Arati Sahoo

Horror Tragedy Fantasy

3  

Arati Sahoo

Horror Tragedy Fantasy

ସନ୍ଧ୍ୟା ସହିତ ସନ୍ଧ୍ୟା

ସନ୍ଧ୍ୟା ସହିତ ସନ୍ଧ୍ୟା

7 mins
233



- ଏଇ , ଚାଲ୍ ପଳେଇବା । ଭାରି ଡର ଲାଗୁଛି ।


- ହେଃ , ପାଟି କରନା । ଏତେଦିନ ପରେ ସୁଯୋଗ ମିଳିଛି । ସବୁ ପାଣି ଫାଟିଯିବ । 


କଁଅଁଅଁଅଁ.....


ଯାଉଁଳି କବାଟଟାକୁ ଧକ୍କା ଦେଉଦେଉ ଖୋଲିଗଲା ଯେମିତି ଭିତରୁ କିଏ ଟାଣିନେଲା । 


ଫଡ଼ ଫଡ଼ଡ.... ଚେଁ ଚେଁ ଚେଁ , ଦଳେ ଚେମିଣି ଊଡି଼ଗଲେ ଆମର ମୁଣ୍ଡଦେଇ । ତାଙ୍କର ଏକଚାଟିଆ ଅଧିକାରରେ କିଏ ସେ ବ୍ୟାଘାତ ସୃଷ୍ଟି କଲା ।


- ମାଆ ...ଲୋ….. ମରିଗଲି ।


ମୋ ପାଟିଟାକୁ ଯୋରରେ ଚାପି ଧରିଲା ସିଏ । 


- ଉଁ ଉଁ ଉଁ , ଛାଆଁଡ଼ ଲୋଁ ।


ଛାଡ଼ି ଦେଲା ସିଏ । ମୁଁ ଅଣନିଃଶ୍ଵାସୀ ହୋଇ ମେଞ୍ଚେ ପବନ ନାକପୁଡ଼। ଫୁଲେଇ ଭରି ଚାଲିଥିଲି ମୋର ଫୁସ୍ ଫୁସ୍ ରେ ।


ସେଦିନ ଶନିବାର । ଓଳିଏ ସ୍କୁଲ ଖୋଲା । କାଲିଠାରୁ ସନ୍ଧ୍ୟା ନିଜ ମନକୁ ସଜିଲ କରି ରଖିଥାଏ । ମୋତେ ବିଦ୍ୟାରାଣ , ବାର୍ଷିକ ପରୀକ୍ଷା ରାଣ ଦେଇ ରାଜି କରେଇ ଥାଏ । ଶନିବାର ଯେମିତି ହେଲେ ରହସ୍ୟୋଦ୍ଘାଟନ କରିବ ସିଏ । କାହିଁକି , କଣପାଇଁ ସ୍କୁଲର ଉପର ମହଲାକୁ ଯିବା ମନା ? କେଉଁ କାଳରେ ସିନା ରାଜକୁମାରୀ ଆତ୍ମହତ୍ୟା କରିଥିଲା ସେ ଉପରମହଲା ପ୍ରକୋଷ୍ଠରେ । ଖାଲି ଆମକୁ ଡରେଇବା କଥା । କଣ ନା , ତାର ଭୂତ ଅଛି ସେଠାରେ । ହୁଃ ଭୂତ ଫୁତ ସବୁ ମିଛ ।


 ଆମ ହାଇସ୍କୁଲ । ଗୋଟିଏ ରାଜମହଲ । କୁମାର ବିଜୟ ପ୍ରତାପ ସିଂହ ଦେଓ ଗର୍ଲ୍ସ୍ ହାଇସ୍କୁଲ । ତାର ତଳ ମହଲା ଓ ଦ୍ଵିତୀୟ ମହଲାରେ କ୍ଲାସ ହୁଏ । ଉପର ଯହଲାକୁ ଯିବା କଡ଼ାକଡ଼ି ଭାବେ ମନା । କେହି କେବେ ଯିବାର ଆମେ ଜାଣି ନାହୁଁ । ଭୟ ମଧ୍ୟ ଲାଗେ । ଗୁଜବ ଥିଲା କି କଣ ଜଣାନାହିଁ । ଜଣେ ରାଜକୁମାରୀ କୁଆଡ଼େ ଆତ୍ମହତ୍ୟା କରିଥିଲା ସବା ଉପର ମହଲର ଗୋଟିଏ କୋଠରୀରେ । ତାପରେ ପରେ ରାଜବଂଶ ନିପାତ ହୋଇଥିଲା । ଉତ୍ତରାଧିକାରୀ କେହି ବି ନଥିଲେ । ବହୁ ସମୟ ଉତ୍ତାରୁ ରାଜ୍ୟ ସରକାର ତାକୁ ସ୍କୁଲ ଘୋଷଣା କରିଥିଲେ । ସେ ଭୂତ ଭୟ ଏମିତି ସମସ୍ତଙ୍କୁ ଭୟଭୀତ କରି ରଖିଥିଲା ଯେ , କେବେ ଯଦି କୌଣସି କାରଣରୁ ଏକୁଟିଆ କ୍ଲାସରେ କିଏ ନିଜକୁ ଆବିଷ୍କାର କଲା , ତେବେ ତାର ଝାଡ଼ାବାନ୍ତି ଥୟ । 


 ଥରେ ଝିଅ ଟିଏ ଉପରମହଲା ସିଡ଼ି ତଳେ ବେହୋସ ଅବସ୍ଥାରେ ଅବଶ୍ୟ ମିଳିଥିଲା । ଖରାଦିନରେ ତ ପ୍ରାର୍ଥନା ସଭାରେ କେତେ ଝିଅ ଢୁପ୍ ଢାପ୍ କଚାଡି ହେଇ ପଡ଼ନ୍ତି । ଖାଇକି ଆସି ନଥାନ୍ତି କି କଣ ? ସେଟା ଭି ସେଭଳି ଯେ ହେଇ ନଥିବ , ସେକଥା କିଏ କହିବ ?


 ସେଦିନ ସନ୍ଧ୍ୟା ମୋତେ ଯୋର କରି ଅଟକାଇ ରଖିଲା , ଆମ କ୍ଲାସ କୁ ଲାଗି କମନ୍ ରୁମ । ସେଥିରେ କବାଟ ନଥାଏ । କିନ୍ତୁ ତା ପଛପଟୁ ଅଣଓସାରିଆ ସିଡ଼ି ଟିଏ ଯାଇଥିଲା ପଛପାଖ ବଗିଚାକୁ । ବୋଧେ ଚାକର ବାକର ମାନଙ୍କ ନିମନ୍ତେ ଅନ୍ତପୂରକୁ ଯିବା ବାଟ । ଛୁଟି ହେଲେ କ୍ଲାସ ମାନଙ୍କରେ ଶିକୁଳି ଲଗାହୁଏ ନାହିଁ । କେବଳ ଆଉଜା ହୁଏ ।


 ଆମ ମନରେ ଥାଏ ସେହି ଅନ୍ଧାରିଆ କମନ୍ ରୁମରେ ଲୁଚି ରହିବୁ ଛୁଟି ପରେ । କାମ ସରିଲେ ସେହି ସିଡ଼ି ବାଟରୁ ପଳେଇବୁ । ସେଇଆ କଲୁ ମଧ୍ୟ । ଘରେ କହି ଆସିଥାଉ ଆମର ସାଙ୍ଗ ସରିତା ଘରେ ନୋଟ୍ ତିଆରି କରିବୁ । ଆମ ପିଅନ ମାର୍କଣ୍ଡ ମଉସା କ୍ଲାସ ସବୁ ଦେଖି ଫ୍ୟାନ ଲାଇଟ୍ ଚେକ୍ କରି ଗଲେ । କମନ୍ ରୁମକୁ ପ୍ରାୟ ଦେଖନ୍ତି ନାହିଁ । କିନ୍ତୁ ସେଦିନ ପଶି ଆସିଲେ , ଆମେ ଗୋଟେ କୋଣରେ ନିଶ୍ଵାସ ବନ୍ଦ କରି ନିଶ୍ଚଳ ହୋଇ କାନ୍ଥରେ ଚାପି ହୋଇ ରହିଗଲୁ । ବୁଢ଼ା ଲୋକ , ଦୁର୍ବଳ ଦୃଷ୍ଟି । ସେ ଆମକୁ ଦେଖି ନପାରି ଚାଲିଗଲେ ।


 କିଛି ସମୟ ପରେ ଆମେ ଆସ୍ତେକିନା ଆଉଜା କବାଟ ଖୋଲି ଚାଲିଲୁ ଆମର ସିକ୍ରେଟ୍ ମିଶନରେ । ମୁଁ ଭାରି ଡରକୁଳି । କିନ୍ତୁ ଭୂତ ଭୟଠାରୁ ପରୀକ୍ଷା ରାଣର ଭୟ ବଳୁଆ ପଡ଼ିଲା । ତେଣୁ ଗୋଟାଏ ହାତରେ ତାର ହାତ ମୁଠେଇ ଓ ଅନ୍ୟ ହାତରେ ନିଜର କଲିଜା ମୁଠେଇ ଚାଲିଲି ତା ପଛେ ପଛେ । 


 ଛାତି ଭୟରେ ଉଠୁଥାଏ ପଡୁଥାଏ । କଲିଜା ଭିତରେ ଯେମିତି ଧାନକୁଟା ଢିଙ୍କି ଚାଲିଛି । ନାକବାଟେ ଅଣଚାଷ ତତଲା ପବନ । ସନ୍ଧ୍ୟା କିନ୍ତୁ ମସ୍ତ ଥାଏ । ହାତରେ ଧରିଥାଏ ଲୁହା କଣ୍ଟା ଟିଏ । ଗୁଣୁଗୁଣୁ ହେଇ କହୁଥାଏ ,


- ଭୁତୁଣୀ ପିଶାଚୁଣୀ ଯିଏ ବି ଅଛ , ଏ ଲୁହା କଣ୍ଟାକୁ ଦେଖିଥା । ଆଖି ଫୁଟେଇ ଦେବିଟି ।


 ଉପରେ ଆବୁରୁ ଜାବୁରୁ ଅନ୍ଧାର । ଏକ ଧୁଳିଆ ଧୁଳିଆ ଫୁରୁକୁଟିଆ ଗନ୍ଧ । ଅଳନ୍ଧୁ ଓ ବୁଢି଼ଆଣୀ ଜାଲ ହାତ ଗୋଡ଼ ମୁହଁରେ ଛନ୍ଦି ହେଇ ଯାଉଥାଏ । ଶ୍ମଶାନର ନିରବତା ମୋର ହାଲୁକ ଶୁଖେଇ ଦେଉଥାଏ । ମୁଁ ତା ହାତକୁ ପଛକୁ ଟାଣୁଥାଏ । 


 - ଆଉ ଆଗକୁ ଯିବାନି ସନ୍ଧ୍ୟା । ଚାଲ୍ ପଳେଇବା ।ଭିତରେ କଣ ଅଛି କେଜାଣି । ଚାଲ୍ ନା ।


 ସିଏ ମୋତେ ଆଗକୁ ଟାଣୁଥାଏ ।


- ହୁଶ୍ । ଏତେ ଡରୁଛୁ କାହିଁକି ? ଆସ ମୋ ହାତକୁ ଧରି ।


ଚେମିଣିଆ ଗୁଡ଼।କ ଆମକୁ ଘେରିଗଲେ । ଦେହ ମୁଣ୍ଡରେ ନେସି ହେଇଗଲେ । ଆମେ ହାସ୍ ହୁସ୍ କରି ତାଙ୍କୁ ହାତ ଛାଟି ଘୋଉଡ଼।ଉ ଥିଲୁ । ତାଙ୍କ ଦାଉରୁ ରକ୍ଷା ପାଇବାକୁ ଅତର୍ଛା ଧାଇଁଲୁ ଆଗକୁ । ହେଲେ ସେ ଚକ୍ରବ୍ୟୁହ ଭଳି ମହଲରେ ଆମେ ଭିତରକୁ ଭିତରକୁ ଚାଲିଲୁ । ଗମ୍ଭିରି ଭିତରେ ନିଜକୁ ଵଡ଼ ଅସହାୟ ଲାଗିଲା । ଭୟରେ ଅଷ୍ଟାଙ୍ଗରୁ ଝାଳ ନିଗିଡି଼ ପଡୁଥିଲା । ବର୍ତ୍ତମାନ ସନ୍ଧ୍ୟାର ଅବସ୍ଥା ମଧ୍ୟ କାହିଲ । ତାର ସାହସ ମସ୍ତି ସଵୁ କ୍ଷୀଣତର ହେଉଥିଲା । ସେ ବି ଭୟରେ ଥରୁଥିଲା । ବର୍ତ୍ତମାନ ବାହାରକୁ କିପରି ବାହାରିବୁ ? ମୁଁ ଆଉ ତାକୁ ଗାଳିଦେବା କି ଦୋଷାରୋପ କରିବା ଅବସ୍ଥାରେ ନଥିଲି । ଦୁହେଁ ଦୁହିଁଙ୍କୁ କୁଣ୍ଢେଇ ଧରି କାନ୍ଦୁଥିଲୁ । ପାଟି ଖନି ମାରି ଯାଉଥିଲା । ସାହାଯ୍ୟ ପାଇଁ ପାଟିକରି ଡାକୁ ତ ଥିଲୁ । ହେଲେ ଆମ ପାଟିରୁ ଶବ୍ଦ ବାହାରୁ ନଥିଲା ନା ଆମର ସ୍ଵର ସେ ଉଚ୍ଚା ଉଚ୍ଚା ଛାତରେ ମିଳେଇ ଯାଉଥିଲା ଜଣା ପଡୁ ନଥିଲା ।


 ଟିକେ ସାହସ ସଞ୍ଚୟ କରି ପଛକୁ ଫେରିଲୁ । ଅନ୍ଧାରରେ ଅଣ୍ଡାଳି ଗୋଟିଏ କବାଟ ବନ୍ଧ ହାତରେ ବାଜିଲା । ଅଣ୍ଡାଳି ଦେଖିଲୁ ତାର ଉପରେ ଶିକୁଳି ଲାଗିଛି । ଗୋଟିଏ ଫାଟରୁ କ୍ଷୀଣ ଆଲୋକ ରେଖାଟିଏ ମଧ୍ୟ ଆସୁଥିଲା । ମୁଁ ତରତରରେ ସେ ଶିକୁଳିଟାକୁ ଟାଣି ଖୋଲିଦେଲି । ଧଡ଼ କିନା କବାଟଟା ଖୋଲିଗଲା ଆପଣାଛାଏଁ । କିଏ ଯେମିତି ଆମକୁ ପେଲିଦେଲା । ମୋର ଆଖି ବନ୍ଦହେବା ଆଗରୁ ମୋତେ ଗୋଟେ ନରକଙ୍କାଳର ଅସ୍ପଷ୍ଟ ଛବି ଦେଖା ଯାଇଥିଲା । 


 ତାପରେ ମୁଁ ନିଜକୁ ଆବିଷ୍କାର କଲି ଆମ ଅଗଣାରେ , ଗୋଟିଏ ଦଉଡ଼ିଆ ଖଟରେ । ଡାକ୍ତର ବସିଥିଲେ । ବାପା ମାଆ ଓ ଭାଇମାନେ ଘେରି ବସିଥିଲେ । ସମସ୍ତଙ୍କ ମଥା କୁଞ୍ଚିତ , ଅତିଶୟ ଚିନ୍ତାରେ । ମୁଁ ପ୍ରକୃତିସ୍ଥ ହୋଇ ଉଠି ବସିଲି । ଢେର୍ ଗାଳି ଖାଇଲି । କାନ ନାକ ମୋଡି ହେଲି , ଆଉ ସେମିତି କାମ କରିବିନି ବୋଲି । କାହାକୁ ନକହିଲେ ବି ମନେ ମନେ ପ୍ରତିଜ୍ଞା କଲି ଆଉ ସନ୍ଧ୍ୟା ସହିତ ସାଙ୍ଗ ହେବିନି । ତା ଘର ଦୁଇଟା ସାହି ଛାଡ଼ି । ଟିକେ ଦୂରରେ । ତାର କଣ ହେଲା ମୋତେ କେହି କହିଲେନି କି ମୁଁ ମଧ୍ୟ ରାଗ ଅଭିମାନରେ ତା ବିଷୟରେ କାହାକୁ କିଛି ପଚାରିଲି ନାହିଁ । ଏତେ ହଇରାଣ କଲା ମୋତେ । ସେ ଯଦି ଆସେ ମୁଁ ତ ଜମା କଥା ହେବିନି ।


  ମୋତେ ଦୁଇତିନି ଦିନ ଲାଗିଗଲା ସେ ଟ୍ରୋମାରୁ ବାହାରିବା ପାଇଁ । ମୋତେ ସ୍କୁଲ ଯିବାକୁ ଅନୁମତି ମିଳିଲା ନାହିଁ କି ମୁ ମଧ୍ୟ ଆଗ୍ରହ ପ୍ରକାଶ କଲି ନାହିଁ । ମୋତେ ଏକୁଟିଆ ନରଖି କେହି ନା କେହି ସାଥିରେ ରହିଲେ । ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା ମୋର କେହି ସାଙ୍ଗ କାହିଁକି ମୋ ସହିତ ସାକ୍ଷାତ କରିବାକୁ ଆସିଲେ ନାହିଁ । ଏମିତି ସପ୍ତାହେ ବିତିଗଲା । ମୁଁ ଦିନେ ମୁହଁ ସଞ୍ଜ ବେଳେ ବାଡ଼ି ପିଣ୍ଡାରେ ଏକା ବସିଥାଏ । ବାଡ଼ି ପଟକୁ ଆସିବା ପାଇଁ ଦାଣ୍ଡ ଆଡୁ ଗଳିଟାଏ ଥାଏ । ହଠାତ୍ ସନ୍ଧ୍ୟା ଗଳିଆଡୁ ଆସି ମୋ ପାଖରେ ବସି ପଡ଼ିଲା । ମୋତେ ବଡ଼ ରାଗ ଲାଗିଲା । ମୁଁ ମୁହଁ ବୁଲେଇ ଦେଲି । ସେ ଫେଁ ଫେଁ ହସିଲା । ମୋର ସର୍ବାଙ୍ଗ ଜଳିଗଲା । ସେ କହିଲା ,


- ଏଇ , ଚାଲ ସେ ସାତଭଉଣୀ ପୋଖରୀ କୂଳକୁ ଯିବା । ଝଙ୍କାଳିଆ ତେନ୍ତୁଳି ଗଛରେ ଯେଉଁ ବ୍ରହ୍ମ ରାକ୍ଷସ ରହୁଛି ବୋଲି ସମସ୍ତେ କହୁଛନ୍ତି ତାର ରହସ୍ୟ ଜାଣିବା । ନଯିବୁ ଯଦି , ତୋତେ ତୋର ବାର୍ଷିକ ପରୀକ୍ଷା ରାଣ ।


 ମୁଁ ଦାନ୍ତ କଡ଼ମଡ଼ କରି ତାକୁ ମାରେ କି ନମାରେ । ସେ ତରକି ଯାଇ ଖଣ୍ଡେ ଦୂରରେ ଠିଆ ହେଇ ତାଳି ମାରି ଦାନ୍ତ ନେଫଡେଇଲା । ଓ୍ଵେ ..ଏ...ଏ , ଖତେଇ ହେଲା । ପୁଣି ପାଖକୁ ଆସିଲା , ଆଖିରୁ ଲୁହ ଝରେଇ ବ୍ୟାକୁଳ କଣ୍ଠରେ କହିଲା ,


 - ଏଇ , ସତରେ ମୋ ଉପରେ ଏତେ ରାଗିଛୁ ? ମୋ ସାଙ୍ଗ ହବୁନି ? ରାଗନା ଲୋ । ସେ ଉପର ମହଲାରେ କିନ୍ତୁ ଭୂତ ଫୁତ କିଛି ନାହିଁ ସତରେ । ମିଛରେ ଡରଉଥିଲେ । ଭଙ୍ଗା ଛାତ , ଭଙ୍ଗା କାନ୍ଥ ସବୁ କାଳେ କାହା ଉପରେ ଭୁଷୁଡି଼ ପଡ଼ିବ ବୋଲି ସେଠାକୁ ଯିବା ମନା । ହେଉ ମୁଁ ଯାଉଛି । ରାଣ କାଟିଲି ।


 ମାଆ ଡାକିଲା ,


- ଆଲୋ , ସଞ୍ଜବେଳଟାରେ ଏଠି କାହିଁକି ବସିଛୁ । ଚାଲ ଭିତରକୁ ।


 ମୁଁ ସୁସ୍ଥ ହୋଇ ସ୍କୁଲ ଗଲି । ସମସ୍ତେ ମୋତେ ଅଷ୍ଟମ ଆଶ୍ଚର୍ଯ୍ୟ ପରି ଦେଖୁଥାନ୍ତି । ପ୍ରାର୍ଥନା ପରେ ସନ୍ଧ୍ୟାକୁ ଖୋଜିଲି । ଆକୁ ତାକୁ ପଚାରିଲି । ସମସ୍ତେ ଆହୁରି ଆଶ୍ଚର୍ଯ୍ୟ ହୋଇ ବଲବଲ ଅନେଇଲେ ମୋ ମୁହଁକୁ ।


- ତୁ କଣ ସତରେ ଜାଣିନୁ ? ଉପର ମହଲାକୁ ଯାଇଥିଲା ପରା ସିଏ । କବାଟ ବନ୍ଧଟାଏ ପଡ଼ି ଗଲା ତା ଉପରେ । ସେ କଣ ଆଉ ଅଛି ? ଆହା , ବିଚାରୀ !!! ଆମେ ଯାଇଥିଲୁ ତାଙ୍କ ଘରକୁ । ତା ମାଆର ଯୋଉ ବିକଳ କାନ୍ଦ । ଉପର ମହଲରେ କିନ୍ତୁ ଭୂତ ନାହିଁ । ଉପରଟା ପୂରା ଭଙ୍ଗାରୁଜା । ସେଇଥିପାଇଁ ଭୟ ଦେଖାଇ ଯିବାକୁ ଦେଉ ନଥିଲେ । ଏବେ ତ ସିଡ଼ି ମୁହଁରେ ଇଟା ଗାନ୍ଥିନି କରିଦେଲେ , ଯାଉନୁ ଦେଖିବୁ ।


 ମୋ ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା । ମୁଁ ଅବାକ୍ ହେଇ ଅନେଇ ଥିଲି । କିନ୍ତୁ ଏଇତ ଚାରିଦିନ ଆଗରୁ ସେ ମୋ ପାଖକୁ ଆସିଥିଲା । ମୋର ମୁଣ୍ଡ କାମ କରୁ ନଥିଲା । ଏମିତି କେମିତି ହେଇ ପାରିବ । ମୁଁ କିଛି କହି ପାରୁ ନଥିଲି । ମୋର ଜିଭ ଲେଉଟୁ ନଥିଲା , କଣ୍ଠ ଶୁଖି ଯାଉଥିଲା । ତେବେ କଣ ତାର ଭୂତ ଆସିଥିଲା ମୋତେ ଭେଟିବା ପାଇଁ । ମୁଁ ଶିହରି ଉଠୁଥିଲି ।


  ମୋତେ ଯାହା ଜଣା ପଡ଼ିଲା , ମୁଁ ତା ସାଥିରେ ଥିଲି ବୋଲି କେହି ଜାଣି ନଥିଲେ । ମୁଁ କୁଆଡ଼େ ସ୍କୁଲ ବାଟରେ ଅଚେତ ଅବସ୍ଥାରେ ପଡ଼ି ଥିଲି । ସମସ୍ତେ ଭାବିଲେ ମୋତେ ଲୁ ଲାଗି ଯାଇଥିଲା ବୋଲି । ମାର୍କଣ୍ଡ ମଉସା କିନ୍ତୁ ସେହି ଦିନଠାରୁ ମୋତେ ବହୁତ ବେଶି ଭଲ ପାଇଲେ ଓ ବିଶେଷ ଧ୍ୟାନ ଦେଉଥିଲେ । ସେ ହିଁ ମୋତେ ନେଇ ଆମଘରେ ଛାଡ଼ି ଥିଲେ। ସନ୍ଧ୍ୟାକୁ ମଧ୍ୟ ସେ ହିଁ କବାଟ ବନ୍ଧ ତଳୁ ଉଦ୍ଧାର କରି ଥିଲେ । କିନ୍ତୁ ତାକୁ ବଞ୍ଚାଇ ପାରି ନଥିଲେ । ବହୁତ ଦିନ ପର୍ଯ୍ୟନ୍ତ ସେଥିପାଇଁ ସେ ଦୁଃଖ କରୁଥିଲେ ।


 ଆଜି ବି ସେହି ସନ୍ଧ୍ୟାରେ ସନ୍ଧ୍ୟା ସହ ସକ୍ଷାତ ମନେ ପଡ଼ି ଗଲେ ମୁଁ ଅଜଣା ଭୟରେ ଶିହରି ଉଠେ ।



Rate this content
Log in

Similar oriya story from Horror