Sasmita Sahoo

Tragedy Fantasy

4.5  

Sasmita Sahoo

Tragedy Fantasy

ଗାନ୍ଧିଜୀ ଙ୍କ ସ୍ବପ୍ନ

ଗାନ୍ଧିଜୀ ଙ୍କ ସ୍ବପ୍ନ

4 mins
759



ସମୁଦ୍ର ବେଳାଭୂମି ପାର୍ଶ୍ୱରେ ଏକ ଛୋଟ ସହର। ସହରର ଏକ ମାତ୍ର ପାର୍କ ସେଇ ବେଳାଭୂମି ପାଖରେ ହିଁ ଅଛି। ପାର୍କ ଭିତରେ ସୁନ୍ଦର ଫୁଲ ଗଛ ଓ ଘାସର ଗାଲିଚା ଅଛି। ସେଇ ପାର୍କ ନାଁ ହେଲା ଗାନ୍ଧୀ ପାର୍କ। ମହାତ୍ମା ଗାନ୍ଧୀଙ୍କର ଏକ ବଡ ପ୍ରତିମୂର୍ତ୍ତି ପାର୍କର ବାମ ପାଚେରୀକୁ ଲାଗିକି ଅଛି। କଳା ମୁଗୁନି ପଥରରେ ପ୍ରତିମୂର୍ତ୍ତିଟି ହୋଇଛି ଓ ତାର ଚାରିପାଖରେ କଳାମାର୍ବଲର ଚାନ୍ଦିନୀ ହୋଇଛି। ପ୍ରତିମୂର୍ତ୍ତିର ଠିକ ତଳେ ଗାନ୍ଧିଜୀ ଙ୍କ ମହତ ବାଣୀ "ଅହିଂସା ହିଁ ପରମ ଧର୍ମ" ଓ ତା ସହିତ ମହାତ୍ମାଙ୍କ ଆବିର୍ଭାବ ଓ ତିରୋଧାନ ତିଥି ମଧ୍ୟ ଲେଖା ହୋଇଛି। 

ପାର୍କକୁ ସକାଳେ ବୃଦ୍ଧ ମାନେ ଚାଲିବାକୁ ଆସନ୍ତି ଓ ଅପରାହ୍ନରେ ପିଲାମାନେ ଖେଳିବା ପାଇଁ ଆସନ୍ତି। ସେଦିନ ଥାଏ ଅଗଷ୍ଟ ମାସ ପନ୍ଦର ତାରିଖ, ଅର୍ଥାତ ସ୍ୱାଧୀନତା ଦିବସ। ଗାନ୍ଧୀଜୀଙ୍କର ବହୁତ ଇଛା ହେଲା ଟିକେ ସ୍ୱାଧୀନତା ଦିବସ ପାଳନ ଦେଖିବାକୁ। ପୂର୍ବଦିନ ସଞ୍ଜବେଳେ ଶିବୁନ ଓ ତାର ସାଙ୍ଗ ମାନଙ୍କୁ କଥା ହେବାର ଶୁଣିଥିଲେ ଯେ ଟାଉନ ହଲ ପାଖରେ ଗୋଟେ ବଡ ସମାରୋହ ଆୟୋଜିତ ହେଉଛି। ସେଇକଥା ଶୁଣିବାପରେ ତାଙ୍କର ଉତ୍ସାହ ଦ୍ବିଗୁଣିତ ହୋଇଯାଇଥାଏ।


ସେଦିନ ଖୁବ ସକାଳୁ ମାନେ ଯେତେବେଳେ ସୂର୍ଯ୍ୟ ସମୁଦ୍ରରୁ ଗାଧୋଇକି ବାହାରୁଥାନ୍ତି ସେତେବେଳେ ସେ ମୂର୍ତ୍ତି ଭିତରୁ ବାହାରି ସଡକ ଆଡକୁ ଚାଲିଲେ। ଏତେ ସକାଳୁ ରାସ୍ତାରେ ବିଶେଷ ଲୋକ ନଥିଲେ। ସେ ଦେଖିଲେ ଗୋଟେ ପାଣିକଳର କିଛି ବାଟରେ ଯୋଉଠି ଅଳିଆ ଓ ଅସନା ପାଣି ଜମା ହୋଇଛି ସେଠି ଗୋଟେ ଲୋକଟେ ଶୋଇଛି। ଗାନ୍ଧିଜୀ ଭାବିଲେ ଆଜିର ଭାରତରେ ଦରିଦ୍ରତା ଏତେ ବଢ଼ିଗଲାଣିକି ? ଏମିତି ଭାବିକି ସେ ଲୋକଟି ପାଖକୁ ଗଲେ। ପଚା ଗନ୍ଧରେ ନାକ ଫାଟି ପଡୁଥାଏ। ଗାନ୍ଧିଜୀ ନିଶ୍ୱାସ ନେଇପାରିଲେନାହିଁ। ଭାବିଲେ ତାଙ୍କର ସ୍ବପ୍ନର ଭାରତରେ ସ୍ୱଚ୍ଛତା କୁଆଡେ ଗଲା? ସେ ଲୋକକୁ ଦେଖିଲେ । ମୁହଁରେ ତାର ମାଛି ବସୁଥାଏ। ଗାନ୍ଧିଜୀ ତାକୁ ଡାକିବାକୁ ଗଲାବେଳକୁ ପଛରୁ କିଏ କହିଲା "ଏ ମାଉସା କାଇଁ ତାକୁ ଡାକୁଛ, ମଦ ପିଇ ଗଡୁଛି। ସଫେଇ କର୍ମଚାରୀ ଆସିକି ଦୁଇଟା ଝାଡୁ ପାହାର ଦେଲେ ମନକୁ ଉଠିବ"।


ଗାନ୍ଧିଜୀ ପଛକୁ ବୁଲିକି ଦେଖିଲେ ଗୋଟେ କ୍ଷୀରଵାଲା ତାଙ୍କ ଉଦ୍ଦେଶ୍ୟରେ ଏତକ କହୁଛି। ଗାନ୍ଧିଜୀ ଆଶ୍ଚର୍ଯ୍ୟ ହେଲେ। ସେ କ୍ଷୀରବାଲାଟି ନିଜ କ୍ଷୀରଡବାକୁ ସାଇକେଲ ରୁ କାଢି ପାଣିକଳ ପାଖକୁ ଆଣିଲା। ପାଣିକଳ ଖୋଲିଲା, ଡବାଟି ପୂର୍ଣ୍ଣ ହେବା ପରେ ତାକୁ ନେଇ ସାଇକେଲରେ ରଖିଲା। ଗାନ୍ଧିଜୀ ପଚାରିଲେ "ପୁଅ ତୁମେ ଏ କଣ କଲ। କ୍ଷୀରରେ ପାଣି ମିଶେଇଲ , କ୍ଷୀରର ମାନ ଆଉ ଠିକ ରହିବଟି"। ଏହା ଶୁଣି କ୍ଷୀରଵାଲା ଠୋ ଠୋ ହେଇ ହସିଲା। କହିଲା "ମଉସା ତୁମେ କୋଉ ମାନ୍ଧାତ ଅମଳର ଲୋକ। କହିଲା ଆଜିକାଲି ତ ହଳଦୀରେ କରତଗୁଣ୍ଡ, ଅଟାରେ ଚକଗୁଣ୍ଡ, ଅମୂଲରେ ମଇଦା, ଚିନି ମିଶଉଛନ୍ତି। ଏମିତିକି କୁକୁଡ଼ା ମାଂସ ରେ କାଉ ମାଂସ ବିକୁଛନ୍ତି, ଆଉ ମୁଁ ଟିକେ ପାଣି ମିଶେଇ ଦେଲି ଯେ ତୁମେ ଏମିତି କହୁଛ? ବୁଝିଲ ମଉସା ଆଜିକାଲି ଏ ସବୁ ଭେଜାଲ କରିବା ଗୋଟେ ସାଧାରଣ କଥା"। ଏପରି କହି କ୍ଷୀରଵାଲା ଟି ସେଇଠୁ ଚାଲିଗଲା।ଏପରି କଥା ଶୁଣି ଗାନ୍ଧିଜୀ ତାଜୁବ ହେଲେ।


 ଗୋଟେ ହଳଦିଆ ରଙ୍ଗର ବସଟେ ତାଙ୍କ ପାଖ ଦେଇ ଗଲା। ତା ଭିତରେ ଖାଲି ସ୍କୁଲପିଲା ଥାନ୍ତି। ଗାନ୍ଧିଜୀ ଏହା ଦେଖି ଖୁସି ହେଲେ, ଯାହାହେଉ ପିଲାମାନଙ୍କୁ ଆଉ ଚାଲିଚାଲି କଷ୍ଟ କରି ସ୍କୁଲ ଯିବାକୁ ପଡୁନାହିଁ। ତାଙ୍କର ଶିବୁନ କଥା ମନେ ପଡ଼ିଲା। ସେ ଟାଉନହଲ ଆଡେ ଚାଲିଲେ। ରାସ୍ତାରେ ଦେଖିଲେ ଲୋକମାନେ ବହୁତ ସଂଖ୍ୟାରେ ସେ ଦିଗକୁ ଯାଉଛନ୍ତି। ଗାନ୍ଧିଜୀ ମନେମନେ ଖୁସିହେଲେ। ଭାବିଲେ ବର୍ତ୍ତମାନ ବି ଲୋକଙ୍କ ମନରେ ଦେଶଭକ୍ତି ଅଛି। ହଲ ପାଖରେ ପହଂଚିଲାବେଳକୁ ପତାକା ଉତ୍ତୋଳନ ଆରମ୍ଭ ହେବାକୁ ଥାଏ। ମୁଖ୍ୟ ଅତିଥି ଆସି ପତାକା ଉତ୍ତୋଳନ କରିବା ପରେ ପିଲାମାନେ ଜାତୀୟ ସଙ୍ଗୀତ ଗାଇ ଉଠିଲେ। ଆକାଶରେ ତ୍ରିରଙ୍ଗା ପତାକା ଫରଫର ହୋଇ ଉଡୁଥାଏ। ତା ସହିତ ଜାତୀୟ ସଙ୍ଗୀତର ଧ୍ୱନି ପରିବେଶକୁ ସ୍ବର୍ଗୀୟ କରୁଥାଏ। ଜାତୀୟ ସଙ୍ଗୀତ ଶେଷ ହେବା ପରେ ମୁଖ୍ୟ ଅତିଥିଙ୍କୁ ଅନୁରୋଧ କରାଗଲା କିଛି କହିବା ପାଇଁ। ମୁଖ୍ୟ ଅତିଥି ଜଣେ ନେତା ପରି ଜଣାପଡୁଥାନ୍ତି। ସେ ନିଜ ଭାଷଣର ପ୍ରଥମରୁ ଶେଷ ପର୍ଯ୍ୟନ୍ତ କେବଳ ନିଜର ରାଜନୈତିକ ଦଳ ବିଷୟରେ କହି ଚାଲିଲେ। ଦେଶର ଇତିହାସ କିମ୍ବା ଆଜିର ଦିବସ ର ମହତ୍ଵ ବିଷୟରେ ପଦେ ହେଲେ କହିଲେ ନାହିଁ। ଏପଟେ ଶ୍ରୋତା ମାନଙ୍କ ଭିତରୁ ଜଣେ ତାଳି ବଜେଇବା ଆରମ୍ଭ କଲେ, ସମସ୍ତେ ତାଳି ବଜଉ ଥାନ୍ତି। କିଛି ସମୟ ପରେ ସଭା ଶେଷ ହେଲା। ଗାନ୍ଧିଜୀ ଦେଖିକେ ଶ୍ରୋତା ମାନଙ୍କ ଭିତରୁ ଯିଏ ପ୍ରଥମେ ତାଳି ବଜଉଥିଲା ସେ ଲୋକମାନଙ୍କୁ କଣ ଗୋଟେ ବାଣ୍ଟୁଛି। ଗାନ୍ଧିଜୀଙ୍କ ପାଖକୁ ଆସି କହିଲା "ତୁ ଗାନ୍ଧୀ ଙ୍କ ବେଶ ରେ ଆସିଛୁ, ଏ ଇ ନେ ଶହେ ଟଙ୍କା, ତତେ ଅଧିକ ପଚାଶ ଟଙ୍କା ଦିଆଗଲା। ଆମ ଦଳକୁ ଭୋଟ ଦେବୁ।" ଗାନ୍ଧିଜୀ ତାକୁ ଅବାକ ହୋଇ ଚାହିଁଲେ, କିଛି କହି ପାରିଲେନାହିଁ। ବିକଳରେ ତ୍ରିରଙ୍ଗା ପତାକାକୁ ଚାହିଁଲେ। ତାଙ୍କୁ ଲାଗିଲା ଭାରତ ମା ର କାନ୍ଦୁରା ମୁହଁ ଟା ଯେମିତି ସେଇ ପତାକା ଭିତରୁ ବାହାରକୁ ଦିଶୁଛି। ଗାନ୍ଧିଜୀ ଦୁଃଖ ମନରେ ଫେରି ଆସିଲେ।


ସେଦିନ ଅପରାହ୍ନରେ ପିଲାମାନେ ଆସି ଚାନ୍ଦିନୀଉପରେ ବସି ସ୍ୱାଧୀନତା ଦିବସ ବିଷୟରେ କଥା ହେଉଥାନ୍ତି। କିଏ କୋଉ ପ୍ରତିଯୋଗିତାରେ ପୁରସ୍କାର ପାଇଲା, କିଏ କୋଉ ବେଶରେ ଯାଇଥିଲା। ଏମିତି କେତେ କଣ କଥା ହେଉଥାନ୍ତି। ଗାନ୍ଧିଜୀ ଆଉ ସମ୍ଭାଳି ପାରିଲେ ନାହିଁ। କହିଲେ "ପିଲାମାନେ ମୋ କଥା ଟିକେ ଶୁଣ।" ପିଲାମାନେ ଡରିଗଲେ କିନ୍ତୁ ଗାନ୍ଧିଜୀ ସାହସ ଦେବାରୁ ସମସ୍ତେ ତାଙ୍କର କଥାକୁ ଶୁଣିଲେ। ଗାନ୍ଧୀଜୀ କହିଲେ "ଆଜି ମୁଁ ଉତ୍ସବ ପାଳନ ଦେଖିବା ପାଇଁ ଯାଇଥିଲି, କିନ୍ତୁ ମୋର ବହୁତ ଖରାପ ଅନୁଭୁତିମାନ ହେଲା।" ପିଲାମାନେ କଣ ଜାଣିବାକୁ ଚାହିଁବାରୁ ସେ ସବୁକଥା ବର୍ଣ୍ଣନା କରି କହିଲେ। ସେ କହିଲେ କି "ଏ ଇ ତ ମୋ ସ୍ୱପ୍ନର ଭାରତ ନଥିଲା, ଏତେ ଛଳନା ଏତେ କ୍ରୁରତା ମୁଁ କଳ୍ପନା ବି କରିନଥିଲି। କିନ୍ତୁ ଶୁଣ ପିଲାମାନେ ମୋର ବିଶ୍ୱାସ ଅଛି ଯେ ତୁମେମାନେ ମୋ ସ୍ବପ୍ନକୁ ପୁରଣ କରିପାରିବ। ତୁମେମାନେ ହିଁ ପରିବର୍ତ୍ତନ ଆଣିପାରିବ।" ଦେବୁନ କହିଲା "ଆମେ କଣ କରିପାରିବୁ ଯେ।" ଗାନ୍ଧିଜୀ କହିଲେ "ତୁମେମାନେ ହିଁ ସବୁ କରିପାରିବ। ତୁମେମାନେ ଭବିଷ୍ୟତ ଭାରତର ସ୍ରଷ୍ଟା। ତୁମେମାନେ ଲୋକଙ୍କୁ ସଚେତନ କରାଅ। ନିଜର ସାଧ୍ୟମତେ ଅନ୍ୟାୟ ର ପ୍ରତିରୋଧ କର। ନିଜେ ଭଲ ଶିକ୍ଷା ଗ୍ରହଣ କରିବା ସହ ଭଲ ମଣିଷ ଟେ ହେବାକୁ ଚେଷ୍ଟା କର । ଦେଖିବ ସବୁକିଛି ଠିକ ହେଇଯିବ।" ପିଲାମାନେ ଗାନ୍ଧିଜୀଙ୍କର କଥା କୁ ବୁଝିପାରିଲେ ଓ ଏକ ସୁନେଲି ଭାରତର ସଂକଳ୍ପ ନେଇ ଗାନ୍ଧିଜୀଙ୍କ ସ୍ୱପ୍ନକୁ ପୁରଣ କରିବା ଦିଗରେ ଅଗ୍ରସର ହେଲେ।


Rate this content
Log in

Similar oriya story from Tragedy