STORYMIRROR

Subhalaxmi Nayak

Inspirational

3  

Subhalaxmi Nayak

Inspirational

ସମୟ କାହିଁ?

ସମୟ କାହିଁ?

3 mins
123

ସମିତା ବାହାଘର ପରେ ପରେ ଚାକିରୀ ସହିତ ପରିବାରର ଦାୟିତ୍ୱ ଖୁବ୍ ସୁନ୍ଦର ଭାବରେ ନିର୍ବାହ କରି ଚାଲିଥିଲେ । ଏ ଭିତରେ ପାଞ୍ଚ ବର୍ଷ ବିତି ଯାଇଥାଏ । ପାଞ୍ଚ ବର୍ଷ ପରେ ମାଆ ହେବାର ସୌଭାଗ୍ୟ, ଆଉ ତାପରେ ସତେ ଯେମିତି ଗୋଟିଏ ଯନ୍ତ୍ରବତ୍ ଚାଲିଥାଆନ୍ତି ସେ.... ନିଜକୁ ଦେଖିବାକୁ ସମୟ ନାହିଁ । କଅଁଳା ଛୁଆର ଯତ୍ନ ନେବା, ସମୟ ଅନୁସାରେ ଶାଶୁ ଶ୍ୱଶୁରଙ୍କର ଖାଇବା ଆଉ ଔଷଧ ଦେବା, ଠିକ୍ ସମୟରେ ଅଫିସ୍ କାମ, ପୁଣି ସେଇ ସବୁ ଦୈନିକ ଦିନଚର୍ଯ୍ୟା ଭିତରେ ସେ ନିଜକୁ ଦେଖିବାକୁ ଭୁଲିଯାଆନ୍ତି । ଯେତେବେଳେ ସୁଜିତ୍ ବାବୁ କୁହନ୍ତି, "ସମିତା! ତୁମେ କେତେ କାମ କରୁଛ.... କେବେ ତ ନିଜର ଯତ୍ନ ନିଅ, ବାହାରକୁ ବୁଲିବାକୁ ଚାଲ, ସାଙ୍ଗମାନଙ୍କୁ ଦେଖା କର.... ଇତ୍ୟାଦି ଇତ୍ୟାଦି । " ସମିତାଙ୍କ ମୁହଁରେ ଗୋଟିଏ ଉତ୍ତର,"ସମୟ କାହିଁ?" ଏଇ ବର୍ଷ ପରିବାରକୁ ନେଇ ଦାର୍ଜିଲିଂ ବୁଲିବାକୁ ଯିବାକୁ ସୁଜିତ୍ ବାବୁ ସମିତାଙ୍କୁ ପ୍ରସ୍ତାବ ଦେଲେ । ସମିତାଙ୍କର ସେଇ ସମାନ ଉତ୍ତର ଶୁଣି ସୁଜିତ୍ ବାବୁ ଟିକିଏ ଉଚ୍ଚ ଗଳାରେ କହିଲେ, "କ'ଣ ସମୟ ନାହିଁ? ଦପ୍ତର କାମ ତ ଲାପଟପ୍ ଦ୍ଵାରା ପରିଚାଳିତ ହେଉଛି, ଆଉ ପରିବାରକୁ ପରା ସାଙ୍ଗରେ ନେଇକରି ଯିବା.... ପୁଣି କ'ଣ ସମୟ ନାହିଁ?" ଏଥର ନଛୋଡ଼ବନ୍ଧା ହୋଇ ସୁଜିତ୍ ବାବୁ ଦାର୍ଜିଲିଂ ବୁଲିବାକୁ ଯିବାର ସବୁ ବ୍ୟବସ୍ଥା କରି ଦେଲେ । ସମିତାଙ୍କର ମନରେ କିନ୍ତୁ ଖୁସି ନ ଥିଲା । ଅସଲ କଥାଟି କ'ଣ ଜାଣିବା ପାଇଁ ସୁଜିତ୍ ବାବୁ ବାପା ବୋଉଙ୍କର ଅନୁମତି ନେଇ ପୁଅକୁ ତାଙ୍କ ଜିମାରେ ଛାଡ଼ି, ସମିତାଙ୍କୁ ନେଇ ଏକ ହୋଟେଲରେ ରାତ୍ରିଭୋଜନ କରିବାକୁ ଭାବି ଆଗୁଆ ସବୁ ବନ୍ଦୋବସ୍ତ କରି ନେଲେ । ଯୋଗକୁ ସେଦିନ ଅନ୍ତର୍ଜାତୀୟ ମହିଳା ଦିବସ ଥାଏ । ତେଣୁ ସମିତାଙ୍କ ପାଇଁ ସ୍ୱତନ୍ତ୍ର ଟେବୁଲ୍ ବୁକ୍ ହୋଇଗଲା ହୋଟେଲ ତରଫରୁ । ସନ୍ଧ୍ୟା ବେଳକୁ ସୁଜିତ୍ ବାବୁ ଓ ସମିତା ବୁଲାବୁଲି ସାରି ଆସି ରୁମକୁ ଯିବାକୁ ବାହାରିବାରୁ ସୁଜିତ୍ ବାବୁ ତାଙ୍କ ଆଖିରେ ହାତ ରଖି ଧରି ଧରି ନେଇ ପହଞ୍ଚି ଗଲେ ବୁକ୍ ହୋଇଥିବା ତାଙ୍କର ସ୍ୱତନ୍ତ୍ର ଟେବୁଲ୍ ପାଖରେ । ସମିତା ବହୁତ ଖୁସି ହେଲେ ସାଜସଜ୍ଜା ଦେଖିକରି । ଆଉ ସେଦିନ ପ୍ରଥମ ଥର ନିଜ ମନକଥା ଖୋଲି କହିଲେ, ସୁଜିତ୍ ବାବୁଙ୍କ ଆଗରେ । ଆମର ଓଡ଼ିଆ ଘରର ଚାଲିଚଳଣି ଏମିତି ଯେ, ପରିବାରରେ ଜଣେ ମହିଳା ଚାହିଁଲେ ବି ନିଜ ପାଇଁ ସମୟ ବାହାର କରିବା ବହୁତ କଷ୍ଟ । ଆଉ ପ୍ରତିଟି କଥା ଆଢ଼ୁଆଳରେ ସମାଜର ଉଦାହରଣ, ଲୋକେ କ'ଣ କହିବେ! ତେଣୁ ନାରୀଟିଏ ବୋହୂ, ମାଆ ହେଲା ପରେ ନିଜ ପାଇଁ ସମୟ ବାହାର କରିବା ସମାଜ ଅଧିକନ୍ତୁ ପରିବାର ଆଖିରେ ମଧ୍ୟ ଅପରାଧ । ଯେତେବେଳେ ତୁମେ କହିଲ ବୁଲିବାକୁ ଯିବା କଥା ମୁଁ ମନା କରିବା ସ୍ୱାଭାବିକ । ନ ହେଲେ ଶାଶୁ ଯେତେ ଭଲ ହୋଇଥିଲେ ମଧ୍ୟ ସମାଜ ଡ଼ର ତାଙ୍କୁ ମଧ୍ୟ ଘାରିଯାଏ । ମୁଁ ଚାହେଁ ନାହିଁ, ମୋର କୌଣସି ଗୋଟିଏ କାର୍ଯ୍ୟ ବା କଥା ତାଙ୍କର ମନରେ ଦୁଃଖ ଦେଉ, ସେ ପ୍ରତ୍ୟକ୍ଷଭାବେ ହେଉ ବା ପରୋକ୍ଷ ଭାବରେ । ତେଣୁ ମୁଁ "ସମୟ କାହିଁ" କହି କଥା ଟାଳି ଚାଲିଯାଏ । ଏଥର ତୁମେ ନିଜେ ଚିନ୍ତା କରି ଦେଖ ତ! ଯେତେବେଳେ ସମସ୍ତେ ବୁଲିବାକୁ ଯିବା କଥା କହିଲ, ଦେଖିଛ କି, ବୋଉଙ୍କ ମୁହଁକୁ? ସେ ଯେଉଁ ଆନନ୍ଦର ସହିତ ଚାହିଁ ରହିଥିଲେ ତୁମକୁ? ଦେଖିଛ କି,ବାପାଙ୍କ ଆଖିରେ ଜକେଇ ଆସୁଥିବା ଲୁହକୁ? ତାଙ୍କର ଖୁସିର ସୀମା ନ ଥିଲା ସେଦିନ । ଯେତେବେଳେ ପରିବାରର ସମସ୍ତେ ମିଳିମିଶି ଖୁସିର ଭାଗିଦାର ହୋଇ ପାରିବା, ମୁଁ କାହିଁକି ଏକା ଏକା ସବୁ ଖୁସିରେ ହକ୍ ଜମାଇବି, ନିଜ ସମୟ ଦ୍ୱାହି ଦେଇ ସେମାନଙ୍କ ଖୁସିକୁ ଜଳାଞ୍ଜଳି ଦେବାକୁ ମୁଁ କେହି ନୁହେଁ । ସୁଜିତ୍ ବାବୁ ସେହି ଦିନ ହୃଦୟଙ୍ଗମ କରିଲେ, ନାରୀ ସତରେ ମହାନ୍ । ସେ ଚାହିଁଲେ ଗୋଟିଏ ଘର ମନ୍ଦିର ସମ ପବିତ୍ର ହୋଇ ଗଢ଼ି ଉଠିବ....ଆଉ ସେ ନ ଚାହିଁଲେ ଇଟା, ସିମେଣ୍ଟର ତିଆରି ସେ ସୌଧ କେବଳ ଗୋଟିଏ ଘର ଆଖ୍ୟା ନେଇ ରହିଯିବ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational