Binay Mohapatra

Inspirational

2.5  

Binay Mohapatra

Inspirational

ସମ୍ପର୍କ ଓ ସଂସାର

ସମ୍ପର୍କ ଓ ସଂସାର

4 mins
14.8K


ସମ୍ପର୍କ ଓ ସଂସାର

ବିନୟ ମହାପାତ୍ର

     “ଦେଖ ସ୍ମୃତି, ମୁଁ ବୁଝିପାରୁନି, ତୁମେ ହଠାତ୍ ଏପରି ଗୋଟିଏ ନିଷ୍ପତ୍ତି କାହିଁକି ନେବାକୁ ଚହୁଁଛ ? କ’ଣ ବା ମୋର ଭୁଲ ? ମୁଁ କ’ଣ ବା ଏପରି କିଛି ମସ୍ତବଡ ଭୁଲଟାଏ କରିଦେଲି ଯେ, ତୁମେ ମୋର ମତାମତ କିମ୍ବା ଆମର ଏଇ ଛୋଟ ସଂସାରଟିର ଭବିଷ୍ୟତ ବିଷୟରେ ମଧ୍ୟ ଟିକେ ଚିନ୍ତା କରିପାରୁନ ? ଯଦିବା ମୁଁ ଏପରି କିଛି କରିଦେଇଥାଏ, ଯାହା ତୁମକୁ ବହୁତ କଷ୍ଟ ଦେଇଛି, ପତ୍ନୀ ହିସାବରେ ତୁମେ ମୋତେ କ୍ଷମା କରିଦେଇ ପାରିବନି ? ପତ୍ନୀ ହିସାବରେ ତୁମ ମୋତେ ଅଟକେଇପାରିବ, ହେଲେ ତୁମେ ତୁମର ଏ ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁନ । ହଠାତ୍ ତୁମର ଏ ଫୈସଲା ମୁଁ ବୁଝିପାରୁନି । ଆମେ ଦୁହେଁ ଏକାଠି ବସି ଏ ବିଷୟରେ କଥା ହୋଇପାରିବା, ଦୁହେଁ ବସି ଚିନ୍ତା କରିବା । ଯଦି ଏପରି କିଛି କରିବାକୁ ହୁଏ, ତେବେ ମୁଁ ତୁମ ସାଥିରେ ଅଛି ।“

     ବଡ ନମ୍ର ଭାବରେ ଏତକ କହି ନୀରବ ହୋଇଗଲେ ସୁଧାକର ବାବୁ, ସ୍ମୃତି ମୁହଁରୁ ତାଙ୍କର ଜବାବ ଚାହୁଁଥିଲେ, ଜିଜ୍ଞାସୁ ଅଥଚ କରୁଣ ଭାବରେ ଚାହିଁରହିଥିଲେ ସ୍ମୃତିର ମୁହଁକୁ । ତଥାପି ସ୍ମୃତି ନୀରବ । ଏଇ ନୀରବତା ବଡ ଅସହ୍ୟ ଲାଗୁଥିଲା ତାଙ୍କୁ । ପୁଣି ପଚାରିଲେ, “କ’ଣ ଅଭାବ କରିଛି ମୁଁ ତୁମର ? ତୁମେ ବି ତ ଚାକିରି କରୁଛ, ତୁମେ ସ୍ୱୟଂସମ୍ପୂର୍ଣ୍ଣ, ଆତ୍ମ ନିର୍ଭରଶୀଳ, ହଁ ମୁଁ ମାନୁଛି, କୌଣସି ନାରୀ କିମ୍ବା ପୁରୁଷ ପାଇଁ ଆତ୍ମନିର୍ଭରୀଶୀଳ ହୋଇଯିବାଟା ଯଥେଷ୍ଟ ନୁହେଁ । ତୁମେ କୁହ, ସ୍ୱାମୀ ହିସାବରେ, ପୁରୁଷ ହିସାବରେ, ମୋ ପାଖରେ କେଉଁ ଜିନିଷଟିର ଅଭାବ ତୁମକୁ ଆଜି ମୋ’ଠାରୁ ଅଲଗା ହୋଇଯିବାର ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି ? ମୁଁ କିଛି ବୁଝିପାରୁନି, କିଛି କୁହ ସ୍ମୃତି, ତୁମର ଏ  ନୀରବତା ମୋ ପ୍ରାଣ ନେଇଯିବ, ପ୍ଲିଜ୍ ସ୍ମୃତି, ଜବାବ ଦିଅ,ପ୍ଲିଜ୍ !”

     ଏତିକି କହୁକହୁ ସୁଧାକର ବାବୁ କୁଶନରୁ ଉଠିପଡିଥିଲେ, ସ୍ମୃତି ପାଖକୁ ଯାଇ, ତାଙ୍କର ହାତକୁ ଧରିପକାଇଥିଲେ ଭାବାବେଗରେ, ନିଜ ଅଜାଣତରେ, ହେଲେ ହାତକୁ ଛିଞ୍ଚାଡିଦେଇ ଠିଆ ହୋଇପଡିଲେ ସ୍ମୃତି ଦେବୀ ।

     “ମୁଁ ଆଜି ତୁମର କୌଣସି ପ୍ରଶ୍ନର ଉତ୍ତର ଦେଇ ପାରିବିନି । ମୁଁ ଥରେ ନିଷ୍ପତ୍ତି ନେଇସାରିଛି ତ ନେଇସାରିଛି, ମୁଁ ଆଉ ମୋ ନିଷ୍ପତ୍ତି ବଦଳେଇବାର ମୁଡ୍ ରେ ନାହିଁ । ତୁମ ସହିତ ମୁଁ ଆଉ ଗୋଟିଏ ଛାତ ତଳେ ଗୋଟିଏ ମୁହୂର୍ତ୍ତ ବି ରହିବାକୁ ଚାହୁଁନି । ମୁଁ ଏଇଠି ଅଣନିଃଶ୍ୱାସୀ ଫିଲ୍ କରୁଛି, ମୋତେ ଏ ଘର ନର୍କ ପରି ଲାଗୁଛି ।“

     “କାହିଁଁକି, କାହିଁକି ତୁମେ ଅଣନିଶ୍ୱାସୀ ଫିଲ୍ କରୁଛ ? ତୁମକୁ କ’ଣ ଯଥେଷ୍ଟ ସ୍ୱାଧୀନତା ଦିଆଯାଇନି ? ତୁମର ଚାଲିଚଳନ, ଆଚାର ବ୍ୟବହାର, ଦୈନନ୍ଦିନ ଜୀବନ ଉପରେ କିଛି କଟକଣା କିମ୍ବା କିଛି ଜବରଦସ୍ତ ଲଦିଦିଆଯାଇଛି ? ତୁମେ ଯେତେବେଳେ ନ ନୂଆନୂଆ ବୋହୁ ହୋଇ ଏ ଘରକୁ ଆସିଥିଲ, ତୁମର ପଢିବାର ଆଗ୍ରହ ଦେଖି, ବାପା ବୋଉଙ୍କ ସାଙ୍ଗେ ଲଢେଇ କରି ମୁଁ ତୁମକୁ ସବୁପ୍ରକାର ସାହାଯ୍ୟ କରିଛି । ରାତିରାତି ତୁମର ପାଖରେ ବସି ତୁମ ପରୀକ୍ଷା ପାଇଁ ପାଠପଢାରେ ସାହାଯ୍ୟ କରିଛି । ତୁମକୁ ନିଦ ଆସିବା ଆଗରୁ ଗରମ ଚା କପ୍ ତୁମ ହାତକୁ ବଢେଇଦେଇଛି । ଅଫିସରେ ପଛେ ମୋର ଡେରି ହେଉ, ମୁଁ ତୁମର କଲେଜ କେବେ ଡେରି ହେବାକୁ ଦେଇନି । ମୁଁ ପଛେ ସେଇ କିରାଣି ପୋଷ୍ଟରେ ଅଟକିଗଲି, ହେଲେ ତୁମର ଅଧ୍ୟାପିକା ହେବାର ସ୍ୱପ୍ନକୁ ପୂରା କରିବାରେ ମୁଁ କେବେହେଲେ ହେଳା କରିନି ।”

     “ବାଃ !” ହସିଲେ ସ୍ମୃତି, ଗୋଟିଏ ତାଚ୍ଛଲ୍ୟ ହସ । ବାଃ ରେ ବାଃ ! ଏଇ ତୁମର ପୁରୁଷ ଜାତିର ଅହଙ୍କାର ? ବଡ ଦୟାବାନ ତୁମେ । ମୋତେ ମୋ ପରି ଜୀଇଁବାର ଅଧିକାର ଦେଇ ବଡ ଦୟା ଦେଖାଇଚ ତୁମେ । ମୁଁ ବି ତୁମ ପରି ପାଠ ପଢିଛି, ସରକାରୀ ଚାକିରି କରିଛି, ମାସ ଶେଷରେ ମୋଟା ରକମର ଦରମା ନେଉଛି, ମୁଁ ତ କେବେ କହିନି, ମୁଁ ତୁମକୁ ସ୍ୱାଧୀନତା ଦେଇଛି ବୋଲି !”

     “ପ୍ଲିଜ୍ ସ୍ମୃତି, ତୁମେ ଆଉ କଥାର ଖିଅ ବାହାର କରନା । ଥରେ ଭାବି ଦେଖ, କାଲି ଯେଉଁମାନେ ଆମ ସ୍ୱାମୀ-ସ୍ତ୍ରୀ ସମ୍ପର୍କର ଉଦାହରଣ ଦେଉଥିଲେ, ‘ମେଡ ଫର ଇଚ୍ ଅଦର’ କହୁ ଥିଲେ, ସେମାନେ ଆଜି କ’ଣ କହିବେ ? ଏଇୟା ନା, ଯେ ସନାତନ ଦାଶ ଗୋଟେ ଆଦର୍ଶ ସ୍ୱାମୀର ମୁଖା ପିନ୍ଧିଥିଲା ଆଉ ସ୍ମୃତି ଦେବୀ ଜଣେ ପୋଖତ ଅଭିନେତ୍ରୀ ପରି ସ୍ତ୍ରୀର ଅଭିନୟ କରୁଥିଲେ ! ଯେଉଁ ହାତରେ ଆମକୁ ନମସ୍କାର କରୁଥିଲେ, ସେଇ ହାତର ଆଙ୍ଗୁଠି ଆମକୁ ଦେଖେଇ ଥଟ୍ଟା କରିବେ ?”

     “ଲୋକେ କ’ଣ କହିବେ ବୋଲି, ତାଙ୍କର ମତାମତକୁ ସମ୍ମାନ ଦେବାକୁ ଯାଇ ମୁଁ ଆଉ ନିଜକୁ ଅଧିକ ଅପମାନିତ କରିପାରିବିନି, ମୋର ବି ଗୋଟିଏ ଷ୍ଟେଟସ୍ ଅଛି, ସମ୍ମାନ ଅଛି, ସ୍ୱତନ୍ତ୍ର ଇଚ୍ଛା ଅଛି ।” ବଡ ବିରକ୍ତି ଓ କ୍ରୋଧଭରା ସ୍ୱରରେ କହିଉଠିଲେ ସ୍ମୃତି ।

     “ମୋର ସ୍ତ୍ରୀର ପରିଚୟରେ ତୁମେ ଅପମାନିତ ବୋଧ କରୁଛ ? ବାସ୍ ସ୍ମୃତି, ବାସ୍, ବହୁତ ହୋଇଗଲା । ଏସବୁ ଶୁଣିଲାପରେ ଆମେ ସ୍ୱମୀ-ସ୍ତ୍ରୀ ହେବା ତ ବହୁତ ଦୂରର କଥା, ଆମେ ଦୁଇ ସାଧାରଣ ବନ୍ଧୁ ହେବାର ଯୋଗ୍ୟତା ବି ହରାଇ ବସିଲେଣି । ତଥାପି, ମୁଁ  ତୁମକୁ ଗୋଟାଏ ଅନୁରୋଧ କରିବି, ଆଶା କରୁଚି…” ହଠାତ୍ ଅଟକିଗଲେ ସନାତନ ବାବୁ, ସ୍ମୃତିଙ୍କ କ୍ରୋଧରେ ଜଳୁଥିବା ଦୁଇଟି ଆଖି ଚାହିଁରହିଥିଲା ସନାତନବାବୁଙ୍କୁ ଏକଲୟରେ, ଏକ ପ୍ରଶ୍ନବାଚୀ ଦୃଷ୍ଟିରେ । ସୋଫା ଉପରେ, ଦୁଇ ହାତ ପାପୁଲିରେ ମୁହଁରେ ଭରା ଦେଇ, କିଛିକ୍ଷଣ କ’ଣ ଭାବିଲେ ସନାତନ, ଏକ ଦୀର୍ଘନିଶ୍ୱାସ ଛାଡି କହିଲେ, “ଦେଖ ସ୍ମୃତି, ଆମେ ସ୍ୱାମୀ-ସ୍ତ୍ରୀ ହୋଇପାରିବାନି, ଦୁଇ ବନ୍ଧୁ ହେବାର ଯୋଗ୍ୟତା ଆମେ ହରାଇସାରିଲେଣି, ହେଲେ, ଗୋଟିଏ ଚଟିଘରେ ଗୋଟିଏ ରାତି ପାଇଁ, ଦୁଇଟି ଅଜଣା ଯାତ୍ରୀ କ’ଣ ଏକାଠି କେତୋଟି ଘଣ୍ଟା କଟେଇପାରିବେନି ? ମନେକରିନିଅ, ସେମିତି ଆମର ସମ୍ପର୍କ, ଆମେ କେହି କାହାକୁ ଚିହ୍ନିନେ, କାହା ବିଷୟରେ କାହାର କିଛି ଜାଣିବାର ଆବଶ୍ୟକତା ନାହିଁ, ଆଗ୍ରହ ବି ନାହିଁ, ହେଲେ ଏକାଠି ରହିବା ଛଡା ଅନ୍ୟ କିଛି ଉପାୟ ନାହିଁ । ଏ କଥା ମୁଁ ମୋ ପାଇଁ କହୁନି, କି ସମାଜକୁ ଦେଖେଇବାକୁ ନୁହେଁ, କେବଳ ଏଇ ମୋର ଅନୁରୋଧ, ଆମର ଏଇ ଦୁଇ ସନ୍ତାନଙ୍କ ପାଇଁ । ତୁମେ ଭଲ ଭାବରେ ଜାଣିଛ, ମୁଁ ସେମାନଙ୍କ ବିନା ବଞ୍ଚିପାରିବିନି ଏବଂ ସେମାନେ ତୁମ ବିନା । ତା’ଛଡା…. ତା’ଛଡା ଆମେ ଅଲଗା ହୋଇଗଲେ ସେମାନଙ୍କ ଉପରେ କି ପ୍ରଭାବ ପଡିବ ? ସେମାନେ ଆମଠୁ ଶିଖିବେ  କ’ଣ ? ସବୁଠାରୁ ବଡ କଥା, ଏହିପରି ପରିସ୍ଥିତିରେ ସେମାନଙ୍କର ପୂର୍ଣ୍ଣ ବିକାଶ ହୋଇପାରିବ ତ ? ତୁମେ ତ ମନସ୍ତତ୍ତ୍ୱର ଅଧ୍ୟାପିକା, ମଣିଷର ମନ ପଢିପାର, ବୁଝିପାର, ତୁମେ ବିଚାର କର, ଆମ ବଡମାନଙ୍କର ଅଭିମାନର ଲଢେଇ ସେମାନଙ୍କ ଭବିଷ୍ୟତକୁ ବିଗାଡି ନଦେଉ । ମୁଁ ସାମାନ୍ୟ କିରାଣିଟିଏ, ତୁମ ପରି ଏତେ ଜ୍ଞାନକୌଶଳ ମୋ ପାଖରେ ନାହିଁ । ମୋର ଯଦି କିଛି ଭୁଲ ଥାଏ, ତା’ର ଦଣ୍ଡ ଏଇ ନୀରିହ କୋମଳ ଶିଶୁମାନଙ୍କୁ ଦିଅନି । ଏମାନେ ଆଉ କେହି ନୁହନ୍ତି, ତୁମର ଜନ୍ମକଲା ସନ୍ତାନ । ସେମାନଙ୍କ ଜୀବନ ନର୍କ ହେବାକୁ ଦିଅନି । ପ୍ଲିଜ୍...”

     କଥାର ଶେଷ ଆଡକୁ ସନାତନବାବୁଙ୍କ ଆଖି ଛଳଛଳ ହୋଇଆସୁଥିଲା, କଣ୍ଠ ରୁନ୍ଧିହୋଇଯାଇଥିଲା କେଉଁ ଏକ ଅଜଣା ଆବେଗରେ । ହଠାତ୍ ଝଡ ବେଗରେ ରୁମ୍ ଭିତରୁ ବାହାରିଗଲେ ସନାତନବାବୁ ଏବଂ ଥମ୍ କରି ସୋଫା ଉପରେ ବସିଗଲେ ସ୍ମୃତି ।

*****


Rate this content
Log in

Similar oriya story from Inspirational