Sasmita Sahoo

Abstract

4.3  

Sasmita Sahoo

Abstract

ସମନ୍ୟାୟ

ସମନ୍ୟାୟ

7 mins
288


ବିଷୟବସ୍ତୁ-

(ନାରୀ ଓ ପୁରୁଷ ସମାଜର ଦୁଇଟି ଅଙ୍ଗ। ଦିନଥିଲା ଏଇ ସମାଜ ପୁରୁଷ ପ୍ରଧାନ ଥିଲା। କିନ୍ତୁ ବର୍ତ୍ତମାନ ନାରୀ ସଶକ୍ତ। ବିଭିନ୍ନ ପ୍ରକାର ଆଇନ କାନୁନ ପ୍ରଣୟନ କରି ସମାଜ ନାରୀ କୁ ସୁରକ୍ଷା ଦେଉଛି ସତ କିନ୍ତୁ କେତେକ ନାରୀ ଏହାର ଅପବ୍ୟବହାର କରନ୍ତି। କିପରି ଗୋଟେ ଝିଅ ନିଜର ବାପା ପ୍ରତି ହେଉଥିବା ମାନସିକ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉଠେଇବା ପାଇଁ ଓକିଲାତି ଶିକ୍ଷା କରୁଛି ଓ ଗୋଟିଏ ନାରୀ କିପରି ନାରୀ ବିରୁଦ୍ଧରେ ଅନ୍ୟ ଏକ ନାରୀ କୁ ସାହାର୍ଯ୍ୟ କରୁଛି। 'ନାରୀ ଓ ପୁରୁଷ ସମାନ' ଏହି ଉକ୍ତି କୁ ଯଥାର୍ଥ କରିବାକୁ ଚେଷ୍ଟା କରୁଛି ଏହା କାହାଣୀ ର ଧାରାପ୍ରବାହ।)

 

କାହାଣୀ-

--


        ଜୀବନର ଶେଷ ଶୁଣାଣି କୁ ଅପେକ୍ଷା କରିଥିଲି ମୁଁ, କୋର୍ଟ ରେ ତାରିଖ ପଡ଼ିଲାପରି ମୋ ଜୀବନର ତାରିଖ ବି ଗଡି ଚାଲିଥିଲା।ମଧ୍ୟବିତ୍ତ ପରିବାର ରୁ ଆସିଥିବା ଝିଅଟିଏ ଜୀବନରେ ଯାହା ଉପଲବ୍ଧି କରେ ତା ଠାରୁ ଖୁବ ବେଶୀ ମୁଁ କରିଥିଲି।ଆମ ସହରର ପ୍ରଥମ ମହିଳା ଓକିଲ ଭାବରେ ବେଶ ନାଁ କମେଇଲି ସଂସାର ଚଲେଇବା ପାଇଁ ସମସ୍ତ ସୁଖ ସୁବିଧା ଏକାଠି କଲି।

         ମୁଁ ଆଡଭୋକେଟ ଶିବଙ୍ଗୀ ମିଶ୍ର,କାମରୁ ଅବସର ନେବାର ପ୍ରାୟ ଦଶ ବର୍ଷ ହେଇଗଲାଣି।ପୁଅ ହାଇ କୋର୍ଟ ରେ ଓକିଲ ଅଛି ,ସ୍ୱାମୀ ଦୁଇ ବର୍ଷ ହେଲାଣି ଆରପାରିରେ।ପୁଅ ବହୁତ ଥର କହିଲାଣି ଦିଲ୍ଲୀ ଯିବାକୁ କିନ୍ତୁ ମୁଁ ଯାଉନି।ଏଇ ସହରରେ ମତେ ସମସ୍ତେ ଜାଣନ୍ତି,ସକାଳେ ପାର୍କ କୁ ଚାଲିବାକୁ ଗଲେ ବହୁତ ଚିହ୍ନା ମୁହଁ ଦିଶିଥାଏ।ସମ୍ବାଦ ପତ୍ରକୁ ଛୋଟ ଛୋଟ ଲେଖା ପଠେଇବା,ବହି ପଢିବା ଓ ପୁରୁଣା ଫାଇଲ ଦେଖିବାରେ ମୋ ସମୟ ବିତିଜାଏ।

        କିଛିଦିନ ହେବ ମୁଁ ଲକ୍ଷ୍ୟ କରୁଥିଲି ଗୋଟେ ପିଲା ପାର୍କ ରେ ମୋ ପଛେ ପଛେ ଆସୁଛି। ମୁଁ ରହିଲାମାନେ ରହି ଯାଉଛି ,ମୁଁ ବେଞ୍ଚ ରେ ବସିଲେ ସେ ଗୋଟେ ବେଞ୍ଚ ଛାଡିକି ବସୁଛି।ପ୍ରଥମେ ତ ମୁଁ ଅଣଦେଖା କରୁଥିଲି କିନ୍ତୁ ତିନି ଦିନ ଏପରି ହେବା ପରେ ମୁଁ ଟକେ ଦ୍ୱିଧା ରେ ପଡ଼ିଗଲି।ପିଲାଟିକୁ ପାଖକୁ ଡାକିଲି,ମା' ଏଠିକି ଆସିଲୁ ଏମିତି ଦୁଇ ଥର ଡାକିଲା ପରେ ସେ ମୋ ପାଖକୁ ଆସିଲା।ବୟସ ପ୍ରାୟ ଷୋହଳ ହେବ,ସାବନା ରଙ୍ଗର ଦେହ ବେଶ ସୁନ୍ଦର ଦିଶୁଛି।ମୁ ତାକୁ ପଚାରିଲି ମା' କିଛି କଥା ଥିଲାକି?ମୁଁ ବହୁତ ଦିନ ହେବ ତତେ ଦେଖୁଛି ଲାଗୁଛି ତୁ କିଛି କହିବାକୁ ଚାହୁଁଛୁ।ମୋ କଥା ଶୁଣି ତା ଚେହେରାର ରଙ୍ଗ ଉଡ଼ିଗଲା।ଡରି ଡରି କହିଲା "ନାଇଁ ମ୍ୟାଡାମ ସେମିତି କିଛି ନାହିଁ ଯେ.....ଟିକିଏ କଥା ପଚାରିଥାନ୍ତି।

ମୁଁ ତାକୁ ବେଞ୍ଚ ରେ ବସିବାକୁ କହିଲି,ସେ ବେଞ୍ଚରେ ବସିଲା କିନ୍ତୁ ମୋ ଠାରୁ ଦୁଇ ହାତ ଖଣ୍ଡେ ଦୂରରେ।ମୁଁ କହିଲି ଝିଅ ବିଲକୁଲ ଡରେନା।ତୋର ମୁହଁ ଓ ବେଶଭୁଷା ରୁ ଜଣା ପଡୁଛି ତୁ ଗୋଟେ ଭଲ ଘରର ଝିଅ ପରି ଦେଖାଯାଉଛୁ।କହ ମା କଣ କହୁଛୁ।

         ମୋ ଠାରୁ ଆଶ୍ୱାସନା ଭରା କଥା ଶୁଣି ଝିଅଟି ସାମାନ୍ୟ ହେଲାପରି ଲାଗିଲା।ତାପରେ ସେ କହିବାକୁ ଆରମ୍ଭ କଲା-କହିଲା ମ୍ୟାଡାମ ମୁଁ ଗତ ରବିବାର ଦିନ ରେଡ଼ିଓରେ ଆପଣଙ୍କ ସାକ୍ଷାତକାର ଶୁଣିଲି ।ନାରୀ ମହଲ କାର୍ଯ୍ୟକ୍ରମ ରେ ଆପଣଙ୍କ ସାକ୍ଷାତକାର ଆସିଥିଲା।ନାରୀ ନିର୍ଯ୍ୟାତନା ର କାରଣ କଣ ଓ ନିରାକରଣ ପାଇଁ ଆଇନ।ଏଇ ବିଷୟବସ୍ତୁ ଉପରେ ଆପଣ ନିଜ ମନ୍ତବ୍ୟ ଉପସ୍ଥାପନ କରିଥିଲେ କାର୍ଯ୍ୟକ୍ରମ ଟି ଖୁବ ମନଛୁଆଁ ହୋଇଥିଲା।ମୋର ମନେ ପଡ଼ିଲା କିଛିଦିନ ତଳେ ମୁଁ ଆକାଶବାଣୀ କୁ ଯାଇଥିଲି,ସେ କାର୍ଯ୍ୟକ୍ରମ ଟି ପ୍ରସାରିତ ହେଇସାରିଛି ତାହେଲେ।ଏମିତି ମନରେ ଭାବି ମୁଁ ସ୍ମିତ ହାସ୍ୟ ସହ ତାକୁ ଧନ୍ୟବାଦ କହିଲି।ସେ ଝିଅଟି ମଧ୍ୟ ଟିକିଏ ହସିଦେଇ କହିଲା -ଆପଣଙ୍କୁ ଦୁଇ ଦିନ ତଳେ ପାର୍କ ରେ ଦେଖିଲି କିନ୍ତୁ ଆପଣଙ୍କ ସହ କଥା ହେବା ପାଇଁ ସାହସ କରିପାରୁନଥିଲି।

        ମୁଁ ପଚାରିଲି ଝିଅ ତୋ ନାଁ କଣ ?ସେ କହିଲା ମୋ ନାଁ ଅନ୍ୱେସା ସାହୁ ,ଆପଣ ମତେ ଆନି ବୋଲି ଡାକିପାରିବେ।ମୁଁ ପଚାରିଲି ଆନି,ତୁମେ ତ ଏବେ ପାଠ ପଢୁଥିବ ବଡ଼ ହୋଇ କଣ କରିବ ବୋଲି ଭାବୁଛ ? ଆନି କହିଲା "ମ୍ୟାଡାମ ମୁଁ ଆପଣଙ୍କ ପରି ହେବାକୁ ଚାହେଁ।ମୁଁ କହିଲି ବାଃ ବଢିଆ ତ।ଆଛା ତୁମ ବାପା କଣ କରନ୍ତି ? ବାପାଙ୍କ କଥା ଶୁଣିଲା ପରେ ତା ମୁହଁରେ ହାଲ୍କା କଳା ବାଦଲ ଘୋଟି ଆସିଲା ପରି ଦିଶିଲା।ଟିକିଏ ଅଟକି ଯାଇ ସେ କହିଲା "ବାପା ବ୍ୟବସାୟ କରନ୍ତି"।ମୁଁ ହାତଘଣ୍ଟା ଦେଖିଲି ଛଅଟା ବାଜିଲାଣି ,ମୁଁ କହିଲି ଆନି ମୁଁ ଘରକୁ ଯାଉଛି ସେ ବୋଧେ ଆଉ କିଛି କହିଥାନ୍ତା ମୁଁ ଯିବାକୁ ପ୍ରସ୍ତୁତ ହେବାର ଦେଖି ସେ କହିଲା ମ୍ୟାଡାମ ଆପଣଙ୍କ ଘର ଠିକଣା ଦେବେ କି ? ମୋର ଆପଣଙ୍କ ସହ କଥା ଥିଲା ,ମୁଁ ତାକୁ ମୋ ଭିଜିଟିଙ୍ଗ କାର୍ଡ଼ ବଢେଇ ଦେଇ ଆସିଲି।

       ଦୁଇଦିନ ପରେ ଖରାବେଳେ ମୋ ଘରର କଲିଂ ବେଲ ବାଜିଲା।ମୁଁ ନାରୀ ପତ୍ରିକାଟେ ପଢ଼ୁଥିଲି।ଖରାବେଳେ କିଏ କଲିଂ ବେଲ ମାରିଲା ଏମିତି ଭାବିକି ମୁଁ କବାଟ ଖୋଲିଲି,ଦେଖିଲି ଆନି ଛିଡା ହୋଇଛି।ସିଧା କଲେଜରୁ ଆସିଛି ବୋଧେ,ମୁଁ ତାକୁ ଭିତରକୁ ଡାକିଲି ପିଇବାକୁ ପାଣି ଦେଲି।ପାଣି ପିଇ ସାରିବା ପରେ ଆନି କହିବାକୁ ଆରମ୍ଭ କଲା ।ଆନି କହିଲା -ମ୍ୟାଡାମ ଆପଣ ସେଦିନ ପଚାରିଥିଲେ ନା ମୁଁ ବଡ ହେଇ କଣ କରିବାକୁ ଚାହେଁ, ମୁଁ କହିଥିଲି ଆପଣଙ୍କ ପରି ହେବି।ସତରେ ମ୍ୟାଡାମ ମୁଁ ଆପଣଙ୍କ ପରି ହେବାକୁ ଚାହେଁ ,ଆପଣଙ୍କ ପରି ଅନ୍ୟାୟ ବିରୁଦ୍ଧରେ ଲଢ଼ି ନ୍ୟାୟ ର ରାସ୍ତା ସୁଗମ କରିବାକୁ ଚାହେଁ , ସମସ୍ତଙ୍କୁ ସମାନ ନ୍ୟାୟ ଦେବାକୁ ଚାହେଁ ।

       ମୋର ଅନୁଭବୀ ଆଖି ଦୁଇଟି ତାର ମନର ଅନ୍ଧାରିଆ କୋଠରୀ ଭିତରେ ଲୁଚିଥିବା ରାଗ ଓ କ୍ରୋଧକୁ ବେଶ ଭଲଭାବରେ ଦେଖି ପାରୁଥିଲି।ନହେଲେ ବୟସର ଆଦ୍ୟ ପ୍ରାନ୍ତରରେ ଉପନୀତ ହୋଇଥିବା ଗୋଟେ କିଶୋରୀ,ଯାହାର ମନ ଏବେ ଫୁଲ ପରି କୋମଳ ପ୍ରଜାପତି ପରି ଚଞ୍ଚଳ ରହିବା କଥା।ପାହାଡ଼ି ଝରଣା ପରି ଅମାନିଆ ଓ ଚଞ୍ଚଳ ହୋଇ ସମୁଦ୍ରକୁ ଖୋଜିବା କଥା ସେ କେମିତି ଗୋଟିଏ ପୁଷ୍କରିଣୀ ପରି ସ୍ଥିର ଓ ଗମ୍ଭୀର ହୋଇଯାଇଛି।ତାର ମୁହଁରେ ଅସମୟରେ ଆସିଥିବା ଗାମ୍ଭିର୍ଯ୍ୟ ମୁଁ ସ୍ପଷ୍ଟ କରିପାରୁଥିଲି।ଆଇନଜୀବୀ ହେଲେ ଏଇ କଳା ଟି ଶିଖିବାକୁ ପଡେ।ମୁଁ ତାକୁ କହିଲି ମା' ତୁ କଣ ଖାଇଛୁ ? ସିଧା କଲେଜରୁ ଆସିଲା ପରି ଲାଗୁଛୁ।ଘରେ ତୋର ମାଆ ଵ୍ୟସ୍ତ ହେଉଥିବେ ଯେ।ଆନି କହିଲା -ସେ କିଛି ଵ୍ୟସ୍ତ ହେବନି ସେ ତ ମତେ...  ଏତିକି କହି ଅଟକି ଗଲା।ତାର ମୁହଁଟି ଟିକେ କାନ୍ଦୁରା ଦିଶିଲା।ମୁଁ ତାକୁ କିଛି ପଚାରିଲିନି, ମୁଁ ଜାଣିଥିଲି ତା ମନ ଭିତରେ ଅକୁହା କଥାର ଯୋଉ ବରଫ ଜମାଟ ବାନ୍ଧିଛି।ଉଷ୍ମତା ପାଇଲେ ନିଶ୍ଚିତ ତରଳି ଯିବ ଓ ପାଣି ପରି ସବୁକଥା ବାହାରି ଆସିବ ଖାଲି ସମୟକୁ ଅପେକ୍ଷା।

        ସକାଳେ କାକରା ପିଠା ତିଆରି କରିଥିଲି,ସେଇ ପିଠା ଆଉ ଡାଲମା ତାକୁ ଦେଲି ପ୍ରଥମେ ମନା କରୁଥିଲା ମୁଁ ବାଧ୍ୟ କରିବାରୁ ସେ ଖାଇଲା।ଆପଣ କରିଥିଲେ କି ?ବହୁତ ବଢିଆ ହେଇଥିଲା ,ଜେଜେମା ଥିଲାବେଳେ ଆମକୁ ପିଠା କରିକି ଦଉଥିଲା।ମୁଁ ପଚାରିଲି ତୋର ମାଆ ତିଆରି କରନ୍ତି ନାହିଁ, ସେ ମନା କଲା।ମୁଁ ପ୍ଲେଟ ନେବାକୁ ଗଲାବେଳେ ଆନି ମୋ ହାତରୁ ପ୍ଲେଟ ଛଡାଇ ନେଇ ରୋଷେଇ ଘର କେଉଁଠି ଅଛି ପଚାରିକି ପ୍ଲେଟ ନେଇଗଲା ।ଆନି ବ୍ୟବହାର ଦେଖିକି ମୋର ମାତୃ ହୃଦୟ ଖୁସି ହେଇଗଲା।ରୋଷେଇ ଘରୁ ଆସିଲା ପରେ ଆନି କହିଲା,ମ୍ୟାଡାମ ମୁଁ ଏବେ ଯାଉଛି ବାପା ଅସିବେଣି ଦୋକାନରୁ ମତେ ଅପେକ୍ଷା କରିଥିବେ।ଆପଣ ଏତେ ଖୁଆଇଲେ ଯେ ମୋ ପେଟ ପୁରି ଗଲାଣି ତଥାପି ବାପାଙ୍କ ସହ ଖାଇବାକୁ ପଡିବ। ପରଦିନ ସଞ୍ଜ ରେ ଆସିବ କହି ସେ ବିଦାୟ ନେଲା।ସତ କହୁଛି ଆରଦିନ ସନ୍ଧ୍ୟା ଯାଏଁ ମୋ ମନ ଅଗଣାରେ ଆଜିନିକୁ ଅପେକ୍ଷା କରି ବସିଥିଲି।

       ତହିଁ ଆର ଦିନ ସନ୍ଧ୍ୟା ପ୍ରାୟ ପାଞ୍ଚଟା ବେଳେ ଆସିଲା ,ଘର ଭିତରକୁ ଆସିବା ପରେ ମୁଁ ତାକୁ ପଚାରିଲି ଘରୁ ଆସିଲୁ? ସେ କହିଲା ନାଇଁ ମ୍ୟାଡାମ ଟିଉସନ ରୁ ଆସିଲି।ତାକୁ ସୋଫା ଉପରେ ବସିବାକୁ କହି ମୁଁ ଚାହା କରିବାକୁ ଆସିଲି,ଆନି ମଧ୍ଯ ମୋ ପଛେ ପଛେ ଆସିଲା।କହିଲା ମ୍ୟାଡାମ ବାପା କୁହନ୍ତି ମୁଁ ବହୁତ ବଢିଆ ଚାହା ତିଆରି କରେ।ସକାଳୁ ମୁଁ ସବୁଦିନ ଚାହା ତିଆରି କରିକି ଦିଏ,ଆପଣ ଖାଲି କୁହନ୍ତୁ କୋଉଠି କଣ ଅଛି ।ମୁଁ ହସିକି କହିଲି ମତେ ମ୍ୟାଡାମ ନ ଡାକି ମାଉସୀ ଡାକିଲେ ଯାଇ ମୁଁ କହିବି।ଆନି ବି ହସିଦେଲା ମୁଁ ମନେ ମନେ ଭାବିଲି କେତେ ବଢିଆ ଝିଅଟିଏ ଟିକିଏ ସ୍ନେହ ପାଇଲେ କେତେ ଆପଣାର କରିନଉଛି।ଚାହା ପିଇ ସରିଲା ପରେ ଆନି କହିଲା ମାଉସୀ ମୁଁ ଏଇ ବର୍ଷ ଆଇନ ଶାସ୍ତ୍ର ରେ ପିଜି ଡିପ୍ଲୋମା କୋର୍ସରେ ଆଡ଼ମିଶନ ନେଇଛି। ମୁଁ ଚାହେଁ ଆପଣଙ୍କ ତତ୍ୱାବଧାନ ରେ ପଢ଼ାପଢ଼ି ଓ ପ୍ରାକ୍ଟିସ କରିବାକୁ ଆପଣ ମତେ ସାହାଯ୍ୟ କରିବେ ନା? ମୁଁ ଟିକେ ଦ୍ଵିଧା ରେ ପଡ଼ିଗଲି। ଏତେ ବର୍ଷ ହେଲାଣି ସେ କାମ ଛାଡି ସାରିଲିଣି। ଏବେ ପୁଣି ଆରମ୍ଭ କରିବି। ତଥାପି ଆନି କୁ କହିଲି ଠିକ ଅଛି, ମୁଁ ତୋତେ ସାହାଯ୍ୟ କରିବି। କିନ୍ତୁ ଗୋଟିଏ ସର୍ତ୍ତ ରେ ଆନି ଖୁସି ହୋଇ କହିଲା ଆପଣଙ୍କ ସବୁ ସର୍ତ୍ତ ମୁଁ ମାନିବାକୁ ପ୍ରସ୍ତୁତ। ମୁଁ କହିଲି " ଆନି ମୁଁ ଯାହା ଜାଣିଚି ସବୁ ତୋତେ କହିବି କିନ୍ତୁ ତୁ ଆଗେ ମୋତେ କହିବୁ ଆଇନ ପାଠ କାହିଁକି ପଢିବାକୁ ଚାହୁଁଛୁ। ମୁଁ ତୋ ଆଖି ରେ ଦେଖିଚି ତୋ ମନ ଭିତରେ କାହା ପ୍ରତି ଏକ କ୍ଷୋଭ ଭରା ହୋଇ ରହିଛି। ସତ କହିବୁ ତୁ କାହାକୁ ନ୍ୟାୟ ଦେବାକୁ ଚାହୁଁଛୁ। ଯେତେବେଳେ ବି ତୋ ମା ଙ୍କ କଥା ପଡୁଛି ତୁ ଅନ୍ୟମନସ୍କ ହୋଇଯାଉଛୁ। ସତ କହ ସବୁ କଥା ଠିକ ଠିକ କହ, ମୋତେ ମାଉସୀ ଡାକୁଛୁ ପରା"। ମୋ କଥା ଶୁଣି ଆନି ର ମୁହଁ ଟି କାନ୍ଦୁରା ଦେଖାଗଲା। ନିଜକୁ ସମ୍ଭାଳି ନେଇ ଆନି କହିଲା" ମାଉସୀ ଆଇନ ପଢିକି ମୁଁ ମୋ ବାପାଙ୍କୁ ନ୍ୟାୟ ଦେବାକୁ ଚାହେଁ। ଘରୋଇ ହିଂସା ରେ ମହିଳାଙ୍କ ପାଇଁ ବହୁତ ସୁବିଧା ଅଛି। କିନ୍ତୁ ଗୋଟେ ପୁରୁଷ ପାଇଁ କିଛି ବି ଆଇନ ନାହିଁ । ମୁଁ ଦେଖିଛି ସେ ସ୍ତ୍ରୀ ଲୋକ ଟି ଯାହାକୁ ମା ବୋଲି ଡାକେ ସେ ମୋ ବାପାଙ୍କ ଉପରେ କେମିତି ମାନସିକ ନିର୍ଯ୍ୟାତନା ଦିଏ। ଛୋଟ ଛୋଟ କଥାରେ କଳି କରିବା ଆରମ୍ଭ କରିଦିଏ। ବାପା ରାଗି ଯାଇ ଖାଲି ହାତ ଉଠେଇଦେଲେ ମତେ ମାରିଦେଲେ କହି ଦାଣ୍ଡ କୁ ପଳାଏ। ସାଇ ପଡିଶା ଆସି ଜମା ହୋଇଯାଆନ୍ତି ଓ ମୋ ବାପାଙ୍କୁ ଖରାପ କୁହନ୍ତି। ଘରେ ନ ରହି ସବୁବେଳେ ସାହି ପଡିଶା ଘରେ ବୁଲୁଥାଏ। ତାରି ପାଇଁ ତ ମୋ ଜେଜେମା ଯାଇ ଗାଁ ରେ ଏକୁଟିଆ ରହୁଛନ୍ତି। ଜେଜେମା ଙ୍କ ସହ ସବୁବେଳେ କଳି କରେ। ମୁଁ, ଜେଜେମା ଆଉ ବାପାଙ୍କ ସପକ୍ଷ ରେ କହିଲି ବୋଲି ମୋତେ ସେ କହିଲା ଯେ ମୁଁ ତା ଝିଅ ନୁହେଁ। ଖାଲି ମୋ ସାନଭାଇ ହେଲା ତା ପୁଅ।       

        ଗୋଟେ ଦିନ ବାପାଙ୍କୁ ଜରୁରୀ କାମରେ ବାହାରକୁ ଯିବାର ଥିଲା,ବାପା ସକାଳୁ କହିଥିଲେ ଖରାବେଳେ ଟିକେ ଜଲଦି ରୋଷେଇ କଲେ ସେ ଖାଇକି ଯିବେ ବୋଲି।ଖରାବେଳେ ଆସି ବାପା ଖାଇବାକୁ ମାଗିଲେ ,ମାଆ ସେତେବେଳେ ପେଜ ଗାଳୁଥିଲା।କହିଲା ତରକାରୀ ହେଲେ ଯାଇ ଖାଇବ।ବାପା ଟିକିଏ ବିରକ୍ତ ହୋଇଗଲେ ,ମା ରାଗିଯାଇ ଗରମ ପେଜ ତାଙ୍କ ଉପରକୁ ଫିଙ୍ଗିଦେଲା।ବାପା ଖାଲି ଗଞ୍ଜି ପିନ୍ଧିଥିଲେ ବାପାଙ୍କ କାନ୍ଧ ପୁରା ଫୋଟକା ହୋଇଗଲା ।ଆଜି ଯାଏଁ ସେ ଚିହ୍ନ ଅଛି।,ସେ ଚିହ୍ନକୁ ଦେଖିକି ମୁଁ ପ୍ରତିଜ୍ଞା କରିଛି କି ମୁ ଆଇନଜୀବି ହେବି।ମୋ ବାପାଙ୍କୁ ନ୍ୟାୟ ଦେବି, ଆନି କାନ୍ଦୁଥାଏ ଓ କହୁଥାଏ।ମୁଁ ବି ତାକୁ ରୋକିଲିନି ,ତା ମନର ଦୁଃଖ ଲୁହ ହୋଇ ବୋହିଯାଉ।ଆନି କହିଲା ମାଉସୀ ଯଦି ସେଦିନ ପେଜ ତକ ମୁହଁରେ ପଡ଼ିଥାନ୍ତା ତାହେଲେ କଣ ହେଇଥାନ୍ତା ମୁଁ କଳ୍ପନା ବି କରିପାରୁନି।

        ମୁଁ ଯୁକ୍ତ ଦୁଇ ରେ ବିଜ୍ଞାନ ନେଇ ପଢ଼ୁଥିଲି କିନ୍ତୁ ସେଇ ଘଟଣା ପରେ ମୁଁ ଆଇନଜୀବି ହେବାକୁ ସ୍ଥିର କରିଛି।ମୋ ବାପା ଏବେ ତ କୌଣସି ଥାନା କିମ୍ବା କଚେରୀକୁ ନ୍ୟାୟ ପାଇଁ ଯାଇପାରିବେ ନାହିଁ।ଯଦି ଯିବେ ଅଟହାସ୍ୟ ର ଶିକାର ହେବେ ତେଣୁ ମୁଁ ପ୍ରତିଜ୍ଞା କରିଛି ମୋ ବାପାଙ୍କୁ ନ୍ୟାୟ ଦେବୀ।ପୁରୁଷଙ୍କ ସୁରକ୍ଷା ପାଇଁ ବି ଗୋଟେ ଆଇନ ପ୍ରଣୟନ ହେବା ଦରକାର।ଏହାପରେ ଆନି ଏତିକି କହି କାଲିଠାରୁ ପଢ଼ାପଢ଼ି ଆରମ୍ଭ କରିବାର ପ୍ରତିଶୃତି ନେଇ ବିଦାୟ ନେଲା।

        ମୁଁ ସେଇ ସୋଫା ଉପରେ ବସିକି ଭାବୁଥିଲି ଯେ ମୁଁ ଯେତେ ବି କେସ ସମାଧାନ କରିଛି ସବୁ ନାରୀ ନିର୍ଯ୍ୟାତନା ଉପରେ।ଗୋଟେ ପୁରୁଷ ବି କେତେ ମାନସିକ ନିର୍ଯ୍ୟାତନା ସହେ ମୁଁ କେବେବି ଭାବି ନଥିଲି।ଆନି ଗୋଟେ ଝିଅ ହୋଇ ତା ବାପା ର ମନ କଥା ବୁଝିପାରୁଛି। ମୋ ମନ ଭିତରୁ ଗୋଟେ ପ୍ରତିଧ୍ୱନି ଆସିଲା "ଶିବାଙ୍ଗି-ବର୍ତ୍ତମାନ ବି ଡେରି ହୋଇନି।"ମୁଁ ଚିନ୍ତା କଲି ଆନି କୁ ସହାୟତା କରି ମୁଁ ଏହାର ସମାଧାନ କରିପାରିବି।ଚେଷ୍ଟା କଲେ ସୁପ୍ରିମକୋର୍ଟ ରେ ଗୋଟେ ଆଇନ ପାଇଁ ଆବେଦନ କରିପାରିବି।ଯଦି ସମାଜରେ ନାରୀ ଓ ପୁରୁଷଙ୍କ ପାଇଁ ସମାନ ଅଧିକାର ମିଳିବା ନିତ୍ୟାନ୍ତ ଜରୁରୀ।ତେବେ ନାରୀ ଓ ପୁରୁଷ ଙ୍କୁ ସମାନ ନ୍ୟାୟ ମିଳିବା ମଧ୍ୟ ନିହାତି ଜରୁରୀ।

    

    


Rate this content
Log in

Similar oriya story from Abstract