Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sambit Srikumar

Inspirational

4.3  

Sambit Srikumar

Inspirational

ସ୍ଵୟଂ ସମ୍ପୂର୍ଣ୍ଣା

ସ୍ଵୟଂ ସମ୍ପୂର୍ଣ୍ଣା

5 mins
11.6K


ଚାହା କପ୍ ହାତରେ ଧରି ସୁପ୍ରଭା ଦେବୀ ଘର ଭିତରୁ ବାହାରି ଆସି ବାଲକୋନୀରେ ପଡିଥିବା ଆର୍ମ୍ ଚେୟାର୍ ଉପରେ ବସିପଡ଼ିଲେ। ବାହାରେ ମେଘ ବର୍ଷୁଥିଲା ଝିପିଝିପି। କୃଷ୍ଣଚୂଡ଼ା ଗଛରେ ଧରିଥାଏ ପେନ୍ଥା ପେନ୍ଥା ମନମତାଣିଆ ଫୁଲ ସବୁ। ଦେଖିବାକୁ ଭଲ ଲାଗୁଥିଲା। ଅନେକ ଦିନ ପରେ ଆଜି ଟିକେ ଫୁରସତ୍ ରେ ବସି ମେଘକୁ ଦେଖୁଛନ୍ତି ସେ। ଚାହା କପ୍ ରୁ ଧୁଆଁ ଉଠୁଥିଲା ଓ ତାଙ୍କ ମନରେ ବି। ତାଙ୍କ ଅତୀତଟା ତାଙ୍କୁ ଘାରି ରହୁଥିଲା ସବୁବେଳେ।


ଠିକ୍ ଏତିକି ବେଳେ ଶୁଭିଲା କଲିଂବେଲ୍। ବସିବା ଜାଗାରୁ ଉଠିଯାଇ ସଦର ଦରଜା ଖୋଲିଲେ ସୁପ୍ରଭା ଦେବୀ। ଥମ୍ ଥମ୍ ମୁହଁରେ ଘର ଭିତରକୁ ପଶିଆସିଲା ଝିଅ ଶୁଭଶ୍ରୀ। ଗୋଟାପଣେ ଓଦା ହୋଇଯାଇଛି ତାର ସର୍ବାଙ୍ଗ ଶରୀର। ଡିପିଏସରେ ଷ୍ଟାଣ୍ଡାର୍ଡ଼ ସେଭେନ୍ ରେ ପଢୁଛି ଏବେ। ଆଜି ତା ମୁହଁରେ ଗୋଟେ ଅଲଗା ଅଲଗା ଭାବ। ସୁପ୍ରଭା ଦେବୀଙ୍କ ସ୍ମିତହାସ୍ୟ ରେଖାଟିଏ ମୁହଁରେ ଖେଳାଇ ପଚାରିଲେ, "ମାଆ! ଆଜି କେମିତି କଟିଲା ସ୍କୁଲରେ? ଏତେ ଓଦା ହୋଇଯାଇଛୁ ଯେ... ସର୍ଦ୍ଧି ଧରିଯିବ। ଯା ଶିଘ୍ର ଡ୍ରେସ୍ ଚେଞ୍ଜ୍ କରିଦେ।"


ସୁପ୍ରଭା ଦେବୀଙ୍କୁ ପଦୁଟିଏ ବି କିଛି କହିଲାନି ଶୁଭଶ୍ରୀ। ଗୁମ୍ ମାରି ବସିପଡିଲା ସୋଫା ଉପରେ ଓଦା ସରସର ହୋଇ। ସୁପ୍ରଭା ଦେବୀ ପୁଣି ଥରେ କହିଲେ, "ଯା' ମାଆ ଡ୍ରେସ୍ ଟା ଚେଞ୍ଜ୍ କରି ଫ୍ରେସ୍ ହୋଇଯା, ମୁଁ ତୋ ପାଇଁ କିଛି ଖାଇବାକୁ ଆଣୁଛି।" ଏଥରକ ବି ଶୁଭଶ୍ରୀ ସେମିତି ନିରୁତ୍ତର ରହିଲା। ସୁପ୍ରଭା ଦେବୀଙ୍କ ମନରେ ଭୟ। ଆଜିକାର ପରିସ୍ଥିତି ଯାହା ବଢିଲା ଝିଅଟିର ମାଆ ଭାବେ ତାଙ୍କ ଚିନ୍ତା କରିବା ବି ସ୍ବାଭାବିକ କଥା। 


ପୁଣିଥରେ ପଚାରିଲେ ସେ। ଏଥରକ ବେଶ୍ ସ୍ନେହବୋଳା କଣ୍ଠରେ। "କଣ ହୋଇଛି ମୋ ମାଆର? ମୋତେ କହିବନି ମୋ ମାଆ?" ଏଥରକ ଟିକେ ମୁଣ୍ଡ ସଳଖି ବସିଲା ଶୁଭଶ୍ରୀ। ଚାହିଁଲା ସୁପ୍ରଭା ଦେବୀଙ୍କ ଆଡ଼କୁ। ଗମ୍ଭୀର ସ୍ବରରେ କହିଲା, "ମମ୍! ମୁଁ ଯାହା ପଚାରିବି ସତ କହିବ?" ସୁପ୍ରଭା ଦେବୀଙ୍କ ମନରେ କେବଳ ସେଇ ଗୋଟିଏ ଭୟ! ସେଇ କଥାଟି ବାଦ୍ ଆଉ ଯାହାବି ଝିଅ ପଚାରିବ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସେ ସମର୍ଥ ଓ ସକ୍ଷମ। 


ମନକୁ ଦୃଢ଼ କରି ଝିଅକୁ ପଚାରିଲେ, "କହ ମାଆ କହ! କଣ ପଚାରିବାକୁ ଚାହୁଁଛୁ ପଚାରେ?" ଶୁଭଶ୍ରୀ ଆଖିରେ ଉଜ୍ଜ୍ବଳତାର ଝଲକ। ମାଆକୁ ତାର କହିଲା, "ସତ କହୁଛ ତୁମେ? ଏଥରକ ସତ କହିବ?"


: ହଁ ମାଆ, ସତ କହିବି।


: ଗଡ୍ ପ୍ରମିସ୍! ନାଇଁ ନାଇଁ ମୋ ପ୍ରମିସ୍! 


ଅକଳରେ ପଡିଗଲେ ସୁପ୍ରଭା ଦେବୀ। ଯଦି ଶୁଭଶ୍ରୀ ସେଇ ପୁରୁଣା ପ୍ରଶ୍ନକୁ ଆଉଥରେ ପଚାରେ, ତେବେ କି ଉତ୍ତର ଦେବେ ତାକୁ। ଏଇଟା ସଠିକ ସମୟ ନୁହେଁ ସବୁ କିଛି କହିବା ପାଇଁ ତାକୁ। ଆଉ ଟିକେ ବଡ଼ ହୋଇଯାଉ ଆପେ ଆପେ ସବୁ ବୁଝି ଯିବ। ତାଙ୍କୁ କିଛି କଷ୍ଟ କରିବାକୁ ପଡ଼ିବନାହିଁ। ଯଦି ସତ କଥା ଜାଣିବା ପରେ ଶୁଭଶ୍ରୀ ତାଙ୍କ ଠାରୁ ଦୂରେଇ ଯାଏ କି ଘୃଣା କରେ! ନା ଏମିତି କେବେ ବି ହେବନି। ଯାହା ପାଇଁ ସାରା ଦୁନିଆଁ ସହ ଲଢିଛନ୍ତି ସେ କେବେ ତାଙ୍କୁ ପର କରିପାରିବ ନାହିଁ। 


ସୁପ୍ରଭା ଦେବୀଙ୍କ କପାଳରେ କୁଞ୍ଚିତ ରେଖା ଓ ସ୍ବେଦ ବିନ୍ଦୁକୁ ଦେଖି ଶୁଭଶ୍ରୀ ପଚାରିଲା, "ମମ୍! କଣ ହେଲା ତୁମର? ସବୁ ଠିକ୍ ଅଛି ତ?" 


ନିଜକୁ ପ୍ରସ୍ତୁତ କରି ନେଲେ ସୁପ୍ରଭା ଦେବୀ। ଜୀବନରେ ଅନେକ ଝଡ଼ ଝାଞ୍ଜାକୁ ସାମ୍ନା କରିଛନ୍ତି ସେ। ଏଇଟା ବି ଆଉ ଗୋଟିଏ ହେବ। ଏଥିପାଇଁ ଏତେ ବ୍ୟସ୍ତ ବିବ୍ରତ କାହିଁକି? ଆଜି ନହେଲେ କାଲି ତ ଜାଣିବ ନା? କେତେ ଦିନ ଆଉ ଟାଳିବେ ଏମିତି? ସୁପ୍ରଭା ଦେବୀ କହିଲେ, "କଣ ପଚାରିବୁ? ପଚାର... "


"ମୋର ଡାଡ଼ି କିଏ? ସେ କାହିଁ ଆମ ସହିତ ରହୁ ନାହାଁନ୍ତି? କୋଉଁଠି ରହୁଛନ୍ତି?" ଏକା ନିଶ୍ବାସକେ କହିଗଲା ଶୁଭଶ୍ରୀ। ସୁପ୍ରଭା ଦେବୀଙ୍କର ଯେଉଁ କଥାକୁ ଭୟ ଥିଲା, ସେଇ କଥା ଏବେ ତାଙ୍କର ଅଲିଅଳି ଝିଅର ଜିଜ୍ଞାସା! ଦୁହିଁଙ୍କ ଜୀବନର ସଂଗୋପିତ ସତ୍ଯ! ଦିନେ ନା ଦିନେ ତ ତାକୁ ସାମ୍ନା କରିବାକୁ ପଡିବ। 


ଦୀର୍ଘଶ୍ବାସ ତ୍ଯାଗ କରି ସୁପ୍ରଭା ଦେବୀ କହିଲେ, "ଶୁଣ ତେବେ। ଆଜକୁ ପ୍ରାୟ ପନ୍ଦର ବର୍ଷ ତଳର କଥା ଇଏ। ମୁଁ ସେତେବେଳେ ପିଜି କରୁଥିଲି ରେଭେନ୍ସାରେ। ବାପା ମୋର ସର୍ଭିସ୍ କରୁଥିଲେ ବୋର୍ଡ ଅଫ୍ ରେଭେନ୍ଯୁରେ। ମୁଁ ବଡ଼ ଝିଅ ଥିଲି, ମୋ ଛଡ଼ା ଆଉ ଚାରି ଭାଇ ଭଉଣୀ ଓ ବାପା ମାଆଙ୍କୁ ନେଇ ବେଶ୍ ହସଖୁସିର ପରିବାର ଥିଲା ଆମର। ମୁଁ ଖୁବ୍ ମେଧାବୀ ଓ ମହତ୍ତ୍ବାକାଂକ୍ଷୀ ଥିଲି। ଆଇଏଏସ୍ ଅଫିସର ହେବାର ଲକ୍ଷ୍ୟ ନେଇ ପ୍ରସ୍ତୁତି ଜାରି ରଖିଥିଲି। ହେଲେ ସେଇ ଗୋଟିଏ ରାତିର ଭୁଲ୍ ସବୁକିଛି ଓଲଟପାଲଟ କରିଦେଲା ମୋ ଜୀବନରେ। ଭୂକମ୍ପ ଆସିଥିଲା ମୋ ଜୀବନରେ ଯାହାର କମ୍ପନ ଆଜି ଯାଏଁ ବି ଅନୁଭବ କରୁଛି ମୁଁ... "


ସୁପ୍ରଭା ଦେବୀଙ୍କୁ ବାଧା ଦେଇ ଶୁଭଶ୍ରୀ ପଚାରିଲା,"କଣ ହେଲା ମମ୍? "


: ୟୁଥ୍ ଫେଷ୍ଟିଭାଲରେ ଯୋଗ ଦେବା ପାଇଁ ମୁଁ ଦିଲ୍ଲୀ ଯାଇଥାଏ। ସେ ଦିନ ସନ୍ଧ୍ୟାରେ ଥାଏ ନୃତ୍ୟ ସଂଗୀତର ଆସର। ରକ୍ ଷ୍ଟାର୍ ଚେତନ୍ କୁମାରଙ୍କ ଶୋ ଥାଏ। ସାରା ଦେଶରେ ତାଙ୍କର ଅଭୂତପୂର୍ବ ପ୍ରସିଦ୍ଧି। ଯୁବବର୍ଗଙ୍କ ମଧ୍ୟରେ ଅସମ୍ଭବ କ୍ରେଜ୍ ତାଙ୍କର। ମୁଁ ବି ତାଙ୍କର ଡାଏ ହାର୍ଡ୍ ଫ୍ଯାନ୍ ! ଅସାର ପରେ ପାର୍ଟିରେ ତାଙ୍କ ସହିତ ଭାବ ବିନିମୟର ସୁଯୋଗ ମିଳିଥିଲା। ସେଇ ଭାବ ବିନିମୟ ଟା ଆମ ଦୁଇଜଣଙ୍କ ପାଇଁ ବେଶ୍ ସୁମଧୁର ଥିଲା ପହିଲି ନଜରରେ ପ୍ରେମ, ପୁଣି ପ୍ରଣୟ। ସବୁକିଛି ଘଟୁଥିଲା କିନ୍ତୁ ବାରଣ କରିବାକୁ ମୋର ଶକ୍ତି କିମ୍ବା ଆଗ୍ରହ ନଥିଲା। ମୁଁ ବି ଚାହୁଁଥିଲି ଚେତନଙ୍କ ସାନିଧ୍ୟ ଆଉ ସେ ବି। ଦୁହିଁଙ୍କ ସମ୍ମତିରେ ଘଟିଥିଲା ସବୁକିଛି। 


: ସେଠୁ କଣ ହେଲା?


: ସେଇ ସୁମଧୁର ସ୍ମୃତିକୁ ହୃଦୟରେ ସାଉଁଟି ମୁଁ ଫେରିଆସିଲି କଟକ। ଅଚାନକ ଦିନେ ଅନୁଭବ କଲି ଯେ ମୁଁ ଅନ୍ତଃସତ୍ତ୍ଵା। ବାପାମାଆ ଜାଣିବା ପରେ କହିଲେ ଆବୋର୍ସନ ପାଇଁ। ସେମାନଙ୍କର ଏକା ଜିଦ୍ ଏ କଳଙ୍କର ଦାଗ ସବୁକୁ ଧୋଇଧାଇ ସଫାସୁତୁରା ହୋଇଯିବା ପାଇଁ। ମୋର ଯୁକ୍ତି ଏଥିପାଇଁ ମୋ ଜଠରରେ ବଢୁଥିବା ଭୃଣର ଦୋଷ ବା କଣ? ସେ କାହିଁକି ଦଣ୍ଡ ଭୋଗିବ? ଦୁନିଆ ଦେଖିବାରୁ ବଞ୍ଚିତ ହେବ? ଧିରେ ଧିରେ ମୋର ପାପ ଗର୍ଭ ସାରା ସହରରେ ପିଲୋଟିଗଲା ଚର୍ଚ୍ଚାର ବିଷୟ। ଅଗତ୍ୟା ଛାଡ଼ିବାକୁ ହେଲା ଘର ପରିବାର ଓ ସହର। ବେସାହାରା ହୋଇଗଲି ମୁଁ କ୍ଷଣକରେ। ଦୂର ଦୂର ଯାଏଁ ସାହାରା ଦେବାକୁ କେହି ନଥିଲେ ମୋର।


: ପୁଣି ସେଠୁ କଣ ହେଲା ମମ୍?


: ମୁଁ ବମ୍ବେରେ ପହଞ୍ଚି ଭେଟିବାକୁ ଚାହୁଁଥିଲି ଚେତନଙ୍କୁ। ବିବାହ କରିବାକୁ ଚାହୁଁଥିଲି ତାଙ୍କୁ, କିନ୍ତୁ ସେ ଥିଲେ ପୂର୍ବରୁ ବିବାହିତ। ମୋ ପାଇଁ ତାଙ୍କର କିଛି ଅସୁବିଧା ନହେବାର ପ୍ରତିଶ୍ରୁତି ଦେଇ ମୁଁ ଆସି ପହଞ୍ଚିଲି ଦିଲ୍ଲୀରେ। କଲେଜ ବେଳର ସାଙ୍ଗ ପ୍ରମିଳା କାମ କରୁଥିବା ଖବରକାଗଜ ସଂସ୍ଥାରେ ମୋତେ କାମ ମିଳିଗଲା।


ତାପରେ ମୁଁ ଆଉ ପଛକୁ ଫେରି ଚାହିଁନାହିଁ। ସମସ୍ତଙ୍କୁ ପର କରି ଅତୀତକୁ ପଛରେ ପକାଇ ମୁଁ ହେଲି ମାଆ! ମାତୃତ୍ୱ ଲାଭର ଖୁସିରେ ସବୁକିଛି ଭୁଲି ଗଲି ମୁଁ। ଅନେକ କଷ୍ଟ କରିବାକୁ ପଡ଼ିଛି ଅସଂଖ୍ୟ ଲାଞ୍ଛନା ସହିଛି କିନ୍ତୁ ମୁଁ ହାରିନାହିଁ। ତୋର ଜନ୍ମ ମୋ ଜୀବନରେ ଭରିଦେଲା ଆପାର ଆନନ୍ଦ। ତୋର ନିଷ୍ପାପ ଦରୋଟି ମୁଁହକୁ ଚାହିଁ ମୁଁ ଭୁଲିଗଲି ଜୀବନ ଯାକର ସବୁ ଦୁଃଖ। ହଜେଇ ଦେଇଛି ଗୋଟାପଣେ ଆପଣାକୁ ଆପଣାର ଅସ୍ତିତ୍ବ ଅସ୍ମିତା କୁ ତୋ ପାଇଁ। ତୋ ପାଇଁ ହିଁ ମୁଁ ବଞ୍ଚିଛି ଆଜି। ତୋତେ ଦେଖିବାକୁ ଚାହେଁ ସଫଳତାର ଶୀର୍ଷରେ। ତୋ ମୁଁହର ହସ ମୋ ପାଇଁ ଈଶ୍ବରଙ୍କ ଶ୍ରେଷ୍ଠ ଉପହାର।


: ଡାଡ଼ିଙ୍କୁ ଆଉ ଭେଟି ନ ଏଇ ଦିନମାନଙ୍କରେ?


: କାହିଁକି କାହାକୁ ଭେଟିଥାନ୍ତି? ଏଇ ପୁରୁଷଗୁଡାକ ଚିରକାଳ ସ୍ବାର୍ଥପର। ବିବାହିତ ହୋଇ ମଧ୍ୟ ଲଂଘିବାକୁ ସବୁବେଳେ ପ୍ରସ୍ତୁତ ସଂପର୍କର ଲକ୍ଷ୍ମଣରେଖା। ପୁରୁଷ ପାପ କଲେ ନିଜକୁ ପୁରୁଷ ପୁଙ୍ଗଵ ବୋଲାଏ। ପାପ ତାର ପୁରୁଷାର୍ଥ! ନାରୀ ଲକ୍ଷ୍ମଣରେଖା ଲଙ୍ଘନ କଲେ କୁଳଟା ପତିତା ହୋଇଯାଏ। ପାପ ତା ପାଇଁ କଳଙ୍କର ଅଲିଭା ଦାଗ ହୋଇ ରହିଯାଏ ଚିରଦିନ।


ସେ ରାତିର ଘଟଣା ପାପ ଭୁଲ୍ ଅବା ପ୍ରତାରଣା କାହିଁକି ହେବ? ଦୁହେଁ ଦୁହିଁଙ୍କର ସ୍ବେଚ୍ଛା ଓ ସହମତିରେ ବିନା କୌଣସି ସର୍ତ୍ତରେ ଚରିତାର୍ଥ କରିଥିଲୁ ମନର ବାସନା। ବିତାଇଥିବା କିଛି ସୁଖକର ସୁମଧୁର ମୂହୁର୍ତ୍ତ ପାଇଁ ଏତେ ଅନୁଶୋଚନା ନିନ୍ଦା ଅପବାଦ ଅବା ଆତ୍ମଗ୍ଲାନୀ କାହିଁକି? ସନ୍ତାନ ସନ୍ତତି ପାଇଁ ପିତୃତ୍ୱର ପରିଚୟ କଣ ସର୍ବଦା ଅନିବାର୍ଯ୍ୟ? ବିନା କୌଣସି କର୍ତ୍ତବ୍ୟରେ ବାପାର ନାମ କାହିଁକି ରହିବ ସମସ୍ତ ଜରୁରୀ ଦସ୍ତାବିଜରେ?


ଶୁଭଶ୍ରୀ ଚୁପ୍ ଚାପ୍ ସବୁ କିଛି ଶୁଣୁଥିଲା ଆଉ ତା ଆଖିରୁ ଅବାରିତ ଧାର ଧାର ଲୁହ ବୋହି ଯାଉଥିଲା। ସବୁ ସଂଗୋପିତ ରହସ୍ୟ ତା ଜୀବନର ଉନ୍ମୋଚିତ ହୋଇଯାଇଥିଲା କେଇଟା ମୂହୁର୍ତ୍ତରେ। ମନରେ କିଛି ଦ୍ଵନ୍ଦ ନଥିଲା ତାର। ମାଆ ତାର କମନୀୟ ନାରୀରୁ ପାଲଟି ଯାଇଥିଲେ ସ୍ଵୟଂ ସମ୍ପୂର୍ଣ୍ଣା ଦେବୀଟିଏ...



Rate this content
Log in

More oriya story from Sambit Srikumar

Similar oriya story from Inspirational