ତାରତମ୍ୟ
ତାରତମ୍ୟ
ସେଦିନ ଥିଲା ରିଚା ର ଏକ ଅତି ଅନ୍ତରଙ୍ଗ ସାଙ୍ଗ ର ବାହାଘର ।ବହୁତ ପିଲାଦିନ ର ସାଙ୍ଗ । ଏ ଭିତରେ ବହୁତ ଦିନ ଅତିବାହିତ ହୋଇଗଲାଣି ସତ,ହେଲେହେଁ ତାଙ୍କ ଭିତରେ ସଂପର୍କ ଅତୁଟ ରହିଛି । ତା ବାହାଘର କୁ ନଯିବବା କେମିତି? ସାଙ୍ଗ ଜୁଲିର ବାହାଘରେ ତିନିଦିନ ରହି,ସବୁ କାମରେ ସହଯୋଗ କରି,ବାହାଘର ସାରି ଟଳି ଟଳି ଆସି ଘରେ ପହଞ୍ଚିଲା ରିଚା । ଘରେ ବାପା ଡାକ୍ତର ଓ ମା ଟିଚର ।ଆଦର୍ଶ ଘରର ଝିଅ। ମା ପଚାରିଲେ ରିଚା କୁ ତୁ ଏମିତି ଟଳି ଟଳି କାହିଁକି ଚାଲୁଛୁ ? ରିଚା କହିଲା ମା' ମୁଁ ଟିକେ କାଲି ଅଧିକ ପି ଦେଇଛି । ସାଙ୍ଗ ର ବାହାଘର ତ,ମନା କରି ପାରିଲିନି । ବାହାରେ ରହି ଫେସନ ଡିଜାଇନିଙ୍ଗ ପଢିଲାବେଳେ ଏ ପିଇବା ଅଭ୍ୟାସ ଟିକେ ଟିକେ କରିଦେଇଥିଲା ରିଚା । ମା କହିଲେ ତୁ ଏ କଣ କହୁଛୁ ରିଚା ? ତୁ ଗୋଟେ ଓଡ଼ିଆ ଘରର ଝିଅ ହୋଇ ଏମିତି କାମ କରୁଛୁ? ରିଚା ଯେତିକି ଭଲ,ସେତିକି ମନ୍ଦ । ସେ ଫଟକିରି ରାଗିଯାଇ କହିଲା କାହିଁ ଓଡିଆ ଘର ର ପୁଅ ପିଇ ପାରିବେ ? ଓଡିଆ ଘରର ଝିଅ ପିଇ ପାରିବେନି ? ତୋ ପୁଅକୁ ତୁ ମନା କରୁନୁ ପିଇବାକୁ ?ସେ ତ ଦିନରାତି ପିଇ ଚାଲିଛି । କିଛି କାମ ଧନ୍ଦା ନାହିଁ । କେବଳ ବୋତଲ ହିଁ ତାର ସାଥି । ପୁଅ ଝିଅ ଙ୍କ ଭିତରେ ଏ କି ତାରତମ୍ୟ ରଖିଛୁ ମା ? ପୁଅ ଝିଅ ପରା ସବୁ କ୍ଷେତ୍ରରେ ସମାନ । ସମାନ ହୋଇ ପାଠପଢିବେ,ସମାନ ହୋଇ ଚାକିରୀ କରିବେ ଆଉ ସମାନ ହୋଇ ନିଶାପାନ ଭି କରିବେ । ଗଭର୍ଣ୍ଣମେନଟ କରିଦେଇଛି ସବୁ ସମାନ । ତେଣୁ ମୁଁ ଟିକେ ପିଇଦେଲି ।ସାଙ୍ଗ ବାହାଘର ଯୋଗୁଁ ପିଉ ପିଉ ଟିକେ ବେଶି ପିଇ ଦେଇଛି । କିଛି ଅସୁବିଧା ନାହିଁ । ବାପା ଦୂରରେ ଥାଇ ସବୁ ଶୁଣୁଥାନ୍ତି। କଣ କହିବେ ? ଭଦ୍ର ସମାଜରେ ଭଦ୍ର ଚଳଣି । ବାପା ଆସି ପାଖକୁ କହିଲେ---ହଉ ପିଉଛୁ ତ ପିଉଛୁ ,ପିଇଲାବେଳେ ଟିକେ ବେଶି ପାଣି ମିଶେଇ ସ୍କଚ ରେ ପିଇବୁ,ଆଉ ପିଇସାରିଲା ପରେ ବେଶି ସମୟ ଶୋଇ ପଡିବୁ ।ବାପା ଙ୍କ କଥା ରେ ହଁ ଭରି ଉପର ମହଲା କୁ ଉଠି ଆସିଲା ରିଚା । କହି କହି ଆସୁଥାଏ ," ମୁଁ ତୁମର ଆଜ୍ଞାବହ ଝିଅ ଡାଡି ,ମୁଁ ଏଥର ପିଇଲେ ସେଇଆ କରିବି ଡାଡି ।ମୁଁ ତୁମ କଥାକୁ ଅବଜ୍ଞା କରିବିନି । ମୁଁ ତୁମ ପୁଅଭଳି ନୁହଁ ।
ବାପା ମା ରାତିରେ ବସି କଥା ହଉଥାଆଂତି । ଆଉ ଏ ଝିଅକୁ ବେଶିଦିନ ଘରେ ରଖି ହବନି । କୌଣସି ଗୋଟିଏ ବରପାତ୍ର ଦେଖି ବାହାଘର କରିଦେଲେ ଭଲ । ରିଚା ର ବାପା ଜଣେ ବଡ ଡାକ୍ତର । ତାଙ୍କ ଖାତିର କୁ ଗୋଟିଏ ଡାକ୍ତର ପୁଅର ପ୍ରସ୍ତାବ ଆଣି ସେ ଆସିଥାନ୍ତି । ସେଦିନ ରିଚା ଦେଖିଲା ଘର ଦୁଆର ସବୁ ଭଲଭାବେ ସଫାସଫି ଚାଲିଛି । ଘରେ ଭଲ ଭଲ ଖାଇବା ଜିନିଷ ଆସି ରେଡିହୋଇ ରୋଷେଇ ଘରେ ରଖା ଯାଉଛି । ଡ୍ରଇଁରୁମ୍ ରେ ଥିବା ଫୁଲଦାନୀ ରେ ତଟକାଫୁଲ ଆଣି ସଜାଯାଉଛି । କଥା କଣ ! ରିଚା କିଛି ବୁଝିପାରିଲାନି । ଘରେ ଆଜି ଏ କି ସାଜସଜ୍ଜା ହୋଇଚାଲିଛି ?ରିଚା କୁ ତା ମା କହିଲେ ଆଜି ସଂଧ୍ୟା ରେ ଟିକେ ବାହାରକୁ ନଯାଇ ଘରେ ରହିବୁ ।କାମ ଅଛି । ରିଚା ମନେ ମନେ ଭାବିଲାଏମିତି କଣ କାମ ଅଛି ଯେ ମା ମୋଠୁ କରେଇବେ? ଘରେ ଏତେ ଚାକର ବାକର ଥାଉ ଥାଉ ?
ଚାହୁଁ ଚାହୁଁ ସଂଧ୍ୟା ସମୟ ଆସି ପହଞ୍ଚିଲା । ହଠାତ୍ ଗୋଟେ ଟାଟା ସଫାରୀ ଗାଡି ରିଚା ଘର ଆଗରେ ଆସି ଠିଆ ହୋଇଗଲା । ଜଣେ ଭଦ୍ର ବକ୍ତି ଓ ଜଣେ ଭଦ୍ର ମହିଳା ଗାଡି ଭିତରୁ ବାହାରି ରିଚା ର ଘରଆଡେ ମୁହାଁଇଲେ । ମା ତାଙ୍କୁ ଉପର ମହଲା କୁ ବାଟ ଦେଖାଇ ଡ୍ରଇଁରୁମରେ ବସିବାକୁ କହିଲେ । ରିଚା ମନେ ମନେ ଭାବୁଛି କଥା କଣ ? ଏମାନେ କିଏ ? ହଠାତ୍ କାହିଁକି ଆସିଛନ୍ତି ? ତାକୁ କିଛି ବୁଝାପଡିଲାନି । ମା ରିଚା କୁ ଟିକିଏ ସଂଯତ ବେଶ ହୋଇ ଆସି ବସିବାକୁ କହିଲେ । ମାତ୍ର ରିଚା ତାର ନିଜ ଷ୍ଟାଇଲ୍ ର ଆଂଠୁ ଉପରକୁ ଥିବା ଲମ୍ବ ଡ୍ରେସଟିଏ ପିଂଧି ଆସି ସୋଫା ଉପରେ ଲଥ୍ କରି ବସିପଡିଲା। ବାପା ଙ୍କ କଥା ଅନୁସାରେ ନମସ୍କାର ଗୋଟେ ଗୋଟେ ମାରିଲା ଭଦ୍ର ଲୋକ ଆଉ ଭଦ୍ର ମହିଳାଙ୍କୁ । କିଛି ସମୟ ରହି ଭଦ୍ର ମହିଳା ଜଣଙ୍କ ପଚାରିଲେ ରିଚା କୁ ,"ମା କହିଲ ବାହାଘର ଉପରେ ତୁମର କଣ ଧାରଣା ? ବାହାଘର କହିଲେ ତୁମେ କଣ ବୁଝ ? ରିଚା କହିଲା ମୁଁ କଣ ବାହାହୋଇଛି ଯେ ବାହାଘର ବିଷୟରେ କହିବି ? " ବାହାଘର ଥରେ ହେଲେ ନିଶ୍ଚୟ ଏ ବିଷୟରେ କହିପାରିବି। ଭଦ୍ର ମହିଳା କହିଲେ କଣ ବାହାହେଲା ପରେ ବାହାଘର ବିଷୟରେ କହିପାରିବ ? ରିଚା କହିଲା ନିଶ୍ଚୟ। ଆପଣ କଣ କେବେ ଟେଷ୍ଟ ଡ୍ରାଇଭରେ ନଯାଇ ନୂଆ ଗାଡି କିଣିବାକୁ ଯାଇଛନ୍ତି ? ଭଦ୍ର ମହିଳା ପଚାରିଲେ ତୁମର ଯଦି ବାହାଘର ହୁଏ,ତୁମେ ତୁମର ସମୟ କିପରି କଟେଇବ ? ରିଚା କହିଲା---ଯଦି ମୋର ବାହାଘର ହୁଏ,ମୁଁ ମମି କୁ କହିବି,ମୋତେ କୁକୁରଟିଏ ନିଶ୍ଚୟ ଦେବେ । କୁକୁର ସହିତ ମୋର ସମୟ ବେଶ୍ ଆରାମ୍ ରେ କଟିଯିବ । ଏସବୁ କଥୋପକଥନ ଶୁଣି ରିଚା ଡାଡିଙ୍କର ମୁଣ୍ଡ ପୁରା ଗରମ ହୋଇଗଲା । କଣ କରିବେ ? ଭଦ୍ର ବକ୍ତି ଓ ଭଦ୍ର ମହିଳା କଣ ଭାବିବେ ? ସେମାନେ ଆସିଛନ୍ତି ତାଙ୍କ ପୁଅପାଇଁ ଝିଅ ଦେଖିବାକୁ ।
ଭଦ୍ର ବକ୍ତି ଓ ଭଦ୍ର ମହିଳା ଘରୁ ଗୋଡକାଢି ଚାଲିଗଲା ପରେ ରିଚା ତରବର ହୋଇ ବାହାର କୁ ଯିବାକୁ ବାହାରି ପଡିଲା । ମା କୁ କହିଲା---ମା' ମୁଁ ଟିକେ ଏକ ଜରୁରୀ କାମରେ ଯାଉଛି ।ମା କହିଲେ କଣ ଏମିତି ଜରୁରୀ କାମ ଶୁଣେ ? ରିଚା କହିଲା ସେ ଏକ୍ସ ବଏ ଟା ଆଜି ହାଇଦ୍ରାବାଦ ଯାଉଛି ଯେ ତାକୁ ଟିକେ ଛାଡିବାକୁ ଷ୍ଟେସନ ଯାଉଛି। ଆଉ ବାଏ କରି ଫେରି ଆସିବି । ବହୁତ ଜଲଦି ଫେରି ଆସିବି ମା । ବାସ ଯିବି ଆଉ ଆସିବି । ମା ଆଉ କଣ କହିବେ ? ବାସ୍ ମୁଣ୍ଡ ରେ ହାତ ଦେଇ ବସିପଡିଲେ । ତା ପରଦିନ ସକାଳୁ ସକାଳୁ ରିଚା ଉଠି ନିଜର ନିତ୍ୟ କର୍ମ ସାରୁଛି । ମା ଦେଖ ଆଶ୍ଚର୍ଯ୍ୟ ହୋଇଗଲେ । ଦିନ ବାରଟାରେ ଉଠିବା ଲୋକ ,ଆଜି କଣ ସକାଳୁ ସକାଳୁ ଉଠି ନିତ୍ୟ କର୍ମ ସାରୁଛି ? କିଛି ଭାବି ପାରିଲେନି ମା । କଣ ରିଚା ଟା ବଦଳିଗଲାକି ?ରିଚା ବେଶହୋଇ ବାହାରି ପଡିଲା। ବେଶ୍ ସୁନ୍ଦର ବେଶ ହୋଇଛି ଆଜି । ମା କହିଲେ କଣ ଆଜି ଏତେ ଜଲଦି ଉଠି ପଡିଲୁ ?ରିଚା କହିଲା ମା ତୁମକୁ କେମିତି ବୁଝେଇବି ? ଆଜି ପରା ଗୌତମ ଆସୁଛି ଦିଲ୍ଲୀ ରୁ । ଗୌତମ ମାନେ ଏବେକାର ପୁଅ ସାଙ୍ଗ ,ଯାହା ସହିତ ସେ ଦିନରାତି ଫୋନ ରେ ଲାଗି ରହିଥାଏ । ସେ ସକାଳ ଫ୍ଲାଇଟ ରେ ଆସି ପହଞ୍ଚିବ । ମୋତେ ଡାକିଛି ତା ସହିତ ସକାଳେ ଆଉ ଦିପ୍ରହରେ ଖାଇବାକୁ । ଆଉ କଣ କରିବି ମା ? ତାକୁ କଣ ମନା କରିହେବ ? ଯିବାକୁ ତ ପଡିବ ହିଁ । ମା କହିଲେ କାଲି ପରା କାହାକୁ ଛାଡିବାକୁ ଯାଇଥିଲୁ ? ଓଃ ମା ସେ ଥିଲା ଆଗର,ଏ ହେଉଛି ଏବେକାର । କିଛି ଦିନ ଏମିତି କଟିଗଲା ।ରିଚା ର ମୁଣ୍ଡ ଟିକେ ଥଣ୍ଡା ଥିଲା ଭଳି ଲାଗିଲା ମା ଙ୍କୁ ।
ତା ପରଦିନ ହଠାତ୍ ଏକ ଗାଡି ମଗେଇ ରିଚା ବାହାରି ପଡିଲା ବାହାରକୁ ଯିବାକୁ । ସେତେବେଳେ ମା ତାର ଘରେ ନଥିଲେ । କିଛି ସମୟ ପରେ ମା ଆସି ଘରେ ପହଞ୍ଚି ରିଚା କୁ ଖୋଜିଲେ । ରିଚା କୁ ନପାଇ ଚୁପ୍ କରି ବସିଛନ୍ତି, ରାତି ନଅଟା ବେଳକୁ ରିଚା ଟଳିଟଳି ଆସି ଘରେ ପହଞ୍ଚିଲା। ମା କହିଲେ ଏତେ ସମୟ ହେଲା କୁଆଡେ ଯାଇଥିଲୁ? ରିଚା ଠୋ ଠୋ ହସି କହିଲା ମୋର ଯୋଉ ବିବାହିତ ପୁଅ ସାଙ୍ଗ ଅଛି ନା,ତାର ଗୋଟେ ଝିଅ ଅଛି । ସେ ଡକେଇଥିଲା ତାର ଝିଅ ପାଇଁ ଗୋଟେ ଡ୍ରେସ ବାଛିବାକୁ । "ଭଲ ଫେସନ ଡିଜାଇନ୍ ପଢିଲା ଯେ ସବୁ ଡିଜାଇନ୍ ବାଛିବାକୁ ମୋତେ ହିଁ ଖୋଜା ଚାଲିଛି ? "ତାର ଡ୍ରେସ କିଣା ସରିଲାପରେ ସେ ତା ଝିଅ ସାଙ୍ଗେ ଘରକୁ ଗଲା । ଆଉ ମୁଁ ବାଟରେ ଆସୁ ଆସୁ ଟିକେ ପିଇଦେଇ ଆସିଗଲି । ବହୁତ ଦିନରୁ ତ ପିଇ ନଥିଲି । ମା ସବୁ ଶୁଣି ଚୁପ୍ ରହିଲେ । ଏମିତି କେତେ ଘଟଣା ରିଚା ତା ସାଙ୍ଗ ଡଲି ଆଗରେ କହୁ କହୁ ଦୁଇଟୋପା ଲୁହ ତା ଆଖିରୁ ଝରି ପଡିଲା ।ଡଲି ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ରିଚା! ପୁଣି ତା ଆଖିରେ ଲୁହ ? ଯିଏ ହସି ହସି ଜୀବନ ଟା କଟେଇଦିଏ ସବୁବେଳେ,ଯିଏ ଠୋ ଠୋ ସଭିଙ୍କୁ ଜବାବ ଦିଏ, ବଡଲୋକ ର ଝିଅ ଯାର ପଇସା ର ଅଭାବ କେଭେ ଦେଖିନି,ତା ଆଖିରେ ପୁଣି ଲୁହ ?
ରିଚା କହିଲା ହଁ ! ମୁଁ ବି ଗୋଟିଏ ଝିଅ। ମୋର ଭି ଜୀବନ ଅଛି ।ମୋତେ ହସିବାର ଆଉ କାନ୍ଦିବାର ଭି ଅଧିକାର ଅଛି । ମାତ୍ର ଏ ମଣିଷ ଟା ଏମିତି ହେଲା କାହିଁକି ? ତା କେଭେଁ କେହି ବୁଝିବାକୁ ଚେଷ୍ଟା କରିନାହାଁନ୍ତି । ରିଚା ତା ମନର କୋହକୁ ସବୁ ଡଲି ଆଗରେ ବଖାଣି ବସିଲା । ରିଚା ର କଥାକୁ ଡଲି ମନଦେଇ ଶୁଣୁଥାଏ । ।ହଁ! ବହୁତ ପିଲାଦିନର କଥା । "ମୁଁ କେବେ ପଇସା ର ଅଭାବ ଦେଖିନି । ବାପା ମା ସବୁବେଳେ ପଇସା ପଛରେ ଗୋଡେଇ ଗୋଡେଇ ଆମ ଭଲ ମନ୍ଦ କେବେ ବୁଝି ନାହାଁନ୍ତି । ସ୍ନେହମମତା କେବେ ପାଇନୁ ତାଙ୍କଠୁଁ । ଭାଇ ମଧ୍ୟ ତା ବାଟରେ କୁଆଡେ ଯାଏ କଣ କରେ ମୁଁ ଜାଣେନି । ନିଃସଙ୍ଗ ଜୀବନ ମୋତେ ବହୁତ ବାଧେ । ପଦେ ଭଲମଂଦ କଥା କହିବାକୁ ମା କୁ ଖୋଜିଲେ ମା କୁ ପାଏନି କି ବାପାଙ୍କୁ ଖୋଜିଲେ ବାପାଙ୍କୁ ପାଏନି ।ଭାଇ କଥା ତ ଛାଡ! ଏମିତି ଦିନେ ସାଥି ଟିଏ ଖୋଜୁ ଖୋଜୁ ଦେବୁ କୁ ପାଇଗଲି ସେହି ମୋର ସ୍କୁଲ ସାଙ୍ଗମାନଙ୍କ ଭିତରୁ, ଯାହାସଙ୍ଗେ ଟିକେ ଦୁଃଖ ସୁଖ ହେବାକୁ,ସମୟ କଟେଇବାକୁ ଭଲ ଲାଗିଲା ମୋତେ । ତା ପ୍ରତି ମୋର ଦୁର୍ବଳତା ଦିନକୁଦିନ ବଢି ଚାଲିଲା । ସବୁ ମନକଥା ଖୋଲି କହିବାକୁ ଇଚ୍ଛା ହେଲା । ଦୁନିଆ ଆଗରେ ସେ ମୋର ବହୁତ ଆପଣାର ବୋଲି ମନେ ହେଲା ।ଜୀବନରେ ମୋର କୃଷ୍ଣ ଚୂଡା ର ସମ୍ଭାର ଫୁଟି ଉଠିଲା ଯେମିତି ।
ଚାହୁଁ ଚାହୁଁ ହଠାତ୍ ଦିନେ ରିଚା ର ଜୀବନରୁ କୃଷ୍ଣ ଚୂଡା ର ରଙ୍ଗ ମଳିନ ପଡିଗଲା ଯେମିତି । ସେ କିଛି ବୁଝିବା ପୂର୍ବରୁ ସବୁକିଛି ନିଶ୍ଚିହ୍ନ ହୋଇଗଲା ଯେମିତିସେ କଣ ଶୁଣୁଛି ତା ନିଜ କାନକୁ ବିଶ୍ବାସ କରିପାରିଲାନି । ଆକାଶରୁ ଖସି ପଡିଲା ଭଳି ଲାଗିଲା ତାକୁ ।ଦେବୁ ଓ ତାର ସାଙ୍ଗ ଦିନେ ବାଇକ ଡ୍ରାଇଭରେ ବହୁତ ଦୂରକୁ ଯିବାକୁ ପ୍ରୋଗ୍ରାମ୍ ବନେଇଲେ ।ରାତି ନାହିଁ ଦିନନାହିଁ ଚାଲିଥାନ୍ତି ଦୁହେଁ ବାଇକରେ । କିନ୍ତୁ ହଠାତ୍ ଏ କଣ ହେଲା ?ତାଙ୍କୁ କିଛି ଜଣା ପଡିବା ପୂର୍ବରୁ ଏକ ଗଛରେ ପିଟି ହୋଇଗଲା ବାଇକ୍ ଟି । ମୁଣ୍ଡ ଝାଇଁ ଝାଇଁ ହୋଇଗଲା,ଆଖିକୁ ସବୁ ଅନ୍ଧାର ଦିଶିଲା । ସେଇଠି ଦୁହେଁ ଟଳି ପଡିଲେ ,ଆଉ ରାସ୍ତା ଉପରେ ପଡି ଛଟପଟ ହେଲେ ଆଉ କିଛିକ୍ଷଣ ପରେ ସବୁ ଶେଷ । ରାତିଅଧରେ କେହି କୁଆଡେ ନଥିଲେ ସାହାଯ୍ୟ ର ହାତ ବଢେଇବାକୁ ପରଦିନ ସକାଳ ପର୍ଯ୍ୟନ୍ତ ସେମିତି ସେମାନେ ରାସ୍ତା ଉପରେ ପଡି ରହିଥାନ୍ତି ।
ତା ପରଦିନ ସକାଳେ ପୋଲିସ୍ ର ଗାଡି ଯିବା ବାଟରେ ଏମାନଙ୍କୁ ଉଦ୍ଧାର କଲା କିନ୍ତୁ ସେତେବେଳକୁ ସବୁ ଶେଷ ହୋଇଯାଇଥିଲା ।ସେମାନଙ୍କ ମୋବାଇଲ୍ ରୁ ନମ୍ବର ପାଇ ସମସ୍ତ ଙ୍କୁ ଫୋନ କଲ କଲେ ।ରିଚା ପାଖକୁ ମଧ୍ୟ ସକାଳୁ ସକାଳୁ ଫୋନ ଆସିଲା । ପୋଲିସ ର ଫୋନ ରେ ରିଚା ର ମୁଣ୍ଡ ଘାଇଁ ଘାଇଁ ହେଇଗଲା ।କଣ କରିବ ସେ?କିଛି ବୁଝିପାରିଲାନି ।ଦଉଡିଗଲା ସେ ନିଜ ଜୀବନ କୁ ହରାଇଦବାକୁ ।କିଛି କ୍ଷଣ ପରେ ପ୍ରକୃତିସ୍ଥ ହୋଇ ଫେରି ଆସିଲା ତାର ପ୍ରକୃତ ଜୀବନ କୁ ।ମନକୁ ମନ ନିଜକୁ ବୁଝାଇଲା ସବୁବେଳେ ହା ହା କାର ରେ ବଞ୍ଚିବାଟା କଣ ତାର ଜୀବନ ? ଯିଏ ସବୁବେଳେ ହସି ହସାଉଥାଏ ତା ମନରେ ଅନେକ ଦୁଃଖ ହିଁ ଭରି ରହିଥାଏ । ତେଣୁ ଏମିତି ଏକ ଜୀବନ ସେ ବାଛି ନେଇଛି । ଆଉ ମନକୁ ଭୁଲେଇବାକୁ ଚେଷ୍ଟା ହିଁ କରିଛି । ବିବାହ କରି ବିବାହିତ ଜୀବନ ବିତେଇବାକୁ ମନଟା ତାର ଭାଙ୍ଗି ଯାଇଛି । ଏହା ହିଁ ତାର ଜୀବନ ।
