ସଂଗ୍ରହାଳୟ
ସଂଗ୍ରହାଳୟ
ବାର ବର୍ଷରେ ଥରେ ଆମ ଘରେ ଲକ୍ଷ୍ମୀ ପୂଜା ହୁଏ, କାରଣଟା ମୁଁ ଜାଣିନି। ଆସନ୍ତା କାଲି ବାର ବର୍ଷ ପୁରୁଛି, ପୂଜା ହେବ ଆମ ଘର ଅଗଣାରେ। ବୋଉ ଆଉ ଉଠି ବସି ପାରୁନି। ତଥାପି ପୂଜା କରିବାର ଇଚ୍ଛା ତାକୁ ବିଚଳିତ କରୁଛି। ପିଉସୀ ପୁଅ ମାନଙ୍କୁ ଲକ୍ଷ୍ମୀ ପୂଜାର ଜିମା ଦେଇଛି। ମୋଟା ମୋଟି ସବୁ ବନ୍ଦୋବସ୍ତ ସରିଛି।
ସ୍ବାମୀଙ୍କୁ ନେଇ ପ୍ରଥମ ଥର ମୁଁ ବୁଲି ଆସିଛି ମୋ ବାପା ଘରକୁ ବିବାହର ପ୍ରାୟ ପାଞ୍ଚ ବର୍ଷ ପରେ। ଆଣ୍ଡାମାନରେ ସେ କାମ କରନ୍ତି। ବିଦେଶ ନ ହେଲେ ବି ବିଦେଶ ପରି ଲାଗେ। ବୋଉ କିନ୍ତୁ ଭାବୁଛି ଆମେ ବିଦେଶରୁ ସାତ ଦରିଆ ପାରି ହେଇ ଆସିଛୁ। ଭାରି ଖୁସି ମୋ ବୋଉ। ବାପାଙ୍କ ମୃତ୍ୟୁ ପରେ ପାଞ୍ଚ ବର୍ଷ କାମ କଲି ମୁଁ ଗ୍ରାମ୍ୟ ସମବାୟ ସମିତି ବେଙ୍କରେ। ସବୁ ଦରମା ଲଗେଇ ଦେଲି ଏଇ ଘର ପାଇଁ। ସେତେ ଆଧୁନିକ ନ ହେଲେ ବି ମୋତେ କିନ୍ତୁ ସୁନ୍ଦର ଲାଗୁଥିଲା ଆମ ଘରଟା। ଛାତ ଉପରେ ବସି ଆମେ ଚା ପିଉଥିଲୁ। ଗ୍ରାମ୍ୟ ପ୍ରକୃତିର ମଜା ନେଉଥିଲୁ ଛାତ ଉପରୁ।
ଶରତ ଆକାଶରେ ଜହ୍ନ ତାର କାୟା ବିସ୍ତାର କରି ଚାଲିଥିଲା ଆଗକୁ। ଦୂର ଦିଗବଳୟ ପର୍ଯ୍ୟନ୍ତ ଡେଣା ମେଲି ବସିଛି ଜୀବନ୍ତ ଆକାଶଟା। ଧାନ ଜମିରୁ କେଁ କଟର ଶବ୍ଦ ଆସି କାନ ଭିତରେ ଠୁଳ ହେଉ ଥିଲା। ବିଶାଳକାୟ ଶବ୍ଦର ପାହାଡ ଟିଏ କେତେବେଳେ ନିର୍ମିତ ହେଲା ମୋ କାନ ଭିତରେ, ମୁଁ ଜାଣି ପାରିନି।
ସଂଜ ବଇଠା ର ସମୟ। ଗାଆଁର କୋଉ ଏକ ଘରୁ ଶଙ୍ଖ ଶବ୍ଦ ଶୁଭିଲା ଯେ ସାରା ଗାଆଁ ରେ ଶଙ୍ଖ ବାଜିଲା। ଭାଗବତ ଟୁଙ୍ଗିରୁ ଭଜନ କୀର୍ତ୍ତନ ର କୋଳାହଳ ଭିତରେ ଗାଆଁ ମୁଣ୍ଡରେ ଥିବା ମସଜିଦରୁ ସନ୍ଧ୍ୟା ପ୍ରାର୍ଥନାର ଶବ୍ଦ ବି ପରିପ୍ରକାଶ କରୁଥିଲା ନିଜର ଅସ୍ତିତ୍ବ କୁ ...
ବିଜୟଙ୍କୁ ଅଦ୍ଭୁତ ଲାଗୁଥିଲା ଏଇ ପରିବେଶ ଟା।
ଆହୁରି ବିମୋହିତ ହୋଇ ଉଠିଲେ ସେ ଯେତେବେଳେ ତାଙ୍କୁ ଆମ ଘରେ ଥିବା ଗୋଟାଏ ସଂଗ୍ରାହଳୟ ଭିତରକୁ ନେଇଗଲି। ଅଦ୍ଭୁତ ଏଇ ସଂଗ୍ରହାଳୟ, ମୋ ବାପାଙ୍କ ଉଦ୍ଦେଶ୍ୟରେ। ତାଙ୍କର ସବୁ ଜିନିଷ ମୁଁ ସାଇତି ରଖିଛି ଅତି ଯତ୍ନରେ। ତାଙ୍କ ଜନ୍ମରୁ, ମୃତ୍ୟୁ ପର୍ଯ୍ୟନ୍ତ ସବୁ କିଛି। ମୁଁ ନିଜେ ହିଁ ସଂଗ୍ରହ କରିଛି ତାଙ୍କ ଦୈନନ୍ଦିନ ଜୀବନରେ ଘଟିଥିବା ଘଟଣାର ପ୍ରତୀକ ସବୁ। ଘଟଣା ସବୁ ସମୁଦ୍ରର ଲହଡ଼ି ପରି, ଗୋଟାଏ ପରେ ଗୋଟେ ଆସି ବେଳାଭୂଇଁ କୁ ଛୁଇଁଯାଏ। ସବୁ ଲହଡ଼ି କୁ ମନେ ରଖି ହୁଏନି। ମନକୁ ଛୁଇଁ ଯାଇ ଥିବା ବାପାଙ୍କ ପ୍ରତିଟି ଘଟଣା କିନ୍ତୁ ମନ ଭିତରେ ରହିଯାଏ। ଏଇ ସଂଗ୍ରହାଳୟ ଟା କିଛି ନୁହଁ, ତାଙ୍କର ପ୍ରତିଟି ଘଟଣାକୁ ମନ ଭିତରୁ ବାହାର କରି ଘର ଭିତରେ ସଜେଇ ରଖିବାର ଏକ ପ୍ରଚେଷ୍ଟା ମାତ୍ର। ଗୋଟାଏ ଲମ୍ବା ହଲ, କାଚ ବାକ୍ସରେ ସଜା ହେଇ ରହିଛି ସବୁ କିଛି କାନ୍ଥ ଧାରେ ଧାରେ।
ବାପା ତାଙ୍କ ପିଲାଦିନର ଭଙ୍ଗା ସ୍ଲେଟ୍ ନିଜେ ହିଁ ସାଇତି ରଖିଥିଲେ। ଦେଖେଇଲି ବିଜୟଙ୍କୁ। ଆମ ଚାଷ ଜମିରେ ଅଜସ୍ର ପରିଶ୍ରମ ପରେ ଝାଳ ନାଳ ହୋଇ ଯୋଉ ଗାମୁଛାରେ ଦେହ ପୋଛି ହୁଅନ୍ତି ସେଇ ଗାମୁଛା ବି ରହିଛି। କାଚ ବାକ୍ସର ଦ୍ଵାର ଖୋଲି ଦେଲି, ଗାମୁଛାରେ ଛୁପି ଥିବା ବାପାଙ୍କ ଦେହର ବାସ୍ନା ଖେଳି ଗଲା ଘର ସାରା। ଆଖି ବନ୍ଦ କରି ଅନୁଭବ କଲି ମୋ ବାପାଙ୍କୁ। ତାଙ୍କର ପାନ, ଗୁଡ଼ାଖୁ ଡବା, ଡାବର୍ ଟୁଥ୍ ପାଉଡରଠୁ ଆରମ୍ଭ କରି ହୁକା ପର୍ଯ୍ୟନ୍ତ ସବୁ କିଛି ସଜେଇ ମୁଁ ରଖିଛି କାଚ ବାକ୍ସ ଭିତରେ। ଲୁଙ୍ଗି, ଧୋତି, ଗାଆଁ ଭାଗବତ ଟୁଙ୍ଗି କୁ ପିନ୍ଧି ଯାଉଥିବା କୁର୍ତ୍ତା ପାଇଜାମା ଦେଖି ବିଜୟ ଆଶ୍ଚର୍ଯ୍ୟ ହେଲେ। ତାଙ୍କ ପ୍ରିୟ କଂସା ଥାଳି, ଗ୍ଲାସ୍ ଓ ତାଟିଆ କୁ ସଜେଇକି ରଖିବାକୁ ମୁଁ ଭୁଲି ନାହିଁ। ପୁରୁଣା କାଳିଆ ଷ୍ଟିଲ ନିର୍ମିତ ରେଜର, ତାଙ୍କ ନଖ କଟା ବ୍ଲେଡ ଭିତରେ ତାଙ୍କ ଜୀବନର ଆଖି ଦେଖା କିଛି ମୁହୂର୍ତ୍ତ ମୋ ମାନସ ପଟକୁ ଆନ୍ଦୋଳିତ କରୁଥିଲା। କିଛି କଥା ଭିତରେ କୋଉଠି ନା କୋଉଠି ମନ ଲୁଚି ରହିଥାଏ। ଜୀବନର କିଛି ଭାବପ୍ରବଣ ମୁହୂର୍ତ୍ତ ଲୁଚି ହୋଇ ରହି ଥାଏ କିଛି ବସ୍ତୁ ଭିତରେ। ପ୍ରତି କ୍ଷଣ, ପ୍ରତି ଘଟଣାର ସମାହାର ହିଁ ଜୀବନ ବୋଧେ...
ଶେଷ କମ୍ପାର୍ଟ ମେଣ୍ଟ ଦେଖି ବିଜୟ କିଛି ବୁଝି ପାରୁ ନ ଥିଲେ, ମୁଁ କହିଲି, ବିଜୟ !
ଆମ ତିନି ଭଉଣିଙ୍କ ସହ ବାପାଙ୍କ ଫଟୋ ଦେଖ। ଆମେ ତିନି ଜଣ ରିଡିଂ ଗ୍ଲାସ୍ ପିନ୍ଧିଛୁ। ଆମକୁ ପାଖ ଜିନିଷ ଦେଖା ଯାଏନି। ବାପା ମଧ୍ୟ ଦେଖି ପାରନ୍ତି ନାହିଁ ପାଖ ଜିନିଷ। ବଂଶ ଗତ ଥିଲା ବୋଧେ ରୋଗଟା। କେତେ କହିବା ପରେ ବି ବାପା ନିଜ ପାଇଁ ଚଷମା କିଣିଲେ ନାହିଁ। କେତେବେଳେ କିଛି ପଢିବାକୁ ଥିଲେ ଆଖି ଆଗରେ ଯାହାର ଚଷମା ପଡ଼ିଯାଏ ତାକୁ ଉଠାଇ ନିଅନ୍ତି। ଗୋଟାଏ ଅସହାୟତା ବାରମ୍ବାର ମୋ ମନକୁ ଛୁଇଁ ଯାଉଥାଏ। ଜାକି ଜୁକି ହେଇ ଜର୍ଜରିତ ମନଟା ଶୋଇଯାଏ ମୋ ଭିତରେ, ମୁଁ କଷ୍ଟ ପାଏ। ବାର ବାର ପଚାରିବାରୁ ଥରେ ବିରକ୍ତ ହୋଇ କହିଲେ ଗୋଟାଏ ଚଷମା ଦାମ୍ କେତେ ଜାଣିଛୁ, ଶହେ କୋଡିଏ। ଆମ ଚଷମା କିଣା ପାଇଁ କିନ୍ତୁ ତିନି ଦିନ ମୂଲ ଲାଗିଥିଲେ ମୋ ବାପା। ଆଖି ଓଦା ହେଇ ଆସିବା ଆଗରୁ ନିଜକୁ ନିୟନ୍ତ୍ରଣ କରିନେଲି, ବିଜୟ ଙ୍କୁ କାଳେ ଖରାପ ଲାଗିବ।
ହଁ ବିଜୟ ! ବାପାଙ୍କ ଆଖିକୁ ଧ୍ୟାନ ଦେଇ ଦେଖ। ସେ ପିନ୍ଧି ଥିବା ଚଷମାରେ କାଚ ନାହିଁ। ଷ୍ଟୁଡିଓରେ ଏମିତି ସବୁ ଚଷମାର ବ୍ୟବସ୍ଥା ଥାଏ । ଫଟୋ ଟିକୁ ଦେଖିଲେ ଆମେ ତିନି ଭଉଣି ଯେତିକି ହସୁ, ସେତିକି କାନ୍ଦୁ ମଧ୍ୟ। ଅସହାୟତା ଭିତରେ ନିଜର ଏକାନ୍ତ ଆତ୍ମୀୟଙ୍କୁ ଖୁସି କରିବାକୁ ରାସ୍ତା କଣ ସମସ୍ତେ ଖୋଜି ପାରନ୍ତି ବିଜୟ !! କେବଳ ବାପା ମାନେ ହିଁ ପାରନ୍ତି। କେତେବେଳେ ମୂଲ ଦେଇକି ତ କେତେବେଳେ ନିଜକୁ ବିକ୍ରି କରି ଦେଇ। ସେମାନଙ୍କ ସ୍ୱାଭିମାନ କିନ୍ତୁ ଦୁଃଖର ଆବରଣ ତଳେ ଜୀବାଶ୍ମ ପାଲଟି ଯାଏ ସିନା ବିକ୍ରି ହୁଏନି....
ପାଖରେ ଦେଖ ତିନୋଟି ଚଷମା ରଖା ହେଇଛି। ଜାଣିଛ ବିଜୟ !ଏଇ ତିନୋଟି ଚଷମା ବାପାଙ୍କର। ତମେ ପୁଣି ପଚାରିବ, ତାଙ୍କର ତ ଚଷମା ନ ଥିଲା, ଏସବୁ କୁଆଡୁ ଆସିଲା। ହଁ, ତିନି ଚଷମା ପଛରେ ଗୋଟେ କାହାଣୀ ଅଛି। ସେଦିନ କୁଆଡେ ବାପାଙ୍କ ବିବାହ ବାର୍ଷିକୀ ଥିଲା। ନା ଆଗରୁ ସେ କେବେ ପାଳି ଥିଲେ, ନା ଆମେ ତାଙ୍କ ବିବାହ ଦିନକୁ ମନେ ରଖି ଥାଉ। ମୁଁ ଘରେ ଥାଏ ସେଦିନ, ସାନ ଭଉଣୀ ଦୁଇ ଜଣ ସହରରେ କାମ କରୁଥିଲେ, ଦୁଇଟି ଛୋଟ ଛୋଟ କମ୍ପାନୀରେ। ହଠାତ ଦିନେ ବାପା ସମସ୍ତଙ୍କୁ ଡାକିଲେ, କହିଲେ ଆଜି ଆମ ବିବାହ ବାର୍ଷିକୀ। ଆସିବାକୁ କେହି ଭୁଲିବନି। ଆଶ୍ଚର୍ଯ୍ୟ ହେବ, ଆମେ ତିନି ଭଉଣି ବାପାଙ୍କ ପାଇଁ ଚଷମା ହିଁ କିଣି ଥିଲୁ। ଆମେ ପରସ୍ପର କେହି କଥା ହେଇ ନ ଥିଲୁ ଘରକୁ ଆସିବା ଆଗରୁ। କେତେ ବଡ ସଂଯୋଗ ଥିଲା ଦେଖ। ଦୂରରେ ଥାଇ ସନ୍ତାନର ସାମାନ୍ୟତମ କଷ୍ଟରେ ବାପା ମାଆଙ୍କ ଗଳା କାଟେ, କାଶ, ଛିଙ୍କ ହୁଏ ଯେମିତି ବାପା ବୋଉଙ୍କ ଜରୁରୀ କିଛି ଆବଶ୍ୟକତା ସନ୍ତାନ ମାନଙ୍କୁ ବିବ୍ରତ କରାଏ। ସେଇଥି ପାଇଁ ବୋଧେ ଆମେ ସମସ୍ତେ ବାପାଙ୍କ ଚଷମା କଥା ହିଁ ଭାବିଥିଲୁ।
ପାଖରେ ଦୁଇ ପଟ ରୂପା ଚୁଡି ପଡ଼ିଥାଏ।
ବିଜୟ ! ତମେ ନିଶ୍ଚୟ ଭାବୁଥିବ ବାପାଙ୍କ ଉଦ୍ଦେଶ୍ୟରେ ନିର୍ମିତ ସଂଗ୍ରହାଳୟ ରେ ଚୁଡି ରହିଛି କାହିଁକି ?
ହଁ ଏହା ପଛରେ ବି ଏକ ରହସ୍ୟ ଅଛି, ହ୍ରୁଦୟ ବିଦାରକ ସେଇ ରହସ୍ୟ ଟା।ବିବାହ ବାର୍ଷିକୀ ଦିନ ମୋ ବାପା ବୋଉ କୁ ଉପହାରରେ ଦେଇଥିଲେ ଏଇ ଚୁଡିଟି। ମୋ ବୋଉ ଭାରି ଖୁସି ଥିଲା ସେଦିନ। ସପ୍ତାହକ ଭିତରେ ବାପା ଆମକୁ ଛାଡି ଚାଲିଗଲେ। ସୁସ୍ଥ ମଣିଷ, ହଠାତ୍ କଣ ହେଲା କେଜାଣି !! ଚୁଡି ପିନ୍ଧିବା ଆଉ ହେଇ ପାରିଲାନି ମୋ ବୋଉର।ବୋଉକୁ ଅନେଇଲି, ଲୁଗା କାନିରେ ଆଖି ପୋଛି ହେଉଥାଏ ସେ। କୋଳେଇ ନେଲି ମୋ ବୋଉକୁ।
ଏତେ ବଡ ସଂଗ୍ରାହଳୟ ବାପାଙ୍କ ଉଦ୍ଦେଶ୍ୟରେ !!! ବିଜୟ ପଚାରିଲେ...ହଁ, ସଂଗ୍ରହାଳୟ କଣ ଖାଲି ମହାତ୍ମା ଓ ମହାପୁରୁଷ ଙ୍କ ପାଇଁ ଉଦ୍ଦିଷ୍ଟ ??ମୋ ବାପା ମୋ ପାଇଁ ମହାପୁରୁଷ, ପ୍ରେରଣା ଦାୟକ। ଗରମ ପାଣିରେ ମୁଁ ଗାଧୋଇବା ପୂର୍ବରୁ ବାର ବାର ପାଣିକୁ ଛୁଅନ୍ତି ମୋ ବାପା, କୁଆଡେ ଅଧିକ ଗରମ ଯୋଗୁଁ ମୋତେ କଷ୍ଟ ହେବ। ପେଟ କାଟୁଥିଲେ, ରାତିରେ ନ ଶୋଇ ବାର ବାର ପଚାରି ହୁଅନ୍ତି ପେଟ କେମିତି ? ମୋ ଦେହରୁ ରକ୍ତ ଝରିଲେ ତା ଠାରୁ ଅଧିକ ଲୁହ ବୋହିଯାଏ ତାଙ୍କ ଆଖିରୁ। ସେ ହେଉଛନ୍ତି ମୋ ବାପା, ମହାପୁରୁଷ ମୋ ପାଇଁ....ଏବଂ ଏଇ ସଂଗ୍ରାହଳୟ ଟି ତାଙ୍କ ପାଇଁ ଉଦ୍ଦିଷ୍ଟ। ବଞ୍ଚିଥିବା ପର୍ଯ୍ୟନ୍ତ ଖାଲି ଯେ ମୁଁ ପ୍ରେରଣା ପାଇବି ତାହା ନୁହେଁ ଆସନ୍ତା କେତେ ପିଢ଼ି ପର୍ଯ୍ୟନ୍ତ ପ୍ରେରଣାର ଉତ୍ସ ହେଇ ରହିବ ଏଇ
ସଂଗ୍ରାହଳୟଟି।ବିଜୟ ମୋତେ ଖୁସିରେ କୋଳେଇନେଲେ। ସେଆଡେ ଢୋଲ ମୃଦଙ୍ଗ କରତାଳିରେ ଫାଟି ପଡୁଥିଲା ଆମ ଘର ଅଗଣା। ଲକ୍ଷ୍ମୀ ପୂଜାର ମୁହୂର୍ତ୍ତ ଆରମ୍ଭ ହେଇ ସାରିଥିଲା ବୋଧେ....
