Sasmita Sahoo

Abstract

4.0  

Sasmita Sahoo

Abstract

ଚୋରଣୀ

ଚୋରଣୀ

12 mins
161


ବିଷୟବସ୍ତୁ -

(କାହାଣୀ ର ନାୟିକା କନିକା। ସାଂସାରିକ ଜୀବନର ଛୋଟ ବଡ଼ ଝଡ଼ କୁ ସାମ୍ନା କରି ବାଟ ଚାଲିଛନ୍ତି କିନ୍ତୁ ଜୀବନରେ ସନ୍ଦେହର ଏମିତି ଏକ ପ୍ରଳୟଙ୍କରୀ ଝଡ଼ ଆସିଛି ଯାହା ତାଙ୍କୁ ଚୋରଣୀ ସଜେଇ ଦେଇଛି। ମିଛ ସନ୍ଦେହର ବୋଝ କୁ ଉଠେଇ ଉଠେଇ ନିଜର ମାନସିକ ଭାରସାମ୍ୟ ହରେଇ ବସିଛନ୍ତି। କିନ୍ତୁ ସ୍ନେହ,ଆଦର ଓ ବିଶ୍ୱାସ ର କୋମଳ ସ୍ପର୍ଶ ପାଇଁ ବଦଳିଯାଇଛି ତାଙ୍କର ଜୀବନର ଗତିପଥ ବଦଳିଯାଇଛି ଚୋରଣୀ ର ଜୀବନ।ଏହା କାହାଣୀ ର ଧାରାପ୍ରବାହ)


 

କାହାଣୀ--

          ଦିନ ପରେ ରାତି ପୁଣି           ରାତି ପରେ ଦିନ ଆସିଲା ପରି ମଣିଷ ଜୀବନ, କେତେବେଳେ ଖୁସି ତ କେତେବେଳେ ଦୁଃଖ।କେତେବେଳେ ଖୁସିର ଆକାଶରେ ଉଡ଼ୁଥିବା ପକ୍ଷୀଟିଏ ଯିଏ ଭାବୁଥାଏ କି ମୋ ଡେଣାରେ ପୁରା ଆକାଶକୁ ତୋଳିନେଇ ଯିବି ତ କେତେବେଳେ ଦରିଆ ମଝିରେ ସେଇ ନାଉରି ବିହୀନ ଭଙ୍ଗା ନାଆଟିଏ ପରି।ଯାହାର ଆଖିରେ କେବଳ ଗୋଟିଏ ଦୁସ୍ବପ୍ନ ,ସମୁଦ୍ର ର ଅତଳ ଗର୍ଭ ।ଏସବୁ କେବଳ ଲେଖକ ମାନଙ୍କର କଳ୍ପନା ମାତ୍ର।ବାସ୍ତବ ଜୀବନର ଛବିରେ ଏମିତି ନଥାଏ।

           ସତ କହିବାକୁ ଗଲେ ଅଧିକାଂଶ ଜୀବନ ସନ୍ଧ୍ୟା ନଚେତ ଭୋର ସମୟ ପରି ହୋଇଥାଏ।ଆଲୋକ ଓ ଅନ୍ଧକାର ମିଶାମିଶି ଦୁନିଆରେ କେବଳ ପାଗଳମାନଙ୍କ ଜୀବନରେ ପୁରା ଅଲୋକ ଥାଏ ଏବଂ ଅନ୍ଧମାନଙ୍କ ଜୀବନରେ ଅନ୍ଧକାର।କାରଣ ଅନ୍ଧଟିଏ ଏହି ସୁନ୍ଦର ସୃଷ୍ଟିକୁ ଦେଖିପାରେ ନାହିଁ।ସେ ଜାଣେନି ସୂର୍ଯ୍ୟ ଉଇଁଲା ବେଳେ କଅଁଳିଆ ଶିଶୁଟିଏ ପରି ଲାଗନ୍ତି।ସେ ଜାଣିନି ଇନ୍ଦ୍ରଧନୁ ରଙ୍ଗ ଗୁଡିକ ଏକାଠି ହୋଇଗଲା ପରେ ସାତ ରଙ୍ଗ ମନରେ ଯେଉଁ ଅଲୋଡନ ସୃଷ୍ଟି କରେ।ସେ ଜାଣିନି ତାର ମାଆ ନୀରବରେ ତା ପାଇଁ କେତେ ଲୁହ ଢାଳେ । ସେ ଦେଖିନି ତାର ଅଣ୍ଡାଳି ହୋଇ ଚାଲିବା ଦେଖି ବାପାର ହୃଦୟ କେମିତି କୋରି ହୋଇଯାଏ।

          ଅପରପକ୍ଷେ ଦୁନିଆର ସୁଖୀ ମଣିଷ ପାଗଳ। ପାଗଳର ନଥାଏ ସଂସାର ଏବଂ ସମାଜ ପ୍ରତି ଭୁକ୍ଷେପ ,ନଥାଏ କୌଣସି ମିଛ ସମ୍ମାନ ଓ ଆଭିଜାତ୍ୟ କୁ ଜାବୁଡି ରଖିବାର ପ୍ରୟାସ।ନିଜର ମନଗଢା ଦୁନିଆରେ ମସଗୁଲ ଥାଏ ପାଗଳ ।ସେଇଠି ଥାଏ ତା ହସ ସେଇଠି ଥାଏ ତା ଲୁହ। ଖୁସି ହେଲେ କାନ୍ଦିବା ଯାଏଁ ହସିବ ଆଉ ଦୁଃଖି ହେଲେ ହସିବା ଯାଏଁ କାନ୍ଦିବ ।ମାପଚୁପ ର ଆବଶ୍ୟକତା ନାହିଁ କି ଅଭିପ୍ରାୟ ବି ନାହିଁ।

          ସେହିପରି ସୁଖୀ ମଣିଷମାନଙ୍କ ସହ ମୁଁ କାମ କରେ,କାମ କରେ କହିଲେ ଅଧିକ ମିଛ ହେଇଯିବ।ସେ ସୁଖୀ ମଣିଷମାନଙ୍କ ସହ ମୁଁ ବଞ୍ଚେ ସେହିମାନେ ହିଁ ମୋ ସଂସାର ।ଜନ୍ମରୁ ସ୍ନେହ ଆଦର କଣ ମୁଁ ଜାଣିନି।ଅନାଥ ଆଶ୍ରମ ରେ ରହି ପାଠପଢ଼ା, ନିୟମ ଅନୁସାରେ ଅଠର ବର୍ଷ ହେବାପରେ ଆଶ୍ରମ ଛାଡିବାକୁ ପଡିବ ।ସେଥିପାଇଁ ନର୍ସିଂ ରେ ଯୋଗ ଦେଇଛି, ଭାବିଲି ମୁଁ ସିନା ଜୀବନରେ ସ୍ନେହ ଓ ଆଦର ପାଇନି କିନ୍ତୁ ଅନ୍ୟକୁ ତ ଦେଇପାରିବି।ମୋ ସେବା ଜତନ ଦ୍ୱାରା ଅନ୍ୟ ମୁହଁରେ ଟିକିଏ ହସ ଫୁଟାଇ ପାରିବି।ଅନ୍ୟର ମନରେ ଟିକିଏ ଶାନ୍ତି ତ ଦେଇ ପାରିବି।ଜାଣିନି ସାଇକୋଲୋଜି ବିଷୟ ପ୍ରତି ଏତେ ମୋର ଆଗ୍ରହ। ଅନ୍ୟର ମନ କଥା ପଢିବାକୁ ଅଲଗା ପ୍ରକାର ଇଚ୍ଛା ହୁଏ।ତାର ଫଳ ସ୍ୱରୂପ ଏଇ ସୁଖୀ ମଣିଷ ମନଙ୍କ ପାଖରେ କାମ କରୁଛି। ଆପଣଙ୍କ ଭାଷାରେ ପାଗଳଖାନାରେ କାମ କରୁଛି।

           ରାଞ୍ଚି ମାନସିକ ରୋଗ ଚିକିତ୍ସାଳୟ ର ମହିଳା ବିଭାଗରେ ମୋର ପୋଷ୍ଟିଙ୍ଗ ।ଜଏନିଂ ଲେଟର ପାଇବା ଦିନ ମୋ ମନ ଖୁସି ତ ଥିଲା କିନ୍ତୁ ଟିକିଏ ନର୍ଭସ ମଧ୍ୟ ଲାଗୁଥିଲା।କିନ୍ତୁ ଏଇଠି କାମ କଲା ପରେ ଲାଗିଲା ମୁଁ ଯେମିତି ଗୋଟେ ଅଲଗା ଦୁନିଆକୁ ଆସିଯାଇଛି।ଏଇଠି ମୁଁ ମାଆ, ଭଉଣୀ, ସାଙ୍ଗ ସମସ୍ତଙ୍କୁ ଏକା ସାଙ୍ଗରେ ଦେଖୁଛି।ଦୁନିଆ ସିନା ସେମାନଙ୍କୁ ପାଗଳର ଆଖ୍ୟା ଦେଇଛି କିନ୍ତୁ ସେମାନଙ୍କ ର ମନକୁ ଜିତି ସରିବା ପରେ ଯେଉଁ ସ୍ନେହ, ମମତାର ଛୋଟ ନଈଟିଏ ବହି ଯାଉଛି।ସେଇଟା କୁ ସମାଜ ଅଣଦେଖା କରି ଦଉଛି।ଏମିତି ନୁହେଁ ଯେ ସେ ପାଗଳ ମାନେ ଫୋପଡା ଫିଙ୍ଗା କରନ୍ତି ନାହିଁ କିନ୍ତୁ କେଜାଣି କାହିଁକି ମତେ ଦେଖିଲା ପରେ ସମସ୍ତେ ସୁନାପିଲା ହୋଇଯାନ୍ତି।

          ଆମ ହସ୍ପିଟାଲରେ ଅନ୍ତେବାସୀ ମାନଙ୍କ ପାଇଁ ସବୁଜ ରଙ୍ଗର ଡ୍ରେସକୋଡ଼ ଅଛି।ସେମାନେ ଖାଇବାପରେ ମେଡ଼ିସିନ ଖାଇବା ପାଇଁ ବହୁତ ନଖରାମି କରନ୍ତି। ଛୋଟ ପିଲାକୁ ବୁଝେଇବା ପରି ବୁଝାଇ ସୁଝାଇ ମେଡିସିନ ଖୁଆଇବାକୁ ପଡେ।ଛଅ ନମ୍ବର ବେଡ଼ରେ ଥିବା କନିକା ସ୍ବାଇଁ କିନ୍ତୁ ଏ ସମସ୍ତଙ୍କ ଠାରୁ ବ୍ୟତିକ୍ରମ।ବୟସ ୪୪ ବର୍ଷ, ସାଢୀ ଖଣ୍ଡିଏ ପିନ୍ଧନ୍ତି।କନିକା କୁ କେବେ ରାଗିବା,ଜିନିଷ ପତ୍ର ଫିଙ୍ଗା ଫୋପଡା କରିବା ପରି ପାଗଳାମି କରିବାର କେବେବି ଦେଖିନି।ସବୁଠାରୁ ଆଶ୍ଚର୍ଯ୍ୟ ଲାଗେ ସେ ଏତେ ସୁନ୍ଦର ଭାବରେ ଶାଢ଼ୀକୁ ପିନ୍ଧିଥାନ୍ତି ଯେ ମୁଁ ଚେଷ୍ଟା କଲେ ବି ସେମିତି ପିନ୍ଧିପାରିବି ନାହିଁ।ସମସ୍ତେ ଡ୍ରେସ ପିନ୍ଧିଲାବେଳେ ତାଙ୍କୁ କାହିଁକି ଶାଢ଼ୀ ପିନ୍ଧିବାକୁ ଦିଆଯାଉଛି ସେଇଟା ବି ଗୋଟେ ପ୍ରଶ୍ନ? ମୋର ଏଇଠି କି ଆସିବା ଖୁବ କମ ଦିନ ହୋଇଥିବାରୁ ମୁଁ କାହାକୁ ପଚାରି ପାରୁନଥାଏ।

           କନିକା କୁ ଦେଖିଲେ ମୋ ମନରେ କେମିତି ଗୋଟେ ଅଲଗା ପ୍ରକାର ଭାଵ ଜାତ ହୁଏ।ଯେମିତି ଶୋଷିଲା ଲୋକଟିଏ ନଦୀ ପାଖକୁ ଆକୃଷ୍ଟ ହୋଇଯାଏ ସେମିତି ,ଇଚ୍ଛା ହୁଏ ତାଙ୍କର ଅଧିକ ଯତ୍ନ ନେବା ପାଇଁ।ସେ ଯେପରି ବ୍ୟବହାର କରନ୍ତି କେହିବି କହିବେନି ଯେ ସେ ଜଣେ ମାନସିକ ରୋଗୀ।କମ କଥା କୁହନ୍ତି, ଆଖି ଦୁଇଟି ମଧ୍ୟ ପୋଖରୀ ପାଣି ପରି ସ୍ଥିର ଓ ଗମ୍ଭୀର।କିନ୍ତୁ ମୁଁ ଲକ୍ଷ୍ୟ କରୁଥିଲି ଯେ ,ଯେତେବେଳେ ସଂନ୍ଧ୍ୟା ଆସେ ସୂର୍ଯ୍ୟ ପଶ୍ଚିମ ଆକାଶରେ ଲାଲ ରଙ୍ଗର ପେଣ୍ଡୁ ପରି ଦେଖାଯାନ୍ତି ,ସେତେବେଳେ ସେ ଅସ୍ଥିର ଦେଖାଯାନ୍ତି।କରିଡରରେ ଅସ୍ଥିର ହୋଇ ଏପଟ ସେପଟ ହୁଅନ୍ତି।ଆଖି ଦୁଇଟି ମଧ୍ୟ ସମୁଦ୍ର ଲହଡ଼ି ପରି ଅସ୍ଥିର ଦେଖାଯାଏ।କିନ୍ତୁ କିଛି ସମୟ ପରେ ପୁଣି ଶାନ୍ତ ହୋଇଯାଆନ୍ତି।

          ଦିନେ ସାହସ କରି ଆମ ହେଡ଼ ନର୍ସ ଙ୍କୁ ତାଙ୍କ ବିଷୟରେ ପଚାରିଲି।ସେ କହିଲେ ପାରିବାରିକ କାରଣ ନେଇ ସେ ପାଗଳୀ ଆଉ କିଛି ଡାଟା ନାହିଁ।ହଁ ଏତିକି ଶୁଣିଛି ଯେ ସେ ଜଣେ ଭଲ ପରିବାରର ବୋହୁ ଥିଲେ।ଆଉ ବିଶେଷ କିଛି ଜାଣିନି ମୁଁ ପଚାରିଲି ତାଙ୍କୁ କିଏ ଦେଖା କରିବାକୁ ଆସନ୍ତି କିମ୍ବା ତାଙ୍କ ଘର ଠିକଣା ?ମ୍ୟାଡାମ ନାହିଁ ବୋଲି କହିଲେ।

ମୁଁ ମନ ଖରାପରେ ଉଠିକି କ୍ୟାବିନରୁ ବାହାରକୁ ଆସୁଥିଲି ମ୍ୟାଡାମ ପଛରୁ ଡାକି କହିଲେ ଶୁଣ ସେ "ଚୋରଣି" ଶବ୍ଦଟିକୁ ଶୁଣିଲେ ବହୁତ ଅସ୍ଥିର ହୋଇଯାନ୍ତି ଟିକିଏ ସାବଧାନ ଥିବ।ମୁଁ ହଉ କହିକି ବାହାରକୁ ଆସିଲି,ମତେ ଲାଗିଲା କାହାଣି ଘରର ଯୋଉ ତାଲାଟି ପଡ଼ିଛି ତାର ଚାବି ମୁଁ ପାଇଗଲି।

           ସେହିଦିନଠାରୁ ଡ୍ୟୁଟି ସରିବା ପରେ ମଧ୍ୟ ମୁଁ ହସ୍ପିଟାଲ ରେ ରୁହେ।କନିକାଙ୍କ ସହ ମିଶିବାକୁ ଚେଷ୍ଟା କରେ।ଉସ୍ମତା ପାଇ ବରଫ ତରଳିବା ପରି ସେ ମଧ୍ୟ ଆସ୍ତେ ଆସ୍ତେ ମୋ ସହ କଥା ହେବା ଆରମ୍ଭ କରୁଥିଲେ।ତାଙ୍କର କଥା ଭିତରୁ ତାଙ୍କର ଅତୀତକୁ ମୁଁ ଠଉରାଇ ପାରୁନଥିଲି।ବହୁତ ଚେଷ୍ଟା କଲି ବାଂରେଇକି ପଚାରିଲି କିନ୍ତୁ ସେ ସେପରି କିଛି କହୁନଥିଲେ।ସେଦିନ ସୋମବାର ଥାଏ ସମସ୍ତଙ୍କର ବ୍ଲଡ଼ପ୍ରେସର ଚେକ ହେଉଥାଏ।ସମସ୍ତଙ୍କର ଚେକ ସରିଲା ବେଳକୁ ପ୍ରାୟ ଚାରିଟା ହେଇଗଲା।ରୁମକୁ ନଯାଇ ତାଙ୍କ ପାଖରେ ବସି କଥାବାର୍ତ୍ତା ହେଲି,ଏଇ ଭିତରେ ସେ ମୋ ସହ ଅଧିକ ମିଶିଯାଇଥାନ୍ତି।ମତେ ତାଙ୍କ ଝିଅ ବୋଲି କହୁଥାନ୍ତି।ମୋର ନୁଖୁରା ଚୁଟି ଦେଖି ସେ କହିଲେ ଆସେ ଆଜି ତୋ ଚୁଟିରେ ତେଲ ଲଗେଇ ଦେବି।

         ଏମିତି ଅଜବ କଥା ଶୁଣି ମୁଁ କହିଲି ନାଇଁ ଥାଉ ମୁଁ ରୁମକୁ ଗଲେ ଲଗେଇ ଦେବିନି!ତୁମେ କାଇଁ ଏତେ ପରିଶ୍ରମ କରିବ।ସେ କିନ୍ତୁ ଜିଦି କରିବା ଆରମ୍ଭ କଲେ ।ମୁଁ ଜାଣିଛି ମାନସିକ ରୋଗୀ ମାନଙ୍କୁ ଜିଦି କରେଇବା କିମ୍ବା ରଗେଇବା ଠିକ୍ ନୁହେଁ।ତେଲ ଡବାଟା ଆଣିକି ତାଙ୍କୁ ଧରେଇ ଦେଲି ଓ ଚୁଟିରୁ କ୍ଲିପକୁ କାଢି ତଳେ ବସିଗଲି।ସେ ଏତେ ସୁନ୍ଦର ମାଲିସ କରି ମୋ ଚୁଟିରେ ତେଲ ଲଗାଉଥିଲେ ଯେ ମତେ ନିଦ ଆସିଯାଉଥାଏ।ମୋର ଯଦି ମାଆ ଥାନ୍ତା ସେ ବି ଏମିତି ମୋ ମୁଣ୍ଡରେ ତେଲ ଲଗାଇ ଦେଇଥାନ୍ତା।ଆଉ ବର୍ତ୍ତମାନ ସେ ଯେମିତି ତେଲ ଲଗାଉଛନ୍ତି, କେହି ବି କହିବେ ନାହିଁ ସେ ଜଣେ ମାନସିକ ରୋଗୀ ବୋଲି।

        ମୋ ମନ ଭିତରୁ କିଏ ଜଣେ କହିଲା ତାଙ୍କର ଏଇ ଅବସ୍ଥା ର କାରଣ ତ ଜାଣେ! ତାପରେ ତାଙ୍କର ଆହୁରି ଭଲରେ ଚିକିତ୍ସା କରିପାରିବୁ।ସେବା କରି ନିଶ୍ଚିତ ତୁ କିଛି କରିପାରିବୁ।ଚୁଟିରେ ତେଲ ଲଗାଇ ସାରି ଗୋଟେ ସୁନ୍ଦର ଗଣ୍ଠି କରିଦେଲେ ତାପରେ ହାତ ଧୋଇବାକୁ ଗଲେ ।ସେ ଆସିବା ପରେ ମୁଁ କହିଲି ବାରଣ୍ଡାରେ ବୁଲିକି ଆସିବା।ଆଜି ଲାଲ ସୂର୍ଯ୍ୟଙ୍କୁ ଦେଖି ପୁଣି ସେଇ ସ୍ଥିର ଗମ୍ଭୀର ଆଖି ଦୁଇଟି ଅସ୍ଥିର ହୋଇଗଲା।ମୋ ମନଟା ବି ଅସ୍ଥିର ହୋଇଗଲା ସେଇ ଆଖିର ଅସ୍ଥିରତା ପଛର କାରଣ ଜାଣିବା ପାଇଁ ।କେଉଁ ଅଦୃଶ୍ୟ ପଥର ସେଇ ସ୍ଥିର, ଶାନ୍ତ ନଈ ଟିରେ ଏତେ ଅସ୍ଥିରତା ସୃଷ୍ଟି କରୁଛି?କ'ଣ ହୋଇପାରେ ସେ କାରଣ ଯାହାକି ଏଭଳି ଏକ ମମତାମୟୀ ପ୍ରତିମୂର୍ତ୍ତି କୁ ପଗେଳି ର ଆଭୂଷଣ ପିନ୍ଧାଇ ଦେଇଛି।ଏହିପରି ଗୁଡାଏ ପ୍ରଶ୍ନ ର ଝଡ଼କୁ ମନ ଭିତରେ ଚାପିରଖି ଆମେ ୱାର୍ଡକୁ ଫେରିଲୁ।

         ବେଡ଼ ପାଖକୁ ଆସି ମୁଁ କନିକାଙ୍କୁ କହିଲି ଆଛା ମୁଁ ଯାଉଛି ରୁମକୁ, ରୋଷେଇ କଲେ ଖାଇବି।ମୋ କ୍ଲିପଟା କୂଆଡେ ଗଲା ଦିଅ,ସେ ଟେବୁଲ ଉପର ,ଖଟ ତଳ ଖୋଜିଲେ କିନ୍ତୁ ପାଇଲେନି।ମୁହଁଟି ତାଙ୍କର ଏମିତି ହେଇଗଲା ଯେମିତିକି ଚକଲେଟ ପାଇଁ ମା ଦେଇଥିବା ପଇସା କୁ ହଜେଇ ଦେଇଥିବା ଝିଅଟି ପରି।ମାନେ ଆଖିରୁ ଲୁହ ବାହାରୁନୀ କିନ୍ତୁ ମୁହଁଟି ପୁରା କାନ୍ଦୁରା।ଯେମିତି ଉଛୁଳା ନଈ ଟା ଏଇନେ ବନ୍ଧ ଭାଙ୍ଗି ବୋହି ଆସିବ।ମୁଁ ତକିଆଟି ଉଠେଇ ଦେଇ ତା ତଳୁ କ୍ଲିପକୁ କାଢି ହସିକି କହିଲି ଚୋରଣୀ ଏଇଠି କ୍ଲିପକୁ ଲୁଚେଇ ମୋ ସହ ନାଟକ କରୁଛନା ।

          ମୋ ପାଟିରୁ କଥା ସରିନି ଟେବୁଲ ଉପରୁ ଗୋଟେ ପାଣି ବୋତଲ ଧଡାସ ହେଇ ତଳେ ପଡ଼ିଲା।ମୁଁ ଚମକି ପଡ଼ି ପଛକୁ ବୁଲି ଦେଖିଲି ସେ ଟେବୁଲ ଉପରୁ ସବୁ ଜିନିଷ କୁ ତଳେ ଫୋପାଡ଼ି ଚାଲିଛନ୍ତି।ଶେଷରେ ଟେବୁଲକୁ ମଧ୍ୟ ଓଲଟେଇ ଦେଲେ।ନିଜେ ତଳେ ବସିପଡି ନିଜର ମୁଣ୍ଡ ଚୁଟି ଗୁଡାକୁ ଜୋରରେ ଭିଡ଼ିବାକୁ ଲାଗିଲେ ଏବଂ ତଳେ ମୁଣ୍ଡକୁ ପିଟି ପିଟି ମୁଁ ଚୋରଣି ନୁହେଁ, ଚୋରଣି ନୁହେଁ ବୋଲି ବଡ ପାଟିରେ ଚିତ୍କାର କଲେ ।ଯେତେ ସମ୍ଭାଳିବାକୁ ଚେଷ୍ଟା କଲେ ମଧ୍ୟ ସେ ମତେ ଦୂରକୁ ଠେଲି ଦେଉଥାନ୍ତି।ତଳେ ମୁଣ୍ଡ ପିଟି ପିଟି ରକ୍ତ ବହରୁଥାଏ,ନିଜ ଶରୀରକୁ ଆମ୍ପୁଡି କାମୁଡି ଖତାକ୍ତ କରୁଥାନ୍ତି।ଶେଷରେ ଅବସ୍ଥା ଏପରି ହେଲା ଯେ ଆମକୁ ନିଶା ଇଂଜେକସନ ଦବାକୁ ପଡିଲା।ହେଡ ନର୍ସଙ୍କ ଠାରୁ ବହୁତ ଗାଳି ଶୁଣିଲି।ତଥାପି ମ୍ୟାଡାମକୁ ଅନୁରୋଧ କରି କନିକା ଙ୍କ ଦାୟିତ୍ବ ମୁଁ ନେଲି।

         ଭୋରରୁ ଉଠି ମେଡିକାଲ ଯାଏ ଏବଂ ରାତିରେ ସେ ଶୋଇଲା ପରେ ମୁଁ ହସ୍ପିଟାଲରୁ ଫେରେ।

ମୋ ଜୀବନର ଲକ୍ଷ୍ୟ ହୋଇଯାଇଥିଲା ତାଙ୍କର ଅତୀତ ଜାଣିବା ପାଇଁ।କହିପାରିବିନି ଏଇଟା କେଉଁ ଦୈବି ଆକର୍ଷଣ ଥିଲା କିମ୍ବା ମୋ ପାଗଳାମି।ମୋ ମନରେ କେବଳ ଗୋଟିଏ କଥା ଥାଏ ତାଙ୍କର ଅତିତ ଜାଣିବା ପାଇଁ।ହସ୍ପିଟାଲର କର୍ତ୍ତୃପକ୍ଷ ଙ୍କୁ ଅନୁରୋଧ କରି ତାଙ୍କର ସମସ୍ତ ଦାୟିତ୍ୱ ମୁଁ ନେଲି।ଗୋଟେ ପ୍ରାଇଭେଟ କ୍ୟାବିନ କୁ ସ୍ଥାନାନ୍ତର କଲି।ଡିଉଟି ସମୟକୁ ଛାଡିଦେଲେ ବାକି ସବୁ ସମୟ ସେଇ କ୍ୟାବିନରେ କଟେ ।ମୁଁ ତାଙ୍କୁ କାହାଣୀ ଶୁଣାଏ,ମୋ ଜୀବନ ବିଷୟରେ କୁହେ।ଦିନ ଯାକରେ କଣ କଲି ସେଇଟା ବି କୁହେ।ସେ ଖୁବ କମ୍ ଶବ୍ଦ ରେ ଉତ୍ତର ଦିଅନ୍ତି।

       ଏମିତି ଦିନେ ତାଙ୍କ ପାଇଁ ମଲ୍ଲିଫୁଲ ନେଇ ଯାଇଥିଲି,ଫୁଲ ଦେଖି ସେ କହିଲେ ମୋ ଝିଅ ବି ଏମିତି ଫୁଲ ଆଣେ।କୁଆଡେ ଗଲା କେଜାଣି, ସେ ଆଣିବାକୁ ଯାଇଥିବ।ଏତିକି କହି ଫୁଲଟିକୁ ମୋ ମୁଣ୍ଡରେ ଖୋସିଦେଲେ।ମୁଁ କହିଲି କଣ ମୁଁ ତମ ଝିଅ ନୁହେଁ?ଏ କଥା ଶୁଣି ସେ ପିଲାଙ୍କ ପରି କାନ୍ଦିବାକୁ ଲାଗିଲେ।କହିଲେ ନାଁ ସେ ଯାଇଛି ,ଆଉ ଆସିବନି ତା ବାମ ହାତରେ ଏତେ ବଡ ଛଉ ଟେ ଥିଲା,କଳା ଛଉ,ସାକ୍ଷାତ ଲକ୍ଷ୍ମୀ ଥିଲା ମୋ ଝିଅ।ଭଗବାନ ଙ୍କ ସଂଯୋଗ ଦେଖନ୍ତୁ ମୋର ବି ବାମହାତରେ ଛଉ ଟେ ଅଛି।କଥାକୁ ଆଗକୁ ବଢିବାକୁ ନଦେଇ ମୁଁ ତାଙ୍କୁ ଖାଇବା ପାଇଁ କହିଲି।କାରଣ ସେଦିନର ଘଟଣା ମୋର ମନେ ଅଛି।

        ତାଙ୍କର ଅତିତ ଜାଣିବାର ଭୋକ ମରିନଥାଏ ମୋର।ପ୍ରାଣ ପ୍ରଣେ କଥା ବାହାର କରିବାକୁ ଚେଷ୍ଟା କରୁଥାଏ।ଡାକ୍ତର ଙ୍କ ଠାରୁ ପରାମର୍ଶ ନେଇ ମେଡ଼ିସିନ ସହଯୋଗ ,ପ୍ରାଣାୟମ ମଧ୍ୟ କରାଉ ଥାଏ।ଅନ୍ୟ ନର୍ସ ମାନେ ମତେ କୁହନ୍ତି ପାଗଳ ମାନଙ୍କ ସହ ରହି ତୁ ନିଜେ ବି ପାଗଳ ହେଇଗଲୁଣୁ।ଜୀବନକୁ ଉପଭୋଗ କରୁନୁ କାଇଁ ଗୋଟେ ପାଗଳ ପେସେଣ୍ଟ ପାଇଁ ଏତେ କରୁଛୁ, କଣ ପାଇବୁ କହିଲୁ।ମୁଁ ହସିଦିଏ,କାରଣ ମୁଁ ବି ଜାଣିନି କେଉଁ ଆକର୍ଷଣ ରେ ମୁଁ ଏମିତି କରୁଛି ଏଥିରୁ କଣ ପାଇବି।କନିକା ଆସ୍ତେ ଆସ୍ତେ ମୋ ସହ କଥା ହେବା ଆରମ୍ଭ କରୁଥାନ୍ତି।ଜୀବନର ପୃଷ୍ଠା ଖୋଲିବା ପାଇଁ ସମୟ ଲାଗିଲା କିନ୍ତୁ ପ୍ରଥମ ଫର୍ଦ୍ ପରେ ବାକିତକ ଫର୍ଦ୍ ଆଗେ ଆଗେ ଲେଉଟି ଗଲା ମତେ ପରିଶ୍ରମ କରିବାକୁ ପଡିଲା ନାହିଁ।କିନ୍ତୁ ସେଇ ଫର୍ଦ୍ ଭିତରେ ଏତେ ସବୁ ଲାଂଛନା, ଅପବାଦ ବୋଳି ହୋଇ ରହିଥିବ ସେ କଥା ମୁଁ କଳ୍ପନା କରିନଥିଲି।

        କନିକା ଜଣେ ଭଲ ଘରର ବଡ ବୋହୁ ଥିଲେ।ପରିବାରର ଦୁଃଖ ଦିନଠାରୁ ସମାଜରେ ପ୍ରତିଷ୍ଠିତ ହେବା ଯାଏଁ ସବୁକିଛି ସେ ମର୍ମେ ମର୍ମେ ଅନୁଭଵ କରିଛନ୍ତି।ଘରର ମାଟିର ଚଟାଣ କୁ ମାର୍ବଲ ଚଟାଣ ରେ ପରିଣତ ହେବା ମଧ୍ୟ ଦେଖିଛନ୍ତି।ଚୁଲି ଠାରୁ ଓଭାନ ଯାଏଁ ଚାଲିକି ଯାଇଛନ୍ତି।ପଖାଳ କଂସା ର ଲୁହ ଠୁ ନେଇ ଫାଇବଷ୍ଟାର ହୋଟେଲରେ ପୁଡ଼ିଂ ର ର ହସ ଦେଖିଛନ୍ତି।ଖର୍ଚ୍ଚ କାଟିଝିଅ ପାଇଁ ମିନାବଜାର ବହି କିଣିବା ଠାରୁ ଆରମ୍ଭ କରି ଘର ଲାଇବ୍ରେରୀ ପାଇଁ ଡଜନ ଡଜନ ବହି ମଧ୍ୟ କିଣିଛନ୍ତି।

        ବାହାହୋଇ ଯେତେବେଳେ ଶାଶୂଘରକୁ ଆସିଲେ ସେତେବେଳେ ଦାୟିତ୍ୱର ମୁକୁଟକୁ ସାଥିରେ ନେଇ ଆସିଲେ।ଶାଶୂଘରେ ତିନୋଟି ଛୋଟ ଛୋଟ ଦିଅର,ଜଣେ କଲେଜରେ ପଢ଼ନ୍ତି ଆଉ ଦୁଇଜଣ ସ୍କୁଲରେ, ଶଶୁର ରୋଗୀଣା ଶାଶୁ ଲାଗିଥାନ୍ତି ତାଙ୍କ ସେବା ଯତନ ରେ।ସ୍ୱାମୀ ଙ୍କର କେବଳ ଗୋଟିଏ ଚିନ୍ତା କେମିତି ବେପାର ବଡ ହେବ ଆଉ ଘରର ଆର୍ଥିକ ପରିସ୍ଥିତି ସୁଧୁରିଵ।ଶାଶୁ ପୁରୁଣା ଲୋକ ,ଶଶୁରଙ୍କ ଔଷଧ କଥା କନିକା ବୁଝନ୍ତି।ସେଇ ଭିତରେ ଝିଅର ଜନ୍ମ।ନିଜ ସ୍ୱାମୀ ଓ ଝିଅକୁ କେବେ ଧ୍ୟାନ ଦିଅନ୍ତି ନାହିଁ।ସମୟ ଗଡି ଚାଲିଲା ସ୍ୱାମୀଙ୍କର ପରିଶ୍ରମ ମଧ୍ଯ ରଙ୍ଗ ଦେଖେଇଲା ।ବର୍ତ୍ତମାନ ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ।ଦିଅର ମାନେ ମଧ୍ୟ ବାହା ହୋଇସାରିଲେଣି।

        କନିକା ବାହା ହୋଇ ଆସିବା ଦିନୁ ଘରର ସମସ୍ତ ପଇସା ପତ୍ର ବଡ ପୁଅ ବୋହୂ ଙ୍କ ପାଖରେ ରୁହେ।ଘରେ ଖର୍ଚ୍ଚ କରିବା ପାଇଁ କାହାକୁ ଆକଟ ନଥାଏ।କିନ୍ତୁ ବ୍ୟବସାୟର ସମସ୍ତ ପଇସା ବଡବୋହୁ ଆଲମାରୀ ରେ ରୁହେ କେତେଥର ସ୍ୱାମୀ ଙ୍କୁ କହିଛନ୍ତି ଗୋଟେ ଅଲଗା ଆଲମାରୀ ଆଣି ପଇସା ପତ୍ର ରଖ,ଏମିତି ଲୁଗା ପଟା ପାଖରେ ପଇସା ରଖୁଛ ଯେ।ସ୍ୱାମୀ ଶୁଣନ୍ତି ନାହିଁ,ଗୋଟେ ବିଶ୍ୱାସ ରେ ରୁହେ ଘର ଖର୍ଚ୍ଚ ପାଇଁ ଖୁଚୁରା ପଇସା ମଧ୍ୟ ତାଙ୍କ ପାଖରେ ରୁହେ।

ଶାଶୁ ଙ୍କର ମଧ୍ୟ ବିଶ୍ୱାସ ବଡବୋହୁ ପାଖେ ଅଛି ମାନେ ଘରର ଲକ୍ଷ୍ମୀ ସୁରକ୍ଷିତ।,କିନ୍ତୁ କଥାରେ ନାହିଁ ଅଣ୍ଟି ଛୁରୀ ଯଦି ତଣ୍ଟି କାଟିବ ତାହାହେଲେ କଣ କରାଯିବ?

        ଗୋଟେ ଦିନ ସନ୍ଧ୍ୟା ରେ ବଡ ଦିଅର ପଇସା ଆଣି ଆଲମାରୀ ରେ ରଖିଲେ।ସକାଳୁ କହିଲେ ପଇସା ନାହିଁ, ବଡ ଭାଉଜ ପଇସା ଚୋରି କରିଛନ୍ତି।କେମିତି ଲାଗିଥିବ କହିଲେ ଯେଉଁ ଘରେ ସେ ଏତେ ବର୍ଷ ରହିସାରିଲେଣି,ନିଜ ଛୁଆ ପିଲାଙ୍କୁ ଧ୍ୟାନ ନଦେଇ ଯେଉଁ ପରିବାର ପାଇଁ ଏତେ ସବୁ କଲେ।ଦିନ ଥିଲା ଯେଉଁ ଘରେ ତାଙ୍କ ଶଶୁର ତାଙ୍କ ହାତରେ ପଇସା ବ୍ୟାଗ ଦେଇ ଦଉଥିଲେ ,ସେଇଠି ସେ ଚୋରଣି ହୋଇଗଲେ।ଯୋଉ ହାତରେ ସେ ଦିଅର ମାନଙ୍କୁ ପୁଅ ପରି ମଣିଷ କଲେ ସେଇମାନେ ଏତେ ବଡ ଦୋଷ ତାଙ୍କ ଉପରେ ଲଗାଇ ପାରୁଛନ୍ତି ?ଯୋଉ ଦିଅରକୁ ନିଜ ହାତର ସୁନା ମୁଦି ଖୋଲିକି ଦେଇ ଦେଇଥିଲେ ପ୍ରେମିକା କୁ ଦେବା ପାଇଁ।ଯେଉଁ ଦିଅରକୁ ତାଙ୍କ ସ୍ୱାମୀ ମଣିଷ କରି ଗଢିତୋଳିଛନ୍ତି ସେ ପୁଣି ଏମିତି କଥା କହୁଛନ୍ତି।

        ଘଟଣା ଟି ଏତେ ଶୁକଳ୍ପିତ ଥିଲା ଯେ ସେତେବେଳେ ସ୍ୱାମୀ ଘରେ ନଥିଲେ ଏବଂ ଝିଅ ଥିଲା ହଷ୍ଟେଲ ରେ।ଶାଶୁଙ୍କ ପାଖକୁ ଗଲା ବେଳକୁ ଶାଶୁ ମଧ୍ୟ ନିଦାବିଷ୍ଣୁ।ଗୋଟିଏ ରାତି ଭିତରେ ଏତେ ପରିବର୍ତ୍ତନ କେମିତି ହେଲା,ଚୋରଣି ବୋଲି କହିଦେଇ ମନ ପୁରିଲାନୀ ଯେ ପୁରା ଯୋଜନା ବଦ୍ଧ ଭାବରେ ତାଙ୍କ ଶୋଇବା ଘର ଖାନ ତଲାସୀ ହେଲା।ବାହାରେ ଅପରାଧି ପରି ଠିଆ କରେଇ ତିନିଜଣ ଯାକ ଦିଅର ସେ ଘରର ସବୁ ଜିନିଷକୁ ଝାଡ଼ିଝୁଡ଼ି ଦେଖିଲେ।ସେତିକିରେ ମନପୁରିଲା ନାହିଁ ଯେ ପୁରୁଣା ଟ୍ରଙ୍କ ବାକ୍ସ ଖୋଲି ମଧ୍ୟ ଦେଖିଲେ।କେହି ଏତିକି ମଧ୍ୟ ଭାବି ପାରିଲେ ନାହିଁ ଯେ ରାତି ଭିତରେ ପଇସା କୁଆଡେ ଯିବ ।ଯଦି ବି ଭାଉଜ ଚୋରି କରିଥିବେ ତେବେ ସେଇ ପଇସା କାହିଁକି ନେବେ ସକାଳେ ଗଣା ହେବ ବୋଲି ସେ ଜାଣିଛନ୍ତି।ଆଲମାରୀ ରେ ଆହୁରି ମଧ୍ୟ ପାଞ୍ଚ ଲକ୍ଷ୍ୟ ଟଙ୍କା ଅଛି।ସେସବୁ ନନେଇ ମାତ୍ର ପଇଁତିରିଶି ହଜାର ଟଙ୍କା କାହିଁକି ନେବେ।ଯଦିବା ନେଲେ କଣ ପାଇଁ ଭାଇ ଆସିବା ଯାଏଁ ଅପେକ୍ଷା କରାଗଲା ନାହିଁ।କଣ ପାଇଁ ତାଙ୍କୁ ଏହିପରି ଅପମାନିତ କରି, ଅସହାୟ କରି,ଅପରାଧି ପରି ବାହାରେ ଛିଡ଼ା କରେଇ ରୁମର ସବୁ ଜିନିଷ କୁ କାଢି ଦେଖାଗଲା।

         ତାଙ୍କର ତ୍ୟାଗର ଫଳ କଣ ଏଇଆ।ଘରେ ସାନ ଯା ମାନଙ୍କ ସାମନାରେ କଣ ପାଇଁ ତାଙ୍କୁ ଏପରି ଅପମାନିତ କରାଗଲା।ସେମାନେ ଆଉ ବଡ ଯାଆ ବୋଲି ସମ୍ମାନ ଦେବେ ତ ।ଗୋଟିଏ ରାତି ଭିତରେ କଣ ସେ କାହାକୁ ପଇସା ଦେଇଦେଲେ ଏବଂ ଏତେ ବଡ ଘରେ କେହି ଜାଣିପାରିଲେ ନାହିଁ।ତା ଛଡା ଯୋଉ ପଇସାକୁ ତାଙ୍କର ସ୍ୱାମୀ ଏତେ ପରିଶ୍ରମ କରି ରୋଜଗାର କରୁଛନ୍ତି ଦିନେ ହେଲେ ନିଜ ସ୍ତ୍ରୀ ଏବଂ ଛୁଆ ମାନଙ୍କ ଖୁସିକୁ ଦେଖିନାହାନ୍ତି।ସବୁବେଳେ ନିଜ ପରିବାରର ଖୁସିକୁ ଦେଖୁଥାନ୍ତି।ସେଇ ପଇସାକୁ ସେ କେମିତି ଚୋରି କରିବେ।ସେଇଦିନ ସନ୍ଧ୍ୟାରେ ହିଁ ସ୍ୱାମୀଙ୍କର ଫେରିବାର ଥିଲା।ଦିଅର ମାନେ ସନ୍ଧ୍ୟା ଯାଏଁ ବି ଅପେକ୍ଷା କରିପାରିଲେନି।ସ୍ୱାମୀଙ୍କର କାନରେ ଏପରି ମନ୍ତ୍ର ଫୁଙ୍କା ହେଲା ଯେ ସେ ବି ସନ୍ଦେହ କଲେ।ଦୀର୍ଘ ପଚିଶ ବର୍ଷ ର ସମ୍ପର୍କ,ସେବା ଓ ତ୍ୟାଗର ପ୍ରତିଦାନରେ ମିଳିଲା ସନ୍ଦେହର ଉପହାର ,ଚୋରଣି ର ଆଖ୍ୟା।ଦୁଇ ଦିନ ପରେ ପଇସା ମିଳିଲା ଉପର ଘର ଆଲମାରୀ ରୁ କିନ୍ତୁ ତା ସହ ଏହି କଥାଟି ମଧ୍ୟ ଯୋଡି ଦିଆଗଲା ଯେ ଭାଉଜ ଉପର ଘରେ ଲୁଚାଇ ରଖିଥିଲେ ।ଖୋଜା ଖୋଜି ବେଳେ ତାଜା ଉପର ଟ୍ରଙ୍କରୁ ଯେଉଁ କମ୍ବଳ ବାହାରିଥିଲା ତାକୁ ସୁଖେଇବା ପାଇଁ ଭାଉଜ ଛାତକୁ ଯାଇଥିଲେ,ସେଇଥିରେ ଲୁଚାଇ ନେଇଥିବେ।

         ସେହିଦିନ ଠାରୁ ପଇସା ପତ୍ର ଅଲଗା ଆଲମାରୀ ରେ ରହିଲା।ତା ସହିତ ବଡ଼ବୋହୁକୁ ମଧ୍ୟ ଅଲଗା କରିଦିଆଗଲା।ଶରୀର ଟି ସେଇ ଘରେ ଥିଲା କିନ୍ତୁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଫାଟ ବଢ଼ିଗଲା।ସେଇ ଫାଟ ଭିତରେ ସନ୍ଦେହ ଗୋଟେ କଂକ୍ରିଟ ଘର କରି ରହିଗଲା।ଯୋଉ ମଣିଷ ପୁରା ଘରର ଖର୍ଚ୍ଚ ବୁଝୁଥିଲା ଏବେ ସେ ଦଶ ଟଙ୍କା ଖର୍ଚ୍ଚ କଲେ ମଧ୍ୟ ସମସ୍ତ ଙ୍କର ନଜର ତା ଉପରେ ରହିଲା।ସାନ ଯାଆ ମାନେ ମଧ୍ୟ ତାର ମୁହଁରେ ଜବାବ ଦେବାକୁ ଆରମ୍ଭ କଲେ।ସ୍ୱାମୀ ନିଜର ପର୍ସ ଅଲଗା ଜାଗାରେ ଲୁଚାଇ ରଖିଲେ।ସ୍ୱାମୀଙ୍କର ଅଧିକାଂଶ ସମୟ ବାହାରେ କଟିବାକୁ ଲାଗିଲା,ଏମିତିକି ରାତିରେ ମଧ୍ୟ ଘରେ ଶୁଅନ୍ତିନି ଅଫିସ ରେ ସୋଇପଡନ୍ତି।ବାପଘରେ ବାପା ବୋଉ ତ ନାହାନ୍ତି କୋଉ କାଳୁ ମରିସାରିଲେଣି ,କାହାକୁ କହିବ ଦୁଃଖ।କେମିତି ପ୍ରମାଣ କରିବ ସେ ନିର୍ଦୋଷ ବୋଲି।

        ବିଧିର ବିଧାନ ଦେଖନ୍ତୁ ମାସେ ପରେ କନିକାର ସାନଭାଇ ଜୁଆ ଖେଳରେ ଜେଲ ଗଲା,ତେଣୁ ସମସ୍ତଙ୍କୁ କହିବାକୁ ସୁଯୋଗ ମିଳିଲା ଯେ ସେ ହିଁ ଚୋରଣି।ଝିଅ ହଷ୍ଟେଲରୁ ଘରକୁ ଆସି ଏତକ କଥା ଶୁଣିଲା ପରେ ଆଉ ସହିପାରିଲା ନାହିଁ।ହଷ୍ଟେଲ ଯାଇ ଆତ୍ମହତ୍ୟା କରିଦେଲା।ଆଉ ଦୁନିଆରେ କିଏ ଅଛି ଯେ କାହା ପାଇଁ ସେ ବଞ୍ଚିବ,କାହା ପାଇଁ ସେ ରହିବ।ଘରେ ସମସ୍ତଙ୍କର ସଂଦେହୀ ନଜର ତୀର ପରି ତା ଦେହରେ ଗଳି ଯାଉଥାଏ।ଏପରି ଅବସ୍ଥାରେ ଜଣେ ନିଜ ମାନସିକ ଭାରସାମ୍ୟ କିପରି ରକ୍ଷା କରିବ।ମନ୍ଦିରରେ ପୂଜା ପାଉଥିବା ପଥର ମୂର୍ତ୍ତି କୁ ଆଣି ପରିତ୍ୟକ୍ତ ଭାବେ ଫିଙ୍ଗିଦେଲେ ପଥର ହୃଦୟ ବି କାନ୍ଦି ଉଠିବ।ଏ ସବୁ ଜାଣିବା ପରେ ମୁଁ ଆଉ ଦ୍ୱିତୀୟ ଥର ତାଙ୍କର ଅତୀତ ବିଷୟରେ ପ୍ରଶ୍ନ କରିନାହିଁ।

        ସେବୀକା ନୁହେଁ ଗୋଟେ ଝିଅ ଯେପରି

ତା ମା ର ସେବା କରେ, ମାଆ ପ୍ରତି ସନ୍ତାନ ମନରେ ଯେଉଁ ପ୍ରେମ ଥାଏ ସେହି ଭାବ ନେଇ ମୁଁ ତାଙ୍କର ସେବା କରିଛି । ମନରେ ଗୋଟେ ଜିଦ ,ଗୋଟିଏ ପାର୍ଥନା ସେ କେମିତି ଭଲ ହୋଇଯାଆନ୍ତୁ।ଏହି ଚାରି କାନ୍ଥ ଭିତରୁ ବାହାରକୁ ଆସନ୍ତୁ ।ଈଶ୍ୱର ମଧ୍ୟ ମୋର ଡାକ ଶୁଣିଲେ ,ରାମ ଚରିତ ମାନସରେ ଅଛିନା "କାୟ ମନୋ ବାକ୍ୟ "ରେ ତୁମେ ଯେଉଁ ଜିନିଷକୁ ଚାହଁ,ଚେଷ୍ଟା କର ଭଗବାନ ତୁମକୁ ସେହି ଜିନିଷକୁ ଦେଇଦିଅନ୍ତି ଭୁଲ କହିଲି ସେଇ ଜିନିଷ ଅକର୍ଷିତ ହେଇଯାଏ ତୁମ ଆଡକୁ।

       ଡାକ୍ତର କହିଲେ କନିକା ଏବେ ସୁସ୍ଥ ହେବାରେ ଲାଗିଛନ୍ତି।ପ୍ରାୟ ଆଠମାସ ହେବ ତାଙ୍କର ପାଗଳାମି ମଧ୍ୟ କେବେ ବାହାରିନି।ସେ ଏବେ ସମସ୍ତଙ୍କ ସହ କଥା ହେବାକୁ ମଧ୍ଯ ଆରମ୍ଭ କଲେଣି ।୨୦୧୪ ମସିହା ଅକ୍ଟୋବର ମାସ ୨୪ ତାରିଖ ହଁ ସେଦିନର ତାରିଖ ମଧ୍ୟ ମୋର ମନେ ଅଛି ।କେମିତି ରହିବନି କହିଲେ ମୋ ଜୀବନର ଦୁଇଟି ଖୁସି ମୁଁ ଏକାଦିନରେ ପାଇଗଲି।ସେଦିନ ଡାକ୍ତର କନିକା ଙ୍କୁ ପୁରା ସୁସ୍ଥ ମାନସିକତା ର ଅଧିକାରୀ ବୋଲି ରିପୋର୍ଟ ଦେଲେ ।ଆଉ କନିକା ଙ୍କର କେହି ଦାବିଦାର ନଥିଲେ ସେଥିପାଇଁ ତାଙ୍କୁ ନିଜ ପାଖରେ ରଖିବାର ଅନୁମତି ମଧ୍ୟ ମୁଁ ପାଇଗଲି।ସମସ୍ତ ଆଇନଗତ କାଗଜପତ୍ର କାମସାରି ଅଫିସରୁ ବାହାରକୁ ବାହାରୁଛି,ହେଡ଼ ନର୍ସ ଆସି ମତେ ବଧେଇ ଜଣେଇଲେ କହିଲେ।ଆଜି ସନ୍ଧ୍ୟାରେ ହେବାକୁ ଥିବା ଫଁକ୍ସନରେ ତୁମକୁ ବେଷ୍ଟ କେୟାର ଟେକର ଅଫ ଦି ଇଅର ସମ୍ମାନ ଦିଆଯିବ ।

         ମୁଁ ଖୁସି ହୋଇଗଲି ମୋର ଦୁଇଟା ବଡ ଖୁସି ଯୋଡି ଦେଲେ।ଆଜି ମତେ ମାଆଟିଏ ମିଳିଗଲା ଯାହାର ପଣତକାନି ତଳେ ମୁଁ ଶାନ୍ତି ପାଇପାରିବି। ଯାହାର ସ୍ନେହବୋଳା ଉଷୁମ ସ୍ପର୍ଶ ପାଇଲା ମାତ୍ରେ ଝଡ ସହିତ ଲଢ଼ିବାର ଶକ୍ତି ମୋ ଭିତରେ ଆସିଯିବ।ଏବେ ସେ ମୋ ଘରେ ରହୁଛନ୍ତି ମୋର ମାଆ ହେଇ।ଆମେ ଅତୀତ ବିଷୟରେ କେବେବି କଥା ହେଉନା ,କାରଣ ଆମ ଦୁଇ ଜଣଙ୍କର ଅତିତ ସେଇ ବିସ୍ତୀର୍ଣ୍ଣ ମରୁଭୂମି ପରି ଖାଲି ବାଲି ଆଉ ବାଲି।ଆମେ ଦୁଇ ଜଣ ମିଶି ଭବିଷ୍ୟତ ବଗିଚାରେ ସ୍ୱପ୍ନର ଗଛ ଲଗାଉଛୁ।ସେଥିରେ ଶ୍ରଦ୍ଧାର ପାଣି ଏବଂ ପ୍ରେମ,ଚେଷ୍ଟା ର ଜୈବିକ ସାର ଦେଉଛୁ।

        ମୁଁ ଜାଣିନଥିଲି ଗୋଟେ ମାଆ ସହିତ ଆଉ ଗୋଟେ କଳାକାର ବି ମତେ ମିଳିଯିବ।ସବୁଦିନ ଡ୍ୟୁଟି ସାରି ଫେରିଲା ବେଳକୁ କିଛି ଗୋଟେ ନୁଆ ଖାଇବା ତିଆରି ହୋଇଥାଏ।ନଚେତ କିଛି ଗୋଟେ ନୂଆ କ୍ରାଫ୍ଟ,ଗୋଟେ ସିଲେଇ ମେସିନ ବି କିଣିକି ଆଣିଛି ।ଏବେ ମୋ ବାହାଘର ପାଇଁ ମୋ ପଛରେ ଲାଗିଛନ୍ତି।କେମିତି ବାହା ହେବି କହିଲେ,ସେମିତି ଜଣେ ମଣିଷ ମିଳିଲେ ସିନା ଯିଏ ମୋ ସହ ମୋର ମାଆ କୁ ମଧ୍ୟ ଗ୍ରହଣ କରିବ।ମାଆକୁ ନିଜ ମାଆ ପରି ସମ୍ମାନ ଦେବ।ମା କୁ ଦେଖିଲେ ମତେ ଲାଗେ ମୋ ଜନ୍ମ କଲା ମାଆ କଣ ମତେ ଏତେ ସ୍ନେହ ଦେଇ ପାରିଥାଆନ୍ତା।ଭଗବାନ ଙ୍କର ଲୀଳା ସତରେ ବଡ ବିଚିତ୍ର ଦେଖୁନାହାଁନ୍ତି କେମିତି ଗୋଟେ ଅନାଥ ଝିଅକୁ ମାଆ ଟିଏ ଦେଇଦେଲେ ଆଉ ଗୋଟେ ଅନଥିନି ମାଆକୁ ଝିଅ ଟିଏ ଦେଇଦେଲେ।ଧନ୍ୟ ତୁମେ ପ୍ରଭୁ ଧନ୍ୟ ତୁମ ଲୀଳା।


Rate this content
Log in

Similar oriya story from Abstract