ସଙ୍ଗରୋଧର ସମୟ-୧୦
ସଙ୍ଗରୋଧର ସମୟ-୧୦


ପ୍ରିୟ ଡାଏରୀ,
ସଙ୍ଗରୋଧର ସମୟ ଅନେକଙ୍କ ପାଇଁ ହେବାକୁ ଯାଉଛି ଆହୁରି କଠିନ।କରୋନାର ଆତଙ୍କ ଠାରୁ ପେଟର ଭୋକ ହୋଇ ଉଠୁଛି ବେଶୀ ଯନ୍ତ୍ରଣାଦାୟକ।ଏ ଦୁଃଖର ଶେଷ କେବେ?
*******
ଲକଡାଉନରେ ସମ୍ଭଳା ପଡ଼ିଲାନି ଯେ ସରକାର ସଟଡାଉନ ଘୋଷଣା କଲେ ଭୁବନେଶ୍ୱର, କଟକ ଓ ଭଦ୍ରକରେ। ଓଡ଼ିଶାର ଏଇ ସବୁ ଜାଗାରେ ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ।ସବୁ କିଛି ବନ୍ଦ ରହିବ।କର୍ଫ୍ୟୁ ପରି ଅବସ୍ଥା।
ଲକଡାଉନ ଅମାନ୍ୟ କରି ବିନା କାରଣରେ ବାହାରେ ବୁଲୁଥିଲେ କିଛି ଲୋକ।ସେଇମାନଙ୍କୁ ସାବାଡ଼ କରିବାକୁ ଯେମିତି ସଟଡାଉନର ଏଇ କଠୋର ବ୍ୟବସ୍ଥା।କେହି ବାହାରକୁ ବାହାରିଲେ ତାକୁ ଜବରଦସ୍ତ ଚଉଦ ଦିନର ସଙ୍ଗରୋଧରେ ରଖାଯିବ ପୋଲିସ ହେପାଯତରେ।
ସହର ସାରା ପଇଁତରା ମାରୁଚି ପୋଲିସ।ଖାଇ ଗୋଡେଇଲା ପରି ନୀରବତା ଚାରିଆଡ଼େ।
ଲୋକଟିଏ ବୁଲୁଥିଲା ବେଧଡକ।ପୋଲିସ ଦଳେ ଘେରି ଗଲେ ତାକୁ। ହଡ଼ବଡେଇ ଗଲା ଲୋକଟି। ଏମିତି ତ ସେ ଦିଶୁଥିଲା ରୋଗୀଣା। ଦି ଦିନ ଧରି କିଛି ଖାଇନି ଯେମିତି। ଆଖି ଯୋଡ଼ିକ ତାର ପଶି ଯାଇଛି କୋରଡରେ। ତଥାପି ତାକୁ ଦୟା ଦେଖାଇଲାନି ପୋଲିସ। ପାହାରେ କସି ଦେଲା ପିଠିରେ ଓ କହିଲା,"କୁଆଡ଼େ ବୁଲୁଚୁ ରେ ହାରାମଜାଦା?"
ଲୋକଟି ଆଃ କରି ଉଠିଲା ଯନ୍ତ୍ରଣାରେ। ହାତ ଯୋଡ଼ିଲା ଵିନୀତ ମୁଦ୍ରାରେ।କିନ୍ତୁ କିଛି କହିଲା ନାହିଁ।
-"ବସ ଗାଡ଼ିରେ।ଜବରଦସ୍ତ ଚଉଦ ଦିନ ରହିବୁ କ୍ୱାରେଣ୍ଟାଇନରେ।"ପୋଲିସ ଜଣକ ନିର୍ଦ୍ଦେଶ ଦେଲା।
ଲୋକଟି ନୀରବରେ ବସିଲା ଗାଡ଼ିରେ। ମନେ ମନେ ଭାବିଲା,ଚଉଦ ଦିନ ପାଇଁ ପେଟ ଚିନ୍ତା ତ ଗଲା ଏବେ। କରୋନାର ଆତଙ୍କ ଠାରୁ ବେଶୀ ଯନ୍ତ୍ରଣାଦାୟକ ପେଟର ଭୋକ।