Pratima Das

Drama Inspirational Tragedy

5.0  

Pratima Das

Drama Inspirational Tragedy

ଶୂନ୍ୟତା

ଶୂନ୍ୟତା

13 mins
619


ଶୂନ୍ୟତା -୧


ଶୂନ୍ୟତା ସହ କଣ ବଞ୍ଚିହୁଏ? ଏ ଯେଉଁ ଶୂନ୍ୟତା କଥା ଲେଖିବାକୁ ଯାଉଛି ତାହା ନିରୂତା ପ୍ରେମର।


ମୁଁ ଲାଲି... ଅବିବାହିତା, ପୁସ୍ତକ ଜ୍ଞାନଛଡା ପ୍ରତ୍ୟକ୍ଷ ଘରସଂସାର ଜ୍ଞାନ ମୋର ନାହିଁ। ତେଣୁ ସାଂଗ ଗୀତାକୁ ବାହାସାହା ହୋଇ ନିରୂତା ପ୍ରେମ ବିନା କିପରି ରହିଛି ରଞ୍ଜିତ ପାଖରେ ଦେଖି ମୁଁ ଆଶ୍ଚର୍ଯ୍ୟ ଚକିତ ହୋଇ ଗଲି। । ଏହା ମୋ ଚିନ୍ତାର ପରିସର ବାହାରେ ଥିଲା।


ମୋ ସରଳ, ନିର୍ମଳ ମନର ପିଲାଦିନ ସାଥିଟିକୁ  ଏପରି ଅବସ୍ଥାରେ ଦେଖି ମୁଁ ମ୍ରିୟମାଣ ହୋଇ ପଡିଥିଲି। ଇଛା ହେଉଥିଲା ପଚାରି ଦେବାକୁ, ତୁ କେଉଁଥିରେ ଗଢା ? ଏମିତି ବୁଝାମଣାର ଅର୍ନ୍ତଦୃଷ୍ଟି ତୁ କେବେଠୁ ବଢେଇଲୁ ? ଆଉ ଏସବୁ କାହିଁକି ସହିଛୁ ? କୋଠରୀରେ ବାୟୁ ତ ଅଛି ହେଲେ ଅମ୍ଳଜାନ ହୀନ କୋଠରୀରେ କିପରି ନିଶ୍ବାସ ନେଉଛୁ ? ଯେପରି ନାମକୁ ମାତ୍ର ବାହା ହୋଇଛୁ, ହେଲେ ସ୍ୱାମୀର ସ୍ନେହ ସୁଆଗ କାଇଁ ଏଠି। କାହିଁକି ରହିଛୁ ଏଠି?


ତୋର କଣ କେହି ନାହିଁ? ମୁଁ ଆସିଗଲିଣି ପରା ।


ଗୀତା ଆଉ ମୁଁ ମାଟ୍ରିକ ଯାଏଁ ଗୋଟିଏ ଘରେ ରହି ଗୋଟିଏ ଥାଳିରେ ଖାଇ ପାଠ ପଢିଛୁ କହିଲେ ଚଳେ। ଗୀତାର ବାପା ମାନେ ଗାଁ ହିସାବରେ ଯିଏ ମୋ ମାମୁଁ ଲାଗିବେ ସେ ମାଷ୍ଟର ଆମ ଗାଁ----- ବାଳକ ଉଚ୍ଚବିଦ୍ୟାଳୟରେ । ବାପାବୋଉ ଠିକ କଲେ ମୁଁ ତାଙ୍କରି ଘରେ ରହି ପଢାପଢି କରେ। ଯଦିଓ ଆମ ଘରଟି ଗୀତା ଘରଠୁ ଗୋଟିଏ ଘର ମାତ୍ର ଛଡା।


ମୋ ବାପାଙ୍କ ଚାକିରି ଭୁବନେଶ୍ୱର ସେକ୍ରେଟେରୀଟରେ। ହେଲେବି ବୋଉ ମୋର ବିଲବାଡି, ଜେଜେମା ଜେଜେବାପାଙ୍କୁ ଛାଡି ଭୁବନେଶ୍ୱରରେ ରହିପାରେନି କି ବାପାଙ୍କ ସାଂଗରେ ଯାଇ ପାରେନି କେବେ କେମିତି ବି ।

ଯଦିଓ ମୋ ଇଛା ଥାଏ ମୁଁ ଭୁବନେଶ୍ବର ରହି ପାଠ ପଢନ୍ତିକି ? ବାପା ହପ୍ତାକୁ ଶନି, ରବିବାର ଏବଂ ଅନ୍ୟାନ୍ୟ ଛୁଟିଦିନରେ ଗାଃକୁ ଆସି ଘରେ ରହି ଆମମାନଙ୍କ କଥା ବୁଝି ପୁଣି ଚାକିରିକୁ ଚାଲିଯାନ୍ତି ।


ରୋଷେଇବାସ ସରିଗଲେ, ବୋଉ ସବୁ ଖାଇବା ସଜ କରି ଆଣି ପଂହଚି ଯାଏ ଗୀତା ଘରେ। ଗୀତାକୁ ଆଉ ମୋତେ ଖୁଆଇ ଦେଲାପରେ ଯାଇ ଘରକୁ ଯାଏ। ମାଇଁ ଭାରି ରାଗି ବୋଉକୁ ଶୋଧନ୍ତି । ଝିଅ ତ ମୋର, ଘରତ ମୋର, କଣପାଇଁ ଏ ଖାଇବା ପିଇବା ପୁଳାଏ ଲାଖେ ନିଇତି କରି ଆଣୁଛ ଶୁଣେ?


ବୋଉ ମାଇଁଙ୍କ ହାବୁଡରୁ ଖସିବା ପାଇଁ ଆଉ ସତସତିକା ବି ଟିକେ ନାକ ସୁଁ ସୁଁ କରି କାନ୍ଦି ପକାଏ। ଭାଉଜ ଏମିତି କହିବନି ମୋର ନ'ଟା ନା ଛଟା ଏଇ ଗୋଟିକ ତ। ଆଉ ଗୀତା କଣ କିଛି ନୁହେଁ ମୋର? କଣ ବା ଅଧିକ କରୁଛି? ଘରେ ଆମ ପାଇଁ ଯାହା ଫୁଟାଉଛି ସେଇଆକୁ ତ ନେଇକି ଆସୁଛି। ମୁଁ କଣ ତୁମ ପାଇଁ ଆଣୁଛି। ମୋ ଦି ଝିଅଙ୍କ ପାଇଁ ତ ଆଣୁଛି। ଏତିକି କଥାରେ ମାଇଁ ଆଉ ଆଗକୁ ଯାଇ ପାରନ୍ତିନି। ଗେହ୍ଲେଇ ବାଛୁରୀ ପରି କୁହନ୍ତି ଯାହା କରୁଛ କର ଲାଲି କିନ୍ତୁ ମୋ ଝିଅ। ତା କନ୍ୟାଦାନ ଆମେ ଦି ପ୍ରାଣୀ କରିବୁ। ହଁ ଭାଉଜ ଲାଲି ଚଣ୍ଡୀ ତୁମର ହେଉ। ଏଇ ସୁନାନାକି ଗୀତାଟି କିନ୍ତୁ ମୋର ବୋଉ କୁହେ ।ମୁଁ ବୋଉକୁ ଖତେଇ ହୁଏ ସେତେବେଳେ। ଗୀତାର କନ୍ୟାଦାନ ଆମେ କରିବୁ। ଘର ହସରେ ଫାଟି ପଡେ।


କନ୍ୟାଦାନ ଶବ୍ଦଟି ମୋ ମୁଣ୍ଡରେ ଭାରି ଖଟକେ । ଆମେ କଣ ଜିନିଷ,ଆମକୁ ଦାନାର୍ଥେ ଚତୁର୍ଥୀ କରି ଦେଉଛନ୍ତି। ପଚାରିବି ପଚାରିବି ହୋଇ କଥା ରହିଯାଏ ।ପାଠ ଚାପରେ।


ବାସ ଏ ମଧୁର ନାଟକ ନିରୁତା ସମ୍ପର୍କରେ ଆମ ପିଲାଦିନ ଜୀବନ ଗଢା ହୋଇଥିଲା ।


ତେଣୁ ମୋ ଖାଇବା ,ପିଇବା, ପଢିବା, ଶୋଇବା ସବୁ ଗୀତା ଘରେ। ଏମିତି ଭୁଲରେ ବି କୌଣସି ଗୋଟିଏ ଦିନ ଆସିନି ଆମେ ଏକାଠି ଖାଇନୁ ବା ଏକାଠି ସ୍କୁଲ ଯାଇନୁ। ମୋର ପାଠ ସହ କିଛି ଉତବାତିଆ ଅଝଟିଆ ଗୁଣ ଥିଲା।ବାପା ମୋ ଉପରେ କେବେ ବିଗିଡିଲେ ବୋଉ ବି ତାକୁ କିପରି କ୍ଷମା କରିଦେବାର ଉପାୟ କାଢିଥିଲା ଶୁଣିବେ? କଣ ନା ଦୁଇ ଚାରୋଟି ମରି ମରି ଗୋଟିକିଆ ଛୁଆଟିଏ ତ, ଅପର୍ତିଆଣୀ ପିଲାଟି ଏପରି ହୁଏ। ଜେଜ ମା ବି ସାଂଗ ଦିଏ। ମୁଁ ଅପର୍ତିଆଣୀ। ସେଥିପାଇଁ ମୋର ଗୋଟେ ଗନ୍ଧିଆ ନାମ ଥିଲା।ହାଡିଆଣୀ।ଜେଜେମା ଦେଇଥିଲା।ଯା'ହେଉ କେହି ସେ ନାମରେ ଡାକନ୍ତିନି। ଗେହ୍ଲା ହୋଇ ମୁଁ ବଡ଼ ହୋଇଛି। ତେଣୁ ମୁଁ ପିଲାବେଳେ କାହାକୁ ଡରିନି ।ବୋଉର ଏତିକି କଥାରେ ବାପା ବେଶୀ ଆକଟନ୍ତିନି ଆଉ। ମୁଁ ବେଶୀ ଭଲ ପଢେ ବୋଲି ବି ମାମୁଁ ଟିକେ ସ୍ନେହ ଅଧିକ ଦିଅନ୍ତି।


ଉତବାତିଆ ଗୁଣ ଭିତରେ ଯେପରିକି ମୋ ଭାଗ ସୁଆଦିଆ ତରକାରୀ ଖାଇ ଦେଇ ଗୀତା ତରକାରୀ ତକ ଖାଇ ଦୌଡିବି। ବୋଉ ରାଗିଲା ବେଳକୁ, ମାଇଁ ମୋତେ କୋଳରେ ପୁରାଇ ମୁହଁ ପୋଛି ଦେଉଥିବେ। ଗୀତା କହିବ ଖାଉ ଲାଲି । ମୁଁ ଆଉ ଖାଇ ନ ଥାନ୍ତି। ସ୍କୁଲରୁ ଫେରି ଡ୍ରେସପଟା ଫିଗି ଦେବି ଗୀତା ସବୁ ସଜାଡି ଦେବ ମାଇଁ ସଜାଡିବା ଆଗରୁ। ପେନସିଲ ଓଳାଇ ଗୀତା ରଖିଥିବ, ଭାରି ଚିକ୍କଣୀଟିଏ ସେ। ମୋ ମୁନ ଭଂଗା ପେନସିଲ ପକାଇ ତା ମୁନିଆ ପେନସିଲ ନେଇଯିବି। ଏମିତିକି ମୋ ଅସୁବିଧା ପାଂଚ ଦିନରେ ଯାହା ମୋ ଜୀବନର ସବୁଠୁ ଅବାଂଛିତ ଦିନ ଭାବେ ମୁଁ ଚିଡି ଉଠେ , ସେ ଦିନରେ ବି ,ମୋ ବୋଉ ଅପେକ୍ଷା ଗୀତା ମୋର ବେଶୀ ଯତ୍ନ ନିଏ। କାହିଁକି ମୁଁ ଝିଅ ହେଲି ଚିଡି ଉଠିଲେ ବୁଝାଏ ଏମିତି ହେଲେ ଚଳିବ। ଝିଅ ହୋଇ ଜନ୍ମ ନେଇ ସାରିଛୁ ବା।


ଗୀତା ଟିକେ ସାଂଗ କମ ମା ମା ଅଧିକ ଲାଗେ । ତେଣୁ ମୋ ଘାଣ୍ଟୁରା, ଉତବାତିଆ, ଚଗଲାପଣକୁ ସମ୍ଭାଳି ନିଏ। ତେଣୁ ମନ ମତାନ୍ତର ସ୍ଥାନ ପାଇନି ଆମ ଦି ଜଣଙ୍କ ଭିତରେ କେବେ ବି । ଆଉ ତ ସେପରି କିଛି ଯୌଗିକ ଆବଶ୍ୟକତା ବା ହୀନବୁଦ୍ଧି ଆମ ଦିଜଣଙ୍କ ପାଖେ ନ ଥିଲା ତେଣୁ ସମସ୍ୟା ବି ନ ଥିଲା।


ତା'ଠୁ ଯେବେ ମୁଁ ଅଲଗା ହେଲି ଅଧିକ ଅଧିକ ଦୂରେଇଲି ମୋ କ୍ୟାରିଅରକୁ ନେଇ ସେତେ ସେତେ ଝୁରିଲି ତାକୁ। ମୋ ଆଖି ଜକେଇ ଆସେ ଲୁହରେ ତା'କଥା ମନେ ପଡ଼ିଗଲା ବେଳେ।ଏମିତି ସାଂଗ ଟେ, ଏ ସ୍ବାର୍ଥପର ଦୁନିଆଁରେ କିପରି ସମ୍ଭବ ନିଜକୁ ପଚାରେ।


ଭୀଷ୍ମ ପ୍ରତିଜ୍ଞା ମନେ ମନେ ନିଏ ଏବେ ସିନା କ୍ୟାରିୟର ପାଇଁ ଗୀତାର ଭଲମନ୍ଦରେ ଛିଡା ହୋଇ ପାରୁନାହିଁ, କିନ୍ତୁ ଯେବେ କିଛି ବି ଅସୁବିଧା ଗୀତା ଜୀବନରେ ଆସିବ ଆଗ ମୁଁ ପଂହଚିବି ତା ପାଖରେ।


ଠିକ ମାଟ୍ରିକ ବର୍ଷ, ସଂଧ୍ୟା ବୋଲି ନୁଆ ଝିଅଟିଏ ଆମ କ୍ଲାସକୁ ଆସିଲା। ସୁଦୂର ଭୂବନେଶ୍ବରରୁ ସେ ଆସିଥିଲା।


ଠିକ ଆମର ମାଟ୍ରିକ ବର୍ଷ ସଂଧ୍ୟା ନାମ୍ନୀ ଝିଅଟିଏ ଆସିଲା ଭୁବନେଶ୍ୱରରୁ, ତା ମାମୁଁ ଘରେ ରହି ପଢି ପରୀକ୍ଷା ଦେବାକୁ। ସଂଧ୍ୟା ଭୁବନେଶ୍ବରର ପାଣିପବନ, ଖାଦ୍ୟପେୟରେ ବଢି ଆଧୁନିକା ମନେ ହେଉଥିଲା । ଆମ ବାଳିକା ଉଚ୍ଚବିଦ୍ୟାଳୟକୁ ସତେକି ଏକ ଓଡିଆ ଚଳଚିତ୍ର ନାୟିକାର ଆଗମନ ହେଲା।


ବାଳକମାନଙ୍କ ଭିତରେ ଏକ ଆମୋଦପ୍ରମୋଦର ଲହରୀ ଖେଳି ଯାଇଥିଲା। ଗାଁ କନିଆଁ ସିଂଗାଡି ନାକି ଧାରାରେ ଆମକୁ ଅଗ୍ରାଧିକାର ଆଉ ଦେଲେନି, ବାଳକମାନେ। ଆମ କ୍ଲାସମେଟମାନଙ୍କ ଭିତରେ ସେ ବାରି ହୋଇ ପଡୁଥିଲା।


ଏମିତି ନୁହେଁକି ଆମ ଗାଁରେ ସୁନ୍ଦରୀଙ୍କର ଅଭାବ ଥିଲା। ଆମ ଶ୍ରେଣୀରେ ବି ଆମେ ବହୁତ ଜଣ ସୁନ୍ଦରୀ ଥିଲୁ କିନ୍ତୁ ପାଠପଢା ଆମର ଏକ ବ୍ରତ ଥିଲା କିଛି ଅପରିପକ୍ବ ପ୍ରତିଜ୍ଞା ସହ।


ଯେପରିକି ନଖ ବଢାଇବୁନି, କ୍ରିମ ,ସ୍ନୋ,ପାଉଡର ଲଗାଇବୁନି। ଲିପଷ୍ଟିକ ଆଇବ୍ରୋ ତ ଦୂରକଥା। ଯଦି ଏଗୁଡା କେ କରୁଛି ତା ଛାତ୍ରୀଜୀବନ--ନିଷ୍ଠାରେ ସାଧୁତା ନାହିଁ ବିଚାର ହେଉଥିଲା। ସେ ପଢାଖୁ ନୁହେଁ ବୋଲି ବି ଟ୍ୟାଗ ଲାଗିଯାଏ। ଭଲ ଚରିତ୍ରବତୀ ଛାତ୍ରୀ ନୁହେଁ ବୋଲି ବିବେଚିତା ହେଉଥିଲା ।


ଶିକ୍ଷକ,ଅଭିବାଭକ ଏବଂ ବଡସାନଙ୍କ ଗହଣରେ ଏକ ଅବହେଳିତ ଦୃଷ୍ଟିର ସାମନା କରିବାକୁ ପଡ଼ୁଥିଲା। ତେଣୁ ସେହି ସାଧୁ ଛବିଟିକୁ ଯତ ପରୋନାସ୍ତି  ଧରି ରଖିବାକୁ ଚେଷ୍ଟିତା ରହୁଥିଲୁ ଆମେ ସମସ୍ତେ ,ବିଶେଷ କରି ଛାତ୍ରୀମାନେ ।


ଆମେ ଭଲ ପଢୁବୋଲି ସଂଧ୍ୟା ଆମମାନଙ୍କ ସାଂଗରେ ମିଶିଗଲା, ନଚେତ ଅନ୍ୟମାନଙ୍କ ଆଗରେ ଭାରି ଭାଉ କାଢେ। ସେତେବେଳେ ଆମ ଗାଁ ପରିବେଶରେ ଭାଉଗିରି ଏତେଟା ନଥିଲା।


ଭାଉ ବି କଣ ଦେଖାଇବୁ । ନଂଗଳାମୁକୁଳା ହୋଇ ସେହି ପାଣି ପବନରେରେ ତ ଏକାସାଥେ ବଢିଲୁ। ଏକା ତୁଠରେ ଗାଧୋଇଲୁ। ଏକାଠି ଖୁଦୁରୁକୁଣୀ, ଜହ୍ନି ଓଷା ପାଳିଲୁ।ଗୋଟିଏ ତୁଠରେ ବାଲୁଙ୍କା ଥାପିଲୁ।ତା ମୁଣ୍ଡ ଘଷି ଜଣେ ସଫା କରି ଦେଲା ବେଳକୁ ଆଉ ଜଣେ ଟାଣି କାହା ମେଲା ପିଠି ଘଷି ଦେବଣି ଜଣଙ୍କର ।କେତେ ମଳି କିଲୋ ବଉଳ ତୋ ପିଠିରେ କହି। ସଂଗାତ, ଅଭଡା,ସହି,ମଇତ୍ର ଡକାଡକି ହେଲୁ। ଏକା ନାଆର ଯାତ୍ରୀ ସବୁ।


ବଡ -ସାନ , ଭେଦ-ଭାବ ବିଶେଷ ନଥିଲା, ଜାତିଆଣ ଭାବକୁ ଛାଡିଦେଇ।


ଆମେ ଷ୍ଟାଇଲ କଣ ବିଶେଷ ଜାଣି ନ ଥିଲୁ। ଯେତିକି ଗାଁଉଲିଆ ଫେସନ ଜଣାଥିଲା ତାକୁ ବି ଇମେଜ୍ ଖରାପ ହେବା ଭୟରେ କରୁନଥିଲୁ। ବହୁତ କମ ଝିଅ ଷ୍ଟାଇଲ କରୁଥିଲେ । ପୁଅଦଳଙ୍କଠୁ କମେଣ୍ଟ ବି ଖାଉଥିଲେ ,ଦେଖ...ବେ ଷ୍ଟାଇଲ ମାରୁଛି।


ସଂଧ୍ୟା କିନ୍ତୁ ଭଲ ମାର୍ଜିତ ଷ୍ଟାଇଲ କରୁଥିଲା।ସେ ମୁଣ୍ଡରେ କେଉଁ ତେଲ ଲଗାଉଥିଲା କେଜାଣି ,ତା ଚୂଟି ଖୁବ୍ ଘଂଚ ଆଉ ଲମ୍ବା ଥିଲା। ସେ ପାଖ ଦେଇ ଗଲାବେଳେ ବଢିଆ ବାସ୍ନା ଛାଡେ। ତା'ବେଣୀ ଆଜାନୁ ଲମ୍ବିତ ।ତା ଚାଲି ସହ ତା ବେଣୀ ଦୁଇଟି ତାଳ ମିଳାଇ ଏକ ମନମୋହକ ଲାଳିତ୍ୟରେ ବାଁଏ ଡାଁଏ ହେଉଥାନ୍ତି। ନ ଦେଖିଲା ଲୋକ ବି ତାକୁ ଅନାନ୍ତି।


ସେ ପୁଣି ଆମମାନଙ୍କ ପରି ଶିକାକାୟୀ ସାବୁନ କିମ୍ବା ଅନ୍ୟ ସାବୁନ ଅବା ଖଳି ମାଟିରେ ମୁଣ୍ଡ ଧୋଉ ନଥିଲା। ସେ ଏକ ସାମ୍ପୁରେ ମୁଣ୍ଡ ଧୁଏ ଫଳରେ ତା ଚୁଟି ଏପରି ସୁନ୍ଦର।


ମୁଁ ବି ଜିଦି କରିଥିଲି ସେ ବୟସରେ ସାମ୍ପୁ ଲଗାଇବା ପାଇଁ, ବାପା ଆଖି ଖରାପ ହେବ ସେ ଫେଣ ଲାଗି କହି ବାଁଆରେଇ ଦେଇଥିଲେ ମୋତେ। କିନ୍ତୁ ବୋଉକୁ କହିବା ଶୁଣିଛି, ଲାଲିକୁ ସାମ୍ପୁ ଫାମ୍ପୁ ଦେବନି।


ବାଳ ଫୁର ଫୁର କରି ଉଡେଇ କାର୍ଲିସ ବାହାର କରିବ। ସମସ୍ତଙ୍କ ଆଖି ପଡିବ ଝିଅଠି। ଝିଅ ହିରୋଇନ ହେବ ନା କଣ? ବୋଉ ଟିକେ ନସମୀ ଯାଏ ସିନା, ମୋ କଥା ଭାବି କିନ୍ତୁ କହିଦିଏ ହିରୋଇନ ହେବା ଖରାପ କଣ? ବାପାଙ୍କ ରାଗ ଉଠିବ ସେଇଠୁ କହିବେ, ସେ ଅଧ ନଂଗୁଳି ଫଟୋ ଗୁଡା କାନ୍ଥରୁ କାଢିଦିଅ କହୁଛି। ତୁମ ମା ଝିଅ ସେ ହିରୋଇନ  ଗୁଡାଙ୍କୁ ନିଜର ଆଦର୍ଶ ମାନିଲଣି ଦେଖୁଛି। ବୋଉ ସେଇଠୁ କହିବ କାହିଁକି ସେମିତି ହେଉଛ ଶୁଣେ, ଏ ଶୁଖିଲା ଘରଟିର ତ ଏଇ ରୂପଛବି ଯୋଡିକ ମାତ୍ର। କଣ ତୁମର ବିଗାଡୁଛି । ବାପା ସେଇଠୁ ଆଉ କିଛି କୁହନ୍ତିନି।


ବାପା ସେ ଲଂଗୁଳି ହିରୋଇନଙ୍କ ଫଟୋ କାନ୍ଥରୁ କାଢିବାକୁ କୁହନ୍ତି ସିନା ମୁଁ କିନ୍ତୁ ଲକ୍ଷ୍ୟ ରଖିଛି ବାପାଙ୍କ ଅଲକ୍ଷରେ, ସେ ଫଟୋ ଦୁଇଟିକୁ ବାପା ନୁଚେଇ ନୁଚେଇ ଅନେକ ସମୟରେ ଦେଖନ୍ତି। ଭାରି ସୁନ୍ଦର ଫଟୋ ଦିଟା। ସେହି ହିରୋଇନଙ୍କ ଫଟୋ ବିଷୟରେ ଟିକେ କହିଦିଏ।


ବୋଉ ତା' ବାପାଙ୍କୁ କହି ବନ୍ଧେଇ ଥିଲା ସେ ଫଟୋ ଦିଓଟି । ଜଣେ ତା ଭିତରୁ ବୈଜୟନ୍ତି ମାଳା ଯେ ଛାତିରେ ଦାକ୍ଷିଣାତ୍ୟର କଂଚୁଲି ଭିଡି ଥିବେ ଆଉ ଅର୍ଧ ଶୟନ ଅବସ୍ଥାରେ ପରଯୁକ୍ତ କାଠି କଲମରେ କିଛି ଆଙ୍କୁଥିବେ। ଆଉ ଜଣେ ମଧୁମାଳା। ଧଳା ଶାଢୀରେ ଅପୂର୍ବା ସୁନ୍ଦରୀ।କେୟାରଲେସ ଦମକା ଦମକା ବାଳ ମୁହଁ ଉପରେ ପଡିଥିବ। ପ୍ରଶ୍ନ ଚିହ୍ନ ପରି କେୟାରଲେସ ଚୂଟି ମୋଡି ହୋଇ ହୋଇ କାନପଟି ପାଖରୁ ତାଳୁ ଯାଏଁ ଗୋଟି ଗୋଟି ଥୁଆ ହୋଇଥିବ। ସତରେ ସେପରି ସୁନ୍ଦରୀ ତ ମୁଁ ଏ ପର୍ଯ୍ୟନ୍ତ ଦେଖିନି। ମୋ ଛୁଆ ବୁଦ୍ଧିରେ ସେତେବେଳେ ଭାବୁଥିଲି ଏମିତି ସତରେ କ'ଣ ପିନ୍ଧି ଚାଲି ହେବ?


ଆମ ବାଳିକା ଉଚ୍ଚବିଦ୍ୟାଳୟଟି ଠିକ ବାଳକ ଉଚ୍ଚବିଦ୍ୟାଳୟର ପଛରେ। ତେଣୁ ସବୁ ଝିଅଙ୍କୁ ସେ ବାଳକ ଉଚ୍ଚବିଦ୍ୟାଳୟ କଡ ଦେଇ ଯିବାକୁ ପଡେ।ଅଷ୍ଟମ ଶ୍ରେଣୀ ବୋର୍ଡ ପରୀକ୍ଷା ପରେ ପରେ, ଗାଁ ସ୍କୁଲର ପ୍ରାୟ 40-50% ପୁଅ ମନକୁ ମନ ନିଜର ଗୋଟିଏ ଗୋଟିଏ ଝିଅ ପସନ୍ଦ କରି ନେଇଥାନ୍ତି। ସେହି 40-50% ପୁଅଙ୍କ ଭିତରୁ ମାତ୍ର 10% ପୁଅ ସାହାସ ରଖିଥାନ୍ତି ଭଲ ପାଇବାଟିକୁ ପ୍ରକାଶ କରିବାକୁ । ବାକି 30-40% ପୁଅଙ୍କର ଭଲ ପାଇବାଟା ଯେପରି ବିଲହଳ ନ ହୋଇ ବିହନ ପଡିବା ଅବସ୍ଥାପରି, ଗଜା ହୁଏ ସତ, କିନ୍ତୁ ଚାରା ନ ଉଧାଇ ସେଇଠି ମରିଯାଏ। କାରଣ ତାଙ୍କ ଝିଅ ବନ୍ଧୁଟି ବା ପୁଅଙ୍କ ସ୍ବନିର୍ବାଚିତ ଝିଅଟି ଜାଣି ବି ନ ଥାଏ ଯେ ଏ ଅମକ ପୁଅଟି ମୋତେ ଭଲ ପାଉଛି ବୋଲି।


ପୁଅମାନଙ୍କ ଭିତରେ ଏକରକମ ପ୍ରତିଯୋଗିତା ଲାଗି ରହିଥିଲା ସଂଧ୍ୟାକୁ ଜୀବନସାଥି ରୂପେ ଏବେଠୁ ବୁକ କରିବାକୁ।ସଂଧ୍ୟା ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଯାଇଥିଲା ପୁଅମାନଙ୍କ ଭିତରେ। ମୁଁ ଝିଅମାନଙ୍କ  ଫୁସୁରୁ -ଫାସରରେ ଭାଗ ନେଇପାରୁନଥିଲି। ମୋତେ ଫାଷ୍ଟ ଡିଭିଜନ ଆଉ ବେଷ୍ଟ-ଟେନଥ ଚିନ୍ତା ଘାରିଥିଲା। ଗୀତା ଏମିତି ଗପସପରେ ପ୍ରାୟତଃ ଭାଗ ନିଏନି।

ସମସ୍ତ ପୁଅଙ୍କ ଭିତରୁ ରଞ୍ଜିତ ବାଜି ମାରି ନେଇଥିଲା ସଂଧ୍ୟାକୁ ପ୍ରଲୋଭିତ କରିବାରେ। ରଞ୍ଜିତ କୁଆଡ଼େ ଆକାଶର ଚାନ୍ଦତାରା ତା ପାଦ ତଳେ ବିଛାଇବା ପ୍ରତିଶ୍ରୁତି ଦେବାକୁ ବି ପଛାଉ ନ ଥିଲା।


ଗୀତା ବାଳକ ଉଚ୍ଚବିଦ୍ୟାଳୟର ମାଷ୍ଟରଙ୍କ ଝିଅ ଏବଂ ମୁଁ ଭାଣେଜୀ , ତେଣୁ ଆମକୁ କେହି ପ୍ରେମିକା ରୂପେ ପାଇବାକୁ ଭାବିଲେବି, ସାହାସ କରି ପ୍ରକାଶ କରି ପାରୁ ନ ଥିଲେ। ଯିଏ ଜଣେ ଅଧେ ଖୁପଖାପ ହେଉଥିଲେ ମୋ ଅଣ୍ଡିରଚଣ୍ଡି ଗୁଣ ଯୋଗୁ ସିଧା ହୋଇ ଯାଇଥିଲେ।


ମାଟ୍ରିକ ପରୀକ୍ଷାରେ ରଞ୍ଜିତ ଭଲ ପଢୁ ଥିଲେବି ପ୍ରେମ ବ୍ୟାପରରେ ଫଶି ସେକେଣ୍ଡ ଡିଭିଜନ ପାଇଥିଲା। ସଂଧ୍ୟା ଥାର୍ଡ ଡିଭିଜନରେ ପାଶ୍ କରିଗଲା ମୋର ବେଷ୍ଟ-ଟେନଥ ସିନା ହେଲାନି ଭଲ ମାର୍କ ଥିଲା, ଗୀତାର ଟିକେ କମିଗଲା। ନିଜ ନିଜର ଉଚ୍ଚ ଶିକ୍ଷାପାଇଁ ଆମେ ସବୁ ଗାଁ ପୁଅଝିଅ ନିଜ ମାର୍କ ଅନୁସାରେ ଓଡିଶାର ବିଭିନ୍ନ କଲେଜ ହାତେଇ ନେଲୁ। ମୋ ପ୍ରିୟ ସାଂଗ ଗୀତା, ବାଧ୍ୟ ହୋଇ ବାଙ୍କି କଲେଜରେ ପଢିଲା ଭୁବନେଶ୍ୱରର ଭଲ କଲେଜରେ ସିଟ୍ ଟିଏ ନ ପାଇ। ମୁଁ ଭୁବନେଶ୍ବରରେ ପଢିଲି। ଦୁହେଁ ବହୁତ କାନ୍ଦିଥିଲୁ  ଅଲଗା ହେଲା ବେଳକୁ।


ଜୀବନ ଏୟା। ସବୁ ପ୍ରତିଶ୍ରୁତିର ଚିହ୍ନ ସମୟ ଅନୁସାରେ ଫିକା ପଡି ନୂଆ ପ୍ରତିଶ୍ରୁତିର ଚିହ୍ନ ଚମକୁ ଥାଏ ମାର୍ଗଶୀରର ମାଣବସା ଝୋଟିପରି।


ଗୀତାର ବି.ଏ. ପରେ, ମାମୁଁ ଗୀତାର ବାହାଘର ଠିକ କରି ଦେଲେ। ହେ ଭଗବାନ! ଯେ ମୋ ଜୀବନର ଅଧାରୁ ଅଧିକ ସମସ୍ୟା ସମାଧାନ କରିଦେଉଥିଲା ସେ ଗୀତାର ବାହାଘର । ପୁଣି ଗୀତାର ଏପରି ସ୍ମରଣୀୟ ମୁହୂର୍ତ୍ତରେ ମୁଁ ତା ପାଖରେ ରହି ପାରିବନି।କାରଣ ମୁଁ ସ୍କଲାରସିପ ପାଇ ଦିଲ୍ଲୀ ପଢିବା ପାଇଁ ଚାଲି ଯାଇଥିଲି ।ଆଉ ମୋ ମୁଣ୍ଡ ଉପରେ ଏକ ପ୍ରବେଶିକା ପରୀକ୍ଷା ଝୁଲୁଥିଲା।


ଏତିକି ଖୁସି ଲାଗିଲା କି ଗୀତା ଆମରି ଗାଁର ପୁଅ ଆମରି ସାଂଗ ରଞ୍ଜିତକୁ ବାହା ହେଉଛି। ଗୀତାର ଭବିଷ୍ୟତ ପାଇଁ ମୋତେ ବ୍ୟସ୍ତ ଲାଗିଲାନି। ରଞ୍ଜିତ ବ୍ୟାଙ୍କରେ କ୍ଲରିକାଲ ଚାକିରି ପାଇଯାଇଥାଏ। ମାମୁଁ ଖୁସିରେ ରଞ୍ଜିତକୁ ଜୋଇଁ କଲେ। ମୁଁ ସେ ସମୟରେ ଫୋନରେ କଥା ହୋଇଥିଲି ଗୀତା ସହିତ ରଞ୍ଜିତ ସହ ବାହାଘର ପ୍ରସ୍ତାବରେ ଖୁସି ଅଛୁନା?


ଗୀତାର ସବୁବେଳ ପରି ସମାନ ଉତ୍ତର ଥିଲା, ବାପାବୋଉ ରାଜି ତ?


ତୁ ଖୁସି ନୁହଁ? କେବେ ସ୍ମାର୍ଟ ହେବୁ କହିଲୁ?


ସେଦିନ କିନ୍ତୁ ମୁଁ ଜାଣି ନଥିଲି ।ପରେ ଜାଣିଲି ମୋ ଭଳି ପ୍ରଶାସନିକା ଟିଏ ସିନା ଗୀତା ବହୁତ ପଢି ହୋଇପାରିନି, ହେଲେ  ଆତ୍ମସମୀକ୍ଷା ଦ୍ବାରା ତା ପ୍ରଜ୍ଞାର ସ୍ତର ଖୁବ୍ ଉଚ୍ଚା କରି ପାରିଛି। ଜୀବନଯୁଦ୍ଧକୁ ଜିତିବାର ସମସ୍ତ ସ୍ଥିତିଜଶକ୍ତି ସେ ହାସଲ କରିନେଇଥିଲା ତା ଧିରସ୍ଥିର ବୁଦ୍ଧି ଦ୍ବାରା।


ଗୀତା କହିଲା ,ଏକ ନାରୀ ପୁରୁଷ ପାଖରେ ଯାହା ଯାହା ଖୋଜେ ସବୁତ ରଞ୍ଜିତ ପାଖରେ ଅଛି। ଆକର୍ଷଣୀୟ ବ୍ୟକ୍ତିତ୍ବ , ସୁନ୍ଦର ଚେହେରା, ପେଟ ପୋଷିବା ପାଇଁ ଭଲ ଚାକିରି ଖଣ୍ଡେ ବି କରିଛି। ବାକି ରହିଲା ଭବିଷ୍ୟତ। ତାକୁ ତ ମୁଁ ଦେଖିନି।ଆଉ ନାହିଁ କରିବି କ'ଣ ପାଇଁ?


ଆଉ ଗୋଟେ କଥା ସବୁ ସୁନ୍ଦର ଫଳ, ଫଳ ନୁହେଁ। ତା ଭିତରେ ମହାକାଳ ଫଳ ବି ଥାଏ। ଏହି କଥାଟି ସେ ମଉନ ମୁହିଁ କଣ ଆଭାସ ପାଇ କହିଥିଲା କେଜାଣି ସେତେବେଳେ।


ଏବ ପରି ସେତେବେଳେ ଏତେ ଫୋନର ସୁବିଧା ନ ଥିଲା। ତେଣୁ ଆମ କଥା ହେବା ବି କମ ଥିଲା। ମୁଁ ଖାଲି ବୋଉବାପାଙ୍କଠୁ ଗୀତାର ଭଲମନ୍ଦ ବୁଝି ଦେଉଥାଏ। ସେ କାହିଁକି ମୋ ବିଷୟରେ ଏତେ ପଚାରୁନି ବୋଲି ମୋ ବୋଉ ଆଗେ ଥରେ ଅଭିଯୋଗ ଆଣିଥିଲି।


ବୋଉ କହୁଥିଲା ଭାରତ ପରି ଦେଶ, ତା ଭିତରେ ଓଡିଶା ପରି ରାଜ୍ୟରେ ଏକ ନାରୀ ବିବାହ ପରେ କିପରି ଧନ୍ଦି ହୁଏ, ତୁ ମୋତେ  ମାଇଁକୁ  ଦେଖି  କିଛି  ଅନ୍ଦାଜ  ଲଗାଇନୁ ଯେ ଗୀତାଠୁ ଆଶା ରଖୁଛୁ ।


ବୋଉଠୁ ଏସବୁ ଶୁଣିଲା ପରେ ଭାବିବାକୁ ବିବଶ ହୋଇଥିଲି ଯାହାବି ହେଉ ନାରୀଶକ୍ତୀ ବିନା ସବୁ ଅସମ୍ଭବ। ସେ ଯାହା ହେଉ ମୋ ଗୀତା ଭଲରେ ଥାଉ। ଗୀତା ଉପରେ ଆଉ ଦିନେ ବି ଅଭିମାନ ଆସିନି। କାରଣ ସେ ନିଶ୍ଚୟ ଘାଣ୍ଟି-ଚକଟି ହେଉଥିବ ଶାଶୁଘରେ ,ରଞ୍ଜିତ ପାଖରେ।


ମୋ ବାପାବୋଉ କଥା ମୁତାବକ ଗୀତାର କନ୍ୟାଦାନ କରିଥିଲେ ସମସ୍ତ ଦାୟିତ୍ବ ନେଇ । ଏମ. ଏ .ପରେ, ମୁଁ ଭାରତୀୟ ପ୍ରଶାସନିକ ପରୀକ୍ଷା ପାଇଁ ଦିଲ୍ଲୀରେ ରହି ପଢିଲି। ବାପା ଟିକିଏ ପୁରୁଣା କାଳିଆ ଚିନ୍ତାଧାରା ଲୋକ ଥିଲେ ବି, ବୋଉର ପ୍ରୋତ୍ସାହନ ଯୋଗୁ ମୋର ଉଚ୍ଚଶିକ୍ଷା ପାଇଁ ବାପା  ଅରାଜି ହୋଇନଥିଲେ। ଏହାର ସୁଯୋଗ ନେଇ ମୁଁ ଦିଲ୍ଲୀରେ ପାଂଚବର୍ଷ କାଟିଦେଲି। ପରୀକ୍ଷାରେ କୃତକାର୍ଯ୍ୟ ମଧ୍ୟ ହେଲି।


ପରୀକ୍ଷାରେ କୃତକାର୍ଯ୍ୟ ପରେ, ମୋର ପ୍ରଥମ ଇଛା ଥିଲା ବାପାବୋଉ, ମାମୁଁମାଇଁଙ୍କୁ ଦେଖା କରି ଦେଇ, ମୋ ଗୀତା ପାଖରେ ସମୟ କାଟିବି ମନ ଭରିବା ଯାଏଁ। ଉଭୟେ ତ ମୋ ସାଂଗ, ଆହୁରି ବେଶୀ ମଜାହେବ।

ମୋ ସମ୍ବେଦନଶୀଳ ଦିନର କୋମଳ ବୟସର ସାଂଗକୁ ଦେଖିବାକୁ ମୁଁ ବ୍ୟଗ୍ର ହୋଇ ଭୁବନେଶ୍ବରରେ ତା'ଘରେ ପଂହଚିଗଲି ଅଚାନକ।


ମୋତେ ଦେଖି ସେ ଅପ୍ରସ୍ତୁତ ହୋଇ ପଡିଲା ଯେମିତି ସେ ସମୟରେ କିଛି କଥା ମୋଠୁ ଲୁଚାଇବାକୁ ଚାହୁଁଥିଲା । ମୁଁ ତାକୁ ଜାବୁଡି ଧରି କହିଲି କ'ଣ ବେ ଏମିତି କାଠ ପରି ଛିଡା ହୋଇଗଲୁ। ମୋ ପୁତୁରା କାହିଁ ? ଆଉ ତୋର ଏ ଆଡଭାନ୍ସଡ ଷ୍ଟେଜ? କେତେ ମାସ ହେଲା। ମୁଁ ବାହା ହୋଇନି, ତୁ ମାଡାମ ଦୁଇ ଦୁଇଟି ଛୁଆର ମା ହେବାକୁ ଯାଉଛୁ।


ଏଇ.... ମା ହେବାରେ ମୋଠୁ ଆଗେଇ ଗଲୁ ନା !


ଶୁଣ ମୋର ମା ହେବାର ଅଭିଳାଷା ନାହିଁ। ତୋ ଛୁଆଙ୍କୁ ମୁଁ ବଡ କରିବି ଯେମିତି ତୁ ମୋର ଯତ୍ନ ନେଉଥିଲୁ। ଆଉ ରଞ୍ଜିତ କେଉଁଠି? ଆଜି ତ ରବିବାର ବ୍ୟାଙ୍କ ବନ୍ଦ।


ତୁ ଟିକେ ଥମ ଧର। ଏକା ସାଙ୍ଗରେ ଏତେ କଥା। ତୁ ଏଡେ ବଡ ଅଫିସର ଆଉ ମୋ ପିଲାଙ୍କୁ ସମ୍ଭାଳିବୁ? ନା!


ଦେଖ ମୋତେ ଏଡେ ବଡ ଅଫିସର କହିଛୁ ଯଦି ତୋ ମୁହଁ ଚାହିଁବିନି। ମୁଁ ତୋର ସେହି ଲାଲି ଯେ ତୋର ସବୁ ଅଧିକାରରେ ହକ ଜତାଉଥିଲା।ଗୀତାକୁ ସହଜ କରିବାକୁ ଯାଇ ସତକଥାଟିକୁ ମୁଁ ଟିକେ ଇମୋସନାଲ ହୋଇ କହିଲି । ନାଟକୀୟ ଶୈଳୀରେ କଥାବାର୍ତ୍ତା କଲେ ମୋତେ ଲାଜ ଲାଗିଥାଏ ଏବଂ ମୋ ବ୍ୟକ୍ତିତ୍ୱକୁ ଖାପ ଖାଇନଥାଏ। କିନ୍ତୁ ମୋ ଗୀତା ପାଖରେ ମୋର କିଛି ଔକାଦ ନଥାଏ। ମୁଁ ପୁରା ଖୋଲା ତା ପାଖରେ।


ହଠାତ ଭିତର ଘରୁ ଖୁବ୍ ହସିବାର ଆବାଜ ଆସିଲା ।ଆରେ ରଞ୍ଜିତ ଘରେ, ଗୀତା ତୁ କହୁନୁ କହି ମୁଁ ସେ ଘରକୁ ପଶିଗଲି। ରଞ୍ଜିତ ଆଉ ସଂଧ୍ୟା। ବାଃ ....ମୋ ପାଟିରୁ ବାହାରି ଆସୁଥିଲା ହେଲେ କିପରି ଏକ ଅବ୍ୟବସ୍ଥିତ ଏବଂ ଅଖାଡୁଆ ଅନୁଭବ ହେଲା ସେ ଦୁଇଜଣଙ୍କ ବସିବା ମୁଦ୍ରାରୁ । ମୁଁ ଅନେକ କିଛି ଅନ୍ଦାଜ ଲଗାଇ ଚାଲିଥିଲି। 


ରଞ୍ଜିତ ଫଟକି ଉଠିଆସିଲା। ଆରେ ଲାଲି କେତେବେଳେ ଆସିଲୁ। ମୁଁ ଜାଣିଥିଲେ ନେଇ ଆସିଥାନ୍ତି। କି ଭାଗ୍ୟ ଆମର ଆମଭଳି ଲୋକଙ୍କ ଘରେ ତୋର ପାଦ ପଡିଲା।

ମୁଁ ମନେ ମନେ ଭାବୁଥିଲି କହିକି ଆସିଥିଲେ ତୁମର ଏପରି ସ୍ବଭାବ କେମିତି ମୋ ଆଖିରେ ପଡିଥାନ୍ତା। ଏ ଚାଟୁକାରିତା ଛାଡ ରଞ୍ଜିତ ମହାନ୍ତି। ମୁଁ ଆସିଗଲିଣି ମୋ ଗୀତାର ଭଲମନ୍ଦ ବୁଝିବା ପାଇଁ।ମୁଁ ଭାବୁଥିଲି ରଞ୍ଜିତ ଗୀତାକୁ ଖୁସିରେ ରଖିଥିବ। କିନ୍ତୁ ନୁହେଁ।


ମୋ ଗୀତା ଆଖିର ଶୂନ୍ୟତାର କାରଣ ତା'ହେଲେ ରଞ୍ଜିତ ଆଉ ସଂଧ୍ୟା। ଗୀତା କେବଳ ମୋର ବାଲ୍ୟ ବାନ୍ଧବୀ ନଥିଲା। ମୋ ବାଲ୍ୟ ଜୀବନକାଳର ଏକ ଅଙ୍ଗ, ଏକ ପରିଛେଦ।

ଆଛା ଲାଲି ତୁ ବିଶ୍ରାମ କର। ମୁଁ ଆଉ ସଂଧ୍ୟା ସିନେମା ଯିବା ପାଇଁ ଟିକେଟ କରିଛୁ। ସମୟ ହୋଇ ଗଲାଣି। ଗୀତା ତ ଏ ଅବସ୍ଥାରେ ଯାଇପାରିବନି। ତୁ ଯିବୁକି ? ଟିକେଟ ଚେଷ୍ଟା କରିବି?

ମୁଁ କହିଲି, ନୋ ଥ୍ୟାଙ୍କସ। ତିନି ତିନି ଘଣ୍ଟା ଧରି ସିନେମା ଦେଖିବାର ସାହାସିକ ମାନସିକତା ମୋ ପାଖରେ ନାହିଁ। ତୁମେ ଦୁଇଜଣ ମିଶି ଦେଖିବାର ଯୋଜନା କରିଛ ଯାଅ। ତୁମ ପ୍ରଯୋଜିତ ଯୋଜନା ଭଂଡୁର କରିବାର ଇଚ୍ଛା ଏତେ ଜଲଦି ନାହିଁ ମୋର। ମୁଁ କଥାର ଶାଣୀତତା ଗୁଳି ପରି ବାହାର କରିଥିଲି, ଜାଣିଶୁଣି।

ରଞ୍ଜିତ ଆଉ ସଂଧ୍ୟା ହଡବଡେଇ ଯାଇ ଖୁବ୍ ଦ୍ରୁତ ଗତିରେ ଘରୁ ବାହାରି ଗଲେ। ମୋର ସେତେବେଳକୁ ଖର ନିଶ୍ୱାସ ବୋହିଲାଣି।

ଗୀତା ତ ମୋତେ ଠିକ ଚିହ୍ନିଛି। ମୋତେ ଥଣ୍ଡା ଫଣ୍ଡା ପିଆଇ ବସାଇଲା।

ମୁଁ ସିଧା ପଚାରିଲି, କହ ଏସବୁ କେବେଠୁ ଚାଲିଛି?ଏମିତି ମଉନ ଅଛୁ କଣ ପାଇଁ? ତୁ କହିନୁ କାହିଁକି କାହାକୁ ? ବାପାବୋଉ , ମାମୁଁ ମାଇଁଙ୍କୁ।

ତୋ ଭଲପାଇବା, ପ୍ରେମ ଏଠି ଭାଗ ଵଣ୍ଟା ହେଉଛି ଗବ !ଚୁପ ସେ ଦେଖୁଛୁ।

ରଞ୍ଜିତର ଯେଉଁ ନିରୁତା ପ୍ରେମର, ନିଷ୍ଠାର ତୁ ଏକମାତ୍ର ଅଧିକାରିଣୀ ତାକୁ ଭାଗ ହେବାକୁ ଦେଉଛୁ କିପରି?

ଇଛା ବିରୁଦ୍ଧରେ ଉତ୍ତର ଦେଲାପରି ଗୀତା କହିଲା, କାହିଁକି ଏମିତି ଉତ୍ତେଜିତ ହେଉଛୁ କହିଲୁ?

ତୋ ସାଂଗ କଣ ମରି ଯାଇଛି। ଏଇତ ତୋ ଆଗରେ ଘର ସଂସାର କରି ପିଲାଛୁଆ ଧରି ଛିଡା ହୋଇଛି। ବଂଚିଛି ବି । ତା କଣ୍ଠ ରୁଦ୍ଧ ହୋଇ ଆସୁଥିଲା, କିନ୍ତୁ ସେ ଧରା ପଡିବାକୁ ଦେଲାନି । ଗୀତା ଏହି 5-6 ବର୍ଷ ଭିତରେ ଏକ ନିଖୁଣ ଅଭିନେତ୍ରୀ ପାଲଟି ଯାଇଛି ମୁଁ ଖାଲି ତାକୁ ଦେଖୁଥିଲି।


ଗୀତା କହିଲା, ତୁ ତ ଜାଣୁ ରଞ୍ଜିତ ଆଉ ସଂଧ୍ୟା ସ୍କୁଲ ବେଳୁ ପରସ୍ପରକୁ ଭଲପାଉଥିଲେ। ସଂଧ୍ୟାର ବର ଆର୍ମିରେ ଚାକିରି କରିଛନ୍ତି । ସଂଧ୍ୟା ଏଠି ନିଜ ମାବାପାଙ୍କ ସାଂଗରେ ରୁହେ। କଣ ଗାଇନିକ ସମସ୍ୟା ଅଛି ତାର, ତେଣୁ ଛୁଆପିଲା ହେଉନି ମଧ୍ୟ।


ମୁଁ ରଞ୍ଜିତ ଦିନେ ମାର୍କେଟରେ ଦେଖା ହୋଇଗଲୁ ତା ସହିତ। ସେବେଠୁ ତ ଏପରି ଚାଲିଛି। ପ୍ରଥମେ ପ୍ରଥମେ ମୁଁ ଭାବିଲି ସେ ସ୍କୁଲ ବେଳ, ନାବାଳକ ସମୟର ପ୍ରେମକଥା କଣ ଆଜି ଯାଏଁ ଥିବ ? କିନ୍ତୁ ପର ସମୟରେ ଦେଖିଲି, ମରି ହଜି ମାଟିରେ ମିଶି ଯାଇଥିବା ଲିଲି କନ୍ଦା ଯେପରି ପର ବର୍ଷକୁ ପୁଣି ପାତାଳ ଫୁଟାଇ ଫୁଲ ଫୁଟି ଉଠେ, ଠିକ ସେପରି ରଞ୍ଜିତ ଆଉ ସଂଧ୍ୟାର ଭଲ ପାଇବା-ଆବେଶ ଉଜ୍ଜୀବିତ ହୋଇ ଉଠିଛି।

ଆଉ, ତୁ ମାଙ୍କଡି ଦେଖୁଛୁ! ମୁଁ ରାଗି କହିଲି।

ଆଉ କଣ କରିଥାନ୍ତି କହୁନୁ?


ଯାହା ବି ହେଉ ରଞ୍ଜିତ ତ ତୋତେ ପ୍ରେମ ନିଶ୍ଚୟ କରୁଛି । ନହେଲେ ତୋର ଦି ଦିଟା ଛୁଆ କିପରି ହେଲା ?

ହଁ ନୁହେଁ ଆଉ କଣ? ଗୀତା ଏକ ତାସ୍ଛଲ୍ୟ ସ୍ବରରେ କହିଲା।

ମୁଁ କହିଲି ଏମିତି କାହିଁକି କହିଲୁ, ଥଟା ପରି।

ଗୀତା କହିଲା, ଆଲୋ ହୁଣ୍ଡି ମେଂଚେ ପାଠ ସିନା ପଢିଲୁ ବୁଦ୍ଧି ହେଲାନି ତୋର। ଏଇଠି ଗୀତାର ଟିକେ ମୁରବୀପଣିଆ ମୋତେ ଖୁସି ଦେଲା ବେଳକୁ ଗୀତା ଏକ ସମ୍ପୂର୍ଣ୍ଣ ନୁଆ ଅଧ୍ୟାୟ ପାଠ ମୋତେ ଜଣାଇଲା ।

ଗୀତା କହିଲା, ଛୁଆପିଲା ହେବାକୁ ପ୍ରେମର ଆବଶ୍ୟକତା ନ ଥାଏ ଲୋ ପାଗେଳୀ। ଏହା ଏକ ଦୈହିକ ମିଳନ ମାତ୍ର ଯାହା ଛୁଆ ହେବା ପାଇଁ ଯଥେଷ୍ଟ। ସେ ଦୈହିକ ମିଳନ ପ୍ରେମପୂର୍ଣ୍ଣ ବା ପ୍ରେମରହିତ ହୋଇପାରେ।

ମୁଁ କହିଲି, କଣ ଏପରି ଭାବୁଛୁ ମୋତେ। ଏସବୁ ମୁଁ ପାଠ ଆକାରରେ ପଢିଛି। ହେଲେ .....


ଗୀତା, କଣ ମୋତେ ବୁଦ୍ଧୁ ଭାବୁଛୁ। ବାହା ସିନା ହୋଇନି। ସାଧାରଣ ବୈଷୟିକ ଜ୍ଞାନ ଭରପୁର ମୋପାଖରେ।

ଧାରେ ସ୍ମିତ ହାସ୍ୟ ତା ମୁହଁରେ ,ମୋ ଅବୋଧ ପଣକୁ ନେଇ । ମୋତେ ଦେଖିବାକୁ ଭଲ ଲାଗିଲା ।

କିନ୍ତୁ ସେ ହସ ତା ମୁହଁରୁ ସାଂଗେ ସାଂଗେ ମିଳାଇଗଲା।

କହିଲୁ ଆଉ କଣ ଜାଣିଛୁ, ଘର-ସଂସାର, ସ୍ବାମୀ-ସ୍ତ୍ରୀ, ପିଲା-ଛୁଆ ଏବଂ ଦାମ୍ପତ୍ୟ ସମ୍ବନ୍ଧ ବିଷୟରେ।

ଶୁଣ ଗୀତା, ରଞ୍ଜିତ ତୋତେ ଭଲନପାଇ ,ପ୍ରେମ ନ କରି ତୋ ସଙ୍ଗେ ମିଶି ପାରୁଛି କିପରି? disgusting.

ଶୁଣ ଲାଲି, ଏ ପ୍ରେମ ଫ୍ରେମ ମିଥ୍ୟା କେବଳ।କେବଳ ଶୁଣାଶୁଣି କଥା । ଶତକଡା ଦଶ ମହିଳାଙ୍କ ଭାଗ୍ୟରେ ପ୍ରେମ ଜୁଟୁଥିବ ଜଦି ବଡକଥା।

ଆମ ଦେଶର ବର୍ତ୍ତମାନ ଚଳଣୀ ଅନୁସାରେ ,ଏକ ଆଭେରଜ ଷ୍ଟାଣ୍ଡାର୍ଡର ପୁଅକୁ ଝିଅ ପାଇଁ ଯୋଗ୍ୟ ବିଚାରି ଯାନୀ-ଯୌତୁକ ସହ ଛନ୍ଦି ଦିଅନ୍ତି। ବାଇଶ ତେଇଶି ଝିଅକୁ ହୋଇଗଲା ମାନେ ଆରମ୍ଭ ହୋଇଯିବ ସମାଜର ଅଧିବାସୀଙ୍କ ଜୁଲୁମ।


ଝିଅ ବାହା କରିବନି ? ଆଉ କେଉଁ ଦିନକୁ?ଝିଅ ବାପାମାଙ୍କର ପୁଅ ପସନ୍ଦ ଯଦି ହେଉ ନ ଥିବ ସେ ଟିକେ ଡେରି କରିବେ ନିଶ୍ଚୟ। ସେଇଠି ବି ପଦେ କହିବାକୁ ଛାଡିବେନି। ଧରିକି ବସିଥା। ବୁଢୀ କରୁଥା ଝିଅକୁ। ତେଣୁ ବାପାମା ସାମାଜିକ ବ୍ୟବସ୍ଥାର ଚାପରେ ଝିଅଟିକୁ ବାହା ଦେଇ ଦିଅନ୍ତି।


ଏପରି ବିବାହ ବନ୍ଧନରେ କେଉଁ ସ୍ବାମୀ ପାଖରେ ପ୍ରେମ ଜନ୍ମ ନିଏ, କେଉଁଠି ଜୁଲମ ଆରମ୍ଭ ହୁଏ ,କେଉଁଠି କିଛି ନ ଥାଇ ବି ଦାମ୍ପତ୍ୟ ଜୀବନଟି ପ୍ରତି ଦିନର ଘଟଣା ବଳୀକୁ ନେଇ ଗଡି ଚାଲିଥାଏ ରଂଗହୀନ, ସ୍ବାଦହୀନ, ରସହୀନ ହୋଇ।ଯେପରି ମୋ ଜୀବନ।


ଲୁଗା ଧୋଇବା ଯନ୍ତ୍ର ତ ଦେଖିଛୁ। ବାହା ହେଉ ହେଉ ଝିଅଟି ଯନ୍ତ୍ରରେ ଲୁଗା ବୁଲିବା ପରି, ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ନାନା ଜଂଜାଳ, ସମସ୍ୟା, ବାଦବିବାଦ, ଅଭାବ ଅନାଟନ, ପ୍ରାଚୁର୍ଯ୍ୟତା ବି ହେଉ, ତା ଭିତରେ ଅଠର ଘଣ୍ଟା ଉପର ତଳ, ବାମଡାହଣ ହୋଇ ପେଶୀ ହୁଏ। ବାକି ଆଠ ଘଣ୍ଟା ନିଜକୁ ଶୁଖାଏ ସ୍ବାମୀ ସହ ଶେଯରେ, ତା ପରଦିନ ପିନ୍ଧା ଉପଯୋଗୀ ପ୍ରସ୍ତୁତି ସହ।

ଏଠି ମାସ, ବର୍ଷ କଥା କେହି ଦେଖନ୍ତି ନାହିଁ। ଆଜି ଦିନଟି କଟିଗଲେ ବହୁତ ବଡକଥା।

ନିରୁତା ପ୍ରେମ ଆଢୁଆଳରେ କେବଳ ଚାଲେ ଜଂଜାଳ, ପିଲାଛୁଆ, ଘରଦ୍ବାର, ବ୍ୟାଙ୍କ ସେଭିଂସ୍, ପିଲାଙ୍କ କ୍ୟାରିୟର ,ସ୍ବାମୀଙ୍କ ରାତ୍ରିଇଛା ପୁରଣ, ଆଉ ସବୁଠୁ ବଡ ସମାଯୋଜନ।

ଗୀତା ତା ଧାରଣା ଗୁଡିକୁ ଅତିବାସ୍ତବ ରୂପେ ଉପସ୍ଥାପନା କରୁଥିଲା। ମୁଁ ବିସ୍ମିତ ଥିଲି ତା'ର ଅକାଟ୍ୟ ତର୍କ ଆଗରେ।


ମୁଁ ସେପଟେ ଖାଲି ପୁସ୍ତକ ଗତ ବିଦ୍ୟା ହାସଲ କରୁଥିଲି ଏପଟେ ମୋ ସାଂଗ ପ୍ରାଞ ବିଦୂଷି ହୋଇଯାଇଥିଲା ଅନୁଭବଗୁଡିକୁ ସାଁଉଟି ସାଁଉଟି ।

ମନେ ହେଉଥିଲା ଏ ଘରେ ସେ ଅଛି ସତ,କିନ୍ତୁ ପଦ୍ମ ପତ୍ରରେ ଜଳ ପରି। କିମ୍ବା ମୁଁ ତାର ସେହି ସଠିକ ଭାବାତ୍ମକ ବିନ୍ଦୁଟିକୁ ଛୁଇଁ ପାରିନି ଯେଉଁ ବିନ୍ଦୁକୁ ଛୁଇଁବା ମାତ୍ରେ ସେ ନିରାଟ ଦୁଃଖ ଗୁଡିକ ଢାଳି ଦେଇ ହାଲୁକା ହୋଇଯାନ୍ତା। ମୁଁ ଚାହୁଁଥିଲି ସେ ହାଲକା ହୋଇଯାଉ।

ମୁଁ ତା ପାଇଁ ଅଣ-ନିଶ୍ବାସୀ ହୋଇ ଉଠିଲିଣି, ଅଥଚ ସେ ପୁରା ସ୍ଥିତପ୍ରଜ୍ଞ।

ଏତେ କଥା କହୁଛୁ, ପ୍ରେମ ନ ହେଲା ନାହିଁ। ତୁ ଥାଇ ସେ ସଂଧ୍ୟାକୁ ଧରି ତୋ ଆଖି ଆଗରେ ଫୂର୍ତ୍ତି ଫାଜିଲାମି କରୁଛି ଆଉ କଣ କଣ କରୁଥିଵ ସେ ବଦମାସ ତୁ ସହିଛୁ। ଘରକୁ ପଳାଇଲୁନି? ବୋଉ ବାପାଙ୍କୁ ଖବର ଦେଲୁନୁ?


କେଉଁ ବୋଉବାପା? ତୁ ତ ମୋ ମାଷ୍ଟରିଆ ବାପାଙ୍କୁ ଜାଣୁ। ଜୀବନ ଯାଉ ପଛେ ସମ୍ମାନରେ ଆଂଚ ନ ଆସୁ, ସେମାନଙ୍କ ଆଚରଣ।

ସେଇଠି ଏ କଥା କହିବା ଯାହା ଏକ ଅଦିନିଆ କାଳବୈଶାଖୀକୁ ନିମନ୍ତ୍ରଣ କରିବା ସେୟା। ସବୁଠୁ ବଡ ଦୁଃଖ କଣ ଜାଣୁ? ସେହି ଗାଁର ଝିଅ ସେହି ଗାଁର ବୋହୂ ହେବା। ଏହାଠୁ ବଳି ନର୍କ ଯନ୍ତ୍ରଣା ନାହିଁ।

ଏମିତିରେ ତୁଣ୍ଡ ବାଇଦ ସହସ୍ର କୋଶ। ଆଉ ମୁଁ ଯଦି ସୋରିଷଟେ ଫୁଟାଇବି ଶାଶୂଘରେ, ବାପାଘରଠି ବାସ୍ନା ପଂହଚିଯିବ ଅନାୟାସରେ। ମୋ ବାପା ସହି ପାରିବେନି।

ମୋ ବାପାବୋଉଙ୍କୁ ମୁଁ ଭଲପାଏ, ଏ ଭଲପାଇବା ବି ପ୍ରେମ ।


ମୋର ତାଙ୍କ ପ୍ରତି ଧୋକାବାଜି ହେବକି ନାହିଁ କହିଲୁ ? ମୋ ନିରୂତା ପ୍ରେମର ଅନ୍ବେଷଣ ସମୟରେ ଯେଉଁ ପ୍ରଘଟ ହେବ କଥା ଚାରିଆଡ଼େ , ସେ ସହି ପାରିବେ? ସେଭଳି ମାନସିକତା ଦୃଢ ଭାବରେ ଦେଖାଇବାକୁ ଆମ ସମାଜ ମୋ ବାପାବୋଉ ପ୍ରସ୍ତୁତ କି?


ତୁ କହ ସେ ବାପାବୋଉଙ୍କ ପ୍ରେମ ହରାଇବି ଯେ ମୋତେ ଜନ୍ମ ଦେଇଛନ୍ତି...........ଏ ସ୍ବାମୀ ପ୍ରେମ ଜାହିର କରି ଘରୁ ବାହାରି ଯାଇ ଗାଁକୁ ପଳାଇବା  ବଦଳରେ? ଉଚିତ କେଉଁଟି?

ରଞ୍ଜିତ ପାଖରେ ଏସବୁ ଉଖୁରେଇବି ମାନେ ଏଠି ବେଲଜ୍ୟାଣୀ  ପରି ଆଉ ରହିପାରିବନି କି ରଞ୍ଜିତର ଘରକୁ ଛାଡି ବାପାଙ୍କ ଅକାଳ ମୃତ୍ୟୁକୁ ନିମନ୍ତ୍ରଣ କରି ପାରିବିନି।


ତୁ ବ୍ୟସ୍ତ ହୁଅନା। ସକାଳ ନିଶ୍ଚୟ ଆସିବ। ଆମ ଭାରତୀୟ ସମାଜ ବିଧିବିଧାନ ନିଶ୍ଚୟ ବଦଳିବ। ବାପାମାଙ୍କ ମାନସିକତାରେ ପରିବର୍ତ୍ତନ ଅବଶ୍ୟ ଆସିବ। ପୁଅ ଦିତୀୟ, ତୃତୀୟ ବାହା ହୋଇ ପାରୁଛି ମାନେ, ଝିଅଟିକୁ ବି ମାନସିକ ସ୍ତରରେ ପ୍ରସ୍ତୁତ କରାଯିବ ତୁ ବି ଘଟ ପରିବର୍ତ୍ତନ ପରି ତୋ ମନ ପସନ୍ଦ ମଣିଷ ବାଛି ପାରିବୁ।

କିନ୍ତୁ ଏବ ପାଇଁ ବିଲକୁଲ୍ ନୁହେଁ। ସମୟ ଅପେକ୍ଷାରେ ରହିବା ନିହାତି ଦରକାର।

ଏତେ ଭାଷଣ କାଢେନା ଏମିତି ଦେଖିସବୁ ସହି ରହିଥିବୁ ତା'ହେଲେ?

ଆଉ କଣ ଅଧିକା କରି ପାରିବି? ମୋ ଵାପାବୋଉଙ୍କ କଥା ଛାଡ। ଏଇ ମୋ ଚାରି ବର୍ଷର ଛୁଆଟି କଣ ହେବ କହିଲୁ, ମୁଁ ଯଦି ଏବେ ମନର ମଣିଷଟେ ଖୋଜି ରଞ୍ଜିତକୁ ଛାଡି ଚାଲିଯାଏ।


ରଞ୍ଜିତ ତା ପୁଅ ପାଇଁ ତ ଯାହା କରିବା କଥା କରୁଛି। ମୋର ଖାଇବାପିବା କିଛି ଅସୁବିଧା କରୁନି। ଘର କିଣି ଦେଇଛି। ଘରର ସଜ୍ଜାବଟ ପାଇଁ ମୋତେ ଦାୟିତ୍ବ ଦେଇଛି, ଯେପରି ସେ କାମରେ ବ୍ୟସ୍ତ ରହି ତା କଥାରେ ମୁଣ୍ଡ ପୁରାଇବିନି।

ତୁ ସବୁ ଜାଣୁଛୁ ତାହେଲେ? ହେ ପ୍ରଭୁ!

ହଁ ।


କିଏ କହିବ କାଲିକି କାଲି ରଞ୍ଜିତ ମୋ ପାଖକୁ ନିରୂତା ପ୍ରେମ ନେଇ ଫେରିବନି ବୋଲି।

ମୋ ପାଖେ ଆଉ ଶବ୍ଦ ନ ଥିଲା ଗୀତା ଦେବୀଙ୍କ ସମ୍ଭାଷଣ ପରେ।

ହେ ଭାରତୀୟ ନାରୀ ତୁ କେତେ ଦିନ ଆଉ ନିଜକୁ ଦେବୀ କରି ରଖିବୁ ?

ଗୀତାର ଶୂନ୍ୟତା ଭିତରେ ମୁଁ ପୂର୍ଣ୍ଣତା କାମନା କରୁଥିଲି ସର୍ବଶକ୍ତିମାନ ମାନଙ୍କ ପାଖରେ।


Rate this content
Log in

Similar oriya story from Drama