ବୋଉ ସକାଳୁ ଉଠିଲେ ଆଗ ସେମାନଙ୍କ ଗିନା ଥାଳିଆ ରେ ଖାଦ୍ୟ ରଖୁଥିଲା. ପୁଷି ପାଇଁ ନଖ ଉଷୁମ କ୍ଷୀର ସାଙ୍ଗକୁ ଟମିର ବତୁରା ରୁଟି କ୍ଷୀର, ନେଉଳର ବିସ୍କୁଟ ତ ଶୁଆର ବୁଟ ଦାନା. ବୋଉ ଠାକୁର ବାସନ ମାଜି, ଫୁଲ ତୋଳି ବାପାଙ୍କ ପାଇଁ ଚା ଜଳଖିଆ ପ୍ରସ୍ତୁତ କରିବା ବେଳକୁ ସମସ୍ତଙ୍କ ଥାଳି ଗିନା ତାଟିଆ ସଫା. କୃତ୍ୟ କୃତ୍ୟ ହୋଇଯାଏ ବୋଉ. ଅସୁବିଧା ସବୁ ବାପାଙ୍କର.ଜଳଖିଆ ଠାରୁ ଆରମ୍ଭ କରି ରାତି ଖାଇବା ପର୍ଯ୍ୟନ୍ତ ବାପାଙ୍କର ଖୁଣ. ଆର ଜନ୍ମରେ ସତେକି ଋଣ ରଖି ଏ ଜନ୍ମରେ ଶୁଝୁଥାଏ ବୋଉ. କେତେ କାଇଦା କଟକଣା ରେ କରିଥିବା ଚକୁଳି କୁଆଡେ ଆହୁରି ପତଳା ହୋଇଥାଆନ୍ତା ତାଙ୍କ ବୋଉ ବା ବୋଉର ଶାଶୁଙ୍କ ପରିବା ପିଲାଙ୍କ ଜେଜେ ମାଙ୍କ ଚକୁଳି ପରି. ଦହି ବରା ଆଉଟିକେ ମିଠା ହୋଇଥାଆନ୍ତା, ଆଳୁ ପରଠା ଖାଇ ଡାଇବେଟିସ ବଢ଼ିଗଲାଣି, ରୁଟି ଚା ଦେଲେ ବାସି ରୁଟି ଖାଇବା ଭାଗ୍ୟ ଥିଲା ଶେଷକୁ. ଏସବୁ ସିନା ଜଳଖିଆ ତିଆରି କରିବା ଲୋକ ବୋଉର ଦୋଷ କିନ୍ତୁ ଖରାବେଳ ଖାଇବାରେ ହାତ ଚାଟି ଖାଉଥିବା ବାପା ଖୁଣ କାଢ଼ନ୍ତି ଓ଼ ଗୁଣ ବଖାଣନ୍ତି ବୋଉର ସାତପୁରୁଷି ଯାଏଁ. ହାରେନି ବୋଉ ତଥାପି. ଡବା ଡବା ପାନ ଭାଙ୍ଗୁଥାଏ. ଧୂଳିଗୁଣ୍ଡି ପକା ଲବଙ୍ଗ ଦିଆ ପାନ. ଥରେ ନୁଁହଁ ଦିନକୁ କେଜାଣି କେତେ ଥର. ରାତରେ ରୁଟି କ୍ଷୀର କାହିଁ ଆଗରୁ ଭିଜେଇଲ ନାହିଁ କହି କମ୍ପୁଥାଏ ଘର. ଛାତ ଉପରୁ ମାଙ୍କଡ଼ ଆସି ଖାଇବା ନେଇଗଲେ ବି ବୋଉର ଦୋଷ. କାଳେ ଅକାଳେ ଘରକୁ ଆସିଥିବା ପିଲା ବୁଝନ୍ତି ବୋଉର ଦୁଃଖ ହେଲେ ବାପାଙ୍କୁ କିଛି କହନ୍ତି ନାହିଁ. ବୋଉ ଶିଖେଇଛି ପିତା ପରମ ତପ. ପିତା ସ୍ୱର୍ଗ.
ଆଜି ଦୁଇ ପୁଅ ଦୁଇ ବୋହୁ ସମସ୍ତେ ନିଜ ସହରକୁ ବଦଳି ହୋଇ ଘର ଗହଳି. ବାପାଙ୍କୁ ଭଲ ଭଲ ଖାଇବା ଦେବାକୁ ଦୁଇ ବୋହୁଙ୍କ ଭିତରେ ପ୍ରତିଯୋଗିତା. ବୋଉଙ୍କ ହାତ ରନ୍ଧା ପରି ସୁଆଦିଆ ନହେଲେ ମଧ୍ୟ ଅନଲାଇରୁ ଭିର୍ନ୍ନ ଭିର୍ନ୍ନ ଜଳଖିଆ ଶିଖି ଓ଼ ବନେଇ ରଖନ୍ତି ବାପାଙ୍କ ପାଖେ.ଵିନା ଦ୍ଵିଧା, ଵିନା ଖୁଣରେ ଵିନା ପ୍ରତିବାଦରେ ବାପା ଖାଇଦେଇ ଉଠନ୍ତି. ଭରା ଭରା ଥାଳିଆ, ଗିନା ସବୁ ସେମିତି ଥୁଆ ହୋଇଥାଏ ଟମି, ପୁଷିଙ୍କର. ବାପା ପଛେ ଖାଇଦେଉଛନ୍ତି ଆଙ୍କର ବେଶି ବାଗ କହି ବଦବୋହୁ ଯେତେ ଯତ୍ନ କଲେ ମଧ୍ୟ ସେମାନେ ମୁଁହଁ ମାରି ଶୁଙ୍ଘି ଚାଲିଥାନ୍ତି କାହାର ପରଶକୁ, କାହାର ଶୂନ୍ୟତାକୁ. ସାନବୋହୁ ସେମାନଙ୍କୁ ଦେଖି ଭାବେ ଏତେ କରୁଥିଲେ ତୁମ ପାଇଁ, ଆମ ପାଇଁ ତଥା ବାପାଙ୍କ ପାଇଁ, ହେଲେ ତାଙ୍କ ପାଇଁ ଦିନେ କେହି ଯତ୍ନ କରିବାର ସୁଯୋଗ ପାଇନି. ରତ୍ନପିଣ୍ଡର ଦେବୀ ଥିଲେ କହି ଆଖିରୁ ଲୁହ ପୋଛୁଥିଲା ସାନ ବୋହୁ ତ ପଛରୁ ବାପା ଡାକ ପକେଇଥିଲେ ବଡ଼ ବୋହୁକୁ ପାନ ଦୁଇଖଣ୍ଡ ଭାଙ୍ଗି ପାରିବୁ ମାଆ. ବୋଉ ଯେତେ ଧଡପଡ଼ ହୋଇ ପାନ ଭାଙ୍ଗୁ ଭାଙ୍ଗୁ ବାପା କହନ୍ତି ମୋ ପାଖେ ବୋଲି ଚଳି ଯାଉଛି ତୁମ ବୋଉ. ଆଜି ଆଉ କି କି କାମରେ ବ୍ୟସ୍ତ ରହି ଘଣ୍ଟାଏ ପରେ ପାନ ଦୁଇଖଣ୍ଡ ଭାଙ୍ଗି ବଡବୋହୁ ବାପାଙ୍କ ହାତକୁ ବଢ଼େଇ ଦେଇ କହିଲା ଡେରି ହୋଇଗଲା ବାପା. ବାପା କହୁଥିଲେ ବୋଉଟା ତୁମର ଭାରି ଖରାପ ଅଭ୍ୟାସ କରିଦେଇଛି ମୋର. ସେ ଯିବାର ବର୍ଷକ ପରେ ମଧ୍ୟ ମୋର ନିଜେ ନିଜେ ପାନ ଭାଙ୍ଗି ଖାଇବା ହେଲାନି. ବୋହୁ କହୁଥିଲା ଆମେ ଅଛୁ ନା. ହଁ ତୁମେ ସବୁ ଅଛ ବୋଲି ଚଳିଯାଉଛି. ଟମି, ପୁଷି, ନେଉଳ ଏଣିକି ଖାଉଥିଲେ କିଛି କିଛି ତ ତାଙ୍କୁ ଦେଖି ବାପା ସେଦିନ କାନ୍ଦି ପକେଇଥିଲେ ଖୁବ. ସମସ୍ତେ ଥିଲେ ମଧ୍ୟ ଶୁନ୍ୟତା ତାଙ୍କୁ ଭିତରେ ଭିତରେ ଘୁଣ କରିଚାଲିଥିଲା କାହିଁକି କେଜାଣି ସେ ବୁଝି ବି ବୁଝି ପାରୁନଥିଲେ.