ସନ୍ତାନ
ସନ୍ତାନ
ପଶ୍ଚିମ ଦିଗରେ ଅପରାହ୍ନର ସୂର୍ଯ୍ୟ ଢଳଢଳ,
ଆଉ କେଇଟା ମୁହୂର୍ତ୍ତ ପରେ ଡୁବି ଯିବ। ମେଦିନୀ
ଯାକ ମେଳି ହୋଇ ପଡିଛି ସେ ଅସ୍ତରଙ୍ଗର ମଳିନ
ଖରା। ମୁଣ୍ଡ ଉପରର ଉଚ୍ଚା ଆକାଶଟା କେମିତି
ବିବର୍ଣ୍ଣ ଲାଗୁଛି ତା' ଆଖିକୁ ଆଜି। ଗଛଲତା ଘର ମନ୍ଦିରର ଛାଇ ସବୁ ଲମ୍ବି ଲମ୍ବି ଯାଉଛନ୍ତି ଅସୀମ ଦୂରତାକୁ।
ଦୀର୍ଘ ନିଃଶ୍ବାସଟିଏ ମାରିଲା ସେ। ଭାବୁଛି
ଯେତେ ଭାବିବନି ପଛ କଥା, ସେତିକି ବେଶି
ବେଶି ମନେ ପଡୁଛି ତାର। ଅତୀତଟା ଯେ
ଜିଇଁ ଉଠି ତା ଆଗରେ ଠିଆ ହେବ ପାହାଡ଼ ପରି
ଏ କଥା ସେ ଭାବି ନ ଥିଲା କେବେ।
ଜୀବନର ଏମିତି ଭୁଲ୍, ଭୁଲ୍ ନୁହେଁ ତ ପାପ। ଆଉ ସେ ପାପର ପ୍ରାୟଶ୍ଚିତ ପାଇଁ ଆଜି ତାକୁ ସବୁ ମହଙ୍ଗା ପଡିବ।
ଓଃ, ମୁଣ୍ଡଟା ଜିମ୍ ଜିମ୍ କରି ଶିରା ପ୍ରଶିରା ସବୁ
ଟାଣି ହୋଇ ଯାଉଛି। ବଥେଇ ଉଠୁଛି ଭୀଷଣ ଭାବରେ, ମୁଣ୍ଡଟା ଫାଟି ଯାନ୍ତି କି ମରଣଟା ଧାଇଁ
ଆସନ୍ତା ବେଗେ ତା' ପାଖକୁ। କିନ୍ତୁ ମରଣ ତାକୁ ଏତେ ସହଜରେ ହେଉଛି କାହିଁ। ସେ ପାପର ପ୍ରାୟଶ୍ଚିତ ହେବ ବୋଧହୁଏ ତା' ମରଣରେ।
କେତକୀର ସେ ସମୟର କଥା ସବୁ ମନେ
ପଡି ଯାଉଛି। ମନେ ପଡି ଯାଉଛି ନୁହେଁ ମନେ ଅଛି
ସେ କେବେ ଭୁଲିଛି ଯେ ମନେ ପକାଇବ।
ମଧ୍ୟବିତ୍ତ ପରିବାର ସେ ଥିଲା ଏକ ମାତ୍ର
କନ୍ୟାରତ୍ନ। ବାପା ବଡବାପା କକା ତିନି ଭାଇ ଥିଲେ
ତାର। ସମସ୍ତଙ୍କର ପୁଅ ଦି ଦି ଟା। ହେଲେ ସେ
ତା' ବାପାର ଏକା ଅଲିଅଳି ଝିଅ। ସବଂଶ ଯାକ
ତାକୁ ବହୁତ ଗେଲ ଆଦର କରୁଥିଲେ। ବାପା ତାର
ଜଣେ ସରକାରୀ କର୍ମଚାରୀ ଥିଲେ। ଭଲ ଚଳୁଥିଲେ
ସମସ୍ତେ। ତେଣୁ କେତକୀ ବି ଭାରି ସରଳ ଶାନ୍ତ
ଝିଅଟିଏ ହୋଇ ବଢୁଥିଲା। ଦୁନିଆଁଟାକୁ ବାପା ଭାଇଙ୍କ
ପରି ଭରସା ବିଶ୍ବାସ କରୁଥିଲା। ଶଙ୍କା ସନ୍ଦେହ କେବେ
ତା ମନକୁ ଆଛନ୍ନ କରୁ ନ ଥିଲା। ନିଜ ଉପରରେ ବି
ଅଗାଧ ବିଶ୍ବାସ ଥିଲା ତାର।
ଏତେ ସବୁ ଭିତରେ କେତକୀ କଲେଜ ପଢୁଥିବା
ସମୟରେ ଭଲ ପାଇ ବସିଥିଲା ପ୍ରେରକକୁ। ସେ
କେବେ ତା' ଆଡୁ ଆଗରେ ପ୍ରେରକକୁ ଚାହିଁ ନ ଥିଲା।
ପ୍ରେରକ ତାକୁ ତା' ଆଗରେ ବିଭିନ୍ନ ନାଟକ କରି
ଅଭିନୟନର ଯାଦୁରେ ଫସେଇ ଦେଇଥିଲା। ସେ
ପ୍ରେରକକୁ ପ୍ରାଣ ଭରି ଭଲ ପାଇଲା। ପରସ୍ପର ମଧ୍ୟରେ
ଆଉ ଆକଟ ରହିଲା ନାହିଁ। ଦୁହେଁ ବିବାହ କରିବାର
ସିଦ୍ଧାନ୍ତ ମଧ୍ୟ ନେଲେ। ଯୌବନର ଉଦ୍ଦାମତାରେ କେହି
କାହାକୁ ନିୟନ୍ତ୍ରଣ କରି ପାରିଲେ ନାହିଁ। ମିଶାମିଶାରେ
ଅନ୍ତରାୟ କିଛି ନ ଥିଲା।
ଯେଉଁଦିନ କେତକୀ ପ୍ରରକକୁ କହିଲା ସେ ମାଆ
ହେବାକୁ ଯାଉଛି, ତା ରକ୍ତକୁ ଗର୍ଭରେ ଧରିଛି ସେ ଦିନ
ତାର ପ୍ରେରକ ସାଥୀରେ ଶେଷ ଦେଖା ହୋଇଥିଲା।
ସେ ଗର୍ଭକୁ ନଷ୍ଟ କରିବା ନ କରିବା ପ୍ରସଙ୍ଗରେ ଯୁକ୍ତି
ତର୍କ ବି ହୋଇଥିଲା। ବିବାହ କରିବାର ପ୍ରତିଶ୍ରୁତି
ଦେଇ ଥିଲା ପ୍ରେରକ, ନିକଟରେ ଦୁହେଁ ସ୍ବାମୀ ସ୍ତ୍ରୀ
ହୋଇଥିବେ। ଏଭଳି କି ଶପଥ ମଧ୍ୟ କରିଥିଲା
ତା ଆଗରେ...!
କିନ୍ତୁ ବିଧିର ବିଧାନ ଥିଲା ବୋଧହୁଏ ଅଲଗା
କିଛି, କେତକୀ ଶୁଣିଲା ବାଇକ୍ ଦୁର୍ଘଟଣାରେ ପ୍ରେରକ
ଘଟଣାସ୍ଥଳରେ ମୃତ୍ୟୁବରଣ କରିଛି। ଆସିଥିଲା
ଦେଖିବାକୁ, ସେତେବେଳେ ତାର ଦାହ ହେଉଥିଲା,
ଜୁଇରେ ଜଳୁଥିଲା ତାର ଶବ। ଧାର ଧାର ଲୁହ
ଆଖିରୁ ବୁହାଇ ଦେଇ ଫେରି ଆସିଥିଲା ନିଜ ଘରକୁ।
ସବୁ କଥା ତା ବାପା ମାଆ ଜାଣିଲେ।
ପାଖ ପୋଡ଼ଶୀ କାଳେ ଜାଣିଲେ ଯିବେ, ତେଣୁ
କଥାଟାକୁ ଲୁଚାଇବାକୁ ପଢିବା ବାହାନାରେ ବାହାରେ
ରହିଲା ସେ ମାଆ ବାପା ସହିତ ଆସି। ସେ ଗର୍ଭ
ନଷ୍ଟ କରିବା ତା ଜୀବନ ପ୍ରତି ବିପଦ ଅଛି କହିଲେ
ଡାକ୍ତର। ତେଣୁ ଅତି ନିରୋଳାରେ ଆତ୍ମଗୋପନ
କରିଥିଲା ସେ ପିଲାଟି ଜନ୍ମ ହେବା ପର୍ଯ୍ୟନ୍ତ।
ଘରେ ଧାୟୀ ସମ୍ମୁଖରେ ପିଲା ପ୍ରସବ କରି
ସେ ସଜ୍ଞା ହରାଇଲା। ଆଉ ହୁସ୍ ଆସିଲା ବେଳକୁ
ତା ବାପା ମାଆ ତାକୁ କହିଲେ ମୃତ ପୁଅଟିଏ ଜନ୍ମ
ହୋଇଥିଲା। ମିଛ କହିଲେ ତାକୁ। ବହୁତ କାନ୍ଦିଲା
ସେ, ପ୍ରେରକ ଚାଲିଗଲା। ତାର ସନ୍ତକକୁ ନେଇ
ବଞ୍ଚି ଥାନ୍ତା ସେ ଅବଶିଷ୍ଟ ଜୀବନ। ସେ ବି ତା
ଭାଗ୍ୟକୁ ନିନ୍ଦିଲା। ଆଜିର ସମାଜରେ ନାରୀ
କେତେ ଅସହାୟ ସମସ୍ତେ ଥାଇ ବି ସେଇ ଦିନ
ସେ ବୁଝିଲା। ସନ୍ତାନଟିଏ ପାଇଁ ତାର ଏ ବଳିଦାନ
ଅନ୍ତରରୁ ଥିଲେ ବି ପ୍ରକାଶ୍ୟରେ ଏ କଥା କେହି
ସ୍ଵୀକାର କରିବାକୁ ନ ଥିଲେ ବା ସେ ସନ୍ତାନକୁ
ନେଇ ବଞ୍ଚିବାକୁ ଦେଇ ନ ଥିଲେ ତା ବାପା ମାଆ।
ତାର ପ୍ରତି ତାଙ୍କର ମମତା, ତାର ଭବିଷ୍ୟତ ଦେଖି
ସନ୍ତାନର ମୋହରେ ପଡି ତା ସନ୍ତାନକୁ ଦୂରେଇ
ଦେଲେ ସେମାନେ ଜାଣି ଜାଣି।
ବହୁତ ବୁଝାସୁଝା କରି ବାପାମାଆ ତାକୁ
ବାହା ଦେଇ ଦେଲେ। ଦୁଃଖର ଜୀବନ କିଛି
ବର୍ଷ ସୁଖରେ କଟିଲା। ବିବାହ ପରେ ସେ ପୁଅ ଓ
ଝିଅଟିଏର ମାଆ ହୋଇଛି।
ବହୁ ଅନୁସନ୍ଧାନ ସେ ନିଜେ ନିଜେ କରି
ଜାଣିଲା ତାର ସେ ପୁତ୍ର ସନ୍ତାନ ମୃତ ନ ଥିଲା।
ତା ବାପା ଏକ ନିଃସନ୍ତାନ ଧନୀ ପରିବାରକୁ
ଦାନ କରି ଦେଇଥିଲେ ସେ ଦିନ ସେହି ଅର୍ଦ୍ଧରାତ୍ରୀରେ।
ଯେବେ ସେ ତାର ସେ ପୁଅକୁ ଦେଖିଲଲା
ଆଉ ମାନସିକ ସ୍ଥିତି ଠିକ୍ ରହିଲା ନାହିଁ, ବଞ୍ଚି
ରହିବାଟା ତା ପାଇଁ ଅଭିଶାପ ପାଲଟି ଗଲା। ଏ
ସବୁ କାହାକୁ କହିବ, ଯିଏ ଶୁଣିବ ତାକୁ ଛି ଛାକର
କରି ଘୃଣାରେ ଆଡେଇ ଦେବେ। ଏପରି କି
ନିଜ ସ୍ବାମୀ ପୁଅ ଝିଅ ସମସ୍ତେ। ମୁଣ୍ଡ ଗୋଳମାଳ
ହୋଇ ଯାଏ ତାର। ହେ ବିଧାତ ଏ କଣ କଲୁ,
ଭଲ ପାଇବାର ପରିଣତି କଣ ଏମିତି ବି ହୋଇପାରେ।
ସନ୍ତାନଟିଏ ଜନ୍ମ ଦେଇବି ସେ କାହାକୁ କି ସମାଜ
ଆଗରେ ତାର ମାଆ ବୋଲି ପରିଚୟ ଦେଇ ପାରୁନି।
ମହାଭାରତର କୁନ୍ତୀ ପାଲଟି ଯାଇଛି ସେ। କର୍ଣ୍ଣଙ୍କୁ
ସେ ନିଜର କରି ପାରିଲେ ନା ପର। ହୃଦୟରେ
ଖାଲି କୋହ, ନୀରବ ବିଳାପ। ଅନ୍ଧାରରେ ଆଖିରୁ
ଖାଲି କରି ଚାଲିଥିଲେ ଅଶ୍ରୁ ବିସର୍ଜନ। ସେମିତି
କେତକୀ ଅବସ୍ଥା ଆଜି। ନା ମରି ପାରୁଛି ନା ବଞ୍ଚି
ପାରୁଛି ଶାନ୍ତିରେ। ଦୋଷ ଦେଇ ପାରୁନି ପ୍ରେରକକୁ
କି ତା ବାପାମାଆକୁ। ସବୁ ଦୋଷ ତାର, ସେ ପାପ
କରିଛି। ସେ ହିଁ ସେ ପାପର ଫଳ ଭୋଗିବ।
ସବୁ ଯନ୍ତ୍ରଣାର ଜହରକୁ ଅମୃତ ଭାବି ପିଇ ଯାଇ
ଥିଲା ସେ। ଛାତିକୁ ପଥର କରି ବି ସହୁ ଥିଲା। ଆଜି
କିନ୍ତୁ ସବୁ ଓଲଟ ପାଲଟ ହୋଇ ଯାଉଛି ସାରା
ଦୁନିଆଁ ତା' ଆଗରେ। ସେହି ପୁଅର ନାମ ତାର
ଅଭିନବ। ତାକୁ ଭଲ ପାଇଛି ତା ଝିଅ ମାନବୀ।
ଏ ସବୁ ଜାଣି ମାଆର ମନ କଣ ହେବ। ବାପା
ଅଲଗା ହେଲେ ବି ମାଆ ତ ସେ ନିଜେ ଦୁହିଙ୍କର।
ସଂପର୍କରେ ତା ରକ୍ତର ସେମାନେ ଭାଇ ଭଉଣୀ।
କେମିତି ଏ ସବୁ ସମ୍ଭବ ହେବ। ସବୁ ଜାଣି ସେ
ଲଜ୍ୟା ଅପମାନ ଲୋକନିନ୍ଦା ଭୟରେ ଚୁପ୍
ରହିବ କେମିତି ? ଏ ସମସ୍ୟା ଜଟିଳ ହେବା
ଆଗରୁ ସେ ସମାଧାନ କରିବାକୁ ଚାହେଁ। ଏ ସବୁ
ସେ କେମିତି ତୁଲାଇବ ବୁଝାଇବ, ତା ବାଟ
ଖୋଜି ପାଉ ନ ଥାଏ। ନିଜକୁ ନିଜେ ସମୀକ୍ଷା
କରୁଥାଏ, ନିଜକୁ ନିଜେ ଯେତେ ଦୋଷୀ ଭାବୁଥାଏ
ସେତେ ଭାଙ୍ଗି ପଡୁଥାଏ। ସନ୍ତାନ ଲାଗି ତାର କି
ଦୟନୀୟ ଦୁରବସ୍ଥା। ଯେଉଁ ସନ୍ତାନ ଜନ୍ମ ଦେଇ
ମାଆ ମାତୃତ୍ୟ ପାଇଁ ଗର୍ବ କରେ, ତା ପାଇଁ ସବୁ
ବ୍ୟତିକ୍ରମ ବିଡମ୍ଵନା।
ଶେଷରେ ସେ ଠିକ୍ କଲା ଏକ ନିରୋଳାରେ
ଅଭିନବକୁ ତାର ପୁଅକୁ ଦେଖା କରି ସବୁ କଥା
ଲେଖା ଥିବା କାଗଜଟିଏ ଧରାଇ ଦେବ । ଆଉ ସେ
ସବୁ ପଢିଲା ବେଳକୁ ନିଜକୁ ହଜେଇ ଦେବ।
ତାହା ହିଁ ହେଲା। ଅଭିନବକୁ ତାର ଜୀବନ
କାହାଣୀର ଦସ୍ତାବିଜ୍ ଧରାଇ ଦେଇ ଉତ୍କଟ ବିଷ ପିଇ
ଦେଲା ତା ଅଲକ୍ଷ୍ଯରେ। ଅଭିନବ ସବୁ ପଢି ମାଆ
ଆଡକୁ ଚାହିଁଲା ବେଳକୁ ତା ମାଆର ଶରୀର ନିସ୍ତେଜ
ବରଫ ପାଲଟି ଯାଇଥିଲା। ମୁହଁରୁ ଗରଳ ବାହାରୁ
ଥିଲା।
ଅଭିନବ କଣ କରିବ, ଉପାୟ ନ ପାଇ ଡାକ୍ତର
ଖାନାକୁ ନେଇଗଲା। ସେତେବେଳକୁ ଜୀବନ ନ
ଥିଲା ଆଉ।
ଅଭିନବ ଭାବୁଥାଏ ନିଜକୁ ସତରେ ସେ କି
ଅବାଞ୍ଚିତ ସନ୍ତାନ। ଏମିତି ଏକ ସଂପର୍କର ଅମୀମାଂସିତ ଅବସ୍ଥାରେ ରହିଗଲା। ସନ୍ତାନଟିଏ
ହୋଇ ଜନ୍ମ ହୋଇଥିଲା ସଂସାରରେ। ନିଜେ
କିଛି ବାପାମାଆଙ୍କଠାରୁ ଆଦର ପାଇଲା ନା ତାଙ୍କର
କିଛି ସେବା ଭକ୍ତି କରି ପାରିଲା। ଅଲୋଡା ସନ୍ତାନ
ସେ...
ହାତ ଯୋଡି଼ ପ୍ରଭୁଙ୍କୁ ମନେ ମନେ କହୁଥାଏ,
ହେ ବିଧାତା ! ମୋ ପରି ହତଭାଗ୍ୟ ସନ୍ତାନ କରି
କାହାକୁ ଜନ୍ମ ଆଉ ଦିଅ ନାହିଁ।