ଶୁଭେନ୍ଦୁ
ଶୁଭେନ୍ଦୁ
ବିଜୁଳୀ ବେଗରେ ଖବର ଟା ଗାଁ ସାରା ପ୍ରଚାର ହୋଇଗଲା । ଲକ୍ଷ୍ମୀ ମାଷ୍ଟର ପୁଅ ପୋଖରୀ ରେ ବୁଡି ମଲା । ଯିଏ ଶୁଣିଲା ପୋଖରୀ ଆଡେ଼ ଧାଇଁଲା । ଗାଁ ସାରା ଲୋକ ପୋଖରୀ ହୁଡା ରେ ଠିଆ ହୋଇ ଦର୍ଶକ ସାଜିଛନ୍ତି । କେତେ ଜଣ ଲୋକ ପୋଖରୀ ରେ ବୁଡି ଶୁଭେନ୍ଦୁ କୁ ଖୋଜାଖୋଜି କରୁଛନ୍ତି । ଖରା ଦିନ ହୋଇ ଥିବାରୁ ପୋଖରୀ ରେ ବେଶୀ ପାଣି ନ ଥାଏ । ସମସ୍ତଙ୍କ ମନରେ ପ୍ରଶ୍ନ ବାଚୀ । ଘଟଣା ବିଷୟରେ ଜାଣିବା ପାଇଁ ।
ଏପଟେ ଘରେ କାନ୍ଦ ବୋବାଳି ରେ ଫାଟି ପଡୁଥାଏ । ଲକ୍ଷ୍ମୀ ମାଷ୍ଟର ଙ୍କ ଦ୍ଵିତୀୟା ପତ୍ନୀ ଙ୍କ ବଡ ପୁଅ ଶୁଭେନ୍ଦୁ । ମାତ୍ର ସାତ ବର୍ଷ ବୟସ । ଗାଁ ସ୍କୁଲ୍ ରେ ଦ୍ଵିତୀୟ ଶ୍ରେଣୀ ରେ ପଢେ । ସାହି ର ସ୍ତ୍ରୀ ଲୋକ ମାନେ ଘେରି ରହିଛନ୍ତି ଶୁଭେନ୍ଦୁ ର ମା ଯଶୋବନ୍ତି ଙ୍କୁ । ପ୍ରବୋଧନା ଦେଉଛନ୍ତି । "ତିନି ହ ଅପା , ଖୋଜା ଖୋଜି କରୁଛନ୍ତି ପରା ,କିଛି ହବନି ଶୁଭେନ୍ଦୁ ର । ସେ ଭଲରେ ଭଲରେ ଫେରି ଆସିବ । " ନିଆଁ ରେ ଘିଅ ଢାଳିଲା ପରି ଯେତେ ପ୍ରବୋଧନା ଦେଲେ ଆହୁରି ଜୋର୍ ଜୋର୍ ରେ ଯଶୋବନ୍ତି ଭୂଇଁ ରେ ମୁଣ୍ଡ ବାଡେଇ କାନ୍ଦୁଥାନ୍ତି।
ବାରବ୍ରତ କରି ଦିଅଁ ଙ୍କ ପାଖରେ କେତେ ମାନସିକ କରି ବୃଦ୍ଧା ବୟସ ରେ ପୁଅ ଟିଏ ହୋଇ ଥାଏ । ଶାନ୍ତ ସୁଶୀଳ ପିଲାଟି । ମାଛି କୁ ମ କହେ ନାହିଁ । ସୁନ୍ଦର ଗୁଳୁଗୁଳିଆ ଚେହେରା । ଲକ୍ଷ୍ମୀ ମାଷ୍ଟର ସଉକ ରେ ନା ଦେଇଥାନ୍ତି ଶୁଭେନ୍ଦୁ । ସତରେ ଇନ୍ଦୁ ପରି ଚେହେରା ।
ଖରା ଛୁଟି ହୋଇ ଥାଏ ସେତେ ବେଳେ । ଗାଁ ର ଅଧିକାଂଶ ଲୋକ ଗୁଳୁଗୁଳି ସହି ନ ପାରି ସନ୍ଧ୍ୟା ବେଳେ ବି ଗାଧୁଆ ପାଧୁଆ କରନ୍ତି । ପୋଢ଼, ମଇଁଷୀ ମାନଙ୍କୁ ମଧ୍ୟ ପୋଖରୀ ରେ ଗାଧୋଇ ବାକୁ ଛାଡ଼ି ଦିଆଯାଏ । ପୋଖରୀ ସାରା ବୁଲିବୁଲି ପୋଢ଼ ମାନେ ମନ ଖୁସି ରେ ଗାଧାନ୍ତି । ମାଲିକ ଆଡେଇ ନେଲେ ସେମାନେ ପାଣିରୁ ବାହାରି ଆସନ୍ତି । ଖରା ଛୁଟି ରେ ଗାଁ ପିଲାଙ୍କ ଚଗଲାମି କହିଲେ ନ ସରେ । ପ୍ରାୟ ଅପରାହ୍ନ ଚାରିଟା ବେଳୁ ପୋଖରୀ କୁ ପହଞ୍ଚି ଯାଆନ୍ତି । ପୋଖରୀ ପାଣି କୁ ଖପ ଖାପ୍ ଡେଇଁ ପଡନ୍ତି । ଏ କୂଳରୁ ସେ କୂଳ ପହଁରି ଯାଆନ୍ତି । କିଏ ଗାମୁଛା ପକାଇ ମାଛ ଧରେ , ତ କିଏ ପାଣି ଭିତରେ ବୁଡ଼ି ବୁଡି ଛୁପା ଛୁପି ଖେଳ ଖେଳେ । ଜଣେ ବୁଡିବ ଆଉ ଜଣେ ଖୋଜିବ । ପୋଢ଼, ମଇଁଷୀ ସହିତ ପିଲା ମାନେ ବି
ପୋଖରୀ ରେ ବୁଡି ବୁଡି ମଜା ନିଅନ୍ତି । କିଏ ପୋଢ଼ ଲାଞ୍ଜ କୁ ଧରି ପୋଖରୀ ସାରା ବୁଲି ଆସିବ ତ କିଏ ପୋଢ଼ ପିଠିରେ ବସି ପୋଖରୀ ସାରା ବୁଲି ଆସିବ । କିଏ ପହଁରା ଜାଣିଛି ତ କିଏ ଜାଣିନି । ବୁଡି ବୁଡି ଆଖି ଲାଲ୍ ପଡ଼ିଯାଏ । ସୂର୍ଯ୍ୟ ବୁଡ଼ିବା ପରେ ହିଁ ଘର କଥା ମନେ ପଡେ । କିମ୍ବା ଘର ଲୋକ ବାଡି ଟେ ଧରି ପୋଖରୀ ପାଖକୁ ଆସିଲେ ଯାଇ ଗାଧେଇବା ବନ୍ଦ ହୁଏ । ମାଡ଼ ଭୟରେ ଓଦା ସର ସର ଦେହରେ ଦଉଡ଼ି ଦଉଡ଼ି ସିଧା ଘରେ ହାଜର।।
ସବୁ ଦିନ ସମାନ ଯାଏନି । ବିପଦ ଗୋଡେ ଗୋଡେ ଜଗିଥାଏ । କାହାର କେତେ ବେଳେ ମୃତ୍ୟୁ ଆସିବ କିଏ ଜାଣିଛି !
ସେ ଦିନ ଶୁଭେନ୍ଦୁ ମଧ୍ୟ ସାହିର ଦୁଇ ଜଣ ପିଲାଙ୍କ ସହିତ ପୋଖରୀ କୁ ପ୍ରାୟ ତିନିଟା ବେଳୁ ଗାଧେଇ ବାକୁ ଗଲା । ଅନ୍ୟ ଦୁଇ ଜଣ ତା ଠୁ ବୟସ ରେ ଦୁଇ ତିନି ବର୍ଷ ବଡ ଥିଲେ । ପୋଖରୀ କୁ ଯାଇ ତିନି ଜଣ ଯାକ ପାଣିକୁ ଡେଇଁ ପଡ଼ିଲେ । ସେତେ ବେଳେ ଚାରିଟା ପୋଢ଼ ପୋଖରୀ ରେ ଗାଧୋଉ ଥାନ୍ତି । ଦୁଇ ଜଣ ଗୋଟିଏ ଗୋଟିଏ ପୋଢ଼ ଉପରେ ଚଢ଼ି ଗଲେ । ସେମାନଙ୍କୁ ଦେଖି ଶୁଭେନ୍ଦୁ ମଧ୍ୟ ପୋଢ଼ ଲାଞ୍ଜ କୁ ଧରି ପିଠିରେ ବସି ଗଲା । ତିନି ହେଁ ମଜା ନେଉଥାନ୍ତି । ପୋଢ଼ ମାନେ ଗଭୀର ପାଣି କୁ ଯାଇ ବୁଡି ବୁଡି ପହଁରିଲେ । କେବଳ ନାକ ଟି ଉପର କୁ ଦେଖା ଯାଉଥାଏ । ଶୁଭେନ୍ଦୁ ବସିଥିବା ପୋଢ଼ ଟି ଗଭୀର ପାଣିରେ ବୁଡି ଦେବାରୁ ଶୁଭେନ୍ଦୁ ମଧ୍ୟ ପାଣିରେ ବୁଡି ଗଲା । କାହିଁକି ନା ତାକୁ ପହଁରା ଜଣା ନ ଥିଲା । ଅନ୍ୟ ଦୁଇ ଜଣ ପହଁରା ଜାଣି ଥିବାରୁ ପହଁରି ପହଁରି କୂଳକୁ ପଳେଇ ଆସିଲେ । ଭାବିଲେ ଶୁଭେନ୍ଦୁ ପାଣିରେ ଜାଣି ଜାଣି ବୁଡ଼ିଛି । ପୁଣି ବାହାରି ଆସିବ ନି କି !! କିଛି ସମୟ ମଜା ମସ୍ତି କରି ସାରିବା ପରେ ଶୁଭେନ୍ଦୁ ଦେଖି ନ ପାରି କୁଆଡେ ଗଲା ଭାବି ଦୌଡ଼ି ଦୌଡ଼ି ଯାଇ ଶୁଭେନ୍ଦୁ ଘରେ ଖବର ଦେଲେ । ପୋଢ଼ ପିଠିରେ ଚଢିଥିଲା । ଗଭୀର ପାଣି ରେ ପୋଢ଼ ବୁଡି ଦେବାରୁ ଶୁଭେନ୍ଦୁ ର ପତ୍ତା ମିଳୁ ନାହିଁ । ସେତେ ବେଳକୁ ପୋଖରୀ ନିକଟରେ କେହି ଲୋକ ନ ଥିଲେ ।
ଗାଁ ସାରା ହୋ ହାଲ୍ଲା ହେଲା । ଶୁଭେନ୍ଦୁ ପୋଖରୀ ରେ ବୁଡି ମଲା । ବହୁ ଖୋଜା ଖୋଜି ପରେ ଶୁଭେନ୍ଦୁ ର ମୃତ ଶରୀର ମିଳିଲା । ନିରୀହ ନିଷ୍ପାପ ଶାନ୍ତ ପିଲାଟି ପହଁରା ଜାଣି ନ ଥିବାରୁ ଅକାଳ ରେ ଜୀବନ ହାରିଲା ।।