Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Nityananda Nandi

Inspirational

4  

Nityananda Nandi

Inspirational

ସିଝା ଅଣ୍ଡା

ସିଝା ଅଣ୍ଡା

5 mins
28



ଗ୍ରୀଷ୍ମ ଛୁଟି, ଦକ୍ଷିଣା ସୁଲୁସୁଲିଆ ପବନ ଆସି ଆର୍ଦ୍ରତା ଭରି ଦେଉଥିଲା ପ୍ରତିଟି ଜୀବନରେ । ଆରାମଦାୟକ ଖରାଦିନିଆ ସକାଳ ! 

ରବିଶଙ୍କର ପ୍ରାତ ଭ୍ରମଣ କରୁଥିଲେ ସ୍ତ୍ରୀ କମଳାଙ୍କ ସହିତ ନିଜ ବଗିଚା ଭିତରେ । ପୈତୃକ ସମ୍ପତ୍ତି । ଘରକୁ ଲାଗି ପ୍ରଶସ୍ତ ଜାଗା । ବାହାରକୁ ଆଉ ଯିବାକୁ ହୁଏନି । ସକାଳ ଚଲାବୁଲା ହୋଇଯାଏ ତା'ରି ଭିତରେ । ଶାଗ ପଟାଳି, ଜହ୍ନି, କାକୁଡି ମଞ୍ଚା । ଧାଡ଼ି ଧାଡ଼ି ହୋଇ ବଢୁଥିବା ଭେଣ୍ଡି, ବାଇଗଣ ଗଛକୁ ଦେଖିଲେ ଜୀବନରେ ସବୁ କିଛି ଆପଣାର ଲାଗେ ସେମାନଙ୍କୁ । ଜିନିଆ, ଡ଼ାଲିଆ, ମଲ୍ଲି ଫୁଲର ବାସ୍ନା ସହ ସକାଳ ମାଟିର ମହକ ମିଶି ଯାଇ ଅଦ୍ଭୁତ ଗୋଟାଏ ପରିବେଶ ସୃଷ୍ଟି ହେଉଥିଲା ତାଙ୍କ ବଗିଚା ଭିତରେ । 


ଆଜି ସକାଳଟା କିନ୍ତୁ ଟିକିଏ ଅଲଗା ଥିଲା । ପନ୍ଦର ଦିନରୁ ଅଧିକ ହେବ, ଭାଇ ଭାଉଜଙ୍କ ମୃତ୍ୟୁ ପରେ କର୍ମ କ୍ରିୟା, ବନ୍ଧୁ ବାନ୍ଧବଙ୍କ ସହିତ ବ୍ୟସ୍ତ ଥାଇ ବଗିଚାରେ ବଢୁଥିବା ଗଛ ପତ୍ରର ଯତ୍ନ ନେଇ ପାରି ନାହାନ୍ତି । ପାଣି ଦେଇ ବଗିଚାର ଜୀବନକୁ ଆଉଥରେ ଫେରେଇ ଆଣିବାର ପ୍ରଚେଷ୍ଟା ଭିତରେ ନିଜ ଜୀବନରେ ଘଟି ଯାଇଥିବା ଦୁଃଖଦ ଘଟଣାକୁ ଭୁଲିବାକୁ ଚାହୁଁଥିଲେ ସେମାନେ ।  


ବାଇକ ଦୁର୍ଘଟଣାରେ ପୁଅ ଟୁଟୁ ସାଥିରେ ଭାଇ ଭାଉଜ ପୋଲ ତଳକୁ ଖସି ପଡ଼ିଲେ । ଟୁଟୁ ଅଳ୍ପକେ ବଞ୍ଚିଗଲା । ସେଇଦିନଠୁ ଟୁଟୁ କମଳାଙ୍କ ପାଖରେ । ନିଜ ପୁଅ ମଣ୍ଟୁ ବି ଟୁଟୁ ବୟସର । ଦୁଇଜଣ ଗାଆଁ କନଭେନ୍ଟ ସ୍କୁଲରେ ପଢନ୍ତି । 


କାଲି ଟୁଟୁର ଜନ୍ମଦିନଥିଲା । ଆପାତତଃ ବାପା ମାଆଙ୍କ କଥା ଭୁଲିଯାଉ । ଟୁଟୁର ମନ ରଖିବା ପାଇଁ, ଜନ୍ମଦିନଟିକୁ ଧୁମଧାମରେ ପାଳିଲେ ସେମାନେ । ନାଚକୁଦରେ ସମୟ କେମିତି କଟିଗଲା, ନା ଟୁଟୁ ଜାଣି ପାରିଲା ନା ମଣ୍ଟୁ, ସାଙ୍ଗମାନଙ୍କ ଗହଣରେ । ଜୀବନର ଏମିତି କିଛି ମୁହୂର୍ତ୍ତ ଆସେ, ଇଚ୍ଛା ନଥାଇ ବି ସୁନ୍ଦର ଭାବେ କଟେଇ ପାରିଲେ, ପାରିବା ପଣିଆର ସାର୍ଥକତା ପ୍ରମାଣିତ ହୁଏ । ମୃତ୍ୟୁର ଝରକା ଦେଇ ଜୀବନକୁ ଦେଖିଲେ ଜୀବନ ପ୍ରତି ଶ୍ରଦ୍ଧା ବଢ଼ି ଯାଏ, ରବିଶଙ୍କର ଆଉ କମଳା ଅସହାୟତାର ଝର୍କା ଦେଇ କିଛି ଗୋଟାଏ ଖୋଜୁ ଥିଲେ ଆଜି ଜୀବନ ଭିତରେ....


ଜନ୍ମଦିନରେ ଅଧିକା ବଳି ପଡ଼ିଥିବା ବେଲୁନ ନେଇ ଖେଳୁଛନ୍ତି ଦୁଇ ଭାଇ । 

ସେମାନଙ୍କ ଖୁସି କହିଲେ ନ ସରେ । ଗୋଟାଏ ପରେ ଗୋଟାଏ ବେଲୁନରେ ହାୱା ଭରି ଉଡୋଉଛନ୍ତି ମୁକ୍ତ ଆକାଶକୁ । ଅସଂଖ୍ୟ ବେଲୁନ ଉଡୁଥିବାର ଦେଖି ଆକାଶ ବି ବେଳେ ବେଳେ ଧୋକା ଖାଇ ଯାଏ, ସ୍ଵର୍ଗରୁ କେହି ଜଣେ ଅପସରା ଆସି ଆକାଶର ପ୍ରେମରେ ପଡି ଯାଇନି ତ !! 

ଗୋଟାଏ ବେଲୁନ ଆକାଶରେ ଅଦୃଶ୍ୟ ହୋଇ ଯିବା ବେଳକୁ ଆଉ ଗୋଟାଏ ବେଲୁନ ପ୍ରସ୍ତୁତ ହୋଇଯାଇଥାଏ ଉଡ଼ିବା ପାଇଁ । ବେଲୁନମୟ ଆକାଶ । 

ପ୍ରାତଃ ଭ୍ରମଣ ପରେ ବଗିଚାରେ ପାଣି ଦିଆ ସରି ଯାଇଛି । ରବିଶଙ୍କର ଆଉ କମଳା ବେଞ୍ଚ ଉପରେ ବସି ପଡ଼ି ଅନେଇଲେ ଆକାଶକୁ । ନିଃସହାୟ ବେଲୁନଗୁଡ଼ିକ କେମିତି ଆକାଶରେ ଉଡୁଛନ୍ତି, ଯେମିତି ପୃଥିବୀଠୁ ଧୋକା ଖାଇ ଫେରୁଛନ୍ତି ଇତସ୍ତତଃ ହୋଇ ଅନ୍ୟ କେଉଁ ଏକ ଗ୍ରହକୁ । ପଳାଶ ପାଖୁଡ଼ା ପରି କାୟା ବିସ୍ତାର କରୁଛି ସୁପ୍ତ ଆକାଶ, ଯେମିତି ଜହ୍ନ ସହିତ ଭରପୁର ପ୍ରେମ ପରେ ଅଳସୁଆ, ମତୁଆଲା ଆକାଶଟି ହାଇ ମାରୁଛି, କୁମ୍ଭକର୍ଣ୍ଣ ପରି ।  


ରବିଶଙ୍କର ଆକାଶ ଆଡୁ ମୁହଁ ବୁଲେଇ ଆଣି କମଳାକୁ ଦେଖିଲେ । ପଚାରିଲେ, କମଳା ! ମଣ୍ଟୁକୁ ଆମେ ଜିଲ୍ଲା ସ୍କୁଲକୁ ପଠେଇବୁ ବୋଲି ସବୁ ପ୍ରସ୍ତୁତି ସରିଛି । ଦୁଇ ଜଣଙ୍କୁ ଜିଲ୍ଲା ସ୍କୁଲ ପଠେଇବା କଣ 

ସମ୍ଭବ ? ଏମିତି ବି ଅଳ୍ପ ଦରମା, ଘର ଖର୍ଚ୍ଚକୁ ନିଅଣ୍ଟ । କଣ ଭାବୁଛ ! ମଣ୍ଟୁର ଟିସି ବି କାଟି ନେଇ ଆସିଛୁ ଗାଆଁ ସ୍କୁଲରୁ । ଗ୍ରୀଷ୍ମ ଛୁଟି ଖୋଲିଲେ ଜିଲ୍ଲା ସ୍କୁଲ ଯାଇ ଏଡମିସନ୍ କରିବା କଥା । 

କମଳା ଦୀର୍ଘଶ୍ଵାସଟିଏ ମାରି ପୁଣି ଥରେ ହଜିଗଲେ ଆକାଶରେ ଉଡୁଥିବା ରଙ୍ଗ ବେରଙ୍ଗ ବେଲୁନ ଭିତରେ । କେତେ ଭିଡ଼, ଜୀବନର ଏଇ ତ୍ରିଛକରେ ! ଠିକ୍ ରାସ୍ତା କଣ ସହଜରେ ବାରି ହୁଏ । ଭାବନାରେ ବୁଡିଗଲେ କମଳା...


"ପ୍ରଥମ ଜନ୍ମ ଦିନରେ ରୂପା କଡାଟିଏ ଦେଇଥିଲି ଟୁଟୁକୁ । ଶାଶୁଙ୍କ ଆଗରେ କେତେ ଅପମାନ କଲେ ଝରଣା ଦିଦି । ଗାଆଁରେ ଜଣ ଜଣଙ୍କୁ ଡାକି ଦେଖେଇଲେ ଦେଖ ! ପ୍ରଥମ ଜନ୍ମଦିନରେ ଆମ ବୋହୂ ରାଣୀ ପୁଅକୁ କଣ ଦେଇଛି !!! ସେତେବେଳେ ରବି ଚାକିରୀ ପାଇନଥିଲେ । ପୈତୃକ ସମ୍ପତ୍ତିକୁ ଛାଡି ଦେଲେ ତାଙ୍କ ପାଖରେ କିଛି ନଥିଲା । ସୁନା ମୁଦିଟିଏ ଦେବି ବୋଲି ଭାବିଥିଲି । ସମ୍ଭବ ହେଲାନି । ମୁଁ ମୋ ବୋଉଠୁ କିଛି ପଇସା ଉଧାର କରି ରୂପା କଡାଟିଏ କିଣିଥିଲି ଟୁଟୁ ପାଇଁ । ଅପମାନରେ ମୁଁ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲି ସେଇଦିନ । 

ମଣ୍ଟୁ ଜନ୍ମ ପର୍ଯ୍ୟନ୍ତ ରବିଙ୍କ ଚାକିରୀ ନଥିଲା । ଆମ ବୋଝ ନେବାକୁ ଚାହିଁଲେନି ସେମାନେ । ଝରଣା ବଡ଼ ଭାଇଙ୍କୁ ବୁଝେଇ ଶୁଖେଇ ଅଲଗା ହୋଇ ରହିଲେ ଆମ ପାଖରୁ । ଘର ଡିହରେ ପାଚେରୀଟିଏ ଛିଡା ହେଲା । ଏଇ ଦୁଇ ତିନି ବର୍ଷ ହେବ ରବି ଚାକିରୀଟିଏ ପାଇଛନ୍ତି ବ୍ଲକ୍ ଅଫିସରେ । ଟାଇପିଷ୍ଟ୍ । ପ୍ରତି ମାସରେ ଥରେ ଝଗଡା ନ କଲେ ଝରଣା ଦିଦିର ଭାତ ହଜମ ହୁଏନି । କେତେବେଳେ ପଣସକୁ ନେଇ ତ କେତେବେଳେ ନଡ଼ିଆ ଭାଗକୁ ନେଇ । କେତେ କଥା କହିଯା'ନ୍ତି, ଟାଇପିଷ୍ଟ୍ ଚାକିରୀ, ସେଇଥିରେ ପୁଣି ଏତିକି ଫୁଟାଣି । ମୁଁ ବି କଣ ଛାଡୁଥିଲି, ଇଆଡୁ ସେଆଡୁ ବକୁଥିଲି ଝରଣା ଦିଦିଙ୍କୁ । "


କଣ ହେଲା କିଛି କହିଲନି ଯେ, ରବିଶଙ୍କର ଆଉଥରେ ମନେ ପକେଇ ଦେଲେ କମଳାଙ୍କୁ । ଆଖି ଛଳ ଛଳ କରି କହିଲେ, ମଣ୍ଟୁ ଏଇଠି ପଢୁ ଟୁଟୁ ସାଥିରେ । ତମେ କହୁଥିଲ ନା ଛଅ ମାସ ପରେ ପ୍ରଥମ ପ୍ରମୋସନ୍ ପାଇବ ବୋଲି । ଦରମା ତିନି ହଜାର ବଢ଼ିଯିବ । ଆସନ୍ତା ବର୍ଷକୁ ଦୁଇ ଜଣଙ୍କୁ ଜିଲ୍ଲା ସ୍କୁଲରେ ଛାଡି ଆସିବା, ନ ହେଲେ ଲୋକେ ହସିବେ, କହିବେ, ଦେଖ ! ଭାଇ ଭାଉଜ ନାହାନ୍ତି ବୋଲି କାକା, କାକୀ ତାଙ୍କ ଛୁଆକୁ କେମିତି ଅବହେଳା କରୁଛନ୍ତି !!! ନିଜ ପୁଅକୁ ଜିଲ୍ଲା ସ୍କୁଲରେ, ଭାଇର ପୁଅ ଗାଆଁ ସ୍କୁଲରେ । 

ଜାଣିଛ ନା ଜୀବନଟା ଏତେ ସହଜ ନୁହେଁ, ଅସମାହିତ ପ୍ରଶ୍ନ ସବୁ ରାସ୍ତା ଉପରେ ଛିଡ଼ା ହୋଇ ଆହୁରି ଜଟିଳ କରି ଦିଅନ୍ତି ଜୀବନକୁ । ଏଇଠି କେହି କାହାର ଖୁସି ଦେଖନ୍ତିନି । ଅନ୍ଧ, ମୂକ, ବଧିର ପରି ସ୍ଥାଣୁ ହୋଇ ପାରିଲେ ଶବ୍ଦହୀନ ଦୁନିଆକୁ ଅନୁଭବ କରିହୁଏ, ଶାନ୍ତ, ଶୀତଳ ଜହ୍ନ ପରି । ତାହା ବି ଏତେ ସହଜ ନୁହେଁ ରବି !


ରବିଶଙ୍କର ହସିଦେଇ କୋଳେଇ ନେଲେ କମଳାଙ୍କୁ, ତମେ ଯାହା ଚାହିଁବ ତାହା ହିଁ ମୁଁ କରିବି । ଯିଏ ଯାହା ଭାବୁଛି ଭାବୁ !! ତମେ କିନ୍ତୁ ଭାରି ମିଠା କଥାଟିଏ କହିଲ କମଳା । ଏମିତି କେତେ ଜଣ ଅଛନ୍ତି, କହିଲ ! କଲିଜାକୁ ପଥର କରି ଆଉ କାହା ପାଇଁ କେହି କଣ ଭାବିପାରନ୍ତି !!!! 


*****

ଦୁଇ ଛୁଆଙ୍କୁ ମଝିରେ ଶୁଆଇ ନିଘୋଡ଼ ନିଦରେ ଶୋଇଛନ୍ତି ରବିଶଙ୍କର ଆଉ କମଳା । ଟୁଟୁ ସ୍ୱପ୍ନରେ ଦେଖୁଥିଲା ବୋଉକୁ । ସ୍ୱପ୍ନରେ ପଚାରିଲା । ବୋଉ ! ତୁ କଣ ଆଉ ଫେରିବୁନି । ମୁଁ କଣ ସବୁ ଦିନ ମଣ୍ଟୁ ଘରେ ରହି ପାରିବି ! କାଲିଠୁ ସ୍କୁଲ୍ ଖୋଲିବ । ମୁଁ ଦ୍ଵିତୀୟ ଶ୍ରେଣୀରେ ବସିବି ବୋଉ । ତୁ ନ ଥିବୁ ! ମୋ ହାତ ଧରି ରିକ୍ସାରେ ବସେଇବ କିଏ ? ତୁ ତ ଜାଣିଛୁ, ମୁଁ ପ୍ରତିଦିନ ଗୋଟାଏ ଗୋଟାଏ ସିଝା ଅଣ୍ଡା ଖାଏ ବୋଲି, ସ୍କୁଲ୍ ଟିଫିନ୍ ବାକ୍ସରେ ସବୁଦିନ ସିଝା ଅଣ୍ଡା ଦେବ କିଏ କାଲି ଠୁ ? 

ତୁ କାକୀଙ୍କ ସାଥିରେ ସବୁଦିନ ଝଗଡା କରୁ । ସେ କଣ ଟିଫିନ୍ ବାକ୍ସରେ ମୋ ମନପସନ୍ଦ ଖାଇବା ଦେବେ ? ନିଦ ଭାଙ୍ଗିଗଲା, ଦେଖିଲା କାକୀ ପାଖରେ ଶୋଇଛନ୍ତି । 

କାକୀଙ୍କ ଉପରେ ଗୋଡ଼ ପକେଇ ନିର୍ଭୟରେ ଆଉ ଥରେ ଶୋଇ ଗଲା ଟୁଟୁ । 

*******

ଦୁଇ ଭାଇ ସ୍କୁଲଗଲେ ଗୋଟାଏ ରିକ୍ସାରେ ବସି । ପ୍ରଥମ ଦିନ । ଗୋଟାଏ ସ୍କୁଲ, ଗୋଟାଏ ଶ୍ରେଣୀରେ । ବେଶ୍ ମନ ଲାଗିଲା ଦୁଇ ଭାଇଙ୍କୁ । ଖାଇବା ବେଲ୍ ବାଜିଲା । ଦୁଇ ଜଣ ସାଥିରେ ଖାଇ ବସିଲେ । ଯେ ଯାହାର ଲଞ୍ଚ ବକ୍ସ ଖୋଲିଲେ ।  

ଦେଖ ମଣ୍ଟୁ ! ପରଟା ଆଳୁ ଭଜା ସାଥିରେ କଣ ଦେଇଛନ୍ତି କାକୀ !

କଣ ?

ସିଝା ଅଣ୍ଡା, ମାଇଁ ଫେଭୋରାଇଟ !!! ଟୁଟୁ ଚିଲେଇଲା । 

ଓଃ, ସିଝା ଅଣ୍ଡା ! ମୁଁ ଖାଏନି ବୋଲି ବୋଉ ମୋତେ ଦେଇନି । 

ଟୁଟୁର ଆଖି ଭରି ଆସିଲା, ଜାଣିଛୁ ମଣ୍ଟୁ, ମୋ ବୋଉ ବି ସବୁଦିନ ସିଝା ଅଣ୍ଡା ଦେଉଥିଲା ମୋ ଟିଫିନ୍ ଡବାରେ, ଯେସ୍ ମାଇଁ କାକୀ ଇଜ୍ ଗ୍ରେଟ୍ !!!! ସି ନୋସ୍ ହ୍ୱାଟ୍ ଆଇ ଲାଇକ୍ !!!

କ୍ଲାସ ଟିଚର ଦୂରରେ ରହି ଦେଖୁଥିଲେ ଦୁଇ ଭାଇଙ୍କ ଏ ଦୃଶ୍ୟକୁ । 

ଭାବୁଥିଲେ, ମାଆର ଅନୁପସ୍ଥିତିରେ ସୃଷ୍ଟି ହୋଇଥିବା ଶୂନ୍ୟ ସ୍ଥାନ, ଆଉ ଜଣେ ନାରୀ ପୂରଣ କରି ପାରିଲେ ପୃଥିବୀଟି କେତେ ସୁନ୍ଦର ଲାଗେ ନା ....

କିଏ କହିଲା, ଟୁଟୁ ବାପ ମାଆ ଛେଉଣ୍ଡ ବୋଲି, ତା ପାଖରେ ମାଆ ଠାରୁ ବି ଅଧିକ ସ୍ନେହୀ ମା'ଟିଏ ଅଛନ୍ତି, ମଣ୍ଟୁର ବୋଉ !!

ଆନନ୍ଦାଶ୍ରୁ ଦୁଇ ଟୋପା ବୋହି ଆସୁଥିଲା କ୍ଲାସଟିଚରଙ୍କ ଅସହାୟ ଆଖି ଭିତରୁ, କାରଣ ସେ ବି ତ ଜଣେ ନାରୀ ....ଭାବୁଥିଲେ, ନାରୀ ହୃଦୟଟା ସର୍ବଦା ଉନ୍ମୁକ୍ତ ଥାଏ ... ଅନ୍ୟମାନଙ୍କ ପାଇଁ, ବୋଧହୁଏ । 




Rate this content
Log in

More oriya story from Nityananda Nandi

Similar oriya story from Inspirational