ସିନ୍ଦୁର
ସିନ୍ଦୁର
ଓହୋ,ରିଆ ସକାଳୁ ତ ଅନ୍ତତଃ ବଜର ବଜର ହେବା ବନ୍ଦ କର। ମଣିଷ କି ବେଳାରେ ତୁମ ହାତ ଧରିଥିଲା କେଜାଣି। ସକାଳ ଠାରୁ ରାତି ଯାଏଁ ଟିକେ ଶାନ୍ତି ନାହିଁ। ଆରେ ତମେ ଯଦି ଛୁଆ ସମ୍ଭାଳି ନ ପାରିବ ତେବେ ସଫା ସଫା ମନା କରଦେଲ ନି।ମୋ ଦ୍ଵାରା ଏସବୁ ହେବ ନାହିଁ। ଅଫିସ ବନ୍ଦ ହୋଇଗଲା ତ କ'ଣ ହୋଇଗଲା ଆଗ ଛୁଆ ନା ଆଗ ଚାକିରି। କଥା ସେଇଆ ନୁହେଁ, କଥା ହେଉଛି ତମେ ଗୋଟିଏ ଜାଗାରେ ବାନ୍ଧି ହୋଇ ରହି ପାରିବନି। ଜିନ୍ସ ପିନ୍ଧି, ସ୍କୁଟି ନେଇ ଅଫିସ ଯିବା ତେଣେ ସାଙ୍ଗମାନଙ୍କ ସହ ମଉଜ କରିବା ଏସବୁ ଏବେ ତୁମର ହୋଇ ପାରୁନି ନା। ଛୁଆଟା ଯେ ତୁମ ବେକରେ ବାନ୍ଧି ହୋଇଗଲା।ମମି....ମମି..... ତମେ ପୁଅକୁ ସମ୍ଭାଳ। ଆଉ ଆଜି ରିଆ ଡାଡିଙ୍କୁ ଡାକି ସବୁ ସତ କଥା କହିଦିଅ। ହଁ ଶୁଣ, ତାକୁ ତା ଡାଡିଙ୍କ ସହିତ ତାଙ୍କ ଘରକୁ ପଠାଇ ଦିଅ। ମୁଁ ଆଉ ସବୁଦିନ ସକାଳୁ ଉଠି ମୁଁ ତା ବକ୍ ବକ୍ ଶୁଣି ପାରିବିନି।ଅଧା ପଢା ଖବର କାଗଜଟା ଡାଇନିଂ ଟେବୁଲ୍ କୁ ଫିଙ୍ଗି ଦେଇ ବାଥରୁମକୁ ପଶି ଗଲେ ତନ୍ମୟ। ହଁ, ହଁ ସବୁ ଦୋଷ ତ ଯେମିତି ମୋର ଆଉ ଠିକ୍ ଅଛି ତମ ଦୃଷ୍ଟିରେ ମୁଁ ଯଦି ଏତେ ଖରାପ ତେବେ ଆଜି ମୁଁ ଚାଲିଯିବି ଆମ ଘରକୁ। କାନ୍ଦ କାନ୍ଦ କଣ୍ଠରେ ମମି ଶୁଣୁଛ ତ ସେ କେମିତି କଥା ସବୁ ମୋତେ କହି ଦେଇଗଲେ।ଟିକେ ଦୂରରେ ଥାଇ ମିନତି ପୁଅ, ବୋହୂଙ୍କର ଏ ଶୀତଳ ଯୁଦ୍ଧକୁ ନିରୀକ୍ଷଣ କରୁଥିଲେ।ରିଆ ଆଖିରେ ଲୁହ ଦେଖି ସେ ତା ପାଖକୁ ଆସିଲେ। କ'ଣ ହେଲା ରେ ମା, ସକାଳୁ ସକାଳୁ କାଇଁ ଏମିତି ମନ ଖରାପ କରୁଚୁ ? ରିଆ ମୁଣ୍ଡକୁ ଆଉଁସି ଦେଇ କହିଲେ ମିନତି। ଦେଖିଲେ ତ ମମି ତୁମ ପୁଅ କହୁଛନ୍ତି ମୁଁ କୁଆଡ଼େ ଛୁଆ ଚାହୁଁନି ଆଉ ମୋ ଡାଡିଙ୍କୁ ଡାକି ମୋତେ ଆମ ଘରକୁ ପଠେଇ ଦେବାକୁ। କାଲି ରାତି ସାରା ଝିଅ ମୋତେ ଶୁଆଇ ଦେଇନି। ଆଉ ସକାଳୁ ଯେତେବେଳେ ମୁଁ ତାଙ୍କୁ କହିଲି ଝିଅକୁ ଟିକେ ରଖ ମୁଁ ମୋର କାମ ଟିକେ ସାରିଦିଏ। ରାତିରେ ଅନିଦ୍ରା ଓ ଦିନରେ ଏ ଛୁଆ ପଛରେ ମୁଁ ଥକି ଯାଉଛି। ବାସ୍ ଏତିକି କଥାରେ ସେ ପଢୁଥିବା ଖବର କାଗଜକୁ ଫିଙ୍ଗି ଦେଇ ମୋ ଉପରେ ରାଗି ଗଲେ।କହୁ କହୁ କାନ୍ଦି ପକେଇଲା ରିଆ।
ନିଜ ଛାତିରେ ରିଆକୁ ଆଉଜେଇ ନେଇ ମିନତି କହିଲେ - ଏ ସଂସାର ଜଞ୍ଜାଳ ଭାରି କଠିନ ମା। ତୁ କାଲି ଝିଅ ଥିଲୁ, ବୋହୂ ହେଲୁ ଆଉ ଆଜି ବୋହୂରୁ ଗୋଟେ ମାଆ। ନାରୀଟିଏ ଜନ୍ମ ନିଏ ଏକ ଦୁହିତା ରୂପରେ। ତାପରେ ଯେତେ ଯେତେ ତା'ର ବୟସ ବଢ଼େ ସେ ସେତେ ରୂପ ନେଇ ଅବତୀର୍ଣ୍ଣ ହୁଏ। ବୟସର ପ୍ରତି ପାହାଚରେ ତା ଶରୀରର ପରିବର୍ତ୍ତନ ସହିତ ତା ରୂପ ବଦଳିଯାଏ। ସେ ନିଜ ପାଇଁ କମ୍ ଅନ୍ୟ ପାଇଁ ବେଶୀ ବଞ୍ଚେଇ। ସେ ଅନ୍ୟର ମନୋଭାବକୁ ବୁଝିବାକୁ ଯାଇ ନିଜକୁ ବୁଝିବା ଭୁଲିଯାଏ। ନାରୀକୁ ହିଁ ବେଶୀ ସହିବାକୁ ପଡେ। କାରଣ ତା ପାଖରେ ଧର୍ଯ୍ୟ ଶକ୍ତି ଅଧିକ। ଛୁଆଟିଏ ଜନ୍ମ କରି ତାକୁ ଉଚିତ ଶିକ୍ଷା, ସଂସ୍କାର ଦେଇ ପାଳି ପୋଷି ବଡ଼ କରିବା ଏତେ ସହଜ କଥା ନୁହେଁ। ହଁ, କେବଳ ତୁ ଯେ ଏକା କରିବୁ ମୁଁ ସେକଥା କହୁନି। ତୁମ ସ୍ୱାମୀ, ସ୍ତ୍ରୀ ଉଭୟଙ୍କର କର୍ତ୍ତବ୍ୟ। ଆଉ ତୁ କଥାରେ ମନ ଖରାପ କରନି। ସେ ବାଥରୁମ୍ ରୁ ଆସିଲା ପରେ ତୋତେ କଣ କହିଥିଲା କି ତୋ ଉପରେ ରାଗିଥିଲା ସେକଥା ତା'ର ଆଉ ମନେ ନ ଥିବ। ସେ ହାଉଳା ଟା।ଏଇନେ କହିଥିବା କଥା ଆର ବେଳାକୁ ଭୁଲି ଯିବ। ମୋ କୋଳକୁ ଝିଅକୁ ଦେଇ ତୁ ଯା ତା ପାଇଁ ଖାଇବା ତିଆରି କରିଦେବୁ। ତୁ ଏବେ ଛୁଆଟା ବୁଝି ପାରିବନୁ। ଧୈର୍ଯ୍ୟ ଧରି ରହିଥିଲେ ଆପେ ସବୁ ବୁଝି ପାରିବୁ। ସ୍ୱାମୀ, ସ୍ତ୍ରୀ ସମ୍ପର୍କରେ ଏମିତି ରାଗ ରୁଷା ହୁଏ। ଜଣେ ରୁଷିଲେ ଜଣେ ମନେଇ ନେଲେ ସମ୍ପର୍କ ସୁନ୍ଦର ହୋଇ ଗଢି ଉଠେ।ଯାଆ ତା ପସନ୍ଦର ଜଳଖିଆ ଟିକେ ବନେଇ ଦେବୁ ଯେ ଦେଖିବୁ ସେ ତୋର କେତେ ପ୍ରସଂଶା କରିବ। ମିନତିଙ୍କ କଥାରେ ହୃଦୟ ଭରିଗଲା ରିଆର ସେ ଝିଅକୁ ମମିଙ୍କ କୋଳକୁ ଦେଇ ରୋଷେଇ ଘରକୁ ଚାଲିଗଲା।
ନାତୁଣୀ ମୁହଁକୁ ଟିକେ ଗେଲ କରିଦେଇ ମିନତି ଭାବୁଥିଲେ କାଲି ପରି ଲାଗୁଛି ତନ୍ମଜା ବି ଏଡିକି ଟିକିଏ ହୋଇଥାଏ ଆଉ ତନ୍ମୟ ଠୁକୁ ଠୁକୁ ଚାଲି ଗାଲୁରୁ ଗାଲୁରୁ କଥା କହୁଥାଏ। ସେତେବେଳେ ବଡ଼ (joint)ପରିବାର। ଏତେ ଛୋଟ ଛୁଆ ଦୁଇଟିକୁ ରଖି ଘରର ସମସ୍ତ କାମ କରିବାକୁ ତାଙ୍କୁ କମ୍ କଷ୍ଟ କରିବାକୁ ପଡି ନ ଥିଲା। ହଁ ଏଥିରେ ଶାରୀରିକ ଆଉ ମାନସିକ ସ୍ତରରେ ତନ୍ମୟ ବାବା ମୋତେ ସହଯୋଗ କରୁଥିଲେ।ଆଉ ଏବେ ଆଜିକାଲିକା ପିଲା ତନ୍ମୟ ଏକଥା ତା ମୁଣ୍ଡରେ ଢୁକୁନି। ଅବଶ୍ୟ ଦୁଇ ଜଣଙ୍କ ବୟସ କମ୍। ଦୁହେଁ ମୁକ୍ତ ଥିଲେ। ଏତେ ଜଲଦି ସଂସାର ଜଞ୍ଜାଳ ଛୁଆ ପିଲା ଏ ସବୁରେ ଘାଣ୍ଟି ହୋଇ ଦୁହେଁ ଚିଡି ଚିଡା ହୋଇ ଯାଉଛନ୍ତି।ଏବଠୁ ଯଦି ଦୁହିଁଙ୍କୁ ବୁଝାଇ ସୁଝାଇ ବାଟକୁ ନ ଆଣିବି ଭବିଷ୍ୟତରେ ଏଇ ସାମାନ୍ୟ କଥା କଟାକଟି ବିରାଟ ରୂପ ନେବ।ଏଇ ଯେମିତି ଶାନ୍ତି ନାନିଙ୍କ ପୁଅ ବୋହୂ ଦୁହେଁ ଚାକିରିଆ ଏଇ ଟିକେ ଟିକେ କଥାରୁ କଥା ଏତେ ଆଗକୁ ଗଲା ଯେ ଶେଷରେ ଦୁହିଁଙ୍କର ଛାଡ଼ପତ୍ର ହୋଇଗଲା। ସେଇଥିପାଇଁ ତ ସ୍ୱାମୀ, ସ୍ତ୍ରୀ ସମ୍ପର୍କ ସଜେଇ ରଖି ଜାଣିଲେ ସେଥିରୁ ସତେଜ "ପ୍ରେମର ଝଲକ"ଝଲସି ଉଠିବ।
ଏତିକି ବେଳେ ମମି....ମମି ଡାକି ଡାକି ତନ୍ମୟ ଡାଇନିଂ ହଲକୁ ଆସିଲେ। ମିନତିଙ୍କ କୋଳରେ ଝିଅକୁ ଦେଖି ଗେହ୍ଲା କରି ପକେଇଲେ ମୋ ପରୀ ତା ଜେଜେମା କୋଳରେ କହି ତା ଗାଲରେ ଗୋଟେ ଯୋଡେ ପପି ଦେଇ ଦେଲେ। ମିନତି କହିଲେ - ଦେଖୁଚୁ ତ ତୋ ଝିଅକୁ ତୁ କେତେ ଭଲ ପାଉଛୁ। ସେମିତି ରିଆ ବି ଏମିତି କାହାର ଗେହ୍ଲି ଝିଅ। ସେ ଆଜି ଆମ ଘରକୁ ତୋ ଭରସାରେ ଆସିଛି। ଆଉ ଏଇ ସମୟଟା ତା ପାଇଁ ଏକ କଠିନ ସମୟ। ସେ ମାଆ ହେବା ପରେ ତା ମନ ସହିତ ତା ଶରୀରର ମଧ୍ୟ ଅନେକ ପରିବର୍ତ୍ତନ ଘଟିଛି। ବେଳେ ବେଳେ ସେ ଚିଡି ଚିଡା ହେବା ତୋତେ କିଛି କହିବା ଏଇଟା ସ୍ବଭାବିକ ପ୍ରକିୟା। ଏଥିରେ ତୁ ସହୋଯୋଗ କରିବୁ ଦରକାର ପଡିଲେ ତାକୁ ବୁଝେଇବୁ । ତୋ ଭଲପାଇବା ତୋ ଯତ୍ନ ତା ପାଇଁ ଖୁବ୍ ଦରକାରୀ।ତା ପିନ୍ଧିବା, ତା ସ୍ୱାଧୀନତା ଉପରେ ଅଯଥା ସମାଲୋଚନା କରି ତାକୁ କଷ୍ଟ ଦେବୁନାହିଁ। ଯଦି ତା'ର ଚାଲି ଚଳନ କିଛି ତୋର ନାପସନ୍ଦ ଅଛି ତେବେ ତାହା ହୃଦୟଙ୍ଗମ କରେଇବୁ ସେ ଯେମିତି ଅନୁଭବ କରି ପାରିବୁ। ତାପରେ ସବୁଠୁ ଭଲ କଥା ହେଲା ରିଆ ସେମିତି ଅବାଧ୍ୟ ଝିଅ ନୁହେଁ। ତାକୁ ସରଳରେ ବୁଝେଇଲେ ସେ ବୁଝିଯିବ। ସଂସାରରେ ଆଗକୁ ବଢ଼ିବାକୁ ହେଲେ ଏମିତି ଟିକେ ଟିକେ କଥାରେ ତୋର ରାଗି ଯିବାଟା ଠିକ୍ ନୁହେଁ। ଓହୋ,ମମି ତୁମର ବି ସକାଳୁ ସକାଳୁ ପ୍ରବଚନ। ତନ୍ମୟ ଏକଥା କହିଲା ବେଳେ ରିଆ ଗରମ ଗରମ ଇଡିଲି,ସମ୍ବର, ଚଟଣୀ ଧରି ହାଜର।ପରଶି ଦେଲା ତନ୍ମୟଙ୍କ ଥାଳିରେ। ପାଟିକୁ ନେଉ ନେଉ ତନ୍ମୟ ଖୁସିରେ ଚିଲ୍ଲେଇ ଉଠି କହିଲେ - ଆହାଃ !! କି ଟେଷ୍ଟି ହୋଇଛି ଆଜି ଖାଇବା।ରିଆ...ରିଆ ଏଇଟା ବି ମୋ ଲଞ୍ଚ ବକ୍ସରେ ଦେଇ ଦିଅନା। ହଁ ଶୁଣ ଟିକେ ଅଧିକା କରି ଦେଇଥିବ ମୁଁ ଓ ରଂଜିତ ଖାଇବୁ।ରିଆ ହସି ହସି ଆସି କହିଲା ତୁମେ କହିବା ଆଗରୁ ମୁଁ ଆଗତୁରା ତୁମ ଟିଫିନ୍ ସଜାଡି ଦେଇଛି। ସେ ପୁଣି ଦୁଇ ଜଣଙ୍କ ପାଇଁ।ହା ହା ହସିଲେ ତନ୍ମୟ ରୋଷେଇ ଘରକୁ ପଶି ଯାଇ ଆଛା ସତ କହିଲ ରିଆ ତମେ କେମିତି ଜାଣିଲ ମୋ ମନର କଥା। ମୁଁ ପରା ତୁମ ମନରେ ଅଛି ଆଉ ତୁମ ମନରେ ଥିବା କଥା ମୁଁ ଜାଣିବିନି ତ ଆଉ କିଏ ଜାଣିବ ? ମିଛରେ କ'ଣ ଖାଲି ସ୍ତ୍ରୀକୁ ଅର୍ଦ୍ଧାଙ୍ଗିନୀର ଆଖ୍ୟା ଦିଆ ଯାଇଛି । ହସୁଥିଲେ ଦୁହେଁ ଯେମିତି ଏଇ କିଛି ସମୟ ପୂର୍ବରୁ କିଛି ବି ଘଟିନି ସମ୍ପୂର୍ଣ୍ଣ ସ୍ୱଭାବିକ ଥିଲେ ଉଭୟ।ହେଉ ପରୀର ମାମା ମୁଁ ଏବେ ଆସୁଛି ଶୁଣ ମୋ ପରୀ ଜଗିବାର ପାଉଣାଟା ନିଅ କହି ରିଆର ମଥା ଉପରେ ଆଙ୍କି ଦେଲେ ଏକ ପ୍ରିତୀ ଭରା ଚୁମ୍ବନ ଲାଜରେ ତଳକୁ ମୁହଁ ପୋତି ହସୁଥିଲା ରିଆ।
ଚାଲି ଯାଇଥିଲେ ତନ୍ମୟ।ରିଆକୁ ଖୁସି ହେବାର ଦେଖି ମିନତି କହିଲେ - ଦେଖିଲୁ ତ ମା, ତନ୍ମୟ ତୋତେ କହିଥିବା କଥା ଗୁଡା କେମିତି ସାଙ୍ଗେ ସାଙ୍ଗେ ଭୁଲି ଗଲା। ହସିଲା ରିଆ ହଁ, ମମି ସତ କହିଥିଲ। ଆଉ ଗୋଟେ କଥା ଜାଣିଛୁ ମା ଗୋଟେ ବିବାହିତ ନାରୀ ମୁଖ୍ୟ ଭୂଷଣ ହେଉଛି ତା ମଥାର ସିନ୍ଦୂର। ଖାଲି ଭୂଷଣ ନୁହେଁ ସିନ୍ଦୂର ହିଁ ତା ସ୍ୱାମୀ ଆଉ ଯାହାକୁ ସେ ସଦା ସର୍ବଦା ମଥାରେ ଧାରଣ କରିଥାଏ।ଏକ ସୁହାଗିନୀ ରୂପରେ ସେ ଗର୍ବ ଅନୁଭବ କରେ।ଆଉ ମଥାରେ ଲାଲ୍ ସିନ୍ଦୂର ଯେତେ ସୁନ୍ଦର ଝଟକୁ ଥିବ ସ୍ୱାମୀ, ସ୍ତ୍ରୀ ର "ପ୍ରେମ ଝଲକ"ସେତେ ଗଭୀର ଝଲସି ଉଠୁଥିବ। ସେଥିପାଇଁ ସଧବା ସ୍ତ୍ରୀ ଟିଏ ଗାଧୋଇ ଆସି ଆଗ ମଥାରେ ସିନ୍ଦୂର ଟୋପା ଲଗାଇ ସାରିଲା ପରେ ଯାଇ ଭଗବାନଙ୍କ ପୂଜା କରେ ବା ଅନ୍ୟାନ୍ୟ ଶୁଭ କାମରେ ଯୋଗ ଦିଏ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସିନ୍ଦୂରରେ ଏମିତି ଏକ ଶକ୍ତି ଅଛି ଯାହା ସ୍ୱାମୀଟିକୁ ତା ସ୍ତ୍ରୀ ଆଡ଼କୁ ଆକର୍ଷିତ କରେ। ଆଉ ଆଜି କାଲି ଝିଅ, ବୋହୂ ଫେସନରେ ବୁଡି ସିନ୍ଦୂର ଭୁଲିଗଲେଣି।ରିଆ ହାଁ କରି ମିନତିଙ୍କ କଥା ଶୁଣୁଥିଲା। ମିନତିଙ୍କ କଥା ଶେଷ ନ ହେଉଣୁ ସେ କହି ପକାଇଲା ମମି ମୋର ଭୁଲ୍ ହୋଇଛି ମୁଁ ଆଉ କେବେ ଲିକୁଡି ମେରୁନ୍ ସିନ୍ଦୂର ଲଗାଇବି ନାହିଁ। ତୁମେ ନାଇଥିବା ସେ ଲାଲ୍ ସିନ୍ଦୂର ଲଗାଇବି। ଆଉ ଆମ ଭିତରେ ପ୍ରେମର ରଙ୍ଗ ମଧ୍ୟ ସିନ୍ଦୂର ଭଳି ଗାଢ଼ ଓ ଗଭୀର ହୋଇଯିବ।ରିଆ ମୁଣ୍ଡକୁ ଆଉଁସି ଦେଇ ମିନତି ଆଶୀର୍ବାଦ ଦେଉଥିଲେ - ସଦା ସୁହାଗିନୀ ଥା ପାଚିଲା ବାଳରେ ଏମିତି ସିନ୍ଦୂର ନାଉ ଥା। ଆଉ ତୁମ ଦୁହିଁଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ।ରାଗ,ରୁଷା, ଅଭିମାନକୁ ଦୂର କରି ତୁମ ଭିତରେ ଥିବା "ପ୍ରେମର ଝଲକ"କୁ ତୁମେ ସର୍ବଦା ଅନୁଭବ କରୁଥାଅ। ଏହାହିଁ ଗୋଟେ ମାଆର ଆଶୀର୍ବାଦ। ଏତିକି ବେଳେ ଫୋନ୍ ଟା ବାଜି ଉଠିଥିଲା ଆଉ ରିଆ ଖୁସିରେ ଚିଲ୍ଲେଇ କରି କହୁଥିଲା - ମମି ସେ ଫୋନ୍ କରିଛନ୍ତି..... !

