Kulamani Sarangi

Tragedy Classics

3  

Kulamani Sarangi

Tragedy Classics

ସ୍ପେନୀୟ ଇନଫ୍ଳୁଏଞ୍ଜା

ସ୍ପେନୀୟ ଇନଫ୍ଳୁଏଞ୍ଜା

3 mins
12.1K



କୋରୋନାଙ୍କ ଭ୍ରାତାଶ୍ରୀ ସ୍ପେନୀୟ ଇନଫ୍ଳୁଏଞ୍ଜା


ବିଶ୍ବ ମହା-ମଡକର ସାମ୍ରାଜ୍ଞୀ "କୋରୋନା" ଦେବୀଙ୍କୁ ଦୂରରୁ ଜୁହାର । ତା ସଙ୍ଗେ ସଙ୍ଗେ ତାଙ୍କ ଭ୍ରାତାଶ୍ରୀ ମହାମହିମ "ସ୍ପେନୀୟ ଇନଫ୍ଳୁଏଞ୍ଜା"ଙ୍କର ଭୟଙ୍କର ହୃଦୟଥରା ସ୍ମୃତିକୁ ମଧ୍ୟ ଦଣ୍ଡବତ।ଆଜି ମହାମାୟୀ କୋରନାଙ୍କର ଭୟଙ୍କର ରୂପ ବିଶ୍ଵବାସୀଙ୍କ ମନରେ ତାଙ୍କ ଭ୍ରାତାଶ୍ରୀଙ୍କ ନରସଂହାର ରୂପକୁ ଉଦ୍ଜୀବିତ କରିଦିଏ। ନାଁ ଟି ସିନା ତାଙ୍କର "ସ୍ପେନୀୟ ଇନଫ୍ଳୁଏଞ୍ଜା" ଥିଲା, କିନ୍ତୁ କେଉଁ ଦେଶରେ ସେ ଜନ୍ମ ନେଇଥିଲେ ଏବଂ କେଉଁ ଶୁଭ ମୁହୁର୍ତ୍ତରେ ମନୁଷ୍ୟର ଶ୍ବାସନଳୀ ପ୍ରେକ୍ଷାଳୟରେ ତାଙ୍କ ଭୟାବହ ନାଟକର ଶୁଭାରମ୍ଭ କଲେ ତାହା ସଠିକ ଭାବରେ କହି ହେବନାହିଁ। ୧୯୧୮ ମସିହା କଥା।ପ୍ରଥମ ବିଶ୍ଵଯୁଦ୍ଧ ଶେଷ ହୋଇ ଆସୁଥାଏ। ଶାନ୍ତିର ନବରବି ଉଦିତ ହେବାର ସ୍ପଷ୍ଟ ଆଭାସ ମିଳୁଥାଏ ବିଶ୍ବ ବାସୀଙ୍କୁ।ଏହି ସମୟରେ ସ୍ପେନୀୟ ଇନଫ୍ଳୁଏଞ୍ଜା (Spanish influenza or LaGrippe) ନାମକ ଏହି ମହାମାରୀ ତାର ଲହ ଲହ ଜିହ୍ୱା ବ୍ୟାଦାନ କରି ବିଶ୍ବର ପ୍ରାୟ ୫ କୋଟି(50million as per estimates) ଲୋକଙ୍କୁ ଚଳୁ କରିଦେଲା। ବିଶ୍ବ ଯୁଦ୍ଧ ଲାଗିଥିବାରୁ ସେଥିରେ ଭାଗନେଇଥିବା ୟୁରୋପୀୟ ଦେଶମାନେ ପ୍ରକୃତ ମୃତକଙ୍କ ସଂଖ୍ୟା ଲୁଚାଇ ରଖୁଥିଲେ କାରଣ ସେମାନେ ଭାବୁଥିଲେ ଏହା ପ୍ରକାଶ କରିଦେଲେ । ଟ୍ରେଞ୍ଚ ରେ ରହି ଯୁଦ୍ଧ କରୁଥିବା ସୈନ୍ୟମାନଙ୍କର ମନୋବଳ କମିଯିବ।


ଅନୁମାନ କରାଯାଏ ଟ୍ରେଞ୍ଚ ମାନଙ୍କରେ ଅସ୍ୱାସ୍ଥ୍ୟକର ପରିବେଶରେ ରହି ଯୁଦ୍ଧ କରୁଥିବା ସୈନ୍ୟମାନଙ୍କ ମଧ୍ୟରେ ପ୍ରଥମେ ଏହି ମହାମାରୀ ଆରମ୍ଭ ହୋଇଥିଲା ଏବଂ ବନଅଗ୍ନି ଭଳି ସାରା ବିଶ୍ବରେ ମାତିଯାଇଥିଲା। ଗୋଟିଏ ବର୍ଷ ଭିତରେ ଏହି ମହାମାରୀ ଇନଫ୍ଳୁଏଞ୍ଜାରେ ଯେତେ ଲୋକ ମରିଥିଲେ ତାହା ପ୍ଳେଗ ରୋଗରେ ଚାରିବର୍ଷ ଭିତରେ(୧୩୪୭ ରୁ ୧୩୫୧ଖ୍ରୀଷ୍ଟାବ୍ଦ)ମରିଥିବା ଲୋକଙ୍କ ଅପେକ୍ଷା ଅଧିକ ଥିଲା ବୋଲି ଅନୁମାନ କରାଯାଏ।ବିଶ୍ବ ଇତିହାସରେ ଏହାଠାରୁ ବଳି ଭୟଙ୍କର ମହାମାରୀ ଏଯାବତ୍ ଘଟିନାହିଁ। ପୃଥିବୀର ଏକ ପଞ୍ଚମାଂଶ ଜନସଂଖ୍ୟା ଏହାଦ୍ବାରା ପ୍ରଭାବିତ ହୋଇଥିଲେ।ଏହା ଆମେରିକାର ୨୮ପ୍ରତିଶତ ଲୋକଙ୍କୁ କବଳିତ କରିଥିଲା ଏବଂ ୬,୭୫୦୦୦ ଆମେରିକୀୟ ଏହି ରୋଗରେ ପ୍ରାଣ ହରାଇଥିଲେ। ପ୍ରଥମ ବିଶ୍ଵଯୁଦ୍ଧରେ ଭାଗ ନେଇଥିବା ସୈନ୍ୟମାନଙ୍କ ମଧ୍ୟରୁ ପ୍ରାୟ ୪୩୦୦୦ ସୈନ୍ୟ ଏହି ମହାମାରୀରେ ପ୍ରାଣ ହରାଇ ଥିଲେ।


ପ୍ରଥମ ବିଶ୍ବ ଯୁଦ୍ଧରେ ଆମେରିକାର ଯେତେ ସୈନ୍ୟ ପ୍ରାଣ ହରାଇ ଥିଲେ ସେମାନଙ୍କ ମଧ୍ୟରୁ ଅଧାଅଧି ଏହି ମହାମାରୀରେ ପ୍ରାଣ ହରାଇଥିଲେ ବୋଲି ଅନୁମାନ କରାଯାଏ। ସାଧାରଣ ଛିଙ୍କ ଖାସରୁ ଆରମ୍ଭ ହୋଇ ଅତି ଅଳ୍ପ ସମୟ ଭିତରେ ଏହା ଭୟଙ୍କର ରୂପ ଧାରଣ କରି ରୋଗୀକୁ କବଳିତ କରୁଥିଲା ଏବଂ ପ୍ରାଣ ନେଇଯାଉଥିଲା। ଏହି ରୋଗରେ ୟୁରୋପ,ଉତ୍ତର ଆମେରିକା,ଏସିଆ, ଆଫ୍ରିକା,ବ୍ରାଜିଲ୍ ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗର ଅଞ୍ଚଳ ସମ୍ପୂର୍ଣ୍ଣ କବଳିତ ହୋଇଯାଇଥିଲା। ସ୍ପେନର ରାଜପରିବାରକୁ କବଳିତ କରିବା ଯୋଗୁଁ ଏହା "ସ୍ପେନୀୟ ଇନଫ୍ଳୁଏଞ୍ଜା"ନାମଟି ଅର୍ଜନ କଲା। ୟୁରୋପ ଅପେକ୍ଷା ଭାରତରେ ଏହି ରୋଗର ମୃତ୍ୟୁହାର ଅଧିକ ଥିଲା(50 deaths per 1000 infected) ୨୯ ତାରଖ,ମେ'ମାସ,୧୯୧୮ ମସିହା କଥା।ପ୍ରଥମ ବିଶ୍ଵଯୁଦ୍ଧରେ ଯୋଗଦେଇଥିବା କିଛି ଭାରତୀୟ ସୈନ୍ୟମାନଙ୍କୁ ନେଇ ଗୋଟିଏ ବ୍ରିଟିଶ ଜାହାଜ ବମ୍ବେ ପୋର୍ଟରେ ନଙ୍ଗର ପକାଏ।ମାତ୍ର ୪୮ ଘଣ୍ଟା ପାଇଁ ଜାହାଜଟି ପୋର୍ଟରେ ଅଟକି ଥିଲା।ସେହି ରାତ୍ରିର ଅନ୍ଧକାରରେ "ସ୍ପେନୀୟ ଇନଫ୍ଲୁଏଞ୍ଜ" ନାମକ ଯେଉଁ ରାକ୍ଷସଟିକୁ ଜାହାଜ ଛାଡି ଦେଇ ଗଲା,ସେ ପରବର୍ତ୍ତୀ ଦୁଇ ବର୍ଷ ପର୍ଯ୍ୟନ୍ତ ଭାରତରେ ନରସଂହାର କରି ଚାଲିଲା। ଜୁନ ମାସ ୧୭ ତାରିଖରେ ଯୁଦ୍ଧ ଫେରନ୍ତା ସାତ ଜଣ ସିପାହୀ ଏହି ରୋଗରେ ଆକ୍ରାନ୍ତ ହୋଇ ଡାକ୍ତର ଖାନାରେ ଭର୍ତ୍ତି ହେଲେ।ଏହା ପରେ ସାରା ଭାରତରେ ବ୍ୟାପିଗଲା ଏହି ମହାମଡକ।୧୯୨୦ ମସିହା ମାର୍ଚ୍ଚ ମାସ ଶେଷ ବେଳକୁ ଭାରତର ପ୍ରାୟ ୧କୋଟି ୮୦ ଲକ୍ଷ ଲୋକ(18 million) ଏହି ମହାମାରୀର ଶିକାର ହୋଇ ସାରିଥିଲେ।ଦେଶର ପ୍ରାୟ ୬ପ୍ରତିଶତ ଲୋକଙ୍କୁ ଜୀବନ୍ତ ଗ୍ରାସ କରିଦେଲା ଏହି ମହାମାରୀ। ସେତେବେଳେ ମହାତ୍ମାଗାନ୍ଧୀଙ୍କର ଦେଶର ରାଜନୀତିରେ ନୂଆ ନୂଆ ଆବିର୍ଭାବ ହୋଇଥାଏ।ତାଙ୍କୁ ମଧ୍ୟ ଆକ୍ରମଣ କଲା ଏହି ଭୟଙ୍କର ରୋଗ। ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଲା ମହାତ୍ମାଙ୍କର।ଅତି ବ୍ୟସ୍ତ ହୋଇ ସେ କହିଥିଲେ "ଜୀବନରେ ବଞ୍ଚିବା ପାଇଁ ସବୁ ସ୍ପୃହା ଶେଷ ହୋଇ ଯାଇଛି"(All interest in living has ceased) ଏହି ଭୟଙ୍କର ବ୍ୟାଧି ବାର ବାର କରି ତିନିଥର(in three waves) ଚଢ଼ାଉ କରିଥିଲା ।

ପ୍ରଥମ ଆକ୍ରମଣ ୧୯୧୮ ମସିହା ଜୁଲାଇ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ରହିଥିଲା। ଦ୍ବିତୀୟ ଆକ୍ରମଣ ଅତି ଭୟାବହ ଥିଲା।ତାହା ୧୯୧୮ ମସିହା ଶେଷ ପର୍ଯ୍ୟନ୍ତ ଲାଗିରହିଥିଲା। ଏହି ୨ୟ ଆକ୍ରମଣ ବିଶ୍ବରେ ମୃତ୍ୟୁର ତାଣ୍ଡବଲୀଳା ସୃଷ୍ଟି କରିଥିଲା।ଶେଷ ଆକ୍ରମଣ ୧୯୧୯ ମସିହା ପ୍ରଥମ ଭାଗରେ ଆରମ୍ଭ ହୋଇ ଥିଲା। ୧୯୨୦ ମାର୍ଚ୍ଚମାସ ଶେଷ ବେଳକୁ ଏହା ସବୁଦିନ ପାଇଁ ବିଦାୟ ନେଇଥିଲା। ବମ୍ବେ(ବର୍ତ୍ତମାନର ମୁମ୍ବାଇ)ରେ ଏହା ଏତେ ଭୟାବହ ଥିଲା ଯେ ଗୋଟିଏ ଦିନରେ (୬-୧୦-୧୯୧୯) ୭୬୮ଜଣଙ୍କର ମୃତ୍ୟୁ ଘଟିଥିଲା। ହିନ୍ଦୀ ସାହିତ୍ୟର ପ୍ରସିଦ୍ଧ କବି ସ୍ବର୍ଗତ ସୂର୍ଯ୍ୟ କାନ୍ତ ତ୍ରିପାଠୀ (ନିରାଲା)ଏହି ମହାମାରୀରେ ତାଙ୍କ ପତ୍ନୀଙ୍କ ସମେତ ଅନେକ ପରିବାର ସଦସ୍ୟଙ୍କୁ ହରାଇଥିଲେ।ସେ ଲେଖିଛନ୍ତି..ଗଙ୍ଗାନଦୀ ମୃତକଙ୍କ ଶବରେ ଫୁଲି ଉଠିଥିଲା।କେବଳ ଗଙ୍ଗାନଦୀ କାହିଁକି,ଦେଶର ଅନେକ ନଦୀରେ କୁଢ଼ କୁଢ଼ ଶବ ଭାସୁଥିଲେ। ଉଦାସୀନ ଗୋରା ସରକାର ସେ ସମୟରେ କାହିଁକି ବା ଭାରତୀୟ ମାନଙ୍କ ପାଇଁ କିଛି କରିବ? ସ୍ବାସ୍ଥ୍ୟ ସେବାର ଅବସ୍ଥା ସେ ସମୟରେ ବହୁତ ଖରାପ। ଗମନାଗମନ/ସୂଚନା ପ୍ରସାରଣ ସୁବିଧା ପ୍ରାୟ ନଥିବା ସହିତ ସମାନ। ମହାମାରୀ ସାଙ୍ଗକୁ ୧୯୧୮ ମସିହାର ମରୁଡି ଅବସ୍ଥା ଚାଷୀମାନଙ୍କର ମେରୁଦଣ୍ଡ ଭାଙ୍ଗିଦେଲା।ଗୋରା ସରକାର ଏହି ପରିସ୍ଥିତିର ମୁକାବିଲା କରିବା ଅବସ୍ଥାରେ ନଥିଲେ।ଦେଶରେ ଜନସାଧାରଣ ହୃଦୟଙ୍ଗମ କଲେ ଯେ ଯାହାକିଛି କରିବେ ସେମାନେ ନିଜେ କରିବେ,ସରକାରଙ୍କ ହାତକୁ ଚାହିଁ ଲାଭ ନାହିଁ। ତୃଣମୂଳ ସ୍ତରରେ ସ୍ବେଚ୍ଛାସେବୀ ଅନୁଷ୍ଠାନମାନ ଗଢିଉଠିଲେ,ଜନସେବା ଉଦ୍ଦେଶ୍ୟ ନେଇ।ଏହି ଭାବନାର ଉଦ୍ରେକ ମହାତ୍ମା ଗାନ୍ଧୀଙ୍କୁ ପରବର୍ତ୍ତୀ ସମୟରେ ସ୍ବଦେଶୀ ଆନ୍ଦୋଳନରେ ସାହାଯ୍ୟ କରିଥିଲା। ଆଜି କୋରୋନାଙ୍କୁ ଡରିବାର କିଛି ନାହିଁ।ଭ୍ରାତାଶ୍ରୀଙ୍କ ପରି ସେ ହୁଏତ ବାରମ୍ବାର ଆକ୍ରମଣ ପାଇଁ ଚେଷ୍ଟା କରି ପାରନ୍ତି।କିନ୍ତୁ ସାମାଜିକ ଦୂରତା ନିୟମ ରକ୍ଷା କଲେ ଆମେ ତାକୁ ହରାଇ ପାରିବା।ଏହି ଦୁର୍ବିପାକ ଆମ୍ଭମାନଙ୍କର ଏକତାକୁ ଦୃଢିଭୂତ କରିଛି।କୋରୋନାଙ୍କ ଭ୍ରାତାଶ୍ରୀଙ୍କ ସମୟରେ ସିନା ଦେଶ ଆମର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପଛୁଆ ଥିଲା,ଆଜି ବିଜ୍ଞାନର ଅଗ୍ରଗତି ଯୋଗୁଁ ଆମେ ଯଥେଷ୍ଟ ଆଗରେ। ଆଜି ଆମର ସମ୍ମିଳିତ ଶକ୍ତି ଆଗରେ କୋରୋନା ନିଶ୍ଚୟ ହାରମାନିବ। Let's stay at home and stay safe....


Rate this content
Log in

Similar oriya story from Tragedy