Subhalaxmi Nayak

Inspirational

4  

Subhalaxmi Nayak

Inspirational

ସଙ୍ଗୀତା

ସଙ୍ଗୀତା

3 mins
1.0K


ବୋଉ କୁହେ ସମୟ ଆଉ ବୟସ କାହାରିକୁ ଅପେକ୍ଷା କରେ ନାହିଁ । ଆଗକୁ ବଢ଼ି ଚାଲେ । ସତରେ ହେତୁ ପାଇବା ପରଠାରୁ ସଙ୍ଗୀତା ବୋଉର ସବୁ ଉପଦେଶକୁ ମର୍ମେ ମର୍ମେ ହୃଦୟଙ୍ଗମ କରି ଚାଲିଛି । ପାଠପଢ଼ା ସରିବା ଆଗରୁ ତା ଜୀବନରେ ଏପରି ଏକ ଘଟଣା ଘଟିଲା, ତାର ଜୀବନର ସବୁଠାରୁ ବଡ଼ କଷ୍ଟଦାୟକ ମୋଡ଼ ଥିଲା ।


ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ପଢ଼ୁଥାଏ । ସ୍ନାତକ ଶିକ୍ଷା ଶେଷ ହେବା ପାଇଁ ଆଉ ମାତ୍ର ଛଅ ମାସ ସମୟ ଥାଏ । ହଠାତ୍ ଗୋଟିଏ ଅଦ୍ଭୁତ ରୋଗ ଚୀନ ଦେଶର ପରିସୀମା ଲଙ୍ଘନ କରି ସାରା ବିଶ୍ବରେ ବ୍ୟାପି ଗଲା । କିଛି ବୁଝିବା ଆଗରୁ ସରକାର ଜନସାଧାରଣଙ୍କ ନିରାପଦ ବିଷୟରେ ବିଚାର ବିମର୍ଶ କରିବା ପରେ ସାରା ଦେଶରେ ତାଲାବନ୍ଦ ହୋଇଗଲା । ସବୁ ବିଦ୍ୟାଳୟ, ବିଶ୍ଵ ବିଦ୍ୟାଳୟ, ଦପ୍ତର, ଦୋକାନ ବଜାର ବନ୍ଦ କରାଯିବାକୁ କଡ଼ା ନିର୍ଦ୍ଦେଶ ଦିଆଗଲା । ସଙ୍ଗୀତାର ବାପା ବୋଉ ଉଭୟ ସରକାରୀ ଦପ୍ତରରେ ଉଚ୍ଚପଦସ୍ଥ କର୍ମଚାରୀ ଥିଲେ । କୋଭିଡ୍ ନାମକ ଉକ୍ତ ରୋଗରେ ପ୍ରଥମ ପର୍ଯ୍ୟାୟରେ ଉଭୟ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ସମୟରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଲେ ।


ସାମାଜିକ ବୋଝ କ'ଣ ଜାଣିବା ଆଗରୁ ସଙ୍ଗୀତା ମୁଣ୍ଡରୁ ମୁରବୀଙ୍କ ହାତ ଚାଲିଗଲା । ଅନେକ ଚିନ୍ତା ଦୁଶ୍ଚିନ୍ତା ତାକୁ ଘାରିବାକୁ ଲାଗିଲା । ଆଗରେ ଜୀବନ ପଡ଼ିଛି । ପାଠପଢ଼ା ସରି ନାହିଁ । ଭବିଷ୍ୟତ ବିଷୟରେ ଭାବିବାକୁ କେହି ନାହିଁ । ସେ ଏତେ ଶୀଘ୍ର ତା'ର ବାପାଙ୍କୁ ଓ ବୋଉକୁ ହରେଇବ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା । ଏକା ରହି ଯାଇଥିଲା ପରିବାରରେ । ରୋଗ ଭୟରେ ବନ୍ଧୁବାନ୍ଧବ ବି ହାତ ଛାଡ଼ି ଦେଲେ । ଗୋଟିଏ ମୂହୁର୍ତ୍ତରେ ସେ ଏକାକିନୀ ହୋଇଗଲା । ବାପାବୋଉଙ୍କର ଶୁଦ୍ଧିକ୍ରିୟା ଶେଷ ହେବା ପରେ ଗୋଟିଏ ଦିନ ବସି ଭାବୁଥାଏ ସେ, କ'ଣ କରିବ । ଆଗକୁ ପଢ଼ିବାକୁ ନିଷ୍ପତ୍ତି ନେବ ନା ଚାକିରୀ କରିବ । ଗୁଜୁରାଣ ମେଣ୍ଟାଇବା ପାଇଁ ଟଙ୍କା ଆବଶ୍ୟକ । ଯେତିକି ସରକାରୀ ସ୍ତରରେ ସାହାଯ୍ୟ ମିଳିଛି, ସେ ତ ସମୁଦ୍ରକୁ ଶଙ୍ଖେ ଭଳି ପ୍ରତୀୟମାନ ହୁଏ ।


ଆଜି ପ୍ରଥମ ଥର ତାକୁ ସବୁକିଛି ମାଡ଼ି ପଡ଼ୁଛି । କେତେ ସୁରୁଖୁରୁରେ ସବୁକିଛି ଠିକ୍ ଚାଲିଥିଲା । ଏବେ ଦୋଛକିରେ ଛିଡ଼ା ହେଲା ଭଳି ଲାଗୁଛି । ଭଗବାନ ଏତେ ନିଷ୍ଠୁର ହୋଇ ପାରନ୍ତି! ଜୀବନର ପରୀକ୍ଷା ଏତେ କଠିନ ହୋଇପାରେ! ଏଠି ହାରିବାକୁ ମଧ୍ୟ ଅନୁମତି ନାହିଁ.... ଆଗକୁ ହିଁ ବଢ଼ିବାର ଏକମାତ୍ର ବିକଳ୍ପ....ସେ ହାରିଯିବାର ପ୍ରୟୋଜନ ମଧ୍ୟ ନାହିଁ । କାରଣ ତା'ର ବୋଉ ତାକୁ ଭୀରୁତା ଜୀବନ ଜିଇଁବାକୁ ଶିଖାଇ ନାହିଁ ।


ସେ ଦିନର ରାତି ପାହି ସକାଳ ହେଲା । ବାତାୟନ ପାଖରେ ସେମିତି ବସି ଥାଏ ସେ । ବାହାରେ ଜଣକୁ ତାଙ୍କ ଘର ଆଡ଼କୁ ଆସୁଥିବା ଦେଖି ଚମକି ପଡ଼ିଲା । ଆରେ ଏ ପରା ମିକୁ । ଆମ ଘରେ ଯିଏ ପ୍ରତିଦିନ ସକାଳୁ ଖବରକାଗଜ ଦେଇ ଯାଆନ୍ତି, ମୋନୁ ମଉସାଙ୍କର ପୁଅ । ସେ କ'ଣ ପାଠପଢ଼ା ଛାଡ଼ି ଖବରକାଗଜ ବିତରଣ କରୁଛି? ସଙ୍ଗୀତା ଦୌଡ଼ି ଯାଇ ମିକୁ ମିକୁ ରହ ବୋଲି ବଡ଼ ପାଟିରେ ଡାକିଲା । ମିକୁ ସଙ୍ଗୀତା ଦିଦିକୁ ଦେଖି ଚୁପ୍ ହେଇ ରହିଗଲା । ସବୁବେଳେ ହସ ହସ ମୁହଁରେ ଗମ୍ଭୀରତା....ସଙ୍ଗୀତା ତା'ର ଏ ଭଳି ଆଚରଣରେ ଆଚମ୍ବିତ । ମଉସା କୁଆଡ଼େ ଗଲେ,ସେ କ'ଣ ଖବରକାଗଜ ଦେବାକୁ ଆସିଛି ବୋଲି ପଚାରିବାରୁ ମିକୁ କାନ୍ଦ କାନ୍ଦ ହୋଇ କହିଲା, "ବାପା ଦୁଇ ମାସ ହେଲା ଏ ଅଲକ୍ଷଣା ରୋଗରେ ପୀଡିତ ହୋଇ ଆରପାରିକୁ ଚାଲିଗଲେ । ଆମର ଘରେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତାଙ୍କ ପରକୁ ମୁଁ, ଘରର ପୁଅ । ବୋଉ ଆଉ ନାନୀର ଏକମାତ୍ର ସାହାରା । ବାପା ଚାଲିଗଲା ପରେ ଆମକୁ ବିନା କାମଧନ୍ଦାରେ କିଏ ଟଙ୍କା ଦେବ ଯେ, ଆମେ ଆମର ଗୁଜୁରାଣ ମେଣ୍ଟାଇବୁ? ବାସ୍ ମୁଁ ଅଣ୍ଟା ଭିଡ଼ି ବାହାରିଛି, ମୋ ପରିବାରର ଦାୟିତ୍ବ ଏବେ ମୁଁ ନିର୍ବାହ କରିବି ।


ଏତିକି ଶୁଣୁଶୁଣୁ ସଙ୍ଗୀତା ମିକୁ ମୁଣ୍ଡରେ ଆଶୀର୍ବାଦ ଦେବା ଭଳି ହାତ ବୁଲାଇ ଆଣି ନିଜେ ମଧ୍ୟ ମନେ ମନେ ଶପଥ ନେଲା । ଏ ଯେଉଁ ଦୋଛକିରେ ଛିଡ଼ା କରାଇ ଏ ଜୀବନ ଆଣି କଠିନ ପରୀକ୍ଷା କରାଉଛି, ସେ ହାରିଯିବ ନାହିଁ । ସେ ମଧ୍ୟ ଅଣ୍ଟା ଭିଡ଼ି ସବୁ କଷ୍ଟକୁ ସହି ଆଗକୁ ବଢ଼ିବ । ପାଠ ପଢ଼ା ସହିତ ଚାକିରୀ କରି ନିଜ ଗୋଡ଼ରେ ନିଜେ ଛିଡ଼ା ହେବ । ଆଉ ମିକୁ କୁ କହିଲା," ତୁ ଆଜିଠାରୁ ମୋର ଛୋଟ ଭାଇ । ମାଉସୀ ଆଉ ନାନୀଙ୍କୁ କହିବୁ ତାଙ୍କର ଆଉ ଗୋଟିଏ ଝିଅ ସଙ୍ଗୀତା ଥାଉ ଥାଉ ମିକୁ ପାଇଁ ଜମା ଚିନ୍ତା କରିବେନି । ପାଠପଢ଼ା ବୟସ ତୋର ତୁ ପୁଣି ସ୍କୁଲ ଯିବୁ । ବାକି ଏ ଭଉଣୀ ଉପରେ ବିଶ୍ବାସ ରଖ । ଆଜିଠାରୁ ତୁମେମାନେ ମୋର ନିଜ ପରିବାର । " ଏତିକି କହି ମିକୁ ଓ ସଙ୍ଗୀତା ଦୁହେଁ ଲୁହ ପୋଛି ଜୀବନର ପରୀକ୍ଷାରେ ନିଜର ଅସ୍ତିତ୍ବ ହଜିବାକୁ ନ ଦେଇ ଆଗେଇ ଚାଲିଲେ ନିଜ ନିଜ କର୍ମଯୋଗରେ ।


Rate this content
Log in

Similar oriya story from Inspirational