STORYMIRROR

Banabihari Mishra

Inspirational

3  

Banabihari Mishra

Inspirational

ଟିଭି

ଟିଭି

5 mins
500

ବାହାଘର ବେଳେ ଶାଶୁଘର ଲୋକମାନେ ଖୁବ୍ ଖୁସି ଥିଲେ। ଘରୁ ଭିଡ ଭାଙ୍ଗି ଯାଇଥିଲା। ସବୁ ବନ୍ଧୁବାନ୍ଧବ ଫେରି ଯାଇଥିଲେ। ପ୍ରାୟ ପନ୍ଦର ଦିନ ପରେ ଜଣେ ଦୂର ସମ୍ପର୍କୀୟ ମାଉସୀ ଶାଶୁ ବୋହୁ ଦେଖିବା ପାଇଁ ଆସିଲେ। ଶାଶୁଘରେ ପୁରୁଣା ହେଇଆସୁଥିବା ଆରତିକୁ ପୁଣି ଥରେ ସଜବାଜ ହୋଇ ବଉଳପାଟ ପିନ୍ଧି ଆସି ମୁଣ୍ଡିଆ ମାରିବାକୁ ପଡିଲା। ଶାଶୁ ତ ବୋହୁର ପ୍ରଶଂସାରେ ଶତମୁଖ ହୋଇଉଠିଥିଲେ। ବୋହୁର ସଂସ୍କାର, ଚାଲିଚଳନ ସବୁକିଛି ସମ୍ପର୍କୀୟ ଭଉଣୀ ଆଗରେ ବଖାଣିଥିଲେ। ସେଇଠୁ ଆରମ୍ଭ ହେଇଗଲା ମାଉସୀଶାଶୁଙ୍କର ତୀକ୍ଷ୍ଣ କଟାକ୍ଷ। ଗୋଟେ ବ୍ୟଙ୍ଗଭରା ସ୍ବରରେ କହିଲେ, "ହୁଃଁ, ଅପା, ତୁ କୋଉଠୁ ଏ ଦରପାଠୋଇ ଝିଅଟାକୁ ପାଇଲୁ? କୁନା କେତେ ପାଠ ପଢିଛି। ସରକାରୀ ଚାକିରି କରିଛି। ଏ ବୋହୂ ତା ପାଇଁ ହେଲାନି। ମୋତେ ଟିକେ କହିଲୁନି, କେତେ କେତେ ସୁନ୍ଦରୀ ପାଠୋଇ ବଡ଼ବଡ଼ ଘର ଝିଅଙ୍କ ଧାଡ଼ି ଲଗେଇ ଦେଇଥାନ୍ତି। ଖାଲି ଗୁଣ ଥିଲେ କ'ଣ ହେବ? ଗୁଣକୁ ନେଇ କ'ଣ ପେଟ ପୁରିବ? ପଖାଳ କଂସା ଉଠିବ?"


ସେତେବେଳକୁ ଆରତିକୁ ଲାଗୁଥିଲା, ଯେମିତି ତା' ଦେହରେ କିଏ ତତଲା ଲୁହା ଚେଙ୍କ ଦେଉଥିଲା। ମନ ହୋଉଥିଲା କହିଦେବାକୁ, "ତମ ବୋହୁଟା କେତେ ଯାଏ ପାଠ ପଢିଛି କି? ସିଏ ତ ମାଇନର ବି ପାସ୍ କରିନି। ମୁଁ ତ ମାଟ୍ରିକ ପାସ୍ କରିଛି। ବାପାଙ୍କର ଆର୍ଥିକ ଅବସ୍ଥା ଆଉ ଆଜିକାଲିର ପରିସ୍ଥିତି ଯାହା, ସେଥିପାଇଁ ସିନା ବାପା ତା'ର ବାହାଘରଟା କରିଦେଲେ କେବଳ ଦେଲି ନାରୀ, ହେଲି ପାରି ନ୍ୟାୟରେ।" ହେଲେ ନିଜକୁ ସମ୍ଭାଳି ନେଲା ଆରତି। କଥାଟା ପାଟିରୁ ବାହାରୁ ବାହାରୁ ତଣ୍ଟି ପାଖରେ ଅଟକି ଗଲା। ଏଇଟା ଶାଶୁଘର। ଏଇ କଥାଟା ସହି ନଯାଇ ଯଦି ଜବାବ ଦେଇଥାନ୍ତା ତେବେ ପଛରେ "କଳିହୁଡି, ଗାଲେଇ, ଉପରମୁହିଁ ..." ଆଦି କେତେ କ'ଣ ଉପମା ଅଳଙ୍କାର ଲଗେଇ ଏ ମାଉସୀ ଗାଁ ଗୋଟାଯାକ ଗାଇବୁଲିବେ। ଆରତି ହାଡେ ହାଡେ ଚିହ୍ନିଚି ଏ ମାଉସୀଙ୍କି, ଲଗେଇ ଯୋଟେଇ କଥାକହି ସାତଘର ଭାଙ୍ଗି ଗୋଟେ କରିବେ ଆଉ ଗୋଟେ ଘର ଭାଙ୍ଗି ସାତଟା କରିବେ। ଯାହାକୁ କୁହନ୍ତି ଏ ଘର ମାଉସୀ ସେ ଘର ପିଉସୀ" ସେଇଥିପାଇଁ ଆରତି ଆଉ କଥା ନ ବଢେଇ ଚୁପଚାପ ଉଠି ଆସିଲା। ହେଲେ ମନ ତ ଲାଗିଛି, ମାଉସୀ ମାଆଙ୍କୁ ଆଉ କ'ଣ କ'ଣ ସବୁ ପାଠ ପଢୋଉଛନ୍ତି ଜାଣିବା ପାଇଁ ଭାରି ଉତ୍କଣ୍ଠା। ସେଇଥିପାଇଁ ଆରତି କବାଟ ପାଖରେ ରହି କାନ ଡେରିଥିଲା। ମାଉସୀ ଶାଶୁଙ୍କୁ ପଚାରୁଥିଲେ, "ଅପା, ବୋହୁ ଯୌତୁକ କ'ଣ ସବୁ ଆଣିଛି କି?" ଉତ୍ତରରେ ଶାଶୁ ଅତ୍ୟନ୍ତ ଉତ୍ସାହିତ ହୋଇ ସବୁ ବଖାଣିଥିଲେ। ସବୁ କିଛି ଆଣିଛି। ଏଡ଼େ ସୁନ୍ଦର ବୋହୁ, ଏଡ଼େ ଗୁଣର, ଟଙ୍କା ସୁନା କ'ଣ କଥା କହିବ! ସେ ଯାହା ଆଣିଛି ସେଇ ମୋର ଯଥେଷ୍ଟ। 


ଏତକ ଶୁଣିବା ପରେ ମାଉସୀଶାଶୁ ଗୋଟେ ବ୍ୟଙ୍ଗସୂଚକ ସ୍ବରରେ କହୁଥିଲେ, "ହୁଁଃ, ଗୋଟେ ଟିଭି ଆଣିନି, ଆଉ କ'ଣ ଆଣିଛି ଯେ ଏତେ କଥା କହୁଛୁ ଅପା। ଆଜିକାଲି ଭିକାରିଟେ ବି ତା ଝିଅକୁ ଟିଭି, ଫ୍ରିଜ୍ ଆଉ ଆଲମାରୀ ଦୋଉଛି। ଆଉ ତୁ କହୁଛୁ ଭାରି ଭଲଲୋକ ତୋ ସମୁଦୀ। ସେ ଲୋକଟା ନିହାତି ନିକୁଛିଆ, କୃପଣଟେ। ନହେଲେ ଏଇ ସାଧାରଣ ଜିନିଷଗୁଡା ସେ ତା ଝିଅକୁ ଦେଇ ନଥାନ୍ତା।" ଶାଶୁ କହିଲେ, "ମୋ ପୁଅ କ'ଣ ବାକି ରଖିଛି ଯେ, ସବୁ ତ ଜିନିଷ କରିସାରିଛି। ପୁଣି ତା ଶଶୁରଘର ଦେଇଥିଲେ ସେଗୁଡା ଘରେ ଖାଲି ପଡି ପଡି ନଷ୍ଟ ହୁଅନ୍ତାନି?" ମାଉସୀଶାଶୁ ଚୁପ୍ ହେଇ ନଥିଲେ। କହିଲେ,"ଆଲୋ ଅପା, ଯାହା ହେଲେବି ଘରର ଆଉ ପୁଅର ମାନସମ୍ମାନର କଥା। ଏ ଘରର ସମ୍ମାନ ରଖି ଏଇ ସାଧାରଣ କେଇଟା ଦେଇ ପାରି ନଥାନ୍ତେ।" ଆଉ କିଛି ସମୟ ରହି ମାଉସୀଶାଶୁ ଜଳଖିଆ ଉଦରସ୍ଥ କରି ପାନ ଖିଲେ ଜାକି କହିଲେ, "ହଉ ଲୋ ଅପା, ମୋର ତେଣେ କେତେ କାମ ପଡିଛି। ମୁଁ ଯାଏଁ।" 


ଏତକ କହି ମାଉସୀ ଗଲେ ସିନା, ଆରତି ପାଇଁ ଛାଡି ଦେଇ ଗଲେ ଭାବିବା ପାଇଁ ଅନେକ କିଛି। ଆରତି ଜାଣିଥିଲା ତା ବାପା କେତେ କଷ୍ଟରେ ପଇସାପତ୍ର ଯୋଗାଡ କରି ତା ବାହାଘର କରିଛନ୍ତି। ଜଣେ ସାଧାରଣ ନିମ୍ନ ମଧ୍ୟବିତ୍ତ ଚାଷୀ ପରିବାର। ଗୋଟେ ଭଲ ପ୍ରସ୍ତାବ ମିଳିଲା ବୋଲି ଧାର ଉଧାର କରି ବାହାଘରଟା କରିଛନ୍ତି। ମାଉସୀଶାଶୁଙ୍କର କଥା ଶୁଣି ଆରତି ଆଖିରୁ ଦିଧାର ଲୁହ ବୋହି ଯାଇଥିଲା। ତା ଶାଶୁ ଭଲ ମଣିଷ ହେଲେ କ'ଣ ହେଲା, ମାଉସୀ ଯାହା କହିଲେ ସେଇକଥା ଅନ୍ୟମାନେ ବି କହୁଥିବେ। ବାପାଙ୍କୁ ନିକୁଛିଆ କୃପଣଟେ ବୋଲି କହୁଥିବେ। 


ଆଉ ତିନିଦିନ ପରେ ଦୁତୀବାହନ ଓଷା। ଆରତି ଜାଣିଥିଲା ତା ବାପା ନିଶ୍ଚୟ ଭାର ଧରି ଆସିବେ। ବାହାଘର ବେଳେ ତା ହାତରେ ଦେଇଥିବା ପାଞ୍ଚ ହଜାର ଟଙ୍କା ସେ ତା ହାତବାକ୍ସରେ ରଖିଛି। କେତେଥର ତା ସ୍ବାମୀଙ୍କୁ ସିଏ ଯାଚିଛି। କିନ୍ତୁ ପ୍ରତିଥର ସେଇ ଗୋଟିଏ କଥା କହି ସିଏ ଟାଳି ଦିଅନ୍ତି। "ରଖିଥା ସେ ପଇସା, ସେଇଟା ପୁରାପୁରି ତୁମର। ଏବେ ତ ମୁଁ ରୋଜଗାର କରୁଛି, ପଇସାପତ୍ରର କିଛି ଅଭାବ ନାହିଁ। ପରେ କେବେ ଦରକାର ପଡିଲେ ଦେଖିବା।" ଆରତି ଏବେ ସ୍ଥିର କରି ସାରିଥିଲା ବାପା ଆସିଲେ ସେଇ ପାଞ୍ଚ ହଜାର ଟଙ୍କା ଦେଇ ଗୋଟେ ରୋହିଣୀ ଡିଲକ୍ସ ଟିଭି ଆଣିଦେବା ପାଇଁ କହିବ। ଅନ୍ତତଃପକ୍ଷେ ଏତେକଥା ଶୁଣିବାକୁ ପଡିବନି।


ତା ପରଦିନ କୁଆଟା ସକାଳୁ ସକାଳୁ ଆମ୍ବଗଛ ଡାଳରେ ବସି କା କା ରାବୁଥିଲା। ଆରତି ଜାଣିଛି ଆଜି ବାପା ଆସିବେ। କୁଆଟା ଉପରେ ମନେ ମନେ ଗୋଟେ ଆନନ୍ଦ ମିଶା ରାଗ ଆସୁଥିଲା। 'ତତେ ମରଣ ହୋଉନି, ସକାଳୁ ସକାଳୁ ରାଉ ରାଉ ହୋଉଚୁ। ମୁଁ ଜାଣିଚି ଆଜି ବାପା ଦୁତିଆ ଭାର ଧରି ଆସିବେ। ଏମିତି ଛୋପରୀ କାହିଁକି ହୋଉଚୁ। ସାରା ଗାଁଟାକୁ ଜଣେଇ ମରୁଚୁ'। ସତକୁସତ ବେଳ ଦିପହରକୁ ବାପା ଆସିଲେ। ପହିଲି ବର୍ଷ ଦୁତିଆ ଭାର। ଆଖିଦୃଶିଆ ହେବା ସ୍ବାଭାବିକ। ସେଇଥିପାଇଁ ବୋଧେ ଦିଜଣ ଭାରୁଆ ଆସିଥିଲେ। ଭାରୁଆଙ୍କ ପଇସା ବାପା ତୁଟେଇ ଦେଇଥିଲେ। ସେମାନଙ୍କ ଖାଇବା ପିଇବା କଥା ବୁଝିଦେଲା ପରେ ସେମାନେ ଚାଲିଗଲେ। ଆଉ କିଛି ସମୟ ସମୁଦୁଣୀଙ୍କ ସହ କଥା ହେଇ ଛାଇଲେଉଟାଣି ବେଳକୁ ବାପା ଯିବେ।


ବାପା କହୁଥିଲେ, "ସମୁଦୁଣୀ, ଏଇ ପେଟିଟାରେ ଟିଭି ଅଛି। ସେ ଦୋକାନୀକୁ ମୁଁ କହିଦେଇଛି, ସିଏ କାଲି ଆସି ଲଗେଇ ଦେଇଯିବ।" ଶାଶୁ ଆଉ ବାପା ତା'ପରେ କ'ଣ ଫୁସୁରୁ ଫୁସୁରୁ ହେଇ କଥା ହେଉଥାନ୍ତି। ଆରତି ଶୁଣିପାରୁ ନଥାଏ। କିନ୍ତୁ ସେମାନଙ୍କ ହସ ଆଉ ବାପାଙ୍କର ଉଜ୍ଜ୍ବଳ ମୁହଁରୁ ସିଏ ଜାଣିପାରୁଥିଲା ସବୁକିଛି ଠିକଠାକ ଅଛି। କଥାବାର୍ତ୍ତା ସାରି ବାପା ଫେରିଗଲେ।


ସଞ୍ଜ ହେଲା ସରିକି ସିଏ ଅଫିସରୁ ଫେରିଲେ। ଆରତି ଆଶ୍ଚର୍ଯ୍ୟ ହେଇଗଲା ଯେତେବେଳେ ଦେଖିଲା ସିଏ ମାଉସୀଙ୍କୁ ସାଙ୍ଗରେ ଆଣି ଆସୁଛନ୍ତି। ଆରତି ଅନୁମାନ କରୁଥିଲା ତା ଅଜ୍ଞାତସାରରେ କିଛି ଗୋଟେ ଚାଲିଛି। ମାଉସୀଶାଶୁଙ୍କୁ ମୁଣ୍ଡିଆ ମାରି ଚା' କପେ ଧରେଇ ଦେଲା ଆରତି। ଅତି ସ୍ନେହରେ ମାଉସୀ ତା ମୁଣ୍ଡରେ ହାତ ବୁଲେଇ ଆଶୀର୍ବାଦ କରିଥିଲେ ଯାହା ଆରତି ପାଇଁ ଅତ୍ୟନ୍ତ ଅପ୍ରତ୍ୟାଶିତ ଥିଲା। ବଡ଼ ଅଦ୍ଭୁତ ପରିବର୍ତ୍ତନ କାଲି ଆଉ ଆଜି ଭିତରେ। କାଲି ପର୍ଯ୍ୟନ୍ତ ଯିଏ ବୋହୂର ନିନ୍ଦା କରୁଥିଲେ, ସମାଲୋଚନା କରୁଥିଲେ ସିଏ ଆଜି ହଠାତ୍ ଏପରି ବ୍ୟବହାର ଦେଖେଇବା ଆରତିକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ସିଏ ଅପେକ୍ଷା କରିଥିଲା ଆଗକୁ କ'ଣ ହେଉଛି। ଧୀରେ ଧୀରେ ଯାଇ ମାଉସୀଶାଶୁଙ୍କ ପାଖରେ ବସିଲା। ଜବରଦସ୍ତ ଟାଣି ଆଣି ତାଙ୍କ ଗୋଡ଼ ଘଷିଦେବାକୁ ଆରମ୍ଭ କଲା। ବାସ୍ ମାଉସୀ ଯେମିତି କୃତକୃତ୍ୟ ହୋଇଗଲେ "ବୁଝିଲୁ ଅପା ,ବୋହୁ ନୁହେଁ ତ ହୀରାମୁଣ୍ଡାଟିଏ ପାଇଛୁ।" ଅବଶ୍ୟ ସେତେବେଳକୁ ଶାଶୁ ତାଙ୍କୁ ଆମ ଘରୁ ଆସିଥିବା ଟିଭି କଥା କହିସାରିଥିଲେ ।


 ଆରତି ବୁଝିପାରୁନଥିଲା ବାପାଙ୍କ ପାଖରେ ତ ପଇସା ନଥିଲା କୋଉଠୁ ନିଶ୍ଚୟ ଧାରଉଧାର କରି ଦୁତିଆଭାର ଯୋଗାଡ଼ କରିଥିବେ। ସେଥିରେ ପୁଣି ଟିଭି ! ମାଉସୀ ଯିବାପରେ ମାଆ ଓ ପୁଅ ବାଟଘରେ ବସି କଥାହେଉଥିଲେ। ଶାଶୁଙ୍କ ପାକୁଆ ପାଟିର ଓଠ କୋଣରୁ ପାନପିକ ବହିଯିବା ସଙ୍ଗେ ସଙ୍ଗେ ହସର ଫୁଆରା ଛୁଟୁଥିଲା। କହୁଥିଲେ,"ବୁଝିଲୁ ପୁଅ, ମୋ ବୋହୁ ବାପଘରର ବଦନାମ କଣ ମୋର ବଦନାମ ନୁହଁ। ତୋର ସେ ଛଟକୀ ମାଉସୀ କେତେ କଥା ନ କହିଲା ଶୁଣେ । ପୁଣି ସେଇ କଥାଗୁଡା ସେ ଗାଁ ସାରା ଡିବିଡିବି ନାଗରା ବଜେଇ ଦେଇ ନଥାନ୍ତା। ସେଇଥିପାଇଁ ତା ମୁହଁ ବନ୍ଦ କରିବାକୁ ସମୁଦିଙ୍କ ହାତରେ ରୋହିଣୀ ଡିଲକ୍ସ ଟିଭିଟେ କିଣି ପଠେଇବାକୁ ତୋତେ କାଲି କହିଲି। ଆଉ ଆଜି ଦେଖ ତୋ ମାଉସୀ ମୋ ବୋହୁର କେମିତି ପ୍ରଶଂସା କରୁଥିଲା। ମୁଁ ଜାଣିଛି କୋଉ ଲୁହାକୁ କେତେ ପାଣି ଦରକାର।" 


ଆରତି ଆଖି ଆଗରେ ଧୀରେ ଧୀରେ ସବୁକିଛି ସଫା ହୋଇଯାଉଥିଲା। ଶାଶୁଙ୍କ ପାଖରେ ଭକ୍ତିରେ ମୁଣ୍ଡ ନଇଁଯାଉଥିଲା। ପ୍ରାର୍ଥନା କରୁଥିଲା ମାଆ ଜାଗାରେ ସବୁ ବୋହୂଙ୍କୁ ଏମିତି ଶାଶୁ ଭଗବାନ ଦିଅନ୍ତୁ। ସବୁ ପରିବାରରେ ହସ ଝରିବ ଆଉ ଦୁନିଆଟା ରାମରାଜ୍ୟ ହୋଇଯିବ । 


Rate this content
Log in

Similar oriya story from Inspirational