Balaram Barik

Inspirational

3  

Balaram Barik

Inspirational

ସୁନା

ସୁନା

4 mins
283



ସୁନା ସତେ ଅବା ଏ ମାଟି ଦୁନିଆର ଏକ ନିଆରା ଆବିଷ୍କାର । ଲୁହା, ତମ୍ବା, ଆଲୁମିନିୟମ, ପାରଦ ପରି ଧାତୁଟିଏ ତ !! ହେଲେ ତାର ଏତେ ଆଦର କାହିଁକି ? କଣ ସେ ବରଦାନ ପାଇଛି । ହା ହା ହା...

ହଁ ସେ ବରଦାନ ପାଇଛି । ମଣିଷର ମିଥ୍ୟା ଆଶୀର୍ବାଦର । ଏ ଧାତୁଟି ପ୍ରତି ମଣିଷର ଅହେତୁକ ଭଲ ପାଇବା ହିଁ ତାକୁ ମୁଣ୍ଡରେ ମୁଣ୍ଡେଇ ରଖିଛି । କିଛି ବର୍ଗ ଏହାକୁ ହାତେଇ ନିଜକୁ ଧନୀ ବୋଲାନ୍ତି ତ କାହା ଭାଗ୍ୟରେ ଏହାକୁ ସ୍ପର୍ଶ କରିବାର ସୁଯୋଗ ମଧ୍ୟ ମିଳି ନଥାଏ । 

ଜମିଦାର ମାନେ ତ ଦାନ୍ତ ପ୍ରତିରୋପଣ ଏହି ଧାତୁରେ କରୁଥିଲେ । ନିଜର ପତିଆରା ଦେଖାଇବା ପାଇଁ । 

ଝିଅ ବାହା କରିବାକୁ ଥିଲା ଯେମିତି ଏ ଧାତୁ ବିନା ବାହାଘର ଅସମ୍ଭବ ହୋଇପଡେ । ପ୍ରତିଶୃତି ଅନୁସାରେ ଯଦି ଏହି ଧାତୁରୁ ଗଢ଼ା ଗହଣା ଝିଅ ଜ୍ୱାଇଁକୁ ନମିଳିଲା ...ତ କଥା ସରିଲା । ସବୁ ଝିଅଙ୍କ ବାପା ମାନେ ନିଜ ପେଟ କାଟି ନିଜ ଝିଅକୁ ଯୌତୁକ ଦେବାପାଇଁ ଏହି ଅମୂଲ୍ୟ ହଳଦିଆ ଧାତୁଟିକୁ କିଣନ୍ତି । ସରାଗରେ... ..ସେ ପୁଣି ଓଜନ ହୁଏ, ଓଜନ ମାପଦଣ୍ଡର ଅତି କ୍ଷୁଦ୍ର ମାପକ ଗ୍ରାମରେ । 


  ସେଦିନ ସେଇ କେଇ ଗ୍ରାମ ସୁନା ପାଇଁ ଶଶୀ ବାବୁଙ୍କ ସୁଶୀଳା ଝିଅ ସୋନାଲିର ବାହାଘର ଶେଷ ସମୟରେ ସମାପ୍ତ ହେବା ପୂର୍ବରୁ ଅଟକି ଗଲା । ସଦ୍ୟ ସମୁଦି ଆଖ୍ୟା ପାଇଥିବା ସର୍ବେଶ୍ୱର ବାବୁ ନିଜ ଭୋଗମାୟା ବଳରେ ଦୁଇପଟରୁ ଉତ୍ସବ ମୁଖର ଥିବା ପରିବାରର ଉତ୍ସାହକୁ ଯନ୍ତ୍ରବତ ସ୍ଥିର କରାଇ ଦେଇ ଭୋଗବାଦର ରହସ୍ୟ ଉନ୍ମୋଚନ କରିବାକୁ ଲାଗିଲେ । କିପରି ତାଙ୍କ ପୂର୍ବ ପୁରୁଷ ସୁନାରେ ଛାଉଣୀ ହେଇଥିଲେ । ତାଙ୍କ ଜେଜେ ମାଆ କେତେ ଭରି ସୁନା ନାଉଥିଲେ । ତାଙ୍କ ବଡ଼ ଝିଅ ସ୍ୱର୍ଣ୍ଣପ୍ରଭାକୁ ସେ କେତେ ସୁନା ଗହଣା ତା ବିବାହରେ ଯୌତୁକ ରୂପେ ଦେଇଥିଲେ । ତାଙ୍କ ସ୍ତ୍ରୀ ସୁନାୟନା କେତେ ଭରି ସୁନା ପିନ୍ଧି ତାଙ୍କ ଘରକୁ ଆସିଥିଲେ ଓ ତାଙ୍କୁ ତାଙ୍କ ଶଶୁର ଘର କେତେ ଗ୍ରାମର ସୁନା ଦେଇଥିଲେ । ଏମିତି ଅନେକ ଗର ଗର ହେଇ କହିଯାଉଥିଲେ....

ଲାଗୁଥିଲା ସେ ଯେମିତି ଏକ ସ୍ଵର୍ଣ୍ଣ ମାୟାମୃଗ ପଛରେ ଧାଵମାନ । 


--ନାଇଁ ମାନେ ନାଇଁ 

---ଏ ବାହାଘର ହେଇ ପାରିବ ନାହିଁ । 

ମୋ ପୁଅ ସୁନୀଲ ପେଷାରେ ଜଣେ ଡାକ୍ତର । ଆପଣ କେମିତି ଏତେ ନିକୁଛିଆ ପରି ଏତେ ପତଳା ସୁନା ଚେନ୍ ତାକୁ ବେଦୀରେ ପିନ୍ଧାଇଲେ । କଲୋନୀରେ ଆମ ଇଜ୍ଜତ ମହତ ରହିବ ଟି ?

ଶଶୀ ବାବୁ, ଆପଣ ନିଜେ କହିଥିଲେ, ଝିଅର ହାତକୁ, କାନକୁ, ନାକକୁ, ମଥାମଣି, ଅଣ୍ଟା ବିଛା, ଆର୍ମଲେଟ ସବୁ ସୁନାରେ ଦେବେ ବୋଲି ତାହା ତ ଦେଲେନି । 

ଅଥଚ ମୋ ପୁଅର ସମ୍ମାନ ପାଇଁ ବ୍ରେସଲେଟଟିଏ ଦେଇ ପାରିଥାନ୍ତେ । 

ଛାଡ଼ ଛାଡ଼...

ତୁମ ଘରେ ବନ୍ଧୁ ବାନ୍ଧିବାକୁ ସ୍ଥିର କରି ଭୁଲ ନିଷ୍ପତ୍ତି ହେଇଗଲା । 

ଆପଣ ମୋ ନାକ କଟେଇ ଦେଲେ । ଏଇଟା ଠିକ୍ ହେଲାନି ଶଶୀ ବାବୁ । ଆଦୌ ଠିକ୍ ହେଲାନି । 

×× ×× ×× ×× ×××

×× ×× ××  ×××××

   ନିଜ ଚାକିରୀ କାଳର ନବେ ଭାଗ ସମୟ ବିନା ଦରମାରେ ଖଟିଥିବା ହାଇସ୍କୁଲ ଶିକ୍ଷକ ଶଶୀ ବାବୁ ବହୁତ କଷ୍ଟରେ ଟିଉସନ୍ କରି ଝିଅ ଦୁଇଟାକୁ ଉଚ୍ଚ ଶିକ୍ଷିତା କରିଛନ୍ତି । ସୋନାଲି ସୋସିଓଲୋଜିରେ ପି:ଜି କରିଛି । ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲା । ମୋନାଲି ମେଡ଼ିକାଲ ଏଣ୍ଟ୍ରାନ୍ସ ପାଇଁ କୋଚିଂ ନେଉଛି । ଦୁଇ ଝିଅ ମେଧାବୀ । 

ଶଶୀ ବାବୁ ସେମାନଙ୍କ ବାହାଘର ପାଇଁ ସୁନା ସଞ୍ଚୟ ନ କରି ସୁନେଲି ଭବିଷ୍ୟତ 

ଗଢିଛନ୍ତି । ଏବେ ବି ସେ ଟିଉସନ୍ କରନ୍ତି । ତାଙ୍କଠୁ ବିଜ୍ଞାନ ଟିଉସନ୍ ନେବା ପାଇଁ ଛାତ୍ର ଛାତ୍ରୀଙ୍କ ଲମ୍ବା ଭିଡ଼ । 

କିନ୍ତୁ ଆଜି ସେ ଶୂନ୍ୟତାର ବିଷମ ଭିଡ଼ରେ...

ଶଶୀ ବାବୁ ପଦାର୍ଥବିଜ୍ଞାନରେ ପି :ଜି ଛାତ୍ର । ତାଙ୍କ ପାଇଁ ଧାତୁ ଅଧାତୁ ଏ ସବୁ ପାଠ୍ୟ ବିଷୟ । ସେ କାହୁଁ ତାର ଫିଜିକାଲ୍ ଓ କେମିକାଲ ପ୍ରପର୍ଟି ବିଷୟରେ ଜ୍ଞାନ ନ ରଖି, ଲୋକଙ୍କର ସେ ଧାତୁଟି ଏତେ ପ୍ରିୟ ପ୍ରପର୍ଟି ହୋଇପାରେ ତାହା ଉପରେ ଜ୍ଞାନ ରଖିବେ !!!


  ତାଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିବାକୁ ବସିଥାଏ । ଲୋକହସା ହେବା ଉପରେ । ଝିଅ ସୋନାଲି ଆଡେ ଚାହିଁଲେ । ସୋନାଲି କେଉଁ ଛାଡିବା ଝିଅ !! ବାପାଙ୍କ ଆଦର୍ଶରେ ସେ ଅନୁପ୍ରାଣିତା । ତାକୁ ବି ସେ ଧାତୁଟି ପ୍ରତି ଏତେ ମୋହ ମାୟା ନଥାଏ । ଲକ୍ଷ୍ୟ ଥିଲା ତାର ଆଇ:ଏ.ଏସ୍ :ଅଫିସର ହେବ । ସୁନୀଲ ମଧ୍ୟ କହିଥିଲା । ତୁମେ ତୁମ ସ୍ୱର୍ଣ୍ଣିମ ଲକ୍ଷ୍ୟ ହାସଲ କରିବ । 


ଅଥଚ...ସର୍ବେଶ୍ୱର ବାବୁଙ୍କ ସୁନା ମୋହ ହିଁ ତାଙ୍କୁ ଗୋଟିଏ ସୁନା ବୋହୁ ପାଇବା ସୁଯୋଗରୁ ବଞ୍ଚିତ କଲା । 

ସମସ୍ତେ ହତବାକ୍... ସୋନାଲି ବେଦୀ ଛାଡି ଉଠିଗଲା । ସୁନୀଲ ବାପାଙ୍କ ଇଚ୍ଛା ବିରୁଦ୍ଧରେ ଗଲା ନାହିଁ । ଶିଶୁପାଳ ହେଇ ଫେରିଗଲା । 


  କିଛି ଭାଙ୍ଗିଲା... କିଛି ଯୋଡ଼ିହେଲା । କିଛି ଇତିହାସ ପାଲଟିଲା । ସୋନାଲି ତା ଲକ୍ଷ୍ୟ ନିଶ୍ଚୟ ହାସଲ କରିବ, ଏଥିରେ ତିଳେ ହିଁ ସନ୍ଦେହ ନାହିଁ । ଶଶୀ ବାବୁ ଭାଙ୍ଗି ତ ପଡିଲେ ମାତ୍ର ନଇଁଲେ ନାହିଁ । ଅବଶ୍ୟ ସୋନାଲିର ମାଆ ଶଶୀବାବୁଙ୍କୁ କହିଲେ ...ତୁମେ ଠିକ କଲ ନାହିଁ । ମୋଟା ସୁନା ଚେନଟିଏ ଦେଇଥିଲେ ବାହାଘରଟା ଭାଙ୍ଗି ନଥାନ୍ତା । ସମସ୍ତେ ଟାହି ଟାପରା କରୁଛନ୍ତି ସାହିରେ । 

ଶଶୀ ବାବୁ ବୁଝାଇଲେ...

ଦେଖ... ଯେଉଁଠି ସମ୍ପର୍କ ସାମାନ୍ୟ ଧାତୁଟିଏ ସ୍ଥିର କରୁଛି, ସେ ସମ୍ପର୍କର ସ୍ଥାୟୀତ୍ୱ କେତେ ଦିନ ଯାଏଁ ରହିବ 


ସତରେ ...

ଏ ଭୋଗବାଦୀ ଦୁନିଆରେ ଆମେ ନିଜେ ହିଁ ନିଜ ଗୋଡ଼ରେ କୁରାଢ଼ୀ ମାରିଛେ । ସୁନାର ଆଦର ସତ୍କାର କରି ଆମେ ତାକୁ ମୁଣ୍ଡରେ ବସେଇଛନ୍ତି । ସେ ମଣିଷମାନଙ୍କ ମଧ୍ୟରେ ସମ୍ପର୍କ ଗଠନରେ ମାଧ୍ୟମ ହେବ ନାହିଁ ତ ଆଉ କିଏ ହେବ । 


ମୋ "ସୁନାଟା" ମୋ ସୁନା ଝିଅଟା, ମୋ ସୁନା ପୁଅଟା !!!! ଆଦି ଉପମା ଅଳଙ୍କାର ଦେଇ ଦେଇ ...ଆମେ ପରା ତାର ବ୍ରାଣ୍ଡିଙ୍ଗ କରିଛେ । ସବୁ ଉତ୍ସବରେ ଆମେ ସୁନା ଉପହାର ଦେଇ ତାକୁ ଚିର ପରିଚିତ କରିଛେ । ଦେବା ଦେବୀ ସଭିଙ୍କୁ ସୁନାର ଅଳଙ୍କାରରେ ସଜେଇ ଆମେ ହିଁ ନିଜ ପାଇଁ ଏକ ବାଧା ସୃଷ୍ଟି କରିଛନ୍ତି । ସେ ହଳଦିଆ ରଙ୍ଗର ଧାତୁଟିକୁ ସୁନା କରିବା ପଛରେ ତ କେବଳ ଆମର ହିଁ ହାତ ଅଛି ....

ସୁନା ରେଟ୍ ବଢିଲେ ଆଜି ଝିଅ ବାପାର ହାର୍ଟ ବିଟ୍ ବଢୁଛି । ସେ ଚିନ୍ତା କରୁଛି ...କେମିତି ଝିଅ ବାହାଘର କରିବି !!!

ବନ୍ଧୁଗଣ ......ବିଚାର କରନ୍ତୁ । ଯାହା ଚାଲିଛି ତାହା ଠିକ୍ ନା ପରିବର୍ତ୍ତନର ଆବଶ୍ୟକତା ଅଛି । ଯଦି ଆପଣଙ୍କୁ ଲାଗୁଛି ଅଛି । ତାହେଲେ ଆସନ୍ତୁ ସୁନାର ବ୍ରାଣ୍ଡିଙ୍ଗ ବନ୍ଦ କରିବା । ସରକାର ଏମିତି କିଛି ଆଇନ ଆଣିବା ଦରକାର ଯେଉଁଥିରେ ବିବାହରେ ସୁନାର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହେଇଯିବ... ମତାମତ ଅପେକ୍ଷାରେ । 




Rate this content
Log in

Similar oriya story from Inspirational