Satyabati Swain

Inspirational

3  

Satyabati Swain

Inspirational

ତଲାସ୍

ତଲାସ୍

3 mins
359


କାଲି ମୁଁ ଓ ମୋ ବାବୁ ଗୋଟେ ରିସେପସନ ଭୋଜିକୁ ଯାଇଥିଲୁ।ସେଠି ଯାଇ ଯେଉଁ ମାନଙ୍କୁ ଭେଟିଲି ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ଆରେ ଏମାନେ ସବୁ ମୋ ଗାଁ ଲୋକ।ମୁଁ ସମସ୍ତଙ୍କୁ ଚିହ୍ନେ।ହୋଇଥିବେ ୟାଙ୍କର୍ କେହି ଆତ୍ମୀୟ ବୋଲି ମୁଁ ଧରିନେଲି।ସେମାନେ ମୋତେ ଦେଖି କୋଟି ନିଧି କଲେ।ପୁଅବୋହୂଙ୍କ ପାଖକୁ ମୁଁ ଗଲି।ସିଂହାସନ ପରି ଗଦି ଚୌକିରେ ସେମାନେ ବସିଥାନ୍ତି।ଖୁବ୍ ସାଜ ସଜ୍ଜା ହୋଇଥାଏ କପଡା ଓ ଆଲୋକରେ।ସତେକି ଝୁଲନ୍ତା ଘର ଭିତରେ ଆକାଶ ଭ୍ରମ ସୃଷ୍ଟି କରୁଥିବା ମଣ୍ଡପରେ ସେମାନେ ବସିଥାନ୍ତି ।ପୂର୍ଣ୍ଣିମା ଜହ୍ନ ପରି ଝଲସୁଥା ବୋହୁଟି।ବୋହୁଟିକୁ ଏମିତି ସଜେଇ ଥାଆନ୍ତି ଦେଖିଲେ ଆଖି ଲାଖି ରହିବ।ପୁରା କଣ୍ଢେଇ ଟିଏ ଅବା ସ୍ୱର୍ଗରୁ ଓହ୍ଲେଇ ଆସିଛି ପରିଟିଏ।ପୁଅ ଅପେକ୍ଷା ବୋହୁଟି ଅତି ଛୋଟ ମନେ ହେଉଥାଏ।


ବୁଝୁ ବୁଝୁ ସେ ଆମ ଗାଁ ବାବୁଲା ଝିଅ।ଏଥର ବୁଝିଲି ଆମ ଗାଁ ଲୋକେ ଏଠି ଏତେ ମାତ୍ରାରେ କାହିଁକିଦିଶୁଛନ୍ତି?ବାବୁଲା ସ୍ତ୍ରୀ କନକ ମୋତେ ଦେଖି କୁଣ୍ଢେଇ ପକାଇଲା।ଅନେକ ଦିନ ପରେ ମୋର ସେମାନଙ୍କ ସହ ଦେଖା ସାକ୍ଷାତ ହେଲା।ମୁଁ ଟିକେ ଦ୍ଵନ୍ଦରେ ପଡିଲି।ସତ କହିବାକୁ ଗଲେ ଜ୍ବାଇଁ ଅପେକ୍ଷା ଝିଅଟି ଯେତିକି ସୁନ୍ଦର ସେତିକି ସାନ।ମୁଁ କହିଲି "କନକ ତୋ ଝିଅଟି ତ ଖୁବ୍ ଛୋଟ ଲାଗୁଛି।କେତେ ହେବ ବୟସ ତାର ଯେ ବାହା କରିଦେଲୁ?କନକ ହସି ହସି କହିଲା କଣ କରିଥାନ୍ତି ଅପା ମେଟ୍ରିକ ପରେ ଆଉ ପଢେଇ ପାରିଲୁ ନାହିଁ।ଆଜି କାଲି ଯୁଗ କଥା ତ ଜାଣିଛ।ବଢ଼ିଲା ଝିଅଟିଏ ଘରେ ରହିଲେ ବାପା ମା ଆଖିରୁନିଦ ହଜିଲା।କାହାକୁ ଭରସା ଅଛି।କେତେ ବେଳେ କେଉଁ କଥା। ପ୍ରସ୍ତାବ ଟିଏ ବି ଆସିଲା।ଆମ ମେରୀକୁ ଅଠର ପୁରି ସାତ ମାସ ହୋଇଛି।ଉଣେଇଶି ବର୍ଷ ବି ହୋଇ ନାହିଁ।ଦେଖିଲ କେମିତି ଘରଦ୍ୱାର,ଶାଶୁ ଶଶୁର।ଆମ ପରି ଗରିବ ଗୁରୁବା ଲୋକଙ୍କୁ ଏମିତି ପ୍ରସ୍ତାବ ମିଳିବା ଭାଗ୍ୟ କି ନୁହେଁ ,କହୁନ?


ମୁଁ କହିଲି ଠିକ୍ ଯେ ମୀରାଟା ଏତେ ସାନ କଣ ଜାଣିଛି ଦୁନିଆଁ ବିଷୟରେ ତୁ ତାକୁ ବାହା କରିଦେଲୁ?ଦେଖିଲୁ କେମିତି ଛୁଆଙ୍କ ପରି ହେଉଛି ସେ।ଏତେ କମ୍ ବୟସରୁ ବାହା ହୋଇ ଅକାଳ ବାର୍ଦ୍ଧକ୍ୟ ଗ୍ରାସିବ।ଛୁଆଟା ଗୋଟେ ଦିଟା ପିଲା ଜନ୍ମ କରିଦେଇ ବୁଢ଼ୀ ହୋଇଯିବ,ରୋଗୀଣା ବି।ତାର ଯାହା ହେଉ ;ତୁମେ ବାପା ମା କର୍ତ୍ତବ୍ୟ ସାରିଦେଲ।ବୋଝ ଗଲା।ନା କଣ ?


ସେଇଆ ମ ଅପା।ଝିଅ ଜନ୍ମ ତ ସେଇ ପାଇଁ।ଆଜି ନ ହେଲେ କାଲି ବାହା ହୋଇଥାନ୍ତା।ସହରରେ ;ପୁଣି ଏମିତି ଘରଦ୍ୱାର ପାଇଥାନ୍ତା କି?ମୀରା କପାଳ ଟାଣ।ଏତେ ବଡ଼ ଘରେ ବଉଛୁ ବୋଲି ଧାର କରଜରେ ବୁଡି ସବୁ ଜିନିଷ ଦେଇଛୁ ମ ଅପା।ମୋ ମୀରା ଟି ଜାଣ ରାଣୀ ହେବ।ମୁଁ ଭାରି ଖୁସି ଲୋ ଅପା ମୋ ମୀରା ସହରରେ ରହିବ,ରାଜ ରାଣୀ ହେବ।


ସେ ବାରମ୍ବାର ଘର ଦ୍ୱାର କହୁଥାଏ।କିନ୍ତୁ କହୁ ନ ଥାଏ ଜ୍ବାଇଁ କଥା।ପ୍ରକୃତରେ ଜ୍ବାଇଁ ବିଷୟରେ କିଛି କଥା ହିଁ ନଥାଏ।ମୁଁ ସବୁ ଜାଣିଛି।ମୋ ବାବୁଙ୍କ ସାଙ୍ଗର ପୁଅ ଏ।ଗୁଣ୍ଡା ହୁଣ୍ଡା ମଦୁଆ ଟା।କେଇଥର ଜେଲ ବି ଯାଇଛି।ପୁରା ଖରାପ ରେକର୍ଡ।କେହି ଆଖ ପାଖ ଲୋକେ ଏସବୁ ଜାଣି ଝିଅ ଦେଉ ନ ଥିଲେ।ବୁଢା ହେଲାଣି,ଝିଅ ମିଲୁ ନଥିଲେ।ପଇଁତିରିଶ ବର୍ଷରୁ ଅଧିକ ହେବ।ମୀରା ବୟସର ଦୁଇ ଗୁଣ।


ଶେଷକୁ ହାବୁଡ଼େ ପଡିଛି ବାବୁଲା।ବିଚରା ସରଳିଆ

,ଗାଉଁଳି ପାନ ଦୋକାନୀଟେ।ଝିଅ ମୀରାଟି ତାର ସ୍ୱର୍ଗ ଅପ୍ସରୀ ପରି।ଝିଅକୁ ଦେଖି ଗୋଟିଏ ଥରେ ଯେ କେହି ରାଜି ହୋଇଯିବ।ଜ୍ବାଇଁ ଘରଦ୍ୱାର ଦେଖି ବାବୁଲ ଟା ବସି ଯାଇଛି।କିନ୍ତୁ ମୀରା ଖୁସି ରହିବ ତ...!ଏ ପ୍ରଶ୍ନ ମୋତେ ଭାରି କଷ୍ଟ ଦେଉଥାଏ।ବାହା ଘର ତ ସରିଲାଣି ଆଉ ଭାବି ଲାଭ କଣ?


ମୁଁ ପୁଅ ବୋହୁଙ୍କ ପାଖକୁ ଗଲି।କନକ ବୋହୂର ମା ମୋତେ ମୀରା ସହ ପରିଚିତ କରାଇଦେଲା।

ଖାମ୍ ଟି ହାତକୁ ବଢ଼ାଇ ଦେଉ ଦେଉ ମୀରାକୁ ଟିକେ ଗେଲ କରିଦେଲି।ସେ ମୁହଁଟି ଶୁଖାଇ ଥାଏ।ମୁଁ କହିଲି କଣ କି ମୀରା ମୁହଁଟି କାହିଁକି ଶୁଖି ଯାଇଛି?


ସେ ମୋ କାନରେ କହିଲା "ଆଣ୍ଟି ମା କହିଛି ହେଁ ହେଁ ଫେଁ ଫେଁ ହେବୁ ନାହିଁ।ଲୋକେ ଖରାପ ଭାବିବେ।ଜାଣିଛ ଆଣ୍ଟି ମୁଁ ହେଁ ହେଁ ହୋଇ ବଡ଼ ପାଟିରେ ହସେ ତ ସେଇ ପାଇଁ ମା ମୋତେ କହିଛି 'ହସିବୁନି ଝିଅ'ଶାଶୁଘର ଲୋକେ ଖରାପ କହିବେ।ସେଇ ପାଇଁ ମୁଁ ହସୁନି।"


ହେ ଭଗବାନ!କି ସରଳ ଗୋଟିଏ ଚାଉଳରେ ଗଢ଼ା ସୁନା କଣ୍ଢେଇଟିଏ।ତା ଭାଗ୍ୟରେ ପୁଣି ଗୋଟେ ବଦମାସ୍ ଲୋକ ରଖିଥିଲ?ହେ ପ୍ରଭୁ ଝିଅଟି ଭାଗ୍ୟରେ ସୁଖ ଲେଖିଥାଅ।ବିବାହ ପରେ ଜ୍ବାଇଁଟି ନୂଆ ମଣିଷ ଟିଏ ହୋଇ ଯାଉ।ଛାଡି ଦେଉ ମଦ ଓ ଯେତେକ ବଦ ଅଭ୍ୟାସ।


ଭୋଜି ଖାଇବା ଖୁସିଟା ମୋର ମରି ଗଲା।କଣ ଟିକେ ପାଟିରେ ଦେଇ ଆମେ ଘରକୁ ଆସିଲୁ।ଦୀର୍ଘଶ୍ଵାସ ଟାଣି ଭାବିଲି ଏହି କି ଝିଅ ଜନ୍ମ.....।"କେବେ ବଦଳିବ" ଝିଅ ବାପାମାଙ୍କ ମନ!କେବେ ସେମାନେ ଝିଅକୁ ବାହା କରିବା ମନୋବୃତ୍ତୀ ଛାଡି ଝିଅର ଖୁସି ତଲାସ୍ କରିବେ।କେବେ...?



Rate this content
Log in

Similar oriya story from Inspirational