STORYMIRROR

Dhaneswar Dash

Drama Tragedy

3  

Dhaneswar Dash

Drama Tragedy

ସରପ୍ରାଇଜ୍

ସରପ୍ରାଇଜ୍

7 mins
152


   ହିମାଚଳ ପ୍ରଦେଶର ଏକ ଜରାଶ୍ରମ।ଜରାଶ୍ରମର ଅନ୍ତେବାସୀ ମାନଙ୍କ ହାତକୁ ଚାଦର ଖଣ୍ଡିଏ ଲେଖା ବଢ଼େଇ ଦେଉ ଦେଉ ହଠାତ ସାର୍ଥକ ଅଟକିଗଲା ଜଣେ ବୃଦ୍ଧାଙ୍କ ନିକଟରେ। ଲୋଳିତ ଚର୍ମ, ପକ୍ଵ କେଶ, ଶୂନ୍ୟ ଚାହାଣୀ, ଡାହାଣହାତ ଉପର ପାପୁଲିରେ ଗୋଟେ ବଡ ପୋଡା ଚିହ୍ନ। ସାର୍ଥକ ହାତରୁ ଚାଦର ନେଲାବେଳେ ବୃଦ୍ଧା ଚାହିଁଲେ ସାର୍ଥକକୁ।ସାର୍ଥକ ବି ମୁଁହ ଉଠେଇ ଚାହିଁଲା ଟିକେ ବୃଦ୍ଧାଙ୍କୁ।କେମିତି ଗୋଟେ ନିରୀହ ନିରୀହ ଚାହାଣୀ।କି ସମ୍ମୋହନ ସେ ଚାହାଣୀରେ ଥିଲା କେଜାଣି ...ସାର୍ଥକର ସମଗ୍ର ସତ୍ତା ଯେମିତି ମୋହାଚ୍ଛନ୍ନ ହୋଇ ଉଠିଲା।କିଛି କ୍ଷଣର ନୀରବତା.... ନୀରବତା ଭାଙ୍ଗି ସାର୍ଥକ ପଚାରିଲା , ' କ୍ୟା ତୁମ ମୁଝେ ଜାନତେ ହୋ ?? " ସାର୍ଥକର ପ୍ରଶ୍ନରେ ହସିଦେଲେ ଟିକେ ବୃଦ୍ଧା ଜଣକ ଆଉ ଚାଲିଗଲେ ସାମ୍ନାରୁ।ଆଉ ସାର୍ଥକ କୁ ଲାଗିଲା ଯେମିତି ଗୋଟେ ଚିହ୍ନା ଚିହ୍ନା ବାସ୍ନା ତା ଦେହରେ ବୋଳି ହୋଇ ପୁଣି ପବନରେ ମିଳେଇ ଗଲା। ଜଣେ ଅନ୍ତେବାସୀ କହିଲେ, ' ବେଟା ...ୱ ତୋ ଗୁଙ୍ଗି ହୈ ....ବୋଲ ନେହିଁ ସକତି ।' ସାର୍ଥକ ସିଆଡୁ ମନ ହଟେଇ ଚାଦର ବାଣ୍ଟିସାରି ସାଙ୍ଗ ମାନଙ୍କ ସହ ଫେରି ଆସିଲା ହୋଟେଲ। ବୁଲାବୁଲି ସରିଲା ତାର। କାଲି ତାକୁ ଓଡିଶା ଫେରିଯିବାର ଅଛି।


      ସାର୍ଥକ କୁ ଚବିଶ ପୁରି ପଚିଶ ଚାଲିଲା ଏ ଫେବୃଆରୀରେ।ପ୍ରତିବର୍ଷ ତାର ଜନ୍ମଦିନ ପାଳନ ହୁଏ କୌଣସି ଜରାଶ୍ରମରେ ନହେଲେ ଅନାଥାଶ୍ରମରେ।ବାପା, ମା, ଆଉ ଜେଜେବାପାଙ୍କ ସହ ଯାଇ ସେଠାରେ କିଛି ସମୟ ବିତାଏ ସାର୍ଥକ। ଅନ୍ତେବାସୀ ମାନଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା ହୋଇଥାଏ ଆଉ ମା କିଛି ଦାନ ଧର୍ମ ବି କରନ୍ତି ସେଠାରେ। ଏ ବର୍ଷ କିନ୍ତୁ ସାର୍ଥକ ଜିଦ ଧରିଥିଲା ଘରେ ଯେ ତା ସାଙ୍ଗ ମାନେ ସବୁ ଯାଉଛନ୍ତି ହିମାଚଳ ପ୍ରଦେଶ ଆଉ ଏଥର ଜନ୍ମଦିନ ସେ ସେଠି ମନେଇବ। ଜେଜେବାପା ତ ଜମା ବି ରାଜି ହେଲେନି। ତାଙ୍କର ଏକା ଜିଦ ସାର୍ଥକ ସେ ଜାଗାକୁ ଯାଇ ପାରିବ ନାହିଁ । ସାର୍ଥକ ତାଙ୍କର ଗୋଟିଏ ବୋଲି ନାତି। ତାଙ୍କ ଜୀବନ। ସାର୍ଥକ ବି ଭାରି ଭଲପାଏ ତା ଜେଜେବାପାଙ୍କୁ। ଜେଜେମା ଙ୍କୁ ଦେଖିନି ସେ ପିଲାଦିନରୁ। ଶୁଣିଛି ଖାଲି ଜେଜେମା ଗୋଟେ ଆକ୍ସିଡେଣ୍ଟ ରେ ମରିଯାଇଛନ୍ତି ବୋଲି। ପିଲାଦିନରୁ ବୋର୍ଡ଼ିଂ ସ୍କୁଲରେ ରହି ପାଠ ପଢ଼ିଛି ସେ। ଜେଜେମାଙ୍କ ବିଷୟରେ ବେଶୀ କିଛି ଜାଣିବାର ସୁଯୋଗ ପାଇନି ସେ ସେଥିପାଇଁ। ଜେଜେମାଙ୍କ ବିଷୟରେ ପଚାରିଲେ ଜେଜେ ଗପୁ ଗପୁ ଏମିତି ପ୍ରଗଳ୍ଭ ହୋଇ ଉଠନ୍ତି ଯେ ବେଳେବେଳେ ପାଗଳଙ୍କ ପରି ପ୍ରଳାପ କରନ୍ତି। ସେଥିପାଇଁ ଘରେ ସାର୍ଥକକୁ ବାରଣ କରାଯାଇଛି ଜେଜେଙ୍କୁ ଏ ବିଷୟରେ କିଛି ପଚାରିବା ପାଇଁ। ଘରେ ବି ଜେଜେମା'ଙ୍କର ସେମିତି କିଛି ସ୍ମୃତି ନାହିଁ ଯାହାକୁ ଦେଖି ସେ ତାଙ୍କୁ ମନେ ପକେଇ ପାରିବ।


         ପାଠପଢା ସାରି ବର୍ଷେ ହେବ ଦିଲ୍ଲୀର ଏକ ମଲଟି ନ୍ୟାସନାଲ କମ୍ପାନୀରେ ଯୋଗ ଦେଇଛି ସାର୍ଥକ। ମଝିରେ ମଝିରେ ସୁବିଧା କରି କିଛି ଦିନ ଛୁଟି ନେଇ ଘରକୁ ଧାଇଁ ଆସେ ସାର୍ଥକ... ଖାସ୍ ଜେଜେଙ୍କ ସହ କିଛି ସମୟ କାଟିବା ପାଇଁ। ଜେଜେ ବି ଅନେଇ ବସିଥାନ୍ତି ତା ବାଟକୁ। ଜେଜେନାତିଙ୍କ ଥଟ୍ଟାମଜ୍ଜା ଆଉ ମଉଜମସ୍ତିରେ ଦିନ ଗୁଡ଼ାକ କେମିତି ସରିଯାଏ ଜଣା ପଡେନି। ଦେଖିଲେ ଲାଗେ ଯେମିତି ଦୁଇ ଜଣଯାକ ସ୍କୁଲ ବେଳର ପୁରୁଣା ବନ୍ଧୁ।ଯେତେବେଳେ ଛୁଟି ସରିଯାଏ ଆଉ ସାର୍ଥକ ଘରୁ ବିଦାୟ ନିଏ ସେତେବେଳେ ବାପା ମା'ଙ୍କ ଅପେକ୍ଷା ବେଶୀ ଦୁଃଖୀ ହୋଇ ପଡନ୍ତି ତା ଜେଜେ।ଏ ଥର ଛୁଟିଟା ସାର୍ଥକ ଘରେ ନ ରହି ହିମାଚଳ ପ୍ରଦେଶ ଯିବ ଶୁଣି ଜେଜେଙ୍କ ମନଟା ଭାଙ୍ଗିଗଲା। ଜମା ରାଜି ହେଲେନି ସେ ସାର୍ଥକ କୁ ଛାଡିବା ପାଇଁ। ଜେଜେଙ୍କୁ କୌଣସି ମତେ ବୁଝାବୁଝି କରି ସାର୍ଥକ ବାହାରିପଡ଼ିଲା ସାଙ୍ଗ ମାନଙ୍କ ସହ। ଗଲାବେଳେ ମା କହିଥିଲେ , " ନେ ଏ ଟଙ୍କା ରଖିଥା। ଆସନ୍ତା ଶୁକ୍ରବାର ତୋ ଜନ୍ମଦିନ। ପାଖରେ ଯଦି କିଛି ଅନାଥାଶ୍ରମ କି ଜରାଶ୍ରମ ଥିବ ସେଠି କିଛି ଦାନ ଧର୍ମ କରିଦେବୁ। ସୁବିଧା ହେଲେ ମନ୍ଦିର ଯାଇ ଠାକୁର ଦର୍ଶନ ବି କରିଦେବୁ। ସେଠି ଏବେ ପ୍ରବଳ ଥଣ୍ଡା ପଡ଼ୁଥବ ଟିକେ ଦେଖିକି ଚଳିବୁ।" ସେଥିପାଇଁ ସେଦିନ ମା ଦେଇଥିବା ଟଙ୍କାରେ କିଛି ଚାଦର କିଣି ସାଙ୍ଗ ମାନଙ୍କ ସହ ଜରାଶ୍ରମ ଯାଇଥିଲା ସାର୍ଥକ। ଆଉ ସେଇ ଅବସରରେ ବୃଦ୍ଧାଙ୍କ ସହ ତାର ଦେଖା।


  ଘରେ ପହଞ୍ଚି ଆଗ ଜେଜେଙ୍କୁ କୁଣ୍ଢେଇ ପକେଇଲା ସାର୍ଥକ। ଅଭିମାନ ରେ ମୁଁହ ବୁଲେଇନେଲେ ଜେଜେ। କହିଲେ , " ଛାଡ଼ ମୋତେ ....ଠକ କୋଉଠିକାର... ହଇରେ ତୁ ପରା ମୋତେ କହିଥିଲୁ ଏ ଥର ଜନ୍ମଦିନରେ ମୋତେ ମୋ ନାତୁଣୀ ବୋହୁ ସାଙ୍ଗେ ଭେଟ କରେଇଦେବୁ ବୋଲି । ଆଉ ଜନ୍ମଦିନ ଆସିଲା ବେଳକୁ ଚାଲିଗଲୁ ସାଙ୍ଗ ମାନଙ୍କ ସହ ମଉଜ କରିବାକୁ। "ସାର୍ଥକ ସେମିତି କୁଣ୍ଢେଇ ଧରି କହିଲା ," ଓଃ ହୋ ଜେଜେ... କେତେ ଅଭିମାନ କରୁଛ ... ବୁଢା ହେଲଣି ପରା ...ଟିକେ ବୟସର ଖିଆଲ କର । " ତା ପରେ ଜେଜେଙ୍କ କାନ ପାଖରେ ପାଟି ଲଗେଇ ଫୁସଫୁସ କରି କହିଲା , ' ଜନ୍ମଦିନ ପଳେଇଲା ତ କଣ ହେଲା ! ଜେଜେ ....ଭାଲେଣ୍ଟାଇନ ଡେ ଆସୁଛି ନା। ସେଦିନ ମୁଁ ତୁମକୁ ତୁମ ନାତୁଣୀ ବୋହୁ ସହ ନିଶ୍ଚୟ ଭେଟ କରେଇ ଦେବି.... ପକ୍କା...। କିନ୍ତୁ ମା ବାବାଙ୍କୁ ରାଜି କରେଇବା ଦାୟିତ୍ୱ ତୁମର। ଏବେ ମୁଁ ଟିକେ ଯାଇ ଫ୍ରେସ ହୋଇଯାଏ ... ତା ପରେ ଆମେ ମିଶିକି ଲଞ୍ଚ କରିବା।"  


      ଏମିତି କଥା ପ୍ରସଙ୍ଗରେ ସେଦିନ ରାତିରେ ସାର୍ଥକ ପଚାରିଲା ! ଜେଜେ ... ମୁଁ ପିଲାଦିନୁ ଦେଖୁଛି ତୁମେ ଏଇ ମୁଦିଟା ପିନ୍ଧୁଛ। କେବେ ବି ବାହାର କରୁନ ହାତରୁ। ବହୁତ ପୁରୁଣା ହୋଇଗଲାଣି ମୁଦିଟା। ବଦଳେଇ ଦେଇ ଆଉ ଗୋଟିଏ ନୂଆ ଆଣି ପିନ୍ଧିଲେ ହୁଅନ୍ତାନି ।


  ଏ ମୁଦି ଭିତରେ ମୋର କେତେ ଯେ ସ୍ମୃତି ଲୁଚି ରହିଛି ସେ କଥା ତୁ କେମିତି ଜାଣିବୁ ?? ଏଇଟା ମୋ ନିର୍ବନ୍ଧ ମୁଦି। ତୋ ଜେଜେମା'ର ଆଉ ମୋର ଯେତେବେଳେ ବାହାଘର ପକ୍କା ହୋଇଗଲା , ସେତେବେଳେ ମୋ ବାପା କହିଥିଲେ , 'ବାଃ... କି ସୁନ୍ଦର ଯୋଡି !! ମୋ ପୁଅ ଦାମୋଦର କୁ ବୋହୁ ରାଧାରାଣୀ। ସତରେ ... ରାଧାକୃଷ୍ଣ ଯୋଡି।' ତା ପରେ ନିର୍ବନ୍ଧ ବେଳକୁ ଦି ସମୁଦି ମିଶିକି ଯାଇ ଗୋଟିଏ ବଣିଆ ଦୋକାନରୁ ଏମିତି ଏକା ଭଳିଆ ଦୁଇଟି ରାଧାକୃଷ୍ଣ ଖୋଦେଇ ମୁଦି ବରାଦ ଦେଇ ତିଆରି କରି ଆଣିଥିଲେ। ଗୋଟିଏ ମୋର ଆଉ ଗୋଟିଏ ତୋ ଜେଜେ ମା ର। ସେଦିନ ଠାରୁ ଏ ମୁଦି ମୋ ହାତରେ ସେମିତି ରହିଛି।

 ଆଉ ଜେଜେମା ' ....???


   ସେ ବି ପିନ୍ଧିଥିଲା ବଞ୍ଚିଥିବା ଯାଏ। ଥରେ ରୋଷେଇ କରୁ କରୁ ତାତିଲା ତେଲ ଢାଳିହୋଇ ତୋ ଜେଜେ ମା' ର ଡାହାଣ ହାତ ଉପର ପାପୁଲିରେ ବଡ଼ବଡ଼ ଫୋଟକା ମାନ ବାହାରି ପଡ଼ିଲା। ଫୋଟକା ଫାଟିଲା ପରେ ଚମଡା ପରସ୍ତେ ଉଠି ଆସିଲା ସେ ହାତ ପାପୁଲିରୁ। କେତେ ଡାକ୍ତର, କେତେ ଇଂଜେକସନ, କେତେ ଔଷଧ ମଲମରେ ସେ ପୋଡା ଘା' ଶୁଖିଲା। ବହୁତ କଷ୍ଟ ପାଇଥିଲା ସେ ସେତେବେଳେ। କିନ୍ତୁ ଏତେ ଭିତରେ ବି ସେ ମୁଦି ତା ହାତରେ ଥିଲା। ଯିଏ ଯେତେ କହିଲେ ବି ବାହାର କଲାନି ଜମା ବି। ମୁଁ ବି ବହୁତ ବୁଝେଇଲି... 'କିଛି ଦିନ ଡାହାଣ ହାତରୁ ବାହାର କରି ବାଁ ହାତରେ ପିନ୍ଧି ଥା ... ଅନ୍ତତଃ ସେ ପୋଡା ଘା ଗୁଡ଼ାକ ଶୁଖିବା ଯାଏ ।' କିନ୍ତୁ ସେ ମୋ କଥା ବି ଶୁଣି ନ ଥିଲା।


      ଶେଷ ଆଡକୁ ବାଷ୍ପରୁଦ୍ଧ ହୋଇ ଆସିଲା ଜେଜେଙ୍କ କଣ୍ଠ। ଟିକେ ଡରିଗଲା ସାର୍ଥକ। ଜେଜେ ଏବେ ପୁଣି ପାଗଳ ପରି ହେବେନି ତ ?? ଯଦି ସେମିତି ହୁଏ ତାହେଲେ ମା ଠାରୁ ଏବେ ତାକୁ ବହୁତ ଗାଳି ଶୁଣିବାକୁ ପଡିବ। କିନ୍ତୁ ନା ....ଜେଜେ ପୁରା ଚୁପ ରହିଗଲେ ଆଉ ସାର୍ଥକ ବି। କିଛି ସମୟ ବିତିଗଲା ଏମିତି ନୀରବରେ। ସେଇ ନୀରବ ମୁହୂର୍ତ୍ତରେ ଜେଜେ ମାପୁଥିଲେ ସାର୍ଥକ ଭିତରେ ତା ଜେଜେମା କୁ ନେଇ ଥିବା ଅଦମ୍ୟ ଜିଜ୍ଞାସାକୁ ଆଉ ସାର୍ଥକ ମାପୁଥିଲା ତା ଜେଜେଙ୍କ ଛାତି ଭିତରେ ଜେଜେମା ଙ୍କ ପାଇଁ ଚାପି ହୋଇ ରହିଥିବା ସାଗର ବ୍ୟାପୀ ଅସୀମ ଭଲପାଇବାକୁ।


     ଡରିଡରି ସାହସ ଜୁଟେଇ ସାର୍ଥକ ପଚାରିଲା , ଜେଜେ .... ଜେଜେମା ର ଆକ୍ସିଡେଣ୍ଟ କେମିତି ହେଲା ??

  ସେଇ ହିମାଚଳ ପ୍ରଦେଶରେ ...ତୁ ବହୁତ ଛୋଟ ଟିଏ ହେଇଥିଲୁ । ବର୍ଷେ କି ଦୁଇ ବର୍ଷର ବୋଧେ।ଆମର ଅଫିସ ଷ୍ଟାଫ ମାନେ ମିଶିକି ବାହାରିଲେ ହିମାଚଳ ପ୍ରଦେଶ ବୁଲିବା ପାଇଁ। ମୁଁ ବି ଯାଇଥିଲି ସେମାନଙ୍କ ସହ ତୋ ଜେଜେମା କୁ ନେଇକି। ପାହାଡ଼ ଘାଟିରୁ ବସ ଖସି ପଡ଼ିଲା ତଳକୁ। ତା ପରେ କଣ କଣ ସବୁ ହେଇଗଲା ମୁଁ କିଛି ବି ଜାଣିନି। ମୋର ଚେତା ଫେରିଲା ଛଅ ଦିନ ପରେ। ତୋ ଜେଜେମା କୁ ବହୁତ ଖୋଜିଛୁ ଆମେ। ତୋ ବାପା ହିମାଚଳ ପ୍ରଦେଶର ସବୁ ହସ୍ପିଟାଲରେ ବୁଲିବୁଲି ଖୋଜିଛି ତା ମା' କୁ। ମୁଁ ମୋର ତିନି ଜଣ ସାଙ୍ଗଙ୍କୁ ବି ହରେଇଛି ସେ ଦୁର୍ଘଟଣାରେ। କିନ୍ତୁ ତୋ ଜେଜେମା'କୁ ପୃଥିବୀ ଖାଇଗଲା କି ଆକାଶ ଗିଳିଦେଲା କେଜାଣି .....ତାର ଆଉ ଚିହ୍ନବର୍ଣ୍ଣ ବି ମିଳିଲାନି। ସେଥିପାଇଁ ମୁଁ ରାଜି ହେଉ ନଥିଲି ତୋତେ ସେଠିକି ଛାଡିବା ପାଇଁ।"


       ସେଇ ଆଲୋଚନା ଭିତରେ ଜେଜେଙ୍କର କେତୋଟି କଥା ସାର୍ଥକକୁ ଶୋଇବାକୁ ଦେଉନଥିଲା ରାତିରେ। ତା ଚେତନା ଭିତରେ ବାରମ୍ବାର ଧସେଇ ପଶୁଥିଲା ଜରାଶ୍ରମର ସେ ବୃଦ୍ଧା ଜଣଙ୍କ । ମନେ ପଡୁଛି ସେ ଚିହ୍ନା ଚିହ୍ନା ବାସ୍ନା ଆଉ ହାତ ପାପୁଲିର ସେ ପୋଡା ଚିହ୍ନ। ସେ କ'ଣ ଜେଜେମା !! ରାତି ପାହିଗଲା ଏମିତି ଅନେକ ପ୍ରହେଳିକା ଆଉ ଦ୍ଵନ୍ଦ ଭିତରେ। ଆରେ.....ସାର୍ଥକ ....କାଲି ତ ଆସି ପହଞ୍ଚିଲୁ ଘରେ ....ପୁଣି କୁଆଡେ  ବାହାରିଲୁ ବ୍ୟାଗପତ୍ର ଧରି !! 

   ମା' .... ଗୋଟେ ଏମରଜେନ୍ସି ପଡିଗଲା। ମୋତେ ଯାହା ବି ହେଲେ ଯିବାକୁ ପଡ଼ିବ।ତୁମେ କିଛି ବ୍ୟସ୍ତ ହୁଅନି ମା' ....ମୁଁ ଦୁଇ ଚାରି ଦିନ ଭିତରେ କାମ ସାରି ଫେରି ଆସିବି କହି ଝଡ଼ ବେଗରେ ଘରୁ ବାହାରିଗଲା ସାର୍ଥକ। 


         ହିମାଚଳ ପ୍ରଦେଶର ସେଇ ଜରାଶ୍ରମରେ ପହଞ୍ଚି ସାର୍ଥକ ଦେଖାକଲା ଜରାଶ୍ରମର ଅଥରିଟିଙ୍କୁ। ବୃଦ୍ଧାଙ୍କ ବିଷୟରେ ପଚାରି ଜାଣିଲା ଯେ ସେ ଏଠି ରହିବା ତେଇଶି ବର୍ଷ ହୋଇ ଗଲାଣି। ଗୋଟେ ସ୍ବେଚ୍ଛାସେବୀ ସଙ୍ଗଠନ ତାଙ୍କୁ ପାହାଡ଼ ଘାଟିର ଗୋଟିଏ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରିଥିଲେ। ଦୁର୍ଘଟଣାରେ ସେ ତାଙ୍କ ବାକ୍ ଶକ୍ତି ହରେଇଛନ୍ତି। ସବୁ ଶୁଣିସାରି ସାର୍ଥକ ଚାହିଁଲା ବୃଦ୍ଧାଙ୍କୁ ଟିକେ ଦେଖା କରିବା ପାଇଁ। ଅନୁମତି ପାଇ ସାର୍ଥକ ପହଁଚିଲା ବୃଦ୍ଧାଙ୍କ ପାଖରେ। ନଜର ବୁଲେଇ ଆଣିଲା ଡାହାଣ ହାତର ପୋଡା ଚିହ୍ନ ଉପରେ। ସେଇ ହାତର ତର୍ଜନୀ ଆଙ୍ଗୁଳିରେ ସୁନା ମୁଦିଟିଏ। ଖୋଦେଇ ହେଇଛି ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି। ଗୋଟେ ବିଦ୍ୟୁତ ତରଙ୍ଗ ଖେଳିଗଲା ସାର୍ଥକ ଦେହରେ।ପାଖରେ ବସି ପଡ଼ି ପଚାରିଲା ,'ତୁମ ନାଁ ରାଧାରାଣୀ ??? 'ବହୁତ ବର୍ଷ ପରେ କାହା ପାଟିରୁ ନିଜ ନାଁ ଶୁଣି ବୃଦ୍ଧାଙ୍କ ମୁହଁରେ କେମିତି ଗୋଟାଏ ଚମକ ଖେଳିଗଲା। ବହୁତ ଦିନ ପରେ ଓଡ଼ିଆ ଭାଷାର କେତୋଟି ଶବ୍ଦ ଶୁଣି ସେ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ସାର୍ଥକ କୁ ? ସାର୍ଥକ ପର୍ସରୁ କାଢ଼ି ଦେଖାଇଲା ଜେଜେଙ୍କର ପାସପୋର୍ଟ ସାଇଜ ଫୋଟୋ ଟିଏ।ଫୋଟୋ ଟିକୁ ଦେଖି ବିସ୍ମୟର ସୀମା ରହିଲାନି ବୃଦ୍ଧାଙ୍କର। ସାର୍ଥକ ହାତରୁ ଫୋଟୋଟିକୁ ଟାଣିଆଣି ଛାତିରେ ଚାପିଧରି କଇଁ କଇଁ କାନ୍ଦି ଉଠିଲେ ବୃଦ୍ଧା।ବର୍ଷ ବର୍ଷର ଲୁହରେ ଭିଜିଗଲା ଫୋଟୋ ଟି।


    ସତରେ କ'ଣ ରକ୍ତ ରକ୍ତକୁ ଏମିତି ହଜାର ହଜାର ମାଇଲ ଦୂରରୁ ଟାଣି ଆଣି ପାରେ !! ସତରେ କ'ଣ ନିଜ ଅଦେଖା ଆତ୍ମୀୟଟିର ଚିହ୍ନା ଚିହ୍ନା ବାସ୍ନା ଏମିତି ଦେହମନକୁ ମୋହାଚ୍ଛନ୍ନ କରିପାରେ !! ସତରେ କ'ଣ ଜଣଙ୍କର ହୃଦୟର ଡାକ ଆଉ ଜଣଙ୍କର ଷଷ୍ଠେନ୍ଦ୍ରିୟ କୁ ଏମିତି ଜାଗ୍ରତ କରି ପାରେ !!!


      ବୃଦ୍ଧାଙ୍କୁ କୋଳେଇ ନେଇ ସାର୍ଥକ କହିଲା ମୁଁ ତୁମକୁ ଘରକୁ ଫେରେଇ ନେବାକୁ ଆସିଛି ଜେଜେମା ।

    ବୃଦ୍ଧା ବଞ୍ଚିଥିବା ଯାଏ ତାଙ୍କର ସମସ୍ତ ଦାୟିତ୍ୱ ସେ ବହନ କରିବା ପାଇଁ ଚାହେଁ ବୋଲି ଜରାଶ୍ରମର ଅଫିସରେ ଆବେଦନ କଲା ସାର୍ଥକ। ସମସ୍ତ ଆବଶ୍ୟକୀୟ କାଗଜ ପତ୍ର କାମ ସାରି ବୃଦ୍ଧାଙ୍କୁ ଧରି ସାର୍ଥକ ବାହାରି ପଡ଼ିଲା ଓଡିଶା ଅଭିମୁଖେ।


      ଘରେ ପହଞ୍ଚି ଜେଜେଙ୍କୁ କହିଲା , " ଜେଜେ... ତୁମ ପାଇଁ ଗୋଟେ ସରପ୍ରାଇଜ଼ ଆଣିଛି ମୁଁ। ମୋ ପାଇଁ କି ସରପ୍ରାଇଜ଼ ରେ ... ତୁ ତ କହିଥିଲୁ ଭାଲେଣ୍ଟାଇନ ଡେ ରେ ମୋ ନାତୁଣୀ ବୋହୁ ସହ ମୋତେ ଭେଟ କରେଇ ଦେବୁ ବୋଲି।। ମୁଁ ତ ସେଦିନ ଠାରୁ ଚଉଦ ତାରିଖଟାକୁ କ୍ୟାଲେଣ୍ଡର ରେ ଚିହ୍ନ ମାରି ବସିଛି। ଆଜି ତ ଚଉଦ ତାରିଖ। ନାତୁଣୀ ବୋହୁକୁ ମୋର ଉଠେଇ ଆଣିଛୁ ନା କଣ !!!

 ଯାଉନ ଦେଖିବ ...ବାହାରେ ଟାକ୍ସି ଭିତରେ ମୋ ଜିନିଷପତ୍ର ସାଙ୍ଗରେ ଥୁଆ ହେଇଛି ତୁମ ସରପ୍ରାଇଜ।


       ଟାକ୍ସି ଭିତରେ ରାଧାରାଣୀଙ୍କୁ ଦେଖି ଚମକି ପଡିଲେ ସାର୍ଥକର ଜେଜେ। ସେ ସ୍ୱପ୍ନ ଦେଖୁ ନାହାଁନ୍ତି ତ !! ଏହା କେମିତି ସମ୍ଭବ?? ଏ ଭିତରେ ତେଇଶି ବର୍ଷ ବିତିଗଲାଣି....ମୋ ରାଧାରାଣୀ କ'ଣ ବଞ୍ଚିଥିଲା ?? 

  ହଉ ଜେଜେ .... ସେତିକି ଦେଖ ତୁମ ସରପ୍ରାଇଜକୁ। ଏବେ ତ ଜେଜେମାଙ୍କୁ ହାପି ଭାଲେଣ୍ଟାଇନ ଡେ ଉଇସ୍ କର ଥରେ .... !                             



Rate this content
Log in

Similar oriya story from Drama