STORYMIRROR

Sasmita Mohanty

Inspirational

5.0  

Sasmita Mohanty

Inspirational

ସଂସ୍କାର

ସଂସ୍କାର

3 mins
28.1K


ସକାଳୁ ଘରର ଯାବତୀୟ କାମ ଓ ରୋଷେଇବାସ ଶେଷକରି ତରତର ହୋଇ ଅଫିସ୍ ଯିବାକୁ ପ୍ରସ୍ତୁତ ହେଉଥାଏ ମୁଁ । କେଜାଣି କାହିଁକି ଆଜି ଖାଇବାକୁ ଆଦୌ ଇଚ୍ଛା ହେଲା ନାହିଁ ।ମନଟା ବି ଭଲ ଲାଗୁ ନଥାଏ ।ତିରିଶ କିଲୋମିଟର ବାଟ ଏବେ ଯିବାକୁ ପଡିବ ବସ୍ ରେ ।ବିସ୍କୁଟ୍ ଦିଖଣ୍ଡ ଖାଇ ପାଣି ଢୋକେ ପିଇ ଯିବାକୁ ବାହାରୁଛି ବବ୍ଲୁର ଫୋନ୍ ଆସିଲା ବୋଉ ଚାଲିଗଲା ବୋଲି ।ନିଜ କାନକୁ ବିଶ୍ବାସ କରିପାରିଲି ନାହିଁ ।ଏଇତ କାଲି ରାତି ଦଶଟାରେ ବୋଉ ମୋ ସହ କଥା ହୋଇ ଶୋଇବାକୁ ଯାଇଥିଲା ।ସାନ ଭଉଣୀ ଆଉ ଦୁଇ ଦିନ ପରେ ଘରକୁ ଆସିବ ବୋଲି କହିଥିବାରୁ କେତେ ଖୁସି ଥିଲା ସେ ।ହଠାତ୍ ରାତିଟା ଭିତରେ ଏମିତି କଣ ବୋଉର ହେଲା ଯେ ସେ ଆମକୁ ଛାଡି ଚାଲିଗଲା ?

ଗାଁରେ ରହୁଥିବା ଦାଦାଙ୍କୁ ଫୋନ୍ କଲି ।ଦାଦା କହିଲେ ଡାକ୍ତର କହୁଛନ୍ତି ହାର୍ଟ ଆଟାକ୍ ରେ ମା ।ଏମିତି ମରଣ ଭାଗ୍ଯରେ ଥିଲେ ମିଳେ ।ଆମେ ଏଠି ସବୁ ଯୋଗାଡ କରୁଛୁ ।ତୁମେମାନେ ଡେରି ନକରି ଚାଲି ଆସ ।

ସାଙ୍ଗେ ସାଙ୍ଗେ ଗାଁକୁ ଯିବା ପାଇଁ ବାହାରି ପଡିଲି ।ବାଟସାରା ବୋଉ କଥା ଭାବୁ ଥାଏ ଓ ତା ପାଇଁ କିଛି ନକରି ପାରିବାର ଗ୍ଳାନିରେ ସନ୍ତୁଳି ହେଉଥାଏ ।ଆମେ ତିନି ଭଉଣୀ ।ବାପା ଗଲାପରେ ବୋଉ ହିଁ ଆମର ସବୁକିଛି ।ବହୁତ ଦୁଃଖ କଷ୍ଟ ସହି ସେ ଆମକୁ ପାଠ ପଢେଇ ମଣିଷ କରି ଭଲ ଘର ଓ ବର ଦେଖି ବାହା କରେଇଛି ।ଆମେ ସମସ୍ତେ ଯିଏ ଯାହାର ସଂସାର ନେଇ ବ୍ଯସ୍ତ ।କେବେ କେମିତି ଛୁଟୀ ହେଲେ ସମୟ କରି ଗାଁ କୁ ଯାଉ ।ବୋଉ ମଝିରେ ମଝିରେ ଆମ ପାଖକୁ ବୁଲିବାକୁ ଆସେ ।ଯେତେ ମନାକଲେ ବି ଆସିଲାବେଳେ ସାଙ୍ଗରେ ମୁଗଯାଇ,ଆଚାର,ବଡି,ମୁଢି ମୁଆଁ, ପୋଡପିଠା ଠୁ ଆରମ୍ଭ କରି କେତେ ପ୍ରକାର ପନି ପରିବା ଓ ଫଳମୂଳ ଧରି ଆସିଥାଏ ।ବୟସ ହେଲାଣି ।ଆମ ପାଖରେ ସବୁଦିନେ ରହିବାକୁ ଯେତେ କହିଲେ ବି ସେ ରାଜି ହୁଏନି ।ଓଲଟା ଆମକୁ ବ୍ଯସ୍ତ ନ ହେବାକୁ ବୁଝାଏ ।କୁହେ ଗାଁରେ ସମସ୍ତେ ଅଛନ୍ତି, ମୋର କିଛି ଅସୁବିଧା ହେଉନାହିଁ ।ହାତ ଗୋଡ ତ ଚାଲୁଛି ।ସବୁବେଳେ ଠାକୁରଙ୍କୁ ଡାକେ ଏମିତି ହାତ ଗୋଡ ଚାଲୁ ଥାଉ ଥାଉ ମୋତେ ନେଇଯାଅ ।ମୋ ପିଲାଏ ଯେମିତି ମୋ ପାଇଁ ହଇରାଣ ନହୁଅନ୍ତୁ ।ଭଗବାନ ବି ତା କଥା ଠିକ୍ ଶୁଣିଲେ ।ରୋଗ ବଇରାଗ କିଛି ନାହିଁ, ଶୋଇଥିବା ଅବସ୍ଥାରେ ହିଁ ଚାଲିଗଲା ହାର୍ଟ ଆଟାକ୍ ରେ ।ଏପରିକି ତା ପାଖରେ ଶୋଇଥିବା ବବ୍ଲୁ ବି କିଛି ଜାଣିପାରିଲାନି ।ବବ୍ଲୁ ମୋ ମାମୁଁଘର ଗାଁର ଗରୀବ, ମେଧାବୀ ପିଲାଟିଏ ।ବୋଉ ତାକୁ ପାଖରେ ରଖି ସ୍ଥାନୀୟ କଲେଜ୍ ରେ ପଢ୍ଉଥିଲା ।

ମୁଁ ଘରେ ପହଞ୍ଚିଲାବେଳକୁ ମୋର ଦୁଇ ଭଉଣୀ ଓ ଅନ୍ଯ ବନ୍ଧୁବାନ୍ଧବମାନେ ପହଞ୍ଚି ସାରିଥିଲେ ।ବୋଉକୁ ଦାହ କରିବା ପାଇଁ ସମସ୍ତ ଆୟୋଜନ ଶେଷ ହୋଇଥିଲା ।ତେଣୁ ଆଉ ବିଳମ୍ବ ନକରି ଶବଯାତ୍ରା ବାହାରି ଗଲା ।ଖୁଡୀ ଓ ଭାଉଜମାନେ ତରତର ହେଉଥିଲେ ରୋଷେଇଘର ସଫା କରି ଧୁଆଧୋଇ କରିବାକୁ ।ଆମେମାନେ ଚୁପ୍ ହୋଇ ବସିଥିଲୁ ।ଭାଉଜ ଫ୍ରିଜ୍ ଖୋଲି ଦେଖିଲେ ଦୁଇ ତିନି ପ୍ରକାର ତରକାରୀ, ଭଜା, ଖିର, ଦହି,ପନି ପରିବା ଓ ଫଳ ଏମିତି କେତେ ଜିନିଷ ଅଛି । ବୋଉ ପିଠା କରିବ ବୋଲି ପିଠଉ ବାଟି, ଛେନା ନଡିଆ ପୁରକରି ରଖିଥିଲା ।ଏସବୁ ଦେଖି ଖୁଡୀ କହିଲେ ମଣିଷ ଜୀବନ ପାଣିଫୋଟକା,କେତେବେଳେ କଣ ହେବ କହି ହେବନି ।ଅପା ଶୋଇବାକୁ ଗଲାବେଳେ କେବେ କଣ ଭାବିଥିବେ ଯମ ଆସି ଦାଣ୍ଡ ଦୁଆରେ ଅପେକ୍ଷା କରି ବସିଛି ।କେତେ ଯତ୍ନରେ ଏତେ ଜିନିଷ କରିକି ରଖିଥିଲେ ସବୁ ମାରା ହେଲା ।ଖୁଡୀ ସବୁ ଜିନିଷ ଫ୍ରିଜ୍ ରୁ କାଢି ବାହାରେ ଫୋପାଡିଦେବାକୁ ଭାଉଜଙ୍କୁ କହିଲେ ।

ଭାଉଜ କହିଲେ କାହାକୁ ଡାକି ଏସବୁ ଦେଇଦେଲେ ହେବନି ? କିଏ ଖାଇବ ଏଇ ଜିନିଷକୁ ? ଆମ ସମାଜର ସଂସ୍କାର ଅନୁସାରେ କାହାର ମୃତ୍ଯୁ ଘଟିଲେ ଘରେ ଥିବା ରନ୍ଧା ଖାଦ୍ଯ ଖାଇବା ନିଷେଧ ।ଯିଏ ଖାଇବ ସେ ଛୁଆଁ ହେବ । ।ଏହା ଶୁଣି ମୁଁ ସ୍ତବ୍ଧ ହୋଇଗଲି ।

ବୋଉ ଭଲ ରୋଷେଇ କରେ ।ନିଜେ ରାନ୍ଧି ଅନ୍ଯକୁ ଖୁଆଇବାରେ ତାର ଆନନ୍ଦ ।ଆମ ଘରେ ସବୁ ଦିନେ କେହି ନା କେହି ଖାଆନ୍ତି ।ଆମମାନଙ୍କର ଜନ୍ମଦିନ, ନୂଆବର୍ଷ ବା ଅନ୍ଯ ପର୍ବ ପର୍ବାଣୀ ଦିନମାନଙ୍କରେ ବୋଉ କାଙ୍ଗାଳୀ ଭୋଜନ କରିଥାଏ ।ଖାଦ୍ଯ ନଷ୍ଟ କରିବାକୁ ସେ ଆଦୌ ଭଲ ପାଏନି ।ସବୁବେଳେ କୁହେ କେତେ ଲୋକ ଖାଇବାକୁ ପିଇବାକୁ ନପାଇ ଅନାହାରରେ ମୃତ୍ଯୁବରଣ କରୁଛନ୍ତି ।ଆମକୁ ଠାକୁରେ ଖାଇବାକୁ ଦେଇଛନ୍ତି ବୋଲି ଆମେ ଖାଦ୍ଯ ନଷ୍ଟ କରି ଅନ୍ନର ଅପମାନ କରିବା ଉଚିତ୍ ନୁହେଁ ।ଲକ୍ଷ୍ମୀ ଠାକୁରାଣୀ ଦ୍ରୋହ କରିବେ ।ଘରୁ ଲକ୍ଷ୍ମୀ ଛାଡି ଯିବ ।ଘରର ଶିରୀ ତୁଟି ଯିବ ।ଦୁଃଖି,ରଙ୍କି,ଯୋଗୀ କି ଭିକାରୀ କେହି କେବେ ଆମ ଦୁଆରୁ ଖାଲି ହାତରେ ଫେରନ୍ତିନି । ଘରପୋଡି, ବନ୍ଯା ଓ ବାତ୍ଯା ଆଦି ବିପତ୍ତି ସମୟରେ ବୋଉ ମଧ୍ଯ ଲୁଗାପଟା ଖାଦ୍ଯ ପଦାର୍ଥ ସଂଗ୍ରହ କରି ଗାଁ ପିଲାଙ୍କ ସାହାଯ୍ଯରେ ରିଲିଫ୍ ପଠାଏ ।

ହଠାତ୍ ମୋ ମନକୁ ଗୋଟିଏ କଥା ଅସ୍ଥିର କଲା । କଣିକାଏ ଦାନା ନଷ୍ଟ କରୁ ନଥିବା ମୋ ବୋଉ ଆଜି ଆମକୁ ଛାଡି ଚାଲିଗଲା ବୋଲି ଆମେ ଏତେ ଖାଦ୍ଯ ପଦାର୍ଥ ଫୋପାଡି ଦେବା ?ଏହା ଦେଖି ତାକୁ କେତେ କଷ୍ଟ ହେବ? ଆଜି ବୋଉ ଥିଲେ କେତେ ଖୁସିରେ ଆମକୁ ନିଜ ହାତରେ ଏଇ ଖାଦ୍ଯ ସବୁ ବଳେଇ ବଳେଇ ଖୁଆଉ ଥାଆନ୍ତା ।ଏଇଟା କି ପ୍ରକାର ନୀତି ?କି ଅଦ୍ଭୂତ ସଂସ୍କାର ଆମର ! ଜଣେ ମରିଗଲେ ତାର ସ୍ନେହ, ପ୍ରେମ, ବିଶ୍ବାସ, ନୀତି, ଆଦର୍ଶ, ବିଚାରଧାରା ସବୁ କଣ ମୂଲ୍ଯହୀନ ହୋଇଯାଏ ?ମନ ମୋର ବିଦ୍ରୋହ କରି ଉଠିଲା ।ତାଛଡା ଆଜିଠୁ ତ ବୋଉ ହାତରନ୍ଧା ଆମ ପାଇଁ ସାତ ସପନ ହେଇଯିବ ।ତେଣୁ ଏହି ଖାଦ୍ଯକୁ ନ ଫୋପାଡି ଆମେ ଖାଇଲେ କଣ ବା କ୍ଷତି ହେବ ?ବୋଉର ଆତ୍ମା ଏହା ଦେଖି ନିଶ୍ଚୟ ଖୁସି ହେବ । ମୋ ସହ ଭଉଣୀମାନେ ଏକମତ ହେଲେ ।ମୁଁ ଖୁଡୀଙ୍କୁ ଖାଇବା ଜିନିଷକୁ ନଫୋପାଡି ଫ୍ରିଜ୍ ରେ ରଖିଦେବାକୁ କହିଲି ।

ମୋ କଥା ଶୁଣି ଖୁଡୀ ଆଶ୍ଚର୍ଯ୍ଯ ହୋଇ ମତେ ଚାହିଁଲେ ।କିଛି ସମୟ ନୀରବ ରହି ମୋ ମୁଣ୍ଡକୁ ଆଉଁଶି ଦେଇ କୋହଭରା କଣ୍ଠରେ କହିଲେ ବୋଉଙ୍କୁ ହରେଇ ତୁମ ମୁଣ୍ଡ ଖରାପ ହୋଇଗଲାଣି ।

ମୁଁ କିଛି ନଶୁଣି ଖାଇବା ଜିନିଷଗୁଡିକୁ ଫ୍ରିଜ୍ ରେ ସଜାଡି ରଖୁଥିଲି ।ମୋ ଆଖି ଆଗରେ ବୋଉର ହସ ହସ ମୁହଁଟି ଭାସି ଉଠୁଥିଲା ।


Rate this content
Log in

Similar oriya story from Inspirational