jyotsna mayee panda

Inspirational

3  

jyotsna mayee panda

Inspirational

ସପ୍ନର ମହଲ

ସପ୍ନର ମହଲ

3 mins
225



ସହରର ଉପାନ୍ତରେ କେତେଟା ଛୋଟ ଛୋଟ କୁଡ଼ିଆ l ସବୁ କୁଡ଼ିଆ ଉପରେ ନେଳି ନାଲି ପଲିଥିନ l କାରଣ ଏବେ ବର୍ଷା ଆସିଯିବ l କୁଡ଼ିଆ ଉପରେ ଜରି ନ ଦେଲେ ଆଉ ରହି ହେବନି l ସବୁଆଡେ ଜଳମୟ ହୋଇଯିବ l ଏମିତି କେତେ ଜୀବନ ଏ କୁଡ଼ିଆ ଭିତରେ ଅଣନିଃଶ୍ୱାସୀ ହୋଇ ରହନ୍ତି l ସକାଳ ହେଲେ କିଏ ଜରି ଗୋଟେଇ ଯାଏ କିଏ ଗୁପଚୁପ ବିକିଯାଏ ତ କିଏ ଆଲୁମୁଢି ବିକିଯାଏ l ରାତିରେ ଖାଲି ଶୋଇବା ପାଇଁ ଆସନ୍ତି ଏ କୁଡ଼ିଆକୁ l ସାରା ଦିନ ଏଠି ସେଠି ବୁଲି କଟିଯାଏ l ଏମାନଙ୍କ ପାଇଁ ପ୍ରଶାସନ ଯେମିତି ଅନ୍ଧ l ନା କିଛି କରି ପାରେ ନା କିଛି ଦେଇପାରେ l ସଂସାରର ଅଲୋଡ଼ା ଯିବ ଯେମିତି ଏ ସ୍ଲାମ ଏରିଆର ଅଧିବାସୀ l ହଁ କେବେ କେବେ ନିର୍ବାଚନ ବେଳେ ନେତା ମନ୍ତ୍ରୀ ଆସି ଭୋଜି ଭାତ, କମ୍ବଳ, ଲୁଗା ଦେଇ ଖୁବ ସହଜରେ ନିଜ ଭୋଟ ହାତେଇ ନିୟନ୍ତି l ପୁଣି ପାଞ୍ଚ ବର୍ଷ ପାଇଁ ଯେମିତି ଏମାନେ ଅଦୃଶ୍ୟ ହୋଇ ଯାଆନ୍ତି l ସେଇ କୁଡ଼ିଆ ଭିତରେ ଥିଲା ସୋନୁର କୁଡ଼ିଆ l ପୁରା ନାମ ସୂର୍ଯ୍ୟକାନ୍ତ ହେଲେ ସୋନୁ କହିଲେ ସଭିଏଁ ଜାଣନ୍ତି l ମାଆ ତାକୁ ଜନ୍ମ ଦେଇ ଚାଲିଗଲା ଆର ପାରି କି l ବାପା ଆଲୁମୁଢି ବିକ୍ରି କରି ଯାହା ଆଣେ ସେଥିରେ ଦୁଃଖେ କଷ୍ଟେ ବଞ୍ଚନ୍ତି ତିନି ପ୍ରାଣୀ l ତା ଉପରେ ବଡ଼ ଭଉଣୀ l ହେଲେ ବୋଝ ଉପରେ ନଳିତା ବିଡା ପରି ସେ କିଡନି ରୋଗୀ l ସେଥିପାଇଁ ସବୁବେଳେ ଘରେ ରୁହେ l ସ୍କୁଲ ବି ଯାଏନି l ଦେହ ସବୁବେଳେ ଖରାପ l ଶୁଖିଲା ଚେହେରାକୁ ହାଣ୍ଡି ଭଳି ପେଟ l ଚିକିତ୍ସା ପାଇଁ ପଇସା ନାହିଁ l ସୋନୁ ଏଇ କେତେ ଦିନ ହେବ ସ୍କୁଲ ଯାଉଛି l ପଢିବା ପାଇଁ ନୁହଁ ଭାତ ଅଣ୍ଡା ଖାଇବା ପାଇଁ l କାରଣ ଘରେ ଏହା ବି ମିଳେନି l ଉପାସରେ ଶୋଇବାକୁ ପଡେ l ସେଦିନ ସେ ଖୁବ ସୁନ୍ଦର ସପ୍ନ ଦେଖିଲା l ସେ ପାଠ ପଢି ବଡ଼ ହୋଇ ଯାଇଛି l ଏକ ସୁନ୍ଦର ମହଲ ହୋଇଯାଇଛି ତା କୁଡ଼ିଆ l ବାପାଙ୍କୁ ତା ସ୍ୱପ୍ନ କହିବାରୁ ସେ କହିଲେ ପାଠ ମଣିଷକୁ ଖୁବ ଉଚ୍ଚକୁ ନେଇ ପାରେ l ହେଲେ ସେଥିପାଇଁ ପରିଶ୍ରମ ଦରକାର l ସେଦିନଠୁ ସେ ମନ ଦେଇ ପାଠ ପଢିଲା l ସବୁ କ୍ଲାସରେ ପ୍ରଥମ ହେଲା l ଏମିତି ଅନେକ ଦିନ ବିତିଗଲା l ସେ ନବୋଦୟ ପାଇ ମାଗଣାରେ ପଢିଲା l ସେଦିନ ଛୁଟିରେ ଘରକୁ ଆସିଥାଏ l କେତେ ଲୋକ ତାଙ୍କ ଝୁପୁଡି ଆଗରେ l ସେ ଜାଣିବାକୁ ପାଇଲା କୁଆଡେ ଏ ସରକାରୀ ଜମିରୁ ବସ୍ତି ଉଛେଦ ହେବ l ହେଲେ ବସ୍ତି ଵାଲା ଯିବେ କୁଆଡେ l ଭାଙ୍ଗିବା ପାଇଁ ବଡ଼ ବଡ଼ ଗାଡି ଆସିଲାଣି l ସମସ୍ତେ ନିଜ ନିଜ ଜିନିଷ ସଜାଡି ସାରିଲେଣି l ଏ ଦୃଶ୍ୟ ଦେଖି ସୋନୁକୁ ଖୁବ ବାଧିଲା l ବାପା କହିଲେ କୁଆଡେ ସେମାନେ ଗାଁକୁ ଯିବେ l ହେଲେ ଜମିବାଡ଼ି ତ କେବେଠୁ ବନ୍ଧକ ପଡିଛି l କଣ କରିବେ ସେଠି l ଏମିତି ଦୁଃଖରେ ସମସ୍ତେ ଗାଁକୁ ଗଲେ l ଝାଟି ମାଟି କୁଡ଼ିଆଟେ କରି ରହିଲେ l ପୁଅକୁ ଦେଖା କରିବାକୁ ବି ଯାଇ ପାରେ ନି ସୋନୁର ବାପା l ଏମିତି କେତେ ଦିନ ପରେ ସେ ଖୁବ ଭଲ ନମ୍ବର ରଖି ପାସ କଲା l ୟୁ.ପି.ଏସ୍.ସି. ପାଇଁ ଚେଷ୍ଟା କଲା l ଆଶ୍ଚର୍ଯ୍ୟ କଥା ସେ ଗୋଟେ ସୁଯୋଗରେ ପାଇଗଲା l ଏବେ ସେ ଜିଲ୍ଲାପାଳ ଭାବେ ନିଜ ଜିଲ୍ଲାରେ ଯୋଗ ଦେଲା l ସତରେ ତା ସ୍ୱପ୍ନ ସତ ହେଲା l ବିରାଟ କ୍ୱାଟର ଚାକର ବାକର l କ୍ୱାଟର ସାମ୍ନାରେ ବିରାଟ ଲନ ଯେଉଁଥିରେ ଅଛି ରଙ୍ଗ ବେରଙ୍ଗର ଫୁଲ l ବାପା ଓ ଭଉଣୀକୁ ଗାଁରୁ ନେଇ ଆସିଲା l ତା ଉନ୍ନତିରେ ବାପାଙ୍କ ଛାତି ଗର୍ବରେ ଫୁଲିଗଲା l କିନ୍ତୁ ସେ ବିସ୍ଥାପନ ଦୁଃଖ ଆଜି ବି ତା ମନରେ ଅଛି l ସେଥିପାଇଁ ପ୍ରଥମେ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରି ସେମାନଙ୍କ ପାଇଁ ପକ୍କା ଘର କରିଦେଲା l ସମସ୍ତେ ତା କାମ ପାଇଁ ଖୁବ ପ୍ରଶଂସା କଲେ l ଜୀବନରେ ଜଣେ ସଚ୍ଚୋଟ ପ୍ରଶାସନିକ ଅଧିକାରୀ ଭାବେ ନିଜକୁ ପରିଚୟ ଦେଲା l



Rate this content
Log in

Similar oriya story from Inspirational