Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Pradeep Kumar Panda

Inspirational


2  

Pradeep Kumar Panda

Inspirational


ଟଙ୍କାକିଆ କଏନ

ଟଙ୍କାକିଆ କଏନ

10 mins 213 10 mins 213

କୋରାପୁଟକୁ ବଦଳି ହୋଇ ଆସିବା ପନ୍ଦର ଦିନ ହୋଇଥାଏ, ପୁଅର ସ୍କୁଲ ଖରାଦିନ ଛୁଟି ହେଲା ବୋଲି , ମୋ ସ୍ତ୍ରୀ ଓ ପୁଅ ବୁଲିବାକୁ ଆସିଲେ। ଦୁଇଦିନ ହୋଇନି, ସିଜିନ ଚେଞ୍ଜ ଆଉ ଅଲଗା ପାଣି ପାଇଁ ପୁଅକୁ ଜର, ରାତି ଅଧରେ କୁଆଡେ ଯିବି? ପଡୋଶୀ ଙ୍କୁ ଡାକିଲି। କୋରାପୁଟରେ ସବୁ ପୂର୍ବ ଓଡିଶା ଲୋକଙ୍କୁ କଟକିଆ ବାବୁ ବୋଲି କୁହନ୍ତି। ଓଡ଼ିଆ ହେଲେ ବି ଭାଷା ଅଲଗା ଯୋଗୁଁ ଅଳ୍ପ ଅଳ୍ପ ବୁଝି ହେଉଥାଏ। ପଡୋଶୀ ଜଣଙ୍କ ଭଲ ଲୋକ। ରାତି ଅଧରେ ବି କବାଟ ଖୋଲିଲେ, କଣ କରିବା ପଚାରୁ ପଚାରୁ କହିଲେ, "ସେ କଟକି ଡାକ୍ତର ପାଖକୁ ଯାଅ, ସେ ଆସି ଦେଖିଯିବେ। ତୁମର ସ୍କୁଟର ଅଛିନା? ସେଥିରେ ବସି ସେ ଆସିବେ, ପୁଣି ନେଇ ଛାଡ଼ିଦେଵ।"


ମୋତେ ଅଳ୍ପ ଅଳ୍ପ ସନ୍ଦେହ ହେଲା। ମୋତେ ତ କଟକିଆ ବାବୁ ବୋଲି କହୁଛନ୍ତି, ତେବେ କଟକି ଡାକ୍ତର ମାନେ ସେ ବି ପୂର୍ବ ଓଡିଶାରୁ ହୋଇଥିବେ। ତେବେ ଡାକ୍ତର ଜଣେ, ରାତି ଅଧରେ ଘରକୁ ଆସିବେ? କାହିଁ ବିଶ୍ୱାସ ହେଲାନାହିଁ। କଟକ ଭୁବନେଶ୍ୱରରେ ତ ଡାକ୍ତର ଭର୍ତି, କିନ୍ତୁ କାହିଁ କେହିଜଣେ ବି ରୋଗୀର ଘରକୁ ଯାଇ ଦେଖିବା ମୁଁ ଶୁଣିନି। ପୁଅକୁ ଧରି ଅବା ତାଙ୍କ ପାଖକୁ ଚାଲିଯାଇଥାନ୍ତି। କିନ୍ତୁ ଅଜଣା ରାସ୍ତା । ଏପଟେ ପୁଅର ଝାଡ଼ା ବି ହେଉଥାଏ। ଅଧଘଣ୍ଟା ଭିତରେ ସେ ତିନିଥର ଗଲାଣି। ଏ ଅବସ୍ଥା ରେ ସନ୍ଦିହାନ ମନ ନେଇ ସ୍କୁଟର ଷ୍ଟାର୍ଟ କଲି। ପନ୍ଦର ମିନିଟ ପରେ , ପଡୋଶୀ କହିବା ଅନୁସାରେ ଛକ ପାଖ ତିନିଟି ଘର ଛାଡ଼ି, ନଳକୁଅ ଥିବା ଘର ଆଗରେ ସ୍କୁଟର ରଖିଲି। କବାଟ ବାଡଉ ବାଡଉ ଡାକ୍ତର ଜଣଙ୍କ କବାଟ ଖୋଲିଲେ, ସତେ ଅବା ମୋ ଆସିବା କଥା ସେ ଜାଣି ସାରିଥିଲେ। ଲୋକଟିକୁ ଦେଖିଲେ ବେଶଭୂଷାରୁ ଲାଗୁନଥିଲା ସେ ଜଣେ ଡାକ୍ତର ବୋଲି। ସାଧା କନା ଫୁଲପେଣ୍ଟକୁ ଚେକ ହାଫ ସାର୍ଟ। ତା ସହ ପଚାଶ ଟଙ୍କିଆ ହାୱାଇ ଚପଲ ଖଣ୍ଡେ। ଅକାଳେ ନିୟମ ନାସ୍ତି ନ୍ୟାୟ ରେ ବାଧ୍ୟ ହୋଇ ସବୁ ଘଟଣା କହିଲି ତାଙ୍କୁ। ଘଟଣା ଶୁଣି, ତାଙ୍କ ବାକ୍ସ ସହ କିଛି ଔଷଧ ଧରି ଗାଡି ରେ ବସିଲେ। ବାଟରେ ପଚାରି ବୁଝୁଥାନ୍ତି ପୁଅ କଣ ଖାଇଥିଲା? କେତେ ବୟସ? କେବେଠୁ ଜର ହେଲାଣି? କିଛି ଔଷଧ ଦେଇଛ ନା ନାହିଁ? ଏମିତି କେତେ କଣ। ଗାଡି ଚଳାଉ ଚଳାଉ ମୁଁ ସବୁ ପ୍ରଶ୍ନ ର ଉତ୍ତର ଦେଉଥାଏ। ଘରେ ଆସି ପହଂଚିଲୁ। ପୁଅକୁ ଦେଖି ଗୋଟିଏ ଇଂଜେକସନ ଦେଇ, କିଛି ଔଷଧ ତାଙ୍କ ବ୍ୟାଗ ରୁ ବାହାର କରି ଦେଲେ। ଆଉ ଖାଇ ସାରି ଔଷଧ ଖାଇ ଶୋଇଲେ ସକାଳୁ ଜର ଭଲ ହୋଇଯିବ ବୋଲି କହି ଯିବାକୁ ବାହାରିଲେ। ମୁଁ ଘରଣୀ ପାଖରୁ କିଛି ପଇସା ଆଣି ପକେଟ ରେ ଭର୍ତିକଲି। ଡାକ୍ତରଙ୍କୁ ଛାଡିଲା ପରେ ଫିସ ତ ଦେବାକୁ ପଡିବ ନା.... ରାତିରେ ଆସିଛନ୍ତି ଘରକୁ ମାନେ ଟିକେ ଅଧିକ ନିଶ୍ଚିତ ନେବେ ପୁଣି ଔଷଧ ଓ ଇଂଜେକସନ ବି ନିଜ ହାତରୁ ଦେଇଛନ୍ତି। କିଛି ନହେଲେ ବି ଟଙ୍କା ପାଞ୍ଚଶହ ତ ନିଶ୍ଚିତ। ପକେଟ ରେ ଯାହା ଥିଲା ଆଉ କିଛି ଘରଣୀଙ୍କଠୁ ଆଣି ରଖିଲି, କାଳେ ଅଧିକ ବି କହି ପାରନ୍ତି, ସେ ଭୟରେ।


କିଛି ସମୟ ପରେ ତାଙ୍କ ଘର ଆଗରେ ପହଂଚିଲୁ। ସୌଜନ୍ୟ ମୂଳକ ଧନ୍ୟବାଦଟିଏ ଦେଇ ଫିସ କେତେ ବୋଲି ପଚାରିଲି। ସେ ଯାହା କହିଲେ ପାଦତଳୁ ମାଟି ଖସିଯିବା ପରି ଲାଗିଲା। ଅତ୍ୟଧିକ ମାନସିକ ଚାପରେ ଠିକ ରେ ଶୁଣି ପାରିଲିନି ବୋଧେ। ଆଉ ଥରେ ପଚାରିଲି। ଶାନ୍ତ, ସରଳ ଭାବରେ ସେ ଉତ୍ତର ଫେରେଇଲେ। ସେତିକି ଟଙ୍କା ନଥିଲା ମୋ ପାଖରେ। ତାଙ୍କୁ ମୋଟାମୋଟି ସେତିକି ହିଁ ଦରକାର ଥିଲା, ନା ବେସି ନା କମ। ଏବେ ନାହିଁ, କାଲି ଆଣି ଦେଇଦେବି କହି ଆଉ ଥରେ ଧନ୍ୟବାଦ ଦେଲି।


ସ୍କୁଟର ଷ୍ଟାର୍ଟ କଲା ଯାଏଁ ସେ ସେମିତି କବାଟ ପାଖରେ ଠିଆ ହୋଇଥିଲେ। ମନ କଣ ହେଲା ଫେରି ଆସି "କାଲି ଦିନବେଳେ ଆପଣ ଆମଘରେ ଖାଇବେ" ବୋଲି କହିଲି। ମୁଣ୍ଡ ହଲେଇ ସ୍ବୀକୃତି ଦେଲେ। ଫେରିଲା ବେଳକୁ ସତରେ ଅନ୍ୟମନସ୍କ ହୋଇଯାଇଥିଲି। ମୁଣ୍ଡରେ ପଶୁନଥିଲା କିଛି। 40 ଜାଗାରେ 20 ସ୍ପୀଡ଼ରେ ଗାଡି ଚଳେଇ ଘରେ ପହଂଚିଲି। ଡାକ୍ତର ଫିସ କଥା ଶୁଣି ଘରଣୀ ମୁଣ୍ଡରେ ହାତ ଦେଲେ, କହିଲେ, "କିନ୍ତୁ କାହିଁକି?" ଜାଣିନି ବୋଲି ମୁଣ୍ଡ ହଲେଇ, କାଲି ଘରକୁ ଡାକିଛି ଖାଇବାକୁ, କିଛି ଭଲ ରୋଷେଇ କରିବ କହି ଶୋଇବାକୁ ଗଲି। ମୁଣ୍ଡରେ କିଛି ପଶୁ ନଥିଲା। ଏମିତି ବି ଡାକ୍ତର ଏ ଦୁନିଆଁ ରେ ଅଛନ୍ତି? ରାତି ଅଧରେ ରୋଗୀ ଘରକୁ ଆସି, ନିଜ ପାଖରୁ ଇଂଜେକସନ ଓ ଔଷଧ ଦେଲା ପରେ ଫିସ "ଟଙ୍କାକିଆ କଏନ" ଟିଏ ?? ମାତ୍ର ଏତିକି? ବିଶ୍ୱାସ ହେଉ ନଥିଲା। ଟଙ୍କାଟିଏ କଏନ ନଥିବାରୁ ସେ ରାଜି ହୋଇନଥିଲେ ଅଧିକ ନେବାପାଇଁ। ମୋତେ ରାତିସାରା ନିଦ ହୋଇନଥିଲା। ଔଷଧ ଖାଇ ପୁଅ ଶୋଇ ସାରିଥିଲା। ଘରଣୀ ତା ଉପରେ ହାତରଖି, ସେ ବି ଶୋଇ ପଡ଼ିଥିଲେ। କାରଣ ଖୋଜୁ ଖୋଜୁ କେତେବେଳେ ସକାଳ ହୋଇ ଯାଇଥିଲା।


ସକାଳୁ ପୁଅର ଦେହ ଭଲ ହୋଇଯାଇଥାଏ। ହାଲିଆ ଯୋଗୁଁ ସେ ଶୋଇ ପଡିଥାଏ। ସକାଳୁ ସକାଳୁ ମଟନ ଆଣି ରୋଷେଇ ଅଧା ହେଲା ବେଳକୁ ଗଲି ଡାକ୍ତର ବାବୁଙ୍କୁ ଆଣିବା ପାଇଁ। ଘର ଆଗରେ ପିଣ୍ଡି ଉପରେ ବସି ରୋଗୀ ଦେଖୁଥିଲେ। ସମସ୍ତଙ୍କ ଫିସ "ଟଙ୍କାଏ"। ଔଷଧ, ଇଂଜେକସନ, ଡ୍ରେସିଂ ସବୁ ନିଜେ କରୁଥାନ୍ତି। ଆଉଥରେ ଭଲରେ ଦେଖିଲି ତାଙ୍କୁ। ବୟସ ପାଖାପାଖି 60। ସାଧାରଣ ପେଣ୍ଟ ସାର୍ଟ। ଏବେ ତାଙ୍କ ମୁହଁଟି ଜଣେ ଦେବତା ଭଳି ଲାଗିଲା। ଯିଏ ପଇସା ନଦେଇ ପାରିଲା କିଛି କଥା ନାହିଁ। ପାଖରେ ବସି ଭାବୁଥାଏ, ଏମିତି କେମିତି। ଆଜିକାଲି ର ଦୁନିଆଁ ରେ ଯେଉଁଠି ଡାକ୍ତର ମାନେ ପଇସା ପାଇଁ ରୋଗୀ ମରିଗଲେ ବି ଚାହୁଁ ନାହାନ୍ତି, ସରକାରୀ ଡାକ୍ତରଖାନାରୁ ଠକି ଭଣ୍ଡି ରୋଗୀକୁ ନିଜ କ୍ଲିନିକକୁ ଆଣିବାପାଇଁ ଦଲାଲ ରଖୁଛନ୍ତି, ସେ ପରିକା ସମୟରେ ମାତ୍ର "ଟଙ୍କାଏ" ଫିସ ନେଇ ନିଜ ହାତରୁ ଔଷଧ ଦେଇ ଏ ଆଦିବାସୀ, ଗରିବ, ମଳି ମୁଣ୍ଡିଆ ମାନଙ୍କ ର ସେବା କରିବା ଜଣେ ସାକ୍ଷାତ ଦେବତା ନହେଲେ ଆଉ କିଏ କରି ପାରିବ?


ଦିନ ଗୋଟାଏ ବାଜି ସାରିଥିଲା। ରୋଗୀ ସବୁ ଯାଇ ସାରିଥିଲେ। ପ୍ରଥମେ ଟଙ୍କିକିଆ କଏନ ଟିଏ ତାଙ୍କ ହାତକୁ ବଢ଼େଇ ଦେଲି। କଏନଟି ନେଇ ପେଣ୍ଟ ପକେଟ ରେ ରଖିଲେ। ଏବେ ବାହାରିଲୁ ଆମ ଘର ଅଭିମୁଖେ। ବାଟରେ କେବଳ ତାଙ୍କ ନାଁ ଟି ପଚାରି ପାରିଲି। ଏତେ ବଡ ଦେବତା ପରି ମଣିଷକୁ ନିଜ ଘରକୁ ଖାଇବାକୁ ଡାକି ଥିବାରୁ, ନିଜକୁ ଧନ୍ୟ ମନେ କରୁଥିଲି।


ମାଇକିନା ମଣିଷ ଯଦି କିଛି ଜାଣିଲେ, ତା ଭିତରକୁ ଯାଇ ପୁରା କଥା ନଜାଣିଲା ଯାଏଁ ତାଙ୍କ ଭାତ ହଜମ ହୁଏନି। ଏଇ ଗୁଣ ଟି ବେଳେ ବେଳେ ବହୁତ ଭଲ କାମରେ ମଧ୍ୟ ଆସେ , ଏହା ମୁଁ ଏବେ ଜାଣିଲି। ମୋର ବି ସବୁ ଜାଣିବାକୁ ଇଚ୍ଛା ଥିଲେ ବି ଭଦ୍ରତା ଦୃଷ୍ଟି ରୁ ପଚାରି ପାରୁ ନଥାଏ। ମୋ ସ୍ତ୍ରୀ ତ ଭାରି ଭଲ ମଣିଷ ଜଣେ। ନିମିଷକେ ସେ ଡାକ୍ତର ବାବୁଙ୍କୁ ନିଜ ବାପା ଆଖ୍ୟା ଦେଇ ସାରିଥାଏ। ଏବେ ଘରଣୀ ଆମର ସବୁକଥା ଜାଣିବାକୁ ଜିଜ୍ଞାସା କରନ୍ତେ, ମୋ ନୂଆ ବାପା(ଶ୍ୱଶୁର) କହିବାକୁ ଆରମ୍ଭ କଲେ," ହଁ ଭୁବନେଶ୍ବର ରେ ମୋର ଘର ଥିଲା। ଘରେ ପୁଅ,ଝିଅ ଆଉ ସ୍ତ୍ରୀ। ସରକାରୀ ଡାକ୍ତର ଥିଲି ମୁଁ, ନିଜର କ୍ଲିନିକ ବି ଥିଲା। ଦରମା ପଇସା ସହ କ୍ଲିନିକ ରୁ ଭଲ ଆୟ ହୁଏ। ବାପାଙ୍କ କଥା ମାନି ତାଙ୍କ ସାଙ୍ଗ ର ଝିଅ କୁ ବାହା ହୋଇଥିଲି। ଟିକେ ଗରିବ ଥିଲେ ମୋ ଶ୍ବଶୁର। ସ୍ତ୍ରୀ କିନ୍ତୁ ଥିଲେ ଭଲ ମଣିଷ।


-- ଥିଲେ ମାନେ?? ଆଶ୍ଚର୍ଯ୍ୟ ହୋଇ ଆମେ ଦୁଇଜଣ ତାଙ୍କ ମୁହଁ କୁ ଚାହିଁ ରହିଲୁ ।


-- ଆରେ ନା, ନା। ସେମାନେ ଏବେ ବି ଅଛନ୍ତି କିନ୍ତୁ ତାଙ୍କ ସହ ମୋର ଆଉ କିଛି ସମ୍ପର୍କ ନାହିଁ।


-- କାହିଁକି? ମୋ ସ୍ତ୍ରୀ ପଚାରିଲେ।


-- କହୁଛି,


ମୁଁ ଥିଲି ଜଣେ ଡାକ୍ତର, ଦରମା ସହ କ୍ଲିନିକ ର ପଇସା ମିଶି ଯଥେଷ୍ଟ ଥିଲା ଆମେ ଚଳିବା ପାଇଁ। ଗୋଟିଏ ପୁଅ, ଗୋଟିଏ ଝିଅ। ଚାରିଜଣ ଙ୍କର କୌଣସିଥିରେ ଅଭାବ ନଥିଲା। ପୁଅକୁ ବି.ଫାର୍ମା. ପାଠ ପଢେଇ ମୋ କ୍ଲିନିକ ପାଖରେ ଗୋଟିଏ ଔଷଧ ଦୋକାନ କରେଇ ସାରିଥିଲି। ଝିଅ ପାଇଁ ବାହାଘର ପ୍ରସ୍ତାବ ବି ଦେଖୁଥିଲି।


ସ୍ତ୍ରୀ ଜନ୍ମରୁ ଗରିବ ଥିଲେ ବି ଏବେ ପଇସା ଆସିଲା ପରେ ଘରେ କମ, କିଟି ପାର୍ଟି ରେ ଅଧିକ ରହୁଥିଲେ। ଝିଅ କୌଣସି ଏକ ପିଲା କୁ ଭଲ ପାଉଛି ଜାଣିଲା ପରେ ମନ ଟିକେ ମରି ଯାଇଥିଲା, ତଥାପି ଭଲ ପିଲା ହୋଇଥିଲେ ବାହାଘର କରିଦେବି ବୋଲି ମନେ ମନେ ନିଷ୍ପତି ନେଇ ସାରିଥିଲି। ପୁଅ ଏବେ ମଝିରେ ମଝିରେ ପିଆ ପିଇ କରି ଘରକୁ ଫେରିବା ର ଖବର ବି ପାଇଲି। ମୁଁ କିନ୍ତୁ ପଇସା ରୋଜଗାର କରିବାରେ ବ୍ୟସ୍ତ ଥିଲି। ରୋଗୀ ମାନେ ଆଗ ପଇସା ଦେଲେ ତାପରେ ରୋଗୀ ଦେଖୁଥିଲି।


ଦିନେ ଦ୍ବିପ୍ରହରେ ଘରକୁ ଖାଇବାକୁ ଆସିଲା ବେଳେ ଦେଖିଲି ପୁଅ ଗାଡି କିଣିବ ବୋଲି ତା ମା କୁ ପଇସା ମାଗୁଥିଲା। ମୋଟର ସାଇକଲ ଟିଏର ଦାମ ଦୁଇଲକ୍ଷ ପଞ୍ଚାନବେ ହଜାର। ତା ସହ ଆନୁଷଙ୍ଗିକ ଆଉ ପଚାଶ ହଜାର ଟଙ୍କାର ପାର୍ଟସ ଲାଗିବ। ସାମାନ୍ୟ ମୋଟର ସାଇକେଲ ର ଦାମ ଏତେ ବୋଲି, ତା ମା ମନା କରିବାରୁ, ଘର ଆଗରେ ଥିବା ଶୋ କୁଣ୍ଡ ଦୁଇଟିକୁ ବାଡେଇ ଭାଙ୍ଗି ସାରିଥିଲା। ରାଗ ତମତମ ହୋଇ ଖାଇବା ସବୁ ବାହାର ନଳାରେ ଢାଳି ଦେଇଥିଲା। ଝିଅ ବି ତା ସହ ତାଳ ଦେଇ "ପଇସା କଣ ହେବକି? ଏତେ ପଇସା ତ ଅଛି ବ୍ୟାଙ୍କ ରେ" ବୋଲି କଥା ସହ କଥା ମିଶାଉଥିଲା। ମୁଁ ମୁହଁ ଖୋଲିବାରୁ ପୁଅ ଝିଅ ଦି ଜଣ ଯାକ ମୋ ଉପରକୁ ଝପଟି ଆସିଲେ। ସ୍ତ୍ରୀ ବି କିଛି କହୁ ନଥାନ୍ତି। ବାପା ହିସାବରେ ମୁଁ ସେଦିନ ବହୁତ ଆଘାତ ପାଇଲି ମନରେ। ମୋ ସଂସ୍କାର ଦେବାରେ କିଛି ହେଳା ରହିଗଲା ବୋଲି ଭାବିସେଦିନ ନଖାଇ ପୁଣି କ୍ଲିନିକକୁ ପଳେଇ ଆସିଲି। ଏଇଠାରୁ ଆରମ୍ଭ ହୋଇଥିଲା ମୋ ଜୀବନରେ ମୋଡ।


ଆମେ ଦି ଜଣ ସ୍ବାମୀ ସ୍ତ୍ରୀ ତାଙ୍କ ମୁହଁକୁ ଚାହିଁଥାଉ। ପୁଅ ବି କେତେବେଳୁ ଆସି ତା ମା କୋଳରେ ବସି ସାରିଥାଏ। ପାଣି ଗ୍ଲାସରୁ ପାଣି ଢୋକେ ପିଇ ସେ ପୁଣି କହିଲେ...


" କ୍ଲିନିକ ଆସି, ଏ.ସି. କୁ ବଢ଼େଇ ଦେଇ ମୁଁ ଚୌକି ରେ ବସି ପଡ଼ିଲି। ଝରକା ପଟେ ବାହାରକୁ ଚାହିଁଲି, ମୁଣ୍ଡ ଭିତରେ କେଜାଣି କଣ ସବୁ ଚିନ୍ତା ବୁଲୁଥାଏ। ଆଖି ଆଗରେ ପିଲାଙ୍କ ଛୋଟବେଳ କଥା ସବୁ ମନେ ପଡିଯାଉଥାଏ। କେତେ ଶାନ୍ତ, ସୁଧାର ଥିଲେ ଏମାନେ। କ'ଣ ମୋ ସଂସ୍କାର ରେ କିଛି ତ୍ରୁଟି ରହିଲା ନା ଲାଳନ ପାଳନ ରେ? ନା ଅଧିକ ପଇସା ହେବାରୁ ଏସବୁ ଘଟୁଛି। କିଛି ପଶୁନଥାଏ ମୁଣ୍ଡରେ। ମୁଁ ହିଁ ତ ଏସବୁ କରିଛି ବୋଲି ମୋ ବିବେକ ମୋତେ ଚେତେଇ ଦେଉଥାଏ। ସବୁବେଳେ କ୍ଲିନିକ ରେ ରହି ଅଧିକ ପଇସା ରୋଜଗାର କରିବା ନିଶାର ପରିଣତି ଯେ ଏଇଟା ଏହା ବୁଝିବାକୁ ଆଉ ବାକି ନଥାଏ। ମୁଁ ତ ପଇସା ପଛରେ ଗୋଡେଇ ଗୋଡେଇ ମୋ ପିଲାଙ୍କ ଦେଖରେଖ ରେ ହେଳା କରିଛି, କହିବି କାହାକୁ? ଏ ବୟସରେ ଏ ପରିକା ବ୍ୟବହାର ପାଇ ମନଟା କାହିଁକି ଭାରି ଆନ୍ଦୋଳିତ ଅବସ୍ଥା ରେ ଥାଏ। ହଠାତ କିଛି ଶବ୍ଦ ମୋ କାନ ରେ ପଡିଲା। ଯୋଗୀଟିଏ କେନ୍ଦେରା ବଜେଇ ବଜେଇ ଯାଉଥାଏ। ମଝିରେ ମଝିରେ ଗାଇ ଦେଉଥାଏ ମଣିଷ ଜନ୍ମ, ମୃତ୍ୟୁ ସମ୍ବଳିତ କଥାସବୁ। ମନେପଡ଼ିଲା ମୋ ପିଲାଦିନ କଥା, ଜେଜେ ଏଇ ଯୋଗୀ ମାନଙ୍କୁ ଡାକି ଭଜୁକିନା ରାମ ନାମ ଆଉ ମନବୋଧ ଚଉତିଶା ଶୁଣୁଥିଲେ ଓ ମୋତେ ଶୁଣାଉଥିଲେ। ଆଜି କାହିଁକି ଆଉଥରେ ସେ ଗୀତଟି ଶୁଣିବାକୁ ଇଛା ହେଲା। ଯୋଗୀକୁ ଡାକି ତା'ଠୁ ଭଜୁକିନା ରାମ ନାମ ଗୀତ ଟି ଶୁଣିଲି। ଜୀବନ ଯେ ମାୟା ରେ ଭରପୁର, ଏ ଶିକ୍ଷାଟି ବୁଝିଲି ସେଦିନ। ମନ ପୁରିଲାନି, ପଚାଶ ଟଙ୍କିଆ ନୋଟ ଟିଏ ବଢ଼େଇ ଦେଇ "ମନବୋଧ ଚଉତିଶା" ଶୁଣେଇବା ପାଇଁ କହିଲି। ଯୋଗୀ ଜଣଙ୍କ ଯେତିକି ଯେତିକି ଗାଇ ଯାଉଥାନ୍ତି ମନ ସେତିକି ସେତିକି ଶାନ୍ତ ହୋଇ ଆସୁଥାଏ ।


ଗୀତ ଦୁଇଟି ଶୁଣି ମନ ଶାନ୍ତ ହୋଇଯାଇଥିଲା। ଯେତିକି ପଇସା ଅଛି, ମୋ ବିନା ମୋ ସ୍ତ୍ରୀ, ପିଲାଛୁଆ ଆରାମ ରେ ଚଳିବେ। ଅସୁବିଧା ହେବନାହିଁ। କ୍ଲିନିକ ରେ ଥିବା ଡ୍ରେସ ହଳକ ଧରି, ସବୁକିଛି ପଛରେ ଛାଡି ଚାଲିବା ଆରମ୍ଭ କଲି। ତେଣିକି ଏ ପାଦ ଯୁଆଡେ ଟାଣିଲା। ଷ୍ଟେସନ ରୁ ଟ୍ରେନ ଧରି ପୁରା ଦେଶର ସବୁ ଜାଗା, ଚାରି ଧାମ, ବାର ଜ୍ୟୋତିର୍ଲିଙ୍ଗ, ସବୁ ଶକ୍ତିପୀଠ, ଯେତେ ସବୁ ଦେଵ ଦେବାଳୟ, ଦର୍ଶନୀୟ ସ୍ଥାନ ବୁଲାବୁଲି ସାରି ପ୍ରାୟ ତିନିବର୍ଷ ପରେ ଫେରିଲି ଘରକୁ।


ଏବେ ମୋ ପ୍ରକୃତ ଜୀବନ ଅପେକ୍ଷା କରିଥିଲା ମୋତେ। ମୋର ଦାଢ଼ି ଓ ଚୁଟି ବଢି ଯାଇଥିଲା। ବାବାଜୀ ପରି ଦେଖା ଯାଉଥିଲି। ଘରକୁ ପଶିଲା ବେଳକୁ , ଘର କାନ୍ଥ ରେ ମୋ ଫୋଟୋ ରେ ଫୁଲମାଳ ଦେଖି ଟିକେ ଅଟକି ଗଲି। ସ୍ତ୍ରୀଙ୍କ ଦେହରେ ପାଣି ଚୁଡ଼ି ବଦଳରେ ସୁନା ଚୁଡ଼ି, ଖାଲି ସିଂଥି, ଦେହରେ ଦାମୀ ଗୋଲଡେନ ରଙ୍ଗର ପ୍ଲେନ ଶାଢୀ, ପୁଅ ସହ ବୋହୁ, ଏସବୁ ଦେଖି ଆଉ ସନ୍ଦେହ ନଥିଲା ଯେ ମୋ ବିନା ଏମାନେ ଭଲରେ ଅଛନ୍ତି। ମୋତେ ଦେଖି ଭୂତ ଦେଖିଲା ପରି ଚମକି ପଡିଲେ ସମସ୍ତେ। ଫୋନପାଇ ଜୋଇଁକୁ ଧରି ଝିଅ ବି ଆସି ପହଁଚିଲା। ଏବେ ପ୍ରକୃତ ରେ ଆରମ୍ଭ ହେଲା ମୋ ମାୟା ର ଖେଳ। ମୋତେ ଦେଖି ସମସ୍ତେ ଖୁସି ହେବା ବଦଳରେ ଚିନ୍ତାରେ ପଡି ଯାଇଥିଲେ। ଛଅ ମାସ ମୋତେ ଖୋଜିଲା ପରେ ମୋର ଗାଡି ଆକ୍ସିଡେଣ୍ଟରେ ଦେହାନ୍ତ ହୋଇଛି ବୋଲି କହି କୋଟିଏ ଟଙ୍କା ଇନ୍ସୁରାନ୍ସ ପଇସା ଆଣି ତିନିଜଣ ଯାକ ଖର୍ଚ୍ଚ କରି ସାରିଥିଲେ। ବାକି ଯାହା ଥିଲା ସମସ୍ତେ ନିଜ ନିଜ ବାଟରେ ନେଇ ସାରିଥିଲେ। ପୁଅ ବୋହୂ ସହ, ଝିଅ ଜୋଇଁ ସହ, ଆଉ ସ୍ତ୍ରୀ ତାଙ୍କ କିଟି ପାର୍ଟି ସହ, ଖୁବ ଖୁସି ରେ ଥିଲେ। ମୋତେ ଦେଖି ଏବେ ସବୁ ଚିନ୍ତା ରେ। କଣ କରିବେ ବୋଲି ସନ୍ଧ୍ୟାରେ ତାଙ୍କର ବିଲୁଆ ବିଚାର ଚାଲିଲା। କେହି କୋୖଣସି ସିଦ୍ଧାନ୍ତ ରେ ପହଞ୍ଚି ପାରୁ ନଥିଲେ। ମୁଁ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇ ଯାଇଥିଲି। ମୁଁ ବଞ୍ଚିଛି ବୋଲି ଜାଣିବା ମାତ୍ରେ ବ୍ୟାଙ୍କ ଵାଲା ଆଉ ଇନ୍ସୁରାନ୍ସ ଵାଲା ଏମାନଙ୍କୁ ପଇସା ମାଗିବେ। କୁଆଡୁ ଆଣିବେ? ଖର୍ଚ୍ଚ ତ ସରିଛି।


ମୋ ବ୍ୟାଙ୍କ ଆକାଉଣ୍ଟ ସବୁ କେବେଠୁ ବନ୍ଦ ହୋଇ ସାରିଥିଲା। ଘର ବାଡ଼ି ସବୁ କିଛି ତାଙ୍କ ନାଁ ରେ ହୋଇ ସାରିଥିଲା। ମୋର ବୋଲି କହିବାକୁ କିଛି ନଥିଲା ମୋ ପାଖରେ, କେବଳ ମୁଁ କାହାକୁ ନ ଜଣେଇ ଅଲଗା ଏକ ବ୍ୟାଙ୍କ ରେ ରଖିଥିବା ବାର ଲକ୍ଷ ଟଙ୍କା ବ୍ୟତୀତ। ବଡି ଭୋର ରୁ ଉଠି ପାସବୁକ ଟି ଧରି ଘରୁ ବାହାରି ଆସିଲି। ଦୋକାନ ରେ ଜଳଖିଆ ଖାଇ ପଇସା ଦେବାକୁ ଗଲା ବେଳେ ଦେଖିଲି ମୋ ପକେଟ ରେ ଟଙ୍କାକିଆ କଏନ ଟିଏ ବ୍ୟତୀତ ଆଉ କିଛି ନାହିଁ। ଜଳଖିଆ ଦୋକାନୀ କୁ ଅନୁରୋଧ କରି ବ୍ୟାଙ୍କ ଖୋଲିବାକୁ ଅପେକ୍ଷା କଲି। ବ୍ୟାଙ୍କ ଖୋଲିବା ମାତ୍ରେ ମୋ ଆକାଉଣ୍ଟ କୁ ବନ୍ଦ କରି ସବୁ ଟଙ୍କା ଧରି, ଦୋକାନୀ କୁ ତା ପଇସା ଦେଇ, ଲକ୍ଷହୀନ ଭାବରେ ଆଗକୁ ଚାଲିଲି, କିଛି ସମୟ ପରେ ଆସୁଥିବା ଏକ ବସ ରେ ଚଢିଲି। ବସ ଆସି ଏଠି ରହିଲା, କୋରାପୁଟ ରେ। ସେଇଦିନୁ ଏହି ଜାଗାରେ ହିଁ ଅଛି। ମୋ ଡାକ୍ତରୀ ବିଦ୍ୟା କୁ ଲୋକଙ୍କ କାମରେ ଲଗାଉଛି। ଫିସ ହିସାବରେ ଟଙ୍କାଏ ନେଉଛି ଶୁଣି କିଛି ମେଡ଼ିସିନ ରିପ୍ରେଜେଣ୍ଟଟେଟିଭ ନିଜେ ନିଜେ ଆଣି ସାମ୍ପ୍ଲ ଔଷଧ ଓ ଇଂଜେକସନ ଦେଇ ଯାଉଛନ୍ତି। ଟଙ୍କାଏ ଟଙ୍କାଏ କରି ଦିନକୁ ପ୍ରାୟ ୪୦-୫୦ ଟଙ୍କା ହୋଇଯାଏ ମୋ ରୋଜଗାର। ମୋ ଖର୍ଚ୍ଚ ଚଳିଯାଏ।


ଘରଣୀ ଆମର ପୁଣି ଥରେ ପଚାରି ଦେଲେ,"ହେଲେ ଫିସ ହିସାବରେ ଟଙ୍କାଏ କାହିଁକି? "


-- କହିଲେ...ଥରେ ଛୋଟବେଳେ ମୁଁ ବାପାଙ୍କ ପକେଟ ରୁ ପଚାଶ ପଇସା ଚୋରି କରିଥିଲି। ବାପା ରାଗି ମୋତେ ବାଡେଇ ଥିଲେ। ତା ପରେ ଟଙ୍କାକିଆ କଏନ ଟିଏ ଦେଇ କହିଥିଲେ,"ମନେରଖ ଦିନେ ନା ଦିନେ ଏହି କଏନ ଟିଏ ହିଁ ତୋ ଜୀବନରେ ଖୁସି ଆଣିବ"। ଜଳଖିଆ ଦୋକାନରେ ଜଳଖିଆ ଖାଇ ସାରିଲା ପରେ ଏହି କଏନ ଟିଏ ହିଁ ଥିଲା ମୋର ସର୍ବସ୍ବ ସମ୍ପତ୍ତି। ସେହିଦିନୁ ନିଷ୍ପତି ନେଲି, ରୋଗୀ ଦେଖି ଫିସ ହିସାବରେ ଟଙ୍କାକିଆ କଏନ ଟିଏ ହିଁ ନେବି।


ବାକି ରହିଲା ବାର ଲକ୍ଷ ଟଙ୍କା? ଆଗରେ ଯେଉଁ ସ୍କୁଲଟି ଅଛି ସେଇ ସ୍କୁଲକୁ ଦାନ କରି ଦେଇଛି କିଛି ପଇସା ଓ ବାକି ଟଙ୍କାରେ ଭଲ ପଢ଼ୁଥିବା ଗରିବ ଛାତ୍ର, ଛାତ୍ରୀଙ୍କ ପାଇଁ ଛାତ୍ରାବାସ ଟିଏ ଖୋଲିଛି। ଏମିତି ତ ଷାଠିଏ ଛୁଇଁଲାଣି। ବାକି ଜୀବନ ଏଠି ଏମିତି ଲୋକଙ୍କ ସେବାରେ କାଟିଦେଲେ ଯାଏ। ଏଇ ଲୋକଙ୍କ ଭଲପାଇବା ହିଁ ଆଜି ସବୁକିଛି ମୋ ପାଇଁ, କଣ ଆଣିଥିଲି ଯେ ନେଇ କି ଯିବି? ଯାହା କରିବି ଏଇ ଜୀବନରେ। ଯାହା ପାଇଁ ପଇସା ସଞ୍ଚି ରଖିଥିଲି, ଯାହା ପାଇଁ ପଇସା ପଛରେ ଧାଉଁଥିଲି, ସେମାନେ ଯେତେବେଳେ ବଞ୍ଚି ଥାଉଥାଉ ଫୋଟୋ କରି ଫୁଲମାଳ ଝୁଲେଇ ଦେଲେ, ଆଉ କାହା ପାଖରୁ କଣ ଆଶା ରଖିବି?


କଥା କଥାରେ ଗାଇଲେ ମନବୋଧ ଚଉତିଶା ର ସେଇ ପଦ ଗୁଡିକ...


କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ,


କିଘେନି ଯିବୁ ତୋର ଛୁଟିଲେ ଘଟ"।


ଗଲେଣି ତୋ ସଂଗରୁ ଯେତେକ ଜନ,


ଗଣ୍ଠିରେ ବାନ୍ଧିନେଲେ କେ କେତେ ଧନ?


ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନବୋଲୁ,


ଗାଢେ ମଜ୍ଜିଣ ନିତ୍ୟ ଧନ ଅର୍ଜିଲୁ।


ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ,


ଘଟ ଛୁଟିଲେ ତୋତେ ବୋଲିବେ ଭୂତ।


ଘର ଘରଣୀ ଦେହ କିଲାଉଥିବେ,


ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ।


ପରମ ତୃପ୍ତିରେ ମୁହଁଟି ତାଙ୍କର ଉଜ୍ଜ୍ବଳ ଦେଖା ଯାଉଥାଏ । ହଉ.. ଯିବା.. କହି ହାତ ଧୋଇବା ପାଇଁ ସେ ଉଠିଲେ...


ଡାକ୍ତର ବାବୁଙ୍କ କଥା ଶୁଣି ସାରିଲା ବେଳକୁ ମୋ ଆଖିରେ ଲୁହ ଟଳ ଟଳ କରୁଥିଲା। ଘରଣୀ ମୋର, ପାଟିରେ ଜାକିଧରିଥିବା ଲୁଗା କାନି ରେ ଲୁହ ପୋଛୁଥିଲେ। ଭାବୁଥିଲି, କହିବା କାହାକୁ? ଧନୀ ହେଉ କି ଗରିବ, ସମସ୍ତେ ଆଜି ଟଙ୍କା ପଛରେ ବାଇ। ଗରିବ ଘରେ, ଟଙ୍କା ନେଇ ମଦ ପିଇବାକୁ ଭେଣ୍ଡିଆ ପୁଅ ବାପା ମାଙ୍କୁ ବାଡେଇବାଠୁ ବଳିଗଲା ଗୋଟିଏ ଧନୀ ଡାକ୍ତରର କରୁଣ କାହାଣୀ।


କେହି ନଦେଖିଲା ପରି ଆଖିରୁ ଲୁହ ପୋଛି ମୁଁ ଉଠି ଯାଉଥିଲି ସ୍କୁଟର ର ଚାବି ଆଣିବା ପାଇଁ....


ଶିକ୍ଷା -- ପଇସା ପଛରେ ଧାଇଁ କିଛି ଲାଭ ନାହିଁ I ଆଜି ତୁମେ ଯାହା ରୋଜଗାର କରିବ, କାଲି ତାହା ଆଉ କିଏ ଉପଭୋଗ କରିବ I ଯଦି ପାରୁଛ, ନିଜ ମନର ଶାନ୍ତି ପାଇଁ କିଛି କର I



Rate this content
Log in

More oriya story from Pradeep Kumar Panda

Similar oriya story from Inspirational