Sangeeta Barik

Inspirational

2.5  

Sangeeta Barik

Inspirational

ସୁନାବୋହୂ

ସୁନାବୋହୂ

4 mins
311



ଜିନ୍ସ ଓ ଟପ୍ ରେ ବୋହୂକୁ ଦେଖି ଶାଶୁଙ୍କର ବିରକ୍ତି ଆହୁରି ବଢି ଯାଇଥିଲା ।ତଥାପି ମୁହଁରେ କୄତ୍ରିମ ହସ ଫୁଟାଇ ଉପର ମହଲାରେ ଥିବା ତାଙ୍କ ଶୟନକକ୍ଷକୁ ଯିବାକୁ କହିଥିଲେ ଶାଶୁ ବିମଳା ଦେବୀ ପୁଅବୋହୂ ତାଙ୍କର ପାଦସ୍ପର୍ଶ କରିବା ସମୟରେ । ପୁଅ ବୋହୂ ମଧ୍ୟ ବାଧ୍ୟ ଶିଶୁ ଭଳି ଯାଇଥିଲେ, ଆଉ ତାଙ୍କ ସହ ଯାଉଥିଲେ ଛୋଟ ଦିଅର ଓ ନଣନ୍ଦ ଅତି ଆଗ୍ରହରେ । ଭାଇଭଉଣୀ ମନେମନେ ଖୁବ୍ ବ୍ୟଗ୍ର ହେଇପଡୁଥିଲେ ଭାଉଜ ସେମାନଙ୍କ ପାଇଁ କଣ ସବୁ ଆଣିଥିବେ । ପଛପଟୁ ବାପା ବାରଣ କରି କହିଲେ "ଆରେ ତମେମାନେ କୁଆଡ଼େ ଯାଉଛ ?


ଭାଇଭାଉଜ ଦିନସାରା ଟ୍ରାଭେଲିଂରେ ଥକି ଯାଇଥିବେ ।ତାଛଡା ସେମାନେ ଜଲଦି ଫ୍ରେସ ଅପ୍ ହୋଇ ଆସିଲେ ଆମେମାନେ ସାଙ୍ଗ ହୋଇ ଡିନର କରିବୁ ।" ବିନୋଦ ବାବୁଙ୍କ ମନରେ ମଧ୍ୟ ଡର ଥିଲା ପିଲାମାନେ ସବୁ ଉପରକୁ ପଳେଇଲେ ସ୍ତ୍ରୀ ବିମଳା ଦେବୀ ପୁଣି କର୍କଶ ରେକର୍ଡ଼ ଆରମ୍ଭ କରିଦେବେ ଯାହା ସେ କରି ଆସୁଛନ୍ତି ଗତ ପନ୍ଦର ଦିନ ହେଲାଣି ଯେବେଠୁ ପୁଅବୋହୂଙ୍କର ଆସିବା ଖବର ଶୁଣିଛନ୍ତି ।

   

  ବୋହୂ ରମ୍ୟା ମହାନଗରୀ ବମ୍ବେରେ ଜନ୍ମ ହୋଇ, ଶିକ୍ଷା ସମାପ୍ତ କରି ଏକ ବଡ ହସ୍ପିଟାଲରେ ଡାକ୍ତରାଣୀ ଅଛି । ଯଦିଓ ତାଙ୍କ ପ୍ରକୃତ ଘର ଓଡ଼ିଶାରେ କିନ୍ତୁ ବାପା ଚାକିରୀ କରୁଥିଲେ ବମ୍ବେରେ । ଏବେ ସେ ଅବସର ନେଲା ପରେ ମଧ୍ୟ ସେଠାରେ ଏକ ଫ୍ଲାଟରେ ରହୁଛନ୍ତି ଯାହାକି ଝିଅ ରମ୍ୟାର ଆପାର୍ଟମେଣ୍ଟରୁ ଅଳ୍ପ ଦୂର । ରମ୍ୟା ସେମାନଙ୍କର ଖବର ବୁଝେ କାରଣ ସେ ହେଉଛି ଏକ ମାତ୍ର କନ୍ୟା । ସେ ବାପାବୋଉଙ୍କ ସହ କେତେ ଥର ଓଡିଶା ଆସିଛି ନିଜ ଗାଆଁକୁ । ଓଡ଼ିଆ ଲୋକ ତାର ବହୁତ ପସନ୍ଦ । ତେଣୁତ ସେ ଭଲପାଇ ବସିଥିଲା ଡାକ୍ତର ରାଜୀବକୁ ଯିଏକି ସେହି ସମାନ ହସ୍ପିଟାଲରେ ଡାକ୍ତର ଥିଲେ । ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଉଥିଲେ । ବିବାହ ମଧ୍ୟ କରିଥିଲେ ଓଡିଶାର ନିଜ ଘରେ ବୈଦିକ ରୀତିରେ । ବିବାହରେ ଉଭୟ ପରିବାରର ସହମତି ଥିଲା କିନ୍ତୁ ବିମଳା ଦେବୀ ଟିକିଏ ଦ୍ଵନ୍ଦ୍ଵରେ ଥିଲେ । ବମ୍ବେରେ ଲାଳିତ ପାଳିତ ହୋଇଥିବା ଝିଅ କଣ ଓଡ଼ିଶାର ରୀତିନୀତିକୁ ଆପଣେଇ ପାରିବ ? ବିବାହର ଦଶ ଦିନ ପରେ ପୁଅବୋହୂ ଫେରି ଯାଇଥିଲେ ବମ୍ବେ ନିଜର କର୍ମସ୍ଥଳିକୁ ।ବୋହୂ ଆଜି ପ୍ରଥମ ଥର ଫେରିଛି ଶାଶୁ ଘରକୁ । ୟା ଭିତରେ ପୁଅ ଦୁଇ ଥର ଆସି ବୁଲି ଯାଇଛି ।


  ପୁଅବୋହୂଙ୍କର ଆସିବା ଖବର ପାଇବା ଦିନ ଠାରୁ ବିମଳା ଦେବୀଙ୍କର ଗୋଟିଏ ଚିନ୍ତା, କାର୍ତ୍ତିକ ମାସ ଚାଲିଛି ନୀତି ନେହେରାରେ ମୋ ପରିବାର ଚଳୁଛି । ବୋହୂ ଆସିଲେ କାଳେ ସବୁ ଗୋଳମାଳ କରିଦେବ । ଆମିଷ ପୁରେଇ ଦେବକି ? ପିଆଜ ରସୁଣ ଖୋଜିବକି ଖାଇବାକୁ ।ଏମିତି ଅନେକ କଥା । ଏସବୁ ଭାବନାକୁ ନେଇ ସେ ସବୁବେଳେ ବିରକ୍ତ ହେଉଥିଲେ ବିନୋଦ ବାବୁଙ୍କ ଉପରେ । ବାରମ୍ବାର କହୁଥିଲେ "ପୁଅବୋହୂଙ୍କୁ କୁହ କାର୍ତ୍ତିକ ଓ ମାର୍ଗଶିର ପରେ ପୌଷ ମାସ ଆସିବାକୁ ।"


ପରଦିନ ବଡିଭୋରରୁ ବିମଳା ଦେବୀ ଗାଧେଇ ସାରି ଗାଧୁଆ ଘରୁ ବାହାରିଲା ବେଳକୁ ଉପର ମହଲାରେ ଠାକୁରଙ୍କ ଘରୁ ଶଙ୍ଖ ଧ୍ଵନୀ ଓ ହୁଳହୁଳି ଶୁଣା ଗଲା । ସେ ଆଶ୍ଚର୍ଯ୍ୟ ହୋଇଗଲେ । କିଛି ବୁଝି ପାରିଲେ ନାହିଁ । ତରତର ହୋଇ ଲୁଗା ସଜାଡି ସିନ୍ଦୂର ନାଇ ଉପର ମହଲାକୁ ଗଲେ । ସେଠାରେ ସେ ଯାହା ଦେଖିଲେ ନିଜକୁ ବିଶ୍ୱାସ କରି ପାରିଲେ ନାହିଁ । ତାଙ୍କ ବୋହୂ ଧଳା ରଙ୍ଗ ଉପରେ ନାଲି ବର୍ଡର ଥିବା ଶାଢୀ ପିନ୍ଧିଛି । ମୁଣ୍ଡରେ ସିନ୍ଦୂର ଦାଉ ଦାଉ ହୋଇ ଜଳୁଛି । ଦୁଇ ହାତରେ ଲାଲି ଚୁଡି ସହ ଶଙ୍ଖା । ସତେକି ସ୍ଵୟଂ ଲକ୍ଷ୍ମୀ ତାଙ୍କ ଘରେ ବିଜେ କରିଛନ୍ତି । ଇଚ୍ଛା ହେଉଥିଲା ଯେପରି ସେ ବୋହୂକୁ କୁଣ୍ଢେଇ ଗେଲ କରିଦିଅନ୍ତେ । ଠାକୁର ଘରକୁ ଅନେଇ ଦେଖିଲେ ସୁନ୍ଦର ଭାବେ ପରିଷ୍କାର କରି ଫୁଲ ଚନ୍ଦନ, ଭୋଗ ଦେଇ ଠାକୁର ପୂଜା ସରିଛି । ସେ ଲୋଟାରେ ପାଣି ନେଇ ଚଉରା ମୂଳକୁ ଗଲେ । ସେ ନିଜକୁ ବିଶ୍ବାସ କରି ପାରୁ ନଥିଲେ ଯେ ଚଉରା ମୂଳରେ ସୁନ୍ଦର ଭାବେ ମୂରୁଜ ପକାଇ ପୂଜା ମଧ୍ୟ ସରିଛି । ବିମଳା ଦେବୀଙ୍କ ଆଖି ଛଳଛଳ ହୋଇଗଲା । ସେ ବୋହୂକୁ ଡାକି ମୁଣ୍ଡ ଆଉଁସେଇ ଦେଇ କହିଲେ-


-ବୋହୂ ଏସବୁ ତୁ ?


-ହଁ ବୋଉ । ଏସବୁ ମୁଁ ମୋ ବୋଉଙ୍କ ପାଖରୁ ଶିଖିଛି । ଆପଣ ଜପ ସାରି ଗୀତା ପଢି ତଳକୁ ଆସନ୍ତୁ ମୁଁ ଜଳଖିଆ ପ୍ରସ୍ତୁତ କରୁଛି ।

-ରୋଷେଇ ଘରେ କେଉଁଠି କଣ ଅଛି ତୁ କଣ ପାଇବୁ ?

ତା ଛଡା ଏବେ କାର୍ତ୍ତିକ ମାସର ପଞ୍ଚକ ଚାଲିଛି । ପିଆଜ ରସୁଣ କିଛି ବ୍ୟବହାର ହେବନାହିଁ ।

-ଜାଣିଛି ବୋଉ । କେଉଁଠି କଣ ଜିନିଷ ଅଛି ମୋ ଗେହ୍ଲୀ ନଣନ୍ଦକୁ ମଧ୍ୟ ପଚାରି ବୁଝି ଦେବି । 


ଏତିକି କହି ସେ ତଳ ମହଲାକୁ ଚାଲି ଯାଇଥିଲା । ଆଜି କିନ୍ତୁ ବିମଳା ଦେବୀଙ୍କର ପୂଜାରେ ମନ ଲାଗୁ ନଥାଏ । ସେ ଖାଲି ବୋହୂ କଥା ଭାବୁଥାନ୍ତି । ଗୀତା, ଭାଗବତ, କାର୍ତ୍ତିକ ମହାତ୍ମ୍ୟ ଆଦି ପଢିସାରି ପୁଅ ରାଜୀବକୁ ଉଠାଇବାକୁ ଗଲେ । ଏଇଟା ତାଙ୍କର ପୁରୁଣା ଅଭ୍ୟାସ । କାହିଁକି କେଜାଣି ସକାଳୁ ସକାଳୁ ସବୁ ପିଲାମାନଙ୍କର ମୁହଁ ଦେଖିବାକୁ ତାଙ୍କୁ ଭଲ ଲାଗେ ।ପୁଅକୁ ନିଦରୁ ଡାକି ଶୀଘ୍ର ଗାଧୁଆ ପାଧୁଆ ସାରି ଜଳଖିଆ ଖାଇବା ପାଇଁ ତଳକୁ ଆସିବାକୁ କହି ସେ ତଳକୁ ଆସିଲେ ।


ତଳ ମହଲା ପହଞ୍ଚୁ ପହଞ୍ଚୁ ଘିଅ ଜିରା ଛୁଙ୍କ ମୁଗଡାଲିର ଡାଲମାର ବାତ୍ସ୍ନା ନାକପଥ ଦେଇ ହୄଦୟକୁ ଛୁଇଁ ଗଲା ।ରୋଷେଇ ଘରକୁ ଯାଇ ଦେଖିଲେ ପରଟା ଡାଲମା ହୋଇସାରିଡାକି ଦେବାକୁ ।ରମ୍ୟା ଯାଉ ଯାଉ ଶିଡି ପାଖରେ ହଠାତ ଅଟକି ଗଲେ । ସେ ଭାବିଲା ଏମିତି ନୂଆ ଗେଟ୍ ଅପ୍ ରେ ଯଦି ରାଜୀବ ଦେଖନ୍ତି ତେବେ ସେ ସହଜରେ ଛାଡିବେନି । ବମ୍ବେରେ ତାଙ୍କ ଫ୍ଲାଟରେ ହୋଇଥିଲେ କିଛି ଅସୁବିଧା ନଥାନ୍ତା । କିଛି ମୁହୂର୍ତ୍ତ କାହିଁକି ଗୋଟାଏ ଘଣ୍ଟା ବାହୁବନ୍ଧନରେ ବନ୍ଦୀ ହୋଇ ଗଲେବି ତା ମନ ପୁରି ନଥାନ୍ତା । ଏଠାରେ ତ ନଣନ୍ଦ ଦିଅର ଅଛନ୍ତି । ଦୁହେଁ ମୁରୁକି ମୁରୁକି ହସିବେ । ତେଣୁ ସେ ଫେରି ଆସି ସେଲ୍ ଫୋନ ରୁ ରାଜୀବଙ୍କୁ ରିଗଂ କଲା । ରାଜୀବ ମଧ୍ୟ ତଳକୁ ଆସି ରମ୍ୟାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଆଉ ହିସାବ କିତାବ ପରେ ନେବେ ବୋଲି ଇଶାରାରେ କହି ଦେଇଥିଲେ । 


ଏମିତି ଖୁସିରେ ବିତିଯାଇଥିଲା ଏକ ସପ୍ତାହ । ଆଜି ପୁଣି ପୁଅବୋହୂ ବମ୍ବେ ଫେରିଯିବେ । ସମସ୍ତଙ୍କର ମନ ଦୁଃଖ ।ବିଶେଷ କରି ବିମଳା ଦେବୀଙ୍କର । ସମସ୍ତେ ତଳେ ଅପେକ୍ଷା କରିଥାନ୍ତି ।ରାଜୀବ ଓ ରମ୍ୟା ଲଗେଜ୍ ଧରି ତଳକୁ ଓହ୍ଲେଇଲେ । ରମ୍ୟା ପିନ୍ଧିଥିଲା ଜିନ୍ସ ଓ ଟପ୍ । କାହିଁକି କେଜାଣି ଆଜି ସେହି ଜିନ୍ସ ଓ ଟପ୍ ରେ ମଧ୍ୟ ସେ ବିମଳା ଦେବୀଙ୍କୁ ଖୁବ୍ ସୁନ୍ଦର ଦେଖା ଯାଉଥିଲା । ରମ୍ୟା ଶାଶୁଙ୍କର ପାଦ ଛୁଇଁଲା ଶାଶୁ ତାକୁ କୋଳେଇ ନେଇ ମୋ ସୁନାବୋହୂ ବୋଲି କହି କଇଁ କଇଁ ହୋଇ କାନ୍ଦି ଉଠିଲେ । ତାଙ୍କୁ ଲାଗୁଥିଲା ଯେମିତି ତାଙ୍କ ଖୁସି ତାଙ୍କ ଠାରୁ କିଏ ନେଇ ଯାଉଛି ।



Rate this content
Log in

Similar oriya story from Inspirational