ସ୍ନାନ ପୂର୍ଣ୍ଣିମା ଓ ଆମରି କଥା
ସ୍ନାନ ପୂର୍ଣ୍ଣିମା ଓ ଆମରି କଥା
ସ୍ନାନମଣ୍ଡପରେ ତିନି ଠାକୁରଙ୍କ ସ୍ନାନବିଧି ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ । ପ୍ରତିବର୍ଷ ଭଳି ଏବର୍ଷ ବି ମଣ୍ଡପ ଉପରେ ଠାକୁର ପହଂଚିବା ପୂର୍ବରୁ ଫୁଲ ଟାହିଆ ଛିଣ୍ଡାଇନେଇଥିଲେ ସେବକଗଣ ।
ଭିଡ଼ ଠେଲି ଡମ୍ବରୁ ବାବୁ ଓ ତାଙ୍କ ସ୍ତ୍ରୀ ମନ୍ଦାକିନୀ ଦେବୀ ଟିକିଏ ଆଗକୁ ଯାଇଁ ପ୍ରଭୁଙ୍କ ସ୍ନାନ ନୀତି ଦେଖିବାକୁ ଚେଷ୍ଟା କରୁଥିଲେ ।
ତିନି ଠାକୁର ଦୃଶ୍ୟ ହେଉଥାନ୍ତି, ପୁଣି ଲୁଚିଯାଉଥାନ୍ତି ସେବାୟତମାନଙ୍କ ଭିଡ଼ରେ ।
ଝିପିଝିପି ବର୍ଷାରେ ଭକ୍ତ ଆନମନା । ସତେ ଯେମିତି ପ୍ରଭୁ ସ୍ନାନଜଳ ସେମାନଙ୍କ ଉପରକୁ ପକାଉଛନ୍ତି ।
ମନ୍ଦାକିନୀ କହିଲେ,"ଏ ନନା ଗୁଡାକ ଏତେ ସମୟ ଆଗରେ କାହିଁକି ଠିଆ ହୋଇଛନ୍ତି ?"
"ଟିଭିରେ ଡାଇରେକ୍ଟ ଟେଲିକାଷ୍ଟ ହେଉଛି ପା । ତେଣୁ ସେମାନେ ମୁହଁ ଦେଖାଉଛନ୍ତି ।"
ଠାକୁରଙ୍କ ହାତ,ଦେହରେ ଭରା ଦେଇ ଚାଲିଥାଏ ସେବାୟତଙ୍କ ସେଲ୍ଫି ଉଠା ।
"ପ୍ରଶାସନ ପରା ଏବର୍ଷ ଏସବୁ ବାରଣ କରିଛି । ଠାକୁରଙ୍କ ଦେହରେ କାହିଁକି ଭରା ଦେଉଛନ୍ତି ?"
"ଆଜିଯାଏଁ ସେମାନେ କାହାକୁ ମାନିଛନ୍ତି ? ଠାକୁର ପଛେ ପଡି ଯାଆନ୍ତୁ, ସେମାନେ ସେଲ୍ଫି ଉଠାଇଲା ବେଳେ ଯେମିତି ତଳକୁ ଖସି ନପଡିବେ,ସେଇଥିପାଇଁ ଭରା ଦେଇ ଠିଆ ହେଉଛନ୍ତି । ରକ୍ଷା ହୋଇଛି କହ ୧୦୮ କଳସ ପାଣିରେ ସେମାନେ ନିଜେ ସ୍ନାନ ନକରି ,ତିନି ଠାକୁରଙ୍କୁ ଗାଧେଇ ଦେଉଛନ୍ତି ।"
ପୁଣି ମଣ୍ଡପ ଉପରେ ଠେଲାପେଲା ।
"ହେଇ,ଦେଖ ସେମାନେ ପ୍ରଭୁଙ୍କ ମୁହଁରୁ ରଙ୍ଗ ସବୁ ଛଡାଇ ପୋଛି ନେଉଛନ୍ତି । ଏମିତି କାହିଁକି କରୁଛନ୍ତି ?"
ପାଖରେ ଠିଆ ହୋଇଥିବା ଜଣେ ଭକ୍ତ କହିଲେ," ମାଉସୀ ଗତ ବର୍ଷ ଜଣଙ୍କୁ ପଚାରିଥିଲି । ସେ କହିଲା ଠାକୁରଙ୍କ ଦେହରୁ ମଳି ଛଡାଉଛନ୍ତି ବୋଲି । ସେମାନେ କିଛି ବି କରିପାରିବେ । ଜଗାକୁ ଧଳା,ବଳଭଦ୍ରଙ୍କୁ କଳା ବି କରିପାରିବେ।"
୫୦୦ ଟଙ୍କା ଦେଇ କିଣିଥିବା ଟିକେଟରେ ଠାକୁରଙ୍କୁ ହାତୀବେଶରେ ପାଖରୁ ଦେଖିବା ପାଇଁ ଲାଇନରେ ଠିଆ ହେଲେ ଡମ୍ବରୁ ଓ ମନ୍ଦାକିନୀ । ସନ୍ଧ୍ୟାବେଳେ ବେଦୀ ପାଖରେ ପୁଣି ଠେଲାପେଲା ।
"ଏ ନନାମାନେ ମହିଳା ଭକ୍ତଙ୍କ ଦେହରେ ଜାଣିଶୁଣି କାହିଁକି ଘଷି ହେଉଛନ୍ତି ?"
"ପାଟି ଚୁପ୍ କର । ସେମାନେ କାହାକୁ ଛାଡ଼ୁଛନ୍ତି ? କିଛି ଦିନ ତଳେ ପରା ଖୋଦ.....ଛାଡ଼ ସେକଥା । ଅଭିଯୋଗ କଲେ କହିବେ, ମହିଳା ମାନେ ଆମକୁ ବଦନାମ କରିବାପାଇଁ ନିଜେ ଆମ ଦେହରେ ବାଡେଇ ହେଉଛନ୍ତି । ଆମ ଦେହଟା ଟିକେ ଚଉଡା ତ;ସାଇଡ ବି ଦେଇ ହେଉନି । ତେବେ ଠାକୁର ଓ ଆମ ଭିତରେ ତଫାତ ଆଉ କଣ କି ?ଆମେ ପା ତାଙ୍କ ଭାଇ । ତେଣୁ ପ୍ରଭୁଙ୍କ ନାମ ନେଇ ଶୀଘ୍ର ବାହାରକୁ ଚାଲ।"
"ପ୍ରଶାସନ ବାଲା କେଉଁଠି "?
"ସବୁ ବଡବଡ଼ିଆ,ଭି ଆଇ ପି ,ମନ୍ତ୍ରୀ ଦର୍ଶନ ସାରି ଚାଲିଗଲେଣି । ତେଣୁ ଏଇନା ସେମାନେ ମିଟିଙ୍ଗ କରୁଥିବେ ବୋଧେ କିମ୍ବା ଗନ୍ତାଘର ଚାବି ଖୋଜୁଥିବେ । ବିଚରା .....
ଦର୍ଶନ ସାରି ବାହାରକୁ ଆସିଲାବେଳେ ମନ୍ଦାକିନୀ ପଚାରିଲେ, "ପ୍ରତିବର୍ଷ ସ୍ନାନପୂର୍ଣ୍ଣିମାରେ ବର୍ଷା କାହିଁକି ହୁଏ କହିଲ ?"
ବେଦୀ ଉପରେ ତିନିଠାକୁରଙ୍କୁ ଅନାଇ ଡମ୍ବରୁ ବାବୁ କହିଲେ, "ଠାକୁରଙ୍କୁ ଓପାସ ରଖିଦେଉଛନ୍ତି ସେମାନେ ।କାଳେ କେଉଁବର୍ଷ ଅଗାଧୁଆ ରଖିଦେବେ ସେଇ ଭୟରେ ପ୍ରଭୁ ,ପ୍ରଶାସନ ଉପରେ ବିଶ୍ବାସ ନରଖି ନିଜ ବ୍ୟବସ୍ଥା ନିଜେ କରିଦେଉଛନ୍ତି । ଦେହ ଓଦା ତ ହୋଇଯିବ।"
(ପ୍ରଭୁ ଇଏତ ଆମରି କଥା ,ଆପଣ କଣ କହିବେ କୁହନ୍ତୁନା।)
(ଅରବିନ୍ଦ ଦାସ)