Lokanath Rath

Tragedy Classics Inspirational

3  

Lokanath Rath

Tragedy Classics Inspirational

ଥୁଣ୍ଟା ବରଗଛ

ଥୁଣ୍ଟା ବରଗଛ

7 mins
195



ରିକ୍ସାବାଲା କୁ ରାମଚନ୍ଦ୍ର ବାବୁ ରାସ୍ତା କଡର ବହୁତ ପୁରୁଣା ବରଗଛ କୁ ଦେଖି କହିଲେ ,''ବାବୁରେ ମୋତେ ଏଇଠି ଛାଡି ଦେ ,ମୁଁ ଟିକେ ଏଇ ଗଛ ମୂଳରେ ବସିବି ଓ ପରେ ଏଠାରୁ ଘରକୁ ଯିବି .ତୁ ତୋ ପଇସା ନେଇ ମୋତେ ଏଇଠି ଓଲ୍ହାଇ ଦେ "। ରିକ୍ସାବାଲା ଦେଖିଲା କଡରେ ଗୋଟିଏ ପୁରୁଣା ଥୁଣ୍ଟା ବରଗଛ ଆଉ ଏବେ ପୁରା ଦିନ ଦୁଇଟା ,ଖରା ଓ ଗରମ ପ୍ରବଳ । ସେ ଆଶ୍ଚର୍ଯ୍ୟ ହୋଇ କହିଲା ,''ବାବୁ ମୁଁ ବୁଝି ପାରୁନି ଏତେ ଖରାରେ ଏଇ ଥୁଣ୍ଟା ବରଗଛ ପାଖରେ ଆପଣ କଣ କରିବେ ? ଆପଣଙ୍କୁ ତ ଏବେ ମୁଁ ଡାକ୍ତରଖାନାରୁ ନେଇକରି ଆସିଲି । ଘରେ ସିନା ଯାଇ ବିଶ୍ରାମ ନେବେ । ଯଦି ଆଉ କିଛି କାମ ଅଛି କୁହନ୍ତୁ ମୁଁ କରିଦେବି । ମୋ ଘର ବି ଏଇ ପାଖରେ । ଆପଣଙ୍କୁ ଘରେ ଛାଡ଼ିଦେଇ ଯିବି । ଏଇଠି ଏକ ଛାଡ଼ିଦେଇ ଗଲେ ମୋତେ ପାପ ଲାଗିବ । ''ରାମଚନ୍ଦ୍ର ବାବୁ ଟିକେ ହସିଦେଇ କହିଲେ ,'' ନାହିଁରେ ବାବୁ ମୁଁ ତ ଦୀର୍ଘ ୧୫ ଦିନ ପରେ ସେ ଡାକ୍ତରଖାନାରୁ ମୁକୁଳିଲି ,ଏବେ ଏଇ ମୋର ଗଛ ସାଙ୍ଗରେ ଟିକେ ମିଶି ମନକୁ ହାଳିକା କରିଦେବି । ସେ ତ ବୁଢା ହୋଇ ଥୁଣ୍ଟା ହେଇ ଗଲାଣି ,ଆଉ ମୁଁ ବି ଏବେ ୭୦ ବର୍ଷ ବୟସରେ ଏକେବାରକେ ତାପରି ଖାଲି ବଂଚି ରହିଛି । କେହି ନ ବୁଝିଲେ ବି ସେ ମୋ କଥା ଓ ମୁଁ ତା କଥା ଠିକ ବୁଝି ପାରିବୁ । ତୁ ବ୍ୟସ୍ତ ନ ହୋଇ ତୋ ଘରକୁ ଯା । ମୁଁ ଟିକେ ଏଇଠି ବସି ଛାଇ ହେଲେ ଘରକୁ ଚାଲିଯିବି । ମୋ ଗାମୁଛା ଅଛି ଟିକେ ମୁଣ୍ଡରେ ପକେଇ ଏଇଠି ବସିବି ।'' ଏତକ ଶୁଣି ସେ ରିକ୍ସାବାଲା କିଛି ବୁଝି ପାରିଲା ନାହିଁ । ମୁଣ୍ଡକୁ କୁଣ୍ଡାଇ କହିଲା ,'' ହଉ ଯାହା ତୁମ ଇଚ୍ଛା ବାବୁ। '' ସେ ସେଠାରୁ ରାମଚନ୍ଦ୍ର ବାବୁଙ୍କୁ ଛାଡି ଚାଲିଗଲା । ସେ ଛକ ପାଖରୁ ରାମଚନ୍ଦ୍ର ବାବୁଙ୍କ ଘର ଅତି ନିକଟରେ । ରାମଚନ୍ଦ୍ର ବାବୁ ଯାଇ ସେ ଗଛ ମୂଳରେ ଟିକେ ସଫା କରି ରହିଥିବା ଭଙ୍ଗ ସିମେଣ୍ଟ ବେଞ୍ଚ ରେ ବସି ପଡି ଗୋଟେ ଦୀର୍ଘ ନିଶ୍ୱାସ ନେଲେ । ପାଣି ବୋତଲ କାଢି ଦି ଢ଼ୋକ ପିଇଲେ, ଗାମୁଛାରେ ମୁହଁକୁ ପୋଛି ସେ ଗଛ କୁ ଚାହିଁ କହିଲେ ,'' ତୋର ମୋର ଏକା ଦଶା। ତୋତେ ତ ମୁଁ ପିଲାବେଳୁ ଦେଖି ଆସୁଛି ଆଉ ଏବେ ଦେଖୁଛି । ତୋତେ ଆଗରୁ କେତେ ଭଲ ପାଉଥିଲେ ,ଆଦର କରୁଥିଲେ । ଏବେ ତୁ ବୁଢା ହେଇ ଗଲୁଣି ,ତୋ ଡାଳ ଓ ପତ୍ର ନଷ୍ଟ ହେଇ ଗଲାଣି । ତୋତେ ଥୁଣ୍ଟା ବୋଲି କହୁଛନ୍ତି ।ମୋତେ ବି କେହି କହୁଥିବେ ....ହଉ ତୋତେ ଦେଖି ସବୁ ପୁରୁଣା କଥା ମାନେ ପଡି ଯାଉଛି ....

ରାମଚନ୍ଦ୍ର ବାବୁ ଟିକେ ଅତୀତକୁ ଫେରିଗଲେ । ତାଙ୍କର ମନେ ପଡିଗଲା ପିଲାଦିନ କଥା । ଖରାଦିନେ ସକାଳୁଆ ସ୍କୁଲ ହୁଏ ,ଆଉ ସ୍କୁଲରୁ ଫେରିଲା ବେଳେ ସବୁ ସାଙ୍ଗ ମାନଙ୍କ ସହିତ ଏଇ ବରଗଛ ମୂଳେ ଟିକେ ବସି ସମୟ କାଟୁଥିଲେ ଓ ତାପରେ ସମସ୍ତେ ଘରକୁ ଯାଉଥିଲେ । ଆଉ ସେଇ ଖରାଦିନେ ଏଇ ଗଛର ଛାଇ ତଳେ ତଣ୍ଡା ଦହି ମିଶା ପାଣି ବି ପିଇବାକୁ ମାଗଣାରେ ମିଳୁଥିଲା । ଏଇଠି ଏଇ ଗଛର ଛାଇ ତଳେ ଠେଲାଗାଡି ରେ ବାରମଜା ଵାଲା, ଗୁପ୍ଚୁପ ଵାଲା ସବୁ ବସି ତାଙ୍କ ବ୍ୟବସାୟ କରୁଥିଲେ । ଏଇଠି ଏଇ ଗଛ ତଳେ ବସି କିଛି ଲୋକ ତାସ ଖେଳୁଥିଲେ ଓ କିଛି ଲୋକ ବିଶ୍ରାମ ବି ନେଉଥିଲେ । ସେତେବେଳେ ଏ ଗଛ ପୁରା ତା ଛାଇରେ ସମସ୍ତଙ୍କୁ ଖରା ର କଷ୍ଟରୁ ବହୁତ ଆରମ୍ଭ ଦେଉଥିଲା । ହଁ ଏଇ ଗଛ ଉପରେ ବି କିଛି ମାଙ୍କଡ଼ ରହୁଥିଲେ । ସେମାନଙ୍କୁ ବି ଏଇ ଗଛ ଆଶ୍ରା ଦେଉଥିଲା । ଆସ୍ତେ ଆସ୍ତେ ଏଇ ସହର ର ପରିବର୍ତ୍ତନ ହେବାକୁ ଲାଗିଲା । ରାସ୍ତା କୁ ଚୌଡା କରିବାକୁ ଯାଇ ଆଗ ଏଇ ଗଛର କିଛି ଡାଳ କୁ କାଟି ଦିଆଗଲା । ତାପରେ କିଛି ଲୋକ ବାକି ଡାଳକୁ ଭାଙ୍ଗି ବିଦ୍ୟୁତ ତାର ନେବା ପାଇଁ ରାସ୍ତା ବାହାର କଲେ । ଆଉ ଯାହା ଥିଲା ଧୀରେ ଧୀରେ ପାଖ ଆଖ ର ଲୋକ ଆସି ଧୀରେ ଧୀରେ କାଟି ସଫା କରିଦେଲେ । କଣ ନା ସାହି ମେଢ଼ ଯିବାକୁ ଅସୁବିଧା ହେଉଥିଲା । କିନ୍ତୁ ତା ଦୁଃଖ କେହି ବୁଝିଲେ ନାହିଁ । ସେ କରିଥିବା ଉପକାର , ସେ ଦେଇଥିବା ଆଶ୍ରୟ ,ସେ ଦେଇଥିବା ଛାଇ ,ସେ ଦେଇଥିବା କିଛି ପରିବାର କୁ ଜୀବନ ,ଏ ସବୁ ସମସ୍ତେ ଭୁଲିଗଲେ । ଆଧୁନିକ ହେବାର ସ୍ୱପ୍ନରେ ଡୁବି ଅତୀତ ର ସବୁ ମର୍ଯ୍ୟାଦା ,ସବୁ ଉପକାର ଭୁଲିଗଲେ । ଠିକ ଯେମିତି ରାମଚନ୍ଦ୍ର ବାବୁଙ୍କ ଜୀବନରେ ହୋଇଛି ।

ରାମଚନ୍ଦ୍ର ବାବୁ ଏଇ ସହର ରେ ଜନ୍ମ । ତାଙ୍କ ପୁରା ନାମ ରାମଚନ୍ଦ୍ର ଦାସ । ତାଙ୍କ ବାପା ଜଣେ ସୁନାମଧନ୍ୟ ଆଇନଜୀବୀ ଥିଲେ । ମା ଜଣେ ଗୃହିଣୀ । ସେମାନେ ପାଞ୍ଚ ଭାଇ ଓ ଦୁଇ ଭଉଣୀ । ସମସ୍ତଙ୍କର ପାଠ ପଢା ଏଇ ସହରରେ। ରାମଚନ୍ଦ୍ର ବାବୁ ପରିବାର ର ବଡ ଥିଲେ । ତାଙ୍କ ତଳେ ଦୁଇ ଭାଇ ରାଜେଶ ଓ ରମେଶ ।ତାପରେ ଦୁଇ ଭଉଣୀ ସୁଚିତ୍ରା ଓ ସୁମିତ୍ରା । ଶେଷରେ ଦୁଇ ଭାଇ ରବୀନ୍ଦ୍ର ଓ ରଞ୍ଜନ । ରାମଚନ୍ଦ୍ର ସ୍ନାତକ ପରେ ଆଇନ ରେ ଡିଗ୍ରୀ ନେଇ ବାପାଙ୍କ ସହିତ ଆଇନ ବ୍ୟବସାୟ ଆରମ୍ଭ କଲେ । ସେତେବେଳେ ସବୁ ଭାଇ ଭଉଣୀ ପାଠ ପଢୁଥିଲେ । ରାଜେଶ ଡାକ୍ତରୀ ପାସ କରି ଏବେ ଆମେରିକା ରେ ତା ପରିବାର ସହ ରହୁଛି । ରମେଶ ଏବେ ମୁମ୍ବାଇ ରେ ଗୋଟିଏ ବଡ଼ କମ୍ପାନୀ ରେ ଯନ୍ତ୍ରୀ ହିସାବରେ କାର୍ଯ୍ୟରତ । ସେ ତା ପରିବାର ସହ ସେଠାରେ ରହୁଛି । ସୁଚିତ୍ରା ଡାକ୍ତରୀ ପାସ କରି ତା ସ୍ୱାମୀ ଡାକ୍ତର ରାଜୀବ ଙ୍କ ସହିତ ଲଣ୍ଡନ ରେ ରହୁଛି । ସୁମିତ୍ରା ଓ ତା ସ୍ୱାମୀ ଅଭୟ ଉଭୟ ଦେଲ୍ହୀ ରେ ଅଧ୍ୟାପକ ଓ ସେଠାରେ ପରିବାର ସହିତ ରହୁଛନ୍ତି । ରବୀନ୍ଦ୍ର ଓ ରଞ୍ଜନ ଉଭୟ ଏବେ ଅଷ୍ଟ୍ରେଲିଆ ରେ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଓ ସେଠାରେ ନିଜ ନିଜ ପରିବାର ସହିତ ରହୁଛନ୍ତି । ଏମାନେ ସମସ୍ତେ ପାଠ ପଢୁଥିଲାବେଳେ ରାମଚନ୍ଦ୍ର ବାବୁ ଆଇନଜୀବୀ ହିସାବରେ କାମ ଆରମ୍ଭ କରିଥିଲେ । ବେଶ ଭଲ ଭାବରେ ନିଜକୁ ଖୁବ କାମ ଦିନରେ ପ୍ରତିଷ୍ଠିତ କରି ପାରିଥିଲେ । ସେତେବେଳେ ସବୁ ଭାଇ ଭଉଣୀଙ୍କର ପାଠ ପଢ଼ିବାରେ ସହାୟକ ହୋଇଥିଲେ ମଧ୍ୟ । କାରଣ ଅଚାନକ ତାଙ୍କ ବାପାଙ୍କର ମୃତ୍ୟୁ ହେଇ ଯାଇଥିଲା । ପରିବାର ର ସବୁ ଦାଇତ୍ୱ ରାମଚନ୍ଦ୍ର ବାବୁଙ୍କ ଉପରେ ଥିଲା । ସମସ୍ତଙ୍କୁ ଭଲ ଭାବରେ ସେ ପଢ଼ି ଥିଲେ । ତାଙ୍କ ମାଙ୍କର ଦେହ ଖରାପ ହେବାରୁ ,ବାପାଙ୍କର ସ୍ୱର୍ଗବାସ ହେବାର ଦୁଇ ବର୍ଷ ପରେ ରାମଚନ୍ଦ୍ର ବାବୁଙ୍କର ବିବାହ ହୋଇଥିଲା । ତାଙ୍କ ପତ୍ନୀ ମମତା ଦେବୀ ଜଣେ ଆଦର୍ଶ ଗୃହିଣୀ ଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ କନ୍ୟା । ଲଳିତ ଓ ଲତିକା । ରାମଚନ୍ଦ୍ର ଙ୍କର କନ୍ୟା ର ଜନ୍ମ ପରେ ସେ ତାଙ୍କ ମାଆ ଙ୍କୁ ହରାଇ ଥିଲେ । କିନ୍ତୁ ସେ ଭାଇ ଭଉଣୀଙ୍କର ପାଠ ପଢା ରେ କେବେ କିଛି କମ କରି ନ ଥିଲେ । ଦୁଇ ଭଉଣୀ ଓ ଭାଇ ଙ୍କର ବାହା ଘର ବି ସେ ନିଜେ କରିଥିଲେ । ତାପରେ ତାଙ୍କ ପତ୍ନୀ ବି ତାଙ୍କୁ ଛାଡି ପରଲୋକ ଚାଲିଗଲେ । ଏକା ପିଲାମାନଙ୍କୁ ସେ ସାହା ଥିଲେ । ଉଭୟ ଲଳିତ ଓ ଲତିକା ଇଂଜିନିରିଂ ପାସ କରିବା ପରେ ଭଲ କମ୍ପାନୀରେ ଚାକିରୀ କଲେ । ଲତିକା ବାହା ହୋଇ ଏବେ ବାଙ୍ଗାଲୁର ରେ ତା ସ୍ୱାମୀଙ୍କ ସହିତ ଅଛି । ଲଳିତ ର ବାହାଘର ପରେ ସେ ବି ତା ପତ୍ନୀ ସହିତ ଏବେ ମୁମ୍ବାଇରେ ରହୁଛି ।ସେମାନେ ସପ୍ତାହକୁ ଥରେ ରାମଚନ୍ଦ୍ର ବାବୁଙ୍କ ସହିତ କଥା ହୁଅନ୍ତି । ଭାଇ ଓ ଭଉଣୀ ମାନେ ବି ମାସକୁ ଥରେ କଥା ହୁଅନ୍ତି । ରାମଚନ୍ଦ୍ର ବାବୁ ଏଇ ପାଞ୍ଚ ବର୍ଷ ହେଲା ଆଉ କାମ କରି ପାରୁ ନାହାନ୍ତି , ଯେବେ ଠାରୁ ତାଙ୍କର ଦେହ ଖରାପ ହେବାକୁ ଲାଗିଲା । ଡାକ୍ତର ଭାଇ ଓ ଭଉଣୀ ଫୋନ ଜରିଆରେ ସବୁ ରିପୋର୍ଟ ଦେଖିଲେ ଓ ବୁଝିଲେ । ଅନ୍ୟ ଭାଇ ଓ ଭଉଣୀ ଫୋନ ରେ କଥାହେଲେ । ନିଜ ପୁଅ ଓ ଝିଅ ଟଙ୍କା ପଠାଇ ଦେଲେ ଓ କହିଲେ କାମ ର ଚାପ ଯୋଗୁ ଆସି ପାରୁ ନାହାନ୍ତି ,କିନ୍ତୁ ସେ ଯେମିତି ହେଲେ ଡାକ୍ତର ଙ୍କୁ ଦେଖାଇ ନିଜର ଚିକିସ୍ଛା କରିବେ । ଘରେ ତାଙ୍କୁ ସାହାଯ୍ୟ କରିବାକୁ ଯେଉଁ ପିଲାଟି ଅଛି ,ସେ ବି ନିଜ ବାହାଘର ପାଇଁ ଦୁଇ ମାସ ହେଲା ତା ଘରକୁ ଯାଇଛି । ଏଇ ଏକ ମାସ ପୂର୍ବରୁ ତାଙ୍କୁ ବହୁତ ଦୁର୍ବଳ ଲାଗିଲା ଓ ରକ୍ତ ବାନ୍ତି ହେଲା ,ସେଠି ପାଇଁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ସବୁ ପରୀକ୍ଷା ନିରୀକ୍ଷା କରିବା ପରେ ଡାକ୍ତର କହିଲେ ତାଙ୍କୁ କ୍ୟାନ୍ସର ହୋଇ ଯାଇଛି । ଆଉ କିଛି ମାସ ର ଟଙ୍କା ଏଇ ଜୀବନ । ଡାକ୍ତରଖାନାରେ ଥିଲେ ଓ ସେଠାରୁ ନିଜେ ବାଧ୍ୟ କରି ଆଜି ଚାଲି ଆସିଲେ । ଆଶା କିଛି ନ ହେଲେ ବି ଶେଷ ସମୟ ନିଜ ଘରେ ,ନିଜ ଜଣା ସାଥି ସାଙ୍ଗରେ କାଟିବେ । ପୁଅ ଲଳିତ ଫୋନ କରି କହିଥିଲା ଏଇ ଆଉ ୧୦ ଦିନ ପରେ ଆସିବ ବୋଲି ।

ଏବେ ରାଜେନ୍ଦ୍ର ବାବୁ ଟିକେ ହସିଦେଇ ବାର ଗଛ ଆଡକୁ ଚାହିଁଲେ ଓ କହିଲେ ,'' ଦେଖ ତୋ ପରି ବି ମୋର ଜୀବନ । ମୁଁ ବି ସମସ୍ତଙ୍କୁ ବଢ଼େଇ ,ପାଠ ପଢାଇ ସକ୍ଷମ କରିଦେଲି । ସମସ୍ତେ ନିଜ ନିଜ ସ୍ବପ୍ନ ର ଦୁନିୟାରେ ବ୍ୟସ୍ତ । ମୁଁ ବିଲକୁଲ ତୋ ପରି ଗୋଟିଏ ଥୁଣ୍ଟା ବ୍ୟକ୍ତି । ତୋତେ କହୁଛନ୍ତି ଥୁଣ୍ଟା ବରଗଛ ,କିନ୍ତୁ ମୋତେ ମଣିଷ ବୋଲି କେହି କହି ପାରୁ ନାହାନ୍ତି ଥୁଣ୍ଟା ମଣିଷ ବୋଲି । କିନ୍ତୁ ତୋର ମୋର ଜୀବନର ଯାତ୍ରା ଏକ ପ୍ରକାର । କଣ କରିବା ,ଏବେ ଏ ଦୁନିଆରେ ସମସ୍ତେ ସ୍ୱାର୍ଥପର ଟିକେ ବେଶୀ ହେଇ ଯାଇଛନ୍ତି । ଆମ ପାଇଁ କାହା ପାଖରେ ସମୟ ନାହିଁ କି ଆମ ଦୁଃଖ ଓ ଯନ୍ତ୍ରଣା ବୁଝିବାକୁ କେହି ନାହିଁ । ତୁ ହିଁ ମୋର ଗୋଟିଏ ପ୍ରକୃତ ସାଥି । ଯେମିତି ପିଲାବେଳେ ତୋ ଛାଇ ତଳେ ବାସୁଥିଲି ଖେଳୁଥିଲି ,ସେମିତି ମୋ ଜୀବନ ବି ତୋ ଏଇ ଥୁଣ୍ଟା ଗଛ ର ଛାଇ ତଳେ ଚାଲି ଯାଆନ୍ତା କି ,ଟିକେ ଶାନ୍ତି ମିଳନ୍ତା .''ଏତିକି କହି ରାମଚନ୍ଦ୍ର ବାବୁ ଗୋଟିଏ ଦୀର୍ଘ ନିଶ୍ୱାସ ନେଲେ ...ଦୁଇ ତିନୋଟି ଶୁଖିଲା କାଶ ହେଲା ....ନାକରୁ ଟିକେ ରକ୍ତ ବୋହିଲା ...ମୁହଁରେ ଟିକେ ହସ ରଖି ରାମଚନ୍ଦ୍ର ଗଛକୁ ଚାହିଁ ରହିଲେ ...ଆଙ୍କିରେ ଆଉ ପଲକ ପଡିଲା ନାହିଁ .....

ସେତିକି ବେଳେ ସେ ଥୁଣ୍ଟା ବର ଗଛ ର ଯେଉଁ ଡାଳ ରୁ ଟିକେ ଛାଇ ପଡୁଥିଲା ସେଇଟା ଆପେ ଆପେ ଭାଙ୍ଗି ପଡିଲା । ରାମଚନ୍ଦ୍ର ବାବୁ ତାକୁ ଏକ କରି ଛାଡି ଚାଲି ଯାଇଥିଲେ ...ସେ ବି ଦୁଃଖରେ ଭାଙ୍ଗି ପଡିଲା । ସେତିକି ବେଳେ ସେ ରିକ୍ସାବାଲା ସେଇ ବାଟ ଦେଇ ଯାଉଥିଲା ,ଟିକେ ରହି ଭାବିଲା ଯାଇ ରାମଚନ୍ଦ୍ରଙ୍କୁ ଘରେ ଛାଡି ଦେବ । ସେ ରିକ୍ସା କୁ ରଖି ଗଲା ଡାକିବାକୁ । ଦେଖିଲା କିଛି ଲୋକ ବି ସେଇ ଆଡକୁ ଯାଉଛନ୍ତି । ସେ ବି ଗଲା । ପହଂଚି ଦେଖିଲା ଯାହାକୁ ନେଇ ଯିବାକୁ ଆସିଥିଲା ସେ ଆଉ ଜୀବିତ ନାହାନ୍ତି । ତା ଆଖିରୁ ଦି ଟୋପା ଲୁହ ବୋହିଗଲା । ଭିଡ ଭିତରୁ ଜଣେ ତାଙ୍କ ଘର ଦେଖିଚି ବୋଲି କହିଲା ଓ ଚାହିଁଲା କେହି ଅଛି ନେବା ପାଇଁ ..ରିକ୍ସାବାଲା କହିଲା ଆଜ୍ଞା ମୋ ରିକ୍ସାରେ ଚାଲନ୍ତୁ ନେଇଯିବା । ସେ ଭାବିଲା ଜୀବିତ ନ ହେଲେ ବି ମୃତ ଅବସ୍ଥାରେ ନେଇ ତାଙ୍କ ଘରେ ଛାଡ଼ିଦେବ । ସେଇଆ ହେଲା ରିକ୍ସାରେ ତାଙ୍କୁ ବସାଇ ଆଉ ଜଣେ ବାବୁ ଗଲେ । ତାଙ୍କ ଘର ପାଖରେ ପହଞ୍ଚି ଦେଖିଲେ ତାଲା ପଡିଛି । ପଡୋଶୀ ବି ଆସିଗଲେ । ତାଙ୍କ ମୃତ ଶରୀର କୁ ଘର ବାରଣ୍ଡା ରେ ଶୁଆଇ ଦେଇ ରିକ୍ସାବାଲା ଚାଲିଗଲା । ପଡୋଶୀ ଫୋନ କରି ତାଙ୍କ ପୁଅ ଓ ଭାଇ କୁ ଜଣାଇ ଦେଲେ । ଦୁଇ ଜଣ ତାଙ୍କୁ ଜଗି କରି ବସିଲେ ଅପେକ୍ଷା ଥିଲା ତାଙ୍କ ନିଜ ଲୋକଙ୍କର ଆସିବାକୁ .......



Rate this content
Log in

Similar oriya story from Tragedy