ସ୍ମୃତି ଏକ ଅସମୟର
ସ୍ମୃତି ଏକ ଅସମୟର
ମୋ ଜୀବନ କାହାଣୀ
ସମ୍ବଲପୁରରେ ମୋତେ ଏକ ସରକାରୀ ଘର ତ ମିଳିଥିଲା କିନ୍ତୁ କେତୋଟି ସର୍ତ୍ତରେ । କେହି ଯଦି ପୁରୁଣା ଲୋକ ବା ସିଫ୍ଟ ଡିଉଟି ଲୋକ ଆସନ୍ତି ତେବେ ଦଶଦିନିଆ ନୋଟିସରେ ଘରଖାଲି କରିବାକୁ ପଡ଼ିବ । ସରକାରୀ କଳରେ ଆଇନ କାନୁନକୁ ସମ୍ମାନ ଦେଉଥିବାଲୋକ ବା ସ୍ୱାଭିମାନ ଥିବା ଲୋକ ତ କେବଳ ହଇରାଣ ହୁଅନ୍ତି ଏ'କଥା ମୋତେ ଜଣା । ଏଭଳି ସର୍ତ୍ତରେ ସରକାରୀ ଘରନେବା ଅପେକ୍ଷା ବାହାରେ ଘରଭଡ଼ାରେ ରହିବା ବହୁଗୁଣରେ ମୋ ପାଇଁ ଭଲ ହେଇଥା'ନ୍ତା । ପ୍ରତି ସପ୍ତାହରେ ଛକପକ, ଏଠି କଟକିଆଙ୍କୁ ଭଡ଼ା ଦେବାକୁ କେହି ରାଜି ନୁହନ୍ତି । କେମିତି ହେଲେ କେଉଁଠି କିଛି ଗୋଟାଏ ସୁବିଧା ମିଳିଗଲେ ସରକାରୀ ଘର ଛାଡ଼ିଦେବି । ଏଠି ଜାଗାଟିଏ କିଣିବା କିମ୍ବା ଘରଟିଏ କରିବା ତ ଏତେ ସହଜ କାମ ନୁହେଁ । ଏତେ କମ ଦରମା ପୁଣି ବ୍ୟାଙ୍କ ବାଲାନ୍ସ କିଛିନାହିଁ ।
ଗୋଟାଏ ଶୁଭ ମୁହୂର୍ତ୍ତରେ ଲିଭନେସ କିଣ୍ଡୋ ସାହେବ, ଆର ଡି ସିଙ୍କ ସହିତ ମୋର ଚିହ୍ନା ପରିଚୟ ହେଇଗଲା । କହୁକହୁ କହି ପକାଇଲି-"ଆମକୁ ଏଠି ତ ମୋଟେ ଘର ଭଡ଼ାରେ ମିଳୁନାହିଁ । ମୋ ପାଇଁ ଉନ୍ନୟନ ଟ୍ରଷ୍ଟ ତରଫରୁ ତିଆରି କରାଯାଇଥିବା ଗୋଟାଏ ଛୋଟଘର ମିଳିଗଲେ ମୁଁ ସେଇଠି ରହିଯାଆନ୍ତି ।"
ସେତେବେଳକୁ ସମ୍ବଲପୁର ସହରର ଶେଷ ସୀମାରେ ସମ୍ବଲପୁର ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ ତରଫରୁ ଗୁଡ଼ାଏ ଘର ତିଆରି ସରି ଅଵିକ୍ରିହେଇ ପଡ଼ିଥାଏ । ଲୋକେ ଜମା କରିଥିବା ଟଙ୍କା ମଧ୍ୟ ଫେରାଇ ନେଉଥା'ନ୍ତି । କିଏ କହୁଥାଏ-ଦିଆସିଲି ଖୋଳପରି ଘର । ଭାରି କଦର୍ଯ୍ୟ ପରିବେଶ, ସନ୍ତସନ୍ତିଆ ଖାଲୁଆ ଜାଗା । ତେଣୁ କିଣିବା ଲୋକ ମିଳୁ ନ ଥା'ନ୍ତି । କିଣ୍ଡୋ ସାହେବ କହିଲେ-"ସେହି ଘରରୁ ଦୁଇଟା ନେଇଯାଇ ମିଶେଇ ଦେଲେ ତ ବଡ଼ ହେଇଯିବ । ଆପଣ ଦୁଇଟା ଫର୍ମପୂରଣ କରି ଦେଇଯାଆନ୍ତୁ ।"
ମାତ୍ର ଏଗାର ହଜାରଟଙ୍କା ମୂଲ୍ୟର ସେ ଘର । ଦୁଇଟାର ମୂଲ୍ୟକୁ ଭାଗକରି ତିନିମାସକୁ 700 ଟଙ୍କା ଦେବାକୁ ପଡ଼ିବ । କିଣ୍ଡୋ ସାହେବଙ୍କ କଥାରେ ଦୁଇଟା ଘରନେଇ ଯୋଡ଼ା ଯୋଡ଼ି କରି ରହିବା ଯୋଗ୍ୟ କରିଦେଲି ।
ଠିକ ସେତିକିବେଳେ ଦଶଦିନିଆ ନୋଟସ ପାଇ ମୁଁ ସେ ନୂଆ ଜାଗାକୁ ଗଲି । ଲୋକ କେହି ନାହାନ୍ତି ପରିବେଶ ବାସ ଉପଯୋଗୀ ନ ଥିଲା । ମୁଁ ରହିବା ଫଳରେ ଜଣେ ଜଣେ ଲୋକ ଆସି ତାଙ୍କର ଘରକୁ ସଂପ୍ରସାରଣ କରି ରହିବା ଆରମ୍ଭ କଲେ । ଆମ ଘରଟି ସବୁଠୁ ଆଗ ହେଇଥିବାରୁ ବିଭିନ୍ନ ଲୋକ ଆସି ଆମ ସହିତ ମିଶୁଥିଲେ । ମୁଁ ସେ କଲୋନୀର ଏକପ୍ରକାର ନେତାହେଇ ଯାଇଥିଲି । ଗୋଟାଏ ରେଜିଷ୍ଟ୍ରେଡ଼ କମିଟି ମଧ୍ୟ ଗଠନ କରିଦେଇ କଲୋନୀର ଉନ୍ନୟନ ପାଇଁ ବିଭିନ୍ନ ଦିଗରୁ ଲାଗି ରହିଥିଲି ।
ବର୍ଷକ ପରେ ମୋର ଟ୍ରାନ୍ସଫର ହେଇଗଲା, ସେ ଘରଛାଡ଼ି କେନ୍ଦୁଝର ଓ ପରେ ରାଉରକେଲାରେ ରହିଲି । ଘରଟି ଖାଲିଥିବାରୁ ତାକୁ ଭଡ଼ା ଦେବାକୁ ଲୋକଟିଏ ଖୋଜୁଥିଲି । ଦିନେ ଜଣେ ବୁଢା଼ଲୋକ ବୁଢ଼ୀ ସହିତ ଆସି ମୋତେ ଦେଖାକଲେ । ପରିଚୟ ଦେଲେ-ବୁଢାଲୋକଟି ଡ୍ରାଇଭର ଥିଲା ଏବେ ଅବସର ନେଇଯାଇଛି । ତିନିଟା ପୁଅ ଭିତରୁ ବଡ଼ଟା ବାହାହେଇ ବାପା-ମାଆଙ୍କଠାରୁ ଭିନ୍ନହେଇ ବାହାରେ ରହୁଛି । ମଝିଆ ପୁଅ ବାହାହେଇ ତା'ସ୍ତ୍ରୀ ପାଖରେ ରହୁଛି । ସାନପୁଅ ସାଇକେଲ ମରାମତି ଦୋକାନ କରିଛି । ସେ ତାଙ୍କ ସହିତ ରହିବ ।
-"କେତେ ଭଡ଼ା ହେବ ? ସେମାନେ ମୋତେ ପଚାରିଲେ । ତା'ପୂର୍ବରୁ ମୋତେ ବୁଢ଼ୀ ବିକଳହେଇ କହିଥିଲେ- "ବାପା, ପେନସନ ଟଙ୍କାରେ ଆମେ ଚଳୁଛୁ, ଭାରି ଗରିବ ଲୋକ । କୋଉଠି ହେଲେ ଶସ୍ତାରେ ଘରଟିଏ ପାଇ ପାରୁନାହୁଁ । ଯେତେ କମ ହେଇପାରିବ ସେତିକି କୁହ । ତମ ପୁଅର ଧର୍ମହେବ । ଆମେ କାଲିଠାରୁ ଆସି ରହିଯିବୁ ।"
ଏଣେ ବୁଢା଼ଲୋକଟି ପାରାଲିସିସ ରୋଗୀ । ତାଙ୍କର ଅବସ୍ଥାକୁ ଦେଖି ମୁଁ ଘରଭଡ଼ା କେତେ ହେବ କହି ପାରିଲି ନାହିଁ । କହିଦେଲି-" ତମେ କେତେ ଦେଇପାରିବ ଆଗକୁହ ?"
ବୁଢ଼ୀ କହିଲା-"ମାସକୁ ଛଅଶହ ଟଙ୍କା ଆମେ ଦେଇପାରିବୁ । ସେତିକିରେ ତମେ ରାଜିହେଇ ଯା' । ତମେ ତ ଆମର ପୁଅ ଭଳି । ତମକୁ ଆମେ ବୁଢ଼ାବୁଢ଼ୀ ଦି'ଜଣ ଆଶୀର୍ବାଦ କରିବୁ ।"
ଧର୍ମ ସଂକଟରେ ପଡ଼ି ମୁଁ ତାଙ୍କର କଥାରେ ରାଜି ହେଇଗଲି । ଭାବିଲି, ଗରିବ ଲୋକଟି କମ ଭଡ଼ାରେ ରହିଯାଉ । ଜୀବନରେ କିଛିଟା ପରୋପକାର କରିଲି ବୋଲି ଆତ୍ମସନ୍ତୋଷ ଲାଭକଲି । କଥା ଛିଡ଼ିଗଲା- ପ୍ରତିମାସ ସେ ଟଙ୍କା ରଖୁଥିବେ ମୁଁ ମାସକୁ ଥରେ କିମ୍ବା ଦୁଇ ତିନିମାସକୁ ଥରେ ଆସି ନେଇଯିବି । କାରଣ ସେମାନେ ବ୍ୟାଙ୍କରେ କିମ୍ବା ପୋଷ୍ଟ ଅଫିସରେ ଡିପୋଜିଟ କରିପାରିବେ ନାହିଁ । ବୁଢ଼ାବୁଢ଼ୀ ଦୁହେଁ ଅତ୍ୟନ୍ତ ବିଶ୍ୱସ୍ତ । ପେନସନ ଟଙ୍କାରୁ ବୁଢ଼ୀ ପ୍ରତିମାସ ଘରଭଡ଼ା ଆଗ ରଖିଦିଏ । ବର୍ଷଟିଏ ଭଲରେ ଚାଲିଗଲା । ବୁଢାର ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାରେ ଲାଗିଥାଏ । ଦିନେ ଖବର ପାଇଲି ବୁଢା ଆରପାରିକୁ ଚାଲିଗଲା । ବୁଢ଼ୀର ପେନସନ ବି କମିଗଲା । ସାନପୁଅଟାର ରୋଜଗାର ସେମିତି କିଛି ନଥିଲା । ଏହା ଭିତରେ ସେ ଦୋକାନ ବନ୍ଦକରି ମଦପିଇ ଚୋରିକରି ଧରା ମଧ୍ୟ ପଡ଼ିଲାଣି ।
ଥରେ ଘରଭଡ଼ା ଦେବା ସମୟରେ ବୁଢ଼ୀ କହିଲା-"ବାପାରେ ଆମର ଅବସ୍ଥା ବହୁତ ଖରାପ । ତୁ ତ ମୋର ଆଉ ଗୋଟିଏ ପୁଅ, ମୋତେ ପାନଖର୍ଛ ବାବଦକୁ ଆଉ ଶହେ ଟଙ୍କା ଲେଖା ଘରଭଡ଼ା କମେଇ ଦେବୁ । ମଉସା ଚାଲିଗଲେ, ମୋ ପାଖରେ ଏବେ ମୋଟେ ଟଙ୍କା ନାହିଁ । ଆରମାସକୁ ସବୁ ଦେଇଦେବି ।"
ସେଦିନ ଶୂନ୍ୟହସ୍ତରେ ମୁଁ ରାଉରକେଲା ଫେରିଗଲି ।
ଦୁଇମାସ ପରେ ଛୁଟିଦିନରେ ପୁଣି ସମ୍ବଲପୁର ଆସି ଦେଖିଲି, ବୁଢ଼ୀ ଅସୁସ୍ଥ, ମଝିଆ ପୁଅ ଦୀନା ଆସି ତାଙ୍କ ସହିତ ରହୁଛି । ଏ' ଅବସ୍ଥାରେ ବୁଢୀକୁ ଆଉ ଟଙ୍କା ମାଗିବି କ'ଣ ? ଘର ଖାଲି କରିଦେବାକୁ କହିଲି । ବୁଢ଼ୀର ମଝିଆ ପୁଅଟା ବେଶ ସ୍ୱାସ୍ଥ୍ୟବାନ, ବିରାଟ ଚେହେରା । ସେ ଆସି ମୋତେ ତା'ର ପରିଚୟ ଦେଇ କହିଲା-ଭାଇନା ! ମୋ ନାଆଁ ଦୀନବନ୍ଧୁ, ସମସ୍ତେ ଦୀନା ବୋଲି ଡାକନ୍ତି । ତମେ ଘରଭଡ଼ା ଚିନ୍ତା ମୋଟେ କରିବ ନାହିଁ । ମୁଁ ନିୟମିତ ଟଙ୍କା ତମକୁ ଦେଇଦେବି । ମୁଁ ଠିକାଦାରୀ କାମକରେ, ମୋର ବିଲ ପେମେଣ୍ଟ ହେଇଗଲେ, ମୁଁ ଏକସଂଗେ ସବୁଭଡ଼ା ଦେଇଦେବି ।
କିଛି ଆଶା ଓ କିଛି ଅବିଶ୍ୱାସକୁ ସାଥିରେ ନେଇ ହତାଶ ମନରେ ପୁଣି ରାଉରକେଲା ଫେରିଲି । ଘରେ ପତ୍ନୀ ସବୁକଥା ଶୁଣି ଯାହା ହେବାର କଥା ହେଇଗଲେ । ବିଷ ପିଇବା ପରବର୍ତ୍ତୀ ସମୟରେ ଅସହାୟତା ମୋତେ ଘେରି ରହିଥିଲା । ତା'ପରେ ଖବର ପାଇଲି, ବୁଢ଼ୀ ବି ଆରପାରିକୁ ଚାଲିଗଲା ।
ସୌଜନ୍ୟ ଦୃଷ୍ଟିରୁ ମୁଁ ପୁଣି ଥରେ ସମ୍ବଲପୁର ଗଲି । ସେଦିନ ଦୀନା ମୋତେ ଆଦର କରି ନିଜ ହାତରେ ରୋଷେଇ କରି ଖାଇବାକୁ ଦେଲା । କହିଲା-"ଭାଇନା ! ଆଜିଯାଏ ମୋ ବିଲ ପେମେଣ୍ଟ ମିଳି ନାହିଁ । ନବେ ହଜାର ଟଙ୍କା ମିଳିବ, ସବୁ ଏକାଥରେ ଦେଇଦେବି । ଇଲେକ୍ଟ୍ରି ବିଲ ଦେଇପାରିନାହିଁ ବୋଲି ସେମାନେ ଲାଇନ କାଟି ଦେଇଛନ୍ତି । ତାକୁ ଟିକେ ସଜାଡ଼ି ଦେଇଯିବ ।"
ତା'ଠାରୁ ବୁଝିଲି, ସେ ହିଟର ଲଗାଇ ଜାଳୁଥିବାରୁ ତା'ର ତିରିଶ ହଜାର ଟଙ୍କାର ବିଲ ଉଠିଛି । ସେତକ ଡିପୋଜିଟ କଲେ ଲାଇନ ଦିଆଯିବ । ମୁଁ ଆଉ କିଛି କରି ନ ପାରି ତାକୁ ଘରଖାଲି କରିଦେବାକୁ କହି ଆସିଲି ।
ରାଉରକେଲାରେ ପହଞ୍ଚି ଟେଲିଫୋନରୁ ଜଣେ ପଡିଶା ଲୋକଠାରୁ ଖବର ପାଇଲି-"ଏହା ଭିତରେ ଦୀନା ଡକାୟତ ହେଇଗଲାଣି । ଜଣେ ଭଦ୍ରଲୋକକୁ ଜୀବନରୁ ମାରି ଟଙ୍କା ଛଡ଼େଇ ନେଇଛି, ତାକୁ ପୋଲିସ ଖୋଜୁଛି । ସେ ଆଉ ଆମ ଘରେ ରହୁନାହିଁ । ପୋଲିସ ଲାତ ମାରିମାରି ଘର କବାଟକୁ ଭାଙ୍ଗି ଦେଇଛି । ଅନେକ ଗୁଡ଼ିଏ ମର୍ଡର କେସ ତା' ନାଆଁରେ ଚାଲିଛି । ସେ ଏବେ ଯାଇ ସରଣ୍ଡା ଜଙ୍ଗଲରେ ଲୁଚିଛି । ଆମେ ସାହି ପଡ଼ିଶା ଲୋକ ଆଉ ଶାନ୍ତିରେ ରହି ପାରୁନାହୁଁ । ଏଠିକି ଆସି କିଛି ଗୋଟାଏ ବ୍ୟବସ୍ଥା କରିକି ଯାଅ ।"
ଏଣେ ମାସପରେ ମାସ ଗଡ଼ି ଚାଲିଥାଏ । ଘରଭଡ଼ା ତ ବୁଡ଼ିବାକୁ ବସିଲାଣି । ପୁଣି ଇଲେକ୍ଟ୍ରିବିଲ ତିରିଶ ହଜାରରୁ ଟପିଛି । ସାହି ପଡ଼ିଶାଙ୍କର ଅଭିଯୋଗ ତାକୁ ଶୀଘ୍ର ଘରୁ ବାହାର କର ନ ହେଲେ ଭବିଷ୍ୟତରେ ସମସ୍ତଙ୍କ ପାଇଁ ସେ ବିପଦ ହେବ ।
କେମିତି ତାକୁ ସେ ଘରୁ ବାହାର କରିବି ? ସିଏ ତ ତାଲା ପକେଇ ଜଙ୍ଗଲରେ ବୁଲୁଛି । କେବେ ରାତିଅଧରେ ଆସି ଘରେ ରହୁଛି । ପୁଣି ସକାଳୁ କୁଆଡ଼େ ପଳାଇ ଯାଉଛି । ତାକୁ ଦେଖିଥିବା ଲୋକ ଭୟରେ ତା' ସହିତ କଥା ହୁଅନ୍ତି ନାହିଁ । ସେଦିନ ରାତିରେ ସେଇଠି ରହି ତାକୁ ଜଗିଲି । ବଡ଼ିଭୋରରୁ ତାକୁ ଘରେ ରହିଥିବାର ଜାଣି ଉଠେଇଲି । ସେ ଲଣ୍ଡା ହେଇଥିଲା । ତାକୁ ମୁଁ ନରମ ଗଳାରେ ପଚାରିଲି-"କିରେ ଦୀନା ! ଏବେ ପୁଣି ଲଣ୍ଡା ହେଇଛୁ କାହିଁକି ?"
ସେ କହିଲା-"ମୁଁ ଜେଲରେ ଥିଲି ତ, ଜେଲରୁ ଫେରିଲେ- ମୁଁ ପ୍ରତିଥର ଲଣ୍ଡା ହେଇପଡ଼େ । ମୁଁ କହିଥିଲି ତମେ ତ ଆଜିଯାଏ ଇଲେକ୍ଟ୍ରି ଲାଇନ ଦେଲନାହିଁ ତେଣୁ ଆଉ ମୁଁ ତମର ଘରଭଡ଼ା ଦେବିନାହିଁ ଏ' ଘର ବି ଛାଡ଼ିବି ନାହିଁ ଏଇ ଘରେ ସବୁଦିନ ରହିଥିବି । ତମେ କ'ଣ କରିପାରିବ କର ।"
ତା'ର ଧମକପୂର୍ଣ୍ଣ କଥାଶୁଣି ମୁଁ ଅବାକ ହେଇ ଯାଇଥିଲି । ମୋତେ ବୁଦ୍ଧି ବାଟ କିଛି ଦିଶିଲା ନାହିଁ । ନିକଟସ୍ଥ ଥାନାକୁ ଯାଇ ଇନିସ୍ପେକ୍ଟରଙ୍କ ସହିତ ପରିଚିତହେଇ କଥାବାର୍ତ୍ତା କଲି । ସେ ମୋତେ ନିରାଶବାଣୀ ଶୁଣାଇ କହିଲେ- "ଭଡ଼ାଘର ଖାଲି କରାଇବା ପୋଲିସର କାମ ନୁହେଁ । ଆମେ କିଛି କରିପାରିବୁ ନାହିଁ । ଆପଣ କୋର୍ଟକୁ ଯାଇ ସିଭିଲ କେସ କରନ୍ତୁ ।"
ଘରଟି ସବୁଦିନ ପାଇଁ ମୋ ହାତରୁ ଚାଲିଗଲା ବୋଲି ମୁଁ ନିଶ୍ଚିତ ହେଇଗଲି । ଭଙ୍ଗାମନ ନେଇ ରାଉରକେଲା ଫେରିଗଲି । ଏକପ୍ରକାର ଦୁଃଖ, ଅତ୍ୟାଚାର ଆଉ ଅନୁଶୋଚନାର ଫେଣ୍ଟାଫେଣ୍ଟି ଯନ୍ତ୍ରଣାରେ ଆମେ ଦୁହେଁ ଛଟପଟ ହେଉଥିଲୁ । କାହାରିକୁ ଦୟା ଦେଖାଇବା କ'ଣ ଅପରାଧ ? ଏମିତି କାହିଁକି ହେଲା ? କେଉଁ ଜନ୍ମରେ ଆମେ କି ପାପ କରିଥିଲୁ, ଏଭଳି ଦଣ୍ଡ ପାଉଛୁ ? ଭଗବାନଙ୍କୁ ପଚାରୁଥିଲୁ ।
ମୁଁ ଥାନାକୁ ଯାଇଥିବା ଖବର ଦୀନା ପାଇଗଲା । ସେ ମୋତେ ଫୋନରେ ଜଣାଇଲା-"ତମେ ପୋଲିସ ପାଖକୁ ଚାଲିଗଲେ କ'ଣ ମୁଁ ଘର ଖାଲି କରିଦେବି ? ପୋଲିସ ଗୁଡାକ ପରା ମୋର ପୋଷା କୁକୁର । ଏବେ ଗୋଟାଏ କନେଷ୍ଟବଳ ଆସି ମୋ ସାଙ୍ଗରେ ବସି ମାଲ ପିଇକି ଗଲା । ସେ କହୁଥିଲା- ତମେ ଥାନାକୁ ଯାଇଥିଲ । ତମେ ଆଉ ସେ ଘର ଫେରି ପାଇବା କଥା ଆଶା ରଖନା । ଏ'ଘରଟାକୁ ମୁଁ କିଣିଛି ଏ'ଘରଟା ମୋର । ମୁଁ ସବୁ ସାକ୍ଷୀ ପ୍ରମାଣ ଠିକ କରିସାରିଛି । ଯିଏ ସାକ୍ଷୀ ନ ଦେବ ଜାଣିବ ତା'ର ମୁଣ୍ଡ ଗଡ଼ିଲା । ଆଉ ଗୋଟାଏ କଥା ମନେ ରଖିଥିବ, ତମେ ଆଉ କେବେ ସମ୍ବଲପୁର ମାଟି ମାଡ଼ିବ ନାହିଁ, କେତେବେଳେ ତମକୁ ସଫା କରିଦେବି ।"
ମୁଁ ବିଚଳିତହେଇ ପଡ଼ିଲି । ସ୍ଥାନୀୟ କେତେଜଣ ମାମଲତକାର ଲୋକଙ୍କୁ ମୋର ଦୁଃଖ କଥା କହିଲି । ସେମାନଙ୍କ ଭିତରୁ ସଂଜୟ ବାବୁ ମୋତେ ପରାମର୍ଶ ଦେଲେ, ଆପଣ ଆଉ ସମ୍ବଲପୁର ଯିବେନାହିଁ । ଏଇଠୁ ଥାଇ କାମ କରିବା । ଅନ୍ୟ ଉପସ୍ଥିତ ବନ୍ଧୁମାନେ ମୋତେ ପ୍ରଶ୍ନ କଲେ-"ଏତେ ବାଜେଲୋକକୁ କାହିଁକି ଘରଭଡ଼ାରେ ଦେଲେ ? ମୁଁ ମୋର ଅସହାୟତା ପ୍ରକାଶ କରି କହିଥିଲି, ଗରିବ ବୁଢା-ବୁଢ଼ୀଙ୍କର ଅବସ୍ଥାକୁ ଦେଖି ମୁଁ ତାଙ୍କୁ ଘର ଦେଇଥିଲି । ତାଙ୍କର ମଝିଆ ପୁଅକୁ ମୁଁ ତ ଆଗରୁ ଦେଖି ନ ଥିଲି, କିମ୍ବା ସେ ଘରେ ରହୁ ନ ଥିଲା । କଅଁଳା ବାଛୁରୀଟା କେତେବେଳେ ମାରଣା ଷଣ୍ଢ ହେଇଯିବ କିଏ ଜାଣିଥିଲା ? ମୋ କଥା ଅବଶ୍ୟ ସେଦିନ ହାସ୍ୟରୋଳ ସୃଷ୍ଟି କରିଥିଲା ।
ଦିନେ ସଞ୍ଜୟ ବାବୁଙ୍କ ପରାମର୍ଶ ଅନୁସାରେ ରାଉଲକେଲା ଏସି.ପି ସଞ୍ଜିବ ପଣ୍ଡାଙ୍କ ସହିତ ସାକ୍ଷାତ କରି ତାଙ୍କର ସହଯୋଗ କାମନା କଲି । ସେ ମହାଶୟ ସମ୍ବଲପୁରରେ ଏସି.ପି ସୁଶାନ୍ତ ନାଥ ଓ ଅଇଁଠାପଲ୍ଲୀ ଥାନାର ଇନ୍ସପେକ୍ଟର ମହାରଣା ବାବୁଙ୍କୁ ଏ'ଦିଗରେ ସହାୟତା କରିବାକୁ ଅନୁରୋଧ କରିଥିଲେ । ତାଙ୍କ ପରାମର୍ଶ ଅନୁସାରେ ମୁଁ ଓ ମୋ ସ୍ତ୍ରୀ ସମ୍ବଲପୁରରେ ପହଞ୍ଚି ଥାନାରେ ମହାରଣା ବାବୁଙ୍କୁ ଦେଖାକଲୁ । ସେ ଜଣେ କନେଷ୍ଟବଳକୁ ଆମଘର ପାଖକୁ ପଠାଇଲେ । ସେ ଶୂନ୍ୟ ହସ୍ତରେ ଫେରି ଆସି କହିଲେ-"ଦୀନା ଘରେନାହିଁ ।"
ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତଥିବା କାରଣରୁ ମହାରଣା ବାବୁ ସେଦିନ ଆମକୁ ବିଶେଷ କିଛି ସାହାଯ୍ୟ କରିପାରିଲେ ନାହିଁ ।
ଆମେ ଏସ.ପି ନାଥ ବାବୁଙ୍କୁ ଦେଖାକଲୁ । ସେ ମହାଶୟ ଅତ୍ୟନ୍ତ ଭଦ୍ର ବ୍ୟବହାର ଦେଖାଇ ଥାନାବାବୁଙ୍କ ସହିତ କିଛି ସମୟ କଥାହେଲେ । ଏ' ଦିଗରେ କିଛି କାମ ପାରିବେ ବୋଲି କହି ଆମକୁ ବିଦା କରିଦେଲେ ।
ସେଦିନ ରାତିରେ ଆମେ ଲୁଚି ଛପି ଯାଇ ଜଣେ ପୂର୍ବ ପରିଚିତ ଲୋକର ଘରେ ରହିଲୁ । ରାତିରେ ସେମାନେ ଆମକୁ ଜଣାଇଲେ-" ଆପଣ ଆମ ଘରେ ଅଛନ୍ତି ବୋଲି ଜାଣିଲେ, ଆମକୁ ଦୀନା ମାରି ପକେଇବ । ଦୟାକରି ଆପଣ ଆଉ କେବେ ଆମ ଘରକୁ ଆସିବେ ନାହିଁ "।
ଏଭଳି ଅପମାନ ବୋଧହୁଏ ମୁଁ ଆଗରୁ କେବେ ପାଇ ନ ଥିଲି । ଆମକୁ ସବୁଠାରୁ ଅଧିକ ଭଲ ପାଉଥିବା ମଣିଷ ଆଜି ଏଭଳି କଥା କହିବା, ଆମ ପାଇଁ ଯେତିକି ଦୁଃଖଦାୟକ ଥିଲା ସେତିକି ଚିନ୍ତାର ବିଷୟ ଥିଲା ।
ରାତି ପାହିବା ପୂର୍ବରୁ ଆମେ ନିଜର ବ୍ୟାଗପତ୍ର ଧରି ସେ ଘରୁ ବାହାରି ଆସିଲୁ । ଏଥର ମନସ୍ଥିର କରିନେଲୁ-ସେ ଦୀନା ଆମକୁ ମାରିଲେ ମାରୁ ଯାହାହେଲେ ହେଉ । ଦୀନାକୁ ଶେଷଥର ପାଇଁ ଦେଖା କରିବୁ । ଦୁହେଁ ଯାଇ ଆମଘରେ ପହଞ୍ଚି ଦେଖିଲୁ ଦୀନା ଘରୁ ବାହାରି ଦାଣ୍ଡରେ ଠିଆ ହେଇଛି । ଆମକୁ ସେ ଦେଖି ନମସ୍କାର କରି କହିଲା-"ମୁଁ ପୁଣି କାଲି ପୁଣି ଜେଲରୁ ବେଲରେ ଆସିଛି । ଭାଇନା ! ତମେ ଯାହା କଲ ତାହା ଠିକ ହେଇନାହିଁ । ମୁଁ ଯେମିତି ହେଲେ ଟଙ୍କା ଦେଇଥା'ନ୍ତି । ତମେ ସେ ଥାନାକୁ କାହିଁକି ଗଲ ? ଏବେ ମୁଁ ଆଉ କିଛି ଭଡ଼ା ଦେବିନାହିଁ କି ଘର ଛାଡ଼ି ପାରିବି ନାହିଁ । ଯଦି ଛାଡ଼ିବି ମୋତେ ଆଜି ଗୋଟିଏ ଘର କୋଉଠି ଭଡ଼ାରେ ଠିକ କରେଇଦିଅ ମୁଁ ସେଠିକି ଚାଲିଯିବି । ନହେଲେ ସେତେଦିନ ଯାଏ ମୁଁ ଏଇଠି ଏମିତି ରହିଥିବି । ସମଗ୍ର ସମ୍ବଲପୁରରେ ଲୋକେ ମୋତେ ଡରନ୍ତି । ମୁଁ ସମ୍ବଲପୁରରେ ଡନ ଦୀନା ଏହା ଭିତରେ ମୁଁ ତିନି ଚାରିଟା ମର୍ଡର କରିଛି । ମୋ ନାଆଁ ଶୁଣିଲେ ଏ'ସହର ଥରେ । କିନ୍ତୁ ତମକୁ ମୁଁ ସମ୍ମାନ ଦିଏ । ମୋ ପଛରେ ଲାଗିଲେ, କେତେବେଳେ କ'ଣ କରିଦେବି, କେହି ଜାଣି ପାରିବେ ନାହିଁ । ଚୁପଚାପ ତମେ ଦି'ଜଣ ରାଉରକେଲା ଫେରିଯାଅ ।
ଆମେ ସେଦିନ ଫେରିଗଲୁ ରାଉରକେଲା । ସେଠାରେ ପୁଣି ଏସି.ପି ସଞ୍ଜିବ ବାବୁଙ୍କୁ ଦେଖାକରି ସବୁକଥା ଶୁଣାଇଲି ।
ରାଉରକେଲାର ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ରଙ୍କୁ ଦିନେ ସାଙ୍ଗରେ ଧରି ମୁଁ ଥାନାବାବୁ ଓ ଏସି.ପିଙ୍କୁ ଦେଖାକରି ଆଲୋଚନା କଲୁ । ଫଳ କିନ୍ତୁ ବିଶେଷ କିଛି ମିଳିଲା ନାହିଁ । କେବଳ ଜଣାପଡ଼ିଲା ଯେ ଦୀନା ଗୋଟାଏ ପଲିଟିକାଲ ପାର୍ଟିର କର୍ମୀ । ସେ ପାର୍ଟି ତରଫରୁ ବିଭିନ୍ନ ଗଣ୍ଡଗୋଳ କରେ ସରକାରୀ ଗାଡ଼ି ପୋଡ଼େ ମାରପିଟ କରେ । ସେ ପଲିଟିକାଲ ପାର୍ଟିର ଛତ୍ରଛାୟାରେ ଥିବାରୁ ପ୍ରତ୍ୟେକ ଅପରାଧରୁ ଖସିଯାଏ ବେଲ ମଧ୍ୟ ପାଇଯାଏ । ଯଦି ପାର୍ଟିର ସ୍ଥାନୀୟ ନେତାଙ୍କୁ ଧରିବି ତେବେ ଯାଇ ସେ ଦୁର୍ବଳହେଇ ଘର ଛାଡ଼ିଦେବ ।
ପଲିଟିକାଲ ନେତାମାନଙ୍କ ପାଖକୁ ମୁଁ କେବେ ଯାଏନାହିଁ । ସେମାନେ ବି ମୋତେ ଚିହ୍ନନ୍ତି ନାହିଁ । କ'ଣ କରିବି କେମିତି ଏ' ବିପଦରୁ ମୁକ୍ତି ପାଇବି ? ସେହି ଚିନ୍ତାରେ ଆମେ ଦୁଇପ୍ରାଣୀ ଡହଳ ବିକଳ ହେଉଥାଉ ।
ରାଉରକେଲା ଫେରି ଆସି ସମ୍ବଲପୁରର ନେତାମାନଙ୍କ ନାମ ଓ ଠିକଣା ଯୋଗାଡ଼କରି ମୋ ସ୍ତ୍ରୀ ସହିତ ପୁଣି ଥରେ ସମ୍ବଲପୁରରେ ପହଞ୍ଚିଲି । ନେତା ନବଦାସଙ୍କୁ ଦେଖାକରି ନିଜର ପରିଚୟ ଦେଲି । ମୋର ସବୁ ଦୁଃଖକଥା ଜଣାଇଲି । ଥାନା ବି କିଛି କରି ପାରୁନାହିଁ ବୋଲି କହିଲି । ସେ ସିଧା କହିଲେ -ଦୀନା ତ ଏବେ ଆମ ପାର୍ଟିରେ ନାହିଁ । ଏବେ ସେ ଆମ ବିରୁଦ୍ଧରେ କାମ କରୁଛି । ମୁଁ କିଛି କରିପାରିବି ନାହିଁ । ତମେ ଯାଇ ଜୟନାରାୟଣ ମିଶ୍ରଙ୍କୁ ଦେଖାକର । ସେ ଚାହିଁଲେ କିଛି କରିପାରିବେ ।"
ଜୟନାରାୟଣ ମିଶ୍ର କେମିତି ଲୋକ ମୁଁ ଆଗରୁ ଟିକେ ଶୁଣିଥିଲି । ତାଙ୍କ ପାଖକୁ କେମିତି ଯିବାକୁ ହେବ କାହାର ସାହାଯ୍ୟ ନେବାକୁ ହେବ ଚିନ୍ତାକଲି । ଶେଷରେ ମନେପଡ଼ିଲା-ମୋର ଜଣେ ପ୍ରଶଂସକ ତଥା ବିଶିଷ୍ଟ ଇଞ୍ଜିନିୟର ବିରଜା ଶଙ୍କର ପାଣିଗ୍ରାହୀଙ୍କ ସହିତ ସେହି ନେତାଙ୍କର ପାରିବାରିକ ସଂପର୍କ ଅଛି । ତାଙ୍କଘରେ ଆମେ ପହଞ୍ଚି ସବୁକଥା ଜଣେଇଲୁ । ସେ ଆମକଥା ଶୁଣି କହିଲେ -"ମୁଁ କେବଳ ଆପଣଙ୍କୁ ପରିଚିତ କରେଇଦେଇ ଆସିବି । ଏ'ସବୁ କଥାରେ ମୁଁ ମୁଣ୍ଡ ଖେଳେଇ ପାରିବି ନାହିଁ ।"
ତାହା ହିଁ ହେଲା । ପଦିଏ ସିଧାକଥାରେ ଜୟ ନାରାୟଣ ବାବୁ ମୋତେ ବିଦା କରିଦେଲେ । ଦୀନା ଆଗରୁ ଆମ ପାର୍ଟିର ଲୋକଥିଲା ଏବେ ସେ କୁଆଡ଼େ କ'ଣ କରୁଛି ମୋତେ ଜଣାନାହିଁ । ଆପଣ ତାକୁ କାହିଁକି ଘରଭଡ଼ା ଦେଉଥିଲେ ? ତଥାପି ଦେଖିବି । ଯଦିହୁଏ ମୁଁ ତାକୁ ଘରଖାଲି କରିଦେବାକୁ କହିଦେବି ।"
ନିରାଶ ହୋଇ ଆମେ ସେଦିନ ଘରକୁ ଫେରିଲୁ ।
ମୁଁ ଅନୁଭବ କଲି ଏଇ ସାମାନ୍ୟ କାମ କରିବାକୁ ଆମ ପ୍ରଶାସନ ଅକ୍ଷମ । ରାଜନେତାମାନେ ବି ଅକ୍ଷମ । ତେବେ ଗଣତନ୍ତ୍ରର ଦୁଇଟି ସ୍ତମ୍ଭ ଚରମ ଦୁର୍ବଳ ଅବସ୍ଥାରେ ରହିଛି । ଏବେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଭରସା କରି ଦେଖିବା ।
ସେ ଅଞ୍ଚଳରେ ଥିବା ସମସ୍ତ ସାମ୍ବାଦିକ ଓ ସମ୍ପାଦକଙ୍କ ସହିତ ମୋର ଭଲ ପରିଚୟ ଥିଲା । ସେମାନେ ମୋତେ ଭଲ ପାଆନ୍ତି ବୋଲି ମୁଁ ଅନୁଭବ କରୁଥିଲି । ଅତୀତରେ ତାଙ୍କଠାରୁ ମୁଁ କେବେ କୌଣସି ପ୍ରକାର ସାହାଯ୍ୟ ସହଯୋଗ କାମନା କରି ନ ଥିଲି । ଏହି ବିପଦବେଳେ କାଳେ ସେମାନେ କିଛି ଭଲ ପରାମର୍ଶ ଦେବେ, ନହେଲେ ମୋ ପାଇଁ କାହାକୁ ଦୁଇପଦ କହିବେ ।
ଏହି ଭରସାରେ ଦିନେ ସମ୍ବଲପୁରରେ ପହଞ୍ଚିଲି । ଜଣଜଣ କରି ସମସ୍ତଙ୍କୁ ଦେଖାକଲି । ମୋତେ ଖାଲି ତୁଚ୍ଛା ପ୍ରଶଂସା କରି, ଚୁଚୁକରି ସମବେଦନା ଜଣେଇବା ବ୍ୟତୀତ କାହାରିଠାରୁ କିଛି ସହଯୋଗ ପାଇଲି ନାହିଁ । ଶେଷରେ ସମ୍ବଲପୁରରେ ଥିବା ମୋର ପୂର୍ବତନ ସହକର୍ମୀ ଓ ଅଫିସରମାନଙ୍କ ଉପରେ ଭରସା କଲି । ତାଙ୍କର ପରାମର୍ଶ ସବୁ କେବଳ ନକାରାତ୍ମକ ଥିଲା । ସମସ୍ତଙ୍କ ଉପରେ ମୋର ଭରସା ତୁଟିଗଲା । ମୋର ସେ ଘରଟି ଆଉ ଉଦ୍ଧାର ହେଇପାରିବ ନାହିଁ, ଏକଥା ନିଶ୍ଚିତ ହେଇଗଲା । ରାଉରକେଲା ଫେରି ଆସିଲି ।
ମୋର ସବୁକଥା ଶୁଣି ମୋତେ ବହୁତ ଭଲପାଉଥିବା ସଞ୍ଜୟ ବାବୁ କହିଲେ- "ଗାଡ଼ିଟିଏ ଠିକ କରନ୍ତୁ, ଆମେ ଥରେ ଯାଇ ତାକୁ ଦେଖି ଆସିବୁ । ସେ ଲୋକଟା ପ୍ରକୃତରେ ଏତେ ଶକ୍ତିଶାଳୀ, ନା' ମିଛ ବାଘ ଚମଡ଼ାପିନ୍ଧା ମେଣ୍ଢା ?"
ତାଙ୍କକଥା ଅନୁସାରେ ଗୋଟାଏ ଗାଡ଼ି ଠିକକରି ସଞ୍ଜୀବ ବାବୁ ଓ ରାଉରକେଲାର ସମାଜସେବୀ ଲୋକପ୍ରିୟ ଡାକ୍ତର ଶ୍ୟାମସୁନ୍ଦର ଦାସଙ୍କ ସହିତ ସମ୍ବଲପୁରରେ ପହଞ୍ଚି ଆମଘରକୁ ଗଲୁ ।ଅନ୍ୟମାନେ ଦୀନା ବିଷୟରେ ବୁଝାବୁଝି କଲେ । ଦୀନା ଖବର ପାଇ କେଉଁଠି ଲୁଚି ରହିଲା । ଦିନଯାଇ ରାତିହେଲା, ସେ ଘରକୁ ଆସିଲା ନାହିଁ ।
ଆମେ ପୁଣି ଥାନାକୁ ଯାଇ ମହାରଣା ବାବୁଙ୍କ ସହିତ କଥାହେଲୁ । ସେ ପରିଷ୍କାର କରି କହିଦେଲେ-"ଯଦି କେଉଁଠି ଲ' ଆଣ୍ଡ ଅର୍ଡର ସିଚୁଏସନ ହୁଏ, ତେବେ ଆମେ ସେଠିକି ଯିବୁ । କାହାର ଘର ଖାଲି କରିବାକୁ ପୋଲିସ ଯାଇପାରିବ ନାହିଁ । ସେଦିନ ଏସ.ପି ସାହେବ କହିଲେ ବୋଲି ମୁଁ କନେଷ୍ଟବଳକୁ ପଠେଇଥିଲି । ଏବେ ଗୋଟିଏ କାମକରନ୍ତୁ, ଦିନେ ଘର ମାଲିକ ମ୍ୟାଡ଼ାମଙ୍କୁ ସାଙ୍ଗରେ ଧରି ଆସନ୍ତୁ । ଦୀନା ନାମରେ ଗୋଟାଏ ଏଫ.ଆଇ.ଆର ଦିଅନ୍ତୁ । ତେବେଯାଇ କିଛି ହେଇପାରିବ ।"
ସପ୍ତାହକ ପରେ ଆମେ ଦୁଇଜଣ ଥାନାରେ ପହଞ୍ଚି ପୂର୍ବରୁ ଘଟିଥିବା ଘଟଣା ଓ ଦୀନା ଧମକ ଦେଇଥିବା କଥାକୁ ଆଧାର କରି ଗୋଟାଏ ଏଫ.ଆଇ.ଆର. ଦେଲୁ । ସେଦିନ ଏସ.ପି ନାଥବାବୁଙ୍କୁ ମଧ୍ୟ ଦେଖାକରିଥିଲୁ । ସେ ଥାନାବାବୁଙ୍କ ସହିତ ଫୋନରେ କଥାହେଲେ ।
ଏହିଁ ଘଟଣା ପରେ ମୋ ଉପରେ ବିପଦ ଅଧିକ ଘନେଇ ଆସିଲା । ମଝିରେ ମଝିରେ ଦୀନା ମଦପିଇ ରାତି ଅଧରେ ମୋତେ ଫୋନକରି ବିଭିନ୍ନ ପ୍ରକାର ଧମକ ଦେଲା -"ଏବେ ଆମର ଗୁଣ୍ଡାଦଳ ରାଉରକେଲାରେ ପହଞ୍ଚିବେ । ତୋତେ ଖତମ କରି ଆସିବେ । ଏଠି ତୋ'ର ପୁଅ ଝିଅ ପଢୁଛନ୍ତି , ତାଙ୍କୁ ମୁଁ ଖତମ କରିବି ।"
ସେ ଆମକୁ ଅଧିକାଂଶ ରାତିରେ ଶୋଇବାକୁ ଦେଲାନାହିଁ । ରାଉରକେଲା ଥାନାରେ ଏକଥା ଜଣେଇଲି । କିଏ ବା କାହିଁକି ଶୁଣିବ ? ଘର ତ ଗଲା ଗଲା । ପୁଣି ନୂଆ ବିପଦ ଆସି ପହଞ୍ଚିଲାଣି । ତାକୁ ସମ୍ମୁଖୀନ ହେବାକୁ ପଡ଼ିବ । ଯାହାଠାରୁ ଯାହା ଆଶା କରିଥିଲି, ସବୁ ବାଟବନ୍ଦ ହେଇଯାଇଥିଲା ।
ପୁଣି ମୋର ମନେ ପଡ଼ିଲା-ଯଦି କେହି ଡାକ ନ ଶୁଣେ ଭାଇ, ତେବେ ଏକଲା ଚାଲରେ । ଏଣିକି କେବଳ ଭଗବାନଙ୍କ ଉପରେ ଭରସା କରିବି । ସେଦିନ ସମ୍ବଲପୁର ଯିବାକୁ ପ୍ରସ୍ତୁତ ହେଉଥିଲି । ହଠାତ ସମ୍ବଲପୁର ଥାନାରୁ ମୋତେ ଖବର ଆସିଲା । ଆପଣ ତୁରନ୍ତ ଦୁଇ ତିନିଜଣ ଭଦ୍ରଲୋକଙ୍କୁ ସାଙ୍ଗରେ ଧରି ଆସନ୍ତୁ, ଆଜି ଆପଣଙ୍କର ସେ ଘର ସିଜର ହେବ । ଦୀନାର ସାନଭାଇ ଚୋରି କେସରେ ଧରାପଡ଼ି ଥାନା ହାଜତରେ ଅଛି, ଶୀଘ୍ର ଆସନ୍ତୁ । ଏହି ଖବର ପାଇ ମୁଁ ସଞ୍ଜୟ ବାବୁ,ଭିକାରି ନାୟକ ଓ ଅନ୍ୟଜଣେ ଅଳ୍ପ ପରିଚିତ ଲୋକଙ୍କୁ ସାଙ୍ଗରେ ଧରି ଆମେ ସମ୍ବଲପୁର ଥାନା ହାଜତରେ ଥିବା ଦୀନାର ସାନଭାଇକୁ ଦେଖିଲୁ । ପୋଲିସ ସବୁ ବ୍ୟବସ୍ଥା କରି ସାରିଥିଲେ । ଜଣେ ପୋଲିସ ବାବୁ ମତେ କହିଲେ-"ଆପଣ ଜଣେ ମାଜିଷ୍ଟେଟଙ୍କୁ ଡାକି ଆଣନ୍ତୁ । ତେବେ ଯାଇ ଆପଣଙ୍କର ଘରଖାଲି ହେଇପାରିବ "।
ଥାନା, ମାଜିଷ୍ଟ୍ରେଟ, ହାଜତ, ସିଜର ଭଳି ଅନେକଗୁଡ଼ିଏ ନୂଆ ଶବ୍ଦ ସହିତ ମୋର ଅଭିଜ୍ଞତା ନ ଥିବାରୁ ମୋତେ ଭାରି ଅଡୁଆ ଲାଗୁଥିଲା ।
-" ଜଣେ ସାଧାରଣଲୋକ କ'ଣ ଜଣେ ମାଜିଷ୍ଟ୍ରେଟଙ୍କୁ ଡାକି ଆଣିପାରିବ ?" ମୁଁ ମହାରଣା ବାବୁଙ୍କୁ ପଚାରିଲି ।
ସେ ମୋତେ ଖଣ୍ଡିଏ ରିକ୍ୟୁଇଜିସନ ଲେଖିଦେଇ କହିଲେ-"କଲେକ୍ଟରଙ୍କୁ ଏହି ଋକ୍ୟୁଇଜିସନ ଦେଲେ, ସେ ଜଣେ ମାଜିଷ୍ଟ୍ରେଟଙ୍କୁ ପଠେଇବେ ।"
ମୋତେ କାହିଁକି ତାଙ୍କର କଥା ଅବିଶ୍ୱାସ ଭଳି ଲାଗୁଥିଲା । ଏହା କ'ଣ ସମ୍ଭବ? ତଥାପି ଗଲି । ଏଡ଼ି.ଏମ ସାହେବ ଜଣେ ଟୋକା ଓ.ଏ.ଏସ ଅଫିସରଙ୍କ ନାଁ' ସେଥିରେ ଲେଖିଦେଲେ । ତାଙ୍କ ନାମ ପଚାରି ବୁଝି ସେ ଚିଠି ଦେଖେଇଲି । ସେ ଭାଇଜଣଙ୍କ ସଙ୍ଗେସଙ୍ଗେ ଆଗ୍ରହର ସହିତ ମୋ ସହିତ ଆସିଲେ । ସେପଟରୁ ଥାନାବାବୁ ହାଜତରୁ ଦୀନାର ଭାଇକୁ ଧରିଆଣି ତା'ଠାରୁ ଚାବିନେଇ ଆମଘର କବାଟ ଖୋଲିଲେ । ସବୁ ଜିନିଷ ବୋହିନେଇ ଥାନାର ମାଲଖାନାରେ ରଖିବାକୁ ଟ୍ରକ ମଧ୍ୟ ଆସିଥାଏ । ସବୁ ଏଣୁତେଣୁ ଜିନିଷର ତାଲିକା କରାଗଲା । ମାଜିଷ୍ଟ୍ରେଟଙ୍କ ଆଗରେ ସମସ୍ତେ ଦସ୍ତଖସ୍ତ କଲେ । ଖାଲିଘରର ଚାବି ମୋତେ ଦିଆହୋଇଗଲା । ମୁଁ ଆମର ଇଷ୍ଟଦେବ ଆଖଣ୍ଡଳମଣିଙ୍କର ଫଟୋଟିଏ ଆଣି, ସେ ଘରେ ଟାଙ୍ଗିଦେଲି । ଆମେ ସିନା ଭଲରେ ଭଲରେ ସେଠାରୁ ଚାଲିଆସିଲୁ । ଏଣେ ରାତିରେ ଘରକୁ ଫେରି ଦୀନା ଘାଇଲା ବାଘପରି ଗର୍ଜିଲା । ମାରିଦେବି, କାଟିଦେବି । ବମ ପକେଇ ଉଡ଼େଇଦେବି ବୋଲି ଚିତ୍କାର କଲା, ସେଥିରେ ସେ କଲୋନୀ ଥରହର ହେଲା । ସେ ସମସ୍ତଙ୍କୁ ଶୁଣେଇ କହିଲା-" ଏ'ଘରେ ଯିଏ ରହିବ କି ଏହିଘରକୁ ଯିଏ କିଣିବ, ମୁଁ ତାକୁ ଖତମ କରିଦେବି ।"
ଆତଙ୍କିତ ପଡୋଶୀମାନେ ମୋତେ ଫୋନଦ୍ୱାରା ଏ'କଥା ଜଣେଇଲେ ।
ସେ ଘର ପ୍ରତି ଆମର ବିତୃଷ୍ଣ ଆସିଯାଇଥିଲା । ତେଣୁ ଯେତେ କମରେ ହେଲେ ବି ତାକୁ ଯଥାଶୀଘ୍ର ବିକ୍ରି କରିଦେଲେ, ଆମର ଚିନ୍ତାଯିବ ବୋଲି ନିଷ୍ପତି ନେଇ ଯାଇଥିଲୁ । କିଛିଦିନ ପରେ ମୁଁ ସମ୍ବଲପୁର ଆସି ସେ ଘରକୁ ବିକ୍ରି କରିଦେବାକୁ ଆଗ୍ରହୀ ବୋଲି ସେଠାକାର ଲୋକଙ୍କୁ ଜଣେଇଦେଲି । ଆମ ହିସାବରେ ସେ ସେ ଘରପାଇଁ, ଧାର ଉଧାର- ସବୁ ସଞ୍ଚୟ ବିଭିନ୍ନ ପ୍ରକାର ଋଣକୁ ମିଶାଇ ପ୍ରାୟ ଦୁଇଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲୁ । ଆମର ଅସହାୟତାକୁ ଲକ୍ଷ୍ୟକରି କେତେଜଣ ଜାଗା ସହିତ ମାତ୍ର ପଚାଶ ହଜାର ଟଙ୍କାରେ କିଣିବାକୁ ପ୍ରସ୍ତାବ ଦେଲେ । ଦୀନା ଅକ୍ତିଆରରେ ଥିବା ଏହିଘରକୁ କେହି ନେବାକୁ ରାଜିହେବେ ନାହିଁ ବୋଲି କେତେଜଣ କହିଲେ । ଦୁଇଲକ୍ଷ ଭଳି ଟଙ୍କା ମିଳିଲେ, ସେ ଘରକୁ ମୁଁ ବିକ୍ରି କରିଦେବାକୁ ସ୍ଥିର କରିଥାଏ ।
ସେ ଘରଟା ନିରାପଦରେ ଅଛି, ଦୀନା ଆଉ ସେଠାକୁ ଆସୁନାହିଁ ବୋଲି ଖବର ପାଉଥାଏ । ଏହା ଭିତରେ ମୋର ଟ୍ରାନ୍ସଫର ହେଇଗଲା-ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାକୁ । ଦିନେ ଖବର ପାଇଲି, ଦୀନା ତା'ସ୍ତ୍ରୀକୁ ହତ୍ୟାକରି ପୋଲିସ ହାତରେ ଧରାପଡ଼ି ଏବେ ଜେଲରେ ଅଛି । ଏହି ଖବରଟା ଆମ ଦେହ-ମନକୁ ଥରେଇ ଦେଇଥିଲା । ଯିଏ ନିଜର ସ୍ତ୍ରୀକୁ ହତ୍ୟା କରିପାରେ, ସେ କ'ଣ ଆମକୁ ଛାଡ଼ିଥା'ନ୍ତା ?
ଦିନେ ହଠାତ ସମ୍ବଲପୁର କୋର୍ଟରୁ ସମନ ପାଇଲୁ । ତାରିଖ ଦେଖି ଆମେ ଦୁହେଁ କୋର୍ଟରେ ହାଜର ହେଲୁ । ନୂଆ ଅନୁଭବ ନୂଆ ଅନୁଭୂତି । କ'ଣ ପାଇଁ ଏ' ସମନ ଆସିଛି, ଆମେ ଜାଣିପାରି ନ ଥିଲୁ । ସରକାରୀ ଓକିଲ ବୁଝେଇଦେଲେ- "ଆପଣ ଦୀନା ନାମରେ ଯେଉଁ ଏଫ.ଆଇ.ଆର ଦେଇଥିଲେ, ସେହିକଥା କୋର୍ଟରେ ମାଜିଷ୍ଟ୍ରେଟଙ୍କ ଆଗରେ କହିବେ । ସରକାର ଆପଣଙ୍କ ତରଫରୁ ଏଇ କେସ କରିଛନ୍ତି, ତା'ର ଶୁଣାଣି ଆଜି ହେବ । ଆପଣମାନେ ସେ ଏଫ.ଆଇ.ଆରରେ ଯାହା ଲେଖିଥିଲେ, ସେତିକି କହିବେ । ଅଧିକ କିମ୍ବା କମ କହିବେ ନାହିଁ । ସାକ୍ଷୀମାନଙ୍କୁ ତ ସମନ ଯାଇଥିଲା, ସେମାନେ କେହି ଆସି ନାହାନ୍ତି ।"
ଆମ ଦୁଇଜଣଙ୍କର ମନ ଛନଛନ ହେଉଥାଏ, ଭୟ ଲାଗୁଥାଏ । କ'ଣ କେମିତି କହିବୁ ?
କୋର୍ଟରେ ଶୁଣାଣି ଚାଲିଲା । ମୋତେ ବାହାରକୁ ଆସିବାକୁ କହି ମୋ ପତ୍ନୀଙ୍କୁ ଆଗ ଜେରା କରାଗଲା । ଜଣେ ପଞ୍ଜାବୀ ଓକିଲ ଦୀନା ତରଫରୁ ଲଢୁଥିଲେ । ମାଜିଷ୍ଟ୍ରେଟଙ୍କ ଆଗରେ ଦୀନା ଗୋଟାଏ ଲୁହାଚେନରେ ବନ୍ଧାହେଇ ରହିଥିଲା । ତା'ପରେ ମୋତେ ଡକାଗଲା । ମୋର ନାମ ପରିଚୟ ପରେ ପଞ୍ଜାବୀ ଓକିଲଟି ଆଗତୁରା ଏଣୁତେଣୁ କଥା କହି ମୋତେ ଛନ୍ଦି ପକେଇବାକୁ ଚେଷ୍ଟାକଲେ- "ନିରୀହ ଗରିବ ଲୋକଟା ଦୀନା ନିୟମିତ ଘରଭଡ଼ା ଦେଇ ରହିଥିଲା । ନିଜର କ୍ଷମତା ବଳରେ ପୋଲିସ ଲଗାଇ ତାକୁ ଅସମୟରେ କାହିଁକି ଘରୁ ବାହାର କରିଦେଲେ ବୋଲି ପଚାରିଲେ । ମୁଁ ତାଙ୍କର ପ୍ରଶ୍ନ ଶୁଣି ଅବାକ ହେଇଗଲି । ଭାବିଲି, ଏଭଳି ବାଜେକଥାର ତାଙ୍କୁ ମୁଁ କି ଉତ୍ତର ଦେବି ? ମହିଳା ମାଜିଷ୍ଟ୍ରେଟଙ୍କୁ ସିଧା କହିଲି- "ମାଡାମ ! ମୋର ପୂର୍ବ ଅନୁଭୂତି କିଛିନାହିଁ । ମୁଁ ମିଛକଥା କହି ପାରେନା କିମ୍ବା ମିଛକଥାକୁ ସହି ପାରେନା । ଏହି ଦୀନା ଦିନେ ଭଲପିଲା ଥିଲା । ପାରିପାର୍ଶିକ ଅବସ୍ଥା ଚକ୍ରରେ ପଡ଼ି ସେ ଖରାପ ହେଇଯାଇଛି । ଘରଖାଲି କରିବା ପରେ ମୋ ପ୍ରତି ସେ ଆଉ କେବେ ଖରାପ ବ୍ୟବହାର କରିନାହିଁ । ମୁଁ ମୋ ଜାଗାରେ ଭଲରେ ଅଛି, ସିଏ ବି ତା'ଜାଗାରେ ଭଲରେ ଥାଉ । ତା' ବିରୁଦ୍ଧରେ ମୋର କିଛି କହିବାର ନାହିଁ । ତେଣୁ ଦୟାକରି ଏହି କେସକୁ ଖାରଜ କରିଦିଅନ୍ତୁ । ମାଜିଷ୍ଟ୍ରେଟ ମ୍ୟାଡମ୍ ଖୁସି ହେଇଗଲେ । ସେ ଦୁଇପକ୍ଷ ଓକିଲଙ୍କୁ କହିଲେ- "ତାଙ୍କଠାରୁ ଏକଥା ଲେଖେଇ ନିଅ । ଏହି କେସ ଖାରଜ ହେଇଗଲା । ବାହାରକୁ ଆମେ ସମସ୍ତେ ଆସିଲୁ । ଦୀନା ଚେନରେ ବନ୍ଧାହେଇ ଆସିଲା । ତା' ଓକିଲଙ୍କ ପରାମର୍ଶରେ ସେ ମୋ ପାଦକୁ ଛୁଇଁ ପୂର୍ବ ଭୁଲପାଇଁ କ୍ଷମା ମାଗିଲା । ଶେଷରେ କହିଲା -"ଭାଇନା ! ଏ' ଜୀବନରେ ମୁଁ ତମ ଦୁଇଜଣଙ୍କରଋଣ ଶୁଝି ପାରିବି ନାହିଁ । ତମେ ମୋତେ ଘରୁ ବାହାର କରିଦେଲ ବୋଲି ଏବେ ଗୋଟାଏ ଜାଗା କିଣି ଖଣ୍ଡେ ଘର ନିଜେ ତିଆରି କରିପାରିଲି । ତମକୁ ନିମନ୍ତ୍ରଣ ରହିଲା-ମୋ ଘରକୁ ନିଶ୍ଚୟ ଆସିବ ।"
ଭଗବାନଙ୍କୁ ଧନ୍ୟବାଦ ଦେଇ ସେଠାରୁ ବାହାରି ଦେଖିଲି, ବାହାରେ ଚାରିଜଣ ଗୁଣ୍ଡା ଶ୍ରେଣୀର ଟୋକା ଦୀନାର ଘନିଷ୍ଠ ବନ୍ଧୁମାନେ ବିଭିନ୍ନ ଜାଗାରେ ଟହଲ ମାରୁଛନ୍ତି । ମୁଁ ଅନୁମାନ କଲି, ଆମେ ଯଦି ଦୀନା ବିରୁଦ୍ଧରେ କିଛି କହି ତାକୁ କଠିନ ଦାଣ୍ଡରେ ଦଣ୍ଡିତ କରାଇଥା'ନ୍ତୁ, ତେବେ ସେମାନେ ଆମର କିଛି କ୍ଷତି କରିଥା'ନ୍ତେ । ଏ'କଥା ମୋତେ ଜଣେ ବିଶ୍ଵସ୍ତ ଲୋକ କହିଥିଲେ । ସେଠାରୁ ଫେରି ଗୋଟାଏ ଦୀର୍ଘଶ୍ୱାସରେ ସବୁ ଚିନ୍ତାକୁ ଉଡ଼େଇଦେଲି ।
କିଛିଦିନ ପରେ ଗୋଟାଏ ଫୋନ ସୋନପୁରରୁ ଆସିଲା । ଘରଟି ସେ କିଣିନେବାକୁ ଆଗ୍ରହୀ ବୋଲି ଜଣାଇଲେ । ମୁଁ ତାଙ୍କ ଉପରେ ଛାଡ଼ିଦେଇ କହିଲି- "ଆପଣ କେତେ ଦେଇପାରିବେ ? ସେ କହିଲେ-"ଆଜ୍ଞା ସେଇଟାର ମୂଲ୍ୟ ତ ପାଞ୍ଚଲକ୍ଷ ଟଙ୍କା ହେବ; କିନ୍ତୁ ମୁଁ ଆପଣଙ୍କୁ ଚାରିଲକ୍ଷ ଟଙ୍କା ନଗଦ ଟଙ୍କାଦେଇ ସେ ଘରକୁ କିଣି ନେଇପାରିବି ।"
ମୁଁ ଟିକେ ନରମ ଗଳାରେ ପଚାରିଲି- "ଆପଣ ସେ ଘରର ଇତିହାସ ଜାଣିଛନ୍ତି ତ ? ଭବିଷ୍ୟରରେ କିଛି ଅସୁବିଧା ହେଇପାରେ ।"
ସେ କହିଲେ- "ମୁଁ ସବୁ ଶୁଣିଛି, ମୋର ଜଣେ ସମ୍ପର୍କୀୟ ଲୋକ ସେଇଠି ରହନ୍ତି । ସେ ଆପଣଙ୍କୁ ଭଲ ଭାବରେ ଜାଣନ୍ତି । ତାଙ୍କକଥାକୁ ମୁଁ ବିଶ୍ୱାସକରି ଘର କିଣୁଛି । ଏବେ କୁହନ୍ତୁ- ଆପଣ କେତେ ଟଙ୍କାରେ ଖୁସି ହେବେ ?"
ମୁଁ କହିଦେଲି-"ଆଉ କିଛି ଅଧିକ ଯଦି ହେଇପାରିବ ତ ଭଲକଥା ।"
-"ଠିକଅଛି, ମୁଁ ଆଉ ପଚାଶ ହଜାର ଟଙ୍କା ଅଧିକ ଦେଇଦେବି, କିନ୍ତୁ ଘରଟାକୁ ମୁଁ କାଲି କିଣିବି । ମୋର ଭାରି ଜରୁରୀ ଅଛି ।"
ମୁଁ ଅଧିକ କିଛି ଆଶା ନ କରି କହିଦେଲି-"ହଉ, ଆପଣ ଆଜି ଚାରିଲକ୍ଷ ପଚିଶ ହଜାର ଟଙ୍କାର ବ୍ୟାଙ୍କ ଡ୍ରାଫ୍ଟ ତିଆରି କରି ରଖନ୍ତୁ । ଆମେ କାଲି ସକାଳୁ ବସରେ ବାହାରି ଦିନ ବାରଟା ସୁଦ୍ଧା ସମ୍ବଲପୁରରେ ପହଞ୍ଚି ଘରବିକ୍ରି କାଗଜ ପତ୍ରରେ ଦସ୍ତଖସ୍ତ କରିଦେବୁ ।"
ସେ ମହାଶୟ ସମସ୍ତ କାଗଜ ପତ୍ର ସେଦିନ ପ୍ରସ୍ତୁତ କରି ଆମକୁ ଅପେକ୍ଷା କରି ରହିଥିଲେ । ଜଣେ ଓକିଲ ବି ଉପସ୍ଥିତ ଥିଲେ । ଆମକୁ ଅତ୍ୟନ୍ତ ଆଦର ପ୍ରଦର୍ଶନ ପୂର୍ବକ ଖାଇବାକୁ ଦେଇ ସମସ୍ତ କଚେରୀ କାମ ଶେଷ କରିଦେଲେ । ସେ ଘର ମୋତେ ସବୁଦିନ ପାଇଁ ଛାଡ଼ିଦେଲା । ମୁଁ ସେ ଘରକୁ ସବୁଦିନ ପାଇଁ ଛାଡ଼ିଦେଲି । ସେହିଦିନ ସନ୍ଧ୍ୟାରେ ଯୋରନ୍ଦା ଉଦ୍ଦେଶ୍ୟରେ ବସରେ ଫେରି ଆସିଲୁ ।
ସେହିଦିନଠାରୁ ମୁଁ ଆଉ ସେ ଘରକୁ କେବେ ଦେଖିବାକୁ ଯାଇନାହିଁ, କିମ୍ବା ସେ ଘରର ଖବର ରଖିନାହିଁ ।
