TapaswiniDash Sarangi

Tragedy Classics Inspirational


3  

TapaswiniDash Sarangi

Tragedy Classics Inspirational


ସ୍ମୃତିର ପଞ୍ଜୁରୀ

ସ୍ମୃତିର ପଞ୍ଜୁରୀ

3 mins 7 3 mins 7

ହେଇଟି ଶୁଣୁଛ! ଆଉ ଦୁଇ ଦିନ ଗଲେ ରଜ ଆସୁଛି । ଆମ ଓଡିଆ ଘରର ବଡ଼ ପରବ । ଗାଁ କଥା ଭାରି ମନେ ପଡୁଛି । ଏଇ ଚାରି କାନ୍ଥ ଭିତରେ ବଡ଼ ଅଣନିଃଶ୍ଵାସୀ ଲାଗିଲାଣି । ପୁଅ ବୋହୂ ତାଙ୍କ ଅଫିସ୍ କାମରେ ଯାଉଛନ୍ତି । ନାତି ଶିବୁନୁ ତା ପାଠ ପଢାରେ ବ୍ୟସ୍ତ । ଆଉ ଆମେ ବୁଢା ବୁଢୀ ଦୁଇଟା ଥୁଣ୍ଟା ବରଗଛ ପରି ଏଇଠି ଯାହା ପଡି ରହିଛେ । ଆମ ଓଡିଆ ଘରର ରୀତି ନୀତି କଣ ଆମ ବୋହୂ ତ ଜାଣେନା । ଉଗ୍ର ଆଧୁନିକା ଝିଅ ସିଏ । ମୁଁ ଯାହା ଶିଖେଇବି । ହେଲେ ଶିଖିବାକୁ ମନ ଥିଲେ ତ ଶିଖିବ । ହଉ ଛାଡ଼..ଏମିତି କହି ହେଉଥାଆନ୍ତି ସୁଲୋଚନା ଦେବୀ ।

ହଁ ତୁମେ ଠିକ୍ କହୁଛ ସୁଲି,ବୁଝିଲ ବୟସ ଖସିଲା । ଆମେ ଏବେ ପିଲାଙ୍କ ଉପରେ ନିର୍ଭର କରି ଚଳିବା କଥା । ଗାଁ କଥା ତ ମନେ ପଡୁଛି । ସେ କାଳ ପଖାଳ କାଳିଆ ବଳଦ ଯୋଡି ଆଉ ନାହିଁ ହେ ସୁଲି । ଏଇ ବମ୍ବେ ସହରରେ କିଏ ବା ଜାଣିବ ରଜ ମଉଜ କଥା । ଏଠି ତ ପଡୋଶୀ ଘରେ କିଏ ମରି ପଡିଲେ କିଏ ତ ଜାଣିବେନି । ସହଧର୍ମିଣୀଙ୍କ କଥାକୁ ସମର୍ଥନ ଜଣାଇ କହିଲେ ଶ୍ୟାମଘନ ବାବୁ ।

ପହିଲି ରଜ ଦିନ ବଡ଼ ସରାଗରେ ସକାଳୁ ଉଠି ସୁଲୋଚନା ପୋଡ଼ ପିଠାଟିଏ ବନେଇଲେ । ପୁଅ ସୁମିତ୍ କୁ ଭାରି ପସନ୍ଦ । ତା' ସହିତ ଆରିସା ପିଠା ଓ ସରୁ ଚକୁଳି । ସୁମିତ୍ ନଅଟା ବେଳକୁ ତା' ଅଫିସ୍ କୁ ବାହାରିଯିବ । ପିଲାଟା କାମରେ ଏତେ ବ୍ୟସ୍ତ ଯେ ଘଡିଏ କଥା ହେବାକୁ ସମୟ ହେଉନି ।  

ଧଡ଼ପଡ଼ ହୋଇ ସୁମିତ୍ ଡାକ ଛାଡିଲେ ଲୋରା ଲୋରା ଜଲଦି ଆସ ଅଫିସ୍ ସମୟ ହୋଇଗଲାଣି ପରା । ପୁଅର ଡାକ ଶୁଣି ସୁଲୋଚନା ଦେବୀ ପିଠା ପ୍ଲେଟ୍ ଟିକୁ ଧରି ପୁଅ ପାଖକୁ ଆସିଲେ । ଆରେ ବାବୁ ତୋ ଆଁ ମେଲା କଲୁ ମୁଁ ଆଜି ତୋ ପସନ୍ଦର ପିଠା ବନେଇଛି । ଗୋଟେ ଖାଇକି ଯା' ।

ନାଇଁ ବୋଉ ମୋର ସମୟ ହେଲାଣି । ଏଗୁଡାକ ଖାଇବାକୁ ସମୟ ନାହିଁ । ତୁ ମୋର ଫାଲତୁ ରେ ସମୟ ନଷ୍ଟ କରନା । ମୁଁ ଆସିଲେ ଖାଇବି । ସୁମିତ୍ ବ୍ୟତିବ୍ୟସ୍ତ ହୋଇ କହିଲା ।

ତଥାପି ମା' ମନ କଣ ବୁଝୁଛି । ହଉ ନହେଲେ ମୁଁ ଟିଫିନ୍ ଡବାରେ ଦୁଇଟା ଦେଉଛି ତୁ ଅଫିସ୍ ରେ ଖାଇ ନେବୁ । ସୁଲୋଚନା କହିଲେ ।

ବୋଉ ବୁଝିଲୁ ଏ ପୁରୁଣା କାଳିଆ ଚିନ୍ତାଧାରା ଛାଡେ । ତୋ ପୁଅ କେତେ ବଡ଼ ବଡ଼ ଅଫିସରଙ୍କ ସହ ବସୁଛି । ମୁଁ ଏଗୁଡାକ ତାଙ୍କ ସହ ବସି ଖାଇଲା ବେଳେ ଲାଜ ଲାଗିବ । ସୁମିତ୍ ଏତିକି କହି ପଳେଇଲା ।

ବୋହୂ ଲୋରା କିଛି ନବୁଝୁଣୁ କହିଲା । ଅଯଥାରେ ଏ ଜିନିଷ କଣ କରିବା ଦରକାର । ସବୁର ଦର ଦାମ୍ ଯାହା ହେଲାଣି । ପୁଣି ଏଠି କିଏ ଜାଣୁଛି ରଜ ଫଜ । ତୁମେ ଏ ମଫସଲି ଚଳଣି ଛାଡ଼ । କିଏ ସେଗୁଡାକ ଖାଇବ । ଗରଗର ହୋଇ ବୋହୂ ବି ଗଲା ଅଫିସ୍ ।

ଆଖିର ଲୁହକୁ ପଣତରେ ପୋଛି ସୁଲୋଚନା ଯାଇ ବାଲକୋନୀରେ ପଡିଥିବା ଚେୟାର୍ ଉପରେ ଲଥ୍ କିନା ବସି ପଡିଲେ । ତାଙ୍କୁ ଦେଖି ଶ୍ୟାମଘନ ବାବୁ ପଛେ ପଛେ ଆସିଲେ । ସ୍ତ୍ରୀଙ୍କ ମନ କଥା ବେଶ୍ ଭଲ ଭାବେ ପଢି ପାରୁଥିଲେ ।

ସୁଲୋଚନା କହିଲେ ଦେଖିଲ ଆମ ପୁଅ କେତେ ବଡ଼ ହାକିମ ହୋଇଗଲାଣି । କାଲି ପରିକା ଲାଗୁଛି ପୋଡ଼ ପିଠା ହେଲେ ସେ କେତେ ଖୁସି ହୋଇଯିଏ । ସରୁ ଚକୁଳି ଆଉ ଆରିସା ଏ ଦୁଇଟା ତ ତା'ର ଆହୁରି ପସନ୍ଦ । ହେଲେ ଏବେ ସେଗୁଡାକ ମଫସଲି ଖାଇବା ହେଇଗଲାଣି । ବୋହୂ ମୋ ସ୍ନେହ ମମତାକୁ ବୁଝିଲାନି ତା'କୁ ଅଯଥା ଖର୍ଚ୍ଚ ପରି ଲାଗିଲା । ଛାଡ଼ ଆମେ ଏ ସୁନା ପଞ୍ଜୁରୀର ଦୁଇଟି ପକ୍ଷୀ । ଠିକ୍ ସେମିତି ଆମ ସ୍ମୃତିକୁ ବି ଏଇ ପଞ୍ଜୁରୀ ଭିତରେ ସୀମିତ ରଖିବା ।

ଝରକା ପାଖରେ ନାତି ଶିବୁନୁ ଠିଆ ହୋଇଥିଲା । ଦଶ ବାର ବରଷର ହେଲେ କଣ ହେବ ମୁଣ୍ଡରେ ବୁଦ୍ଧି ଅଧିକ । ସେ ଜେଜେ ମା'କୁ ଖୁସି କରିବାକୁ ଯାଇ କହିଲା । ମୋତେ ଦେଲୁ ଏ ନୂଆ ଜିନିଷଟି କଣ । ନାତିର ଆଗ୍ରହ ଦେଖି ସୁଲୋଚନା ବଡ଼ ସରାଗରେ ନାତି ପାଟିକୁ ଦେଇଦେଲେ ପୋଡ଼ ପିଠା ଖଣ୍ଡେ । ଆହାଃ । କେତେ ବଢିଆ ହେଇଛି ଜେଜେ ମା' । ଆଜି କଣ କି?ତୁମେ ଏଇଟା କଣ ବନେଇଛ । ଏମିତି ଅନେକ ପ୍ରଶ୍ନ । ସୁଲୋଚନା ଦେବୀ ରଜ ପର୍ବ ବିଷୟରେ ସବୁ ବଝେଇଲେ । ସବୁ ଶୁଣିଲା ପରେ ଶିବୁନୁର ଗୋଟିଏ ଜିଦ୍ ଆର ବର୍ଷକୁ ସେ ଗାଁକୁ ଯିବ ଆଉ ରଜ ମନେଇବ ।

ଶ୍ୟାମଘନ ବାବୁ ବି ଗାଁର ରଜମଉଜ କଥା ଖାଲି ଝୁରି ହେଉଥିଲେ । ଏଇ ତିନି ଚାରି ଦିନ କେମିତି କଟି ଯାଏ ଜଣା ପଡେନି ହେଲେ ଏଠି ନା କିଏ ରଜକୁ ଜାଣିଛି ଆଉ ଯିଏ ବି ଜାଣିଛି ସିଏ ଭୂଲି ଯାଇଛି । ହେ ଭଗବାନ ଏଇ ଆମ ଓଡିଆ ପରମ୍ପରା ଆଉ ସଂସ୍କୃତି ଲୋପ ନ ପାଉ କହି ମୁଣ୍ଡିଆ ମାରି ହେଉଥିଲେ ।


Rate this content
Log in

More oriya story from TapaswiniDash Sarangi

Similar oriya story from Tragedy