ସମୟର ଷଢଯନ୍ତ୍ର
ସମୟର ଷଢଯନ୍ତ୍ର
ସମୟର ଷଡ଼ଯନ୍ତ୍ର
###########
ନିୟତିକୁ କେବେ କେହି ନିଜ ଇଚ୍ଛା ଅନୁସାରେ ନଚେଇ ପାରେନା।ନିୟତି କରାୟତ୍ତ କରେ ସମସ୍ତ ଜୀବ ଜଗତକୁ।ସ୍ୱାର୍ଥରେ ବଶୀଭୂତ ହୋଇ କ୍ଷଣିକ ସୁଖକୁ ପାଇବାକୁ ଯାଇ ଦୁଃଖ ଯନ୍ତ୍ରଣାରେ ଜର୍ଜରିତ ନିଷ୍ପେସିତ ମଣିଷ ନିଜର ଭାରସାମ୍ୟ ହରେଇ ବସେ। ନିଜ ଭିତରେ ଥିବା ଭାବ, ଭକ୍ତି,ସ୍ନେହ,ଶ୍ରଦ୍ଧା, ପ୍ରେମ,ପ୍ରୀତି, ଆଚାର ବିଚାର,ନୀତି ନିଷ୍ଠା, ସବୁ ଉପରେ ପରଦା ପକେଇ ଦେଇ ଥାଏ।ନିଜର ପାରିବା ପଣକୁ ଦେଖେଇବାକୁ ଯାଇ ବେଳେବେଳେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ନିଜେ ଅସୁବିଧାରେ ପଡ଼ିବା ସହିତ ଅନ୍ୟକୁ ବି ଅସୁବିଧାରେ ପକାଏ।ଆଉ ଶେଷରେ ଭାଗ୍ୟକୁ ଦୋଷ ଦେଇ ନିଜେ ଦୋଷ ମୁକ୍ତ ହେଇଯାଏ।ତେଣୁ ମଣିଷର ଜନ୍ମ କେବଳ ନିଜ ପାଇଁ ନୁହେଁ।
ଗୋପବନ୍ଧୁଙ୍କ ଭାଷାରେ; "ମଣିଷ ଜୀବନ,ବର୍ଷ,ମାସ,ଦିନ,ଦଣ୍ଡର ସମଷ୍ଟି ନୁହେଁ"। ସେହି ମଣିଷ ଜୀଇଁ ରହେ ଯେ ସମାଜ ପାଇଁ କିଛି ମହାନ୍ କାର୍ଯ୍ୟ ସମ୍ପାଦନ କରିଥାଏ।
ହେଲେ ପରିସ୍ଥିତି ବେଳେ ବେଳେ ଏମିତି ଅଣାୟତ୍ତ ହୁଏ ବହୁତ ଭଲ ମଣିଷଟିଏ ବି ଭୁଲ୍ ରାସ୍ତାରେ ପାଦ ଥାପି ଦେଇଥାଏ।ଯେଉଁ ପାଦ କି ସତେ ଯେମିତି ବଳି ରାଜା ପରି ପାତାଳ ଗାମୀ କରିଦେଇଥାଏ।
'ମଳୟ' ଏମିତି ଏକ ବ୍ୟକ୍ତିତ୍ଵ ଯେ ତାଙ୍କର ଜୀବନ ଯେପରି ସାତ୍ତ୍ବିକ, ସେହିପରି ଶୁଦ୍ଧ ଜ୍ଞାନ ବିତରଣରେ ସେ ସତ୍ୟାଗ୍ରହୀ।
ଧୈର୍ଯ୍ୟ, ସହନଶୀଳତା, ସଂଯମ,ଖୁବ୍ ପବିତ୍ର ଜୀବନ ଯାପନ,ସତ୍ କଥନ,ସତ୍ ଧର୍ମର ଲକ୍ଷଣ ତାଙ୍କ ଠାରେ ପୁଞ୍ଜିଭୂତ।
ନିଜର ଆତ୍ମ ଜୀବନୀ ନା କାହା ଆଗରେ ପ୍ରକାଶ କରନ୍ତି ନା ତାଙ୍କୁ ଦେଖିଲେ କିଏ ଜାଣି ପାରେ!ପିତା ମାତାଙ୍କର ଅତି ଆଦରର ସନ୍ତାନ ସେ । ଆଜ୍ଞାବହ ସନ୍ତାନ ଟିଏ। ନିଜର ସ୍ଵପ୍ନକୁ ବଳି ଦେଇ ବାପା ମା'ଙ୍କ ଇଚ୍ଛାରେ ସଂସାର ବନ୍ଧନରେ ବାନ୍ଧି ହେଇଗଲେ।ସୁଖ ଦୁଃଖରେ ସଂସାର ରଥ ଚାଲିବାକୁ ଲାଗିଥାଏ ।ଏହା ମଧ୍ୟରେ ଗୋଟିଏ ପୁଅର ବାପା ମଧ୍ୟ ହେଇଗଲେ।ହେଲେ କଥାରେ କହନ୍ତି ନି !!
"ଦଇବ ଦଉଡ଼ି ମଣିଷ ଗାଈ
ଯେଣିକି ଓଟାର ତେଣିକି ଯାଇll"
ଦିନେ ସେମିତି ସମୟ ଆସି ପହଞ୍ଚିଲା ମଳୟ ପାଖରେ। ମଳୟ ଜୀବନରେ ସତରେ ଯେମିତି ବସନ୍ତର ମଳୟ ଛୁଆଁରେ ଦେହ ମନ ପୁଲକିତ ହୋଇ ଉଠିଥିଲା। ହଠାତ୍ ତାଙ୍କ ଜୀବନରେ 'ସୁଧା' ନାମରେ ଝିଅଟିଏ ଆସି ଦେଖାଦେଇଥିଲା।ପ୍ରଥମ ଦେଖାରେ 'ମଳୟ'ଙ୍କ ମନକୁ ତା' ଠାରେ ବନ୍ଧା ପକେଇ ଦେଇଥିଲେ। ଆଗ-ପଛ,ବାପା- ମାଆ,ସ୍ତ୍ରୀ-ପୁଅ,ବର୍ତ୍ତମାନ-ଭବିଷ୍ୟତ ସବୁକୁ ଭୁଲି ଯାଇଥିଲେ। ତାଙ୍କ ପାଖରେ ଥିବା ସମସ୍ତ ଭଲ ଗୁଣକୁ ପରଦା ଆଢୁଆଳରେ ରଖି ଅଧିକ ସମୟ ସୁଧାଙ୍କ ସହିତ ବିତାଇଲେ।ଘର ଲୋକଙ୍କୁ ଚାକିରିର ବାହାନା ଦେଖେଇ ଭୁଲେଇ ଦିଅନ୍ତି।ସେମାନେ ବି ବିଶ୍ୱାସ କରି ଯାଆନ୍ତି।କାରଣ ସେ ଦିନେ ଥିଲେ ଖାଣ୍ଟି ସୁନାଖ
ଣ୍ଡେ।
ସୁଧା ଏବଂ ମଳୟଙ୍କ ବନ୍ଧୁତା ବେଶ୍ ଘନିଷ୍ଠ ହୋଇ ଉଠିଲା। ସୁଧା ଜାଣି ନ ଥିଲେ ଯେ ମଳୟ ବିବାହିତ ବୋଲି।ମଳୟଙ୍କ ରୂପ ଦେଖିଲେ ସୁଧା କେବେଳ କାହିଁକି,ଏମିତି କେହି ବି ଜଣେ ଜାଣି ପାରିବେନି । ସୁଧାନକୁ ତାଙ୍କ ପରିବାର ବିଷୟରେ କହିବାକୁ ମଳୟ ସମୟକୁ ଅପେକ୍ଷା କରିଥାନ୍ତି ।ଆଉ ତାଙ୍କ ଭଲ ପାଇବାରେ ଏତେ ବିଶ୍ୱାସ ଥିଲା ଯେ ସୁଧା ତାକୁ ଗ୍ରହଣ କରି ନେବେ। ହେଲେ ସମୟ ତା ବାଟରେ ଚାଲିଥାଏ।ଭାଗ୍ୟ ଭଗବାନଙ୍କ ହାତରେ ନିୟତିର ନିର୍ଦେଶ ଅନ୍ୟ କିଛି ଥିଲା।
ଏହି ଭାବନା ଭିତରେ ସୁଧା ମଳୟର ସମସ୍ତ ପରିଚୟ ସଂଗ୍ରହ କରି ନିଜକୁ ମଳୟ ଠାରୁ ଦୂରେଇ ବାକୁ ଚେଷ୍ଟା କରନ୍ତି।ହଠାତ୍ ସୁଧାଙ୍କର ଏ ପରିବର୍ତ୍ତନରେ ମଳୟ ବ୍ୟତି ବ୍ୟସ୍ତ ହୋଇ ପଡ଼ନ୍ତି।ନିଜର ଜୀବନ ଠୁ ବଳି ଯାହାକୁ ଭଲ ପାଉଥିଲେ ତାର ଅନୁପସ୍ଥିତି ମଳୟକୁ ବହୁ ଯନ୍ତ୍ରଣା ଦେଉଥିଲା।ଭଲ ପାଇବାରେ ଏତେ ଅନ୍ଧ ହୋଇଯାଇଥିଲେ ଯେ ନିଜର ଭୁଲ୍ ଜାଣି ପାରୁ ନ ଥିଲେ କିମ୍ବା ଜାଣି ବାକୁ ମଧ୍ୟ ଚେଷ୍ଟା ବି କରୁ ନ ଥିଲେ। ଏମିତି ଦିନେ ସୁଧାଙ୍କର ଖିଆଲରେ ବସିଥିବା ସମୟରେ ମୋବାଇଲ ରିଂ ବାଜି ଉଠିଲା।ଦେଖିଦେଲେ ସୁଧାର ଫୋନ୍। ଆନନ୍ଦରେ ବିଭୋର ହୋଇ ଫୋନ୍ ଟିକୁ ଉଠାଇ ଯାହା ଶୁଣିଲେ ତାଙ୍କର ପାଦ ତଳୁ ମାଟି ଖସି ଗଲା।ସତରେ ଆକାଶଟା ଯେମିତି ତାଙ୍କ ମୁଣ୍ଡ ଉପରେ ଛିଡି ପଡ଼ିଛି।ନିର୍ବାକ ହୋଇ ବିଳପି ଉଠିଲେ ସେ "ନା ସୁଧା ତୁମେ ଏମିତି କରି ପାରିବନି....ତୁମେ ଆଉ କାହାକୁ ବାହା ହେଇ ପାରିବନି....ତୁମେ କେବଳ ମୋର।" ବାସ୍ ,ଏଇ ଥିଲା ତାଙ୍କ ମୁଖରୁ ଶେଷ କଥା।ସୁଧା ଅନ୍ୟତ୍ର ବିବାହ କରିନେଲେ।ହେଲେ ମଳୟ ନେଲେ ନିଜ ଉପରେ ପ୍ରତିଶୋଧ।ଘର,ପରିବାର, ନିଜର ସୁନ୍ଦର୍ ବ୍ୟକ୍ତିତ୍ଵ ସବୁକିଛି କ୍ଷଣିକରେ ଭସ୍ମୀଭୂତ କରିଦେଲେ ସେ। ଭୁଲି ଗଲେ ମଣିଷ ପଣିଆ, ଭୁଲ୍ ବାଟରେ ପାଦ ଥାପି ବାଛି ନେଲେ ନିଜର ଅଧଃପତନର ରାସ୍ତା। ହଠାତ୍ ଏ ପରିବର୍ତ୍ତନ ଦେଖି ଘରେ ସମସ୍ତେ ସ୍ତମ୍ଭୀଭୂତ।ଘର ପରିବାର ଗାଆଁ ସମାଜ ସଭିଙ୍କ ଆଖିରେ ନିନ୍ଦାର ପାତ୍ର ହେଇଗଲେ।କିନ୍ତୁ ସେ ସବୁକୁ ଭ୍ରୁକ୍ଷେପ ନ ଥାଏ ତାଙ୍କର।ନିଜକୁ ଶେଷ କରିବାକୁ ଯାଇ ନିଶା ସେବନ କଲେ।ହରେଇ ବସିଲେ ଚାକିରି।ଦିନକୁ ଦିନ ରୋଗଗ୍ରସ୍ତ ହେଲେ।
ତାଙ୍କର ସେହି ଭଲ ଗୁଣକୁ ଆଖି ଆଗରେ ରଖି ବାପା ମାଆ ସ୍ତ୍ରୀ ପୁଅ ଦିନ ରାତି ତାଙ୍କ ସେବାରେ ଲାଗିଲେ।ସ୍ନେହ ଶ୍ରଦ୍ଧା ବାଣ୍ଟି ଚାଲିଲେ ।ହେଲେ କହନ୍ତି ପରା "ଚିନ୍ତା ଖାଏ ଗଣ୍ଡି ଲୁଣ ଖାଏ ହାଣ୍ଡି"।ନିଜେ ନିଜର ଶତୃ ସାଜିଲେ ଆଉ କିଏ ଅବା କଣ କରି ପାରିବ। ମଦ ପିଉ ପିଉ ମଦ ମଳୟକୁ ପିଇଗଲା।କି ଦୋଷ ଥିଲା ମଳୟ ସ୍ତ୍ରୀ ହେନାଙ୍କର?
କି ଦୋଷ କରିଥିଲେ ବାପା ମାଆ? ସମସ୍ତ ଚେଷ୍ଟା ସେମାନଙ୍କର ବ୍ୟର୍ଥ ହେଲା । ସମସ୍ତ ମାୟା ବନ୍ଧନକୁ କାଟି ମଳୟ ନେଇ ଗଲେ ଚିର ନିଦ୍ରା।
ଏହା ଥିଲା ନିୟତିର ଖେଳ ନା, ମଳୟର ରୋଗଗ୍ରସ୍ତ ମାନସିକତା,
ନା ସମୟର ଷଡ଼ଯନ୍ତ୍ର?