ତୋ ଘର ମୋ ଘର :
ତୋ ଘର ମୋ ଘର :
ଅନିତା ଆସି ଷ୍ଟାଣ୍ଡାର୍ଡ ସେଭେନ ରେ ପଢ଼ୁଥିବା ପୁଅ ସୋନୁ କୁ ତାର ପ୍ରୋଜେକଟ ରେ ସାହାଯ୍ୟ କରିବାକୁ ଯାଇ ଆଜି ର ଟାସ୍କ ଦେଖୁ ଦେଖୁ ସହଜିଆ ଜିନିଷଟି ବୋଲି ଖୁସି ହୋଇଗଲା l କ୍ଲାସ ରେ ସୋନୁ କୁ ଘର ର ଚିତ୍ର ଆଙ୍କିବାକୁ ଦିଆ ଯାଇଛି l ଯାହା ର ଘର ସୁନ୍ଦର ହେବ ତାକୁ ମିସ ଗୋଲାପ ଫୁଲ ଦେବେ ପୁଣି ନିଜ ହାତରେ l ହଁ ଘର ତିଆରି ବହୁତ ସହଜ କାମ !
କିନ୍ତୁ ଆଉ ଗୋଟିଏ ସର୍ତ୍ତ ବି ମିସ ରଖିଥିଲେ l ଖାଲି ଘର ତିଆରି କରିଦେଲେ ହେବନାହିଁ ଘରେ ରହୁଥିବା ସଦସ୍ୟ ମାନଙ୍କୁ ମଧ୍ୟ ଚିତ୍ର ରେ ଦେଖାଇବାକୁ ହେବ l
ତେଣୁ ସୋନୁ ଘରଟିଏ ଆଙ୍କି ତା ଭିତରେ ଚାରି ଜଣଙ୍କ ର ଛୋଟ ଛୋଟ ଚିତ୍ର ଚାରୋଟି ଆଙ୍କିଥିଲା l ଅନିତା ସଂଶୋଧନ କରିବାକୁ ଯାଇ କହିଲା
--ବାପା ! ଘରେ ଆମେ ତିନି ଜଣ ତୁ, ଡାଡି ଆଉ ମୁଁ l ଚିତ୍ର ଟି ରେ ଚାରିଜଣ ଅଛନ୍ତି ଯେ l ଭୁଲ ହେଇଗଲା l
--ନା ମମି ! ମୋର ଠିକ ଅଛି l
--ନା ରେ ସୋନୁ l କାଲି ଦେଖିଲେ ମିସ ଭୁଲ ହୋଇଛି ବୋଲି
କହିବେ l ଫୁଲ ତୋଡ଼ା ତୋତେ ଆଉ ମିଳିବନି l
--ମମି ତୁମେ କିଛି ବୁଝୁନାହଁ l ଏଇଟା ହେଲି ମୁଁ ଆଉ ଇଏ ମୋ ସ୍ତ୍ରୀ ଓ ମୋର କୁନି କୁନି ଦୁଇଟି ପୁଅ ଝିଅ l
--ଆଉ ତୋ ମମି ଡାଡି ଙ୍କୁ ଛାଡି ଦେଲୁ ଯେ ?
--ତୁମେ ତୁମ ଘରେ ରହିବ ନା l ମୋ ଘରେ ଯାଗା ନାହିଁ ପରା l ଛୋଟ ଘର ଟା l
ଏଡିକି ଛୋଟ ଛୁଆ ପୁଣି ତା କଥା ଶୁଣ l ତା ଘରେ ତା ବାପା ମା ନୁହଁ ତା ସ୍ତ୍ରୀ ପୁଣି ରହିବ l ଆଦିତ୍ୟ କହିଲା " ଆଜି ତୁମେ ତା ମୁହଁ ବନ୍ଦ କରିଦେବ ହେଲେ ସମୟ ଆସିଲେ ସେତେବେଳେ କଣ କରି ପାରିବ ଶୁଣେ ? ଇତିହାସ ର ପୁନରାବୃତ୍ତି ହେବା କଥା ସିନା ଆଉ କିଛି ଲାଭ ନାହିଁ l ଇତିହାସ କୁ ତା ବାଟ ରେ ଯିବାକୁ ଦିଅ l ସେଥିରେ ତୁମେ କିମ୍ବା ମୁଁ କିଛି କରି ପାରିବା ନାହିଁ " l
ଆଦିତ୍ୟ ଠାରୁ ଗୋଟିଏ ଥାପଡ଼ ଖାଇଥିଲେ ବି ଅନିତା କୁ ଏତେ ବାଧି ନଥାନ୍ତା ଯେତିକି ଆଦିତ୍ୟ ମୁହଁରୁ ଇତିହାସ ର ପୁନରାବୃତ୍ତି ହେବଶୁଣି ବାଧି ଥିଲା l
ଅନିତା ଦୁଇ ବର୍ଷ ପଛକୁ ଫେରି ଯାଇଥିଲା l ସେଦିନ ଶାମ୍ବ ଦଶମୀ ରେ ସକାଳୁ ଝିପି ଝିପି ବର୍ଷା ଲାଗି ରହି ଥାଏ l ଆଦିତ୍ୟ ମାସେ ପାଇଁ ବାଙ୍ଗାଲୋର ରେ ଟ୍ରେନିଂ ନେବାକୁ ଯାଇଥାଏ l ପୁଅକୁ ଧରି ଅନିତା ଏକୁଟିଆ ଘରେ l ହଠାତ ଦିଅର ଫୋନ କଲା ଯେ ଶାଶୁ ସକାଳୁ ଉଠି ପାରୁନାହାନ୍ତି କି କଥା କହି ପାରୁନାହାନ୍ତି l ଡାକିଲେ ଖାଲି ଜୁଳୁ ଜୁଳୁ କରି ଦେଖୁଛନ୍ତି ସିନା ପାଟି ଫିଟୁ ନାହିଁ l
ଅନିତା ସେଇଠି ହିଁ କଥା ସମାପ୍ତ କରିଦେଲା ଯେ ଯାହା କରିବା କଥା ସେମାନେ କରନ୍ତୁ କାରଣ ଆଦିତ୍ୟ ଭୁବନେଶ୍ୱର ରେ ନାହିଁ l ସୁତରାଂ ଅନିତା ଠୁ କିଛି ଆଶା କରିବା ବୃଥା l ସେ ଏକୁଟିଆ ସ୍ତ୍ରୀ ଲୋକ କିଛି କରିପାରିବ ନାହିଁ l ଟଙ୍କା ପଇସା ଦେବାର ବି ପ୍ରଶ୍ନ ଉଠୁ ନାହିଁ l
ଦିଅର ଆଦିତ୍ୟ କୁ ଫୋନ କରିବାରୁ ଆଦିତ୍ୟ ଭାବିଲା ଟ୍ରେନିଂ ଅଧାରେ ଛାଡି ଦେଇ ଭୁବନେଶ୍ୱର ଫେରି ଆସିବ l କିନ୍ତୁ ଟ୍ରେନିଂ ସମାପ୍ତ ନକଲେ ପ୍ରୋମସନ ନାହିଁ l ଅଧିକା ଦରମା ଓ ଅନ୍ୟାନ୍ୟ ଆଖି ଦୃଶିଆ ସୁବିଧା ଗୁଡ଼ିକରୁ ବଞ୍ଚିତ ହେବ l ହୁଏତ ଅନିତା କିଛି ସାହାଯ୍ୟ କରିପାରେ ବୋଲି ଫୋନ ଲଗାଇଲା l
ଅନିତା ସଫା ସଫା ମନା କରିଦେଲା ଯେ ସେ ଏକୁଟିଆ ତେଣୁ ହସ୍ପିଟାଲ ଯାଇ ଦେଖା ଚାହାଁ କରିବା ତା ପକ୍ଷରେ ସମ୍ଭବ ନୁହେଁ l ଦିଅର ଓ ତାଙ୍କ ସ୍ତ୍ରୀ ମିଶିକି ଯାହା କରିପାରିବେ କରନ୍ତୁ ନଚେତ ଗାଁରେ ଚୁପଚାପ ରହି ଶେଷ ସମୟ କୁ ଅପେକ୍ଷା କରନ୍ତୁ l ଏମିତି ରେ ବି ଶାଶୁଙ୍କ ବୟସ ସତୁରି ଉପରେ ହେଲାଣି l କୋଉ ଆୟୁଷ ଗୁଡାକ ମାଡି ଆସୁଛି ଯେ !!
ଅନିତା ଠାରୁ ନାସ୍ତିବାଣୀ ଶୁଣି ତା ଦିଅର ନିଜେ ଗାଡି ଭଡା କରି ମା କୁ ନେଇ ଭୁବନେଶ୍ୱର ଆସିଥିଲା ଓ ଗୋଟିଏ ସାଧାରଣ ନର୍ସିଂ ହୋମ ରେ ଦୁଇଦିନ ମା କୁ ରଖି ଟିକିଏ ଅବସ୍ଥା ସୁଧୁରିଲା ପରେ ଫେରି ଯାଇଥିଲା ମା କୁ ନେଇ l ପ୍ରାୟ ଦୁଇ ମାସ ଖଣ୍ଡେ ଶଯ୍ୟାଶାୟୀ ହେବା ପରେ ଅନିତା ର ଶାଶୁଙ୍କ ପରଲୋକ ହୋଇ ଯାଇଥିଲା l
ଅନିତା ଯେ ପାରିବାର ନୁହେଁ ସେ କଥା ନାହିଁ l ଆଦିତ୍ୟ ର ଅନୁପସ୍ଥିତି ରେ ଭୁବନେଶ୍ୱର ରୁ ରାଉରକେଲା କାର ଚଲାଇ ରାତା ରାତି ଏକୁଟିଆ ପୁଅ ସାଙ୍ଗରେ ପୁଣି ଭାଇ ବାହାଘର କୁ ସେ ଯାଇ ପାରିଥିଲା କିନ୍ତୁ ଆଦିତ୍ୟ ଯେତେ କହିଲା ଟ୍ରେନ ରେ ଯିବା ପାଇଁ ତା କଥା ରହି ନଥିଲା l
ତା ନିଜ ବାପାଙ୍କୁ ପାରାଲିସିସ ହେଲା ବେଳେ ତାଙ୍କ ପାଖେ ଦିଲ୍ଲୀ ର ଏମ୍ସ ରେ ରହି ତିନି ମାସ ଧରି ସେବା ଶୁଶ୍ରୁଷା ବି କରି ଥିଲା କାରଣ ସେ ସମୟରେ ଆଉ କେହି ଭାଇ ଭଉଣୀ ବାପାଙ୍କ ପାଖେ ରହିବାକୁ ରାଜି ହୋଇ ନଥିଲେ l ସୁତରାଂ ଆଦିତ୍ୟ କୁ ପୁଅ ସାଙ୍ଗରେ ଏକୁଟିଆ ଭୁବନେଶ୍ୱର ରେ ତିନିମାସ ରହିବାକୁ ପଡିଥିଲା l ଅଫିସ କାମ ସହିତ ପୁଅର ସ୍କୁଲ ଓ ରୋଷେଇବାସ କଥା ଆଦିତ୍ୟ ଜଣେ ହିଁ ବୁଝୁଥିଲା l
ଦାୟିତ୍ୱ ଯେତେବେଳେ ନିଜ ଲୋକଙ୍କ ର ନେବାକୁ ହୁଏ ସେତେବେଳେ ତାହା ଦାୟିତ୍ୱ ଭଳି ଲାଗେ ନାହିଁ l ସେଥିରେ କର୍ତ୍ତବ୍ୟବୋଧ ଚାଲି ଆସେ l କିନ୍ତୁ ପର ର ଦାୟିତ୍ୱ ତ ଦାୟିତ୍ୱ ନୁହେଁ ବରଂ ବୋଝ ସଦୃଶ l ତେବେ ସେ ଯାହା ହେଉ ସେ ସବୁ ଗଣ୍ଠି କରି ଧରି ବସିଲେ ତ ସଂସାର ଚାଲିବ ନାହିଁ l
ସବୁ ଦେଖି ସବୁ ଶୁଣି ନଦେଖିଲା ପରି ଆଡେଇ ଦେଇ ଚାଲି ଯିବାକୁ ହୁଏ l ନହେଲେ ଘୋର ଅନର୍ଥ ହୋଇଯିବ l ସଂସାର ରୂପୀ ରଥଟି ଚାଲିବ ନାହିଁ l ପୁଅଟିକୁ ହଳାହଳ ବିଷ ପାନ କରି ନୀଳକଣ୍ଠ ସାଜିବାକୁ ହୁଏ l ବାପା ମା କୁ ଆଉଁସି ଦେବା ପାଇଁ ବଢ଼ାଇ ଥିବା ହାତଟି ସ୍ତ୍ରୀ କୁ ଦେଖିଲେ ଫେରାଇ ନେଇ ଆସିବାକୁ ପଡିଥାଏ l
ଆଦିତ୍ୟ ର ବାପାଙ୍କର ପ୍ରଥମ ଥର ଷ୍ଟ୍ରୋକ ହେଲାବେଳେ ବି ଭୁବନେଶ୍ୱର ଅଣା ହୋଇଥିଲା l ଡାକ୍ତର ତିନିମାସ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ଲେଖିଥିଲେ l ଗାଁ କୁ ନେବା ପାଇଁ ଆଦିତ୍ୟ ର ସାନ ଭାଇ ଡରି ଯାଇ ଥିଲା l ହଠାତ ଯଦି କିଛି ହୋଇଯାଏ ସେଠି କିଏ
ଅଛି ? ସୁତରାଂ ବାପା ଆଦିତ୍ୟ ପାଖରେ ଦୁଇ ତିନି ମାସ ରୁହନ୍ତୁ କାହିଁକି ନା ଆଦିତ୍ୟ ଘରେ କାମ କରିବାକୁ ଚାକର ବାକର ଭର୍ତ୍ତି l ବାପାଙ୍କୁ ହାତ ପାଖରେ ସବୁ ମିଳିଯିବ l କିନ୍ତୁ ସେଥର ବି ଅନିତା ରାଜି ହୋଇ ନଥିଲା l ବାପା ଏଠି ରହିବାକୁ ହେବନି l ବାପା, ତାଙ୍କ ଚିକିତ୍ସା ଏବଂ ଓଷଦ ପତ୍ର ର ପଟୁଆର କିଏ ସମ୍ଭାଳିବ l ଅନିତାର ପ୍ରାଇଭେସି ନଷ୍ଟ ହୋଇଯିବ ଯେ !!
ତେଣୁ ବାଧ୍ୟ ହୋଇ ବସ୍ତି ରେ କାମବାଲୀ ରଂଗୁଣୀ ର ଦଶ ବାଇ ଦଶ ଫୁଟ ଘରେ ବାପାଙ୍କୁ ରଖା ହୋଇଥିଲା l ବାପାଙ୍କ ସେବା ଯତ୍ନ ଖିଆପିଆ ଲାଗି ରଂଗୁଣୀ ଆଦିତ୍ୟ ଠାରୁ ଟଙ୍କାଟିଏ ବି ନେଇନଥିଲା l ଶୋଇବାକୁ ଅସୁବିଧା ହେବ ବୋଲି ଆଦିତ୍ୟ ଯାଇ ଫିତା ଖଟଟିଏ ଯାହା କିଣି ଦେଇ ଆସିଥିଲା ବାପାଙ୍କ ଶୋଇବା ନିମନ୍ତେ କାରଣ ରଂଗୁଣୀ ଘରେ ଖଟ ନଥିଲା l
ଦଶ ଦିନ ପରେ ବାପା ଗାଁ କୁ ଫେରି ଯାଇଥିଲେ ଓ ଶେଷ ନିଶ୍ୱାସ ତ୍ୟାଗ କଲା ପର୍ଯ୍ୟନ୍ତ ଆଉ ସେ ଭୁବନେଶ୍ୱର ରେ ପାଦ ପକାଇ ନାହାନ୍ତି l
ପିଲାଟି ଦିନରୁ ଅନିତା ସବୁ ପ୍ରକାର ଚେଷ୍ଟା କରିଛି ସୋନୁକୁ ଗୋଟିଏ ଆଦର୍ଶ ମଣିଷ କରି ଗଢି ତୋଳିବା ପାଇଁ l ଟି ଭି ରେ ଯେତେବଳେ ବି କିଛି ଶିକ୍ଷଣୀୟ କାର୍ଯ୍ୟକ୍ରମ ଦେଖିବ ସୋନୁ କୁ ଟାଣି ଆଣି ପାଖରେ ବସାଇବ l
ଆଦିତ୍ୟ କହେ କଣ ଗୋଟିଏ ଦିନରେ ପୃଥିବୀ ର ସବୁ ଯାକ ଭଲ ଗୁଣ ତାକୁ ବାଟିକି ପିଆଇ ଦେବ କି ? ତାର ଖେଳ କୁଦ ର ବୟସ ରେ ଏତେ ସିରିଅସ ଜିନିଷ ଗୁଡିକ କେମିତି ମୁଣ୍ଡକୁ ନେବ ସେ ? ଅନିତା କିଛି ଶୁଣେ ନାହିଁ l ପିଲାରୁ ଭଲ ଶିକ୍ଷା ଦୀକ୍ଷା ଦେଲେ ବଡ଼ ହେଲେ ଭଲ ମଣିଷ ହେବ ନା l
ଏବେ ବି ଶାଶୁଙ୍କ ସେଇ କଥା ପଦକ ମନେ ପଡି ଯାଉଛି l
--ମା ରେ ! ତୁ ଯାହା କହିବୁ, ଶୁଣେଇବୁ କି ଦେଖାଇବୁ ତୋ ଛୁଆ ଶିଖିବନି ତୁ ଯାହା କରିବୁ ସେଇଟା ହିଁ ଶିଖିବ l
ବୋଧେ ତାହା ନିକଟ ଭବିଷ୍ୟତ ରେ ସତ ହେବାକୁ ଯାଉଛି କି କଣ କିଏ ଜାଣିଛି ? ଅନିତା ଦୂର ଦିଗବଳୟ ଭିତରେ ନିଜର ଭବିଷ୍ୟତ କୁ ଅବଲୋକନ କରି ଅନ୍ୟମନସ୍କ ହୋଇ ଯାଉଥିଲା l