Arabinda Rath

Inspirational

4.0  

Arabinda Rath

Inspirational

ସୁବର୍ଣ୍ଣ ସେତୁ

ସୁବର୍ଣ୍ଣ ସେତୁ

10 mins
8.1K


ଅଫିସ୍ ରୁ ଫେରି ଗାଧୁଆ ଘରକୁ ପଶିଲା ବେଳକୁ, ଚେମିଦେବୀ ଗେହ୍ଲେଇ ପଣିଆର ଶୀର୍ଷସ୍ଥାନରେ ପହଞ୍ଚି ଡାକିଲେ-- ହଇହୋ ଶୁଣୁଛ, ଗୋଡହାତ ଧୋଇ ଟିକେ ଜଲଦି ଆସ। ତୁମ ପାଇଁ ଗରମ ବରା ଓ ଘୁଘୁନି କରିଛି। ଥଣ୍ଡା ହୋଇଗଲେ ସ୍ବାଦ ପଳେଇବ।

ଶୁଖି ଯାଇଥିବା ଗଛରେ ପାଣି ଟୋପେ ପଡିଲେ ଯେମିତି ଗଛଟା କୁତୁକୁତିଆ ହୋଇଯାଏ, ସେଇ ଅବସ୍ଥା ଭଗିବାବୁଙ୍କର ହେଲା। କଣ ନ ଶୁଣିଲା ଆଜି ତାଙ୍କ କାନ ? ସେ ସ୍ବପ୍ନ ଦେଖୁଛନ୍ତି ନା ସତ ବୋଲି ହାତକୁ ଟିକେ ଚିମୁଟି ଦେଖିଲେ। ସକାଳୁ ଆଜି କାହା ମୁହଁ ଦେଖିଥିଲେ କେଜାଣି ଖାଲି ଶୁଭ ଚିଜ ଗୁଡା କୁଆପଥର ପରି ବରଷି ଯାଉଛି। ଅଫିସ୍ ରେ ବଡବାବୁ କାହିଁ କେତେ ଦିନୁ ବକେୟା ଥିବା ନଗଦ ପଚାଶ ହଜାର ଟଙ୍କା ବଢେଇ ଦେଇ କହିଲେ-- ଭଗିବାବୁ, ଏରିଅର ପଇସାଟା ଆପଣଙ୍କୁ ଆଗ ଦେଲି। ସେଥିପାଇଁ କମ୍ ଝାଳ ବୁହେଇବାବୁ ପଡିନି। ଯାହା ହେଲେ ଆପଣଙ୍କ ମୋର ଖାସ୍ ଲୋକ, ତେଣୁ ଆପଣଙ୍କ ପ୍ରାପ୍ଯଟା ଆଗ ତୁଟିଯାଉ। କଥାର ଭିତିରିଆ ଅର୍ଥଟା ଠଉରାଇ ଭଗିବାବୁ ଦୁଇହଜାର ଟଙ୍କା ବଡବାବୁ ପକେଟ୍ ରେ ଠେସି ଦେଲା ବେଳକୁ, ବଡବାବୁ ଲାଜେଇ କହିଲେ-- ଏସବୁ ଜିନିଷ କଣ ଭଲ? ମୁଁ ତ ମୋ କାମ କଲି, ସେଥିରେ ମୋତେ ଟଙ୍କା ଦେବାର କଣ ଅଛି। ଅବଶ୍ଯ ସେତିକି କହିସାରିଲା ବେଳକୁ କୋଡିଏଟି ଶହେ ଟଙ୍କିଆ ନୋଟ୍ ବଡବାବୁର ଦୁଇ ଆଙ୍ଗୁଠି ଭିତରେ ଗଣି ହୋଇ ପକେଟ ରେ ପଶି ସାରିଥିଲେ। ବାକି ଅଠଚାଳିଶି ହଜାର ଟଙ୍କା ଦିନସାରା ପକେଟ କୁ ତତେଇ ରଖିଥିଲା। ମନରେ କେତେ ଭାବନା ବାଛୁରି ଛୁଆ ପରି ଡିଆଁଚିରା ମାରୁଥିଲେ। ସେ ଟଙ୍କା କୁ କେମିତି ଖର୍ଚ୍ଚ କରିବେ ସେ ଭାବନାରେ ଅଫିସ ସମୟ ପାର ହୋଇଗଲା। ଘରେ ପହଞ୍ଚିଲା ବେଳକୁ ଅର୍ଦ୍ଧାଙ୍ଗିନୀଙ୍କର ସୁସ୍ବାଗତ, ତାଙ୍କ ମାନସପଟରେ ପଚିଶି ବର୍ଷତଳର ସୁମଧୁର ମୂହୁର୍ତ୍ତ ଗୁଡିକୁ ଟିଭିରେ ଦେଉଥିବା ବିଜ୍ଞାପନ ପରି ନଚେଇ ଦେଇଗଲା।

ସେ ସ୍ପଷ୍ଟ ଶୁଣି ପାରୁଥିଲେ ତେଲ କଡେଇରେ ବରା ମାନଙ୍କର ଚେଁ ଚାଁ ରାବ। ହାତ ଗୋଡ ଦରଧୁଆ କରି ଟେବୁଲ ପାଖରେ ପାଟି ମେଲା କରି ବସି ରହିଲେ। ଧୋବ ଫରଫର ଚିନାମାଟି ପ୍ଲେଟ୍ ରେ ସଜେଇ ହୋଇ ନାଲି ଟୁକୁଟୁକୁ ସାଧବ ବୋହୁ ପରି ବରା ଗୁଡିକ ପାଖକୁ ପାଖ ବସିଥିଲେ। ତାଙ୍କ ପାଖରେ ବିଲାତି ବାଇଗଣ ଓ ଲଙ୍କାର କାଦୁଆ ରସ କେଇ ଟୋପା, ମାର୍କଣ୍ଡି ମୁହଁରେ ଚନ୍ଦନ ଟିପା ପରି ଦୃଶ୍ଯ ହେଉଥିଲେ। ନୀଳ ରଙ୍ଗର ଗିନା ଉପରେ ଅଧ ଇଞ୍ଚ ସରିକି ଚାମଚର ଲାଞ୍ଜ ଅଂଶଟି ଦିଶୁଥିଲା । ବହଳିଆ ଘୁଘୁନି ଭିତରେ ମୁହଁ ମାଡି ବିଚରା ଅଣନିଶ୍ବାସି ହୋଇ ସାରିଥିଲା ସେତେ ବେଳକୁ। ଭଗିବାବୁ ଆଉ ଲୋଭ ସମ୍ଭାଳି ନ ପାରି ଏକା ବେଳକେ ଦୁଇଟା ବରା ରାଡୁମାଡୁ କରି ଚୋବେଇ ଦେଇ, ସୁଡୁକେ ଘୁଘୁନି ହାପୁଡି ଦେଲେ। ଓଃ କି ଶାନ୍ତି। ସବୁଦିନ ଅଫିସ୍ ରୁ ଫେରିଲା ବେଳକୁ ଚେମି ଦେବୀଙ୍କର କାଳିଶିଲଗା ରୂପ ସହ ଅଭ୍ଯସ୍ତ ଭଗିବାବୁଙ୍କୁ ଆଜି ନୂଆ ବାହା ହେଲା ପରି ଲାଗୁଥିଲା। ଅଧିକାଂଶ ଦିନ ସେ ନିଜେ ଚାହା ତିଆରି କରି ମୁଢି ବେଲେ ଧରି ପାକୁଳି କରନ୍ତି। ନ ହେଲେ ଫେରିଲା ବେଳକୁ କଣ ଟିକେ ପାଟିରେ ପକେଇ ଦେଇ ଘରକୁ ଆସନ୍ତି। ସୂର୍ଯ୍ଯ କେଉଁ ଦିଗରୁ ଉଦୟ ହେଲେ ଭାବି ବରା ଚୋବେଇଲା ବେଳକୁ ଚେମି ପଚାରିଲେ-- ଆଜି ଅଫିସ୍ ରେ କଣ ସବୁ ହେଲା।

ଏ ପ୍ରଶ୍ନ ସହ ଅଭ୍ୟସ୍ତ ନ ଥିଲେ ଭଗିବାବୁ। ଗୁରୁତ୍ବ ନ ଦେଇ କହିଲେ – ଯେମିତି ସବୁ ଦିନ ଯାଏ।

କିନ୍ତୁ ଉତ୍ତରଟି ବୋଧେ ଚେମିଦେବୀଙ୍କୁ ପସନ୍ଦ ଆସିଲାନି। ସେ ପ୍ରାକ୍ କାଳିଶି ରୂପ ଧାରଣ କରି ପଚାରିଲେ-- ସେ ବାକ୍ ଚାତୁରୀ ଛାଡ ମ! ଯାହା ପଚାରୁଛି କହୁନ କଣ ପାଇଁ? ଆଜି ବେହେରା ବାବୁଙ୍କ ସ୍ତ୍ରୀ ଫୋନ୍ କରିଥିଲେ। ବେହେରା ବାବୁ ତାଙ୍କ ସ୍ତ୍ରୀ କୁ ତୁମ ଅଫିସ୍ ବିଷୟରେ ଭଲ ଖବରଟେ ଦେଲେ। କିନ୍ତୁ ତୁମେ ଏମିତି ଅଜାଣୁ ଭାତ ଖାଉଛ କଣ ପାଇଁ ?ବେହେରା ବାବୁ ସ୍ତ୍ରୀ ନାମ ଶୁଣିଲା କ୍ଷଣି ବରା ଗୁଡା ଅଲଣା ଲାଗିବା ଆରମ୍ଭ ହେଲା। ବହଳିଆ ଘୁଘୁନିଟା ଏକଦମ୍ ପାଣିଚିଆ ହୋଇଗଲା। ଦାନ୍ତ ମଝିରେ ବରା ପେଷଣ କାର୍ଯ୍ୟଟା ବି ଅଧାରେ ରହିଗଲା। ଛେପ ଢୋକି ପଚାରିଲେ କଣ କହୁଥିଲେ?

– ସେଇ କଥା ଯାହା ତୁମେ ମୋତେ ଏତେ ବେଳ ଯାଏ ଲୁଚେଇ ରଖିଛ। ଏତେ ଦିନ ହେଲା ବାହାଘର ହେଲାଣି କେତେ ହନ୍ତସନ୍ତ କରି ମାରୁଛ ମୋତେ। ମୋତେ ମରଣ ହେଉନି ଯାହା। କେତେ ଆଦରରେ ବରା ଘୁଘୁନି କଲି, ଘୁଷୁରି ପରି ଚରି ଯାଉଛ, ମୋତେ ଥରେ ପଚାରିଛ କି ମୁଁ ଖାଇଲିଣି କି ନାହିଁ। ଏଡିକି ସ୍ବାର୍ଥପର, ବେହିଆ ତୁମେ। ଭଗିବାବୁଙ୍କର ସୁନେଲି ଯାତ୍ରାର ଅନ୍ତ ଘଟିଲା ସେହିକ୍ଷଣି। ଚେମି ଦେବୀ ସମ୍ପୂର୍ଣ୍ଣ କାଳିଶି ରୂପରେ ଅବତୀର୍ଣ୍ଣ ହେବା ଆଗରୁ ଭଗିବାବୁ ହାତ ଧୋଇ ଚଉକିରେ ଦୋଷ କରିଥିବା ପିଲା ପରି ବସି ରହିଲେ। ଯାହା ହେଉ ବୁଦ୍ଧି ପ୍ରୟୋଗ କରି ନାଲି ଟୁକଟୁକୁ ବରା କେତେଟିକୁ ପେଟ ଭିତରୁ ଠେଲି ସାରିଥିଲେ, ନୋହିଲେ ଅବଶୋଷ ରହିଯାଇଥାନ୍ତା।

ବେହେରାବାବୁ ହେଲେ ଭଗିବାବୁଙ୍କର ସହକର୍ମୀ। କିନ୍ତୁ ତାଙ୍କ ନାରଦିଆ ପ୍ରକୃତି ପାଇଁ ଅଫିସ୍ ରେ ଢେର ଶତୃ ଅର୍ଜନ କରିସାରିଥିଲେ। ଭଗିବାବୁ ଓ ଚେମିଦେବୀଙ୍କର ଭିତରେ ଯେତିକି ଯୁଦ୍ଧ ହୋଇଛି ତାହାର ଆୟୋଜନ, ସଂଚାଳନା ଓ ନିର୍ଦ୍ଦେଶନା ବେହେରା ବାବୁର ସ୍ତ୍ରୀ କରୁଥିଲେ ବିଗତ କେତେ ବର୍ଷ ଧରି। ସାନ କଥାଟିକୁ ମାଜିମୁଜି ମୋଟା କରି ସେଥିରେ ବାରୁଦ ଭର୍ତ୍ତି କରି, ଚେମିଙ୍କ ହାତରେ ଧରେଇ ଦିଆସିଲି ମାରିବା କାମ ତାଙ୍କର। ସେତିକି ରେ ଶାନ୍ତି ମିଳେନି ବୋଲି ଘଟଣା ଘଟିବାର ପରଦିନ ସବିଶେଷ ବିବରଣୀ ନେବା ପାଇଁ ମଧ୍ଯ ଆସନ୍ତି। ଚେମିଙ୍କ ନଜରରେ ବେହେରା ବାବୁର ସ୍ତ୍ରୀ ହିଁ ଆଦର୍ଶ ମହିଳା। ତାଙ୍କୁ ନାରୀଶକ୍ତିର ଟ୍ରାନସଫରମର କହିଲେ ଅତ୍ଯୁକ୍ତି ହେବ ନାହିଁ। ବର୍ଷସାରା ସେ ଚେମି ଦେବୀଙ୍କୁ କହୁଥାନ୍ତି-- ଆଜି ବେହେରା ବାବୁ ମୋ ପାଇଁ ଅମୁକ ଚେନ୍ ଆଣିଲେ, ସମୁକ କାନଫୁଲ ଆଣିଲେ। ଭଗିବାବୁ ଆଣିନାହାଁନ୍ତି?? କେତେ ନିର୍ଦ୍ଦୟ ଲୋକ ସେ! ଆପଣ ବି କେତେ ସହୁଛନ୍ତି, ମୁଁ ଥିଲେ ଏତେ ବେଳକୁ ଭଗିବାବୁ ଙ୍କୁ ଭଗେଇ ସାରନ୍ତିଣି। ଆମେ ନାରୀ ମାନେ ଅବଳା, ଦୁର୍ବଳା ବୋଲି ସିନା ଏମିତି ଅତ୍ଯାଚାର ସହୁଛେ। ପୁରୁଷ ମାନେ ନିଜ ଇଚ୍ଛାରେ ଖର୍ଚ୍ଚ କରିବେ,ଫାଲତୁ ଜିନିଷ କିଣିବେ। ଆମର କଣ ସେ ଅଧିକାର ନାହିଁ ? ଭଗିବାବୁ ଆପଣଙ୍କୁ ଯାହା ଦେଉଛନ୍ତି ସେ ଜିନିଷ ଦେଖିଲେ ପାଣୁ ମେହେନ୍ତରର ମାଇପ ବି ନାକରେ କାଠି ଗେଞ୍ଜି ହସିବ। ମୋ କାନ, ବେକ, ହାତ, ଗୋଡ ଯୁଆଡେ ଦେଖିବେ ଖାଲି ସୁନା ଗହଣା ଭର୍ତ୍ତି। ମୁଁ ବେହେରା ବାବୁଙ୍କୁ କହିଛି, ମାସକୁ ଯଦି ଗୋଟେ ସୁନା ଜିନିଷ ନ ଦିଅ, ମୁଁ ଚାଲିଲି ମୋ ବାପ ଘରକୁ। କାହିଁକି ଦେବେନି ଯେ ? ସେମାନେ କହିବେ ଆମେ ହେଲୁ ସୁନାନାକି ବୋହୁ। ଯଦି ଆମେ ସୁନାନାକି ହୋଇ ପାରିବା ତେବେ ସୁନାବେକିଆ,ସୁନାହାତିଆ, ସୁନାଗୋଡିଆ, ସୁନାକାନିଆ,ସୁନାଅଣ୍ଟିଆ, ସୁନାବଳାଗଣ୍ଠିଆ ହେଲା ବେଳକୁ ଏତେ ଆପତ୍ତି କଣ ପାଇଁ ? ନେବା ଆମର ଜନ୍ମ ସିଦ୍ଧ ଅଧିକାର ଓ ଦେବାକୁ ସେମାନେ ବାଧ୍ଯ। ନ ଦେଇ ଯିବେ କୁଆଡେ, ବୋପାକୁ ମଉସା ଡାକି ଦେବେ।

ସେତିକି ଶୁଣିଲା ପରେ ଚେମି ଦେବୀଙ୍କ ନିଶ୍ବାସ ପ୍ରଶ୍ବାସର ଗତି ବଢି ରେଳ ଇଞ୍ଜିନ୍ ପରି ସଂ ସଂ ହେବାକୁ ଆରମ୍ଭ କରେ। ଦେହ ଭିତରେ ଶତସିଂହିର ବଳ ମାଡିଆସେ। ଆଇନା ଆଗରେ ନିଜକୁ ଥରେ ପରଖି ଦେଖନ୍ତି। ତାଙ୍କୁ ବି ବିଶ୍ବାସ ହୁଏ ଯେ , ବେହେରା ବାବୁ ସ୍ତ୍ରୀ ଯାହା କହିଲେ ଅକ୍ଷରେ ଅକ୍ଷରେ ସତ୍ଯ। ସୁନା ନାହିଁ ତ ଜୀବନ ନାହିଁ। ବଞ୍ଚିବା ପାଇଁ ଜଳର ଆବଶ୍ଯକତା ଯେମିତି ଅଛି, ସୁନାର ମଧ୍ଯ ସେତିକି ଅଛି। ଖାଦ୍ଯ,ବସ୍ତ୍ର ଓ ବାସଗୃହ ପରି, ସୁନା ମଧ୍ଯ ଏକ ମୌଳିକ ଆବଶ୍ଯକତା। ଏ କଥା ପୁରୁଷ ସମାଜ କୁ ମାନିବାକୁ ହେବ। ନାରୀ ପାଇଁ ମୁଣ୍ଡରେ ଓଢଣା ଯେତିକି ଲୋଡା, ଦେହରେ ଗହଣା ତାଠାରୁ ଅଧିକା ଲୋଡା। ଆଖି ଆଗରେ ନାଚିଯାଏ ବେହେରାଣୀଙ୍କ ସୁନା ଗହଣାର ସମ୍ଭାର। କାନରେ ଫୁଲ, ନାକରେ ଫୁଲ,ଆଙ୍ଗୁଠିରେ ମୁଦି, ହାତରେ ସୁନା କଙ୍କଣ, ବେକରେ ହାର, ଅଣ୍ଟାରେ ହାର, ଗୋଡ ବଳାଗଣ୍ଠିରେ ଗହଣା। ସେଇ ଗହଣା ପାଇଁ ତ ବେହେରାଣୀଟି ମଣିଷ ପରି ଦିଶେ। ନୋହିଲେ ତା'ର ସିମ୍ପାଞ୍ଜି ରୂପ ଦେଖିଲେ ଦେଖଣାହାରି ଭୂଇଁ କାମୁଡି ପଡିଯିବ। କେବେକେବେ ମନରେ ଭୀଷଣ ବିଦ୍ରୋହ ଉଠେ। ଆମ ଦାବୀ ମାନିନିଅ କହି ତାଙ୍କର ଦୁଇ ହାତ ନାରା ଦେବା ପାଇଁ ଉପରକୁ ଉଠିଯାଏ। ମନକୁ ମନ କୁହନ୍ତି ଭଗିବାବୁ ମୁର୍ଦ୍ଦାବାଦ୍ , ମୋର ଦାବି ପୂରଣ କର... ଇତ୍ଯାଦି। ବେହେରା ବାବୁ ସ୍ତ୍ରୀ ଆସିବା ପରଦିନ ଭଗିବାବୁଙ୍କ ଚନ୍ଦା ମୁଣ୍ଡରେ ତିନି ଚାରିଟି ଆବୁ ଜନ୍ମ ନେଇଥାନ୍ତି। ମୁହଁରେ ଆମ୍ପୁଡା ଦାଗ ବି ସୁସ୍ପଷ୍ଟ ଦିଶେ। କେବେ କେବେ କଂଗ୍ରେସ୍ ପାର୍ଟିର ଚିହ୍ନ ମଧ୍ଯ ଦୃ ଶ୍ଯ ହୁଏ।

ଭାବନାର ସୁଅରେ ଭାସି ଗଲା ବେଳକୁ ଚେମି ଦେବୀଙ୍କର ଗଗନପବନ ପ୍ରକମ୍ପିତ କଲା ପରି କିଳିକିଳା ରାବରେ ସେ ପ୍ରକୃତିସ୍ଥ ହେଲେ।

– ସେ ଏରିଅର ଟଙ୍କା ଆଗ କାଢ। ମୋତେ ଲୁଚେଇବାକୁ ସାହାସ କଲ କେମିତି? ଆଜି ବଜାର ଯାଇ ସେ ସୁନା ହାରଟା ଆଣିବି। କେତେ ବର୍ଷ ହେଲାଣି ମୋତେ ଭୂଆଁ ବୁଲଉଛ ପଇସା ନାହିଁ କହି। ଆଜି ସେସବୁ ଚଳିବ ନାହିଁ। କଣ ଶୁଭୁଛି କି ନାହିଁ?

--ଏଇ ଗଲା ମାସରେ ପରା ନାକ ଫୁଲ ହଳେ ଆଣିଥିଲି?

ଚେମି ଦେବୀ ଚିତ୍କାର କରି ଉଠିଲେ-- ଲୋଭି ରାକ୍ଷାସ କଣ କହିଲ? ତାକୁ ମୋ ନିଜ ପଇସାରେ କିଣି ଥିଲି। ମୋ ସଞ୍ଚିଲା ଟଙ୍କାରୁ ତିନି ହଜାର ଦେଇଛି, ବାକି ଟଙ୍କା ତୁମେ ଦେଲ ବୋଲି ଫୁଟାଣି କଣ ମାରୁଛ ?

– ସେଇ ବାକି ଟଙ୍କା ଟା ସତର ହଜାର ଯେ? ଏତିକି କହି ଜିଭ ଟା କାମୁଡି ଦେଲେ ଭଗି।

କିନ୍ତୁ ସେତେ ବେଳକୁ ଚିନାମାଟି ପ୍ଲେଟ୍ ଓ ଗିନା ତଳେ ଭାଙ୍ଗି ପଡି ସାରିଥିଲା। ଗୁମୁରି ଗୁମୁରି ସକେଇ ହେଉଥିବା ଚେମିଙ୍କର କାନ୍ଦର ତୀବ୍ରତା ମହାବାତ୍ଯାର ରୂପ ନେଇସାରିଥିଲା। ଭଗିବାବୁଙ୍କର ଚଉଦ ପୁରୁଷଙ୍କୁ ଓଝାଳି ସାରିବା ପରେ, ତାଙ୍କର ଏକପିତା ଠାରୁ ଜନ୍ମ ହେବାର ସତ୍ଯତା ଉପରେ ବିରାଟ ପ୍ରଶ୍ନ ଚିହ୍ନ ସ୍ପଷ୍ଟ ଆଙ୍କି ସାରିଥିଲେ ଚେମିଦେବୀ। ଶୋଇବା ଘରେ କିଛି ଜିନିଷ ତଳେ କଚାଡି ହୋଇ ପଡିବାର ଶବ୍ଦ ଶୁଣି ପାରିଲେ ବି ସେ ଆଡକୁ ଯିବାର ସାହାସ ନଥିଲା। ରାତିରେ ରୋଷେଇଘରେ ଅଗ୍ନୀଦେବଙ୍କର ଆବାହନ ମଧ୍ଯ ହେଲାନି। ତେଣୁ ମୁଢି ପାକୁଳି କରି ପେଟେ ପାଣି ପିଇ ବାରଣ୍ଡାରେ ଜାକିଜୁକି ହୋଇ ଭଗିବାବୁ ପଡିରହିଲେ। ମନରେ ଆଶା ଥିଲା ସକାଳକୁ ପରିସ୍ଥିତିରେ କିଛି ଟା ପରିବର୍ତ୍ତନ ଆସି ଯାଇଥିବ। କିନ୍ତୁ ସେ ଆଶା ପାଣିଫୋଟକା ପରି ମିଳାଇ ଗଲା ଯେତେ ବେଳେ ଚେମିଦେବୀ ବିରାଟ ବ୍ଯାଗ୍ ଧରି ବାପ ଘରକୁ ଯିବାକୁ ବାହାରିଲେ। ଭଗିବାବୁ ଭଲରେ ଜାଣି ସାରିଥିଲେ, ଯଦି ଚେମି ବାପଘରକୁ ପ୍ରସ୍ଥାନ କରିବେ କଲୋନିରେ କାହାକୁ ମୁହଁ ଦେଖେଇବା କଷ୍ଟ ହୋଇଯିବ। ସହରରେ ପଢୁଥିବା ପୁଅଝିଅ କଣ ହେଲା ବୋଲି ବିକଳ ହୋଇ ଘରକୁ ଦଉଡିବେ। ଆଗକୁ ସେମାନଙ୍କର ପରୀକ୍ଷା। 

ତା ସାଙ୍ଗକୁ ବେହେରାର ସ୍ତ୍ରୀ ଦିନକୁ ଦଶଥର ପଚାରିବ-- ଭଗିବାବୁ, ଚେମି କୁଆଡେ ଯାଇଛନ୍ତି ନା କଣ? ତାଙ୍କ ସହ କଥା ହୋଇନି ଯେ ପେଟ ଟା ବାୟୁଦୋଷ ଆକ୍ରାନ୍ତ ହେଲାପରି ଲାଗୁଛି।

ଚେମି ବାପଘରକୁ ଗଲେ ସମସ୍ତଙ୍କର କ୍ଷତି ହେବା ଟା ଜଳଜଳ ହୋଇ ଦିଶିଯାଉଛି। ଟଙ୍କା ପଛେ ଗଲେ ଯାଉ ମାନଇଜ୍ଜତ ବଞ୍ଚିଯାଉ। ଟଙ୍କା ଆଜି ନାହିଁ କାଲି କି ଆସିବ, ଇଜ୍ଜତ ଥରେ ଗଲେ ଆସିବା ମହା କଷ୍ଟ।

ବୁଲାକୁକୁର ବିସ୍କୁଟ୍ ଖାଇବାକୁ ବିକଳ ହୋଇ ଗୋଡ ପାଖରେ ଲେସେଇ ହେଲା ପରି, ଭଗିବାବୁ ଚେମିଙ୍କ ପାାଖକୁ ଲାଗି କହିଲେ-- ଆରେ ଏତେ ରାଗ କଣ ଯେ? ମୁଁ ତ କାଲି ଘରକୁ ଆସିଲା ପରେ ମୋ ମୁହଁରେ ସୁଆଦିଆ ବରା ମାଡିଦେଲ। ତାକୁ ଖାଇ ମୁଁ ଏମିତି ବିଭୋର ହେଲି ଯେ ସବୁ ଭୁଲି ଗଲି। ତୁମ ହାତ ତିଆରି ଚିଜ ସାମନା ରେ ପଇସା ର କି ମୂଲ। ହଉ ହେଲା, ମୋର ଦୋଷ ମାନୁଛି। ମୋର ଭୁଲ୍ ହୋଇଛି, ମୋତେ କ୍ଷମା କରିଦିଅ। କିନ୍ତୁ ସେତେବେଳ ଯାଏ ଚେମି ଦେବୀ ମୂର୍ତ୍ତି ପରି ଛିଡା ହୋଇଥାନ୍ତି। ମୁହଁରେ ଭାବଭଙ୍ଗୀ ପରିବର୍ତ୍ତନ ହେବାର ଚିହ୍ନବର୍ଣ୍ଣ ନାହିଁ। ଭଗି ବାବୁଙ୍କୁ ହେଜ ହେଲା ଯେ ଅସଲ ଭୋଗ ଟା ନ ଦେଲେ କଣ ଦେବୀ ପ୍ରସନ୍ନ ହେବେ? ପକେଟରୁ ଟଙ୍କା ବଣ୍ଡିଲ୍ ଟା ତାଙ୍କ ହାତକୁ ସମର୍ପି ଦେଲା ପରେ, ଚେମି ଦେବୀଙ୍କର ଓଉଫଡା ପରି ଓଠଧାରରୁ ହସ ଧାରେ କୁନି ପିଲାର ପରିଶ୍ରା ପରି ବୋହି ଆସିଲା। ଭୋଗରାଗ ଠିକ୍ କାମ ଦେଉଛି ଜାଣିଲା ପରେ ଭଗିବାବୁ ଚେମିଙ୍କ କର୍କଶିଆ ହସ୍ତ ଯୁଗଳଧରି ଅନୁରୋଧ କରି କହିଲେ- ଆଜି ପଛେ ଅଫିସ୍ ଡେରିରେ ଯିବି, ତୁମ ହାର କିଣା କାମ ଟା ଆଗ ସାରିବି।

ସେ ବାକ୍ଯରେ କି କୁହୁକ ଥିଲା କେଜାଣି, ଚେମିଦେବୀ ଙ୍କର ସର୍ବାଙ୍ଗ ଆନନ୍ଦରେ ଝୁମି ଉଠିଲା। ନାଗ ସାପ ପରି ଆଖି ଯୋଡିକରେ କୋହିନୂର ହୀରାର ଚମକ ଖେଳିଗଲା। ଓଠ ଗୁଡିକ ଏପରି ମେଲେଇ ଗଲେ ଯେ ଦେଖିବା ଲୋକ ଭାବିବ, ଆଉ ଟିକେ ପରେ ବୋଧେ କାନକୁ ଛୁଇଁଯିବେ। ଖୁସି ରେ ପାଟି ମେଲା ହୋଇଯିବାରୁ ତଣ୍ଟି ଭିତରର ଘଣ୍ଟିକା ଟି ମନ୍ଦିର ଘଣ୍ଟି ସଦୃଶ ବୋଧ ହେଲା। ଭଗିବାବୁ ଦେଖି ପାରୁଥିଲେ ଚେମିଙ୍କ ମୁହଁରେ ବୟସର ଛାପ। ହସିଲା ବେଳକୁ ଗାଲର ଚର୍ମ କୁଞ୍ଚିତ ହୋଇ ଗୋଧି ଚମଡାର ରୂପ ଧାରଣ କରୁଥିଲା ଧିରେଧିରେ। କହିବା ବାହୁଲ୍ଯ, ଭଗିବାବୁଙ୍କର ମନ ହେଇଥିଲା, ଗୋଟିଏ ତେଲ ଦିଆ ବେତ ବାଡିରେ ଚେମିଙ୍କୁ ନିର୍ଘାତ ଛେଚିବା ପାଇଁ। କିନ୍ତୁ କରିବେ କଣ? ସେ ପୁରୁଷ ଜାତିରେ ଜନ୍ମ ଗ୍ରହଣ କରିଛନ୍ତି। ପାଟି ଖୋଲିଲେ, ମାମୁଁ ଘରେ କିଛି ଦିନ ରହିବାକୁ ପଡିବ। ତା ସାଙ୍ଗକୁ ଚାକିରି ଓ ମାନସମ୍ମାନ ଯିବାଟା ସୁଧରେ ମିଳିବାର ଯଥେଷ୍ଟ ସମ୍ଭାବନା ଅଛି।

ଅଳ୍ପ ସମୟ ଭିତରେ ରୋଷେଇ ଘରେ ଅଗ୍ନୀ ଦେବତାଙ୍କ ଲେଲିହାନ ଶିଖାରେ ଭାତ,ଡାଲି, ତରକାରୀ ଓ ଭଜା ପ୍ରସ୍ତୁତ ହୋଇଗଲା। ପାଟିକୁ ରୁଚୁଛି କି ନାହିଁ ସେ ଭାବନା ପରିତ୍ଯାଗ କରି ଭଗିବାବୁ ଗୁଣ୍ଡାଗୁଣ୍ଡା କରି ସବୁ ଉଦରସ୍ଥ କରିବାରେ ଲାଗିଗଲେ। ତେଣେ ଚେମି ଦେଇ ବେଶଭୂଷା ବାକ୍ସ ଖୋଲି ମୁହଁଟିରେ ସ୍ନୋ, ପାଉଡର, ଓଠ ରଙ୍ଗ, କଜ୍ବଳ ବୋଳି ପକେଇଲେ। ନାଲି ରଙ୍ଗର ଶାଢୀଟେ ପିନ୍ଧି, ଦେହରେ ଅତର ଛିଞ୍ଚି କାନ୍ଧରେ ଝୁଲାବ୍ଯାଗ୍ ଟିଏ ଧରି ବାହାରିଲେ। ଅଳ୍ପ ସମୟ ଭିତରେ ଦୁଇ ପ୍ରାଣୀ ସ୍କୁଟରରେ ବସି ଗହଣା ଦୋକାନ ଅଭିମୁଖେ ବାହାରିଲେ। ସୁନା ଚେନ୍ ଖୋଜିଖୋଜି ଦଶ ବାରଟା ଦୋକାନ ବୁଲିବା ପରେ ଗୋଟିଏ ଯାଗାରେ ସେମାନେ ସ୍ଥିର ହେଲେ। ସେଇ ଦୋକାନରୁ ଜିନିଷ କିଣନ୍ତି ବୋଲି ବେହେରାଣି ଦିନକୁ ଦଶଥର ଚେମିଦେବିଙ୍କ ଆଗରେ ବଖାଣନ୍ତି। ଦୋକାନୀ ଟି ଚେମି ଦେବୀଙ୍କର ରୂପର ଭୂୟସୀ ପ୍ରଶଂସା କରି ବେକରେ ସତଚାଳିଶି ହଜାର ଟଙ୍କାର ସୁନା ଚେନ୍ ଟିଏ ଝୁଲେଇବାରେ ସଫଳ ହୋଇ ଶାନ୍ତିରେ ନିଶ୍ବାସ ମାରିଲା। ସେତେ ବେଳକୁ ଭଗିବାବୁଙ୍କର ଲଣ୍ଡାମୁଣ୍ଡରୁ ଝାଳ ନିଗିଡି ଦୁଇଟା ରୁମାଲ ଓଦା ହୋଇ ସାରିଥିଲା। ସେହି ଟଙ୍କା କୁ କେତେ ଉପାୟରେ ଖର୍ଚ୍ଚ କରିବାର ଆଶାର ଜୁଇ ହୁତୁହୁତୁ ହୋଇ ଜଳୁଥିବାର ଦେଖିଲେ ବି ନିରୁପାୟ ହୋଇ ଦେଖିବା ଛଡା ଅନ୍ଯଗତି ନ ଥିଲା। ମନରେ ଭାବୁଥିଲେ କଳିଯୁଗ ବିଷୟରେ। ପିଲା ଦିନେ ଶୁଣିଥିଲେେ କଳିକାଳର ପ୍ରବେଶ ଏହି ସୁନା ମାଧ୍ଯମରେ ହୋଇଥିଲା। ଏବେ ସେ କାହାଣୀର ଯଥାର୍ଥତା ହୃଦୟଙ୍ଗମ କରୁଥିଲେ। ଚାଲାକ ଗହଣା ଦୋକାନୀ ଟି ଟଙ୍କା ଗଣିସାରି ଭଗିବାବୁ ଙ୍କୁ ଥଣ୍ଡାପାନୀୟରେ ଆପ୍ଯାୟିତ କଲା। ମନେମନେ ଭାବିଲେ ଯାହା ହେଉ ଏ ଥଣ୍ଡା ପଇସାଟା ତ ବଞ୍ଚିଗଲା। ଦୋକାନରୁ ବାହାରିଲା ବେଳକୁ ଚେମି ଦେବୀଙ୍କର ଦୋକାନୀ ସହ କଥାବାର୍ତ୍ତାର କିଛି ଅଂଶ କାନରେ ପଡିଲା। ଟିକେ ଭଲରେ କାନେଇବାରୁ ଶୁଣିଲେ ଚେମିଦେବୀ ଦୋକାନୀକୁ ପଚାରୁଛନ୍ତି ଯେ ବେହେରା ବାବୁ ଓ ତାଙ୍କ ସ୍ତ୍ରୀ ଗହଣା କିଣିବାକୁ ଆସନ୍ତି କି ନାହିଁ। ପ୍ରତ୍ଯୁତ୍ତର ରେ ଦୋକାନୀ କହିଲା--- ଆଜ୍ଞା କାହିଁକି ସେ ଅଲକ୍ଷଣା ଛିଣ୍ଡାଳିଆ ଲୋକ ଗୁଡାକର କଥା କହୁଛନ୍ତି। ସେମାନେ ମୋ ଦୋକାନ କୁ ଆସନ୍ତି ସତ, କିନ୍ତୁ ଆଜି ଯାଏ ଗୋଟିଏ ଗ୍ରାମର ସୁନା ଗହଣା କିଣି ନାହାଁନ୍ତି। ଚେମିଦେବୀଙ୍କର ପ୍ରଶ୍ନିଳ ଆଖି ଦେଖି ପୁଣି କହିଲା-- ସେ ବେହେରାଣୀ ଦେହ ଯାକରେ ଯେତିକି ଗହଣା ଅଛି , ସବୁ ମିଶେଇଲେ ହଜାର ଟଙ୍କା ବି ହେବନି। ସବୁ ଯାକ ନକଲି ଗହଣା। ସେ ମୋ ଦୋକାନ ରୁ ଗହଣାର ଡିଜାଇନ ଦେଖେ ଓ ଗୋଟେ ଟୁଣୁଟୁଣିଆ ବଣିଆ ପାଖରେ ନକଲି ଗହଣା ତିଆରି କରେ। କିନ୍ତୁ ସବୁ ଯାଗାରେ କହେ ମୋ ଦୋକାନ ରୁ କିଣିଛି ବୋଲି। ତାକୁ ସବୁ ଲୋକଙ୍କ ଆଗରେ କେତେ ଥର ବେଜ୍ଜିତ୍ କଲା ପରେ ବି ତା ଗୁଣରେ କିଛି ପରିବର୍ତ୍ତନ ଆସିନି। ପୁଣି ହସିହସି କହିଲା-- ମୁଁ ଜାଣିପାରୁଛି ଆଜ୍ଞା, ସେ ଆପଣଙ୍କୁ ବି ଦିନରେ ତାରା ଗଣେଇ ଦେଇଥିବ।

ଦୋକାନ ରୁ ବାହାରିଲା ବେଳକୁ ଚେମି ଦେବୀଙ୍କର ମୁହଁଟା ଖଟା ଆମ୍ବ ଖାଇଲା ପରି ଦିଶୁଥିଲା। ପୁରା ଚୁପ୍ ହୋଇ ଭଗିବାବୁଙ୍କୁ ଘରକୁ ଫେରିବାକୁ କହିଲେ। ଘରେ ଭଗିବାବୁଙ୍କୁ ଚାହା କପେ ଦେଇ କହିଲେ-- ମୋ ଦେହ ଟିକେ ଭଲ ଲାଗୁନି, ତୁମେ ଅଫିସ୍ ଯାଅ ମୁଁ ଟିକେ ଶୋଇବି।

ଅଫିସ୍ ରୁ ଘରକୁ ଫେରିଲା ବେଳେ ଚେମି ଦେବୀଙ୍କର କାଳୀଶି ରୂପର ତେଜ ବାହାର କବାଟ ଯାଏ ଦିଶୁଥିଲା। କାହାକୁ ଗୋଟେ ମନ ଇଚ୍ଛା ବକି ଚାଲିଥିଲେ। କବାଟ ପାଖରେ ଟିକେ କାନେଇ ବାରୁ ଭଗିବାବୁ ଜାଣିଲେ ଆଜି ପାଳି ପଡିଛି ବେହେରାଣୀର। ଅଳ୍ପ ସମୟ ପରେ ବେହେରାଣି ମୁହଁ ହାଣ୍ଡି କରି ଲସରପସର ହୋଇ ଦଉଡି ପଳେଇଲା। ଘରକୁ ପଶିଲା ମାତ୍ରେ ଚେମିଦେବୀ କଅଁଳିଆ କଣ୍ଠରେ କହିଲେ-- ଆରେ ତୁମେ ଆସିଗଲ କି, ହଉ ଭଲ ହେଲା। ମୁଁ ଆଜି ତୁମ ପାଇଁ ପକୁଡି ଛାଣିଛି। ହାତ ଗୋଡ ଧୋଇ ଆସ ମିଶିକି ଖାଇବା। ସେ ଘରଭାଙ୍ଗି ବେହେରାଣୀ ଆସିଥିଲା। ତାକୁ ଆଜି ଯାହା କହିଛି ଜୀବନ ଥିଲା ଯାଏ ଭୁଲିବନି। କାଲି ଆମେ କିଣିଥିବା ସୁନା ଚେନ୍ ଟା ଝିଅ ପାଇଁ ସାଇତି ରଖିଛି। ଛୁଟିରେ ସେ ଆସିଲେ ତାକୁ ଦେଖେଇବି।

ବାହାଘରର ଏତେ ବର୍ଷ ପରେ ଭଗିବାବୁ ଙ୍କୁ ଚେମିଦେବୀଙ୍କର ମୁହଁଟା ବହୁତ୍ ସୁନ୍ଦର ଲାଗିଲା। ତାଙ୍କ ଛାତି ଭିତରୁ ପ୍ରେମ, ହୀରାକୁଦ ଡ୍ଯାମ୍ ରୁ ପାଣି ଛୁଟିଲା ପରି ବୋହିଚାଲିଥିଲା। ଅଜାଣତରେ ତାଙ୍କ ପାଟିରୁ ବାହାରିଗଲା-- ତୁମ ପାଇଁ ଆଉ ଗୋଟେ ସୁନା ଚେନ୍ କିଣି ଦେବି। ମୋ ପାଖରେ ଟିକେ ପଇସା ହୋଇଯାଉ।

ହସିହସି ନିହାତି ସାଧାରଣ ଭାବରେ ଚେମିଦେବୀ କହିଲେ – ମୋର ସୁନା ଚେନ୍ ଦରକାର ନାହିଁ।  ପ୍ରକୃତରେ ମୁଁ ସୁନା ଜିନିଷ କୁ ଦେହ ରେ ନ ପିନ୍ଧି ମନରେ ପିନ୍ଧୁଥିଲି ବୋଲି ତୁମେ ଏତିକି ହନ୍ତସନ୍ତ ହେଲ। ଏବେ ସେମିତି ଭୁଲ୍ କେବେ ବି ହେବନି।

ଭଗିବାବୁଙ୍କୁ ପକୁଡିର ସ୍ବାଦ ଅମୃତ ପରି ଲାଗୁଥିଲା। ସେ ଭାବୁଥିଲେ ବେହେରାଣୀଟା ନାୟିକା ନା ଖଳନାୟିକା। ସେ ଯାହା ବି ହେଉ କିନ୍ତୁ ଗୋଟିଏ ସୁନା ଚେନ୍ ପାଇଁ ଚେମିଦେବୀ ଓ ତାଙ୍କ ଭିତରେ ଗଢି ଉଠିଲା ଏକ ସୁବର୍ଣ୍ଣସେତୁ।

ଅରବିନ୍ଦ ରଥ


Rate this content
Log in

Similar oriya story from Inspirational