୋଜଗାର କରି କିଛି ଲାଭ ନାହିଁ ।ଘର ଛାଡ଼ି ଚାଲିଯାଇଛନ୍ତି ଅଭିଳାଷ । ବାପାଙ୍କ ମିଛ ଆତ୍ମଗର୍ବ ତାଙ୍କୁ ରୋକି ବାକୁ କୁଣ୍ଠାବୋଧ କରିଛି ।


 ଏମିତି କିଛି ଦିନ ବିତିଗଲା ।ଦିନେ ଶ୍ରୀଯୁକ୍ତ ମହାପାତ୍ର ନିଜ ପିଏଙ୍କ ସହ ସେ' ଦିନର କାମ ବିଷୟରେ ଆଲୋଚନା କରୁଥାନ୍ତି । ପିଏ କହିଲେ, "ସାର ଆଜି ଟାଉନ ହଲରେ ହେଉଥିବା ସମ୍ମାନ ସମାରୋହରେ ଆପଣଙ୍କୁ ମୁଖ୍ୟ ଅତିଥି ହୋଇ ଯିବାର ଅଛି "।


ଶ୍ରୀଯୁକ୍ତ ମହାପାତ୍ର ଯାଇ ସେଠାରେ ପହଞ୍ଚିଲେ । ସଭା ଆରମ୍ଭ ହେଲାପରେ ସମ୍ମାନ ପ୍ରଦାନ କରିବାର ସମୟ ଆସିଲା । ସଭା ସଂଚାଳକ ସହରର ବସ୍ତି ସବୁର ଉନ୍ନତି ପାଇଁ ଚେଷ୍ଟା କରୁଥିବା ମହାନ ମଣିଷ ଶ୍ରୀ ଅଭିଳାଷ ମହାପାତ୍ରଙ୍କ ନାମ ଘୋଷଣା କଲେ ।ନିଜ ପୁଅ ନାଆଁ ଶୁଣି ଚମକି ପଡ଼ିଲେ ମହାପାତ୍ର ବାବୁ । ଅନେକ ଦିନ ପରେ ପୁଅକୁ ଦେଖି ଆଖିରେ ଲୁହ ଭରିଗଲା । ସେଥିରେ ମିଛ ଆତ୍ମଗର୍ବ ସବୁ ଧୋଇ ହୋଇଗଲା । ପୁଅକୁ ପୁରସ୍କାର ଦେବା ସହ କିପରି ସେ' ନିଜ ସାଙ୍ଗମାନଙ୍କ ସହ ମିଶି ସହରର ବସ୍ତି ଲୋକମାନଙ୍କର ଉନ୍ନତି ପାଇଁ କାମ କରି ସଫଳ ହେଲେ ସବୁ ଶୁଣିଛନ୍ତି ମହାପାତ୍ର ବାବୁ । ପୁଅ ଆଗରେ ନିଜକୁ ଅତି ଛୋଟ ମଣିଛନ୍ତି । ପୁଅକୁ କ୍ଷମା ମାଗି, କୁଣ୍ଢେଇ ପକେଇ ଘରକୁ ଫେରିଯିବାକୁ ଅନୁରୋଧ କରିଛନ୍ତି ଏବଂ ଗରିବ ଲୋକଙ୍କ ସେବା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଅଭିଳାଷ ବାପାଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ସହ ଘରକୁ ଫେରିଛନ୍ତି ।


 ଏହା ଭିତରେ ଅନେକ ଦିନ ବିତିଗଲାଣି । ଅଭିଳାଷ ଅଫିସକୁ ଯିବା ବାଟରେ ସେଇ ଟ୍ରାଫିକ ସିଗନାଲ ଅଛି, ହେଲେ ସେଠି ଥାଳି ଧରି ଭିକ ମାଗୁଥିବା ପିଲା ନାହାନ୍ତି କାନ୍ଧରେ ବ୍ୟାଗ ପକେଇ ସ୍କୁଲକୁ ଯାଉଥିବା ବସ୍ତି ପିଲାମାନେ ଦେଖା ଯାଆନ୍ତି, ଯେଉଁ ମାନଙ୍କ ଆଖିରେ ଅଛି ଆଖିଏ ସ୍ବପ୍ନ........... 


Rate this content
Log in

Similar oriya story from Inspirational