ସଂସ୍କାର
ସଂସ୍କାର


ବାପା ମାଆର ଅତି ଅଲିଅଳି ଝିଅ ମାମା।ଖାଲି ବାପା ମାଆ ନୁହେଁ ପରିବାର ର ପ୍ରତ୍ୟେକଙ୍କ ହୃଦ ସ୍ପନ୍ଦନ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ତାଙ୍କ ପରିବାରରେ ଥିବା ଅଭାବ ଟିକୁ ମାମା ପୂରଣ କରିଥିଲା। ଚାରି ଭାଇ ରେ ଗେଲବସର ଭଉଣୀ।କେତେ ଦିଅଁ ଦେବତା ପୂଜି ପାଇଛନ୍ତି। ଦେଖିବା ପାଇଁ ବି ଗୋଟିଏ ଚାଉଳରେ ଗଢା। ସତେ ଯେମିତି ଘରକୁ ଲକ୍ଷ୍ମୀ ପ୍ରତିମାକୁ ପାଇ ପାରିଛନ୍ତି।
ଘର ,ପରିବାର, ଗାଆଁ ସବୁଠି ତାର ଆଦର। ହେଲେ କହନ୍ତି ନି ଝିଅ ଅସୁର।ଏହାରି ଭିତରେ ମାମା କେତେବେଳେ ବଡ଼ ହେଲାଣି ସମସ୍ତଙ୍କୁ ଅଜଣା ସେ ସେମିତି ଛୋଟ ପିଲା ପରି ତାର ବ୍ୟବହାର।ହେଲେ ଝିଅ ଘିଅ ପରି।ତେଣୁ ଗୋଟିଏ ସୁନ୍ଦର ରାଜ କୁମାର ଦେଖି ହାତ କୁ ଦି ହାତ କଲେ। ରୂପ,ବିଭବ, ସବୁଥିରେ ଭରପୁର।
ହେଲେ କଥାରେ ନାହିଁ ଝିଅର ଭାଗ୍ୟ ପତର ତଳେ କି ପଥର ତଳେ।
ମହାକାଳ ଫଳ ପରି ପରିବାର ର ସମସ୍ତ ସଦସ୍ୟ।ମାମାର ଦୁର୍ବଳତା କୁ ମାପି ନେଲେ ସେ ଭାରି ସ୍ନେହୀ।ଆଉ ବହୁ ଆଦରରେ ବଢ଼ିଛି। ବାସ୍ ଭୁଲିଗଲେ ମାନବିକତା । ଯାହା ହାତ ଧରି ସ୍ଵପ୍ନ ପୂରଣ କରିବ ସେ ବି ବାଦ୍ ପଡି ନ ଥିଲା କଷଣ ଦେବାକୁ। ଗେହ୍ଲ ବସରରେ ବଢ଼ିଲେ ସୁଦ୍ଧା ଉଚ୍ଚଶିକ୍ଷିତ ମାମା
ସବୁ ପରିସ୍ଥିତିକୁ ଅକ୍ଲେଶରେ ସାମ୍ନା କରିଥାଏ।ହେଲେ ଭାଗ୍ୟ କୁ ନିନ୍ଦୁ ଥାଏ। ଆଉ ମନକୁ ବୁଝାଇ ଦିଏ ସୁଖ ଖାଇଥିଲି ଟିକେ ଦୁଃଖ ଖାଇବି ପୁଣି ସୁଖ ଆସିବ।ହେଲେ ଦିନକୁ ଦିନ ପରିବାରର ଅଶାନ୍ତି ବଢ଼ି ଚାଲିଥାଏ।
କେତେବେଳେ ଯୌତୁକ ପାଇଁ ତ କେତେ ବେଳେ ଠିକ୍ ସେ କାମ ଜାଣିନି ବୋଲି ପୁଣି କେତେ ବେଳେ ସେବା କରିପାରୁନି ଶାଶୁ ଶଶୁର ଆଉ ସ୍ୱାମୀର। ମଣିଷ ଜନ୍ମର ସାର୍ଥକତା ତାର ଆଚାର ବିଚାର ତାର ଚରିତ୍ରରେ ଉପଲବ୍ଧି କରାଯାଏ। ଏଗୁଡ଼ିକ ଭରପୂର ଥିଲେ ବି କାହା ଆଖିକୁ ଦେଖା ଯାଉ ନ ଥାଏ। ତଥାପି ମାମା ହାର ମାନେ ନାହିଁ।
ତା ପରିବାର ରେ ମାଆ ଖୁଡି ଭାଉଜ ଜେଜେ ମାଆଙ୍କର ସମସ୍ତ କାର୍ଯ୍ୟ କଳାପକୁ ଯେମିତି ମନ ଡାଇରୀ ରେ ରଖିଥିଲା ଆଉ ତା ସଂସାରରେ ବ୍ୟବହାର କରୁଛି।କେବେ ପ୍ରତିବାଦ ନାହିଁ। ପ୍ରତ୍ଯୁତ୍ତର ନାହିଁ ଅସହ୍ୟ ହେଲେ ଠାକୁରଙ୍କ ପାଖେ କଇଁ କଇଁ ହୋଇ କାନ୍ଦି
ଉଠେ। ନିଜ ଲୋକଙ୍କ ଆଗରେ କେବେ ଦୁଃଖ ପ୍ରକାଶ କରେ ନାହି।ଜାଣିଛି ଜେଜେ ମାଆ କେତେ କାହାଣୀ କହିଛନ୍ତି ଦୁହିତା ବିଷୟରେ ବାପ ଘର ସମ୍ମାନ ବାଦେ ଶାଶୁ ଘର ସମ୍ମାନ ରଖିଲେ।
ହେଲେ କେତେ ବି ସହିବ।ଏମିତି ଭାବୁ ଭାବୁ ମନରେ ସଂକଳ୍ପ ନେଲା ଯେତେ କଷ୍ଟ ଦିଅନ୍ତୁ ପଛେ ସହିଯିବି।ଈଶ୍ୱର ଯାହା କରିବେ।
ଶାଶୁ ନଣନଦ ଙ୍କୁ ନିଜର କରିବା ପାଇଁ ସଦା ପ୍ରୟାସ ଜାରି ରଖିଲା।ଶାଶୁଙ୍କର ଆଳି କୁ ଚନ୍ଦନ ଭାବି ଦେହରେ ବୋଳିଲା।ଏମିତି ବି ଦିନେ ଶାଶୂଙ୍କ ଠାରୁ ଚୁଟି ଘୋଷରା ଖାଇଲା ପରେ ଭୋ ଭୋ ହୋଇ କାନ୍ଦି କାନ୍ଦି ଶାଶୁଙ୍କ ଆଲିଙ୍ଗନ କରି କହି ପକେଇଲା 'ମାଆ ମୁଁ କି ଆପଣଙ୍କ ଝିଅ ହୋଇ ପାରିବିନି।ଆପଣଙ୍କ ଝିଅ ଏମିତି କଷ୍ଟ ପାଇଲେ ଆପଣ ସହିବେ?
ଏହି ଦୁଇ ପଦ କହି ସେ ଦିନ ନିଜେ ବହୁତ କାନ୍ଦି ଥିଲା ନିଜେ ଉପାସ ରହି ଶାଶୁଙ୍କ ମାନପସନ୍ଦର ସମସ୍ତ ଜିନିଷ ରାନ୍ଧି ଖାଇବାକୁ ଦେଲା। ଆଉ ଈଶ୍ୱରଙ୍କୁ ପ୍ରାର୍ଥନା କଲା "ହେ ପ୍ରଭୁ! ମୋ ମାଆଙ୍କୁ (ଶାଶୁ) ଭଲରେ ରଖ।ମୋ ଭାଗ୍ୟରେ କଷ୍ଟ ଲେଖା ଅଛି। ମୁଁ ଭୋଗିବି।ହେଲେ ମୋ ଶାଶୁଙ୍କ କିଛି କଷ୍ଟ ଦେବନି। ଏତିକି କଥାକୁ ଶାଶୁ ତାର ଯାଉ ଯାଉ ଶୁଣିନେଲେ। ଆଶ୍ଚର୍ଯ୍ୟ ହେଲେ ଆଉ ନିଜକୁ
ଧିକାର୍ କଲେ ଈଶ୍ୱର ମୋ ହାତରେ ହୀରା ଦେଇଛନ୍ତି ମୁଁ ତାକୁ ପୋଡ଼ା ଅଙ୍ଗାର କରି ସାରିଲିଣି।ନିଜ ସ୍ବାମୀ ପୁଅ ଝିଅଙ୍କ ଡାକି ସବୁ କହିଲେ ମାମା କୁ ଦେଇଥିବା ସମସ୍ତ କଷ୍ଟ ମାନିଲେ। ଆଉ ପ୍ରଶ୍ନ କରିଥିଲେ ଏମିତି ମୋ ଝିଅ ତା ଶାଶୁ ଘରେ ହେଇ ପାରିବ? ସ୍ଵାମୀ ତାଙ୍କ ଉତ୍ତର ଦେଲେ ଏ ସବୁ ପରିବାରର ସଂସ୍କାର ତା ବାପା ମାର ସଂସ୍କାର।ଆମେ ତୁମେ ଆମ ଝିଅକୁ କଣ ଶିଖେଇଛେ।
ଈଶ୍ୱରଙ୍କୁ କ୍ଷମା ମାଗି ଶାଶୁମା ଯାଇ ମାମାକୁ ଛାତିକୁ କୋଳେଇ ଆଣି କହିଲେ, "ମା ରେ ! ମୋତେ କ୍ଷମା କରିଦେ"। ଅତି ଆନନ୍ଦରେ ମାମା କାନ୍ଦି କାନ୍ଦି କହିଥିଲା ତୁମେ ପରା ମୋର ମାଆ । ମାଆ କ୍ଷମା ମାଗେନି କ୍ଷମା ଦିଏ। ହସି ଉଠିଲା ମାମା ର ସଂସାର।
ମାମା ପରି ସମସ୍ତେ ସଂସ୍କାର ସମ୍ପନ୍ନ ହେଲେ ଆଉ ଏତେ ଛାଡ ପତ୍ର ହୁଅନ୍ତାନି କି ନିଆଁରେ ପୋଡିବା,ଫାଶୀ ଟାଣିବା ,ଆତ୍ମ ହତ୍ୟା କଥା କେହି ଭାବନ୍ତେନି। ପରିବାର ପାଲଟି ଯାଆନ୍ତା ମର୍ତ୍ତ୍ୟ ବୈକୁଣ୍ଠ।