ସ୍କନ୍ଦମାତା
ସ୍କନ୍ଦମାତା
ଶରତ ଋତୁ ରେ ମାତା ଦୁର୍ଗା ଙ୍କ ନବରାତ୍ର ପୂଜା ହିନ୍ଦୁ ମାନଙ୍କ ମନରେ ନବ ଉନ୍ମାଦନା ଭରି ଦିଏ । ନଅ ଦିନ ବ୍ୟାପୀ ମାତା ଙ୍କ ପୂଜାରେ ପଞ୍ଚମ ଦିବସ ଟି ମାତା ସ୍କନ୍ଦ ମାତା ଙ୍କୁ ସମର୍ପିତ । ମାତା ଦୁଷ୍ଟ ଦଳନ ପାଇଁ କୈଳାସ ତେଜି ଧରା ପୃଷ୍ଠରେ ଅବତରଣ କରିଛନ୍ତି । ପୁର ପଲ୍ଲୀ,ସହର,ନଗର ସର୍ବତ୍ର ବିଭିନ୍ନ ପ୍ରକାର ଆକର୍ଷଣୀୟ ତୋରଣ, ସୁନା ଚାନ୍ଦି ମେଢ଼ ରେ ମାତା ଙ୍କ ମହିଷାମର୍ଦ୍ଦିନୀ ମୃଣ୍ମୟୀ ପ୍ରତିମା ଶୋଭା ପାଇ ଅଛି । ଦଶ ଭୁଜା ଦୁର୍ଗା ଦଶ ପ୍ରହରଣ ଧରି ମହିଷାମର୍ଦ୍ଦିନୀ ରୂପେ ବିରାଜିତା । ମହିଷାସୁର ଉପରେ ମାତା ଙ୍କ ଗୋଟିଏ ପାଦ,ଅନ୍ୟ ପାଦ ତାଙ୍କର ବାହନ ସିଂହ ଉପରେ । ମାତାଙ୍କ ତ୍ରିଶୂଳ ମହିଷାସୁର ର ବକ୍ଷ ଭେଦ କରିଥାଏ । ମାତା ବହୁ ମୂଲ୍ୟ ରତ୍ନାଳଙ୍କାର ରେ ବିଭୂଷିତା । ମନ୍ଦାର ମାଳିନୀ ମାତା ଦୁର୍ଗା ବିଭିନ୍ନ ଆୟୁଧ ରେ ଶୋଭା ପାଆନ୍ତି । ବିଭିନ୍ନ ଆଲୋକ ମାଳା ରେ ସୁସଜ୍ଜିତ ଦେବୀ ମେଢ଼ ସମସ୍ତଙ୍କ ମନ,ହୃଦୟ କୁ ଆକର୍ଷିତ କରିଥାଏ । ନାସ୍ତିକ ମନରେ ମଧ୍ୟ କିଛି ସମୟ ପାଇଁ ଭକ୍ତି ଭାବ ଜାଗ୍ରତ ହୁଏ । ମାତାଙ୍କ ଭବ୍ୟ ରୂପ କୁ ଦେଖିଲେ ଭକ୍ତି ରେ ଆପେ ଆପେ ମୁଣ୍ଡ ତଳକୁ ହୋଇ ଯାଏ । ଦୁଇ ହାତ ଯୋଡ଼ି ହୋଇ ଯାଏ । ଭକ୍ତି ରେ ହୃଦୟ ଗଦଗଦ ହୋଇ ଯାଏ । ମାତୃ ଶକ୍ତି ସହ ସନ୍ତାନ ଗଣ ଙ୍କ ର ସତରେ ଏକ ନିଆରା ସମ୍ପର୍କ ।
ଆସନ୍ତୁ ଜାଣିବା ମାତାଙ୍କ ପଞ୍ଚମ ସ୍ୱରୂପ ସ୍କନ୍ଦ ମାତା ଙ୍କ ଅଲୌକିକ କଥା ।
ସ୍କନ୍ଦ ଅର୍ଥାତ୍ କାର୍ତ୍ତିକେୟ । କାର୍ତ୍ତିକେୟ ଙ୍କ ମାତା ହୋଇ ଥିବାରୁ ସେ ସ୍କନ୍ଦ ମାତା ନାମରେ ପରିଚିତା । ମାତା ସ୍କନ୍ଦ ମାତା ସୂର୍ଯ୍ୟ ମଣ୍ଡଳ ର ଅଧିଷ୍ଠାତ୍ରୀ ଅଟନ୍ତି । ଅପୂର୍ବ ତେଜୋମୟୀ ଗୌ
ର ବର୍ଣ୍ଣା ମାତା ସୂର୍ଯ୍ୟ ମଣ୍ଡଳ ରେ ନିବାସ କରନ୍ତି । କୋଳରେ ପୁତ୍ର କାର୍ତ୍ତିକେୟଙ୍କୁ ଧରି ଥାନ୍ତି ।
ମାତା ସିଂହ ବାହିନୀ ଅଟନ୍ତି । ଚତୁର୍ଭୁଜା ମାତା ଙ୍କ ଦୁଇ ହସ୍ତ ରେ କମଳ ପୁଷ୍ପ ଶୋଭା ପାଏ । ଅନ୍ୟ ଗୋଟିଏ ହସ୍ତ ରେ ପୁତ୍ର ସ୍କନ୍ଦ ଙ୍କୁ ସୁରକ୍ଷା ଦିଅନ୍ତି ।ଅନ୍ୟ ହସ୍ତ ଟି ବରଦା ମୁଦ୍ରାରେ ଶୋଭା ପାଏ । ମାତା ଶୁଭ ଦାୟିନୀ, କଲ୍ୟାଣ କାରିଣୀ, ମମତାମୟୀ ,ପୁତ୍ର ବତ୍ସଲା ଅଟନ୍ତି ।
ତାରକାସୁର ନାମକ ଏକ ଦୈତ୍ୟ ବ୍ରହ୍ମା ଙ୍କ ବର ରେ ବଳୀୟାନ ହୋଇ ସେ ସ୍ବର୍ଗ ମର୍ତ୍ତ୍ୟ ପାତାଳ ତିନି ପୁର କୁ ଥର ହର କଲା। ସେ ବର ପାଇଥାଏ ଯେ ତାର ଦେବ ,ଦାନବ ,ମାନବ କାହାରି ହାତରେ ମୃତ୍ୟୁ ହେବ ନାହିଁ । କେବଳ ଶିବ ଙ୍କ ପୁତ୍ର ହାତରେ ସେ ମରିବ । ତେଣୁ ଦେବତା ଙ୍କ ମଧ୍ୟ ରେ ଭାଳେଣି ପଡିଲା, ଶିବ ଙ୍କ ର ତ ପୁତ୍ର ନାହିଁ ,ତେବେ ଦୈତ୍ୟ ମରିବ କିପରି ? ଘଟଣା କ୍ରମେ ଶିବ ଙ୍କ ବୀର୍ଯ୍ୟ ରୁ ଓ ମାତା ପାର୍ବତୀ ଙ୍କ ଜ୍ୟୋତି ପିଣ୍ଡୁଳା ରୁ ଏକ ତେଜୀୟାନ ପୁତ୍ର ଜାତ ହେଲା । ସେହି ପୁତ୍ର କୁ ଛଅ ଜଣ କୃତ୍ତିକା ସ୍ତନ୍ୟ ପାନ କରି ପାଳନ କଲେ । ତେଣୁ ତାଙ୍କର ଛ ଅ ଟି ମୁଣ୍ଡ ।ତାଙ୍କୁ ସ୍କନ୍ଦ କୁହାଗଲା । କୃତ୍ତିକା ମାନେ ପାଳନ କରିଥିବାରୁ ତାଙ୍କ ନାମ କାର୍ତ୍ତିକେୟ ହେଲା । ଅସ୍ତ୍ର ଶସ୍ତ୍ର ବିଦ୍ୟା ରେ ଧୁରନ୍ଧର କାର୍ତ୍ତିକେୟ ଦେବତା ମାନଙ୍କ ସେନାପତି ହୋଇ ତାରକାସୁର ସହିତ ଯୁଦ୍ଧ କରି ତାରକାସୁର କୁ ବଧ କଲେ ।
ସେହି ପରମ କଲ୍ୟାଣମୟୀ ମାତୃଶକ୍ତି ସ୍କନ୍ଦମାତା ଙ୍କୁ ନବରାତ୍ର ର ପଞ୍ଚମ ଦିନ ରେ ଆରାଧନା କରାଯାଏ । ଶୁଭଦା,ବରଦା, କଲ୍ୟାଣ ମୟୀ, ମାତା ସ୍କନ୍ଦ ମାତା ଙ୍କ ଚରଣ ତଳେ କୋଟି କୋଟି ପ୍ରଣିପାତ । ଜୟ ମା ଭବାନୀ ।