STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଥିଟାକୁ ଚିଠିଏ

ଥିଟାକୁ ଚିଠିଏ

5 mins
391


ସ୍ନେହର ଥିଟା;

       ମୋର ସ୍ନେହ ନେବୁ।ତୋ ରୁମ୍ ମେଟ୍ଙ୍କୁ ମୋର ସ୍ନେହ ଜଣାଇଁ ଦେବୁ।ଆଶା କରୁଛି ମନ ଲଗାଇ ପଢିବା ସହ ଦେହର ଯତ୍ନ ନେଉଥିବୁ।ତୁ ପ୍ରଥମ ଥର ଘର ଛାଡି ବାହାରେ ରହି ପଢିବାକୁ ଗଲୁ।ତୋ ବିନା ଘର ଘର ପରି ଲାଗୁନି।ତୋ ଅନୁପସ୍ଥିତ ମୁଁ ପ୍ରତିକ୍ଷଣେ ଅନୁଭବ କରୁଛି।ତୋତେ ହଷ୍ଟେଲରେ ଛାଡି ଆସିଲା ପରେ ମୋ ମନ ଖୁବ୍ ବିକଳ ହେଉଛି।ଆଜିକାଲି ଯାହା ସବୁ ଘଟୁଛି ସେ କଥାକୁ ନେଇ ମୁଣ୍ଡ ଖରାପ ହୋଇ ଯାଉଛି।ଚିନ୍ତା ବଢି ଯାଉଛି।ତୁ ତ ନିହାତି ସରଳ ଗାଉଁଳି ଛୁଆଟା।ଏଇ ମାତ୍ର ଷୋହଳ ଚାଲୁଛି ତୋତେ ।ଦୁନିଆଁ ବିଷୟରେ କେତେ ବା ଜାଣିଛୁ?

       

ତୋର ଏଇ ଟିନ୍ ଏଜ୍ ଟି ଭାରି ଖସଡ଼ା।ଗୋଡ଼ ଖସି ଖଣ୍ଡିଆ ଖାବରା ହେବା ବୟସ।ବିପରୀତ ଲିଙ୍ଗ ପ୍ରତି ଆକର୍ଷଣ ବଢ଼ିବା ସ୍ୱାଭାବିକ।ବୟସ ହେଲେ ବହୁତ କିଛି ପରିବର୍ତ୍ତନ ହୁଏ ଶରୀର,ମନ ଓ ମସ୍ତିଷ୍କରେ।କିଛି ଗୋଟିଏ ନିଷ୍ପତ୍ତି ସହଜରେ ନେଇ ହୁଏନି।ବିଶେଷ କରି ଶାରୀରିକ ଅଭିବୃଦ୍ଧି ବିଚଳିତ କରେ ମନକୁ।ଗୁଡିଏ କଣ,କାହିଁକିର ବିସ୍ମୟ ଓ ବିଚିତ୍ର ଅନୁଭବ ମନ ଭିତରେ ହଇ ଚଇ ସୃଷ୍ଟି କରନ୍ତି।ମନ ପକ୍ଷ ଲଗେଇ କାହିଁ କୁଆଡେ ଉଡିଯାଏ।ସଜ ବାଜ ହେବା,ଭଳିକି ଭଳି ପୋଷାକ ପିନ୍ଧିବା,ହିରୋ ଷ୍ଟାଇଲ କୁ ଅନୁସରଣ ବେଶୀ ଏଇ ଟି ନ୍ ଏଜ୍ ଟି ହିଁ କରିଥାଏ।ସ୍ୱପ୍ନରେ ହଜି ନିଜକୁ ହଜାଇ ଦିଏ ଏଇ ବୟସ।ଝିଅ ପିଲାଙ୍କୁ ଦେଖିବା,ତାଙ୍କ ସହ ଗପିବା , ବନ୍ଧୁତା କରିବାକୁ କେହି ଯେମିତି ଉସ୍କାଏ।ମନ ବିବେକ ଟଣା ଓଟରା ହୁଅନ୍ତି।ଭୁସ୍ କିନା ଭୁଲ୍ ଟିକୁ ଠିକ୍ ଭାବି କରିଦିଏ ଏଇ ବୟସ।ଭଲ ଉପଦେଶ ପିତା ଲାଗେ।ବହୁତି ଖତରନାକ ଏଇ ଟି ନ୍ ଏଜ୍ ଟି ରେ ଧନ।ବୟସ ବଢ଼ିବା ସହ ଶରୀରରେ ଅଙ୍ଗ ମାନଙ୍କ ପରିବର୍ତ୍ତନ ଏକ ପ୍ରାକୃତିକ ପ୍ରକ୍ରିୟା।


ପ୍ରତ୍ୟେକ କାର୍ଯ୍ୟ ପାଇଁ ନିର୍ଦ୍ଦିଷ୍ଟ ସମୟ ଥାଏ।ଏଇ ଯେମିତି ଏବେ ତୋର କେବଳ ପାଠ ପଢା।ପଢାରେ ମନ ଦେବୁ।ଆଗରେ ତୋର ବିରାଟ ଭବିଷ୍ୟତ।ତୁ କିଛିକରିବା ସ୍ୱପ୍ନରେ ନିଜକୁ ହଜେଇବୁ।ଏଣୁ ତେଣୁ କିଛି ମନକୁ ଆଣିବୁନି ।ଖାଲି ମନ ସଇତାନର ଘର।

ସବୁବେଳେ ମନ ରଖିବୁ ତୋ ଭବିଷ୍ୟତ ତୋ ହାତରେ।ଯେତେ ମନ ଲଗେଇ ପରିଶ୍ରମ କରି ପଢିବୁ ସେତେ ଉପରକୁ ଉଠିବୁ।ଅର୍ଜୁନ ପରି ମାଛର ଆଖି କେବଳ ଦେଖିବୁ।ତୋତେ ଯେପରି ଚକ ଦେଖା ନଯାଏ।କେବଳ ମାଛର ଆଖି ତୋତେ ଦେଖାଯିବା ଉଚିତ।


ହଷ୍ଟେଲରେ ଅନେକ ପ୍ରକାର ପିଲା ରୁହନ୍ତି।ଧନୀ,କଳା ପଇସା ବାଲାର ପୁଅ ଥିବେ।ଯାହାର ପଇସାକୁ କେୟାର ନ ଥାଏ।ଯିଏ କି ପଢା ନାଁରେ ଅୟସ କରନ୍ତି।ବଦମାସୀ କରନ୍ତି।ମଦ,ମାଂସ, ଝିଅ ଯେତେ ସବୁ ବାଜେ ଅଭ୍ୟାସରେ ପଡ଼ିଥାନ୍ତି। ବ୍ରେକ୍ ଲେସ ଗାଡି ପରି ସେମାନେ ଅନେକ ଅସାମାଜିକ କାର୍ଯ୍ୟରେ ଲିପ୍ତ ରୁହନ୍ତି।ଡାଲମା ଖାଇବାକୁ ତୁ ଭଲ ପାଉ ନା। ସେଥିରେ ପଡିଥିବା ସାରୁ ସବୁ ପରିବା ସହ ମିଶିଥାଏ କିନ୍ତୁ କହୁଥାଏ ସେ ସାରୁ ବୋଲି। ସଭିଙ୍କ ଭିତରେ ଥାଇ ବି ଯିଏ ନିଜ ଶ୍ରେଷ୍ଠତ୍ତ୍ୱ ପ୍ରତିପାଦନ କରେ ସେ କୌଣସି ପରିସ୍ଥିତିରେ ନିଜକୁ ସୁରକ୍ଷିତ ରଖିପାରେ।ସବୁଥିରେ ଜିତେ। ହଂସ କଣ କରେ? କ୍ଷୀରରୁ କେବଳ ସରଟି ଖାଇଥାଏ ।ସେପରି ଅନ୍ୟଠାରୁ ତୁ କେବଳ ଭଲ ଗୁଣ ହିଁ ଶିଖିବୁ।ସାରୁ ପରିବା ହେବୁ।କାହା କଥାରେ ଭାସିଯିବୁ ନାହିଁ।ନିଜକୁ ଦୃଢ଼ କରିବୁ।ଲକ୍ଷ୍ୟକୁ ହାତ ମୁଠାରେ ମୁଠାଇ ଦୌଡ଼ିବୁ।ପଥ ଭ୍ରଷ୍ଟ କି ଲକ୍ଷ୍ୟ ଭ୍ରଷ୍ଟ ଥରେ ହେଲେ ଖସିଗଲା ପାଦ ତଳକୁ ତଳକୁ ଧନ,ହୁସିଆର ଥିବୁ।


ଏ କୋମଳ ବୟସର ଅୟୁତ ଜିଜ୍ଞାସା ଯୁବବର୍ଗଙ୍କୁ ବିପଥ ଗାମୀ କରାଏ।ବାପା ମା ଙ୍କ ଆଖିରେ ଧୂଳି ଦେଇ ସେମାନଙ୍କ ଅଲକ୍ଷ୍ୟରେ କୁ ବାଟକୁ ଚାଲି ଯାଇ ନିଜର ଭବିଷ୍ୟତ ନଷ୍ଟ କରି ଦିଅନ୍ତି।କେହି ଖରାପ ସାଙ୍ଗ ମାନଙ୍କ ସହ ମିଶି ନିଶା ଅଭ୍ୟାସ କରନ୍ତି।ମଦ,ଚରସ,ବ୍ରାଉନ ସୁଗାର ପରି ମାରାତ୍ମକ ପ୍ରାଣ ଘାତି ମାଦକ ଦ୍ରବ୍ୟ କବଳରେ ପଡି ଯାଆନ୍ତି।କଲ୍ ଗାର୍ଲ ବା ଗାର୍ଲ ଫ୍ରେଣ୍ଡ ସହ ଖେଳନ୍ତି। ବାରଣ କରିବାକୁ ବାପା ମା କେହି ନଥାନ୍ତି ସେଠି।କୁ ଅଭ୍ୟାସ ପ୍ରଥମେ ସୂତା ଖିଏ ପରି ଜୀବନକୁ ଆସିଥାଏ, ମାତ୍ର ସମୟ କ୍ରମେ ତାହା ଲୁହାର ଜଞ୍ଜିର ହୋଇ ଜୀବନକୁ ପୁରା ଅକ୍ତିଆର କରିନିଏ।


ଏ ବୟସରେ ପ୍ରେମରେ ପଡିବା ଗୋଟେ ସାଧାରଣ ଘଟଣା।କିନ୍ତୁ ପ୍ରେମ ଦେହ ନୁହେଁ,ପ୍ରେମ କ୍ଷଣିକ ଆବେଗ ନୁହେଁ।ପ୍ରେମ ସ୍ବର୍ଗୀୟ,ଶାଶ୍ୱତ।ପ୍ରତାରଣା,କି ଅବିଶ୍ୱାସ ପ୍ରେମ ପାଇଁ ବିଷ ତୁଲ୍ୟ।ନିଆଁ ଦେଖିଲେ ପତଙ୍ଗର ଭ୍ରମ ତାକୁ ମୃତ୍ୟୁ ଦିଏ।ଟିନ୍ ଏଜ୍ ଗୋଟେ ନିର୍ବୋଧ ପତଙ୍ଗ। ପ୍ରେମରେ ନିୟନ୍ତ୍ରଣ ଓ ଧୈର୍ଯ୍ୟ ନିତାନ୍ତ ଆବଶ୍ୟକ।ସବୁଠାରୁ ବଡ଼ କଥା ପ୍ରେମ ପାଇଁ ଠିକ୍ ସାଥୀ ଚୟନ।ଭଲ ସାଥୀଟିଏ ବାଛିବା ଜଟିଳ ବ୍ୟାପାର।ଠିକ୍ ସାଥି ବାଛି ନ ପାରିଲେ ଜୀବନ ନର୍କ ପାଲଟି ଯିବ।ଭବିଷ୍ୟତ ଅନ୍ଧାର ହୋଇଯିବ।କ୍ୟାରିଅର ବର୍ ବାଦ ହୋଇଯିବ।ଏ ପ୍ରତି ବି ଧ୍ୟାନ ଦେବୁ।ଏବେ ଏବେ ଗୋଟେ ଝିଅର କି ମର୍ମନ୍ତୁଦ ହତ୍ୟା ଘଟଣା କେମିତି ମଞ୍ଜ ଦୋହଲାଇଲା !


ଶେଷରେ ମୁଁ ଯେଉଁ ଗୁରୁତ୍ୱ ପୂର୍ଣ୍ଣ କଥାଟି କହୁଛି ମନ ଦେଇ ପଢିବୁ ଓ ବୁଝିବୁ ବୋଲି ଆଶା।ଆଜିକାଲି ଦୁଷ୍କର୍ମ,ଅତ୍ୟାଚାର, ହତ୍ୟା, ଲୁଣ୍ଠନ ପରି ଅସାମାଜିକ କାର୍ଯ୍ୟ କ୍ଷିପ୍ର ବେଗରେ ବଢି ଚାଲିଛି।ବେଶୀ ଟି ନ୍ ଏଜ୍ ର ପିଲା ମାନେ ଏ ଧାଡ଼ିର ସେନାଦକ୍ଷ।ଦେଖ୍ ଜୀବନରେ ଏମିତି କିଛି କାମ କରିବୁ ନାହିଁ ଯେଉଁଥି ପାଇଁ ଅନୁତାପ କରିବାକୁ ସୁଯୋଗ କି ସମୟ ମିଳିବ ନାହିଁ।ଦୁନିଆଁ ଛେପ ପକାଇବ।ଏ ମଣିଷ ଜନ୍ମ ବଡ଼ ଦୁର୍ଲ୍ଲଭ।କିଏ ଜାଣେ ଏ ଜନ୍ମ ପରେ ଆଉ ଜନ୍ମ ଅଛି କି ନାହିଁ।ଯଦି ବା ଥାଏ ଆଉ ଯେ ଏ ଲୋଭନୀୟ ମଣିଷ ଜନ୍ମ ପାଇବା କିଏ କହିବ?ଏଣୁ ଏଇ ଜନ୍ମକୁ ଠିକ୍ ଭାବେ ଜୀଇଁବା ଅତି ଜରୁରୀ।ସମଗ୍ର ନାରୀ ଜାତିକୁ ସମ୍ମାନ କରିବୁ।କୌଣସି ପରିସ୍ଥିତିରେ ବି କେଉଁ ଝିଅକୁ କି ମହିଳାଙ୍କୁ ଖରାପ ନଜରରେ ଦେଖିବୁ ନାହିଁ।ପ୍ରତ୍ୟେକ ନାରୀ ପ୍ରତି ଶ୍ରଦ୍ଧା ,ସମ୍ମାନ ରଖିବୁ।


ସେଦିନ ନିନି ତୋ ସାନ ଭଉଣୀକୁ ସ୍କୁଲରେ ସୁବୁ କହିଦେଲା "ଇସ୍ !ନିନି ତୁ ତୁ କି ସୁନ୍ଦର ଦିଶୁଛୁ!"ବାସ୍ ଏତିକିରେ ତୁ ମୁଥି ମାରି ତା ଆଗ ଛାମୁ ଦାନ୍ତ ଦିଇଟା ଝଡେଇ ଦେଇଥିଲୁ।ଭାବିଲୁ ଯେଉଁ ଝିଅ ଦୁଷ୍କର୍ମ ଶିକାର ହେଉଛି ସେ ବି କାହାର ଭଉଣୀ ହୋଇଥିବ,କାହାର ଝିଅ ହୋଇଥିବ।କେମିତି ସେମାନଙ୍କ ସହ ଭୟାନକ ବିଭତ୍ସ ଦୁଷ୍କର୍ମ କରି କେବେ ପୋଡି ଦିଆଯାଉଛି ତ କେବେ ଅଧା ମରା କରି ବା ହତ୍ୟା କରି ଫିଙ୍ଗି ଦିଆଯାଇଛି।ପୁଣି କେବେ ଅଖାରେ ଭର୍ତ୍ତୀ କରି 

ବଣ,ବୁଦା କି ପୋଲ ତଳେ ଫିଙ୍ଗା ଯାଉଛି।ଯୌନ ଅତ୍ୟାଚାର କେବଳ ଏକ ବିକୃତ ମାନସିକତା ନୁହେଁ ସମାଜିକତା ଓ ଶୃଙ୍ଖଳା ଉପରେ କୁଠାର ଘାତ।ଆଜି ଏପରି ଧର୍ଷଣ ଭୟ ନେଇ ପ୍ରତ୍ୟେକ ଝିଅର ବାପା ମାଙ୍କ ଆଖିରୁ ନିଦ ହଜି ଯାଉଛି।


ହଁ ଏ ବି ସତ୍ୟ ଏପରି ଦୁଷ୍କର୍ମ ରେ ଅପରାଧୀ ସବୁବେଳେ ପୁଅ ବା ପୁରୁଷ।ଉଗ୍ର ନଗ୍ନତା ,ଉତ୍ଶୃଙ୍ଖଳ ଚିନ୍ତା ଚେତନା ,ଝିଅ ମାନଙ୍କ ଆଖିର ନିମନ୍ତ୍ରଣ କୁ ବେଳେ ବେଳେ ପୁଅଟେ ଏଡେଇ ପାରେନି।ଭେଣ୍ଡା ମେଣ୍ଢା ହୋଇ ସମୁଦ୍ର ବେଳାଭୂମି,ଝାଉଁ ବଣ କି ହୋଟେଲର କେଉଁ ନିଭୃତ କୋଣରେ ଝିଅ ମାନେ ବି ପୁଅ ମାନଙ୍କୁ ନେଇ ଖୁ ଖେଳନ୍ତି।ଖେଳୁ ଖେଳୁ ଅଘଟଣ।ଅଘଟଣ ରୁ ଭୟ କି ଧମକ। ଏଥିରୁ ଜାତ ଅପରାଧ ପ୍ରବଣତା।


ତୁ ଜାଣିଛୁ ଦୁଷ୍କର୍ମ ଅପରାଧରେ ସବୁବେଳେ ପୁଅ ବା ପୁରୁଷ ବେଶୀ ଅପରାଧୀରେ ଗଣା। ଯେଉଁ ପୁଅ ମଥାରେ ବଳତ୍କାରୀ ଷ୍ଟାମ୍ପ ବାଜିଯାଏ,ନ୍ୟାୟ ଯାହାକୁ ଦୋଷୀ ସାବ୍ୟସ୍ତ କରେ ତାର ବାପାମା କେମିତି ବଞ୍ଚନ୍ତି ଜାଣିଛୁ?ଜୀଅନ୍ତା ଶବ ହୋଇ ନିଃଶ୍ବାସ ବନ୍ଦ ହେବାଯାଏ ଲହୁ କାନ୍ଦନ୍ତି ପ୍ରତିକ୍ଷଣେ।ନିନ୍ଦନ୍ତି ନିଜକୁ,କପାଳକୁ ଓ ଧିକ୍କାର କରନ୍ତି ନିଜ ଜନ୍ମକୁ।ନିଜକୁ ଅଯୋଗ୍ୟ ଭାବି କି ମାନସିକ ଯନ୍ତ୍ରଣା ଭିତରେ ଜଳି ପୋଡି ମରନ୍ତି।କେତେ ବାପା ମା ତ ଲଜ୍ଜା ଅପମାନ ସହି ନ ପାରି ଆତ୍ମହତ୍ୟା କରି ଦିଅନ୍ତି।ତାର ଭାଇ, ବନ୍ଧୁ,ଆତ୍ମୀୟ ଲଜ୍ଜାରେ ମୁଣ୍ଡ ତଳକୁ କରି ବଞ୍ଚନ୍ତି।ତା ସାଇ ଭାଇ,ଗାଁ,ଅଞ୍ଚଳ ବି ବଳତ୍କାରୀର ତିଳକ ପିନ୍ଧେ।ସମସ୍ତେ ସେଇ ବଳତ୍କାରୀ ସହ କେଉଁ ନା କେଉଁ ସୂତ୍ରରେ ଜଡିତ ଥିବାରୁ ନିଜକୁ ଅଭାଗା ମଣନ୍ତି।


ଆମେ ସୃଷ୍ଟିର ଶ୍ରେଷ୍ଠ ଜୀଵ ମଣିଷ।ଆମେ କଣ ପଶୁ ବା ରାକ୍ଷସ ହେବା ଉଚିତ।ଦୁଷ୍କର୍ମ କରି କିଏ ମରିବ କି ଜେଲ ଭିତରେ ରହିବ।କିନ୍ତୁ ତା ପଛରେ ରହିଥିବା ବାପା ମା ପରିବାର,ବନ୍ଧୁ ବାନ୍ଧବ,ତିଳେ ତିଳେ ପ୍ରତିଦିନ ମରିବେ।ସମାଜ ଆଙ୍ଗୁଠି ଦେଖାଇ କହିବ ଅମୁକ ପୁଅଟା ବଳତ୍କାରୀ,ପଶୁ। ହେଇ ଦେଖରେ ବଳତ୍କାରୀର ବାପା ମା ଏମାନେ କହି ଘୃଣା ଫିଙ୍ଗି ଦେହ ମନକୁ କ୍ଷତାକ୍ତ କରିବେ ।ଧିକ୍କାର କରିବେ ।ବଞ୍ଚିବା ମୁସ୍କିଲ ହୋଇଯିବ ସେମାନଙ୍କର।ସବୁ ଆଡେ ତ ଏ କଥା ବର୍ତ୍ତମାନ ସମାଜରେ ବେଶୀ ବେଶୀ ଘଟୁଛି।ତୁ ଏଥି ପ୍ରତି ଯଥେଷ୍ଟ ସତର୍କତା ଅବଲମ୍ବନ କରିବୁ।


ପୁଅ ଜୀବନରେ କେବେ ଅସାମାଜିକ ବ୍ୟକ୍ତି ହେବୁନିରେ।ତୁ ନ ହଅ ଡାକ୍ତର,ଇଞ୍ଜିନିୟର,ଆ ଇ ଏସ୍ ,,କି ଶିଳ୍ପପତି।କିନ୍ତୁ ଧନରେ ତୁ ମଣିଷଟିଏ ହେବୁ ବୋଲି ତୋର ଏ ମାର ଆଶା।


ପୁଅର ମା ଏବେ ବେଶୀ ଭୟରେ। କାଳେ କିଛି ସେମାନଙ୍କ ପୁଅ କରିଦେବନି ତ ବୟସ,ସାଙ୍ଗ,ଓ ନିଶାର ବଶ ବର୍ତ୍ତୀ ହୋଇ !!ଏବେ ତ ପୁଅର ମା ମାନଙ୍କୁ ଭୟର ଭୂତ ଗ୍ରାସିଛି।ମୁଁ ବି ସେମାନଙ୍କ ଭିତରୁ ଜଣେ।ପୁଅ ବା ଝିଅ ପ୍ରତି ବାପା ମାଙ୍କର ଗର୍ବ ଗୌରବ।ପ୍ରକୃତ ସମ୍ପଦ ତ ପିଲାଏ।ସେଇ ପିଲା ଭଲ ହେଲେ ନାଁ କମେଇଲେ ସବୁ ବାପା ମା ଛାତି କୁଣ୍ଢେ ମୋଟ ହୋଇଯାଏ। ତୁ ତୋ ବାବା ମାର ନିଶ୍ଚୟ ନାଁ ରଖିବୁ ଏ ବିଶ୍ୱାସ ମୋର ଅଛି।ମୋ ଶିକ୍ଷା ସଂସ୍କାର ଉପରେ ମୋର ଦୃଢ଼ ବିଶ୍ବାସ ଅଛି।ତୁ ବିପଥଗାମୀ କେବେ ବି ହେବୁନି।

ତୁ କହୁ ମୁଁ ତୋ ବେଷ୍ଟ୍ ଫ୍ରେଣ୍ଡ ନା। ସେଇଥିପାଇଁ ତୋତେ ବର୍ତ୍ତମାନ ପରିସ୍ଥିତି ସହ ପରିଚିତ କରାଇବା ତୋ ବେଷ୍ଟ୍ ଫ୍ରେଣ୍ଡ ମାମାର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ବୋଲି ଏତେ ସବୁ କହୁଛି।


ପଢା ସହ ନିଜ ଦେହ ପ୍ରତି ଯତ୍ନ ନେବୁ।ଠିକ୍ ସମୟରେ ଖାଇବୁ।ବେଶୀ ରାତି ଅନିଦ୍ରା ହେବୁ ନାହିଁ।ଶୀଘ୍ର ଶୋଇ ଶୀଘ୍ର ଉଠିବୁ। ପ୍ୟାଣ୍ଟ ସାର୍ଟ ପ୍ରତି ସପ୍ତାହରେ ସଫା କରିବୁ।ମଶାରୀ ଟାଣି ନିଶ୍ଚିତ ଶୋଇବୁ।ବାହାରେ ବେଶୀ ତେଳଭାଜି ଜିନିଷ ଖାଇବୁ ନାହିଁ।ଚୁଡା କଦଳୀ,ଛତୁଆ ସ୍ୱାସ୍ଥ୍ୟ ପାଇଁ ଭଲ ଖାଦ୍ୟ।ହଁ ଯୋଗ ଓ ପ୍ରାଣାୟାମ ରୀତି ମତ କରିବୁ।ଯୋଗ ଯୋଗୁଁ ସ୍ୱାସ୍ଥ୍ୟ ଭଲ ରହିବା ସହ ମନ ଉପରେ ନିୟନ୍ତ୍ରଣ ରହିବ।ଏବେ ତ କରୋନା ଭାଇରସ୍ ତା କାୟା ବିସ୍ତାର କରି ଚାଲିଛି।ତୁ ଏ ବିଷୟରେ ସବୁ କିଛି ଜାଣିଥିବୁ।ସତର୍କ ହୋଇ ରହିବୁ। ମାସ୍କ ବ୍ୟବହାର କରିବୁ।ବିନା ହାତ ଧୁଆରେ ଆଖି,ନାକ କି ପାଟି ଛୁଇଁବୁ ନାହିଁ।ଗହଳିକୁ ଯେତେ ଆଭୋଏଡ୍ କରିବୁ।ସାନିଟାଇଜର ବ୍ୟବହାର କରିବୁ।


ମୁଁ ଯାହା ସବୁ ଲେଖିଲି ମନେ ରଖିବୁ ବୋଲି ମୋର ଦୃଢ଼ ବିଶ୍ୱାସ।ମୋ ଥିଟା ତ ହୀରା ଖଣ୍ଡେ।ରହୁଛି ।ଆଶା କରେ ମାଙ୍କ ଦୟାରୁ ତୁ ସେଠାରେ ଭଲରେ ଥିବୁ।

    

          ଇତି

         ତୋର ମାମା।



Rate this content
Log in

Similar oriya story from Inspirational