STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Inspirational

4  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Inspirational

ସଙ୍ଗରୋଧର ସମୟ-୧୬

ସଙ୍ଗରୋଧର ସମୟ-୧୬

2 mins
23.5K

ପ୍ରିୟ ଡାଏରୀ,

ସଙ୍ଗରୋଧର ଏଇ ସମୟରେ ସାକ୍ଷାତ ଈଶ୍ୱର ବି ପହଂଚି ଯାଇ ପାରନ୍ତି କାହା ଘରେ!

*****

ଲକଡାଉନ ଅପ୍ରେଲ ୩୦ ଯାଏ ବଢାଇ ଦେଇଛନ୍ତି ରାଜ୍ୟ ସରକାର।ଲକଡାଉନ ସତ୍ତ୍ୱେ କରୋନାର ସଂକ୍ରମଣ ତଥାପି ବଢ଼ି ଚାଲିଛି।ସେଇଥିପାଇଁ ଲକଡାଉନର ସମୟସୀମା ବଢ଼ାଇ ଦିଆଯାଇଛି।

ଲକଡାଉନ ବଢିବା ସହ ବଢିଛି ଦୁଃଖ, ଅସୁବିଧା ଓ ଯନ୍ତ୍ରଣା।ଗରିବ ଲୋକମାନଙ୍କ ମେରୁଦଣ୍ଡ ତ ବଙ୍କା ହୋଇ ସାରିଛି।ଦୁଇ ବେଳା ଦୁଇ ମୁଠା ଦାନା ଯୋଗାଡ଼ କରିବା ହୋଇ ପଡିଛି ଏକ ଆହ୍ୱାନ।

ସନିଆର ଚିନ୍ତା ସରୁ ନଥିଲା।ଏଇ ଦୁଃଖର ଶେଷ କେବେ?ତାକୁ କରୋନା ସଂକ୍ରମଣ ହେବ କି ନାହିଁ, ତାହା ପର କଥା।କିନ୍ତୁ ଭୋକ ବିକଳରେ ମରିଯିବ ତାର ପରିବାର।ଲକଡାଉନ ଦିନରୁ ସେ ଯାଇ ପାରୁନି କାମକୁ।ସୁମି ବି ଯାଇ ପାରୁନି ପାଇଟି କରିବା ପାଇଁ ବାବୁମାନଙ୍କ ଘରକୁ।ପିଲା ଦୁହିଁଙ୍କୁ ମିଶାଇ ଚାରି ଜଣ ସେମାନେ।ସରକାରୀ ତାଲିକାରେ ସେ ଗରିବ ନୁହେଁ।ତାକୁ ବିପିଏଲ କାର୍ଡ ମିଳି ନାହିଁ।କର୍ପୋରେଟର ଏଥିପାଇଁ ପାଞ୍ଚ ହଜାର ଟଙ୍କା ମାଗି ଥିଲା ଯେ ସେ ଦେଇ ପାରିଲା ନାହିଁ।

ବାହାରେ ଜଳାଉଥିବା ଖରା।ପେଟରେ ଜଳାଉଥିବା ଭୋକ।ସ୍ୱାମୀ ସ୍ତ୍ରୀ ଦି ଜଣ ମନ ମାରି ବସିଚନ୍ତି ଘରେ।

କେହିଜଣେ କବାଟ ଠକ ଠକ କଲା ଏତିକି ବେଳେ।"କିଏ....ଏ ଅସମୟରେ?"ସୁମି ପଚାରିଲା।

-"କବାଟ ଖୋଲି କି ଦେଖ।ହୁଏତ ଈଶ୍ୱର ଆସିଛନ୍ତି।"ସନିଆ ଉତ୍ତର ଦେଲା।

କବାଟ ଖୋଲି ଚମକି ପଡ଼ିଲା-"ସାହେବ.... ଆପଣ?"

ସନିଆ ବି ଉଠି ଆସିଥିଲା ବସିବା ଜାଗାରୁ।ଯେଉଁ ବାବୁଙ୍କ ଘରେ ବାସୀ ପାଇଟି କରିବାକୁ ଯାଏ ସୁମି, ସେ ହିଁ ଛିଡ଼ା ହୋଇଥିଲେ।ହାତରେ ଦୁଇଟି ବ୍ୟାଗଭର୍ତ୍ତି ଖାଦ୍ୟ ସାମଗ୍ରୀ।

-"ଚିନ୍ତାରେ ଥିଲି,ତୁମେ ମାନେ କେମିତି ଚଳୁଥିବ।ନିଅ ଏ ସବୁ ରଖ।"ଈଶ୍ୱର ହିଁ କହୁଥିଲେ ଯେମିତି।ସୁମି ବ୍ୟାଗ ଦୁଇଟି ଆଣିଲା ତାଙ୍କ ହାତରୁ ଓ ପ୍ରକାଶ କଲା କୃତଜ୍ଞତା-"ଆପଣ ସାକ୍ଷାତ ଈଶ୍ୱର, ସାହେବ!"ତା ଆଖିରେ ବୋଧେ ଲୁହ ଚାଲି ଆସିଲା।

ସନିଆ ଛିଡ଼ା ହୋଇଥିଲା ନିର୍ବାକ ହୋଇ।ସାହେବ ମନିପର୍ସ ବାହାର କଲେ ଓ ଦୁଇ ହଜାର ଟଙ୍କା ବଢ଼େଇ ଦେଲେ ସୁମି ହାତକୁ,"ଏ ପଇସା ରଖିଥାଅ।ଦୁଃଖର ଏଇ ଦିନ ସବୁ ସରି ଯିବ ଶୀଘ୍ର।ଆମକୁ ଦମ୍ଭ ଧରି ଏ ପରିସ୍ଥିତିର ମୁକାବିଲା କରିବାକୁ ହେବ।ଘରେ ରୁହ ସମସ୍ତେ।ଲକଡାଉନ ସରିବା ଯାଏ।"

-"ଆପଣଙ୍କୁ ଧନ୍ୟବାଦ, ଆଜ୍ଞା।"ସନିଆ ହାତ ଯୋଡ଼ିଲା।ସୁମି ତଥାପି ଦିଶୁଥିଲା କାନ୍ଦ କାନ୍ଦ।

ଦୁଃଖର ଦିନ ସବୁ କେବେ କେବେ ଭାରି ଅନ୍ତରଙ୍ଗ ଲାଗନ୍ତି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational