Seetaram Dash

Tragedy Thriller

3  

Seetaram Dash

Tragedy Thriller

ସମ୍ପର୍କ ର ସେତୁ

ସମ୍ପର୍କ ର ସେତୁ

4 mins
287


    ଜେଜେଙ୍କ ଶୁଦ୍ଧଘର ସରିଲା। ବନ୍ଧୁ ବାନ୍ଧବ ସବୁ ଯିଏ ଯାହା ବାଟରେ ଚାଲି ଗଲେଣି। ଖାଲି ସୋନାଲି ଯାହା ପଡି ରହିଛି ଜେଜେ ମା'ଙ୍କ ମୁହଁକୁ ଚାହିଁ। ଏକଦମ ଭାଙ୍ଗି ପଡି ଥିବା ଜେଜେ ମା'ଙ୍କୁ ଛାଡି ଯିବାକୁ ଇଚ୍ଛା ହେଉନି ତାର। କିନ୍ତୁ କେତେ ଦିନ ଆଉ ନିଜ ସଂସାର ଛାଡି ବାପଘରେ ପଡି ରହିବ? କୋଡିଏ ଦିନ ବାପା ଘରେ ରହି ସୋନାଲି ବାହାରିଲା ଶାଶୁଘରକୁ। ଜେଜି ମା' ସୋନାଲିକୁ ଶାଶୁ ଘରକୁ ଯିବାର ଦେଖି, ଦୁଃଖରେ ଗୋଡ଼ ଠୁଁ ମୁଣ୍ଡ ପର୍ଯ୍ୟନ୍ତ ଆଉଁଷି ପକାଇଲେ। ଦଣ୍ଡେ ବାହୁନି କାନ୍ଦିଲେ। ସୋନାଲି ଜେଜି ମା'କୁ ବୁଝାଇ ସୁଝାଇ ଚୁପ କରାଇ କହିଲେ, "ତୁ ଏମିତି ହେଲେ କେମିତି ରହିବୁ। ତୁ କଣ ଛୋଟ ଛୁଆ ହୋଇଛୁ? କାନ୍ଦି କାନ୍ଦି ତୋ ଅବସ୍ଥା କଣ ହେଲାଣି? ଜାଣିଛୁ, ତୁ କଣ ଦେଖା ଯାଉଛୁ ଏବେ? ଜେଜି ମା' କାନ୍ଦି କାନ୍ଦି କହିଲେ, "ଯାହା ପାଇଁ ବଞ୍ଚି ଥିଲି ସେ ତ ଗଲା, ଆଉ ଏ ବିଧବା ହେବାର କଳଙ୍କ ବି ଲଦି ଦେଲା ଯୁଗ ଯୁଗକୁ। ମୁଁ କାଇଁ ବଞ୍ଚିଛି କେଜାଣି? ଆଉ ବଞ୍ଚି ଲାଭ ବା କଣ ?" ଏତକ କହି, ଜେଜି ମା' ମୁଣ୍ଡ ଉଠାଇ ଚାହିଁଲେ ଦୂର ଦିଗବଳୟର ଅସ୍ତଗାମୀ ରକ୍ତିମ ସୂର୍ଯ୍ୟଙ୍କୁ। ତାଙ୍କ ଓଠ ଥରୁ ଥିଲା। ଆଖିରେ ଆଖିଏ ଲୁହ। କଣ କହିବାକୁ ଚାହୁଁଥିଲେ, କିନ୍ତୁ ନିରବ ରହିଲେ...

   ସୋନାଲି ବିରକ୍ତ ହୋଇ କହିଲା, "ବୁଢ଼ୀ, ତୁ ମରିବୁ ପଛେ ବଦଳିବୁ ନି। ସେ ପୁରୁଣା କାଳର କଥା ଏବେ ଆଉ ଧରି ବସିଲେ ହେବ। ଏବେ ବି ଧରି ବସିଛୁ ସେ ମରହଟିଆ କଥା ସବୁକୁ। ଜେଜେ' ତତେ ଏତେ ଭଲ ପାଉଥିଲେ। ତାଙ୍କ ଭଳି ମଣିଷ କୁ ଏମିତି କହୁଛୁ।" ଜେଜି ମା' ମନ ମାରି କହିଲେ, "ତାଙ୍କର କଣ ବା ଦୋଷ? ଯମ ଯୋଗନିଖିଆକୁ ଦେଖୁନୁ, ମତେ ନ ନେଇ ତାଙ୍କୁ ନେଲା। ମୁଁ ଆଉ କୋଉ ବଞ୍ଚିଛି। ମୋ ବଞ୍ଚିବା ମରିବା ତ ଏବେ ସବୁ ସମାନ। ଯାହା ପାଇଁ ଆସିଥିଲି, ସେ ତ ଗଲା। ମୁଁ କାଇଁ ମରୁନି କେଜାଣି?" ଏତକ କହି କାନ୍ଦି କାନ୍ଦି ଚାଲି ଗଲେ ବାରି ପଟକୁ। ସୋନାଲି ଥମ ହୋଇ ବସି ପଡ଼ିଲା ସେଇ ଜାଗାରେ, ଆଉ ମନେ ପକାଉ ଥିଲା ଅତୀତକୁ....

     ବାପା ବୋଉଙ୍କ ଅପେକ୍ଷା ଜେଜେ ଆଉ ଜେଜି ମା' ସୋନାଲିକୁ ଅଧିକ ଭଲ ପାଆନ୍ତି। ଯେତେ ଦୁଷ୍ଟ ହେଲେ ବି ସୋନାଲିକୁ କେହି କିଛି କୁହନ୍ତି ନି। ଟିକେ କଣ କହିଲେ, ଜେଜି ମା' ଦେହରେ ଦାନ୍ତ ଲାଗେଇ ଦେବ। ବାପା ଏଥି ପାଇଁ ଭାରି ବିରକ୍ତ ହୁଅନ୍ତି। ହେଲେ ଜେଜେ ବାପାଙ୍କୁ ଗାଳି କରି କହିବେ, "କଷି ଛୁଆଟା, ତାର ମାଡ଼ ଖାଇବା ବୟସ ହେଲାଣି। ଯା ଏଠୁ, ମାରିବାକୁ ଆସିଲା।" ସୋନାଲି ଯଦି କିଛି ଭୁଲ କରେ ସିଧା ଦୌଡେ ଜେଜେଙ୍କ କୋଳକୁ। ଜେଜେଙ୍କ କୋଳ ତା ପାଇଁ ସବୁ ଠାରୁ ନିରାପଦ ଆଶ୍ରୟ ସ୍ଥଳ।

     ଜେଜେ ଦେଖିବାକୁ ଖୁବ ଡେଙ୍ଗା ଏବଂ ସ୍ଵାସ୍ଥ୍ୟବାନ ଥିଲେ। ଶ୍ୟାମଳ ବର୍ଣ୍ଣ ହେଲେ ବି ଠିକ ଗିରିଧାରୀ ଘନଶ୍ୟାମଙ୍କ ଭଳି, ମନଲୋଭା ଚେହେରା। ନାଁ, ଥିଲା ତାଙ୍କର କୃଷ୍ଣ। ନାଁ ସାଙ୍ଗକୁ ଚେହେରାର ଅପୂର୍ବ ତାଳ ମେଳ। ଯିଏ ଦେଖିବ, ଘଡ଼ିଏ ଚାହିଁବ। କିନ୍ତୁ ଜେଜେଙ୍କ ତୁଳନାରେ ଜେଜି ମା' ଟିକେ ନିରସ ଥିଲେ। ଉଚ୍ଚତାରେ ବହୁତ କମ ଆଉ ଶ୍ୟାମଳ ରଙ୍ଗ। ଶ୍ୟାମଳ କହିଲେ ଭୁଲ ହେବ, ଜେଜି ମା'ଙ୍କ ରଙ୍ଗ ଥିଲା କଳା। କିନ୍ତୁ ଜେଜେ ତାଙ୍କୁ ବହୁତ ଭଲ ପାଉ ଥିଲେ। ରାଗ ରୁଷା, ମାନ ଅଭିମାନ, କଳି ଝଗଡ଼ା କେବେ ହେବାର କେହି ଦେଖି ନାହାଁନ୍ତି। ସବୁ କାମ ମିଳିମିଶି ଉଭୟ କରି ନିଅନ୍ତି। ସକାଳର ଗୁହାଳ ଗୋବର ଠୁଁ ଆରମ୍ଭ କରି ସନ୍ଧ୍ୟାରେ ଭାଗବତ ଟୁଙ୍ଗିରେ ଭାଗବତ ଶୁଣିବା ପର୍ଯ୍ୟନ୍ତ ସବୁ କାମ ଏକାଠି। ଭଲ ମନ୍ଦ, ସୁବିଧା ଅସୁବିଧାରେ ଜେଜେ, ଜେଜି ମା' ଉପରେ କେବେ ରାଗନ୍ତି ନି। ଜେଜେଙ୍କୁ ଖାଇବା ପାଇଁ ଡାକିଲେ, ସେ ପ୍ରଥମେ ପଚାରିବେ ମା' ଖାଇଲାଣି। ଆଉ ଜେଜି ମା' ବି ଯେତେ ଯାହା ହେଲେ, ଜେଜେଙ୍କ ଆଗରୁ କେବେ ଖାଆନ୍ତି ନାହିଁ। ଜେଜି ମା' ବି ଜେଜେଙ୍କ କାନ୍ଧରେ କାନ୍ଧ ଆଉ ପାଦରେ ପାଦ ମିଶାଇ ସଂସାର ସାଗରର ଜୁଆରିଆ ପଥ ସବୁକୁ ଅତିକ୍ରମ କରୁ ଥିଲେ ସୁନ୍ଦର ସହଯାତ୍ରୀଟିଏ ହୋଇ। ଏ ହେଉଛି ତାଙ୍କ ସୁଖୀ ସଂସାରର ନିତି ଦିନିଆ କଥା।

     ଦିନେ ସୋନାଲି ଜେଜେଙ୍କୁ ପଚାରିଲା, "ଜେଜେ ତମେ ତ ଏତେ ସୁନ୍ଦର। ଆମ ଜେଜି ମା' କୁ କିପରି ପସନ୍ଦ କଲ"। ଜେଜେ ଟିକେ ହସିଦେଇ କହିଲେ, "ତୋ ଜେଜି ସିନା କାଳି ଆଉ ଗେଡି, ହେଲେ ଦେଖିବାକୁ କେତେ ଡ଼ଉଲ? ଏ ଖଣ୍ଡ ମଣ୍ଡଳରେ କିଏ ତା ସରି ହେବ"? ଏତକ କହିବା ସମୟରେ ଜେଜେଙ୍କ ମୁଖ ମଣ୍ଡଳରେ ଥିଲା ଏକ ପ୍ରକାର ଖୁସିର ଝଲକ। ଆର ଘରେ ଜେଜି ଶୁଣି ଲାଜରେ ଓଢଣୀକୁ ମୁଣ୍ଡରେ ଦେଇ ଧୀରେ କରି ହସି ଦେଲେ।

  ପ୍ରେମ ତ ଅଜର, ଅମର, ଚିରନ୍ତନ ଆଉ ଶାଶ୍ୱତ। ପ୍ରେମ ସତ୍ୟ ଶିବ ସୁନ୍ଦର। ପ୍ରେମ ନିରୁତା ଏବଂ ନିଃସ୍ୱାର୍ଥପର ଭାବନା। ଦୁଇଟି ମନର ସ୍ପନ୍ଦନ ହିଁ ପ୍ରେମ। ପ୍ରେମ ତ ଏକ ଅନୁଭବ ଆତ୍ମାର ଆତ୍ମା ସହିତ। ଦୁଇଟି ହୃଦୟକୁ ଏକାଠି କରୁଥିବା ସେତୁଟିଏ ତ ପ୍ରେମ! ଜେଜେ ବୋଧେ ଜେଜି ମା' ର ନଶ୍ୱର ଶରୀର ଅପେକ୍ଷା ଜେଜି ମା'ର ଆତ୍ମାକୁ ଭଲ ପାଉ ଥିଲେ। ସୁନ୍ଦର ଦେହ ଅପେକ୍ଷା ସୁନ୍ଦର ମନକୁ ଭଲ ପାଉଥିଲେ। ଆଜି ସୋନାଲି ବୁଝି ପାରୁଛି, ଜେଜେଙ୍କ ନାଁ କେବଳ କୃଷ୍ଣ ନ ଥିଲା। ତାଙ୍କ ଭଲ ପାଇବା ବି ଥିଲା ରାଧାକୃଷ୍ଣଙ୍କ ଭଳି ପବିତ୍ର ଏବଂ ଶାଶ୍ୱତ। ଆଜିକାଲି ତ ବାହାଘରର ବର୍ଷେ ନ ପୁରୁଣୁ ସ୍ୱାମୀ ସ୍ତ୍ରୀଙ୍କର ମନ ଫଟା ଫଟି। ଆଉ ତା ପରେ ଛାଡପତ୍ର।

    କିନ୍ତୁ ଦୁଃଖର କଥା କୃଷ୍ଣ ରାଧାଙ୍କୁ ଛାଡି ମଥୁରା ଯିବା ଭଳି ଜେଜେ ବି କିଛିଦିନ ତଳେ ଜେଜି ମା'କୁ ଛାଡ଼ି ଚାଲି ଗଲେ ଅଫେରା ରାଇଜକୁ। ତାଙ୍କୁ ଝୁରି ଝୁରି ଜେଜି ମା' ଏବେ ପୋଡା ଗୋଜଣା ଭଳି କଳା କାଠ ହୋଇ ଗଲେଣି। ନା ଖାଇବା ଅଛି ନା ପିଇବା ଅଛି। ସେ ସବୁବେଳେ ବାରିପଟେ ଲୁଚି ଲୁଚି କାନ୍ଦନ୍ତି, କେବେ କେବେ ସେ ନିସ୍ତବ୍ଧ ହୋଇ ଚାହିଁ ଥାନ୍ତି ଗାଁ ମଶାଣି ଆଡକୁ। ତାର ଉଦାସ ମନ କଣ ଭାବୁଥାଏ କେବଳ ସେ ହିଁ ଜାଣନ୍ତି। ଆଉ ବେଳେବେଳେ ସକାଳ ଗାଧୁଆ ସାରି ଜେଜେଙ୍କ ଫଟରେ ଫୁଲ ଦେଉ ଦେଉ ଅଭିମାନରେ ଗୁଡ଼ାଏ ଗାଳି ଦିଅନ୍ତି।

    କାହାର ମୃଦୁ ସ୍ପର୍ଶରେ ସୋନାଲିର ସ୍ୱପ୍ନ ଭାଙ୍ଗିଗଲା। ସେ ବୁଲି ଦେଖିଲା ବେଳକୁ ପଛରେ ଜେଜି ମା'। ଜେଜି ମା' ବ୍ୟସ୍ତ ହୋଇ କହିଲେ, ଆଲୋ ସୁନି' ତୁ ଜଲଦି ଗଲୁ। ଏତେ ଗୁଡ଼ାଏ ବାଟ! ନ ହେଲେ ତୋର ପହଞ୍ଚୁ ପହଞ୍ଚୁ ରାତି ଘଡ଼ିଏ ହେବ। ମାନ ଅଭିମାନକୁ ପଛରେ ପକାଇ ସୋନାଲି ବିଦାୟ ନେଲା।

    ଠିକ ମାସ ପରେ ସୋନାଲିର ଫୋନ ଆସିଲା, ସେପଟୁ ବୋଉ କହୁଥିଲେ, "ମା ଚାଲିଗଲେ।" ସୋନାଲି ଆଶ୍ଚର୍ଯ୍ୟ ଚକିତ ହୋଇ ପଚାରିଲା, "କଣ ହୋଇଥିଲା ମା'ର?" ବୋଉ କହିଲେ ନା କିଛି ନାହିଁ। ସବୁ ଭଲ ଥିଲା, ମା' ଖରା ବେଳେ ଖାଇ ପିଇ ଜେଜେଙ୍କ ଘରେ ଶୋଇଲେ। ନିଦରେ କଣ ସବୁ ବାଉଳି ହୋଉ ଗପୁ ଥାନ୍ତି। ଆମେ ସମସ୍ତେ ଦେହ ହାତ ଘଷି ଦେଉ ଥାଉ। ତା ଘଣ୍ଟାକ ପରେ ସବୁ ଶେଷ। ଏତକ ଶୁଣି ସୋନାଲିର ଆଖିରୁ ଝରି ଗଲା ଦୁଇ ଧାର ଲୁହ। ସେ ତୁରନ୍ତ ବାହାରିଲେ ଘର ଅଭିମୁଖେ।

   ଗାଁରେ ସମସ୍ତେ କୁହାକୁହି ହେଉଥିଲେ, " ବୁଢା ବୁଢ଼ୀ ଡକା ଡାକି ହୋଇ ଚାଲିଗଲେ। ଅହ୍ୟ ଡେଙ୍ଗୁରା ସିନା ବାଜିଲାନି, କିନ୍ତୁ ସ୍ୱାମୀ ମରିବା ତିନି ମାସ ଭିତରେ ସ୍ତ୍ରୀ ମଲେ ବିଧବା ଦୋଷ ଲାଗେ ନାହିଁ"।



Rate this content
Log in

Similar oriya story from Tragedy